ଡେଭିଡ୍ ହକ୍ନି ଓ ଦୁନିଆକୁ ନୂଆ ଦୃଷ୍ଟିରେ ଦେଖିବାର ବାଟ


୮୮ ବର୍ଷ ବୟସରେ ଡେଭିଡ୍ ହକ୍ନିଙ୍କ ପରଲୋକ ସହିତ ବିଶ୍ୱ କଳାଜଗତର ଏକ ପ୍ରମୁଖ ଅଧ୍ୟାୟର ସମାପ୍ତି ହେଲା ବୋଲି ଧରିନେବାକୁ ହେବ । ଗତ ଛଅ ଦଶନ୍ଧି ଧରି ସେ ସମସାମୟିକ ବିଶ୍ୱ କଳାରାଜ୍ୟରେ ଯେଉଁପରି ନିରନ୍ତର ସୃଜନଶୀଳ, ପରୀକ୍ଷାମୂଳକ ଓ ପ୍ରଭାବଶାଳୀ ରହିଥିଲେ, ସେପରି ଶିଳ୍ପୀ ଖୁବ କମ୍ ଦେଖିବାକୁ ମିଳିବେ । ହକ୍ନି କେବେ ବି ନିଜକୁ କୌଣସି ଗୋଟିଏ ପ୍ରକାରର ଶୈଳୀ, ଗୋଟିଏ ମାଧ୍ୟମ କିମ୍ବା କୌଣସି ନିର୍ଦ୍ଦିଷ୍ଟ କଳା ଆନ୍ଦୋଳନରେ ସୀମିତ ରଖିନଥିଲେ । ସେ ସବୁ ସମୟରେ ନିଜ କଳାକୁ ଓ ଦର୍ଶକଙ୍କ ଦେଖିବାର ତରିକାକୁ ନୂଆ ବାଗ ଦେଖାଇଥିଲେ । ବିଶ୍ୱର ନୂଆ ନୂଆ ପ୍ରମୁଖ ଚିତ୍ରଶିଳ୍ପୀଙ୍କୁ ଜାଣିବା ବେଳେ ଡେଭିଡଙ୍କ ଚିତ୍ର ସହ ପରିଚୟ ମୋର ହୋଇଥିଲା । ପପ୍ ଆର୍ଟ ପ୍ରତି ମୋର ବିଶେଷ ଆକର୍ଷଣ ମୋତେ ହକ୍ନିଙ୍କ ଛବି ଦେଖିବାକୁ ଓ ବୁଝିବାକୁ ପ୍ରଲୁବ୍ଧ କରିଥିଲା ।

Play Within a Play Within a Play and Me with a Cigarette (2025)

ଜଣେ ଷ୍ଟେଜ୍ ଡିଜାଇନର ଓ ଫଟୋଗ୍ରାଫର ଭାବେ ପରିଚିତ ଡେଭିଡ୍ ୧୯୩୭ ଜୁଲାଇ ୯ରେ ଇଂଲଣ୍ଡର ବ୍ରାଡଫୋର୍ଡରେ ଏକ ସାଧାରଣ ଶ୍ରମିକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ଲଣ୍ଡନର ରୟାଲ କଲେଜ ଅଫ ଆର୍ଟରେ କଳା ଶିକ୍ଷା କରିଥିଲେ । ହକ୍ନିଙ୍କ କଳା ପ୍ରତି ଅନୁରାଗ ପିଲା ଦିନରୁ ଦେଖିବାକୁ ମିଳିଥିଲା । ସେଇ ପିଲାଦିନରୁ ସେ ବିକାକିଣା କଥାକୁ ବୁଝି ସାରିଥିଲେ । ବ୍ରାଡଫୋର୍ଡ କଲେଜରେ ପଢ଼ୁଥିବା ବେଳେ ସେ ନିଜ ବାପାଙ୍କ ଏକ ପ୍ରତିକୃତିକୁ ୧୦ ପାଉଣ୍ଡରେ ବିକ୍ରି କରିଥିଲେ ।

ଜାତୀୟ ସେବା ସମୟରେ Conscientious Objector ଭାବେ ସେ ଜଣେ ହସ୍ପିଟାଲ୍ ଅର୍ଡରଲି ଭାବେ କାମ କରିଥିଲେ। ୧୯୬୨ ମସିହାରେ, ରୟାଲ କଲେଜ ଅଫ୍ ଆର୍ଟରେ ପଢ଼ୁଥିବା ସମୟରେ କଲେଜ ତାଙ୍କୁ କହିଥିଲା ଯେ, ଯଦି ସେ ଜୀବନ୍ତ ମଡେଲ୍‌କୁ ସାମ୍ନାରେ ବସାଇ କରାଯାଉଥିବା ଲାଇଫ୍ ଡ୍ରଇଂ ଆସାଇନ୍‌ମେଣ୍ଟ ପୂରଣ ନକରନ୍ତି, ତେବେ ତାଙ୍କୁ ସ୍ନାତକ ଉପାଧି ଦିଆଯିବ ନାହିଁ। ଏହାର ପ୍ରତିବାଦରେ ସେ Life Painting for a Diploma ଶୀର୍ଷକ ଚିତ୍ରଟି ଅଙ୍କନ କରିଥିଲେ । ତାପରେ ଶେଷ ପରୀକ୍ଷା ପାଇଁ ବାଧ୍ୟତାମୂଳକ ଥିବା ପ୍ରବନ୍ଧ ଲେଖିବାକୁ ସେ ସିଧା ମନା କରିଦେଇଥିଲେ । ତାଙ୍କର ମତ ଥିଲା, ତାଙ୍କର ମୂଲ୍ୟାୟନ କେବଳ ତାଙ୍କର ଶିଳ୍ପକୃତି ଆଧାରରେ ହେବା ଉଚିତ, କୌଣସି ପ୍ରବନ୍ଧକୁ ନେଇ ନୁହେଁ । ଶେଷରେ, ତାଙ୍କର ଅସାଧାରଣ ପ୍ରତିଭା ଏବଂ ବଢ଼ୁଥିବା ଖ୍ୟାତିକୁ ସ୍ୱୀକାର କରି, ରୟାଲ କଲେଜ ନିଜ ନିୟମରେ ପରିବର୍ତ୍ତନ ଆଣିଥିଲା ଏବଂ ତାଙ୍କୁ ଡିପ୍ଲୋମା ପ୍ରଦାନ କରିଥିଲା।

୧୯୬୦ ଦଶକରେ ସେ ପପ୍ ଆର୍ଟ ଆନ୍ଦୋଳନର ଜଣେ ପ୍ରମୁଖ ଶିଳ୍ପୀ ଭାବରେ ପରିଚିତି ପାଇଥିଲେ । କିନ୍ତୁ ସେ କେବଳ ପପ୍ ଆର୍ଟରେ ସୀମିତ ରହିନଥିଲେ । ଲସ୍ ଆଞ୍ଜେଲେସ୍‌କୁ ଯିବା ପରେ ସେଠାର ଉଜ୍ଜ୍ୱଳ ଆଲୋକ, ସୁଇମିଂ ପୁଲ୍, ଆଧୁନିକ ସ୍ଥାପତ୍ୟ ଓ ଜୀବନଶୈଳୀ ତାଙ୍କ କଳାକୁ ନୂଆ ଦିଗ ଦେଇଥିଲା। A Bigger Splash ଏବଂ Portrait of an Artist (Pool with Two Figures) ପରି କୃତିଗୁଡ଼ିକ କେବଳ ଚିତ୍ର ନୁହେଁ; ସେଗୁଡ଼ିକ ପ୍ରେମ, ସ୍ମୃତି, ଏକାକୀପଣ ଓ ମାନବୀୟ ଅନୁଭୂତିର ଗଭୀର ପ୍ରକାଶ ଭାବରେ ଗ୍ରହଣ କରାଯାଏ । ବ୍ୟକ୍ତିଗତ ଭାବରେ A Bigger Splash ମୋର ଅନ୍ୟତମ ପ୍ରିୟ ଛବି ।

A Bigger Splash

ବ୍ରିଟେନରେ ସମଲିଙ୍ଗୀ ସମ୍ପର୍କ ଆଇନଗତ ଅପରାଧ ଥିବା ସମୟରେ ହକ୍ନି ନିଜ ଚିତ୍ରରେ ସମଲିଙ୍ଗୀ ଜୀବନକୁ ସାହସର ସହ ଉପସ୍ଥାପନ କରିଥିଲେ । ଏହା ତାଙ୍କ କଳାକୁ ସମୟ ଠାରୁ ଢେର୍ ଆଗକୁ ନେଇଯାଇଥିଲା । ସେ ତମାଖୁ ସେବନକୁ ସମର୍ଥକ କରୁଥିଲେ ଓ ଏହି ଅଭିଯାନର ଜଣେ ଦୃଢ଼ ପ୍ରବକ୍ତା ଥିଲେ। ୨୦୦୫ ମସିହାରେ ସେ ପବ୍ ଏବଂ ରେଷ୍ଟୁରାଣ୍ଟଗୁଡ଼ିକରେ ଧୂମପାନ ନିଷେଧକୁ ବିରୋଧ କରିବା ପାଇଁ ଲଢ଼ିଥିଲେ । ଲେବର ପାର୍ଟିର ସମ୍ମିଳନୀରେ ସେ ଏକ କାର୍ଡ ଉପରକୁ ଧରିଥିଲେ, ଯେଉଁଥିରେ ଲେଖା ଥିଲା:

“ଆପଣ ଧୂମପାନ ନ କଲେ ମଧ୍ୟ, ମୃତ୍ୟୁ ଆପଣଙ୍କୁ ଅପେକ୍ଷା କରୁଛି।”

ହକ୍ନି କେବଳ ଜଣେ ଚିତ୍ରକର ନୁହେଁ, ସେ ଥିଲେ ଜଣେ ନିରନ୍ତର ନିଜ ସାଙ୍ଗରେ ପରୀକ୍ଷା ନିରୀକ୍ଷା କରୁଥିବା ଶିଳ୍ପୀ । ଚିତ୍ରାଙ୍କନ, ରେଖାଚିତ୍ର, ଜଳରଙ୍ଗ, ପ୍ରିଣ୍ଟମେକିଂ ଓ ଫଟୋଗ୍ରାଫି ସହିତ ସେ କମ୍ପ୍ୟୁଟର, ଫ୍ୟାକ୍ସ ମେସିନ୍ ଏବଂ iPad ଭଳି ଆଧୁନିକ ଡିଜିଟାଲ୍ ମାଧ୍ୟମକୁ ମଧ୍ୟ କଳା ସୃଷ୍ଟିର ଉପକରଣରେ ପରିଣତ କରିଥିଲେ। ତାଙ୍କ କଳାରେ ପ୍ରକୃତି, ମଣିଷ, ପାଳିତ କୁକୁର ଏବଂ ମଞ୍ଚସଜ୍ଜା ସମାନ ଗୁରୁତ୍ୱ ପାଇଥିଲା। ନିଜ କଳାକର୍ମରେ ସେ କେବେ ବି ପରୀକ୍ଷା-ନିରୀକ୍ଷା ବନ୍ଦ କରିନଥିଲେ । ଫଟୋଗ୍ରାଫିକ୍ କୋଲାଜ୍, ଯାହାକୁ ସେ “ଜଏନର୍ସ” ବୋଲି କହୁଥିଲେ, ସେଥିରେ ସେ ଅନେକ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ଫଟୋକପିଅର୍, ଫ୍ୟାକ୍ସ, କମ୍ପ୍ୟୁଟର ଏବଂ ଆଇପ୍ୟାଡ୍ ପରି ନୂତନ ପ୍ରଯୁକ୍ତିକୁ କଳା ସୃଷ୍ଟିର ମାଧ୍ୟମ କରିଥିଲେ। ତାଙ୍କ ପାଇଁ ପ୍ରଯୁକ୍ତିର ମୂଲ୍ୟ ସେତେବେଳେ ଥିଲା, ଯେତେବେଳେ ତାହା ଚିତ୍ର ସୃଷ୍ଟିର ସମ୍ଭାବନାକୁ ବଢ଼ାଉଥିଲା।

Portrait of an Artist (Pool with Two Figures)  1972

ଚିତ୍ରକଳା ସହିତ ସେ ଅପେରା ଓ ବାଲେ ପାଇଁ ମଞ୍ଚ ଏବଂ ପୋଷାକ ଡିଜାଇନ୍ ମଧ୍ୟ କରିଥିଲେ। Secret Knowledge ପୁସ୍ତକରେ ସେ ପୁରାତନ ଚିତ୍ରକରମାନଙ୍କ କାର୍ଯ୍ୟପଦ୍ଧତିକୁ ନେଇ ପ୍ରଚଳିତ ଧାରଣାକୁ ଚ୍ୟାଲେଞ୍ଜ କରି ନୂଆ ଆଲୋଚନାର ଆରମ୍ଭ କରିଥିଲେ। ୨୦୦୧ ମସିହାରେ ପ୍ରକାଶିତ Secret Knowledge ପୁସ୍ତକରେ ଡେଭିଡ୍ ହକ୍ନି ଦାବି କରିଥିଲେ ଯେ, ପ୍ରାଚୀନ ମହାନ ଚିତ୍ରକରମାନେ କ୍ୟାମେରା ଅବସ୍କ୍ୟୁରା, କ୍ୟାମେରା ଲୁସିଡା ଓ ଲେନ୍ସ ପ୍ରଯୁକ୍ତି ବ୍ୟବହାର କରୁଥିଲେ। ତାଙ୍କ ମତରେ, ରେନେସାଁ ଯୁଗର ବାସ୍ତବବାଦୀ ଚିତ୍ରଶୈଳୀ ପଛରେ ଏହି ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା।

ବ୍ୟକ୍ତିଗତ ଜୀବନରେ ସେ ଅନେକ ଦୁଃଖଦ ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କ ସହକାରୀ ଡୋମିନିକ୍ ଏଲିଅଟଙ୍କ ଅକାଳ ମୃତ୍ୟୁ ତାଙ୍କୁ ଗଭୀର ଭାବେ ଆଘାତ ଦେଇଥିଲା। କିଛି ସମୟ ପାଇଁ ସେ ଚିତ୍ର ଆଙ୍କିବା ମଧ୍ୟ ବନ୍ଦ କରିଦେଇଥିଲେ। କିନ୍ତୁ ସୃଜନଶୀଳତା ପ୍ରତି ତାଙ୍କ ପ୍ରଗାଢ଼ ନିଷ୍ଠା ଓ ଅନୁରାଗ ତାଙ୍କୁ ପୁଣି କାମକୁ ଫେରାଇ ଆଣିଥିଲା। ୨୦୧୨ରେ ଷ୍ଟ୍ରୋକ୍ ହେବା ପରେ ମଧ୍ୟ ସେ କଳା ସୃଷ୍ଟି ବନ୍ଦ କରିନଥିଲେ ।

ସାରା ଜୀବନ ହକ୍ନି ସମ୍ମାନ ଅପେକ୍ଷା ସ୍ୱାଧୀନତାକୁ ବେଶି ମୂଲ୍ୟ ଦେଇଥିଲେ। ସେ “ନାଇଟହୁଡ୍” ପରି ଉଚ୍ଚ ସମ୍ମାନକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ବ୍ରିଟେନ ରାଣୀଙ୍କ ପ୍ରତିକୃତି ଆଙ୍କିବା ଆମନ୍ତ୍ରଣକୁ ମଧ୍ୟ ଗ୍ରହଣ କରିନଥିଲେ ।

ତାଙ୍କର ଏକ ପ୍ରସିଦ୍ଧ ଉକ୍ତି ଥିଲା, “Teaching people to draw is teaching people to look.” ଏହି ଚିନ୍ତାଧାରା ତାଙ୍କ ସମଗ୍ର କଳାଜୀବନର ସାରକଥା। ସେ କେବଳ ଚିତ୍ର ଆଙ୍କିନଥିଲେ; ସେ ଆମକୁ ପୃଥିବୀକୁ ନୂଆ ଆଖିରେ କେମିତି ନୂଆ ବାଗରେ ଦେଖିବାକୁ ହୁଏ ତାହା ଶିଖାଇଥିଲେ ।

୧୯୭୦ ଦଶକରୁ ହକ୍ନିଙ୍କର ଶୁଣିବା ଶକ୍ତି କମିବା ଆରମ୍ଭ ହୋଇଥିଲା। ୧୯୭୯ ମସିହାରୁ ସେ ହିୟରିଂ ଏଡ୍ ବ୍ୟବହାର କରୁଥିଲେ । ତା’ର କିଛି ବର୍ଷ ପୂର୍ବରୁ ସେ ନିଜେ ବୁଝିଯାଇଥିଲେ ଯେ ତାଙ୍କର ଶ୍ରବଣଶକ୍ତି ଧୀରେ ଧୀରେ ହ୍ରାସ ପାଉଛି। ସେ ଏକଦା କହିଥିଲେ ଯେ, ଶବ୍ଦ, ରଙ୍ଗ ଏବଂ ଆକୃତି ମଧ୍ୟରେ ସେ ଏକ ବିଶେଷ ପ୍ରକାରର ସମ୍ପର୍କ ଅନୁଭବ କରୁଛନ୍ତି ।

David Hockney iPad drawing

ଜୀବନର ଶେଷ ସମୟ ପର୍ଯ୍ୟନ୍ତ କଳାକର୍ମରେ ନିଜକୁ ବ୍ୟସ୍ତ ରଖିଥିବା ଡେଭିଡଙ୍କର ୧୯୬୦ ଦଶକର ପପ୍ ଆର୍ଟ ଓ ଲସ୍ ଆଞ୍ଜେଲସ୍‌ର ସୁଇମିଂ ପୁଲ୍ ଚିତ୍ର, ୟର୍କସାୟରର ବିଶାଳ ପ୍ରାକୃତିକ ଦୃଶ୍ୟ ଚିତ୍ର,ଡିଜିଟାଲ୍ ଓ ଆଇପ୍ୟାଡ୍‌ରେ ନିର୍ମିତ କଳାକୃତି ତାଙ୍କୁ ଭିନ୍ନ ପରିଚୟ ଦେଇଥିଲା । ୱି ଟୁ ବୟସ୍ ଟୁଗେଦର କ୍ଲିଙ୍ଗିଙ୍ଗ (1961),ଏ ରେକ୍ସ ପ୍ରୋଗ୍ରେସ୍ (1961–1963) ଏଚିଂ ସିରିଜ ,ଏ ବିଗର୍ ସ୍ପ୍ଲାଶ୍ (1967), ପୋର୍ଟ୍ରେଟ୍ ଅଫ୍ ଆନ୍ ଆର୍ଟିଷ୍ଟ (ପୁଲ୍ ୱିଥ୍ ଟୁ ଫିଗର୍ସ) (1972) ଆଦି କୃତି ଆଜି ବି କଳା ସମାଲୋଚକ ଓ କଳା ପ୍ରେମୀଙ୍କ ଗହଣରେ ବେଶ୍ ପ୍ରସିଦ୍ଧ ।

ଡେଭିଡ୍ ହକ୍ନି ଆଜି ଆଉ ଆମ ମଧ୍ୟରେ ନାହାନ୍ତି । ହକ୍ନିଙ୍କ ବିୟୋଗ ବିଶ୍ୱ କଳା ରାଜ୍ୟରେ ନିଶ୍ଚୟ ଏକ ଶୂନ୍ୟ ସ୍ଥାନ ତିଆରି କରିଛି । କିନ୍ତୁ ତାଙ୍କର କଳା, କଳା ଦର୍ଶନ, ମୌଳିକ ଚିନ୍ତାଧାରା ଏବଂ ସୃଜନଶୀଳତା ଆଗାମୀ ପିଢ଼ୀର ଶିଳ୍ପୀମାନଙ୍କୁ ସବୁବେଳେ ପ୍ରେରଣା ଦେଇଚାଲିବ ।

My Mother, 1982

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →

Leave a Reply

Your email address will not be published. Required fields are marked *