ଆସ, ଦେଖ ଓ ସାଙ୍ଗରେ ଛବି ଖଣ୍ଡେ ବି ନିଅ

ଥରେ ଭାବନ୍ତୁ ତ, ଯଦି ଜଣେ ଶିଳ୍ପୀ ତାଙ୍କ ଛବିକୁ ଗ୍ୟାଲେରୀ ଡିସପ୍ଲେରୁ ମାଗଣାରେ ଖୋଲି ନେବାକୁ ଦର୍ଶକ ବାପୁଡାକୁ ଅନୁମତି ଦିଅନ୍ତି? ମାନେ ଛବିକୁ କେବଳ ଗ୍ୟାଲେରୀ କାନ୍ଥରେ ଦେଖିବା ବଦଳରେ, ଯଦି ଶିଳ୍ପୀ ନିଜ କଳାକୃତିର ଏକ ଅଂଶ ଘରକୁ ନେଇଯିବାକୁ ଆପଣଙ୍କୁ ଅନୁମତି ଦିଅନ୍ତି? ତେବେ?

ଏମିତି କ’ଣ ସମ୍ଭବ କି? କଥାଟି ଗୋଟେ ଜୋକ୍ ପରି ଲାଗୁଚି ନା? କିନ୍ତୁ କଥାଟି ଆଦୌ ମଜା କଥା ନୁହେଁ କି ପ୍ରାଙ୍କ୍ ପରି କୌଣସି ଯୋଜନାର ଅଂଶ ନୁହେଁ ।

ଜଣେ ଚିତ୍ରଶିଳ୍ପୀ ଭାବରେ ମୁଁ ଜାଣିଛି ନିଜ ନିଜ କଳାକୃତିକୁ କେତେ ଦାୟିତ୍ୱର ସହ କଳାକାରମାନେ ସାଇତି ରଖନ୍ତି । କେହି କେହି ସେ ନେଇ ଅବଶ୍ୟ ଉଦାସୀନ ବି ଥାଆନ୍ତି । କିନ୍ତୁ ବଡ଼ ବଡ଼ ଗ୍ୟାଲେରୀ ସହ ଅନୁବନ୍ଧିତ ଶିଳ୍ପୀମାନଙ୍କୁ ସେମାନଙ୍କ କଳାକୃତିକୁ ଅତ୍ୟନ୍ତ ସତର୍କତାର ସହ ସଜାଡ଼ି ସାଇତି ରଖିବାକୁ ପଡ଼େ । ଚିତ୍ରର ବିକ୍ରିବଟା ପାଇଁ ଆର୍ଟ ଡିଲର, ଆର୍ଟ ସଂଗ୍ରାହକ ଅନେକ ପ୍ରକାରର ସତର୍କତା ଅବଲମ୍ବନ କରନ୍ତି । ଗ୍ୟାଲେରୀ ଓ ମ୍ୟୁଜିୟମର ପରିବେଶ ପ୍ରାୟତଃ ଅତ୍ୟନ୍ତ ଭାବଗମ୍ଭୀର ଥାଏ । ଦର୍ଶକଙ୍କୁ କଳାକୃତି ପାଖରୁ ଦୁରେଇ ରଖାଯାଏ । ନିର୍ଦ୍ଦିଷ୍ଟ ଦୂରତାରେ କଳାକୃତି ଦେଖିବାକୁ ପଡ଼େ । ଲେଖାଥିବ ‘ଡୁ ନଟ୍ ଟଚ୍’ । ତାପରେ ମୁଁ ବ୍ୟକ୍ତିଗତ ଭାବରେ ଜାଣିବାରେ ଅନେକ ନାମକରା ବ୍ୟାବସାୟିକ ଭାବରେ ସଫଳ ଚିତ୍ରଶିଳ୍ପୀ ସହଜରେ ତାଙ୍କ ଛୋଟ ଡ୍ରଇଂଟେ ବି କାହାକୁ ଦିଅନ୍ତିନି । ଭଲ ଦରରେ କିଣା – ବିକାଯାଉଥିବା ଚିଜକୁ ମାଗଣାରେ ଅବା କିଏ କାହାକୁ ଦିଅନ୍ତା ଯେ? ସାଧାରଣ ଦର୍ଶକଟେ ଭବ୍ୟ ଗ୍ୟାଲେରୀ ଭିତରକୁ ପଶିପାରେନି ଓ ଦୈବାତ୍ ପଶିଗଲେ ଖୁବ୍ ଶୀଘ୍ର ନିଜକୁ ଅପାଂକ୍ତେୟ ମନେକରେ । ଗ୍ୟାଲେରୀ କାହିଁକି, ସେ ତ କଳାର ତଥାକଥିତ ଉଚ୍ଚ ଚିନ୍ତନ ଭିତରକୁ ବି ପଶିପାରେନି । ସେଥିପାଇଁ ଅନେକ ସମୟରେ କିଛି କଳାକାର ବିଭିନ୍ନ ଉପାୟ କରି ଗ୍ୟାଲେରୀ ଓ ମ୍ୟୁଜିୟମର ଚାରି କାନ୍ଥ ଭିତରୁ କଳାକୁ ବାହାରକୁ ନେବାକୁ ପ୍ରଚେଷ୍ଟା କରିଛନ୍ତି । କେବେ ସଫଳ ହେଇଛନ୍ତି, କେବେ ଅସଫଳ ବି ହେଇଛନ୍ତି ।

ଆଜି ସେମିତି ଏକ ପ୍ରୟାସ ବିଷୟରେ କଥା ହେବା ।

ବ୍ରିଟିଶ ଶିଳ୍ପୀ ଓ ମଞ୍ଚ ଡିଜାଇନର ଏସ୍ ଡେଭ୍ଲିନ୍ ଙ୍କ ‘ସ୍କ୍ରିନ୍ ସେୟାର’, ୨୦୨୫ ଶୀର୍ଷକ ଏକ ଅଭିନବ ଇନଷ୍ଟଲେସନ ମୁୁମ୍ବାଇର ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଆର୍ଟ ହାଉସ୍ ରେ ଲାଗିଛି । ଆୟୋଜିତ ‘ସେକେଣ୍ଡ ନେଚର’ ଶୀର୍ଷକ ପ୍ରଦର୍ଶନୀରେ ଏହି ଇନଷ୍ଟଲେସନଟି ବର୍ତ୍ତମାନ ପ୍ରଦର୍ଶିତ ହେଉଛି । ପ୍ରଦର୍ଶନୀ ୩ ଜୁଲାଇ ୨୦୨୬ରୁ ଆରମ୍ଭ ହେଇ ୧୦ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଚାଲିବ । ଶହେ ଟଙ୍କା ବିନିମୟରେ ଆପଣ ସେ ପ୍ରଦର୍ଶନୀକୁ ବୁଲି ଦେଖିପାରିବେ। ‘ସେକେଣ୍ଡ ନେଚର’ ଆନ୍ତର୍ଜାତିକ ପ୍ରଦର୍ଶନୀଟି ନୀତା ମୁକେଶ ଅମ୍ବାନୀ କଲଚରାଲ୍ ସେଣ୍ଟରର ଚାରୋଟିଯାକ ମହଲାରେ ବ୍ୟାପ୍ତ ରହିଛି । ‘ସେକେଣ୍ଡ ନେଚର’ ଆନ୍ତର୍ଜାତିକ ପ୍ରଦର୍ଶନୀର କ୍ୟୁରେଟର ହେଉଛନ୍ତି Mollie Dent-Brocklehurst ଓ Margot Mottaz । ଏଥିରେ Random International, TeamLab, A.A. Murakami, Simon Heijdens ଏବଂ Es Devlin ଙ୍କ ନଅଟି ଇନଷ୍ଟଲେସନ ରହିଛି । ବଡ଼ କଥା ହେଲା ଏମାନଙ୍କର କାମ ଭାରତରେ ପ୍ରଥମଥର ପାଇଁ ହିଁ ପ୍ରଦର୍ଶିତ ହେଉଛି ।

ପ୍ରଥମ ଦେଖାରେ ‘ସ୍କ୍ରିନ୍ ସେୟାର’ ଏକ ବିଶାଳ ପରଦା ଭଳି ଅବଶ୍ୟ ଲାଗିବ । କାରଣ ସେଇ ପରଦା ଉପରେ ଏକ ଚଳଚ୍ଚିତ୍ରକୁ ପ୍ରୋଜେକ୍ସନ କରାଯାଉଛି । କିନ୍ତୁ ଏଇଟି ପ୍ରକୃତରେ କୌଣସି ପରଦା ନୁହେଁ । ସେଠି ୩୬୫ଟି ସ୍କେଚ୍ ବୁକ୍ ଏକାଠି ସଜେଇ ରଖି ଏହି ବିଶାଳ ପୃଷ୍ଠଭୂମି ତିଆରି କରାଯାଇଛି । ଚିତ୍ରଶିଳ୍ପୀମାନେ ସେମାନଙ୍କ ଧାରଣାକୁ ନୋଟ୍ ବୁକ୍ ଓ ସ୍କେଚ୍ ଖାତାରେ ଟିପି ରଖିଥା’ନ୍ତି । ସେହିପରି ସ୍କେଚ୍ ବୁକ୍ ଗୁଡ଼ିକରେ ଡେଭ୍ଲିନ୍ ଙ୍କ ପ୍ରାୟ ୨୫ ବର୍ଷର କଳାଜୀବନର ଚିତ୍ର, ଟିପ୍ପଣୀ ଓ ବିଭିନ୍ନ ଧାରଣାକୁ ଲେଖା ଓ ସ୍କେଚ୍ ମଧ୍ୟମରେ ଟିପି ରଖିଥିଲେ ।

ଶିଳ୍ପୀର ସ୍କେଚ୍ ଖାତା ଓ ନୋଟ୍ ବୁକ୍ ର ପୃଷ୍ଠାଗୁଡ଼ିକ ଆମକୁ ଶିଳ୍ପୀଙ୍କ କାମର ସେହି ଅଂଶ ଦେଖାଏ, ଯାହା ସାଧାରଣତଃ ତାଙ୍କର କଳାକୃତି ପଛରେ ଲୁଚି ରହିଯାଇଥାଏ । ଗୋଟେ ଗୋଟେ ଛବି ପଛରେ ଅନେକ ରଫ୍ ସ୍କେଚ୍ ର ରଞ୍ଜ ଘସ ରହିଥାଏ । କିଛି ଦେଖି ଲେଖିଥିବା ଟିପ୍ପଣୀ, ବିଭିନ୍ନ ପରୀକ୍ଷା, ନୂଆ ଭାବନା, ଚିତ୍ର ଆଙ୍କିବାର ଚେଷ୍ଟା ଏବଂ ହଠାତ୍ ମନକୁ ଆସିଥିବା ଦୃଶ୍ୟଧାରଣା ଆଦି ଜଣେ ଶିଳ୍ପୀଙ୍କ ସୃଜନଶୀଳ ଜୀବନରେ ଧୀରେ ଧୀରେ ସାଇତା ହୋଇ ରହିଥାଏ ।

ଏସ୍ ଡେଭ୍ଲିନ୍

ଏସ୍ ଡେଭ୍ଲିନ୍ ଙ୍କ ‘ସ୍କ୍ରିନ୍ସେୟାର’ କାମରେ ଲାଗିଥିବା ୩୬୫ଟି ସ୍କେଚ୍ ବୁକ୍ ଗୁଡ଼ିକ ଉପରେ ଏକ ଭିଡିଓ ପ୍ରୋଜେକ୍ସନ୍ ରହିଛି । ଭିଡିଓରେ ଅଛି ଭିଏତନାମର ନୃତ୍ୟଶିଳ୍ପୀ ଡାମ୍ ଭାନ୍ ହୁଏନ୍ ଙ୍କ ନୃତ୍ୟ । ଭାନ୍ ହୁଏନ୍ ଙ୍କର ପ୍ରାୟ ୨୦ ବର୍ଷ ପୂର୍ବରୁ ରେକର୍ଡ଼ ହୋଇଥିବା ତାଙ୍କ ଯୁବାବସ୍ଥାର ଭିଡିଓ ମଧ୍ୟ ଏଥିରେ ସାମିଲ ଅଛି । ଅର୍ଥାତ୍, ଗୋଟିଏ ମଣିଷର ଦୁଇଟି ସମୟର ଦୁଇଟି ରୂପ ଆମ ସାମ୍ନାରେ ଏକାଠି ଦେଖାଯାଏ । ଏହି ଦୃଶ୍ୟ କେବଳ ଜଣେ ଶିଳ୍ପୀଙ୍କ କାମ କରିବାର ପ୍ରକ୍ରିୟାକୁ ଦେଖାଏ ନାହିଁ । ଏହା ସମୟ କିପରି ବିତିଯାଏ, ମଣିଷ କିପରି ବୟସ୍କ ହୁଏ, ଆମ ସ୍ମୃତି କିପରି ପୁରୁଣା ଦିନକୁ ଧରି ରଖେ, ସେସବୁ କଥା ମଧ୍ୟ ଭାବିବାକୁ ବାଧ୍ୟ କରେ ।

କିନ୍ତୁ ଏହି କଳାକୃତିର ସବୁଠାରୁ ଆକର୍ଷଣୀୟ ଦିଗଟି ଆସେ ଶେଷରେ । ଭିଡିଓ ସିନେମା ଦେଖା ସରିଲା ପରେ ଶେଷରେ ଦର୍ଶକମାନେ ସ୍କେଚ୍ ବୁକ୍ ସଜା ଯାଇଥିବା ବିଶାଳ କାନ୍ଥ ନିକଟକୁ ଯାଇ ସେଥିରୁ ଗୋଟିଏ ପୃଷ୍ଠା କାଢ଼ି ଘରକୁ ନେଇପାରନ୍ତି । ଏହି ଛୋଟ ଅନୁମତିଟି ଶିଳ୍ପୀ, କଳାକୃତି ଓ ଦର୍ଶକଙ୍କ ମଧ୍ୟର ସମ୍ପର୍କକୁ ପୂରା ବଦଳାଇ ଦିଏ । ଦର୍ଶକ ଆଉ କେବଳ କଳାକୃତିକୁ ଦେଖୁଥିବା ଜଣେ ସାଧାରଣ ବ୍ୟକ୍ତି ହୋଇ ରହନ୍ତି ନାହିଁ । ସେ ନିଜେ କଳାକୃତିର ପରିବର୍ତ୍ତନରେ ଦାୟୀ ଏକ ଛୋଟ ଅଂଶକୁ ସାଙ୍ଗରେ ନିଅନ୍ତି । ଗୋଟେ ଛୋଟ ପୃଷ୍ଠା ସେଠାରୁ ହଟିଯିବା ପର ମୁହୂର୍ତ୍ତରେ ପୁରା ଇନଷ୍ଟଲେସନରେ ଛୋଟିଆ ପରିବର୍ତ୍ତନଟେ ଆସେ । ଟିକିଏ ଆଗରୁ ଯାହା ଥିଲା ତାହା ସଙ୍ଗେ ସଙ୍ଗେ ବଦଳିଯାଏ । ଧିରେ ଧିରେ ଏହି ପ୍ରକ୍ରିୟା ଦର୍ଶକଙ୍କ ସକ୍ରିୟ ଯୋଗଦାନରେ ବଦଳି ଚାଲେ ।

ଦର୍ଶକମାନଙ୍କ ଦ୍ୱାରା ଏମିତି ସ୍କେଚ୍ ବୁକ୍ ରୁ ପୃଷ୍ଠାଏ ଲେଖା ନେଇଯିବା ଦ୍ୱାରା ଏହି ବିଶାଳ କଳାକୃତିଟି ଧୀରେ ଧୀରେ ଛୋଟ ହୋଇଯିବ ଓ ଆଶା ଯେ ଶେଷରେ ଏହା ପ୍ରାୟ ଅଦୃଶ୍ୟ ହୋଇଯିବ । ଶିଳ୍ପୀଙ୍କ ପୁରା ପଚିଶ ବର୍ଷର କାମ ଲୋକଙ୍କ ପାଖକୁ ଚାଲିଯିବ । ଶେଷକୁ ବଳିଯିବ କେବଳ ଫାଙ୍କା କାନ୍ଥ ଓ ପ୍ରୋଜକ୍ସନ୍ ଚାଲିଥିବା ଭିଡିଓ । ସାଙ୍ଗରେ ନେଇଥିବା ଶିଳ୍ପୀଙ୍କ ପୃଷ୍ଠାଏ ଛବିକୁ କିଏ ହୁଏତ ସାଇତିବ ଓ କିଏ ହୁଏତ ଫିଙ୍ଗି ବି ଦେବ ।

ଏଠାରେ ଏକ ସୁନ୍ଦର ବିରୋଧାଭାସ ରହିଛି । ଜଣେ ଶିଳ୍ପୀ ନିଜର ପଚିଶ ବର୍ଷର ଚିତ୍ର ଓ ସୃଜନଶୀଳ ଜୀବନର ସ୍ମୃତିକୁ ସଞ୍ଚୟ କରି ରଖିଛନ୍ତି । କିନ୍ତୁ ସେହି ସଞ୍ଚିତ ଜିନିଷଗୁଡ଼ିକୁ ନେଇ ସେ ଏମିତି ଏକ କଳାକୃତି ତିଆରି କରିଛନ୍ତି, ଯାହା ଦିନକୁ ଦିନ ଭାଙ୍ଗି ଶେଷ ହୋଇଯିବା ପାଇଁ ହିଁ ତିଆରି ହୋଇଛି । ଶିଳ୍ପୀଙ୍କ ସଞ୍ଚିତ ଧାରଣା ଓ କାମ ଅତୀତ ସଂଗ୍ରହାଳୟ ଭିତରେ ବନ୍ଦ ହୋଇ ରହୁନାହିଁ । ଏହା ଦର୍ଶକମାନଙ୍କ ହାତ ଦେଇ ସେମାନଙ୍କ ଘରକୁ ଚାଲିଯାଉଛି ।

ଏପରି ଏକ ଇନଷ୍ଟଲେସନ୍ ଓ ତା’ ପଛର ଧାରଣା ଆଜିର ଶିଳ୍ପୀମାନଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଏ । ସାଧାରଣତଃ ଜଣେ ଶିଳ୍ପୀଙ୍କ ସ୍କେଚ୍ କୁ ତାଙ୍କର ମୂଳ କଳାକୃତି ନୁହେଁ, ବରଂ ତାହା ତିଆରି ହେବା ପୂର୍ବର ଏକ ପ୍ରସ୍ତୁତି ବୋଲି ଧରାଯାଏ । ଡେଭ୍ଲିନ୍ ଏହି ଧାରଣାକୁ ଓଲଟାଇ ଦେଇଛନ୍ତି । ଏଠାରେ ସ୍କେଚ୍ ବୁକ୍ କେବଳ ତାଙ୍କ ସୃଜନ ପ୍ରକ୍ରିୟାର ପ୍ରମାଣ ନୁହେଁ; ସେହି ସୃଜନ ପ୍ରକ୍ରିୟା ହିଁ କଳାକୃତିର ମୁଖ୍ୟ ବିଷୟ ପାଲଟିଛି ।

ଏଥିରେ ଏକ ଉଦାର ଭାବନା ମଧ୍ୟ ରହିଛି । ଦର୍ଶକଙ୍କୁ କୌଣସି ଛାପା ପ୍ରତିକୃତି କିମ୍ବା ସ୍ମାରକ ଜିନିଷ କିଣିବାକୁ କୁହାଯାଉନାହିଁ । ତାଙ୍କୁ ଦିଆଯାଉଛି ମୂଳ କଳାକୃତିର ଏକ ଅଂଶ । ଯେଉଁ ବ୍ୟକ୍ତି ଗୋଟିଏ ପୃଷ୍ଠା ନେଇ ଘରକୁ ଯାଉଛନ୍ତି, ସେ ନିଜ ସହିତ ଶିଳ୍ପୀଙ୍କ ସୃଜନଶୀଳ ଜୀବନର ଏକ ଛୋଟ ଅଂଶ ବି ନେଇଯାଉଛନ୍ତି । ଅନ୍ୟପଟେ, ସେହି ପୃଷ୍ଠାଟି ହଟିଯିବା ସହିତ ଗ୍ୟାଲେରୀରେ ଥିବା କଳାକୃତିଟି ଗୋଟେ ଦିଗରୁ ଅସମ୍ପୂର୍ଣ୍ଣ ହୋଇଯାଉଛି ଓ ଅନ୍ୟ ଏକ ଦିଗରୁ ସମ୍ପୂର୍ଣ୍ଣ ବି ହେଉଛି।

କୌଣସି ଏକ କଳାକୃତିର ଅର୍ଥବହନ ପାଇଁ ତାହା ସବୁବେଳେ ଏକାଭଳି, ସମ୍ପୂର୍ଣ୍ଣ ଓ ସ୍ଥାୟୀ ରହିବା ଦରକାର ନାହିଁ । ବେଳେବେଳେ ଗ୍ୟାଲେରୀରୁ ବାହାରି ଲୋକଙ୍କ ଜୀବନରେ ପହଞ୍ଚିବା ପରେ ହିଁ ଏକ କଳାକୃତିର ନୂଆ ଜୀବନ ଆରମ୍ଭ ହୁଏ । ବୋଧହୁଏ ଏହା ହିଁ ‘ଝମrରରଦ୍ଭଗ୍ଦଷବrର’ର ମୂଳ କଥା ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →

Leave a Reply

Your email address will not be published. Required fields are marked *