କିଛି ବର୍ଷ ତଳେ ପୋଲକା ଡଟ୍ କୁ ନେଇ ଗୋଟେ ଲେଖା ଲେଖିଲା ବେଳେ କୁସୁମାଙ୍କ ବିଷୟରେ ଅଳ୍ପ କିଛି ଲେଖିଥିଲି । ଇଚ୍ଛା ଥିଲା ଗୋଟେ ପୂର୍ଣ୍ଣାଙ୍ଗ ଲେଖା ଲେଖିବି, ହେଲେ ଲେଖାହେଇ ପାରିଲାନି । ଗଲା ଅଗଷ୍ଟ ୧୪ରେ ଟୋକିଓରେ ୯୭ ବର୍ଷ ବୟସରେ କୁସାମାଙ୍କ ମୃତ୍ୟୁ ହେଇ ଯାଇଛି । ଜଣେ ଜାପାନୀ ଚିତ୍ରଶିଳ୍ପୀ ଭାବରେ ତାଙ୍କର ସାରା ବିଶ୍ୱର କଳା ରାଜ୍ୟରେ ବେଶ୍ ଭଲ ପ୍ରସିଦ୍ଧି ଥିଲା । ମୋତେ କୁସୁମାନଙ୍କ କାମ ଯେତିକି ଭଲଲାଗେ ତା’ ଠାରୁ ବେଶି ଭଲ ଲାଗେ ତାଙ୍କ ଜୀବନ ଓ କଳା ଦର୍ଶନ ।
ୟାୟୋଇ କୁସାମାଙ୍କ କଳାକୁ ପ୍ରଥମ ଥର ଦେଖିଲେ ଆଖିରେ ପଡେ଼ ବିନ୍ଦୁ, ଅସଂଖ୍ୟ ବିନ୍ଦୁ । ହଳଦିଆ କଖାରୁ ଉପରେ କଳା ବିନ୍ଦୁ, ଦର୍ପଣରେ ଅସରନ୍ତି ଆଲୋକ, ଘର ଭିତରେ ଅନନ୍ତ ପ୍ରତିଛବି, କ୍ୟାନଭାସ୍ ଉପରେ ଏକାଧାରରେ ଚାଲିଥିବା ଅସଂଖ୍ୟ ରେଖା । ଦେଖିବାକୁ ସବୁକିଛି ଖୁବ୍ ସୁନ୍ଦର, ମଜାଳିଆ ଓ ରଙ୍ଗିନ । କିନ୍ତୁ ସେହି ସୌନ୍ଦର୍ଯ୍ୟର ଘନଘଟା ତଳେ ରହିଛି ଭୟ, ଏକାକୀପଣ, ଅସ୍ତିତ୍ୱର ପ୍ରଶ୍ନ ଏବଂ ମୃତ୍ୟୁକୁ ନେଇ ଗଭୀର ଚିନ୍ତା ଓ ଭାବନା । କୁସାମାଙ୍କ କଳାକୁ କେବଳ ସାଧାରଣ ‘ପୋଲ୍କା ଡଟ୍ ର କଳା’ କହିଦେବା ତାଙ୍କ କଳା ପ୍ରତି ଅବିଚାର ହେବ । ତାଙ୍କ ବିନ୍ଦୁଗୁଡ଼ିକୁ ମନଦେଇ ଦେଖିଲେ ଓ ବୁଝିବାକୁ ଚେଷ୍ଟା କଲେ ଦେଖିପାରିବା ତା’ ଭିତରେ କେମିତି ଲୁଚିରହିଛି ଗୋଟେ ଲମ୍ବା ଜୀବନର କାହାଣୀ । ଆତ୍ମଜୀବନୀମୂଳକ କାହାଣୀ ।

୧୯୨୯ ମସିହାରେ ଜାପାନର ମାତ୍ସୁମୋତୋରେ କୁସାମାଙ୍କ ଜନ୍ମ । ଛୋଟବେଳୁ ସେ ଏମିତି କିଛି ଦୃଶ୍ୟ ଦେଖୁଥିଲେ, ଯାହା ଅନ୍ୟମାନେ ଦେଖୁନଥିଲେ । ସତରେ ସେ କିଛି ଦେଖୁଥିଲେ ନା ତାଙ୍କୁ ସେମିତି ଲାଗୁଥିଲା ସେକଥା ସେ ଜାଣନ୍ତି । କେବେ ଆଲୋକର ଝଲକ, କେବେ ଅସଂଖ୍ୟ ବିନ୍ଦୁ, କେବେ ଅଜଣା ଆକୃତିମାନ । ତାଙ୍କୁ ମନେ ହେଉଥିଲା ଚାରିପାଖର ସମଗ୍ର ଦୃଶ୍ୟମାନ ଜଗତଟି ଅଜଣା ନକ୍ସାରେ ଢାଙ୍କିଯାଉଛି। ଏହି ଅନୁଭବ ତାଙ୍କୁ ଭୟଭୀତ କରୁଥିଲା । କିନ୍ତୁ ସେହି ଭୟରୁ ହିଁ ଜନ୍ମ ନେଲା ତାଙ୍କ କଳା । ଯାହାକୁ ଅନ୍ୟ ଜଣେ ମଣିଷ ଅସ୍ୱାଭାବିକ ଅନୁଭବ ବୋଲି ଏଡ଼ାଇଯାଇପାରନ୍ତା କିମ୍ବା ପାଗଳା ହେଇଯାଇଥା’ନ୍ତା, କୁସାମା କିନ୍ତୁ ତାହାକୁ ଚିତ୍ରରେ ଧରି ରଖିଲେ । ଠିକ୍ ଏଇଠୁ ତାଙ୍କ କଳାର ମୂଳ ପ୍ରଶ୍ନଟି ଜନ୍ମ ନେଇଥିଲା; ମଣିଷ ଯେଉଁ ଜଗତକୁ ଦେଖେ, ସେହି ଜଗତଟି କ’ଣ ସତରେ ସେହିପରି ? ନା’ ଆମ ମନ ତାହାକୁ ନିଜ ଭାବରେ ଗଢ଼ିଥାଏ? କୋଉଟା ସତ ଓ କୋଉଟା ମିଛ?
୧୯୫୭ରେ କୁସାମା ଜାପାନ ଛାଡ଼ି ଆମେରିକା ଗଲେ । ନ୍ୟୁୟର୍କ ସେତେବେଳେ ନୂଆ କଳାର ଏକ ବଡ଼ କେନ୍ଦ୍ର । ସେଠାରେ ପହଞ୍ଚି କୁସାମା ନିଜ ପାଇଁ ଏକ ଅଲଗା ଚିତ୍ରଭାଷା ତିଆରି କରିବା ଆରମ୍ଭ କଲେ ।

ସେହି ଭାଷାର ପ୍ର୍ରଥମ ବଡ଼ ରୂପ ଥିଲା ‘Infinity Nets’ । ବିଶାଳ କ୍ୟାନଭାସ୍ ଉପରେ ହଜାର ହଜାର ଛୋଟ ଛୋଟ ତୂଳୀର ଆଘାତ । ଏକ ଚିହ୍ନ ପରେ ଆଉ ଏକ ଚିହ୍ନ, ତା’ପରେ ଆଉ ଏକ । ଏମିତି କରି କରି ସମଗ୍ର କ୍ୟାନଭାସ୍ କୁ ଏକ ଅସୀମ ଜାଲରେ ପରିଣତ ହୁଏ । ପ୍ରତ୍ୟେକ ତୂଳୀ ଚିହ୍ନ ସମାନ । କୌଣସି ଗୋଟିଏ ଚିହ୍ନ ଅନ୍ୟ ଠାରୁ ବଡ଼ ନୁହେଁ କି ସାନ ନୁହେଁ । ଅନେକଙ୍କ ସମ୍ମେଳନ ପରେ ଧୀରେ ଧୀରେ ବ୍ୟକ୍ତିଗତ ଚିହ୍ନଟି ହଜିଯାଏ ଏବଂ ତାହା ଏକ ବଡ଼, ଅସୀମ ସଂରଚନାର ଅଂଶ ହୋଇଯାଏ । କୁସାମା ଏହାକୁ କହିଥିଲେ ‘Self-obliteration’ ନିଜକୁ ବିଲୀନ କରିଦେବା । ନିଜକୁ ହରାଇବା ନୁହେଁ, ବରଂ ନିଜ ଠାରୁ ବଡ଼ ବିଶାଳ ଅସ୍ତିତ୍ୱରେ ମିଶିଯିବା ।
କୁସାମାଙ୍କ କଳାକୃତିମାନଙ୍କରେ ବିନ୍ଦୁକୁ ଦେଖିଲେ ଲାଗେ ଇଏ ତ ଗୋଟର ସରଳ ଡିଜାଇନ୍ ମାତ୍ର । କିନ୍ତୁ ତାଙ୍କ ପାଇଁ ଏହା କେବେ ବି କେବଳ ଡିଜାଇନ୍ ନଥିଲା । ବିନ୍ଦୁ ହେଉଛି ଏକ ଛୋଟ ଅସ୍ତିତ୍ୱ । ହଜାର ହଜାର ବିନ୍ଦୁ ମିଶିଲେ ଏକ ବିଶାଳ ଜଗତ । ଆଉ ଯଦି ସେହି ବିନ୍ଦୁଗୁଡ଼ିକ ଅସୀମ ଭାବେ ବଢ଼ିଚାଲେ, ତେବେ ଜଣେ ବ୍ୟକ୍ତିର ଅସ୍ତିତ୍ୱ କେତେ ବଡ଼ ହେବ? ହୁଏତ ଏହି ପ୍ରଶ୍ନଟି ପାଖରେ ହିଁ କୁସାମାଙ୍କ କଳା ଚିନ୍ତନର କେନ୍ଦ୍ର ଥିଲା । କହୁଥିଲେ ସେ ନିଜେ ମଧ୍ୟ ଗୋଟିଏ ବିନ୍ଦୁ । ନିଜକୁ ଏକ ସାମନ୍ୟ ବିନ୍ଦୁ ବୋଲି ଭାବୁଥିଲେ ସେ । ଅସୀମ ବ୍ରହ୍ମାଣ୍ଡର ଅନେକ ବିନ୍ଦୁ ମଧ୍ୟରୁ ଗୋଟିଏ । ବିନ୍ଦୁରେ ସିନ୍ଧୁ ଦର୍ଶନ କରିବା ପରି କଥା। ନୁହେଁ କି?
କୁସାମା କେବଳ ଚିତ୍ର ଆଙ୍କିନଥିଲେ । ସେ ଭାସ୍କର୍ଯ୍ୟ କରିଥିଲେ, ଇନଷ୍ଟଲେସନ୍ କରିଥିଲେ, ପରଫରମାନ୍ସ କରିଥିଲେ, ଫିଲ୍ମ କରିଥିଲେ, କବିତା ଲେଖିଥିଲେ, ଫ୍ୟାସନ୍ ରେ କାମ କରିଥିଲେ । ୧୯୬୬ରେ ଭେନିସ୍ ବିଏନାଲେରେ ତାଙ୍କ ‘Narcissus Garden’ ବେଶ୍ ଚର୍ଚ୍ଚିତ ହେଇଥିଲା । ଶହ ଶହ ଦର୍ପଣ ପରି ଚମକୁଥିବା ଗୋଲାକୁ ସେ ଏକାଠି କରି ରଖିଥିଲେ । ସେସବୁ ଏମିତି ସଜେଇ ରଖାଇଯାଇଥିଲେ ଯେ ପ୍ରତ୍ୟେକ ଗୋଲାରେ ଦର୍ଶକ ନିଜର ପ୍ରତିଛବି ଦେଖିପାରୁଥିଲେ । ଏଠାରେ ଦର୍ଶକ କେବଳ ଦର୍ଶକ ହେଇ ରହୁନଥିଲେ । ସେ ନିଜେ କଳାକୃତିର ଏକ ଅଂଶ ହୋଇଯାଉଥିଲେ । ଏବଂ ନିଜର ପ୍ରତିଛବିକୁ ଦେଖୁଥିବା ସମୟରେ ହୁଏତ ନିଜର ଅହଂକାର, ନିଜର ଅସ୍ତିତ୍ୱ ଓ ନିଜର ଉପସ୍ଥିତି ବିଷୟରେ ମଧ୍ୟ ଭାବିବାକୁ ବାଧ୍ୟ ହେଉଥିଲେ । ନିଜ ବିଷୟରେ ସଚେତନ ହେଉଥିଲେ ।

ନ୍ୟୁୟର୍କର ବର୍ଷଗୁଡ଼ିକ କୁସାମାଙ୍କ ପାଇଁ ସହଜ ନଥିଲା । ଭୀଷଣ ମାନସିକ ସଂଘର୍ଷ ଓ ତୀବ୍ର ସଂଘାତ ଭିତରେ ସମୟ କଟୁଥିଲା । ୧୯୭୩ରେ ସେ ଜାପାନ ଫେରିଆସିଲେ । ପରେ ଟୋକିଓର ଏକ ମାନସିକ ଚିକିତ୍ସାକେନ୍ଦ୍ରରେ ରହିବା ଆରମ୍ଭ କଲେ । ସେଠାରେ ରହିବା ତାଙ୍କ କଳାଜୀବନର ଶେଷ ନଥିଲା । ବରଂ ଚିତ୍ର ଆଙ୍କିବା ତାଙ୍କ ଜୀବନର ଏକ ଆଶ୍ରୟ ହୋଇଗଲା । ହସ୍ପିଟାଲରୁ ନିକଟରେ ଥିବା ଷ୍ଟୁଡିଓକୁ ସେ ନିୟମିତ ଯାଉଥିଲେ । ଚିତ୍ର ଆଙ୍କୁଥିଲେ । ପୁଣି ଫେରିଆସୁଥିଲେ । ଏକ ଅତ୍ୟନ୍ତ ସରଳ ନିୟମିତତାକୁ ମାନି ଜୀବନ କାଟୁଥିଲେ । କିନ୍ତୁ ସେହି ନିୟମିତତା ହିଁ ତାଙ୍କ ଜୀବନକୁ ଧରିରଖିଥିଲା । ଯେଉଁ ଅନୁଭବ ତାଙ୍କୁ ଭୟଭୀତ କରୁଥିଲା, ସେଗୁଡ଼ିକୁ ସେ କଳାରେ ପରିଣତ କରିଦେଲେ । ଭୟ ହେଲା ବିନ୍ଦୁ । ଏକାକୀପଣ ହେଲା ଅସୀମ ଘର । ନିଜକୁ ହରାଇବାର ଭୟ ହେଲା ‘Self-obliteration’।
କୁସାମାଙ୍କ ‘Infinity Mirror Rooms’ ତାଙ୍କ କଳାକୁ ବିଶ୍ୱର କୋଣେ କୋଣେ ପହଞ୍ଚାଇଲା । ଏକ ଛୋଟ ଘର । ଚାରିପାଖରେ ଦର୍ପଣ । ଚାରିପାଖରେ ଆଲୋକ । ଚାରିପାଖରେ କେତେକ ଛୋଟ ଛୋଟ ବସ୍ତୁ । ଦର୍ପଣର ଧର୍ମ ହେଲା ପ୍ରତିବିମ୍ବ ତିଆରି କରିବ । ଅନେକ ଦର୍ପଣଙ୍କ ସମାହାର ପରିବେଶର ସବୁକିଛିକୁ ପୁନରାବୃତ୍ତି କରିଚାଲେ । ଗୋଟିଏ ଆଲୋକ ଶହେ ଆଲୋକ ହୋଇଯାଏ । ଗୋଟିଏ ମଣିଷ ଅସଂଖ୍ୟ ମଣିଷରେ ପରିଣତ ହୋଇଯାଏ । ଗୋଟିଏ ଛୋଟ ଘର ଭିତରର ଅଳପ ସ୍ଥାନ, କିଛି ଦର୍ପଣଙ୍କ ସାହାଯ୍ୟରେ ଏକ ଅସୀମ ଜଗତରେ ପରିଣତ ହୋଇଯାଏ । ଏଠାରେ ଦର୍ଶକ ନିଜକୁ ସବୁଠାରେ ଦେଖେ, କିନ୍ତୁ ନିଜକୁ ଧରିପାରେ ନାହିଁ । ଧାରଣାଟି ଖୁବ ଅଭିନବ, ଖୁବ ସୁନ୍ଦର । କିନ୍ତୁ ଏହାର ଭିତରେ ଏକ ଅଜଣା ଅସ୍ୱସ୍ତି ମଧ୍ୟ ରହିଛି । ହୁଏତ ଏହି ଦୁଇଟି ଅନୁଭୂତି ଯଥା ବିସ୍ମୟ ଓ ଭୟ ହିଁ କୁସାମାଙ୍କ କଳାକୁ ଏତେ ଶକ୍ତିଶାଳୀ କରି ତୋଳିଛି ।

କୁସୁମା ବହୁତଗୁଡେ କଖାରୁ ଗଢିଛନ୍ତି । ବିନ୍ଦୁରେ ସଜେଇ ହେଇଥିବା କଖାରୁ । କୁସାମାଙ୍କ କଖାରୁଗୁଡ଼ିକ ଦେଖିଲେ ମନରେ ଏକ ଅଲଗା ଅନୁଭବ ହୁଏ । ହଳଦିଆ ରଙ୍ଗର କଖାରୁ ଓ ତା’ଉପରେ କଳା କଳା ବିନ୍ଦୁ । ସରଳ ଓ ମଜାଳିଆ । ପିଲାଦିନର କୌଣସି ଚିତ୍ର ପରି । କିନ୍ତୁ ସେହି କଖାରୁ ମଧ୍ୟ ତାଙ୍କ ଅସୀମତାର ଚିନ୍ତାର ଏକ ଅଂଶ ପାଲଟେ । ପ୍ରକୃତିର ଏକ ସାଧାରଣ ଫଳ ତାଙ୍କ ହାତରେ ଏକ ପ୍ରତୀକରେ ପରିଣତ ହେଇଯାଏ । କଖାରୁଟି ତାର ନିଜର ଆକାର ଓ ଅସ୍ଥିତ୍ୱ ହରାଏ ନାହିଁ, କିନ୍ତୁ ଅସଂଖ୍ୟ ବିନ୍ଦୁ ତାକୁ କୁସାମାଙ୍କ ନିଜସ୍ୱ ଜଗତ ଭିତରକୁ ନେଇଯାଏ । ଅର୍ଥ ବଦଳି ଯାଏ ।
ଶିଳ୍ପୀର ଜୀବନରେ ଅନେକ ବିଡ଼ମ୍ବନା ଆସେ । କୁସୁମାଙ୍କ ଜୀବନରେ ବି ଆସିଥିଲା । କୁସାମାଙ୍କ ଜୀବନର ସବୁଠାରୁ ମଜାଦାର ବିଡ଼ମ୍ବନା ହେଉଛି, ଯେଉଁ ଶିଳ୍ପୀ ଉପଭୋକ୍ତାବାଦ ଓ କଳାର ବଜାରୀକରଣକୁ ପ୍ରଶ୍ନ କରିଥିଲେ, ସେହି ଶିଳ୍ପୀ ନିଜେ ପରେ ବିଶ୍ୱର ସବୁଠାରୁ ପରିଚିତ କଳା ପରିମଣ୍ଡଳ ମଧ୍ୟରେ ସାମିଲ ହୋଇଗଲେ । ତାଙ୍କ ବିନ୍ଦୁ ଫ୍ୟାସନ୍ ଭିତରକୁ ଆସିଲା । ଲୁଇ ଭିଟନ୍ ସହ ତାଙ୍କ ସହଯୋଗ ତାଙ୍କୁ କଳାଜଗତର ବାହାରେ ମଧ୍ୟ ଅତ୍ୟନ୍ତ ପରିଚିତ କରିଦେଲା । ତାଙ୍କ ମିରର୍ ରୁମ୍ ଗୁଡ଼ିକରେ ଲୋକମାନେ ଛବି ନେବା ପାଇଁ ଦୀର୍ଘ ଧାଡ଼ିରେ ଠିଆ ହେବାକୁ ଲାଗିଲେ । ହାୟ, ଏଠାରେ ଆଉ ଏକ ବିଡ଼ମ୍ବନା ରହିଛି । ନିଜକୁ ବିଲୀନ କରିବାକୁ ଚାହୁଁଥିବା ଶିଳ୍ପୀ ନିଜେ ଏକ ବିଶ୍ୱବ୍ୟାପୀ ପରିଚୟରେ ପରିଣତ ହୋଇଗଲେ ।
ଜାପାନୀମାନଙ୍କର ଜୀବନ ଖୁବ ଲମ୍ବା । କୁସୁମା ଢେର୍ ଦିନ କାର୍ଯ୍ୟକ୍ଷମ ଭାବରେ ବଞ୍ଚିଥିଲେ । ତାଙ୍କ ବୟସ ସିନା ଧୀରେ ଧୀରେ ବଢ଼ିଲା କିନ୍ତୁ ହାତ ଥମିଲା ନାହିଁ । ୨୦୦୯ରୁ ୨୦୨୧ ମଧ୍ୟରେ ସେ ‘My Eternal Soul’ ନାମରେ ପ୍ରାୟ ୯୦୦ଟି ଚିତ୍ର ଆଙ୍କିଲେ । ପରେ ଆରମ୍ଭ କଲେ ‘Every Day ଓ Pray for Love’ । ଏହି ନାମଗୁଡ଼ିକ ତାଙ୍କ ଶେଷ ଦିନର ମନୋଭାବ ବିଷୟରେ ଅନେକ କିଛି କହିଦିଏ । ‘Eternal Soul’, ଅନନ୍ତ ଆତ୍ମା । ‘Every Day I Pray for Love’, ପ୍ରତିଦିନ ମୁଁ ପ୍ରେମ ପାଇଁ ପ୍ରାର୍ଥନା କରେ । ଏଠାରେ ମୃତ୍ୟୁର ଛାୟା ଅଛି, କିନ୍ତୁ ତା’ଠାରୁ ବଡ଼ ଅଛି ବଞ୍ଚି ରହିବାର ଇଚ୍ଛା । ମଣିଷ ମରିଯାଏ । କିନ୍ତୁ ଚିତ୍ର ରହିଯାଏ । ମଣିଷର ଜୀବନ ସୀମିତ । କିନ୍ତୁ ତାହାର କଳ୍ପନା ହୁଏତ ଅସୀମ ହୋଇପାରେ ।

୨୦୨୬ ଅଗଷ୍ଟ ୧୪ରେ ଟୋକିଓରେ ୯୭ ବର୍ଷ ବୟସରେ ୟାୟୋଇ କୁସାମାଙ୍କ ମୃତ୍ୟୁ ହେଲା । କିନ୍ତୁ ତାଙ୍କ ମୃତ୍ୟୁର ସବୁଠାରୁ ଅର୍ଥପୂର୍ଣ୍ଣ ଦିଗଟି ହେଉଛି, ଶେଷ ଦିନ ପର୍ଯ୍ୟନ୍ତ ସେ ଚିତ୍ର ଆଙ୍କୁଥିଲେ । ଏହା ମନେହୁଏ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ଉତ୍ତର ଥିଲା । ଯିଏ ସାରା ଜୀବନ ଅସୀମତାକୁ ଆଙ୍କିଲା, ସେ ନିଜ ଜୀବନର ଶେଷ ସୀମା ପର୍ଯ୍ୟନ୍ତ ଚିତ୍ର ଆଙ୍କି ଚାଲିଥିଲା । ମୃତ୍ୟୁ ତାଙ୍କ ଶରୀରକୁ ସିନା ନେଇଗଲା କିନ୍ତୁ ତାଙ୍କ ବିନ୍ଦୁକୁ ନୁହେଁ । ତାଙ୍କ ଦର୍ପଣକୁ ନୁହେଁ । ତାଙ୍କ କଖାରୁକୁ ନୁହେଁ କି ତାଙ୍କ ଅସୀମତାକୁ ନେଇ ବୁଝାମଣାକୁ ନେଇପାରିବନି ।
କୁସୁମାଙ୍କ କଳା ଅଭ୍ୟାସ ଓ କଳା ଦର୍ଶନରୁ ତାଙ୍କର ସବୁଠାରୁ ବଡ଼ ଶିକ୍ଷା ହେଉଛି, ନିଜର ସବୁଠାରୁ ବ୍ୟକ୍ତିଗତ ଅନୁଭବ ମଧ୍ୟ ସାର୍ବଜନୀନ କଳାରେ ପରିଣତ ହୋଇପାରେ । ଏକଦା ଯେଉଁ ଦୃଶ୍ୟ କେବଳ ଜଣେ ମଣିଷ ଦେଖୁଥିଲା, ସେହି ଦୃଶ୍ୟ ଆଜି କୋଟି କୋଟି ଲୋକ ଦେଖୁଛନ୍ତି । ଯେଉଁ ଭୟ ତାଙ୍କୁ ଏକାକୀ କରିଥିଲା, ସେହି ଭୟରୁ ଜନ୍ମ ନେଇଥିବା କଳା ଆଜି ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ଚର୍ଯ୍ୟରେ ଭରିଦେଉଛି ।
କୁସାମା ଆମକୁ ଶିଖାଇଗଲେ, କଳା ସବୁବେଳେ ସମସ୍ୟାର ସମାଧାନ ନୁହେଁ। ଭୟର ସମାଧାନ ନାହିଁ । ଏକାକୀପଣରୁ ନିସ୍ତାର ନାହିଁ । ମୃତ୍ୟୁକୁ ଭୟ କରିବା କିଛି ନାକରା କଥା ନୁହେଁ । ଅସୀମତାକୁ ଆମ ସୀମିତ ଜ୍ଞାନରେ ଆମେ ବୁଝିପାରିବା ନାହିଁ । କିନ୍ତୁ ଆମେ ସେଗୁଡ଼ିକୁ ଦେଖିପାରିବା । ସେମାନଙ୍କୁ ରଙ୍ଗରେ ରୂପରେ ପରିଣତ କରିପାରିବା । ବିନ୍ଦୁରେ ପରିଣତ କରିପାରିବା । ଆଲୋକରେ ପରିଣତ କରିପାରିବା ଏବଂ କଳାରେ ପରିଣତ କରିପାରିବା । ହୁଏତ ଏହିଠାରେ ହିଁ ୟାୟୋଇ କୁସାମାଙ୍କ ଜୀବନର ସବୁଠାରୁ ବଡ଼ ଅର୍ଥ ଲୁଚିଛି । ସେ ଅସୀମକୁ ଆଙ୍କିଥିଲେ, କାରଣ ନିଜ ଜୀବନର ସୀମାକୁ ସେ ଜାଣିଥିଲେ । ସେ ନିଜକୁ ବିଲୀନ କରିବାର କଥା କହିଥିଲେ, କାରଣ ମୃତ୍ୟୁକୁ ସେ ଜାଣିଥିଲେ । ଆଜି ସେ ନାହାନ୍ତି, କିନ୍ତୁ ତାଙ୍କ ବିନ୍ଦୁଗୁଡ଼ିକ ଅଛନ୍ତି । ଗୋଟିଏ ବିନ୍ଦୁ ପାଖରେ ଆଉ ଗୋଟିଏ ବିନ୍ଦୁ, ତା’ପରେ ପୁଣି ଆଉ ଗୋଟିଏ । ଲାଗୁଛି ଏମିତି ବିନ୍ଦୁ ସହ ବିନ୍ଦୁକୁ ଯୋଡ଼ି ଯୋଡ଼ି ତାଙ୍କ କଳା ସୀମାରୁ ଅସୀମ ଆଡ଼କୁ କ୍ରମେ ଚାଲିଯାଉଛି ।

