ପ୍ରାଚୀନବୋଧର ବିରୁଦ୍ଧରେ

ଭାରତର ଉପନିବେଶ କାଳର ଚିତ୍ରକଳା ଯାହାକୁ “କମ୍ପାନୀ ସ୍କୁଲ” ବୋଲି କୁହାଯାଏ ତାହାର ଗୋଟିଏ ଚିତ୍ର ଏଇଠି ସଂଲଗ୍ନ କରାଯାଇଛି।

ଏହି ଚିତ୍ରର ସମୟ କାଳ ହେଉଛି ୧୮୦୯ ଖ୍ରୀଅ ଏବଂ ଏହାର ଚିତ୍ରକର ହେଉଛନ୍ତି ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ର ଜଣେ କର୍ମଚାରୀ।ତାଙ୍କର ନାଆଁ ହେଉଛି ଜନ୍ ଚାପମାନ୍।

ଚିତ୍ରର ବିଷୟବସ୍ତୁ ହିସାବରେ ତଳେ ଇଂରେଜୀରେ ଲେଖାଯାଇଛି, “Ceremonial washing of Goddess Kali and the idol Jagan-Nath” ଅର୍ଥାତ୍ “ଦେବୀ କାଳୀ ଏବଂ ପ୍ରତିମା ଜଗନ-ନାଥ” ଙ୍କ ପବିତ୍ର ଧୌତ କର୍ମ”।

ଏଇ ଚିତ୍ରରେ ମାଆ କାଳୀଙ୍କର ଏକ ବିରାଟ ମୂର୍ତ୍ତି ସହ ଆଉ ଗୋଟିଏ ଛୋଟ ମୂର୍ତ୍ତୀ ଯାହାକୁ ଆସନ ଦେଇ ଉଚ୍ଚା କରି ରଖାଯାଇଛି ସେଇଟି ଜଗନ୍ନାଥଙ୍କର ବୋଲି କୁହାଯାଇଥିଲେ ବି ମୂର୍ତ୍ତି ର ଆଖି,ଗଠନ ଆଉ ରଂଗ ଦୃଷ୍ଟିରୁ ତାହା ମାଆ ସୁଭ୍ରଦାଙ୍କ ମୂର୍ତ୍ତି ପରି ଦିଶୁଛି।ଉଭୟ ମୂର୍ତ୍ତୀ ଆଉ ଗୋଟିଏ ବିମାନ ସହ ଘଣ୍ଟ ଚାମର ସହ କିଛି ଲୋକ ଗୋଟିଏ ଡଙ୍ଗାରେ ଯାଉଛନ୍ତି “ପବିତ୍ର ଧୌତ କର୍ମ “ଉଦ୍ଦେଶ୍ୟରେ। ସେମାନଙ୍କର ଏଇ ଯାତ୍ରାଟି ପୁଣି କୌଣସି ନଈ କି ପୋଖରୀ ସେଇଠି ନୁହଁ।ଛବିରେ ଥିବା ଯାତ୍ରାପଥ ହେଉଛି ସମୁଦ୍ର।

ଆମେ ଜାଣିଛୁ ଯେ ମାଆ କାଳୀଙ୍କର “ପବିତ୍ର ଧୌତକର୍ମ” ବୋଲି ଏହିଭଳି କିଛି ଆୟୋଜନ ମୂଳକ ଅନୁଷ୍ଠାନ ନଥାଏ।ଧୌତ କର୍ମ ବୋଲି ଅନୁଷ୍ଠାନ ମାଆ କାଳୀଙ୍କର କ୍ଷେତ୍ରରେ କହିଲେ ତାହା କେବଳ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ର ଆରାଧନା ପରେ ଆଡମ୍ବର ପୂର୍ବକ ବିସର୍ଜନ କୁ ଆମେ ବୁଝି ଥାଉ।ଅନ୍ୟ ପକ୍ଷରେ ଶ୍ରୀଜଗନ୍ନାଥଙ୍କର ସେହିଭଳି କୌଣସି ବିସର୍ଜନ ନଥାଏ ମାତ୍ର ସ୍ନାନ ଯାତ୍ରା ଭଳି ପବିତ୍ର ଧୌତକର୍ମ ରହିଅଛି।ତାହାହେଲେ କ’ଣ ଆମକୁ ଧରି ନେବାକୁ ହେବ ଯେ କଂପାନୀର ଏଇ କର୍ମଚାରୀ ଜଣକ ମାଆ କାଳୀ ଆଉ ଶ୍ରୀ ଜଗନ୍ନାଥଙ୍କ ର ବିସର୍ଜନ ଆଉ ସ୍ନାନଯାତ୍ରାକୁ ଏକାଠି ମିଶାଇ ଦେଇ ଏମିତି ଏକ ଛବି କଳ୍ପନାରେ ଆଙ୍କିଛି ?

କିନ୍ତୁ ଏଇ ଛବିରୁ ଉପସ୍ଥିତ ଲେଖକ ଗୋଟିଏ ଇଂଗିତ ସଂପର୍କରେ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବ।

ମାଆ କାଳୀଙ୍କ ସହ ଠାଆକୁ ଠାଆ ଯୋଡି ସମାନ ଉଚ୍ଚା କରି କେବଳ ଶ୍ରୀଜଗନ୍ନ୍ନାଥ (ଶ୍ରୀଜୀଉଙ୍କ ଭଳି ଅବିକଳ ଦେଖାନଗଲେ ବି)ଏକାଠି ଏମିତି ସମୁଦ୍ର ଯାତ୍ରାରେ ନେବାର ଉଦ୍ଦେଶ୍ୟ କ’ଣ ?ଉପସ୍ଥିତ ଲେଖକ ଆଗରୁ ଏଇ ପ୍ରଶ୍ନଟି ଉଠାଇଥିଲା।ଉପସ୍ଥିତ ଲେଖକ ପାଖରେ ୧୯୩୮ ମସିହା ର ଗୋଟିଏ ପ୍ରିଣ୍ଟ ଛବିର ପ୍ରତିଛବି ରହିଛି ଯେଉଁଠି କଲିକତାର କାଳୀ ମନ୍ଦିର ର ପ୍ରବେଶ ଦ୍ୱାରରେ ଆମର ତ୍ରୀମୂର୍ତ୍ତି ଅର୍ଥାତ୍ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ରହିଛନ୍ତି।ଏବେ ଆଉ କିନ୍ତୁ ସେଇ ମୂର୍ତ୍ତିମାନେ ସେଇଠି ନାହାଁନ୍ତି।ଉପସ୍ଥିତ ଲେଖକ ର ଜିଜ୍ଞାଷା ରହିଛି ଯେ କଲିକତାର ସେହି କାଳିମନ୍ଦିରଟି ଜମିଦାର ସାବର୍ଣ୍ଣ ରାୟ ଚୌଧୁରୀଙ୍କ ପରିବାର ଦ୍ୱାରା ୧୮୮୭ ଖ୍ରୀଅ ରେ ସ୍ଥାପିତ ହୋଇଥିଲା ଆଉ ଆମର ତ୍ରିମୂର୍ତ୍ତୀ କ’ଣ ସେତିକି ବେଳୁ ସେଇଠେ ଥିଲେ ? ଆଉ ସେହି ପ୍ରଶ୍ନ ସହିତ ଜନ୍ ଚାପମାନ୍ ଙ୍କର ଏଇ ଚିତ୍ର ଟି ଯୋଡି ହୋଇଗଲା,ମାଆ କାଳୀଙ୍କ ସହ ଶ୍ରୀ ଜଗନ୍ନାଥ କାହିଁକି ?

ଏଇଠୁ ଗୋଟିଏ କଥା ମନକୁ ଆସୁଛି ଯେ କଲିକତାର କାଳୀଙ୍କ ସହିତ ଆମର ଶ୍ରୀଜଗନ୍ନାଥଙ୍କର ଏକ ସଂପର୍କ କେଉଁଠି ନା କେଉଁଠି ରହିଛି ।ଏହାର ସଠିକ ସ୍ୱରୂପ ଉପସ୍ଥିତ ଲେଖକ କୁ ଜଣାନାହିଁ।

କଲିକତାରେ ଯେମିତି ମାଆ କାଳୀ ,ଆମର ଏଠାରେ ସେମିତି ଶ୍ରୀଜଗନ୍ନାଥ।କ୍ଷେତ୍ର ଚିହ୍ନିତ ଦେବ ଦେବୀ ସେମାନେ।

ଏଇଠି ତେଣୁ କେବଳ କିଛି ଅନୁମାନ।

ଇତିହାସ ଚର୍ଚ୍ଚାରେ ଅନୁମାନ ଗୋଟିଏ ବଡ କଥା।ଅନୁମାନ କୁ ଭିନ୍ନ ଭିନ୍ନ ତଥ୍ୟ ଅନୁସାରେ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରାଯାଇ ନିଷ୍କର୍ଷ ନିର୍ଣ୍ଣୟ କରାଯାଇ ପାରେ ତାହା ସତ ନା ସତ ନୁହଁ।

ସେମିତି ଗୋଟିଏ ଅନୁମାନ ରଖୁଛି।

ଶ୍ରୀଜଗନ୍ନାଥ ଆଦ୍ୟକାଳରେ ଏଠାରେ ଏଇ କ୍ଷେତ୍ର ବିଶେଷର ଜଣେ ଅନାର୍ଯ୍ୟ ଦେବତା ଥିଲେ ଯାହାକୁ ଆର୍ଯ୍ୟମାନେ ଅଧିକାର କରିବାପରେ ନିଜର ଦେବତା ବୋଲି ପ୍ରମାଣିତ କରିବା ପାଇଁ ଘଡିକୁ ଘଡି ତାଙ୍କୁ ବେଶଭୂଷାରେ ସଜାଇ ନିଜର ଦେବତା ବୋଲି ଉପସ୍ଥାପନ କରିଛନ୍ତି। ଠିକ୍ ସେଇ ଭଳି କଲିକତା ର କାଳୀ ଆଦ୍ୟ ନାରୀରୂପା,ପ୍ରିମିଟିଭିଟି ର ପ୍ରତୀକ।

ହୁଏତ ସେହି ପ୍ରିମିଟିଭିଟି ଅର୍ଥାତ୍ ପ୍ରାଚୀନ ବୋଧ ର କାରଣରୁ ଉଭୟଙ୍କୁ ଏକାଠି କରାଯାଇଛି।ଇଂରେଜ ମାନେ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିଲେ ଆଉ ସେମାନଙ୍କର ଶାସନର ପ୍ରମୁଖ କେନ୍ଦ୍ରଟି କଲିକତା ରେ ଥିଲା। ତେଣୁ ଜଗନ୍ନାଥ ଧାରଣାକୁ କଲିକତାକୁ ନେବା ପଛରେ ତାଙ୍କର ଭୂମିକା ନିଶ୍ଚୟ ରହିଥିବ।ଆଉ ଯାହାହେଉନା କାହିଁକି ଇଂରେଜମାନେ ଭାରତର ପ୍ରାଚୀନବୋଧ ବା ପ୍ରିମିଟିଭିଟିକୁ ବିଚାର ଦୃଷ୍ଟିରୁ ସବୁବେଳେ ଆକ୍ରମଣ କରୁଥିଲେ।କାରଣ ସେମାନେ ଭାରତ ଶାସନର ଏକମାତ୍ର ଯୁକ୍ତି ଉପସ୍ଥାପନ କରୁଥିଲେ ଯେ, ଭାରତ ଏକ ବର୍ବର ମାନଙ୍କ ଦେଶ ଆଉ ସେମାନେ ଏହାକୁ ସଭ୍ୟକରଣ କରିବାର ମହତ୍ ଉଦ୍ଦେଶ୍ୟରେ ଆସିଛନ୍ତି।

ମାଆ କାଳୀ ଆଉ ଶ୍ରୀଜଗନ୍ନାଥଙ୍କ ପ୍ରତି ଇଂରେଜ ମାନେ ଉଦାର ନଥିଲେ।ଜଗର୍ଣ୍ଣଟ୍ ଭଳି ଏକ ଭୟାବହ ଶବ୍ଦ ସେମାନଙ୍କର ପ୍ରସ୍ତୁତି।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *