ରବୀନ୍ଦ୍ରନାଥ ଓ ପ୍ରତିମା ଦେବୀ

ର ବି କ ଥା -୨୧

ପ୍ରତିମା ଦେବୀ ଥିଲେ ବିଶ୍ୱକବି ରବୀନ୍ଦ୍ରନାଥଙ୍କ ପୁତ୍ରବଧୂ ଏବଂ ରଥୀନ୍ଦ୍ରନାଥଙ୍କ ପତ୍ନୀ। ସେ ଏକାଧାରରେ ଥିଲେ ଜଣେ ଲେଖିକା, କବି, ଚିତ୍ରଶିଳ୍ପୀ ଏବଂ ନୃତ୍ୟ ବିଶେଷଜ୍ଞ । ତାଙ୍କର ଅନ୍ୟ ପରିଚୟ ହେଉଛି, ସେ ଅବନୀନ୍ଦ୍ରନାଥ ଓ ଗଗନେନ୍ଦ୍ରନାଥ ଠାକୁରଙ୍କ ଭଉଣୀ ବିଜୟିନୀ ଦେବୀଙ୍କ ଝିଅ। ତାଙ୍କ ପିତାଙ୍କ ନାମ ଥିଲା ଚନ୍ଦ୍ରଭୂଷଣ ଚଟ୍ଟୋପାଧ୍ୟାୟ।

ପ୍ରତିମାଙ୍କ ଜନ୍ମରୁ ଠାକୁର ପରିବାର ସହିତ ସମ୍ପର୍କ ଥିଲା। କାରଣ ଦୁଇ ପରିବାରର ଘର ମଝିରେ ଗୋଟିଏ ଖୋଲା ଦ୍ୱାର ଥିଲା। ତା ମାଧ୍ୟମରେ ସେମାନେ ପରସ୍ପର ପରସ୍ପରକୁ ଦେଖିପାରୁଥିଲେ। ରବୀନ୍ଦ୍ରନାଥଙ୍କ ପତ୍ନୀ ମୃଣାଳିନୀ ଦେବୀ ପ୍ରତିମାଙ୍କୁ ପିଲାବେଳୁ ଦେଖି ତାଙ୍କୁ ତାଙ୍କର ପୁତ୍ରବଧୂ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ମୃଣାଳିନୀଙ୍କ ଅକାଳ ମୃତ୍ୟୁ ଯୋଗୁଁ ସେତେବେଳେ ତାଙ୍କର ଇଚ୍ଛା ଅପୂର୍ଣ୍ଣ ରହିଗଲା। ତା’ପରେ ପ୍ରତିମା ମାତ୍ର ୧୧ବର୍ଷ ବୟସରେ, ଗୁଣେନ୍ଦ୍ରନାଥ ଠାକୁରଙ୍କ ସାନ ଭଉଣୀ କୁମୁଦିନୀଙ୍କ ସାନ ନାତି ନୀଳନାଥଙ୍କ ସହିତ ବିବାହ କରିଥିଲେ। କିନ୍ତୁ ମାତ୍ର କିଛି ଦିନ ମଧ୍ୟରେ ନୀଳନାଥ ଗଙ୍ଗାରେ ପହଁରିବା ସମୟରେ ବୁଡ଼ି ମରିଗଲେ। ଏହି ଘଟଣାର ପାଞ୍ଚ ବର୍ଷ ପରେ, ଯେତେବେଳେ ରବୀନ୍ଦ୍ରନାଥଙ୍କ ପୁଅ ରଥୀନ୍ଦ୍ରନାଥ ଇଂଲଣ୍ଡରୁ ଫେରିଲେ, ସେତେବେଳେ ରବୀନ୍ଦ୍ରନାଥ ନିଜେ ପ୍ରତିମାଙ୍କୁ ରଥୀନ୍ଦ୍ରନାଥଙ୍କ ସହ ବିବାହ କରିବାକୁ ପ୍ରସ୍ତାବ ଦେଲେ। ସାମାଜିକ ସଂସ୍କାରକୁ ଅଣଦେଖା କରି ରଥୀନ୍ଦ୍ରନାଥ ବିଧବା ପ୍ରତିମାଦେବୀଙ୍କୁ ବିବାହ କରିଥିଲେ। ଏହି ବିବାହ ଯୋଡାଖଙ୍ଖ ଠାକୁର ପରିବାରରେ ସେହି ସମୟରେ ପ୍ରଥମ ବିଧବା ବିବାହ ଥିଲା।

ବିବାହ ପରେ ପ୍ରତିମା ସ୍ୱାମୀ ରଥୀନ୍ଦ୍ରନାଥଙ୍କ ସହିତ ଶାନ୍ତିନିକେତନରେ ରହି ବିଭିନ୍ନ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ସେ ଜଣେ ଦକ୍ଷ ଚିତ୍ରଶିଳ୍ପୀ ଥିଲେ ମଧ୍ୟ କିଛି ସମୟ ପାଇଁ ଇଟାଲୀୟ ଶିକ୍ଷକ ଗିଲହାର୍ଦିଙ୍କଠାରୁ ଚିତ୍ରକଳା ଶିଖିଥିଲେ। ରବୀନ୍ଦ୍ରନାଥଙ୍କ ନୃତ୍ୟନାଟିକାର ନୃତ୍ୟ ନିର୍ଦ୍ଦେଶନାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ବିବାହର କିଛି ଦିନ ପରେ ସେ ଶାନ୍ତିନିକେତନରେ ନାରୀ ଭୂମିକାରେ ପ୍ରଥମେ ଅଭିନୟ କରି ନିଜର ନୃତ୍ୟକଳାର ପରିଚୟ ଦେଇଥିଲେ। ରବୀନ୍ଦ୍ରନାଥଙ୍କ ନୃତ୍ୟନାଟିକାର ସେ ଥିଲେ ମୁଖ୍ୟ ଉଦ୍ୟୋକ୍ତା। ରବୀନ୍ଦ୍ରନାଥ ନିଜେ ‘ଚିତ୍ରାଙ୍ଗଦା’ ଉପରେ ନୃତ୍ୟନାଟ୍ୟ ରଚନା କରିବାକୁ ଯୋଜନା କରିନଥିଲେ। ପ୍ରଥମେ ପ୍ରତିମା ଦେବୀ ଏହି ନୃତ୍ୟନାଟକର ଖସଡ଼ା ପ୍ରସ୍ତୁତ କରିଥିଲେ। ତା’ପରେ ରବୀନ୍ଦ୍ରନାଥ ଏହି ନୂତନ କଳାରୂପକୁ ସ୍ୱାଗତ କରିଥିଲେ।

ପ୍ରତିମା ଦେବୀ ପାରମ୍ପରିକ ଢଙ୍ଗରେ ନୃତ୍ୟ ଶିଖି ନଥିଲେ କିମ୍ବା ନିଜେ ଜଣେ ନୃତ୍ୟଶିଳ୍ପୀ ନଥିଲେ। ପ୍ରଥମେ ‘ବର୍ଷାମଙ୍ଗଳ’ କବିତାକୁ କିଛି ନୃତ୍ୟରୂପ ଦେବା ପରେ, ‘ପୂଜାରିଣୀ’ କବିତାର ଏକ ନୃତ୍ୟନାଟ୍ୟ ସଂସ୍କରଣ ଲେଖିବାକୁ ରବୀନ୍ଦ୍ରନାଥଙ୍କୁ ଅନୁରୋଧ କରିଥିଲେ। ତା’ପରେ ରବୀନ୍ଦ୍ରନାଥ ‘ପୂଜାରିଣୀ’ ନୃତ୍ୟନାଟିକା ଲେଖିଥିଲେ। ସେ ବହୁତ ପରିଶ୍ରମ କରି ଶାନ୍ତିନିକେତନର ଝିଅମାନଙ୍କ ଦ୍ୱାରା ରବୀନ୍ଦ୍ରନାଥଙ୍କ ଜନ୍ମଦିନରେ ଏହାକୁ ପରିବେଷଣ କରିଥିଲେ। ନନ୍ଦଲାଲ ବସୁଙ୍କ ଝିଅ ଗୌରୀ ଏହି ନୃତ୍ୟନାଟ୍ୟରେ ଶ୍ରୀମତୀ ଭୂମିକାରେ ନୃତ୍ୟ କରିଥିଲେ। ସେହିପରି ସେ ‘ଶାପମୋଚନ’ ନୃତ୍ୟନାଟିକାକୁ ମଧ୍ୟ ନୃତ୍ୟ ରୂପ ଦେଇଥିଲେ। ପ୍ରାୟ ଚଉଦ ବର୍ଷ ଧରି କାମ କରିବା ପରେ, ପ୍ରତିମା ରବୀନ୍ଦ୍ରନାଥଙ୍କ ଦ୍ୱାରା ଲିଖିତ ଗୀତିନାଟ୍ୟ ‘ଚିତ୍ରାଙ୍ଗଦା’କୁ ଏକ ସ୍ଥାୟୀ ରୂପ ଦେଇଥିଲେ। ସେ ‘ଚଣ୍ଡାଳିକା’କୁ ମଧ୍ୟ ନୃତ୍ୟ ରୂପ ଦେଇଥିଲେ। ସେ ନାଟକର ପୋଷାକ ଏବଂ ମଞ୍ଚ ସାଜସଜ୍ଜା ଉପରେ ମଧ୍ୟ ପ୍ରବୀଣା ଥିଲେ। ସେ ତାଳ ଏବଂ ଶୈଳୀର ମିଶ୍ରଣରେ ରବୀନ୍ଦ୍ରନୃତ୍ୟରେ ବିବିଧତା ସୃଷ୍ଟି କରିଥିଲେ।

ପ୍ରତିମା ‘ପ୍ରବାସୀ’ ପତ୍ରିକାରେ ‘କଳ୍ପିତା ଦେବୀ’ ଛଦ୍ମନାମରେ ଅନେକ କବିତା ଲେଖିଥିଲେ। ରବୀନ୍ଦ୍ରନାଥ ନିଜେ ତାଙ୍କର ‘ସ୍ୱପ୍ନାଭିଳାସୀ’ କବିତା ପଢ଼ି ପ୍ରଭାବିତ ହୋଇଥିଲେ। ପ୍ରତିମା ଦେବୀଙ୍କ ଦ୍ୱାରା ଲିଖିତ “ନିର୍ବାଣ” ଗ୍ରନ୍ଥରେ ରବୀନ୍ଦ୍ରନାଥଙ୍କ ଜୀବନର ଶେଷ ବର୍ଷଗୁଡ଼ିକର ଘଟଣାବଳୀ ବର୍ଣ୍ଣନା କରାଯାଇଛି। “ସ୍ମୃତିଚିତ୍ର” ନାମକ ଏକ ପୁସ୍ତକରେ ଅବନୀନ୍ଦ୍ରନାଥ ଏବଂ ରବୀନ୍ଦ୍ରନାଥଙ୍କ ସ୍ମୃତି ବ୍ୟତୀତ ଘରର ଝିଅ ଏବଂ ପର୍ବପର୍ବାଣୀ ବିଷୟରେ ଲେଖା ରହିଛି। ଏହାବ୍ୟତୀତ ସେ “ନୃତ୍ୟ” ନାମକ ପୁସ୍ତକରେ ଶାନ୍ତିନିକେତନର ନୃତ୍ୟ ଶୈଳୀ ବିଷୟରେ ବହୁ ବର୍ଣ୍ଣନା କରିଛନ୍ତି । “ଚିତ୍ରଲେଖା” ପୁସ୍ତକଟି ତାଙ୍କ ଦ୍ୱାରା ଲିଖିତ କବିତା ଏବଂ ଗଳ୍ପଗୁଡ଼ିକର ଏକତ୍ର ସଂକଳନ।

ଶାନ୍ତିନିକେତନରେ ମହିଳା ଶିକ୍ଷା ଏବଂ ମହିଳା କଲ୍ୟାଣ ପାଇଁ ପ୍ରତିମା ଦେବୀ ନାରୀମାନଙ୍କୁ ନେଇ “ଆଳାପିନୀ ମହିଳା ସମିତି” ଗଠନ କରିଥିଲେ। ଏହି ଅନୁଷ୍ଠାନଟି ଏଯାବତ୍ ଆଶ୍ରମ ପରିସରରେ ଅଛି। ନାରୀମାନଙ୍କୁ ସ୍ବାବଲମ୍ବୀ ହେବା ସ୍ୱାଭିମାନୀ ହେବା ଦିଗରେ ଅନୁଷ୍ଠାନଟି ଏଯାବତ୍ ସକ୍ରିୟ ରହିଛି।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →