ୟାୟୋଇ କୁସାମାଙ୍କ ବିନ୍ଦୁ

କିଛି ବର୍ଷ ତଳେ ପୋଲକା ଡଟ୍ କୁ ନେଇ ଗୋଟେ ଲେଖା ଲେଖିଲା ବେଳେ କୁସୁମାଙ୍କ ବିଷୟରେ ଅଳ୍ପ କିଛି ଲେଖିଥିଲି । ଇଚ୍ଛା ଥିଲା ଗୋଟେ ପୂର୍ଣ୍ଣାଙ୍ଗ ଲେଖା ଲେଖିବି, ହେଲେ ଲେଖାହେଇ ପାରିଲାନି । ଗଲା ଅଗଷ୍ଟ ୧୪ରେ ଟୋକିଓରେ ୯୭ ବର୍ଷ ବୟସରେ କୁସାମାଙ୍କ ମୃତ୍ୟୁ ହେଇ ଯାଇଛି । ଜଣେ ଜାପାନୀ ଚିତ୍ରଶିଳ୍ପୀ ଭାବରେ ତାଙ୍କର ସାରା ବିଶ୍ୱର କଳା ରାଜ୍ୟରେ ବେଶ୍ ଭଲ ପ୍ରସିଦ୍ଧି ଥିଲା । ମୋତେ କୁସୁମାନଙ୍କ କାମ ଯେତିକି ଭଲଲାଗେ ତା’ ଠାରୁ ବେଶି ଭଲ ଲାଗେ ତାଙ୍କ ଜୀବନ ଓ କଳା ଦର୍ଶନ ।

ୟାୟୋଇ କୁସାମାଙ୍କ କଳାକୁ ପ୍ରଥମ ଥର ଦେଖିଲେ ଆଖିରେ ପଡେ଼ ବିନ୍ଦୁ, ଅସଂଖ୍ୟ ବିନ୍ଦୁ । ହଳଦିଆ କଖାରୁ ଉପରେ କଳା ବିନ୍ଦୁ, ଦର୍ପଣରେ ଅସରନ୍ତି ଆଲୋକ, ଘର ଭିତରେ ଅନନ୍ତ ପ୍ରତିଛବି, କ୍ୟାନଭାସ୍ ଉପରେ ଏକାଧାରରେ ଚାଲିଥିବା ଅସଂଖ୍ୟ ରେଖା । ଦେଖିବାକୁ ସବୁକିଛି ଖୁବ୍ ସୁନ୍ଦର, ମଜାଳିଆ ଓ ରଙ୍ଗିନ । କିନ୍ତୁ ସେହି ସୌନ୍ଦର୍ଯ୍ୟର ଘନଘଟା ତଳେ ରହିଛି ଭୟ, ଏକାକୀପଣ, ଅସ୍ତିତ୍ୱର ପ୍ରଶ୍ନ ଏବଂ ମୃତ୍ୟୁକୁ ନେଇ ଗଭୀର ଚିନ୍ତା ଓ ଭାବନା । କୁସାମାଙ୍କ କଳାକୁ କେବଳ ସାଧାରଣ ‘ପୋଲ୍କା ଡଟ୍ ର କଳା’ କହିଦେବା ତାଙ୍କ କଳା ପ୍ରତି ଅବିଚାର ହେବ । ତାଙ୍କ ବିନ୍ଦୁଗୁଡ଼ିକୁ ମନଦେଇ ଦେଖିଲେ ଓ ବୁଝିବାକୁ ଚେଷ୍ଟା କଲେ ଦେଖିପାରିବା ତା’ ଭିତରେ କେମିତି ଲୁଚିରହିଛି ଗୋଟେ ଲମ୍ବା ଜୀବନର କାହାଣୀ । ଆତ୍ମଜୀବନୀମୂଳକ କାହାଣୀ ।

Yayoi Kusama ( 22 March 1929 – 14 August 2026) 

୧୯୨୯ ମସିହାରେ ଜାପାନର ମାତ୍ସୁମୋତୋରେ କୁସାମାଙ୍କ ଜନ୍ମ । ଛୋଟବେଳୁ ସେ ଏମିତି କିଛି ଦୃଶ୍ୟ ଦେଖୁଥିଲେ, ଯାହା ଅନ୍ୟମାନେ ଦେଖୁନଥିଲେ । ସତରେ ସେ କିଛି ଦେଖୁଥିଲେ ନା ତାଙ୍କୁ ସେମିତି ଲାଗୁଥିଲା ସେକଥା ସେ ଜାଣନ୍ତି । କେବେ ଆଲୋକର ଝଲକ, କେବେ ଅସଂଖ୍ୟ ବିନ୍ଦୁ, କେବେ ଅଜଣା ଆକୃତିମାନ । ତାଙ୍କୁ ମନେ ହେଉଥିଲା ଚାରିପାଖର ସମଗ୍ର ଦୃଶ୍ୟମାନ ଜଗତଟି ଅଜଣା ନକ୍ସାରେ ଢାଙ୍କିଯାଉଛି। ଏହି ଅନୁଭବ ତାଙ୍କୁ ଭୟଭୀତ କରୁଥିଲା । କିନ୍ତୁ ସେହି ଭୟରୁ ହିଁ ଜନ୍ମ ନେଲା ତାଙ୍କ କଳା । ଯାହାକୁ ଅନ୍ୟ ଜଣେ ମଣିଷ ଅସ୍ୱାଭାବିକ ଅନୁଭବ ବୋଲି ଏଡ଼ାଇଯାଇପାରନ୍ତା କିମ୍ବା ପାଗଳା ହେଇଯାଇଥା’ନ୍ତା, କୁସାମା କିନ୍ତୁ ତାହାକୁ ଚିତ୍ରରେ ଧରି ରଖିଲେ । ଠିକ୍ ଏଇଠୁ ତାଙ୍କ କଳାର ମୂଳ ପ୍ରଶ୍ନଟି ଜନ୍ମ ନେଇଥିଲା; ମଣିଷ ଯେଉଁ ଜଗତକୁ ଦେଖେ, ସେହି ଜଗତଟି କ’ଣ ସତରେ ସେହିପରି ? ନା’ ଆମ ମନ ତାହାକୁ ନିଜ ଭାବରେ ଗଢ଼ିଥାଏ? କୋଉଟା ସତ ଓ କୋଉଟା ମିଛ?

୧୯୫୭ରେ କୁସାମା ଜାପାନ ଛାଡ଼ି ଆମେରିକା ଗଲେ । ନ୍ୟୁୟର୍କ ସେତେବେଳେ ନୂଆ କଳାର ଏକ ବଡ଼ କେନ୍ଦ୍ର । ସେଠାରେ ପହଞ୍ଚି କୁସାମା ନିଜ ପାଇଁ ଏକ ଅଲଗା ଚିତ୍ରଭାଷା ତିଆରି କରିବା ଆରମ୍ଭ କଲେ ।

ସେହି ଭାଷାର ପ୍ର୍ରଥମ ବଡ଼ ରୂପ ଥିଲା ‘Infinity Nets’ । ବିଶାଳ କ୍ୟାନଭାସ୍ ଉପରେ ହଜାର ହଜାର ଛୋଟ ଛୋଟ ତୂଳୀର ଆଘାତ । ଏକ ଚିହ୍ନ ପରେ ଆଉ ଏକ ଚିହ୍ନ, ତା’ପରେ ଆଉ ଏକ । ଏମିତି କରି କରି ସମଗ୍ର କ୍ୟାନଭାସ୍ କୁ ଏକ ଅସୀମ ଜାଲରେ ପରିଣତ ହୁଏ । ପ୍ରତ୍ୟେକ ତୂଳୀ ଚିହ୍ନ ସମାନ । କୌଣସି ଗୋଟିଏ ଚିହ୍ନ ଅନ୍ୟ ଠାରୁ ବଡ଼ ନୁହେଁ କି ସାନ ନୁହେଁ । ଅନେକଙ୍କ ସମ୍ମେଳନ ପରେ ଧୀରେ ଧୀରେ ବ୍ୟକ୍ତିଗତ ଚିହ୍ନଟି ହଜିଯାଏ ଏବଂ ତାହା ଏକ ବଡ଼, ଅସୀମ ସଂରଚନାର ଅଂଶ ହୋଇଯାଏ । କୁସାମା ଏହାକୁ କହିଥିଲେ ‘Self-obliteration’ ନିଜକୁ ବିଲୀନ କରିଦେବା । ନିଜକୁ ହରାଇବା ନୁହେଁ, ବରଂ ନିଜ ଠାରୁ ବଡ଼ ବିଶାଳ ଅସ୍ତିତ୍ୱରେ ମିଶିଯିବା ।
କୁସାମାଙ୍କ କଳାକୃତିମାନଙ୍କରେ ବିନ୍ଦୁକୁ ଦେଖିଲେ ଲାଗେ ଇଏ ତ ଗୋଟର ସରଳ ଡିଜାଇନ୍ ମାତ୍ର । କିନ୍ତୁ ତାଙ୍କ ପାଇଁ ଏହା କେବେ ବି କେବଳ ଡିଜାଇନ୍ ନଥିଲା । ବିନ୍ଦୁ ହେଉଛି ଏକ ଛୋଟ ଅସ୍ତିତ୍ୱ । ହଜାର ହଜାର ବିନ୍ଦୁ ମିଶିଲେ ଏକ ବିଶାଳ ଜଗତ । ଆଉ ଯଦି ସେହି ବିନ୍ଦୁଗୁଡ଼ିକ ଅସୀମ ଭାବେ ବଢ଼ିଚାଲେ, ତେବେ ଜଣେ ବ୍ୟକ୍ତିର ଅସ୍ତିତ୍ୱ କେତେ ବଡ଼ ହେବ? ହୁଏତ ଏହି ପ୍ରଶ୍ନଟି ପାଖରେ ହିଁ କୁସାମାଙ୍କ କଳା ଚିନ୍ତନର କେନ୍ଦ୍ର ଥିଲା । କହୁଥିଲେ ସେ ନିଜେ ମଧ୍ୟ ଗୋଟିଏ ବିନ୍ଦୁ । ନିଜକୁ ଏକ ସାମନ୍ୟ ବିନ୍ଦୁ ବୋଲି ଭାବୁଥିଲେ ସେ । ଅସୀମ ବ୍ରହ୍ମାଣ୍ଡର ଅନେକ ବିନ୍ଦୁ ମଧ୍ୟରୁ ଗୋଟିଏ । ବିନ୍ଦୁରେ ସିନ୍ଧୁ ଦର୍ଶନ କରିବା ପରି କଥା। ନୁହେଁ କି?

କୁସାମା କେବଳ ଚିତ୍ର ଆଙ୍କିନଥିଲେ । ସେ ଭାସ୍କର୍ଯ୍ୟ କରିଥିଲେ, ଇନଷ୍ଟଲେସନ୍ କରିଥିଲେ, ପରଫରମାନ୍ସ କରିଥିଲେ, ଫିଲ୍ମ କରିଥିଲେ, କବିତା ଲେଖିଥିଲେ, ଫ୍ୟାସନ୍ ରେ କାମ କରିଥିଲେ । ୧୯୬୬ରେ ଭେନିସ୍ ବିଏନାଲେରେ ତାଙ୍କ ‘Narcissus Garden’ ବେଶ୍ ଚର୍ଚ୍ଚିତ ହେଇଥିଲା । ଶହ ଶହ ଦର୍ପଣ ପରି ଚମକୁଥିବା ଗୋଲାକୁ ସେ ଏକାଠି କରି ରଖିଥିଲେ । ସେସବୁ ଏମିତି ସଜେଇ ରଖାଇଯାଇଥିଲେ ଯେ ପ୍ରତ୍ୟେକ ଗୋଲାରେ ଦର୍ଶକ ନିଜର ପ୍ରତିଛବି ଦେଖିପାରୁଥିଲେ । ଏଠାରେ ଦର୍ଶକ କେବଳ ଦର୍ଶକ ହେଇ ରହୁନଥିଲେ । ସେ ନିଜେ କଳାକୃତିର ଏକ ଅଂଶ ହୋଇଯାଉଥିଲେ । ଏବଂ ନିଜର ପ୍ରତିଛବିକୁ ଦେଖୁଥିବା ସମୟରେ ହୁଏତ ନିଜର ଅହଂକାର, ନିଜର ଅସ୍ତିତ୍ୱ ଓ ନିଜର ଉପସ୍ଥିତି ବିଷୟରେ ମଧ୍ୟ ଭାବିବାକୁ ବାଧ୍ୟ ହେଉଥିଲେ । ନିଜ ବିଷୟରେ ସଚେତନ ହେଉଥିଲେ ।

ନ୍ୟୁୟର୍କର ବର୍ଷଗୁଡ଼ିକ କୁସାମାଙ୍କ ପାଇଁ ସହଜ ନଥିଲା । ଭୀଷଣ ମାନସିକ ସଂଘର୍ଷ ଓ ତୀବ୍ର ସଂଘାତ ଭିତରେ ସମୟ କଟୁଥିଲା । ୧୯୭୩ରେ ସେ ଜାପାନ ଫେରିଆସିଲେ । ପରେ ଟୋକିଓର ଏକ ମାନସିକ ଚିକିତ୍ସାକେନ୍ଦ୍ରରେ ରହିବା ଆରମ୍ଭ କଲେ । ସେଠାରେ ରହିବା ତାଙ୍କ କଳାଜୀବନର ଶେଷ ନଥିଲା । ବରଂ ଚିତ୍ର ଆଙ୍କିବା ତାଙ୍କ ଜୀବନର ଏକ ଆଶ୍ରୟ ହୋଇଗଲା । ହସ୍ପିଟାଲରୁ ନିକଟରେ ଥିବା ଷ୍ଟୁଡିଓକୁ ସେ ନିୟମିତ ଯାଉଥିଲେ । ଚିତ୍ର ଆଙ୍କୁଥିଲେ । ପୁଣି ଫେରିଆସୁଥିଲେ । ଏକ ଅତ୍ୟନ୍ତ ସରଳ ନିୟମିତତାକୁ ମାନି ଜୀବନ କାଟୁଥିଲେ । କିନ୍ତୁ ସେହି ନିୟମିତତା ହିଁ ତାଙ୍କ ଜୀବନକୁ ଧରିରଖିଥିଲା । ଯେଉଁ ଅନୁଭବ ତାଙ୍କୁ ଭୟଭୀତ କରୁଥିଲା, ସେଗୁଡ଼ିକୁ ସେ କଳାରେ ପରିଣତ କରିଦେଲେ । ଭୟ ହେଲା ବିନ୍ଦୁ । ଏକାକୀପଣ ହେଲା ଅସୀମ ଘର । ନିଜକୁ ହରାଇବାର ଭୟ ହେଲା ‘Self-obliteration’।

କୁସାମାଙ୍କ ‘Infinity Mirror Rooms’ ତାଙ୍କ କଳାକୁ ବିଶ୍ୱର କୋଣେ କୋଣେ ପହଞ୍ଚାଇଲା । ଏକ ଛୋଟ ଘର । ଚାରିପାଖରେ ଦର୍ପଣ । ଚାରିପାଖରେ ଆଲୋକ । ଚାରିପାଖରେ କେତେକ ଛୋଟ ଛୋଟ ବସ୍ତୁ । ଦର୍ପଣର ଧର୍ମ ହେଲା ପ୍ରତିବିମ୍ବ ତିଆରି କରିବ । ଅନେକ ଦର୍ପଣଙ୍କ ସମାହାର ପରିବେଶର ସବୁକିଛିକୁ ପୁନରାବୃତ୍ତି କରିଚାଲେ । ଗୋଟିଏ ଆଲୋକ ଶହେ ଆଲୋକ ହୋଇଯାଏ । ଗୋଟିଏ ମଣିଷ ଅସଂଖ୍ୟ ମଣିଷରେ ପରିଣତ ହୋଇଯାଏ । ଗୋଟିଏ ଛୋଟ ଘର ଭିତରର ଅଳପ ସ୍ଥାନ, କିଛି ଦର୍ପଣଙ୍କ ସାହାଯ୍ୟରେ ଏକ ଅସୀମ ଜଗତରେ ପରିଣତ ହୋଇଯାଏ । ଏଠାରେ ଦର୍ଶକ ନିଜକୁ ସବୁଠାରେ ଦେଖେ, କିନ୍ତୁ ନିଜକୁ ଧରିପାରେ ନାହିଁ । ଧାରଣାଟି ଖୁବ ଅଭିନବ, ଖୁବ ସୁନ୍ଦର । କିନ୍ତୁ ଏହାର ଭିତରେ ଏକ ଅଜଣା ଅସ୍ୱସ୍ତି ମଧ୍ୟ ରହିଛି । ହୁଏତ ଏହି ଦୁଇଟି ଅନୁଭୂତି ଯଥା ବିସ୍ମୟ ଓ ଭୟ ହିଁ କୁସାମାଙ୍କ କଳାକୁ ଏତେ ଶକ୍ତିଶାଳୀ କରି ତୋଳିଛି ।


କୁସୁମା ବହୁତଗୁଡେ କଖାରୁ ଗଢିଛନ୍ତି । ବିନ୍ଦୁରେ ସଜେଇ ହେଇଥିବା କଖାରୁ । କୁସାମାଙ୍କ କଖାରୁଗୁଡ଼ିକ ଦେଖିଲେ ମନରେ ଏକ ଅଲଗା ଅନୁଭବ ହୁଏ । ହଳଦିଆ ରଙ୍ଗର କଖାରୁ ଓ ତା’ଉପରେ କଳା କଳା ବିନ୍ଦୁ । ସରଳ ଓ ମଜାଳିଆ । ପିଲାଦିନର କୌଣସି ଚିତ୍ର ପରି । କିନ୍ତୁ ସେହି କଖାରୁ ମଧ୍ୟ ତାଙ୍କ ଅସୀମତାର ଚିନ୍ତାର ଏକ ଅଂଶ ପାଲଟେ । ପ୍ରକୃତିର ଏକ ସାଧାରଣ ଫଳ ତାଙ୍କ ହାତରେ ଏକ ପ୍ରତୀକରେ ପରିଣତ ହେଇଯାଏ । କଖାରୁଟି ତାର ନିଜର ଆକାର ଓ ଅସ୍ଥିତ୍ୱ ହରାଏ ନାହିଁ, କିନ୍ତୁ ଅସଂଖ୍ୟ ବିନ୍ଦୁ ତାକୁ କୁସାମାଙ୍କ ନିଜସ୍ୱ ଜଗତ ଭିତରକୁ ନେଇଯାଏ । ଅର୍ଥ ବଦଳି ଯାଏ ।

ଶିଳ୍ପୀର ଜୀବନରେ ଅନେକ ବିଡ଼ମ୍ବନା ଆସେ । କୁସୁମାଙ୍କ ଜୀବନରେ ବି ଆସିଥିଲା । କୁସାମାଙ୍କ ଜୀବନର ସବୁଠାରୁ ମଜାଦାର ବିଡ଼ମ୍ବନା ହେଉଛି, ଯେଉଁ ଶିଳ୍ପୀ ଉପଭୋକ୍ତାବାଦ ଓ କଳାର ବଜାରୀକରଣକୁ ପ୍ରଶ୍ନ କରିଥିଲେ, ସେହି ଶିଳ୍ପୀ ନିଜେ ପରେ ବିଶ୍ୱର ସବୁଠାରୁ ପରିଚିତ କଳା ପରିମଣ୍ଡଳ ମଧ୍ୟରେ ସାମିଲ ହୋଇଗଲେ । ତାଙ୍କ ବିନ୍ଦୁ ଫ୍ୟାସନ୍ ଭିତରକୁ ଆସିଲା । ଲୁଇ ଭିଟନ୍ ସହ ତାଙ୍କ ସହଯୋଗ ତାଙ୍କୁ କଳାଜଗତର ବାହାରେ ମଧ୍ୟ ଅତ୍ୟନ୍ତ ପରିଚିତ କରିଦେଲା । ତାଙ୍କ ମିରର୍ ରୁମ୍ ଗୁଡ଼ିକରେ ଲୋକମାନେ ଛବି ନେବା ପାଇଁ ଦୀର୍ଘ ଧାଡ଼ିରେ ଠିଆ ହେବାକୁ ଲାଗିଲେ । ହାୟ, ଏଠାରେ ଆଉ ଏକ ବିଡ଼ମ୍ବନା ରହିଛି । ନିଜକୁ ବିଲୀନ କରିବାକୁ ଚାହୁଁଥିବା ଶିଳ୍ପୀ ନିଜେ ଏକ ବିଶ୍ୱବ୍ୟାପୀ ପରିଚୟରେ ପରିଣତ ହୋଇଗଲେ ।

ଜାପାନୀମାନଙ୍କର ଜୀବନ ଖୁବ ଲମ୍ବା । କୁସୁମା ଢେର୍ ଦିନ କାର୍ଯ୍ୟକ୍ଷମ ଭାବରେ ବଞ୍ଚିଥିଲେ । ତାଙ୍କ ବୟସ ସିନା ଧୀରେ ଧୀରେ ବଢ଼ିଲା କିନ୍ତୁ ହାତ ଥମିଲା ନାହିଁ । ୨୦୦୯ରୁ ୨୦୨୧ ମଧ୍ୟରେ ସେ ‘My Eternal Soul’ ନାମରେ ପ୍ରାୟ ୯୦୦ଟି ଚିତ୍ର ଆଙ୍କିଲେ । ପରେ ଆରମ୍ଭ କଲେ ‘Every Day ଓ Pray for Love’ । ଏହି ନାମଗୁଡ଼ିକ ତାଙ୍କ ଶେଷ ଦିନର ମନୋଭାବ ବିଷୟରେ ଅନେକ କିଛି କହିଦିଏ । ‘Eternal Soul’, ଅନନ୍ତ ଆତ୍ମା । ‘Every Day I Pray for Love’, ପ୍ରତିଦିନ ମୁଁ ପ୍ରେମ ପାଇଁ ପ୍ରାର୍ଥନା କରେ । ଏଠାରେ ମୃତ୍ୟୁର ଛାୟା ଅଛି, କିନ୍ତୁ ତା’ଠାରୁ ବଡ଼ ଅଛି ବଞ୍ଚି ରହିବାର ଇଚ୍ଛା । ମଣିଷ ମରିଯାଏ । କିନ୍ତୁ ଚିତ୍ର ରହିଯାଏ । ମଣିଷର ଜୀବନ ସୀମିତ । କିନ୍ତୁ ତାହାର କଳ୍ପନା ହୁଏତ ଅସୀମ ହୋଇପାରେ ।


୨୦୨୬ ଅଗଷ୍ଟ ୧୪ରେ ଟୋକିଓରେ ୯୭ ବର୍ଷ ବୟସରେ ୟାୟୋଇ କୁସାମାଙ୍କ ମୃତ୍ୟୁ ହେଲା । କିନ୍ତୁ ତାଙ୍କ ମୃତ୍ୟୁର ସବୁଠାରୁ ଅର୍ଥପୂର୍ଣ୍ଣ ଦିଗଟି ହେଉଛି, ଶେଷ ଦିନ ପର୍ଯ୍ୟନ୍ତ ସେ ଚିତ୍ର ଆଙ୍କୁଥିଲେ । ଏହା ମନେହୁଏ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ଉତ୍ତର ଥିଲା । ଯିଏ ସାରା ଜୀବନ ଅସୀମତାକୁ ଆଙ୍କିଲା, ସେ ନିଜ ଜୀବନର ଶେଷ ସୀମା ପର୍ଯ୍ୟନ୍ତ ଚିତ୍ର ଆଙ୍କି ଚାଲିଥିଲା । ମୃତ୍ୟୁ ତାଙ୍କ ଶରୀରକୁ ସିନା ନେଇଗଲା କିନ୍ତୁ ତାଙ୍କ ବିନ୍ଦୁକୁ ନୁହେଁ । ତାଙ୍କ ଦର୍ପଣକୁ ନୁହେଁ । ତାଙ୍କ କଖାରୁକୁ ନୁହେଁ କି ତାଙ୍କ ଅସୀମତାକୁ ନେଇ ବୁଝାମଣାକୁ ନେଇପାରିବନି ।

କୁସୁମାଙ୍କ କଳା ଅଭ୍ୟାସ ଓ କଳା ଦର୍ଶନରୁ ତାଙ୍କର ସବୁଠାରୁ ବଡ଼ ଶିକ୍ଷା ହେଉଛି, ନିଜର ସବୁଠାରୁ ବ୍ୟକ୍ତିଗତ ଅନୁଭବ ମଧ୍ୟ ସାର୍ବଜନୀନ କଳାରେ ପରିଣତ ହୋଇପାରେ । ଏକଦା ଯେଉଁ ଦୃଶ୍ୟ କେବଳ ଜଣେ ମଣିଷ ଦେଖୁଥିଲା, ସେହି ଦୃଶ୍ୟ ଆଜି କୋଟି କୋଟି ଲୋକ ଦେଖୁଛନ୍ତି । ଯେଉଁ ଭୟ ତାଙ୍କୁ ଏକାକୀ କରିଥିଲା, ସେହି ଭୟରୁ ଜନ୍ମ ନେଇଥିବା କଳା ଆଜି ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ଚର୍ଯ୍ୟରେ ଭରିଦେଉଛି ।

କୁସାମା ଆମକୁ ଶିଖାଇଗଲେ, କଳା ସବୁବେଳେ ସମସ୍ୟାର ସମାଧାନ ନୁହେଁ। ଭୟର ସମାଧାନ ନାହିଁ । ଏକାକୀପଣରୁ ନିସ୍ତାର ନାହିଁ । ମୃତ୍ୟୁକୁ ଭୟ କରିବା କିଛି ନାକରା କଥା ନୁହେଁ । ଅସୀମତାକୁ ଆମ ସୀମିତ ଜ୍ଞାନରେ ଆମେ ବୁଝିପାରିବା ନାହିଁ । କିନ୍ତୁ ଆମେ ସେଗୁଡ଼ିକୁ ଦେଖିପାରିବା । ସେମାନଙ୍କୁ ରଙ୍ଗରେ ରୂପରେ ପରିଣତ କରିପାରିବା । ବିନ୍ଦୁରେ ପରିଣତ କରିପାରିବା । ଆଲୋକରେ ପରିଣତ କରିପାରିବା ଏବଂ କଳାରେ ପରିଣତ କରିପାରିବା । ହୁଏତ ଏହିଠାରେ ହିଁ ୟାୟୋଇ କୁସାମାଙ୍କ ଜୀବନର ସବୁଠାରୁ ବଡ଼ ଅର୍ଥ ଲୁଚିଛି । ସେ ଅସୀମକୁ ଆଙ୍କିଥିଲେ, କାରଣ ନିଜ ଜୀବନର ସୀମାକୁ ସେ ଜାଣିଥିଲେ । ସେ ନିଜକୁ ବିଲୀନ କରିବାର କଥା କହିଥିଲେ, କାରଣ ମୃତ୍ୟୁକୁ ସେ ଜାଣିଥିଲେ । ଆଜି ସେ ନାହାନ୍ତି, କିନ୍ତୁ ତାଙ୍କ ବିନ୍ଦୁଗୁଡ଼ିକ ଅଛନ୍ତି । ଗୋଟିଏ ବିନ୍ଦୁ ପାଖରେ ଆଉ ଗୋଟିଏ ବିନ୍ଦୁ, ତା’ପରେ ପୁଣି ଆଉ ଗୋଟିଏ । ଲାଗୁଛି ଏମିତି ବିନ୍ଦୁ ସହ ବିନ୍ଦୁକୁ ଯୋଡ଼ି ଯୋଡ଼ି ତାଙ୍କ କଳା ସୀମାରୁ ଅସୀମ ଆଡ଼କୁ କ୍ରମେ ଚାଲିଯାଉଛି ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →

Leave a Reply

Your email address will not be published. Required fields are marked *