ମୋ ପାଖରେ ଏମିତି ଜଣେ ଲୋକର କାହାଣୀ ଅଛି ଯାହାର କାଭ କେବଳ କାହାଣୀ କହିବା। ମୁଁ ତା’କୁ ଆଗରୁ ଅନେକ ଥର କହିଛି ଯେ ସେ ଯାହା ଯାହା କହିଛି ସେଇ କାହାଣୀ ଗୁଡିକୁ ମୁଁ ଆଦୌ ବିଶ୍ୱାସ କରିନାହିଁ।
“ତମେ ଖାଲି ମିଛ କୁହ ,” ମୁଁ କହିଥିଲି। ” କାହାକୁ ଯେମିତି ବାଧିବ ନାହିଁ ତମେ ସେଇଭଳି ମଧୁର ଭାବରେ କଥାଟି କହୁଚ, ଘଟଣାଟିକୁ ବନେଇଚୁନେଇ କହୁଚ, ଆଉ ଯେମିତି ହେଉ ପଛକେ ଏମିତି କଥା କହି କହି ତମେ ଅସଲରେ ମୋର ଗୋଡକୁ ଟାଣିବା ଭଳି କାମରେ ସବୁବେଳେ ଲାଗିଥାଅ !”
ଏମିତି ଯାହା କହିଥିଲି ଏହାର ତା’ ଊପରେ ସେଭଳି କୌଣସି ପ୍ରଭାବ ନଥିଲା। ସେ ନିଧଡକ ଭାବରେ କାହାଣୀ କହି ଚାଲୁଥିଲା ଆଉ ଯେତେବେଳେ ମୁଁ ଟିକିଏ ବଡ ପାଟିରେ ଚିତ୍କାର କରି କହିଥିଲି, “ତମେ ମିଥ୍ୟାବାଦୀ, ତମେ ବାକଚାତୁରୀ କରୁଛ,ତମର କାମ କେବଳ ଗୋଡଟଣା !” ସେ ମୋତେ ଗୋଟିଏ ଦୀର୍ଘ ସମୟ ନିରେଖି ଦେଖିବା ଭଳି ଦୃଷ୍ଟିରେ ଚାହିଁଥିଲା, ମଥାକୁ ଟିକିଏ ସମର୍ଥନରେ ତଳକୁ କରିଥିଲା, ମୁହଁ ରେ ତାହାର ସେତେବେଳେ ଥିଲା ଫିକା ହସ ଆଉ ତାହାପରେ ସେ ଏପରି ଆସ୍ତେ ଆଉ ମଧୁର ଗଳାରେ ମୋତେ ଯାହା କହିଥିଲା ସେଥିରେ ମୋତେ ଭାରି ଲାଜ ମାଡିଥିଲା। ସେ ସେତେବେଳେ କହିଥିଲା : “ଆମେରିକା ବୋଲି କିଛି ମୁଲକ ନାହିଁ”।
ଖାସ୍ ତାହାର ଅଶ୍ୱସ୍ତିକୁ ଦୂର କରିବା ପାଇଁ, ମୁଁ ତାହାକୁ କଥା ଦେଇଥିଲି ମୁଁ ତାହାର କାହାଣୀକୁ ନିଶ୍ଚୟ ଲେଖିବି।
ଏହାର ଆରମ୍ଭ ପାଞ୍ଚଶହ ବର୍ଷ ପୂର୍ବେ,ରାଜାଙ୍କ ଦରବାରରେ,ରାଜା ଥିଲେ ସ୍ପେନ୍ ର ରାଜା। ଗୋଟିଏ ଉଆସ, ରେଶମ ଆଉ ମଖମଲ, ସୁନା, ରୂପା, ଶ୍ମଶ୍ରୁପୂରିତ, ତୂରୀବାଦକ, ଝାଡବତୀ, ପରିଚାରକ ଆଉ ପରିଚାରିକା; ଭୋର ହୁଅନ୍ତେ ସେଇ ଦରବାରୀମାନେ ଜଣେ ଆରଜଣକ ପେଟରେ ଛୁରୀ ଭୂଷିଦେବାର ଆୟୋଜନ କରୁଥିଲା , ଯିଏକି ବିଗତ ରାତିରେ ଆଉ ଜଣେ କାହାର ପାଦତଳେ ବସି ପୃଥିବୀ ସମସ୍ୟାର ସମାଧାନ ପାଇଁ ଭୂଇଁରେ ଖଡିଗାର ଟାଣୁଥିଲା । କ୍ଷୁଦ୍ର ଦୁର୍ଗର ଦୃଷ୍ଟିନିରୀକ୍ଷଣର ଉଚ୍ଚ ଗମ୍ବୁଜରେ ପ୍ରହରାରତ ସୈନିକମାନେ ଖୁସିଗପରେ ମାତିଥିଲେ । ଏବଂ ସମ୍ବାଦବାହକ ମାନେ ଯିଏ କି ନିଜ ନିଜର ଘୋଡାର ପିଠିରୁ ଡିଆଁ ମାରୁଥିଲେ ଆଉ ସମ୍ବାଦବାହକ ମାନେ ଯେଉଁମାନେ କି ଘୋଡାପିଠିରେ ସବାର ହେବାପାଇଁ ହାଉଦାରେ ପାଦ ରଖିସାରିଥିଲେ, ରାଜାଙ୍କର ଅସଲି ବନ୍ଧୁ ଆଉ ନକଲି ବନ୍ଧୁ, ସୁନ୍ଦର ଏବଂ ଭୟାବହ ରମଣୀଗଣ ଏବଂ ମଦ୍ୟ, ଏବଂ ଉଆସର ଚାରିପଟେ ରହିଥିବା ଲୋକମାନେ ଏଇ ସବୁର ଖର୍ଚ୍ଚ ପ୍ରଦାନ କରିବା ବ୍ୟତୀତ ଆଉ ଅଧିକ କିଛି ଚିନ୍ତା କରି ପାରୁନଥିଲେ।
ହେଲେ ରାଜା ବି ଅଧିକ ଭଲ ଜୀବନଟିଏ କେମିତି ହେବ ତାହାର ବିଷୟରେ ସେମିତି କୌଣସି ଚିନ୍ତା କରିବାକୁ ଅସମର୍ଥ ଥିଲେ, ଏବଂ ସେ ଯାହା ହେଉ ନା କାହିଁକି ଜଣେ ବଂଚିଥାଏ, ବିଳାସରେ ହେଉ କି ଦାରିଦ୍ର୍ୟରେ,ସ୍ଥାନଟି ମାଦ୍ରିଦ ହେଉ କି ବାର୍ସିଲୋନା ଅବା ଆଉ କେଉଁ ଇଲାକା, ଶେଷରେ ଦେଖିବା ବେଳକୁ ଏହା ସେଇ ଏକାପ୍ରକାରର, ସମାନ ଏକଘଷା ରୁଟିନ ଆଉ ଏହା ଫଳରେ ଏହାକୁ ନେଇ ଜଣେ ଜଣେ ଅବସାଦଗ୍ରସ୍ତ ହୋଇଯାଆନ୍ତି। ଲୋକମାନେ ଯିଏ ଯେଉଁଠି ବି ରହିଥାଉ ,ଉଦାହାରଣ ସ୍ୱରୂପ, କଳ୍ପନା କରାଯାଉ ଯେ ବାର୍ସିଲୋନା ହେଉଛି ଗୋଟିଏ ସୁନ୍ଦର ସ୍ଥାନ,ଆଉ ସେଇ ବାର୍ସିଲୋନାରେ ରହୁଥିବା ଲୋକଟିଏ ବି ଇଚ୍ଛାକରୁଛି ସେ ଯେମିତି ଆଉ କେଉଁଠିକୁ ଭ୍ରମଣରେ ଯିବ।
ଦରିଦ୍ରଟିଏ କଳ୍ପନା କରେ ଯେ ରାଜା ଭଳି ଜୀବନଟିଏ ଯଦି ବଞ୍ଚିହୁଏ ତେବେ ତାହା ଭାରି ଭଲ,ଆଉ ସେମାନେ ଯାବତୀୟ ଦୁଃଖକୁ ଭୋଗୁଛନ୍ତି ଏଇଥିପାଇଁ ଯେ ରାଜା ସବୁବେଳେ ଭାବିଥାଏ ଯେ ଦରିଦ୍ର ହୋଇ ରହିବା ହିଁ ଜଣେ ଦରିଦ୍ର ପକ୍ଷରେ ଉପଯୁକ୍ତ କଥା।
ସକାଳେ ରାଜା ନିଦରୁ ଉଠନ୍ତି, ରାତିରେ ସେ ବିଛଣାକୁ ଯାଆନ୍ତି,ଆଉ ସାରାଟା ଦିନ ସେ ଖାଲି ଅବସାଦରେ ଆଉ ଚିନ୍ତାରେ, ପରିଚାରକମାନଙ୍କୁ ନେଇ, ତାଙ୍କର ସୁନା, ରୂପା, ମଖମଲ, ରେଶମ ଆଉ ସେ ନିଜର ମହମବତୀକୁ ନେଇ ଅବସାଦଗ୍ରସ୍ତ।ତାଙ୍କର ଶେଜଟି ବିଶାଳ ସୌନ୍ଦର୍ଯ୍ୟରେ ମଣ୍ଡିତ ଥାଏ,ହେଲେ ସେଇଠି ତମକୁ ଆଉ ଅଧିକ କିଛିକରିବାର ନଥାଏ କେବଳ ଶୋଇବା ବ୍ୟତୀତ।
ପରିଚାରକମାନେ ସକାଳେ ନିଜନିଜର ମଥାକୁ ତଳକୁ କରି ତାଙ୍କୁ ଅଭିବାଦନ ଜଣାଇଥାନ୍ତି, ଆଜି ସକାଳେ ସେମାନେ ନିଜନିଜର ମଥାକୁ ଯେତିକି ତଳକୁ କରି ଅଭିବାଦନ କରିଥିଲେ ଗଲା କାଲି ଆଉ ତା’ଆଗ ସକାଳ ଏମିତି ଗୋଟିକ ପରେ ଗୋଟିଏ ସକାଳରେ ସେମାନେ ତାଙ୍କ ଆଗରେ ନିଜନିଜର ମଥାକୁ ସମାନ ସେତିକି ତଳକୁ କରି ଅଭିବାଦନ ଜଣାଇ ଆସୁଛନ୍ତି ଆଉ ରାଜା ଏଥିରେ ଅଭ୍ୟସ୍ତ, ଏପରି ଅଭ୍ୟସ୍ତ ଯେ ସେ ଏହା ପ୍ରତି ଟିକିଏ ବୋଲି ଦୃଷ୍ଟିପାତ କରନ୍ତି ନାହିଁ। କିଏ ତାଙ୍କର ଶ୍ରୀହସ୍ତକୁ କଣ୍ଟାଚାମୁଚଟିଏ ବଢାଇଦେଇଥାଏ, ଲୋକ ତାଙ୍କୁ ଛାମୁ ମଣିମା ବୋଲି ଡାକିଥାନ୍ତି,ତାହା ଛଡା ସେଇ ସମ୍ବୋଧନ ରେ ଆହୁରି କେତେକ ସୁନ୍ଦର ସୁନ୍ଦର ବିଶେଷଣମାନ ବି ଯୋଡାଯାଇଥାଏ, ଆଉ ତାହା ହିଁ ଯଥେଷ୍ଟ।
କେହି କେବେ ତାଙ୍କୁ କହିନାହିଁ : “ତୁ ଗୋଟାଏ ନିର୍ବୋଧ,ତୁ ଗୋଟାଏ ମନ୍ଦବୁଦ୍ଧି”, ଆଉ ସେମାନେ ଆଜି ଯାହା ଯାହା ତାଙ୍କୁ ସେମାନେ କହିବେ ବା କହିଥିଲେ ଅବିକଳ ସେଇ ସବୁ କଥା ସେମାନେ ତାଙ୍କୁ ଗଲା କାଲି ବି କହିଛନ୍ତି।
ଘଟଣା ସବୁ ଠିକ୍ ଏହି ପରି।
ଆଉ ସେଇଥିପାଇଁ ରାଜା ନିଜର ଦରବାରରେ ନିର୍ବୋଧମାନଙ୍କୁ ରଖିଥାନ୍ତି।
ସେମାନଙ୍କର ଯାହା ଇଚ୍ଛା ସେଭଳି କାମ କରିବାପାଇଁ ସେମାନଙ୍କୁ ଅନୁମତି ଦିଆ ଯାଇଛି, ଏବଂ ସେମାନଙ୍କର ଯେମିତି ଇଚ୍ଛା ସେମିତି ସେମାନେ କହିଥାନ୍ତି, ଯାହାଦ୍ୱାରା ରାଜା ଯେମିତି ହସନ୍ତି , ଏବଂ ଯେତେବେଳେ ସେମାନଙ୍କ ଆଡକୁ ଚାହିଁ ସେ ଆଉ ଅଧିକ ହସି ପାରୁନାହାଁନ୍ତି ସେତେବେଳେ ସେମାନଙ୍କର ମୁଣ୍ଡକାଟ ବା ସେଇଭଳି ସମାନକିଛି କଥା ଘଟିବା ପାଇଁ
ନିର୍ଦ୍ଦେଶ ରହିଛି।
ଏଇ ଭଳି ଏକଦା ଜଣେ ନିର୍ବୋଧ ଶବ୍ଦଗୁଡିକ ଭିତରେ ଗୋଳମାଳ କରିଦିଏ। ରାଜାଙ୍କୁ ତାହା ଭାରି କୌତୁକିଆ ଲାଗେ। ନିର୍ବୋଧ ଜଣକ କହିଥିଲା ” ମୁଁଛାମାଣିମ” ଯେତେବେଳେ କି ତାହାର କହିବାର ଥିଲା “ମଣିମାଛାମୁଁ”, ଠିକ୍ ସେମିତି ସେ “ଉଆସ” ଜାଗାରେ କହିଥିଲା “ସଆଉ” ଆଉ “ସୁପ୍ରଭାତ” ସ୍ଥାନରେ “ତଭାପ୍ରସୁ”।
ମୁଁ ଭାବେ ଏହା ତୁଚ୍ଛ କଥା,ହେଲେ ରାଜା ଏହାକୁ ଯଥେଷ୍ଟ କୌତୁକପ୍ରଦ ବୋଲି ମନେ କରିଥିଲେ। ଗୋଟିଏ ଦୀର୍ଘ ଛଅମାସ ର ସମୟ ସେ ନିରବଚ୍ଛିନ୍ନ ଭାବରେ ଏହା ଏକ କୌତୁକ ବୋଲି ଭାବି ଆସୁଥିଲେ , ଜୁଲାଇ ମାସର ୭ ତାରିଖ ଯାଏଁ, ଏବଂ ୮ ତାରିଖ ଦିନ, ଯେତେବେଳେ ସେଇ ନିର୍ବୋଧ ଜଣକ ତାଙ୍କର ସାମ୍ନାରେ ମଥାନତ କରି ଅଭିବାଦନ କଲାବେଳେ କହିଥିଲା “ନାପହାଁଜ” , ରାଜା କହିଥିଲେ, “ଏଇ ନିର୍ବୋଧକୁ ନିପାତ କରାଯାଉ।”
ଆଉଜଣେ ନିର୍ବୋଧ, କ୍ଷୁଦ୍ରକାୟ ,ସାମାନ୍ୟ ମୋଟା, ତାହାର ନାଆଁ ପେପେ, ରାଜାଙ୍କୁ ଆମୋଦିତ କରିପାରିଥିଲା ଆଉ ତାହାର ଅବଧି ଥିଲା ମାତ୍ର ଚାରୋଟି ଦିନ । ରାଜା ତାହାର ଏଇ ଭଳି କାର୍ଯ୍ୟରେ ଖୁବ୍ ହସି ଥିଲେ,ତାହାର କାର୍ଯ୍ୟଟି ଥିଲା ରାଜକୀୟ ଭଦ୍ରମହିଳା,ଭଦ୍ରବ୍ୟକ୍ତି, ରାଜପୁତ୍ର, ରାଜପ୍ରତିନିଧି,ଜମିଦାର ଆଉ ବୀରପୁରୁଷ ମାନଙ୍କର ଚୌକିକୁ ଖୋଜି ଖୋଜି ତାହାକୁ ଟାଣି ଆଣି ସେଥିରେ ପରସ୍ତେ ମହୁ ବୋଳି ଚାଲି ଚାଲିବା। ଚତୁର୍ଥ ଦିନରେ ସେ ରାଜାଙ୍କ ସିଂହାସନରେ କିଛି ବିଶୁଦ୍ଧ ମହୁକୁ ଯାଇ ବୋଳିଥିଲା ଏବଂ ଏହା ଆଉ ହସାଇ ପାରିନଥିଲା
ମହାମହିମ ରାଜାଙ୍କୁ ଏବଂ ଏହା ପରଠାରୁ ପେପେ ଆଉ ଅଧିକ ସମୟ ଗୋଟିଏ ନିର୍ବୋଧ ହୋଇ ରହି ପାରିନାହିଁ।
ରାଜା ପୃଥିବୀର ସବୁଠାରୁ ଭୟଙ୍କର ଏପରି ଗୋଟିଏ ନିର୍ବୋଧକୁ ବର୍ତ୍ତମାନ ନିଜପାଇଁ ଆଣିଥିଲେ। ସେ ତ ଦେଖିବାକୁ କଦାକାର, ଏକା ସମୟରେ ହାଡୁଆ ଆଉ ପୃଥୁଳ ଥିଲା,ପତଳା ଆଉ ଗୋଲଗାଲ୍, ତାହାର ବାଆଁ ଗୋଡଟିରେ ସେ ବକ୍ରପାଦ। କେହି କେବେ ସଠିକ ଜାଣି ପାରି ନାହିଁ ଯେ ସେ କଥା କହିପାରିବାକୁ ସମର୍ଥ କି ନା ଆଉ ଜାଣିଶୁଣି ସେ ଠିକ୍ ଚୁପ୍ ହୋଇଯାଏ କି ନା ଅଥବା ସେ ଗୋଟିଏ ମୂକ ଥିଲା କି ନା। ତାହାର ଆଖିରେ ଭରିରହିଥିଲା ସର୍ବଦା ଏକ ବିଦ୍ୱେଷଭରା ଅଭିବ୍ୟକ୍ତି , ତାହାର ମୁହଁଟି ଯେମିତି ସବୁବେଳେ ରାଗରେ ଫଣଫଣ ; ତାହା ସଂପର୍କରେ କେବଳ ଗୋଟିଏ ବୋଲି ଆନନ୍ଦର କଥା ରହିଥିଲା ତାହା ହେଉଛି ତାହାର ନାଆଁଟି : ସମସ୍ତେ ତା’କୁ ଜନି ବୋଲି ଡାକୁଥିଲେ।
କିନ୍ତୁ ସେ ଯେଉଁ ଭଳି ଭାବରେ ହସିବାକୁ ଲାଗେ ତାହା ସବୁଠୁ ଭୟଙ୍କର ଥିଲା।
ତାହାର ଶାନ୍ତ କ୍ଷୁଦ୍ର ଆଉ ନିରୁଦବେଗ ତଳପେଟରୁ ଏହାର ଆରମ୍ଭ, ଥଲଥଲ ହୋଇ ଉପରକୁ ଉଠେ, ଆସ୍ତେ ଆସ୍ତେ ପାଲଟିଯାଏ ଗୋଟିଏ ହେଉଡି,ଜନିର ମୁହଁଟି ନିର୍ଗମ ଦ୍ୱାର , ଯେଉଁ ପର୍ଯ୍ୟନ୍ତ ଏହା ଫାଟି ନପଡିଛି ସେଯାଏଁ ସେ ଅଣନିଃଶ୍ୱାସୀ,ବିଷ୍ଫୋରଣ, ଚିତ୍କାର ; ତାହାପରେ ସେ ନିଜର ପାଦକୁ ଖୁବ୍ ଜୋର୍ ରେ ଭୂଇଁରେ କଚାଡିବାକୁ ଲାଗେ ଆଉ ନାଚିବାକୁ ଲାଗେ ଆଉ ହସିବାକୁ ଲାଗେ; ଏବଂ ରାଜା ଏଥିରେ ଆମୋଦିତ ହେଉଥାନ୍ତି; ଅନ୍ୟମାନଙ୍କର ମୁହଁ ଫିକା ପଡିଯାଇଥାଏ , ସେମାନେ ଥର ଥର ହୋଇ କମ୍ପିବାରେ ଲାଗନ୍ତି, ସେମାନେ ସେତେବଳେ କେବଳ ଭୟରେ ହିଁ ଥାଆନ୍ତି । ଏବଂ ଯେତେବେଳେ ଉଆସର ଆଖପାଖରେ ରହୁଥିବା ଲୋକେ ଏଇ ହସକୁ ଶୁଣିବାକୁ ପାଇଲେ,
ସେମାନେ ଘରର କବାଟ ଝରକାକୁ ପ୍ରଥମେ କିଳିଦେବାରେ ଲାଗିଗଲେ, ଝରକାର ପଛପଟେ ଲାଗିଥିବା କାଚକୁ ଭଲଭାବରେ ବନ୍ଦ କରିଦେଲେ, ତାହା ପଛର ପରଦା ସବୁକୁ ଭଲଭାବରେ ଟାଣି ନେଇଥିଲେ,ପିଲାମାନଙ୍କୁ ଜୋର୍ କରି ଶେଜରେ ଶୁଆଇଦେବାକୁ ଲାଗିଲେ ଆଉ ତାହା ପୂର୍ବରୁ ସେମାନଙ୍କ କାନରେ ଭର୍ତ୍ତି କରିଦେଇଥିଲେ ମେଞ୍ଚାଏ ମେଞ୍ଚାଏ ତୂଳା।
ଜନି ଭଳି ହସ ଥିଲା ପୃଥିବୀର ସବୁଠାରୁ ଭୟଙ୍କର ହସ।
ରାଜା ଅସଲରେ କ’ଣ କହୁଥିଲେ ସେଥିପ୍ରତି ବେଖବର ରହି ଜନି ସବୁବେଳେ ତାହାର ନିଜ ଭଳି ହସି ଚାଲିଥିଲା ।
ରାଜା ଏପରି କିଛି କଥା କହିଥାନ୍ତି ଯାହା ଆଉ କାହାକୁ ହସେଇ ପାରିବ ନାହିଁ,ମାତ୍ର ଜନି ହସି ଚାଲୁଥିଲା। ଏବଂ ଦିନେ ରାଜା କହିଥିଲେ :
“ଜନି,ମୁଁ ତୋତେ ଫାଶୀରେ ଝୁଲାଇବାକୁ ଯାଉଛି।”
ଏବଂ ଜନି ହସିଥିଲା,ଦୂରଦୂରାନ୍ତକୁ ଗର୍ଜନଶୀଳ ଶୁଭୁଥିଲା ସେ ହସ, ଏପରି ହସ ସେ ଆଗରୁ କେବେ ହସିନଥିଲା।
ତାହାପରେ ରାଜା ସ୍ଥିର କରିଥିଲେ ଯେ ଆସନ୍ତାକାଲି ଜନିକୁ ଫାଶିଦଣ୍ଡ ଦିଆଯିବ। ତା’ପାଇଁ ଗୋଟିଏ ନୂଆ ଫାଶିମଞ୍ଚ ସେ ତିଆରି କରିବା ପାଇଁ ହୁକୁମ ଦେଇଥିଲେ , କହିବାକୁ ଗଲେ ରାଜା ତାଙ୍କର ଏପରି ନିଷ୍ପତ୍ତିକୁ ନେଇ ନିହାତି ଗମ୍ଭୀର ଥିଲେ; ଫାଶିମଞ୍ଚର ନିହାତି ପାଖରେ ଜନିର ହସକୁ ଶୁଣିବାପାଇଁ ତାଙ୍କର ଇଚ୍ଛା ବଳିଥିଲା। ତାହାପରେ ରାଜ୍ୟର ସମସ୍ତ ଜନଗଣ ଉପସ୍ଥିତ ହୋଇ ଏଇ କୁତ୍ସିତ ଦୃଶ୍ୟକୁ ଯେମିତି ପ୍ରତ୍ୟକ୍ଷ କରନ୍ତି ସେଇଥିପାଇଁ ସେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ହେଲେ ଲୋକମାନେ ନିଜନିଜର ଘରଦ୍ୱାରର କବାଟ କିଳି
ଯୁଆଡେ ପାଇଲେ ସେମିତି ଗୋପନ ସ୍ଥାନକୁ ପଳାୟନ କରିବାକୁ ଲାଗିଲେ ଆଉ ସେଇ ଫାଶିଦିନର ସକାଳେ ଦେଖାଗଲା ସେଇଠି ଉପସ୍ଥିତ ରହିଛନ୍ତି ରାଜା ଆଉ ଘାତକ, ଘାତକର ସହକାରୀ କେତେଜଣ ଥିଲେ,ଆଉ ଥିଲା ହସକୁରା ଜନି।
ତାହାପରେ ସେ ତାଙ୍କର ପରିଚାରକମାନଙ୍କୁ ବଡ ପାଟିରେ ନିର୍ଦ୍ଦେଶ ଦେଲେ : “ଜନଗଣଙ୍କୁ ଏଠିକୁ ଅଣାଯାଉ !” ପରିଚାରକମାନେ ସାରା ସହରକୁ ଖୋଜିଖୋଜି ଜଣେ କାହାକୁ ପାଇଲେ ନାହିଁ , ଏବଂ ରାଜା ରାଗରେ ଥରଥର ହେଉଥିଲେ, ଆଉ ଜନି ହସିବାରେ ଲାଗିଥାଏ।
ସବାଶେଷରେ ତାଙ୍କର ପରିଚାରକମାନେ ଗୋଟିଏ ବାଳକକୁ ଖୋଜି ପାଇଥିଲେ, ତାହାକୁ ସେମାନେ ଟାଣି ଟାଣି ରାଜାଙ୍କ ଆଗକୁ ଆଣିଥିଲେ । ପିଲାଟି ଛୋଟ, ମୁହଁଟି ଶୁଖିଲା, ଆଉ ନିରୀହ, ରାଜା ତାହାକୁ ନିଜ ହାତରେ ଫାଶିମଞ୍ଚକୁ ଦେଖାଇଥିଲେ, ନିର୍ଦ୍ଦେଶ ଦେଇଥିଲେ ସେ ଯେମିତି ଏହାକୁ ଦେଖେ ।
ପିଲାଟି ଫାଶିମଞ୍ଚଟିକୁ ଦେଖିଲା,ହସିଲା, ଦୁଇହାତରେ ତାଳି ବଜେଇଲା, ସେ ଆଶ୍ଚର୍ଯ୍ୟରେ ଅଭିଭୂତ ଆଉ କହିଥିଲା : “ତମେ ନିଶ୍ଚୟ ଜଣେ ଭଲ ରାଜା ଯିଏ ପାରାମାନେ ବସିବା ପାଇଁ ଏପରି ଗୋଟିଏ ଜାଗାର ତିଆରି କରିଛି, ଦିଇଟି ଆଗରୁ ହେଇ ଏହାର ଉପରେ ବସିଛନ୍ତି ।”
“ତୁ ଗୋଟାଏ ନିର୍ବୋଧ”ରାଜା କହିଲେ,”ତୋ ନାଆଁ କ’ଣ ?”
“ମୁଁ ଜଣେ ନିର୍ବୋଧ, ମିଃ ରାଜା ଆଉ ମୋ ନାଆଁ ହେଉଛି କଲୋମ୍ବୋ ମୋ ମାଆ ମୋତେ ଡାକେ କଲୁମ୍ବାଇନ ।”
“ତୁ ନିର୍ବୋଧ” ରାଜା କହିଲେ, “ତୋ ପରିକା ଜଣକୁ ଆଜି ଫାଶି ଦିଆ ହେବ ଏଇଠି ।”
“ତାହେଲେ ,ତାହାର ନାଆଁ କ’ଣ ?” କଲୁମ୍ବାଇନ ପଚାରିଲା, ଆଉ ଯେତେବେଳେ ସେ ସେଇ ନାଆଁଟିକୁ ଶୁଣିବାକୁ ପାଇଲା , ସେ କହିଥିଲା,” କେଡେ ସୁନ୍ଦର ନାଆଁ । ତାହେଲେ ତାହାଳ ନାଆଁ ହେଉଛି ଜନି। ଏଇ ଭଳି ଯାହାର ଗୋଟିଏ ସୁନ୍ଦର ନାଆଁ ରହିଛି ତାହାକୁ କେମିତି ଜଣେ ଫାଶି ଦେଇ ପାରିବ?”
“ତାହାରି କାରଣ ହେଉଛି ତାହାର ହସଟି ଭାରି ଉତ୍କଟ “ରାଜା କହିଲେ ଆଉ ସେ ଜନିକୁ ହସିବା
ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂଆଗ ଦିନ ରେ ସେ ଯେମିତି ହସିଥିଲା ତାହା ଅପେକ୍ଷା ଜନିର ଏଇ ହସଟି ଥିଲା ଦିଗୁଣ ଭୟଙ୍କର।
କଲୁମ୍ବାଇନ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା,ଆଉ ତାହାପରେ ସେ କହିଥିଲା :ମିଃ ରାଜା,ତମକୁ କ’ଣ ଏହା ଭୟଙ୍କର ଲାଗେ ?” ରାଜା ଆଶ୍ଚର୍ଯ୍ୟ ହୋଇଯାଇଥିଲା ଆଉ କୌଣସି ଉତ୍ତର ଭାବିପାରିନଥିଲେ ଆଉ କଲୁମ୍ବାଇନ କହି ଚାଲୁଥିଲା :” ବିଶେଷରେ ସେ ଯେମିତି ପ୍ରକାରେ ହସୁଛି ମୁଁ ତାହାକୁ ପସନ୍ଦ କରୁନି, ମାତ୍ର ପାରାଗୁଡିକ ତଥାପି ଫାଶିଖୁଣ୍ଟର ଉପରେ ବସି ରହିଛନ୍ତି ; ଏଇ ହସ ସେମାନଙ୍କୁ ଟିକିଏ ବି ଡରାଇ ପାରୁନି ; ସେମାନଙ୍କ ପାଇଁ ଏଇ ହସ କୌଣସି ଡରିବା ଭଳି କଥା ନୁହଁ। ପାରାମାନଙ୍କର ଶୁଣିବା ଶକ୍ତି ଅତି ପ୍ରଖର। ତମର ଜନିକୁ ଛାଡିଦେବାକୁ ହେବ ।”
ରାଜା ଏ ବିଷୟରେ ଘଡିଏ ଚିନ୍ତା କଲେ ଆଉ କହିଥିଲେ :” ଜନି, ତୋତେ ଛାଡିଦିଆ ଯାଉଛି।”
ଆଉ ଜନି,ସେଇ ପ୍ରଥମ ଥର,ଗୋଟିଏ ଶବ୍ଦ କହିଥିଲା : ” ଧନ୍ୟବାଦ ।” କଲୁମ୍ବାଇନ ର ଉଦ୍ଦେଶ୍ୟରେ ସେ ଏହା କହିଥିଲା, ତାହାର ମୁହଁରେ ଥିଲା ଗୋଟିଏ ଭଲ ମଣିଷର ମୁର୍କି ହସ, ସେ ତାହାପରେ ସେଇଠୁ ଚାଲିଯାଇଥିଲା।
ରାଜାଙ୍କ ପାଖରେ ରହିଲାନାହିଁ କୌଣସି ଆଉ ଗୋଟିଏ ନିର୍ବୋଧ ।
“ମୋ ସାଙ୍ଗରେ ଆ” ରାଜା କଲୁମ୍ବାଇନକୁ କହିଲେ।
ରାଜାଙ୍କର ପରିଚାରକ ଆଉ ପରିଚାରିକା ମାନେ, ରାଜାଙ୍କ ଅନୁଗତ ସାମନ୍ତ ଆଉ ବାକି ସମସ୍ତେ,ଯଦିଓ, ମନେ ମନେ ଧରିନେଇଥିଲେ ଯେ ଏଇ କଲୁମ୍ବାଇନ ଥିଲା ରାଜାଙ୍କର ନୂତନ ନିର୍ବୋଧ।
କିନ୍ତୁ କଲୁମ୍ବାଇନ ଆଦୌ ଖୁସିରେ ଫାଟି ପଡୁନଥିଲା । ସେ ସେଇଠି ଛିଡା ହୋଇ ରହିଥିଲା ଆଉ ଆଶ୍ଚର୍ଯ୍ୟଚକିତ ଥିଲା,ସେମିତି କିଛି କହୁନଥିଲା ଆଉ ବଡକଥା ଜମା ହସୁନଥିଲା,ସେ କେବଳ ସ୍ମିତହାସ୍ୟ କରୁଥିଲା ଆଉ ସେଥିରେ ହସୁ ନଥିଲେ କେହି ଜଣେ ବି।
“ସେ ମୂର୍ଖ ନୁହଁ ,ସେ ଗୋଟାଏ ନିର୍ବୋଧ” ଲୋକେ କୁହାକୁହି ହେଉଥିଲେ ଆଉ କଲୁମ୍ବାଇନ
କହିଲା:” ମୁଁ ମୂର୍ଖ ନୁହଁ,ମୁଁ ଗୋଟାଏ ନିର୍ବୋଧ।”
ଆଉ ଲୋକମାନେ ତା’ଆଡକୁ ଚାହିଁଲେ ଆଉ ବହେ ହସିଥିଲେ।
ଯଦି ରାଜା ଏଇକଥାକୁ ଆଗରୁ ଜାଣିଥାନ୍ତେ ତାହେଲେ ତାଙ୍କର କ୍ରୋଧର ସୀମା ଆଉ ରହିନଥାନ୍ତା ,କିନ୍ତୁ କଲୁମ୍ବାଇନ ଏଇକଥାକୁ କେବେହେଲେ ଉଲ୍ଲେଖ କରିନଥିଲା,ସେଯାହା ହେଉ ସମସ୍ତେ ଯେତେବେଳେ ତାହାକୁ ନେଇ ଏଇଭଳି ହସିବାକୁ ଲାଗିଲେ ସେଥିରେ ସେ କିଛି ମନେ କରିନଥିଲା।
ରାଜାଙ୍କ ଦରବାରରେ ବଳୁଆ ଆଉ ଚତୁର ଲୋକ ରହିଥିଲେ, ରାଜା ଥିଲେ ଜଣେ ରାଜା, ନାରୀମାନେ ସୌନ୍ଦର୍ଯ୍ୟମୟୀ ଥିଲେ ଆଉ ପୁରୁଷମାନେ ଥିଲେ ସାହାସୀ, ହାସପାତାଳ, ବିଦ୍ୟାଳୟ,କାରାଗାର ଆଦିରେ କାର୍ଯ୍ୟରତ ଖ୍ରୀଷ୍ଟାନ ପୁରୋହିତମାନେ ଆଉ ରୋଷଘରର ପରିଚାରିକା ମାନେ ବିଶ୍ୱାସନିଷ୍ଠ ଥିଲେ-କେବଳ କଲୁମ୍ବାଇନ, କଲୁମ୍ବାଇନ ହିଁ କହିବାକୁ ଗଲେ କିଛି ନଥିଲା।
ଯେତେବେଳେ ଜଣେ କିଏ କହିଥିଲା : “ଆଗକୁ ଆ,କଲୁମ୍ବାଇନ ଆ, ଆସି କି ଲଢ୍ ମୋ ସାଙ୍ଗରେ”, କଲୁମ୍ବାଇନ ଉତ୍ତର ଦେଇଥିଲା :”ମୁଁ ତମଠାରୁ ଢେର୍ ଦୁର୍ବଳ ।”
ଯେତେବେଳେ ଜଣେ କିଏ କହିଥିଲା : “ସାତ ର ଦିଗୁଣେ କେତେ ?” କଲୁମ୍ବାଇନ ଉତ୍ତର ଦେଇଥିଲା, “ମୁଁ ତମଠାରୁ ଡେର୍ ବେଶି ନିର୍ବୋଧ।”
ଯେତେବେଳେ ଜଣେ କିଏ କହିଥିଲା : ” ତୋର କ’ଣ ଏତିକି ହିମ୍ମତ ଅଛି ଯେ ତୁ କହିବାମାତ୍ରକେ ଝରଣାର ଏପଟରୁ ସେପଟକୁ ଡିଆଁ ମାରି ପାରିବୁ ?” କଲୁମ୍ବିଆନ ଉତ୍ତର ଦେଇଥିଲା : “ନା, ମୋର ସେତେ ହିମ୍ମତ ନାହିଁ।”
ଏବଂ ଯେତେବେଳେ ରାଜା ପଚାରିଥିଲେ : ” କଲୁମ୍ବାଇନ୍, ତୁ କ’ଣ ହେବାକୁ ଚାହୁଁଚୁ ?” କଲୁମ୍ବାଇନ ଉତ୍ତର ଦେଇଥିଲା : ” ମୁଁ ଆଉ କିଛି ଗୋଟିଏ ହେବାକୁ ଚାହୁଁନାହିଁ, ମୁଁ ତ ଏମିତି କିଛି ହିଁ ହୋଇ ଆଗରୁ ରହିଛି, ମୁଁ କଲୁମ୍ବାଇନ୍।”
ରାଜା କହିଲେ : “ହେଲେ ତୋତେ କିଛି ହେବାକୁ ପଡିବ “, ଆଉ କଲୁମ୍ବାଇନ ପଚାରିଥିଲା : ” ଏମିତି କ’ଣ କ’ଣ ରହିଛି ଯାହା ଜଣେ ହୋଇପାରିବ ?”
ତାହାପରେ ରାଜା କହିଥିଲେ : ” ସେଇ ଦାଢୀବାଲା ଲୋକଟା,ଯାହାର ମୁହଁଟା ଶୁଖିଲା ଚମଡା ପରି ଧୂସର ,ସେ ହେଉଛି ଗୋଟାଏ ପୋତଚାଳକ,ଯାହାକୁ କୁହାଯିବ ଗୋଟାଏ ଜଳପଥଦେଖାଳୀ। ଗୋଟିଏ ପୋତଚାଳକ ହେଉଛି ଏପରି ଜଣେ ଯିଏ ସେଇ ଭଳି ହିଁ ହେବାକୁ ଚାହିଁଥିଲା, ସେ ସମୁଦ୍ର ରେ ଯାତ୍ରା କରେ ଆଉ ତାହାର ରାଜାଙ୍କ ପାଇଁ ନୂଆ ନୂଆ ଦେଶକୁ ଆବିଷ୍କାର କରିଥାଏ ।”
“ଯଦି ଆପଣ ମୋତେ ଏପରି ହେବା ଚାହାଁନ୍ତି,ପ୍ରିୟ ରାଜା ଆମର “, କହିଥିଲା କଲୁମ୍ବାଇନ,” ମୁଁ ତାହେଲେ ଜଣେ ପୋତଚାଳକ ହେବି ।”
ରାଜାଙ୍କ ଦରବାରରେ ଉପସ୍ଥିତ ଥିବା ସମସ୍ତେ ଏଥିରେ ଜୋର୍ ରେ ହସି ଉଠିଥିଲେ।
ଏବଂ କଲୁମ୍ବାଇନ ସେଇଠୁ ଦୌଡି ପଳାଇ ଥିଲା, ସିଂହାସନ ରହିଥିବା ସେଇ ଘରଟିର ଭିତରୁ ବାହାରକୁ, ଆଉ କାନ୍ଦି କାନ୍ଦି କହିଥିଲା :” ମୁଁ ଦେଶ ଆବିଷ୍କାର କରିବି,ମୁଁ ଗୋଟିଏ ଦେଶ ଆବିଷ୍କାର କରିବି! “
ଲୋକମାନେ ପରସ୍ପରକୁ ଚାହିଁଥିଲେ ଆଉ ନିଜନିଜର ମଥାକୁ ସମର୍ଥନ କରିବାର ଭଙ୍ଗିରେ ଟିକିଏ ଟିକିଏ ହଲାଇଥିଲେ, ଏବଂ କଲୁମ୍ବାଇନ ଉଆସର ବାହାରକୁ ତାହାପରେ ଦୌଡି ପଳାଇ ଯାଏ , ସହରର ଭିତରେ ଆଉ କ୍ଷେତ ଯାଏଁ, ସେଇ କୃଷକଟିର ନିକଟରେ ଯାଇ ପହଞ୍ଚେ ଯିଏ କ୍ଷେତର ଭିତରେ ଛିଡା ହୋଇଥିଲା ଆଉ ଦେଖୁଥିଲା ତାହାର ଏଇ ଦୌଡ, କଲୁମ୍ବାଇନ ତାହାପରେ ଚିତ୍କାର କରି କହେ: “ମୁଁ ଗୋଟିଏ ଦେଶ ଆବିଷ୍କାର କରିଛି, ମୁଁ ଗୋଟିଏ ଦେଶ ଆବିଷ୍କାର କରିଛି ! “
ଏବଂ ତାହାପରେ ସେ ଦୌଡି ଦୌଡି ପହଞ୍ଚିଯାଏ ଗୋଟିଏ ବନସ୍ତରେ ଆଉ ସେଇଠି ସେ କେତେ ସପ୍ତାହ ଧରି ଗଜୁରିଉଠୁଥିବା ଗଛବୃଚ୍ଛର ଭିତରେ ନିଜକୁ ଲୁଚାଇ ରଖେ, ଆଉ କେତେ ସପ୍ତାହ ଧରି କେହି ଆଉ କଲୁମ୍ବାଇନ ର କୌଣସି ଖବର ପାଆନ୍ତି ନାହିଁ , ରାଜାଙ୍କର ଭାରି ମନଦୁଃଖ ଆଉ ସେ ନିଜକୁ ନିଜେ ଧିକ୍କାର କରୁଥାନ୍ତି, ଆଉ ସମସ୍ତ ସଭାସଦଗଣ ଲଜ୍ଜିତ ମନେ କରୁଥାନ୍ତି କାହିଁକି ଯେ ସେମାନେ ସେତେବେଳେ କଲୁମ୍ବାଇନର କଥାରେ ସେପରି ହସିଥିଲେ !
ଏବଂ କିଛି ସପ୍ତାହ ପରେ ୱାଚଟାୱାର ସ୍ଥିତ ଚାରିଆଡକୁ ସତର୍କ ଦୃଷ୍ଟି ରଖୁଥିବା ପ୍ରହରୀଜଣକ ଯେତେବେଳେ ଆନନ୍ଦରେ ନାଚି ଉଠିଥିଲା ସେମାନେ ଭାରି ଖୁସି ହୋଇ ଯାଇଥିଲେ, କଲୁମ୍ବାଇନ କ୍ଷେତ ପାଖକୁ ଫେରି ଆସିଛି,ସହର ଭିତର ଦେଇ, ସହରର ପ୍ରବେଶ ପଥର ଦରଜା ବାଟ ଦେଇ। ସେ ଯାଇ ରାଜାଙ୍କ ପାଖରେ ସିଧା ପହଞ୍ଚିଥିଲା ଆଉ କହିଥିଲା : ” ପ୍ରିୟ ରାଜା ମୋର, କଲୁମ୍ବାଇନ ଗୋଟିଏ ଦେଶକୁ ଆବିଷ୍କାର କରିଛି !” ଏବଂ ଯେହେତୁ ସଭାସଦମାନେ କଲୁମ୍ବାଇନର ଉପରେ ଆଉ ହସିବା ପାଇଁ ଇଚ୍ଛା କରୁନଥିଲେ,ତେଣୁ ସେମାନଙ୍କର ମୁହଁ ସବୁ ଗମ୍ଭୀର ଥିଲା ଆଉ ସେମାନେ ପଚାରିଥିଲେ : ” ସେଇ ଦେଶଟିର ନାଆଁଟି କ’ଣ ? ଆଉ ତେବେ ସେଇଟି କେଉଁଠି ରହିଛି ?”
“ଏହାକୁ ଏଯାଏଁକୌଣସି ନାଆଁରେ ତଥାପି ଡକାଯାଇନାହିଁ, କାରଣ ମୁଁ ଏହାକୁ ଏଇମାତ୍ର ଆବିଷ୍କାର କରିଛି , ଆଉ ଏହା ରହିଛି ସୁଦୂର ସମୁଦ୍ରର ଭିତରେ”, କହିଥିଲା କଲୁମ୍ବାଇନ।
ତାହାପରେ ସେଇ ଦାଢିବାଲା ପୋତଚାଳକ ତଥା ଜଳପଥଦେଖାଳୀ ଜଣକ ଉଠି ଠିଆ ହେଲା ଆଉ କହିଥିଲା : “ଠିକ୍ ଅଛି, କଲୁମ୍ବାଇନ, ମୁଁ, ଆମେରିଗୋ ଭେସିପୁସି, ସେଇ ଦେଶଟିକୁ ନିଜେ ଦେଖିବାକୁ ଯିବି । ତାହେଲେ ଏବେ ମୋତେ କହ ମୁଁ ସେଠିକୁ କେମିତି ଯାଇପାରିବି ।”
“ତମେ ସମୁଦ୍ର ଯାତ୍ରାରେ ବାହାରିପଡ, ଆଉ ସବୁବେଳେ ସିଧା ଆଗକୁ ଆଗକୁ ଯାଅ,ଏବଂ ତମକୁ ନିରନ୍ତର ତମର ସମୁଦ୍ର ଯାତ୍ରାକୁ ଜାରି ରଖିବାକୁ ପଡିବ ଯେଉଁ ପର୍ଯ୍ୟନ୍ତ ତମେ ସେଇ ଦେଶରେ ଯାଇ ପହଞ୍ଚିନାହଁ ଆଉ ମଝିରୁ ତମେ ଯେମିତି ଏଇ ଯାତ୍ରାକୁ ଛାଡି ଆଉ କୁଆଡେ ଯାଇନାହଁ ସେଥିପ୍ରତି ନିଶ୍ଚିତ ଦୃଷ୍ଟି ରଖିଥିବ” କହିଥିଲା କଲୁମ୍ବାଇନ, ଆଉ ଏଇ କଥା କହିବା ବେଳେ ସେ ଭୟରେ ଥରଥର ହୋଇ କମ୍ପୁଥିଲା, କାରଣ ସେ ମିଛ କହିଥିଲା, ଆଉ ସେ ଭଲ କରି ଜାଣିଥିଲା ଯେ ସେଇ ଦେଶ ଭଳି କୌଣସି ମୁଲକ ନାହିଁ , ଏବଂ ତାହାପରଠାରୁ ରାତିସାରା ସେ ଆଉ ଭଲ ଭାବରେ ଶୋଇପାରୁନଥିଲା।
ମାତ୍ର ଆମେରିଗୋ ଭେସିପୁସି ନିଜର ସନ୍ଧାନ ଯାତ୍ରାରେ ବାହାରି ପଡିଥିଲେ।
କେହି କେବେ ଜାଣିନାହିଁ କେଉଁ ଦିଗରେ ନିର୍ଦ୍ଦିଷ୍ଟ ଥିଲା ତାଙ୍କର ସମୁଦ୍ର ଯାତ୍ରା।
ହୁଏତ ସେ ବି ସେଇଭଳି ନିଜକୁ ଗୋପନ କରି ରଖିଥିଲେ କେଉଁ ଏକ ଗଭୀର ବନସ୍ତରେ।
ତାହାପରେ ଉତ୍ସବର ଆନନ୍ଦଧ୍ୱନୀ ଶୁଭିଥିଲା ଆଉ ଆମେରିଗୋ ଫେରି ଆସିଥିଲେ।
କଲୁମ୍ବାଇନ ଲାଜରେ ବୁଡିଯାଇଥିଲା ଆଉ ସେଇ ପ୍ରଖ୍ୟାତ ପୋତଚାଳକ ତଥା ଜଳପଥଦର୍ଶକଙ୍କ ମୁହଁକୁ ସେ ସିଧା ଚାହିଁବା ପାଇଁ ସାହସ ସଂଚୟ କରିପାରୁନଥିଲା । ଭେସିପୁସି ରାଜାଙ୍କ ଆଗରେ ଛିଡା ହୋଇଥିଲେ, ସେ କଲୁମ୍ବାଇନ ଆଡକୁ ଚାହିଁ ଆଖିମିଟିକା ମାରିଲେ, ଆଉ ଟିକିଏ ବଡ ପାଟିରେ ଆଉ ପରିଷ୍କାର ଭାବରେ ଯେମିତି ସମସ୍ତେ ଶୁଣିପାରିବେ ସେଇଭଳି କହିଥିଲେ : ” ପ୍ରିୟ ରାଜା ମୋର” , ତାହା ଯାହା ସେ କହିଥିଲେ,” ପ୍ରିୟ ରାଜା ମୋର, ସେମିତି ଗୋଟିଏ ଦେଶ ଅଛି।”
କଲୁମ୍ବାଇନ ଏତେ ଖୁସି ହୋଇଯାଇଥିଲା ଯେ ଭେସିପୁସି ନିଜର ଅଜାଣତରେ ତାହାକୁ ଜଣେଇଦେଇ ନଥିଲେ ଯେ ସେ ତାଙ୍କ ପାଖକୁ ଦୌଡିଯାଇଥିଲା ଆଉ ଭାବାବେଶରେ ଚିତ୍କାର କରି କହିଥିଲା : “ଆମେରିଗୋ, ମୋ ପ୍ରିୟ ଆମେରିଗୋ।”
ଏବଂ ଲୋକମାନେ ମନେ କରିଥିଲେ ଯେ ସେଇଟି ଥିଲା ସେଇ ଦେଶର ନାଆଁ, ,ଆଉ ସେମାନେ ସେଇ ଦେଶ ଯାହା ର ଅସ୍ତିତ୍ୱ ନାହିଁ ତାହାକୁ ସେଇ ନାଆଁରେ ଡାକିବାକୁ ଲାଗିଲେ, ” ଆମେରିକା।”
“ତୁ ଏଇଲେ ଗୋଟିଏ ଲୋକ ହୋଇଗଲୁଣି ” ରାଜା କଲୁମ୍ବାଇନ କୁ କହିଥିଲେ,” ଏବେଠାରୁ ତୋତେ ଡକାଯିବ କଲମ୍ବସ।”
ଏବଂ କଲମ୍ବସ ବିଖ୍ୟାତ ହୋଇଗଲା, ସମସ୍ତେ ତାହାକୁ ଆଶ୍ଚର୍ଯ୍ୟର ଅନାଇ ରହିଥାନ୍ତି ଆଉ ପରସ୍ପରକୁ ଫୁସଫୁସ କରି କହୁଥାନ୍ତି :” ଇଏ ହେଉଛି ସେଇ ଲୋକ ଯିଏ ଆମେରିକା ଆବିଷ୍କାର କରିଛି।”
ଏବଂ ସମସ୍ତେ ବିଶ୍ୱାସ କରୁଥିଲେ ଯେ ସେଇଠି ଆମେରିକା ବୋଲି ଗୋଟିଏ ଦେଶ ରହିଛି, କେବଳ କଲମ୍ବସ ଏଇ ବିଷୟରେ ନିଶ୍ଚିତ ନଥିଲା କିନ୍ତୁ ଜୀବନଯାକ ସେ ଏହାକୁ ସନ୍ଦେହ କରି ଆସିଛି,ଆଉ ସେ କେବେହେଲେ ସେଇ ଜଳପଥଦର୍ଶକକୁ ପଚାରିପାରିନାହିଁ ଯେ ଅସଲ ସତଟି କ’ଣ !
କିନ୍ତୁ ଯଥାଶିଘ୍ର ଅନ୍ୟମାନେ ଆମେରିକା ଉଦ୍ଦେଶ୍ୟରେ ଜଳଯାତ୍ରା ଆରମ୍ଭ କରିଥିଲେ ଆଉ ଯଥାଶିଘ୍ର ତାହାପରେ ଆହୁରି ଆହୁରି ଅନେକେ;
ଏବଂ ଯେଉଁମାନେ ଫେରିଆସୁଥିଲେ ସେମାନେ ଦାବୀ କରି କହୁଥିଲେ : “ସେଇଠି ଆମେରିକା ବୋଲି ଏପରି ଗୋଟିଏ ମୁଲକ ରହିଛି।”
“ମୋ କଥା କହିଲେ” ଯେଉଁ ଲୋକ ଜଣକ ମୋତେ କାହାଣୀଟି କହୁଥିଲା ସେ କହିଲା ,
” ମୁଁ ଆମେରିକାକୁ କେବେ ଯାଇନାହିଁ । ମୁଁ ଜାଣିନାହିଁ ସେଇଠି ଆମେରିକା ବୋଲି ଗୋଟିଏ ମୁଲକ ଅଛି କି ନାହିଁ । ହୁଏତ ଲୋକେ ଖାଲି ବାହାନା କରୁଛନ୍ତି ଯେ ସେଇଭଳି ମୁଲକଟିଏ ରହିଛି, ଯାହା ଫଳରେ କି କଲୁମ୍ବାଇନର ଭିତରେ ନିରାଶା ସୃଷ୍ଟି ହେବନାହିଁ । ଏବଂ ଯେତେବେଳେ ଦିଜଣ ନିଜନିଜ ଭିତରେ ଆମେରିକା ବିଷୟରେ କଥା ହେଉଛନ୍ତି ସେତେବେଳେ ପରସ୍ପର ପରସ୍ପର ଆଡକୁ ଚାହିଁ ତଥାପି ଆଖିମିଟିକା ମାରୁଛନ୍ତି, ଏବଂ ସେତେବେଳେ ସେମାନେ କ୍ୱଚିତ ଆମେରିକାର ନାଆଁ ପାଟିରେ ଧରୁଛନ୍ତି ,ଏବଂ ସାଧାରଣତଃ ସେତେବେଳେ ନିହାତି ଅସ୍ପଷ୍ଟ ଭାବରେ ସେମାନେ କହୁଛନ୍ତି ସେଇଟି ଗୋଟିଏ “ରାଜ୍ୟ ସମୂହ” ବା “ସେଠାରେ ” ବା ସେଇ ଭଳି କିଛି।
” ହୁଏତ ଯେଉଁ ଲୋକମାନେ ଆମେରିକା କୁ ଯିବାପାଇଁ ଇଚ୍ଛା କରୁଥିଲେ ସେମାନେ କଲୁମ୍ବାଇନ ର କାହାଣୀକୁ ଶୁଣିଥିଲେ,ଉଡାଜାହଜରେ ଯିବାବେଳେ କି ଜଳଜାହାଜରେ ଯାଉଥିବା ବେଳେ, ଏବଂ ତାହାପରେ ସେମାନେ ଯାଇ ଆଉ କେଉଁଠି ଲୁଚି ପଡୁଥିଲେ ଆଉ ସେଇ ଲୁଚିବା ଜାଗାରୁ ପରେ ଫେରି ଆସୁଥିଲେ ଆଉ କାଉବୟ କି ନଭଶ୍ଚୁମ୍ବୀ ଅଟ୍ଟାଳିକାମାନଙ୍କର କଥାକୁ ବନେଇଚୁନେଇ କହିଚାଲୁଥିଲେ, ନାଏଗ୍ରା ଜଳପ୍ରପାତର କଥା କହୁଥିଲେ ଆଉ ମିସିସିପିର କଥା, ନିୟୁୟର୍କ ବିଷୟରେ ଆଉ ସାନ ଫ୍ରାନସିସକୋ, ତାହାରି ବିଷୟରେ।
ତାହା ଯେଉଁ ଭଳି ହେଉ ନା କାହିଁକି ସେମାନେ ସମସ୍ତେ ଗୋଟିଏ କାହାଣୀ ହିଁ କହୁଥିଲେ, ସେଇ ସମସ୍ତ କାହାଣୀକୁ ସେମାନେ କହିଚାଲୁଥିଲେ ଯାହାସବୁ ସେମାନଙ୍କୁ ସେଠିକି ଯାତ୍ରା ଆରମ୍ଭ କରିବା ଆଗରୁ ଜଣାଥିଲା, ଏବଂ ତାହାହିଁ ଯେତେକ ସନ୍ଦେହର ମୂଳ ଉତ୍ସ, ଆପଣମାନେ ନିଶ୍ଚୟ ମାନିବେ।
” କିନ୍ତୁ ଲୋକମାନେ ତଥାପି ବିତର୍କ କରୁଛନ୍ତି କଲମ୍ବସ ଲୋକଟି ଅସଲରେ କିଏ ଥିଲା ।
“ମୁଁ ଜାଣିଛି ସେ ଥିଲା କିଏ ।”
°°°°°

ପିଟର ବିକସେଲ୍ (୧୯୩୫-୨୦୨୫) ସ୍ୱିଜରଲାଣ୍ଡ ଜନ୍ମିତ କିନ୍ତୁ ଜର୍ମାନ୍ ଭାଷାର ଜଣେ ଅତ୍ୟନ୍ତ ଚର୍ଚ୍ଚିତ ଲେଖକ ଏବଂ ସାମ୍ବାଦିକ।
ପିଟର ବିକସେଲ୍ ଙ୍କ କୃତି ରେ ଆମେ ଗଭୀର ମନନ ଏବଂ ଅଦ୍ଭୁତ ସଂବେଦନଶୀଳତାକୁ ଦେଖିବାକୁ ପାଇଥାଉ। ଗୋଟିଏ ସାଧାରଣ ଘଟଣାର ସ୍ଫୁଲିଙ୍ଗ ଆମ ଭିତରେ ଜାରିତ କରିଥିବା ଆବେଗର ବଡବାନଳର ସମୁତ୍ସବ, ଆମର ନିତ୍ୟନୈମିତ୍ତିକ ଜୀବନର ଆଢୁଆଳରେ ଲୁଚିବସିଥିବା ଲୁଚକାଳିର ହୁଁ ମାରୁଥିବା ଅଭିଳାଷ, ପିଟର ବିକସେଲ୍ ଙ୍କ କାହାଣୀର ମୂଳପିଣ୍ଡ। ଗୋଟିଏ କ୍ଷୁଦ୍ର ପରିସରରେ ସଂପ୍ରେଷିତ କ୍ଷମତା ସ୍ୱୈରାଚାରକୁ ସେ ଏପରି ଭାବରେ ଆମ ସାମ୍ନାରେ ଉପସ୍ଥାପନ କରିଥାନ୍ତି ଯେଉଁଠି ଆମେ ରୁଦ୍ଧଶ୍ୱାସ ଭାବରେ ଅପେକ୍ଷା କରିଥାଉ ଯିବା ଯିବା ହେଉଥିବା ଜିନ୍ ଟି କେଉଁ ମୁହୂର୍ତ୍ତରେ ଅଲକ୍ଷରେ ନୁହଁ ଆମ ସାମ୍ନାରେ ବୋତଲ ଭିତରେ ପ୍ରବେଶ କରିଯିବ ଆଉ ଆମେ ବୋତଲର ଠିପିଟିକୁ ବନ୍ଦ କରିବା ପାଇଁ ଘଡିଏ ଡେରି କରିବୁ ନାହିଁ।
ପିଟର ବିକସେଲ୍ ଙ୍କ ଏଇ କାହାଣୀକୁ ପାଠ କଲେ ଯେଉଁ ପ୍ରମୁଖ କଥାଟି କାହାଣୀର ସଂରଚନା ଦୃଷ୍ଟିରୁ ଆମକୁ ପ୍ରଭାବିତ କରିବ ତାହା ହେଉଛି କାହାଣୀ ପାଇଁ କୌଣସି କଥାକାରର ବଳିଷ୍ଠ ଯୁକ୍ତି,ତାର୍କିକତା,ଏବଂ ବଖାଣବୋଧ। ସବୁ କାହାଣୀର ଯୁକ୍ତି ଯେ କାହାଣୀରେ “ଏହା ପରେ ଘଟିଲା କ’ଣ” ତାହାରି ଭିତରେ ସଂକୁଚିତ ହେବ ଏପରି ନୁହଁ। ଲୋକ କଥାର ଯୁକ୍ତି, କୁହୁକବାସ୍ତବତାର ଯୁକ୍ତି,ବିବରଣୀର ଯୁକ୍ତି, ଦର୍ଶନର ଯୁକ୍ତି, ଅଦ୍ଭୁତପଣର ଯୁକ୍ତି ସବୁ ଭିନ୍ନ।
ପିଟର ବିକସେଲ୍ ଙ୍କ ଏଇ କାହାଣୀକୁ ପାଠ କଲେ ଆପଣ ସ୍ପଷ୍ଟ ଦେଖିପାରିବେ ଯେ ଗୋଟିଏ ବଳିଷ୍ଠ ଯୁକ୍ତିର ଆଧାରରେ ଗୋଟିଏ କାହାଣୀକୁ କେଉଁ ଭଳି ଦୃଢ ଭାବରେ ଛିଡା କରାଯାଇପାରେ।

