ଏ କେ ରାମାନୁଜନଙ୍କ ତିନିଟି କବିତା

ଇଣ୍ଡୋ-ଏଙ୍ଗଲିଏନ ଅଥବା ଇଂରାଜୀରେ ଲେଖୁଥିବା ଭାରତୀୟ କବି ଓ ଲେଖକଙ୍କ ମଧରେ ଏ କେ ରାମାନୁଜନ(1929- 1993) ଏକ ବିଶିଷ୍ଠ ବହୁମୁଖୀ ପ୍ରତିଭା। ଜଣେ କବି ରୂପେ ଏବଂ ଦକ୍ଷିଣ ଭାରତୀୟ ଭକ୍ତି କବିତାର ମହାନ ପରମ୍ପରରୁ  ଇଂରାଜୀ ଅନୁବାଦରେ ତାଙ୍କ ଅନନ୍ୟ କୃତକାର୍ଯ୍ୟତା। ଭାରତୀୟ ପରମ୍ପରା, ଯଥା ସଂସ୍କୃତ ଓ ତାମିଲ କାବ୍ୟକୃତିଙ୍କୁ ନେଇ ତାଙ୍କର ରଚନାମାନଙ୍କ ମୌଳିକ ଦୃଷ୍ଟି ଲାଗି ସେ ଉଭୟ ବାମ ଓ ଦକ୍ଷିଣ ପନ୍ଥୀ ଏକାଡେ଼ମିଆ ଓ ରାଜନୈତିକ ବିଭାଜନକାରିଙ୍କ ବିଦ୍ବେଷର ଶିକାର ମଧ୍ୟ। ରାମାନୁଜନଙ୍କ ବିୟୋଗ ପରେ ପ୍ରକାଶିତ-Uncollected Poems and Prose(2001)ରୁ ତିନିଟି କବିତାର ଭାଷାନ୍ତର -

ଘରକୁ ଫେରି

ଜଳନ୍ତା ଦିପହରେ ଘରକୁ ଫେରି ସେ
ମାଆକୁ ଖୋଜୁଥିଲା ଘରସାରା
ରନ୍ଧାଘରେ ନଥିଲା ମାଆ
ବାଡ଼ିପଟେ ବି ନଥିଲା
ଘରେ କେଉଁଠି ନଥିଲା

ସେ ଖୋଜୁଥିଲା
ଖୋଜି ଖୋଜି ହନ୍ତସନ୍ତ
ଖଟତଳ ବି ଚାହିଁଲା,
ଅଳନ୍ଧୁ ଅଳିଆ ପୁରୁଣା ଜୋତା ହିଁ ପାଇଲା
ବ୍ୟାକୁଳ ସେ ବାହାରକୁ ଧାଇଁ
ଆମ୍ମା ଆମ୍ମା ଡାକୁଥିଲା

କୋଉଠି ତୁ ଆମ୍ମା!! ଭୀଷଣ ଭୋକିଲା
ମୁଁ ଆସିଲିଣି ଘର....କିନ୍ତୁ ଉତ୍ତର ନଥିଲା
ଖରାରେ ଜଳୁଥିବା ନିର୍ଜନ ସାହୀରେ
ତା ସ୍ୱରର ପ୍ରତିଧ୍ୱନି ବି ନଥିଲା

ହଟାତ ତା' ମନେ ପଡିଗଲା
ଏବେ ସେ ଏକଷଠି ବର୍ଷର
ଏବଂ ତାର ମାଆ ନଥିବାଟି
ନଥିବା ଚାଳିଶ ବର୍ଷର......

ସାରାରାତି

ସାହୀମୁଣ୍ଡ ବୁଲାଣି ଉପରେ
ସେଇ ସ୍ତ୍ରୀଲୋକକୁ ଚାହିଁ
ସେ ପୁରୁଷର ରଡି
ବତୀଖୁଣ୍ଟର ସରୁଆ ଦେହରେ ଆଉଜି
ମୁଁହପୋତି ସିଲେଇରେ ବ୍ୟସ୍ତ
ଉଁ ଚୁଂ ନାହିଁ ସେ ଖୋଲେନି ହିଁ ମୁହଁ

ସାରାରାତି ବିଜୁଳିର ଜିଭ
ଆକାଶରେ ଯେଭଳି ସାପୁଆ ଚାବୁକ
ଘଡଘଡି ଗଡ଼ଗଡ଼ କରୁଥାଏ
ଯେଭଳି ଗକିମୁଣ୍ଡେ ଫୋପଡା ଟିଣଡ଼ବା
ବର୍ଷା ହୁଏନି ଟୋପାଏ ଅଥଚ

ସାରାରାତି ଅଗଣିତ ଘରମାନଙ୍କରେ
ଖେଳିବୁଲୁଥାନ୍ତି ଫୁଙ୍ଗୁଳା ଦେହଙ୍କ ଉପରେ
ଅଗଣିତ ହାତ ଚିପୁଡି ଚିପୁଡି ନଦୀଏ ନଦୀଏ ଝାଳ
କିନ୍ତୁ ଟୋପାଏ ବର୍ଷା ହୁଏନି ଅଥଚ
ଏପରିକି ହୁଏନି ଅନ୍ଧାର ପ୍ରଘାଢ଼
କେବଳ ହାଲ୍କା ହାଲ୍କା ଧୂଆଁ ଓ ଧୂସର


ସେହି ସନ୍ଥ-କବି ମାନଙ୍କ ଶବ୍ଦ ଏବଂ....

ସେହି ସନ୍ଥ-କବି ମାନେ
ସେମାନଙ୍କ ଉଚାରଣ ଦଶ ଶହ ବର୍ଷ ପୂର୍ବେ
ଏବଂ ଅନୁବାଦ କରେ ମୁଁ
ଦୁଇ ଦଶନ୍ଧି ତଳେ
ସେମାନଙ୍କ ବନ୍ଦନା ଶିବଙ୍କୁ
ସେମାନଙ୍କ ଭାବନାରେ ମୁଁ କ୍ଷଣେ ବି ନଥାଏ

ମୋ ମନରେ କ୍ଷଣ ଲାଗି ବି ନଥାଇ ପାରେ
ମାଡ୍ରାସର ସେହି ଯୁବକର କଥା
ଦଶ ବର୍ଷ ତଳେ ଯିଏ ମତେ ପଢେ

ଯେତେବେଳେ ଦିନରେ ରାତିରେ
ମୋ ଶବ୍ଦଙ୍କ ଉଚାରଣ ତାଳେ ତାଳେ
ଚକ୍ରାକାର ନୃତ୍ୟ ସେସବୁ ବଟିକାଙ୍କର
ତା ଆନମନା ହାତ ପାପୁଲିରେ ଏବଂ
ରଙ୍ଗମାନେ ଘୁରିବୁଲୁଥିଲେ ତା' ଦୃଷ୍ଟି ସମ୍ମୁଖରେ

ଉଦରସ୍ତ କରି ସେସବୁ ବଟିକା
ସେହି ସବୁ ଗୀତ ସହ
ଯାହାଙ୍କ ଶବ୍ଦ ଓ ଲୟରେ ନଥିଲା କେବେହେଁ
କୌଣସି ଚିନ୍ତା ତା' ବିଷୟରେ

ଦିନ ଓ ଦିନ ମଧ୍ୟେ
ଆକ୍ତା-ମାକ୍ତା କୁହୁଡିର ଆଚ୍ଛାଦନ ତଳେ
କଚି ଧମନିରେ ଛୁଞ୍ଚିର ଆଞ୍ଚ
ଥିବା-ଓ-ନଥିବା ମଧ୍ୟରେ ଝୁଲି ଝୁଲି
ମୋ ଲାଗି ସେ ଛାଡି ଗଲେ ତାଙ୍କର କବିତା

ଏବଂ ତାଙ୍କ ଉଚାରିତ ପଙ୍କ୍ତି ସବୁ ଅନୁବାଦ
କରୁଥିବାବେଳେ
ମନେ ହୁଏନି ତାଙ୍କ ଥିବା ମୋ ଭାବନାରେ
ଯଦିବା ମୁଁ ଥିଲି ନିଶ୍ଚୟ ତାଙ୍କର ଚିନ୍ତାରେ
ଏବଂ ଥିଲେ ସେହି ସନ୍ଥ-କବି ମାନେ
ଯେଉଁମାନେ ମାଧ୍ୟମ କରି ମତେ
ତାଙ୍କ ପାଖେ ପହଞ୍ଚିଲେ
କିନ୍ତୁ କହି ପାରିଲେନି କିଛି
କିଛି ମଧ୍ୟ କହି ନପାରିଲେ।(*)

(*) ତାମିଲ କବି ଆତ୍ମାନାମଙ୍କ କବିତା ମୁଁ ଅନୁବାଦ କରୁଥିଲି ଗତ ସପ୍ତାହରେ। ସେ 1983 ରେ ଆତ୍ମହତ୍ୟା ଲାଗି ଚେଷ୍ଟା କରିଥିଲେ। ତାମିଲ ଭାଷାରେ ସେ ଜଣେ ଶ୍ରେଷ୍ଠ କବି ବୋଲି ମୁଁ ବିବେଚନା କରେ। ତାଙ୍କୁ ଅନୁବାଦ କରୁଥିବା ବେଳେ ପୁସ୍ତକ ଶେଷରେ ତାଙ୍କ ଜୀବନ ବିଷୟରେ ଦିଆ ଯାଇଥିବା ଟିପ୍ପଣୀ ପଢ଼ି ମୁଁ ହତଚକିତ ଓ ବିବ୍ରତ ହୋଇପଡ଼ିଲି : ସେ ଆତ୍ମହତ୍ୟା ଲାଗି ପ୍ରଚେଷ୍ଟା ବେଳେ ମୋର 'Speaking of Shiva' ଦିନରାତି ପଢୁଥିଲେ। ଅର୍ଥାତ ତାଙ୍କ ସହ ମୋର ଏଭଳି ଏକ ସମ୍ପର୍କ ଯାହା ମୋ ବୁଝିବା ବାହାରେ..... -ଏ କେ ରାମାନୁଜନ


ଆତ୍ମାନାମଙ୍କ କବିତା -

ସେଇ ତେନ୍ତୁଳି ଗଛଟି *

ବିଗତ କାଲି ଠୁଁ
ସେମାନଙ୍କ ଚେଷ୍ଟା
ଭୂଇଁରେ ଲୋଟେଇ ଦେବେ ସେ ତେନ୍ତୁଳି ଗଛ

ପ୍ରଥମେ ଆରଂଭ କରି ସର୍ବା ଉପର
ଡାଳ ମାନଙ୍କରୁ
ଟିକି ଟିକି ପତ୍ର ଓ ଫୁଲ ଅଳ୍ପ ଅଳ୍ପ କରି
ତାପରେ ଭୀଷଣ ସ୍ରାବ
ଏବଂ ଡାଳମାନେ ଆବୋରିଲେ
ଅପ୍ରସ୍ତୁତ୍ ନିର୍ଲଜ ଭୂଇଁ

ରୂପରୁ କୁରୂପ ପାଲଟିବା ବେଳେ
ସେଇ ଗଛ
ଶୋଷିନିଏ ତା ପ୍ରିୟତ୍ତମ ଆକାଶକୁ ଥରେ

ତାପରେ ଆଣିଲେ ସେମାନେ
ଏକ ରାକ୍ଷସ କରତ
କରତିଲେ ତା' ନାଭିଦେଶ
ଏବଂ ଅବିଳମ୍ବେ ଗଡ଼ ଗଡ଼
ଯାହା ଥିଲା ଏଥି ପୂର୍ବେ
ଆକାଶକୁ ପ୍ରେମ ପ୍ରଲମ୍ବନ ଗଣ୍ଡି ବୃତ୍ତାକାର

ଏବେ ଭୂଇଁରେ ଗଡ଼ିଲେ
ଗଡ଼ ଗଡ଼ ସମାନ ମାପର

ଅପେକ୍ଷା ସରିଲା
ସଶକ୍ତ ଶଗଡ଼ ଗାଡ଼ି ମାନଙ୍କରେ
ଏବେ ବୁହାହେଲେ

ଏଥି ମଧ୍ୟେ ପତିତ ଅବସ୍ଥା
ପତ୍ର ଫୁଲ ଗଦା ଗଦା ଅନାବନା ଓ ଅଳିଆ
ସେ ମଧ୍ୟରୁ
ଟିକି କୟାଁ ଚାରାଟିଏ
ନିଜକୁ ପ୍ରଥମକରି ଆକାଶର ଆଲୁଅରେ
ଆବିଷ୍କାର କରୁଥାଏ।

*ତାମିଲ ସଂସ୍କୃତିରେ ତେନ୍ତୁଳି ଗଛର ଏକ ସ୍ୱତନ୍ତ୍ର ପ୍ରାଧାନ୍ୟତା। ତାମିଲ ଭାଷା ଓ ସାହିତ୍ୟର ଅତି ପ୍ରିୟ ବାର ଜଣ 'ଅଲ୍ୱାର'(ଅଲ୍ୱାର ଅର୍ଥାତ ସେ ଯିଏ ଭଗବତ ପ୍ରେମ ସମୁଦ୍ରରେ ଡୁବି ସାରିଛି)ବା ସନ୍ଥ-କବିଙ୍କ ମଧ୍ୟରେ ନାମ୍ମାଅଲ୍ୱାର(ଆମର ଅଲ୍ୱାର)ଭାବେ ପ୍ରସିଦ୍ଧ ମରନ୍ନ ଛୋଟ ପିଲା ବେଳୁ ବାପାମାଆ ଙ୍କ ଘର ଛାଡି ଗାଁ ମୁଣ୍ଡ ଶ୍ରୀକୃଷ୍ଣ ମନ୍ଦିର ଓ ମନ୍ଦିର ପାଖ ତେନ୍ତୁଳି ଗଛ ତଳେ ସମୟ ଅତିବାହିତ କରିଥିଲେ। ସେହି ଗଛ ମୂଳେ ହିଁ ସେ ଈଶ୍ୱର ସାନିଧ୍ୟ ଲାଭକରି ତାଙ୍କ ଅପୂର୍ଵ ରଚନା ସବୁ ଗାନ କରିଥିଲେ। ତାଙ୍କ ପ୍ରଧାନ ଶିଷ୍ୟ ଅଲ୍ୱାର ମଦୁର-କବି ମଧ୍ୟ୍ୟ ସମଗ୍ର ଭାରତ ଖୋଜି ସରି ନିଜ ଗୁରୁଙ୍କୁ ସେହି ତେନ୍ତୁଳି ଗଛ ତଳେ ପାଇ ସାରା ଜୀବନ ସେଠାରେ ହିଁ ଅତିବାହିତ କରିଥିଲେ।

One Comment on “ଏ କେ ରାମାନୁଜନଙ୍କ ତିନିଟି କବିତା”

  1. ରାମାନୁଜନଙ୍କ କବିତାଗୁଡ଼ିକ ମନକୁ ଛୁଇଁଲା। ଧନ୍ୟବାଦ।

Leave a Reply

Your email address will not be published. Required fields are marked *