ମୂଳ ଇଂରାଜୀ : ରୁଦୟାଦ କିପଲିଙ୍ଗ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ
କ୍ଷୁଦ୍ର ଦୃଷ୍ଟିହୀନ ମାଛ, ସମୁଜ୍ଜଳ ତମେ ପ୍ରଖର ବିଦ୍ୱାନ
କ୍ଷୁଦ୍ର ଦୃଷ୍ଟିହୀନ ମାଛ, ଆଖିକୁ ତମର କିଏ କଲା ନିର୍ବାପନ ?
କାନ ଡେରି ଶୁଣ, ଗୁଣୁଗୁଣୁ କରୁଛି ମୋ କାମନା ସମସ୍ତ
ବରଦାନ କର ପ୍ରେମିକ ଏକ ,ତମେ କ୍ଷୁଦ୍ର
ଦୃଷ୍ଟିହୀନ ମାଛ।
: ବିଶରର ଟୁଣୁକା
କେହି କେହି ସ୍ଥାନୀୟ ଲୋକ କହିଥାନ୍ତି ଯେ ଏହା କୁଲୁ ଆରପଟରୁ ଆସିଛି ,ଯେଉଁଠି ରହିଛି ମର୍କତ ନୀଳମଣିରେ ଗଢା ଗୋଟିଏ ଏଗାର ଇଞ୍ଚ ଉଚ୍ଚତାର ମନ୍ଦିର। ଅନ୍ୟମାନେ କହିଥାନ୍ତି ଏହା ପ୍ରଥମେ ତିବ୍ବତର ଆଓଚୁଙ୍ଗ ଠାରେ ଥିବା ସୟତାନ-ପୀଠରେ ଗଢା ହୋଇ ସେଇଠି ଢେର୍ ଦିନ ହେଲା ରହିଥିଲା, ସେଇଠୁ ଏହାକୁ ଚୋରି କରିନେଇଥିଲା ଜଣେ କାଫେର,ସେଇ କାଫେର୍ ଠାରୁ ଜଣେ ଗୁର୍ଖା,ଏବଂ ସେଇ ଗୁର୍ଖାଠାରୁ ପୁଣି ଜଣେ ହିମାଚଳର ଲାହୁଲି ଭାଷୀ ବାସିନ୍ଦା , ସେଇ ଲାହୁଲି ଭାଷୀ ହିମାଚଳର ବାସିନ୍ଦା ଠାରୁ ପୁଣି ଜଣେ ଖିଦମତଗାର,ଏବଂ ସବାଶେଷ ଲୋକଟି ଅର୍ଥାତ୍ ସେଇ ଖିଦମତଗାର ଜଣକ ଏହାକୁ ବିକ୍ରି କରିଦେଇଥିଲା ଜଣେ ଇଂରେଜକୁ, ଏଇ ଭଳି ଯେତେ ଯାହା ଘଟିଯାଇଥିଲା ତାହାଫଳରେ ଦେଖାଯାଇଥିଲା କି ଗୋଟିଏ ହାତରୁ ଆଉ ଗୋଟିଏ ହାତକୁ ଏପରି ନିୟମିତ ହସ୍ତାନ୍ତରିତ ହୋଇଚାଲିଥିବା ଫଳରେ ଏହାର ସମସ୍ତ ମୂଳ ଗୁଣ ଆଉ ଆଗଭଳି ଶେଷ ଆଡକୁ ଆଉ ରହିଲା ନାହିଁ : କାରଣ, ଠିକଣା ଭାବରେ ଏହାର ଅଦ୍ଭୁତ କାମକୁ ଦେଖିବାକୁ ହେଲେ , ଏଇ ପୁରୀର ବିଶରକୁ ନିଶ୍ଚିତ ଭାବରେ ଜଣକୁ କେଉଁଠାରୁ ହିଁ ଚୋରି କରି ନେବାକୁ ପଡିବ, ଯଥା ସମ୍ଭବ ସଂକ୍ଷିପ୍ତ ରକ୍ତପାତର ସହିତ,ହେଲେ,ଏ ସଂକ୍ରାନ୍ତରେ ଆଉ ଯାହା ଯାହା କୁହାଯାଉନା କାହିଁକି,ଏହାକୁ ବସ୍ତୁତଃ ଚୋରି କରିନେବା ହିଁ ଏହାର ସଂପର୍କିତ ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ପ୍ରଭାବକାରକ ପ୍ରସଂଗ ହୋଇଥାଏ।
ଏଇ ସବୁ କାହାଣୀଗୁଡିକ ଏଇମିତି ଅନ୍ୟ କେଉଁଠାରୁ ଭାରତକୁ ଆସିଥିବାର କଥା ସବୁ ପୂରା ମିଛ। ବସ୍ତୁତଃ ଦୀର୍ଘ କାଳ ଧରି ପୁରୀଠାରେ ଏହା ଗଢା ହୋଇଥିଲା- ଯେମିତି ବାଗରେ ଏହା ଗଢା ହୋଇଥିଲା ତାହା ଲେଖିବସିଲେ ଖଣ୍ଡିଏ ଚଟି ବହିର ପୂରାପାଠ ହୋଇଯିବ- ଏହାକୁ ସେଠିକାର ମନ୍ଦିରରେ ନୃତ୍ୟକରୁଥିବା ଜଣେ ଦେବଦାସୀ ପ୍ରଥମେ ଚୋରି କରିନେଇଥିଲା, ତାହାର ନିଜର ବ୍ୟକ୍ତିଗତ କାମରେ ସେ ଯେମିତି ସଫଳ ହେବ ସେଇ ଅଭିଳାଷରେ , ତାହାପରେ ସେଇଠୁ ଏହା ଗୋଟିଏ ହାତରୁ ଆଉ ଗୋଟିଏ ହାତକୁ ଏମିତି ବଦଳ ହୋଇଚାଲିଥିଲା, ବିଶେଷରେ ଉତ୍ତରଦିଗରେ, ଦକ୍ଷିଣ କୋରିଆର ହାନଲା ଯାଏଁ ଯାଇ ପହଞ୍ଚିଯିବା ପର୍ଯ୍ୟନ୍ତ : ଏହି ସବୁ ଯେତେକ ଅଦଳବଦଳ କାହାଣୀ ଘଟିଚାଲିଥିଲା ତାହାରି ଭିତରେ ସବୁବେଳେ କିନ୍ତୁ ଏହାର ସେଇ ଗୋଟିଏ ସମାନ ନାଆଁ ରହିଥିବାର ଦେଖିବାକୁ ମିଳିଥିଲା – ପୁରୀର ବିଶର। କାହାଣୀର ଏଇ ପୁରୀର ବିଶରଟି ଦେଖିବାକୁ ଆକାରରେ ଖୁବ୍ ଛୋଟ, ରୂପାରେ ତିଆରି ହୋଇଥିଲା ଗୋଟିଏ ଚାରିକୋଣିଆ ବାକ୍ସ, ଆଠୋଟି ପଦ୍ମରାଗମଣିର କଣିକାରେ ସେଇ ବାକ୍ସଟିର ବାହାର ପଟଟି ଖଚିତ ଥିଲା। ବାକ୍ସଟିର ଭିତରେ ଥିବା ,ଗୋଟିଏ ସ୍ପ୍ରିଙ୍ଗ୍ ଦ୍ୱାରା ଏହା ଖୋଲିଥାଏ ଆଉ ବନ୍ଦ ହୋଇଥାଏ , ଆଉ ସେଇ ବାକ୍ସଟିର ଭିତରେ ରହିଥିଲା ଗୋଟିଏ ନିହାତି ଛୋଟ ଦୃଷ୍ଟିହୀନ ମାଛ,କୌଣସି ଏକ କଳାରଂଗର,ଚକମକ ବାଦାମ ମଞ୍ଜିକୁ ଖୋଳି ଖୋଳି ସେଇ ମାଛଟିକୁ ସେଥିରେ ନିଖୁଣ ଭାବରେ ତିଆରି କରାଯାଇଥିଲା ଆଉ ସୁନାସୂତାରେ ବୁଣାହୋଇଥିବା ଅଥଚ ରଂଗ ଛାଡିଯାଇଥିବା ଖଣ୍ଡିଏ ଫିକା କପଡାରେ ସେଇ ମାଛଟିକୁ ଭଲଭାବରେ ଘୋଡାଇ ରଖାଯାଇଥିଲା ସେଇ ରୂପାରେ ତିଆରି ଛୋଟିଆ ବାକ୍ସଟିର ଭିତରେ। ଏହା ହେଉଛି ସେଇ ବିଖ୍ୟାତ ପୁରୀର ବିଶର, ଏବଂ କୁହାଯାଉଥିଲା ଯେ ଜଣେ ସାଧାରଣ ଲୋକର ପକ୍ଷରେ ଏହି ପୁରୀର ବିଶରକୁ ନିଜ ହାତରେ ଛୁଇଁବା ଠାରୁ ଗୋଟିଏ ଜିଅନ୍ତା ଗୋଖର ସାପକୁ ଧରିବା ଅଧିକ ସହଜ।
ସମସ୍ତ ପ୍ରକାରର ଯାଦୁବିଦ୍ୟା ଭାରତକୁ ବାଦ ଦେଲେ ଏବେ ଅନ୍ୟତ୍ର ଅଚଳ ଆଉ ଉଭାନ ହୋଇଗଲାଣି ହେଲେ ସେଠାରେ ସେମିତି କୌଣସିର ପରିବର୍ତ୍ତନ ଘଟି ନାହିଁ ଯଦିଓ ଉଜ୍ଜଳ,ଖେଳନା ଗାଡି ବୋଲି କିଛି ଗୋଟିଏ ପଦାର୍ଥ ସେଇଠି ରହିଥିଲା ଯାହାକୁ ଲୋକେ କହୁଥିଲେ “ସଭ୍ୟତା”। ଯେ କୌଣସି ଲୋକ ଯିଏ ପୁରୀର ବିଶର ବିଷୟରେ ଜାଣେ ସେ ନିଶ୍ଚୟ ତମକୁ ଆଗ କହିବସିବ ଯେ ଏହାର ଶକ୍ତିଗୁଡିକ କେଉଁଭଳି – ସବୁବେଳେ କିନ୍ତୁ ଅନୁମାନ କରାଯାଉଥିବ ଯେ ଏହା ନିତାନ୍ତ ସାଧୁତାର ସହିତ କେଉଁ ଗୋଟିଏ ଦିନ ଅକସ୍ମାତ ଏହାର ଉପସ୍ଥିତ ଆବିର୍ଭାବ ସ୍ଥଳରୁ ନିଶ୍ଚିତ ଭାବରେ ଅନ୍ୟତ୍ର ଚୋରି ହୋଇ ଯିବ। ଏହି ଭଳି ଚୋରୀ ହୋଇଯିବା ହିଁ ହେଉଛି କେବଳ ନିୟମିତ ଭାବରେ ଏହାର ଗତିଶୀଳ ହେଉଥିବାର କାର୍ଯ୍ୟ ଆଉ ପ୍ରମାଣ,ଏଇଟି ଦେଶର ନିହାତି ବିଶ୍ୱାସଯୋଗ୍ୟ ପ୍ରେମର ଠୁଣୁକା ତାହାପରେ, ଏହାର କିନ୍ତୁ ଗୋଟିଏ ବ୍ୟତିକ୍ରମ ରହିଥିଲା।
[ ପ୍ରେମର ଅନ୍ୟ ଠୁଣୁକାଟି ନିଜାମଙ୍କ ଘୋଡାର ଘୋଡସବାରର ପାଖରେ ରହିଥିଲା, ସ୍ଥାନଟିର ନାଆଁ ତୁପ୍ରାଣି,ହାଇଦରାବାଦ ର ଉତ୍ତରରେ ଥିଲା ସେ ଜାଗା।] ଗୋଟିଏ ତଥ୍ୟ ହିସାବରେ ଏହାର ଉପରେ ନିର୍ଭର କରାଯାଇ ପାରିବ । କେହି ଜଣେ ହୁଏତ ପରେ ଏହାର ବିସ୍ତୃତ ବଖାଣ କରିପାରେ।
ଯଦି ବିଶରଟି ଚୋରି ନହୁଏ , କିନ୍ତୁ ଏହା ଯଦି କାହାକୁ ଦିଆଯାଇଥାଏ,କାହାଠାରୁ କିଣାଯାଇଥାଏ କି ଆଉ କେଉଁଠି ଏହାକୁ ଦେଖିବାକୁ ମିଳିଥାଏ , ତିନିବର୍ଷର ସମୟ ଭିତରେ ଏହା ତାହାର ମାଲିକ ଠାରୁ ନିଶ୍ଚେ ଅଲଗା ହୋଇଯିବ, ଏବଂ ତାହାକୁ ନିଶ୍ଚେ ଧ୍ୱଂସ ଅଥବା ମରଣ ଆଡକୁ ଟାଣିନେବ। ଏଇଟି ହେଉଛି ପୁରୀର ବିଶର ସଂପର୍କରେ ଆଉ ଗୋଟିଏ ତଥ୍ୟ ଯାହାକୁ ତମେ ସଠିକ ଭାବରେ ବୁଝାଇ ପାରିବ ଯଦି ତମର ପାଖରେ ସେମିତି ସମୟ ରହିଛି । ଏହା ମଧ୍ୟରେ,ତମେ ଏହାକୁ ନେଇ ହୁଏତ ହସିପାର। ସଂପ୍ରତି, ବିଶରଟି ଗୋଟିଏ ଗାଡିକୁ ଟାଣୁଥିବା ଏକେଲା ଘୋଡାଟିର ବେକରେ ସୁରକ୍ଷିତ ହୋଇ ଝୁଲୁଛି ,ଗୋଟିଏ ମୁକ୍ତାମାଳର ଭିତରେ, ଯାହା ସବୁବେଳେ କାହାର କୁନଜରର ପ୍ରଭାବରୁ ରକ୍ଷା କରିବାର ଏକ କବଚ। ଯଦି ସେହି ଗୋଟିକିଆ ଘୋଡାଗାଡିର ଚାଳକ କେବେ ଏହାକୁ ପାଇଯାଏ ,ଆଉ କିଛି ନଭାବି ନଚିନ୍ତି ଏହାକୁ ପିନ୍ଧି ପକାଏ,ଅବା ନିଜର ପତ୍ନୀକୁ ସେ ଏହାକୁ ଶ୍ରଦ୍ଧାର ସହ ଉପହାର ଆକାରରେ ଦେଇଥାଏ , ତାହେଲେ ମୋର ତା’ପାଇଁ ସମସ୍ତ ସମବେଦନା ଗଚ୍ଛିତ ରହିଛି।
ନିହାତି ଅପର୍ଛନିଆ ପାହାଡି ଇଲାକାରେ କାମକରୁଥିବା ଗୋଟିଏ କୁଲିକାମିନୀ, ବେକରେ ଗଳଗଣ୍ଡ, ହିମାଚଳ ପ୍ରଦେଶର ଥିଓଗ ଇଲାକାରେ ୧୮୮୪ ସାଲ୍ ରେ ଏହାକୁ ହାସିଲ କରିଥିଲା। ଏହାକୁ ସେଇଠୁ ଉତ୍ତରରୁ ସିମଲାକୁ ଅଣାଯିବାର ଆଗରୁ ଚୁର୍ଟନ ସାହେବ ର ଜଣେ ଖିଦମତଗାର ଏହାକୁ କିଣିଥିଲା ଆଉ ପରେ ଏହାକୁ ବିକ୍ରିକରି ଦେଇଥିଲା, ସେଥିରେ ଯେତିକି ରୂପା ଲାଗିଥିଲା ସେଇ ରୂପାଦାମର ତିନି ଗୁଣା ଅଧିକ ଦାମରେ ,ଚୁର୍ଟନକୁ। ଚୁର୍ଟନ ସାହେବର ଏମିତିରେ ପୁରୁଣା କଳାକୃତି ବା ଆଣ୍ଟିକ ପଦାର୍ଥ କିଣିବାରେ ଭାରି ସଉକ ରହିଥିଲା ଆଉ ସେଇଥିପାଇଁ ସେ ବାଛି ବାଛି ପୁରାକାଳର ଅଜବ ଜିନିଷପତ୍ର ସବୁକୁ ନିୟମିତ ଭାବରେ କିଣିଥାଏ। ତାହାର ଏଇ ଖିଦମଦଗାର ବା ପରିଚାରକ ଜଣକ ଅସଲରେ କାହାଠାରୁ କ’ଣ ଏମିତି ଗୋଟିଏ ପଦାର୍ଥ କିଣିଥିଲା ସେବିଷୟରେ ସେ ବି ତାହାର ମୁନିବ ତୁଳନାରେ ସେମିତି ବେଶି କିଛି ଜାଣିନଥିଲା ; ହେଲେ ଜଣେ ଯଦି ଚୁର୍ଟନ ର ପ୍ରାଚୀନ କଳାକୃତିର ସଂଗ୍ରହକୁ ଦେଖିବାକୁ ଯାଏ ,ପ୍ରସଙ୍ଗ କ୍ରମେ ଚୁର୍ଟନ ଥିଲା ଜଣେ ଆସିଷ୍ଟାଣ୍ଟ କମିଶନର, ତାହେଲେ ସେ ତାଜୁବ ହୋଇଯିବା ନିଶ୍ଚିତ ଥିଲା। ସେ ଥିଲା ଜଣେ ଇଂରେଜ,ମାତ୍ର ସେ ଭଲଭାବରେ ଜାଣିଥିଲା ଯେ କୌଣସି ଅଦ୍ଭୁତ ପଦାର୍ଥ ଉପରେ କେମିତି ଅଲୌକିକ ବିଶ୍ୱାସ ରଖିବାକୁ ହୋଇଥାଏ। ସେଥିରୁ ଦେଖାଯିବ ଯେ ଅଧିକାଂଶ ଇଂରେଜମାନଙ୍କ ତୁଳନାରେ ସେ ଭିନ୍ନ ଥିଲା । ସେ ଏତିକି ଜାଣିଥିଲା ଯେ ଏଇ ଛୋଟିଆ ବାକ୍ସଟିର ଭିତରେ ଯାହା ରହିଛି ତାହା କାର୍ଯ୍ୟକ୍ଷମ ଥାଉ କି ସୁପ୍ତ ରହିଥାଉ ତାହା ଥିଲା ଅତୀବ ଭୟଙ୍କର ; ସମସ୍ତେ ଜାଣନ୍ତି ନଚାହିଁବା ପ୍ରେମ ହେଉଛି ଏକ ଭୟାବହ ଉପହାର।
ପ୍ୟାକ୍ -” ଗ୍ରୁବି ” ପ୍ୟାକ୍ , ଆମେ ସେମିତି ଡାକୁଥିଲୁ – ସେ ଥିଲା , ସବୁ ପ୍ରକାରରେ , ଜଣେ ଖରାପ ପ୍ରକୃତିବିଶିଷ୍ଟ କ୍ଷୁଦ୍ରକାୟ ମଣିଷ ଯିଏ ଭୂଲବଶତଃ ଯୋଗଦାନ କରିଥିଲା ବ୍ରିଟିଶ ସୈନ୍ୟବାହିନୀରେ । ଉଚ୍ଚତାରେ ସେ ତାହାର ହାତରେ ଧରିଥିବା ଖଣ୍ଡା ଠାରୁ ହୁଏତ ତିନି ଚାରି ଇଞ୍ଚ ଅଧିକ ଡେଙ୍ଗା ହେବ,ମାତ୍ର ଶକ୍ତିରେ ସେ ତାହାର ଅଧା ହେବ କି ନାହିଁ ସନ୍ଦେହ। ସେଇ ଖଣ୍ଡାଟି ଥିଲା ପଚାଶ ଶିଲିଂର , ତାହାକୁ ଖାସ୍ ତାହାରି ପାଇଁ ହିଁ ତିଆରି କରାଯାଇଥିଲା । କେହି ତାହାକୁ ପସନ୍ଦ କରୁନଥିଲେ,ଏବଂ ,ମୁଁ ଭାବେ, ଏହା ଥିଲା ତାହାର ବାର୍ଦ୍ଧକ୍ୟର ଏକ ପ୍ରକାର ସ୍ଥବିରତା ଆଉ ନିପାରିଲା ପଣ ଯାହାର ଏକ ନିରାଶାଜନକ ଅଭିବ୍ୟକ୍ତି ତାହାକୁ ମିସେସ ହୋଲିସ ଙ୍କ ସହିତ ଗୋଟିଏ ପ୍ରେମ ସଂପର୍କରେ ଜଡିତ କରି ରଖି ଥିଲା, ଏପଟେ ଦେଖିଲେ ମିସ୍ ହୋଲିସ୍ ଥିଲେ ଜଣେ ଉତ୍ତମ ଏବଂ ମଧୁର ସ୍ୱଭାବର ଭଦ୍ରମହିଳା,ଟେନିସ ଯୋତା ପିନ୍ଧିଥିବା ବେଳେ ତାଙ୍କର ଉଚ୍ଚତା ପାଞ୍ଚଫୁଟ ସାତ ଇଞ୍ଚ। ଚୁପଚାପ ପ୍ରେମରେ ପଡିବା ଭଳି କଥାରେ ଚୁର୍ଟନ ସନ୍ତୁଷ୍ଟ ନଥିଲା,ତେଣୁ ସେ ତାହାର ଦୟନୀୟ କ୍ଷୁଦ୍ରକାୟ ପ୍ରକୃତିର ସମସ୍ତ ସାମର୍ଥ୍ୟକୁ ଏଇଠି କାର୍ଯ୍ୟରେ ବିନିଯୋଗ କରିବା ପାଇଁ ସ୍ଥିର କରିଥିଲା। ଯଦି ସେ ସବୁବେଳେ ସମସ୍ତଙ୍କର ଜଣେ ଅପସନ୍ଦର ବ୍ୟକ୍ତି ହୋଇ ନଥାନ୍ତା ତେବେ ହୁଏତ କେହି ନା କେହି ତାହାପ୍ରତି ଉଦାର ମନୋଭାବ ପୋଷଣ କରିଥାନ୍ତେ । ସେ ସବୁବେଳେ ବାଷ୍ପୀଭୂତ ଅବସ୍ଥାରେ ରହୁଥିଲା , ଦୁଃଖରେ ବିଷର୍ଣ୍ଣ, ସବୁବେଳେ ଫଁ ଫଁ ହେଉଥିଲା ଆଉ ରାସ୍ତାରେ ତରତର ହୋଇ ପାହୁଣ୍ଡ ପକାଉଥିଲା ଆଉ ସବୁମତେ ପ୍ରୟାସ କରୁଥିଲା ଯେମିତିକି ଏହାପରେ ମିସ୍ ହୋଲିସ ଙ୍କ ପ୍ରଶସ୍ତ,ଶାନ୍ତ ଆଉ ଧୂସର ଆଖି ଦୁଇଟିରେ ଉକୁଟି ଉଠିବ ଟିକିଏ ଆନନ୍ଦର ଛଟା ଆଉ ସେଥିରେ ସେ କିନ୍ତୁ ସବୁବେଳେ ଅସଫଳ ହେଉଥିଲା। ଏଇ ଭଳି ଅନେକ ଘଟଣା ମଧ୍ୟରୁ ଗୋଟିଏ ଘଟଣାକୁ ତମେ ବେଳେ ବେଳେ ଭେଟୁଥିଲ, ଏପରିକି ଏଇ ଦେଶରେ ଯେଉଁଠି ଆମେ ନିୟମ ଅନୁସାରେ ବିବାହ ବନ୍ଧନରେ ଆବଦ୍ଧ ହେଉ,ଗୋଟିଏ ପାଖରୁ ଦେଖିଲେ ବସ୍ତୁତଃ ଏସମସ୍ତ ଏକ ଅନ୍ଧ ଆକର୍ଷଣ, ଯେଉଁଠାରୁ ଫେରି ଆସିବାର ତିଳାର୍ଦ୍ଧ ସମ୍ଭାବନା ନାହିଁ। ମିସ୍ ହୋଲିସ୍ ଆମର ଏଇ ପ୍ୟାକ୍ କୁ ରାସ୍ତାରେ ଢଳିଯାଇଥିବା ମେଞ୍ଚାଏ ସିନ୍ଦୂର ଭଳି ଦେଖୁଥିଲେ। କ୍ୟାପଟେନ୍ ର ବେତନ ଛଡା ତାହାର ଆଉ କୌଣସି ଭବିଷ୍ୟତ ନଥିଲା,ତାହାକୁ ସବୁ କଠିନ ପରିସ୍ଥିତିରୁ ସେ ନିଜେ ଯେ ଉଦ୍ଧାର କରିପାରିବ ଏପରି ଅଣାକର ବୁଦ୍ଧିବୃତ୍ତି ବି ତା’ପାଖରେ ନଥିଲା। ଗୋଟିଏ ଦୀର୍ଘ ମାପର ମଣିଷର ଭିତରେ ,ତାହାର ରହିଥିବା ପ୍ରେମ ସବୁବେଳେ ସଂବେଦନଶୀଳ। ଗୋଟିଏ ଭଲ ମଣିଷର ଭିତରେ ଏହା ବିଶାଳ। କହିବାକୁ ଗଲେ ଚୁର୍ଟନ ଯାହା ଅସଲରେ ତାହା ହିଁ ରହିଥିଲା,ସବୁବେଳେ ବିରକ୍ତିକର କେବଳ।
ତମେ ଏତିକି କଥାକୁ ବିଶ୍ୱାସକୁ ନେବ। ତମେ ଯାହା ବିଶ୍ୱାସ କରିବ ନାହିଁ ତାହା ଏହି ଭଳି : ଚୁର୍ଟନ ଏବଂ ସେହି ଲୋକଟି ଯିଏ ଜାଣିଥିଲା ବିଶର କହିଲେ କ’ଣ ,ଉଭୟେ ଏକାଠି ସିମଲା କ୍ଲବରେ ଦିନେ ଦିପହରର ଭୋଜନ କରୁଥିଲେ। କଥାବାର୍ତ୍ତାରେ ଚୁର୍ଟନ ଏମିତି ସାଧାରଣ ଭାବରେ ଜୀବନକୁ ନେଇ ଖୁବ୍ ବିଷୋଦଗାର କରୁଥିଲା। ତାହାର ସବୁଠାରୁ ଭଲ ଘୋଡୀଟି ପାହାଡରୁ ତଳକୁ ଖସୁଥିବା ବେଳେ ଦିନେ ତଳକୁ ପଡିଗଲା ଆଉ ତାହାର ପଛପଟଟି ଏଇଲେ ଅଖଞ୍ଜ, ଉପର କୋର୍ଟରେ ସରକାରୀ କାମରେ ସେ ନେଇଥିବା ନିଷ୍ପତ୍ତିଗୁଡିକ ବଦଳାଯାଇଛି, ଜଣେ ଆଠବର୍ଷର ଅଭିଜ୍ଞତାସଂପନ୍ନ ଆସିଷ୍ଟାଣ୍ଟ କମିଶନର ର ତ କିଛି ପରିମାଣର ପ୍ରତ୍ୟାଶା ରହିଛି; ସେ ଲିଭର୍ ଆଉ ଫିଭର୍ ର କଥା ଜାଣେ, ଏବଂ ବିଗତ କିଛି ସପ୍ତାହ ହେଲା ସେ ଯେମିତି ଗୋଟାଏ ଅବାଞ୍ଛିତ ସେଇଭଳି ତାହାର ବାରଂବାର ମନେ ହେଉଛି । ଏଇ ସବୁର ଫେଣ୍ଟାଫେଣ୍ଟି ,ସେ ଖୁବ୍ ପରିମାଣରେ ଅସନ୍ତୁଷ୍ଟ ଆଉ ସବୁ କାମରେ ତାହାର ହୃଦୟ ନିଜକୁ ସାଥି ଦେଉନାହିଁ।
ସିମଲା କ୍ଲବ ର ଡାଇନିଂ ରୁମ୍ ଟି ତିଆରି ହୋଇଥିଲା,ସାରା ପୃଥିବୀ ଏଇ କଥାଟି ଜାଣିଛି, ସ୍ପଷ୍ଟ ଦୁଇଟି ଅଲଗା ଅଲଗା ଭାଗରେ, ଏଇ ଦୁଇଟି ଯାକ ଭାଗକୁ ଅଲଗା କରୁଥିଲା ଗୋଟିଏ ବଡ ଖିଲାଣ। ଭିତରକୁ ଆସ,ତମର ବାଆଁ ପଟକୁ ଦେଖ, ଝରକା ତଳେ ପଡିଥିବା ଟେବୁଲ୍ ପାଖକୁ ଯାଅ ,ତମେ ଦେଖି ପାରିବନି କିଏ ଭିତରକୁ ଆସିଛି,ଡାହାଣ ପଟକୁ ଯାଇ ଖିଲାଣର ଡାହାଣ ପଟେ ପଡିଥିବା ଟେବୁଲ୍ ପାଖରେ ବସିଛି। ଆଶ୍ଚର୍ଯ୍ୟର କଥା ,ତମେ କହୁଥିବା ପ୍ରତିଟି କଥା ସେଠିକୁ ଶୁଣା ଯିବ, କେବଳ ଅନ୍ୟ ଭୋଜନାର୍ଥୀ ମାନଙ୍କୁ ନୁହଁ ,ପରଦା ପଛରେ ଥିବା ଖାଦ୍ୟ ପରିବେଷଣ କରୁଥିବା ସବୁ ପରିଚାରକମାନଙ୍କୁ ବି ତାହା ଶୁଭୁଥିବ। ଏକଥା ଜାଣିବା ନିତାନ୍ତ ଆବଶ୍ୟକ : ଗୋଟିଏ ପ୍ରତିଧ୍ୱନୀପ୍ରବଣ ବଖରା ହେଉଛି ଏକ ଫାଶ ଯାହାର ବିରୁଦ୍ଧରେ ସତର୍କ ରହିବା ବାଞ୍ଛନୀୟ।

ଅର୍ଦ୍ଧେକ ଥଟ୍ଟାରେ ଆଉ ଆର ଅର୍ଦ୍ଧେକ ଯେ ଜଣେ ସେଇ କଥାକୁ ବିଶ୍ୱାସ କରିବ ଏପରି ଗୋଟିଏ ଆଶାରେ ,ସେଇ ଲୋକ ଜଣକ ଯିଏ ଜାଣିଥିଲା ଚୁର୍ଟନକୁ ପୁରୀର ବିଶରର କାହାଣୀଟି କିଏ ସେ କହିଥିଲା ,ମୁଁ ତମମାନଙ୍କୁ ଏଇଠି ଯେମିତି କହିଥିଲି ତାହାଠାରୁ ଟିକିଏ ଅଧିକ ବନେଇଚୁନେଇ ସେ କହିଥିଲା,କାହାଣୀଟିର ଶେଷରେ ସେ ଏପରି ଗୋଟିଏ ପରାମର୍ଶ ଦେଇଥିଲା ଯେ ଚୁର୍ଟନ ଏଇ ଛୋଟିଆ ବାକ୍ସଟିକୁ ପାହାଡର ଉପରୁ ଯେମିତି ତଳକୁ ଫୋପାଡି ଦେବ ଆଉ ଏମିତି କଲେ ସେ ନିଶ୍ଚେ ଦେଖିପାରିବ ଯେ ତାହାର ସବୁତକ ଅସୁବିଧା ଦୂର ହୋଇ ଯାଇଛି କି ନାହିଁ। ସାଧାରଣ ଭାବରେ ଶୁଣିଲେ,ଗୋଟିଏ ଇଂରେଜର କାନକୁ, କାହାଣୀଟି ଥିଲା ଗୋଟିଏ ଚମତ୍କାର ଲୋକଗାଥା । ଚୁର୍ଟନ ହସିଥିଲା,କହିଥିଲା ଜଳଖିଆଟା ନିଶ୍ଚେ ଭଲ ଥିବ,ଆଉ ଏମିତି କହି ସେ ବାହାରକୁ ଚାଲି ଯାଇଥିଲା। ପ୍ୟାକ୍ ଯେଉଁଠି ବସିଥିଲା ସେଇ ଖିଲାଣର ଡାହାଣ ପଟେ ଏକା ଏକା ଜଳଖିଆ କରୁଥିବା ଲୋକ ଜଣକ ଠିକ୍ ଠିକ୍ ସବୁକଥା ଶୁଣିପାରୁଥିଲା ସେଇଠି ଯାହା କଥା ହେଉଥିଲା ସେଇ ସବୁକୁ। ସେଇ ଲୋକଟି ଏକା ନୁହଁ, ମିସ୍ ହୋଲିସ୍ ର ପ୍ରତି ପ୍ରେମର ଅବାସ୍ତବ ଆସକ୍ତିରେ ପ୍ୟାକ୍ ପାଗଳପ୍ରାୟ ,ଏଇ କଥାରେ ସମସ୍ତ ସିମଲା ହାସ୍ୟମୁଖର।
ଏହା ଗୋଟିଏ ଅଜବ କଥା ଯେ,ଯେତେବେଳେ ଜଣେ ବିଚାରର ଉର୍ଦ୍ଧ୍ୱରେ ରହି କାହାକୁ ଘୃଣା କରେ ବା କାହାକୁ ପ୍ରେମ କରେ,ସେ ସେତେବେଳେ ନିଜର ଅନୁଭବକୁ ସନ୍ତୁଷ୍ଟି ପ୍ରଦାନ କରିବା ପାଇଁ ସେହି ବିଚାର ବହିର୍ଭୂତ ଅବସ୍ଥାରେ ରହିବାକୁ ଉଚିତ ମଣିଥାଏ। ଯାହାକୁ ସେ କେବଳ ଅର୍ଥ ପାଇଁ ବା କ୍ଷମତା ପାଇଁ କରିବ ନାହିଁ। ଏହାର ଉପରେ ନିର୍ଭର କରୁଛି, ସୋଲୋମନ ସେମିଟିକ୍ ଉର୍ବରତା ର ଦେବୀ ଆସ୍ତାରୋଥ ଙ୍କ ପାଇଁ କେବେହେଲେ ପ୍ରାର୍ଥନା-ବେଦିକା ନିର୍ମାଣ କରିବ ନାହିଁ ଏବଂ ସେଇ ସମସ୍ତ ଭଦ୍ରମହିଳା ଯେଉଁମାନଙ୍କର ଅଜବ ଅଜବ ନାଆଁ ରହିଛି ,ଯଦି ତାହାର ଜନାନା ପ୍ରତି ସେଇଠି ସେମିତି କିଛି ଅସୁବିଧା ନାହିଁ ଆଉ ଅନ୍ୟ କେଉଁଠାରେ ବି ।ମାତ୍ର ଏହା କାହାଣୀଟିର ପାଖାପାଖି ରହିଛି। ଘଟଣାର ତଥ୍ୟଗୁଡିକ ଏହି ପରି : ଚୁର୍ଟନର ପାଖକୁ ତାହାର ପରଦିନ ଆସିଥିଲା ପ୍ୟାକ୍ ଯେତେବେଳେ କି ଚୁର୍ଟନ ବାହାରେ ଥିଲା, ସେ ତାହାର କାର୍ଡଟିକୁ ଛାଡି ଚାଲି ଯାଇଥିଲା,ଆଉ ପୁରୀର ବିଶରକୁ ଘଣ୍ଟା ତଳର ମାଣ୍ଟଲପିସ୍ ରୁ ଚୋରୀ କରିନେଇଥିଲା ! ଚୋରି କରି ନେଇଥିଲା ଯେମିତି କି ଗୋଟିଏ ଅଭ୍ୟସ୍ତ ଚୋର ।ଏହାର ତିନି ଦିନ ପରେ ସାରା ସିମଲା ବିଦ୍ୟୁତ ବେଗରେ ଜାଣିଯାଇଥିଲା ଯେ ମିସ୍ ହୋଲିସ୍ ପ୍ୟାକ୍ କୁ ଅବଶେଷରେ ଗ୍ରହଣ କରିଛି – ସେଇ ଅସଜଡା ମୂଷା ,ପ୍ୟାକ୍ ! ତମେ କ’ଣ ଏହାଠାରୁ ସ୍ପଷ୍ଟ ଆଉ କିଛି ପ୍ରମାଣ ଚାହଁ ? ପୁରୀର ବିଶର ଚୋରୀ ହୋଇ ଯାଇଛି ,ଆଉ ଏହା କାମ କରିଛି ଯେମିତି ସବୁବେଳେ କରିଥାଏ ଯେତେବେଳେ କି ଏହାକୁ କେହି ମନ୍ଦ ଉପାୟରେ ଅର୍ଜନ କରିଥାଏ।
ଜଣେ ମଣିଷର ଜୀବନରେ ତିନି କି ଚାରିଥର ଏପରି ଘଟିଥାଏ ଯେତେବେଳେ କି ସେ ଅନ୍ୟମାନଙ୍କ ବ୍ୟାପାରରେ ମଧ୍ୟସ୍ଥତା କରିବସେ ଯେମିତି କି ନିୟତି।
ମଣିଷଟି ଯିଏ ଜାଣିଥିଲା ସେ ଅନୁଭବ କରୁଥିଲା ଯେ ସେ ଠିକଣା ବାଟରେ ରହିଛି ; ହେଲେ ବିଶ୍ୱାସ କରିବା ଆଉ ଗୋଟିଏ ବିଶ୍ୱାସ ଉପରେ କାମ କରିବା ଦୁଇଟିଯାକ ଭିନ୍ନ କଥା। ପ୍ୟାକ୍ ର ଅଶିଷ୍ଟ ସନ୍ତୋଷ ଯେ ସେ ମିସ୍ ହୋଲିସ୍ ର ସାଥିରେ ପାଖାପାଖି ରହିଥିଲା,ଆଉ ଚୁର୍ଟନ ଉଲ୍ଲେଖଯୋଗ୍ୟ ଭାବରେ ନିଜର ଲିଭର ସମସ୍ୟାରୁ ମୁକ୍ତ ହୋଇଯାଇଛି, ପୁରୀର ବିଶର ତାହାର ସ୍ଥାନରୁ ଅପହୃତ ହୋଇ ଚାଲି ଯିବା ମାତ୍ରକେ ଯଥାଶିଘ୍ର, ମଣିଷକୁ ନିର୍ଦ୍ଧାରଣ କରିଥିଲା । ସେ ଚୁର୍ଟନକୁ ସବୁକଥା ବୁଝାଇଥିଲା ଆଉ ଚୁର୍ଟନ ଏଥିରେ ହସିଥିଲା ,କାରଣ ସେ ଏପରି ବିଶ୍ୱାସ କରିବାକୁ ପ୍ରସ୍ତୁତ ନଥିଲା ଯେ ମଣିଷମାନେ ସରକାରୀ ଘର ର ତାଲିକାରୁ ଚୋରି କରିପାରନ୍ତି -ଯେତେ ଛୋଟ ଜିନିଷ ହେଉ ପଛକେ । ହେଲେ ମିସ୍ ହୋଲିସ ର ପ୍ୟାକ୍ କୁ ସେଇ ଅଲୌକିକ ସ୍ୱୀକାର ତାହାକୁ ବସ୍ତୁତଃ କଥାଟି ନିମନ୍ତେ ସନ୍ଦେହର କିଛି ପଦକ୍ଷେପ ନେବାକୁ ନିଷ୍ପତ୍ତି କରିଥିଲା । ସେ ପ୍ରତିଜ୍ଞା କରିଥିଲା ଯେ ସେ ନିଶ୍ଚେ ତାହାର ଉଭାନ ହୋଇଯାଇଥିବା ସେହି ରୁବି ଖଚିତ ରୂପା ବାକ୍ସକୁ ଖୋଜି କି ବାହାର କରିବ। ତମେ ଜଣେ ମଣିଷ କୁ ସରକାରୀ ଘରର ତାଲିକାରେ ଏମିତି ଚୋର ବୋଲି ଅଭିଯୁକ୍ତ କରି ପାରିବ ନାହିଁ । ଆଉ ତମେ ଯଦି ତାହାର ରୁମ୍ ରେ ଚୋରି ମାଲ୍ ଖୋଜିବସିବ ତେବେ ତମେ ନିଜେ ଚୋର ହୋଇଯିବ। ଚୁର୍ଟନ , ସେଇ ମଣିଷ ଯିଏ କଥାଟି ଜାଣିଥିଲା ତାହାରି ଦ୍ୱାରା ପ୍ରୋତ୍ସାହିତ ହୋଇ ଚୋରିକାମଟି ଉପରେ ନିଷ୍ପତ୍ତି ନେଇଥିଲା। ଯଦି ସେ ପ୍ୟାକ୍ ର ରୁମ୍ ରୁ କିଛି ନପାଏ ..ହେଲେ ଏହା ଭାବିବା ପାଇଁ ସୁନ୍ଦର ହେବନାହିଁ ଯେ ଏହି ଘଟଣାରେ ତାହେଲେ କ’ଣ କ’ଣ ଘଟିଥାଇ ପାରେ।
ପ୍ୟାକ୍ ବେନମୋର୍ କୁ ନାଚିବା ପାଇଁ ଯାଇଥିଲା-ବେନମୋର ସେତେବେଳେ ଥିଲା ବେନମୋର ପରିକା,ଏପରି ଗୋଟିଏ ଅଫିସ୍ ନଥିଲା – ମିସ୍ ହୋଲିସ ଙ୍କ ସହିତ ବାଇଶ ଜଣରୁ ପନ୍ଦର ଜଣ ବଲ୍-ନୃତ୍ୟ କରୁଥିଲେ ସେଇଠି। ଚୁର୍ଟନ ଆଉ ସେହି ମଣିଷ ଜଣକ ସବୁତକ ଚାବି ଯାହା ସେମାନଙ୍କ ହାତରେ ପଡିଥିଲା ତାହାକୁ ସାଥିରେ ଧରି ଯାଇଥିଲେ ଆଉ ସେମାନେ ହୋଟେଲ୍ ରେ ଥିବା ପ୍ୟାକ୍ ର ପ୍ରକୋଷ୍ଠ ରେ ପ୍ରବେଶ କରିଥିଲେ,ନିଶ୍ଚିତ ଥିଲେ ଯେ ସେତେବେଳେ ତାହାର ପରିଚାରକମାନେ ସେଇଠି ନଥିବେ। ପ୍ୟାକ୍ ଗୋଟାଏ ନିହାତି ଶସ୍ତା ଲୋକ। ନିଜର କାଗଜପତ୍ର ସବୁକୁ ରଖିବା ପାଇଁ ସେ ଗୋଟିଏ ଭଲ ବାକ୍ସ କିଣି ନାହିଁ,ତାହା ବଦଳରେ ସେ କିଣିଥିଲା ସ୍ଥାନୀୟ ଲୋକଙ୍କ ତିଆରି ଗୋଟିଏ ବାକ୍ସ ଯାହାକୁ ତମେ ଟଙ୍କା ଦଶଟାରେ କିଣି ପାରିବ। ସେଇଟା ଯେ କୌଣସି ଚାବିରେ ଖୋଲିଯାଉଛି, ଆଉ ସେଇ ବାକ୍ସଟିର ତଳେ ଥିଲା ପ୍ୟାକ୍ ର ଇନସୁରାନ୍ସ ର ପଲିସି ଆଉ ସେଇ ଇନସୁରାନ୍ସ ପଲିସିର ଠିକ୍ ତଳେ ରହି ଥିଲା ପୁରୀର ବିଶର !
ଚୁର୍ଟନ ପ୍ୟାକ୍ କୁ ବେଶ୍ ଗାଳି ଦେଲା, ବିଶରକୁ ଭର୍ତ୍ତି କରିଥିଲା ତାହାର ପ୍ୟାଣ୍ଟର ପକେଟ ରେ ଆଉ ତାହାପରେ ସେଇ ମଣିଷଟି ସହିତ ପରସ୍ତେ ନାଚିଥିଲା । ଶେଷରେ ସେ ରାତ୍ରିଭୋଜନ ପାଇଁ ଠିକ୍ ସମୟରେ ଆସି ପହଞ୍ଚିଥିଲା ,ଆଉ ଦେଖିଥିଲା ମିସ୍ ହୋଲିସ୍ ର ଆଖିରେ ସମାପନର ଆରମ୍ଭ। ରାତ୍ରି ଭୋଜନ ପରେ ସେ ଯେମିତି ଉନ୍ମାଦିନୀ ,ତାହାର ମାମା ତାହାକୁ କଷ୍ଟର ସହ ସମ୍ଭାଳି ସେଇଠୁ ନେଇ ଯାଇଥିଲା।
ନାଚ ଚାଲିଥିବା ସ୍ଥାନରେ,ସେଇ ଘୃଣିତ ବିଶର ଟି ତାହାର ପକେଟରେ ରହିଥିବା ବେଳେ, ଚୁର୍ଟନ ଯେତେବେଳେ ସିଡିରେ ଓଲ୍ଡ ରିଙ୍କ୍ ଆଡକୁ ଓହ୍ଲାଉଥିଲା ସେତେବେଳେ ତାହାର ପାଦ ମକଚି ଯାଇଥିଲା, ତାହାକୁ ତାହାପରେ ଗୋଟିଏ ରିକ୍ସା ରେ ଘରକୁ ପଠାଇଦିଆ ଯାଇଥିଲା, ଯିବାବେଳକୁ ସେ ରାଗରେ ଫଁ ଫଁ ହେଉଥିଲା। ଏଇ ଭଳି ଘଟଣା ଘଟିଯିବା ଯେ ପୁରୀର ବିଶରର ପ୍ରଭାବରୁ ହୋଇଥିଲା ସେଇ କଥାକୁ ସେ ବିଶ୍ୱାସ କରୁନଥିଲା, ସେ କିନ୍ତୁ ପ୍ୟାକ୍ କୁ ଖୋଜି ବାହାର କରେ ଆଉ ତାହାକୁ ଢେର୍ ଗାଳିମନ୍ଦ କରେ ; ସେଇ ସବୁ ଗାଳିମନ୍ଦର ଭିତରେ ସବୁଠାରୁ କୋମଳ ଶବ୍ଦଟି ଥିଲା “ଚୋର”। ପ୍ୟାକ୍ ଏଇ ସବୁ ଗାଳିକୁ ଗୋଟିଏ କ୍ଷୁଦ୍ରକାୟ ମଣିଷ ଯିଏ ଉଭୟ ଶରୀରୀ ଆଉ ଆତ୍ମିକ ଭାବରେ ଅପମାନ କରିବା ପାଇଁ ଉଦଗ୍ରୀବ ଥିଲା ତାହାର ସେଇ ଚିନ୍ତିତ ହସର ସହିତ ତାହା ଗ୍ରହଣ କରିଥିଲା,ଆଉ ନିଜ ବାଟରେ ଚାଲି ଯାଇଥିଲା। ଏହାଫଳରେ ସର୍ବସାଧାରଣରେ କୌଣସି ବଦନାମର ପ୍ରସଂଗ ସୃଷ୍ଟି ହୋଇ ନଥିଲା।
ଗୋଟିଏ ସପ୍ତାହ ପରେ,ପ୍ୟାକ ନିର୍ଦ୍ଦିଷ୍ଟ ପ୍ରତ୍ୟାଖ୍ୟାନଟିକୁ ପ୍ରାପ୍ତ ହୁଏ ମିସ୍ ହୋଲିସ୍ ଙ୍କ ନିକଟରୁ । ଗୋଟିଏ ଭୂଲ ଜାଗାରେ ଥିଲା ପ୍ରେମର ଏଇ ଅର୍ପଣ, ସେ କହିଥିଲା। ତେଣୁ ପ୍ୟାକ୍ ମାନ୍ଦ୍ରାଜକୁ ଚାଲି ଯାଇଥିଲା,ଯେଉଁଠି ରହି ସେ ଆଉ କୌଣସି ଅଧିକ କ୍ଷତି କରିପାରିବ ନାହିଁ,ଯଦି ବା ସେ ସେଇଠି ଥାଏ ଗୋଟିଏ କର୍ଣ୍ଣେଲ୍ ର ପଦବୀ ରେ।
ଚୁର୍ଟନ ସେହି ମଣିଷକୁ ଯିଏ ସବୁକଥା ଜାଣିଥିଲା ତାହାକୁ ଏଇ ପୁରୀର ବିଶରକୁ ଗୋଟିଏ ଉପହାର ହିସାବରେ ଗ୍ରହଣ କରିବା ପାଇଁ ଏକ ପ୍ରକାରେ ବାଧ୍ୟ କରିଥିଲା । ସେଇ ମଣିଷ ଜଣକ ଏହାକୁ ନେଇଥିଲା,ଏହାକୁ ନେଇକି ଚାଲିଯାଇଥିଲା ରଥ ଦାଣ୍ଡକୁ ସିଧାସଳଖ, ଦେଖିଥିଲା ଟଣା ଗାଡିର ଏକେଲା ଘୋଡାଟିର ବେକରେ ଝୁଲୁଛି ଗୋଟିଏ ନୀଳ ଗଳାହାର, ସେହି ନୀଳ ଗଳାହାରଟିର ଭିତରେ ଏଇ ପୁରୀର ବିଶରକୁ ପୁରାଇ ଦେଇ ଖଣ୍ଡିଏ ଜୋତା ଫିତା ଦ୍ୱାରା ଏହାକୁ ସେଇଠି ସେ ବାନ୍ଧି ଦେଇଥିଲା ଏବଂ ତାହାପରେ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଥିଲା କାରଣ ସେ ଏଇଲେ ସମସ୍ତ ପ୍ରକାର ବିପଦରୁ ମୁକ୍ତ। ମନେରଖ,ଯଦି ତମେ କେବେ ଏହାକୁ ଦେଖିବାକୁ ପାଇବ, ତମେ କେବେହେଲେ ଏହି ପୁରୀର ବିଶରକୁ ନଷ୍ଟ କରିଦିଅ ନାହିଁ । ମୋ ପାଖରେ ଏଇଲେ ଯଥେଷ୍ଟ ସମୟ ନାହିଁ ଯେ ମୁଁ ବୁଝାଇ ପାରିବି କାହିଁକି ଏହାକୁ ନଷ୍ଟ କରିଦେବା ଉଚିତ ନୁହଁ,ହେଲେ ଏହାର ଅସଲ ଶକ୍ତିଟି ରହିଛି ସେଇ କ୍ଷୁଦ୍ର କାଠରେ ତିଆରି ମାଛଟିର ଭିତରେ। ଇତାଲୀୟ ଭାଷାତତ୍ତ୍ୱବିତ ତଥା ଭାରତୀୟ ସାହିତ୍ୟ ଏବଂ ସଂସ୍କୃତ ଭାଷାର ବିଦ୍ୱାନ ପ୍ରୋଫେସର୍ ଗୁବେରନାଟିସ୍ କି ଭାରତବିତ୍ ମାକ୍ସମୁଲର୍ ମୋ ଅପେକ୍ଷା ଏହାର ବିଷୟରେ ଯଥେଷ୍ଟ ଅଧିକ କହିପାରିବେ।
ତମେ ହୁଏତ କହିବସିବ ଯେ ଏଇ କାହାଣୀଟି ମନଗଢା। ଠିକ୍ ଅଛି। ତମେ ଯଦି କେବେ ଦେଖିବାକୁ ପାଅ ରୂପାରେ ତିଆରି ରୂବି ଖଚିତ ଗୋଟିଏ ଛୋଟିଆ ବାକ୍ସ,ଯାହା ଲମ୍ବାରେ ଗୋଟିଏ ଇଞ୍ଚ୍ ର ଆଠ ଭାଗରୁ ସାତ ଭାଗ ଆଉ ଚଉଡାରେ ଗୋଟିଏ ଇଞ୍ଚର ତିନି-ଚତୁର୍ଥାଂଶ ହେବ , ଗୋଟିଏ କଳା ଆଉ ଧୂସର ରଂଗର ମିଶାମିଶି ରଂଗର ଗୋଟିଏ କାଠମାଛ ,ସୁନାସୂତାରେ ବୁଣା କପଡା ଖଣ୍ଡିକରେ ତାହାକୁ ଘୋଡାଇ ରଖାଯାଇଛି, ଏହା ବାକ୍ସଟିର ଭିତରେ ରହିଛି, ଏହାକୁ ରଖ। ତିନିବର୍ଷ ଯାଏଁ ଏହାକୁ ରଖ ଆଉ ତାହାପରେ ତମେ ଆପେ ଆପେ ଜାଣିପାରିବ ଯେ ମୁଁ କହିଥିବା କାହାଣୀଟି ସତ ନା ମିଛ ।
ତଥାପି ଅଧିକ ଭଲ ହେବ , ପ୍ୟାକ୍ ଯେମିତି କରିଥିଲା ସେଇ ଭଳି ଏହାକୁ ଚୋରି କର , ଏବଂ ତମେ ନିଶ୍ଚୟ ଦୁଃଖିତ ହେବ ଏଇଥିପାଇଁ ଯେ ତମେ ନିଜକୁ ଆରମ୍ଭରେ ହତ୍ୟା କରି ନଥିଲ।
°°°°°
ରୁଦୟାଦ କିପଲିଙ୍ଗ (୧୮୬୫-୧୯୩୬) ଙ୍କ ଲିଖିତ କାହାଣୀ “ପୁରୀର ବିଶର” ୪ ମାର୍ଚ୍ଚ ୧୮୮୭ ରେ ପ୍ରଥମ ଥର ସିଭିଲ ଆଣ୍ଡ ମିଲିଟାରି ଗେଜେଟ୍ ରେ ପ୍ରକାଶିତ ହୋଇଥିଲା ଆଉ ଏହା ପରେ ତାଙ୍କର “ପ୍ଲେନ ଟେଲ୍ସ ଫ୍ରମ୍ ଦି ହିଲ୍ସ”ସଂକଳନରେ ସ୍ଥାନିତ ହୋଇଥିଲା।
ଇତିହାସ ଦୃଷ୍ଟିରୁ ଦେଖିଲେ ରୁଦୟାଦ କିପଲିଙ୍ଗଙ୍କର ଏଇ ” ବିଶର ଅଫ୍ ପୁରୀ” କାହାଣୀ ଟି ପ୍ରଥମ ପୁରୀ କାହାଣୀ ଅର୍ଥାତ୍ ପୁରୀକୁ ଶୀର୍ଷକ କରି ଯେ କୌଣସି ଭାଷାରେ ଲେଖାଯାଇଥିବା ପ୍ରଥମ କାହାଣୀ।
“ପୁରୀର ବିଶର” କାହାଣୀଟି ବସ୍ତୁତଃ ଏକ ଜଟିଳ ମନସ୍ତାତ୍ତ୍ୱିକ କାହାଣୀ।

ଆମେ ଅର୍ଥାତ୍ ଓଡିଆ ମାନେ ଯେତେବେଳେ “ପୁରୀର ବିଶର ” ବୋଲି ଗୋଟିଏ ଶୀର୍ଷକ କୁ ପାଠ କରୁ ସେତେବେଳେ ଆମ ଆଗରେ ପ୍ରଭୂ ଜଗନ୍ନାଥ ଏବଂ ତାଙ୍କୁ ବିନଷ୍ଟ କରିବାକୁ ଯାଉଥିବା କଳାପାହାଡ ଏବଂ ପ୍ରଭୂଙ୍କର ବ୍ରହ୍ମକୁ ସୁରକ୍ଷିତ କରିବା ସହିତ ଶ୍ରୀଜୀଉଙ୍କର ପୁନଃବିଗ୍ରହୀକରଣ ପ୍ରକ୍ରିୟାରେ ସହାୟକ ପୁରୁଷ ବିଶର ମହାନ୍ତିଙ୍କ କଥା ମନକୁ ଆସେ। କିନ୍ତୁ ରୁଦୟାଦ କିପଲିଙ୍ଗ ତାଙ୍କର ଏଇ କାହାଣୀରେ ଆମର ସେଇ ଚିର ପରିଚିତ ଜଗନ୍ନାଥ କାହାଣୀର କୌଣସି ଉଲ୍ଲେଖ ରଖିନାହାଁନ୍ତି, କେବଳ ଏଇ କାହାଣୀଟିରେ
ପୁରୀ ନାମକ ଏକ ସ୍ଥାନର ଉଲ୍ଲେଖ ଏଥିରେ ରହିଅଛି। ବଡଦାଣ୍ଡର କଥା ଉଲ୍ଲେଖ ରହିଛି ଆଉ ଉଲ୍ଲେଖ ରହିଛି ଯେ ,ସେଇ ବଡଦାଣ୍ଡରେ କୌଣସି ରଥ ନୁହଁ ସେଇଠି ଚାଲୁଛି ଗୋଟିଏ ଏକ୍କା ଗାଡି ଅର୍ଥାତ୍ ଗୋଟିଏ ଘୋଡା ଟାଣୁଥିବା ଗୋଟିଏ ଗାଡି।
କିପଲିଙ୍ଗ “ପୁରୀର ବିଶର” କୁ ତାଙ୍କର ଏଇ କାହାଣୀର ଆଧାର ବିନ୍ଦୁ (ବ୍ରହ୍ମ !) ହିସାବରେ ବ୍ୟବହାର କରିଛନ୍ତି। ତେଣୁ “ପୁରୀର ବିଶର” ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଗତି କରିବା ଦ୍ୱାରା କାହାଣୀର ଦେହ ଟି କୁ ଭିନ୍ନ ଭିନ୍ନ ରୂପ ପ୍ରଦାନ କରାଯାଇଛି। ଏଇ କାହାଣୀରେ ତିନୋଟି ପ୍ରମୁଖ ଚରିତ୍ରର ମାଧ୍ୟମରେ “ପୁରୀର ବିଶର ” କାହାଣୀ-ଗତି ଅର୍ଜନ କରିଅଛି। ସେଇ ତିନୋଟି ପ୍ରମୁଖ ଚରିତ୍ର ହେଉଛନ୍ତି ପ୍ରଥମରେ ଚୁର୍ଟନ ସାହେବ ଯିଏ କି ପ୍ରାଚ୍ୟଦେଶର ପୁରୁଣା ଅର୍ଥାତ୍ ଆଣ୍ଟିକ ପଦାର୍ଥ ପ୍ରତି କୌତୁହଳୀ ଆଉ ଏହାର ସେ ଜଣେ ସଂଗ୍ରାହକ। ଏହି ଆଣ୍ଟିକ ସଂଗ୍ରାହକ ଜଣକ ର କୌତୁହଳ ସେ ସଂଗ୍ରହ କରୁଥିବା ପଦାର୍ଥର ସହିତ ଜଡିତଥିବା କୌଣସି କାହାଣୀରେ (ଦନ୍ତକଥାରେ) ସେଇଭଳି ଆସ୍ଥା ରଖିନଥିଲା। ସେ କେବଳ କାହାଣୀର ଘଟିବାକୁ ଥିବା ଘଟଣାର ଥିଲା ଏକ ପ୍ରକାର ନିରାସକ୍ତ ଦର୍ଶକ। ଦ୍ୱିତୀୟ ଚରିତ୍ରଟି ଜଣେ ନାମହୀନ ଇଂରେଜ ଯିଏ ପ୍ରାଚ୍ୟ ର ଆଣ୍ଟିକ ପଦାର୍ଥ ର କାହାଣୀରେ ବେଶ୍ ପ୍ରଭାବିତ ମାତ୍ର ସେ ନିଜକୁ ପ୍ରଭାବିତ କରିବା ଭଳି ଘଟଣା ଭିତରକୁ ସିଧା ପ୍ରବେଶ କରିନଥିଲା। କାହାଣୀର ତୃତୀୟ ଚରିତ୍ରଟି ଜଣେ କ୍ଷୁଦ୍ରକାୟ ଇଂରେଜ ଯାହାର ଡାକନାମ ଥିଲା, ପ୍ୟାକ୍। ପ୍ୟାକ୍ ର କହିବାକୁ ଗଲେ ପ୍ରାଚ୍ୟର ଟୁଣୁକା ବା ଚାର୍ମ ଆଦିରେ ବେଶ୍ ଦୃଢ ବିଶ୍ୱାସ ରହିଥିଲା ଆଉ ଏହାର ପ୍ରଭାବରେ ସେ ତାହାର ଭବିଷ୍ୟତକୁ ବଦଳାଇ ପାରିବ ବୋଲି ନିଶ୍ଚିତ ଥିଲା।
ରୁଦୟାଦ କିପଲିଙ୍ଗ ତାଙ୍କର ଏଇ କାହାଣୀରେ “ପୁରୀର ବିଶର”କୁ ଏକ ଟୁଣୁକା ବା ଚାର୍ମ ଏବଂ ତାହାରି ସହିତ ଏକ ଅଭିଶପ୍ତ ପଦାର୍ଥ ବୋଲି ଉଲ୍ଲେଖ କରିଛନ୍ତି। “ପୁରୀର ବିଶର”କୁ ଗୋଟିଏ ସ୍ଥାନରୁ ଚୋରୀ କରି ନେଇଗଲେ ଜଣକର ଭାଗ୍ୟ ବଦଳିଯିବ ଆଉ ଯଦି ତିନିବର୍ଷ ସମୟ ଭିତରେ ଏହା ସେଇଠୁ ଆଉଥରେ ଚୋରୀ ହୋଇ ଅନ୍ୟତ୍ର କୁଆଡେ ନଯାଏ ତେବେ ଏହା ଯାହାର ମାଲିକାନାରେ ଅଟକି ରହିଥିବ ତାହା ପାଇଁ ଭୟାବହ ଅଭିଶାପ ପାଲଟିଯିବ। “ପୁରୀର ବିଶର” କାହାଣୀରେ ରୁଦୟାଦ କିପଲିଙ୍ଗ ଏହି ଭଳି ଗୋଟିଏ ପ୍ରସ୍ତାବନାକୁ ତାଙ୍କର ଉଲ୍ଲିଖିତ ତିନୋଟି ପ୍ରମୁଖ ଚରିତ୍ର ର ବିଶ୍ୱାସର ଭିନ୍ନତା ଭିତରେ ବଖାଣ କରିଛନ୍ତି।
ଏଇଠି ଆମକୁ ମନେ ରଖିବାକୁ ହେବ ଯେ, ରୁଦୟାଦ କିପଲିଙ୍ଗ ହେଉଛନ୍ତି ଇଂରେଜୀ ଭାଷାରେ ପ୍ରଥମ ଲେଖକ ଯିଏ ସାହିତ୍ୟରେ ନୋବେଲ ପୁରସ୍କାର ଲାଭ କରିଥିଲେ। ୧୯୦୭ ମସିହାରେ ମାତ୍ର ବୟାଳିଶ ବର୍ଷ ବୟସରେ ସେ ଏହି ବିରଳ ସମ୍ମାନର ପ୍ରାପକ ଥିଲେ।
କିପଲିଙ୍ଗଙ୍କ ସଂପର୍କରେ ପ୍ରସିଦ୍ଧ ପ୍ରାଚ୍ୟବିଦ୍ ଏଡୱାର୍ଡ ସଇଦ ତାଙ୍କର “ଓରିଏଣ୍ଟାଲିଜମ” ବହିରେ ଏପରି ଉଲ୍ଲେଖ କରିଛନ୍ତି :
” ଗୋଟିଏ କଳ୍ପନା,ଗୋଟିଏ ଚରିତ୍ର ସତ୍ତାର ରୂପ ହିସାବରେ କିପଲିଙ୍ଗ ଙ୍କ ଶ୍ୱେତାଙ୍ଗ ମଣିଷ ବହୁ କବିତା, କାହାଣୀ,ଉପନ୍ୟାସ ଏବଂ ଶ୍ଳେଷାତ୍ମକ ଉକ୍ତିରେ ଯେଉଁ ଭଳି ବାରଂବାର ଆସିଛି,ସେଥିରୁ ମନେହୁଏ ଯେ ଏଇ ଚରିତ୍ର ବିଶେଷ ପ୍ରଭାବିତ କରିଥିଲା ଏଇ ପ୍ରବାସୀ ବ୍ରିଟିଶକୁ। ପ୍ରକୃତ ଗାତ୍ରବର୍ଣ୍ଣ ସ୍ଥାନୀୟ ଜନସମୁଦ୍ର ର ଭିତରୁ ନାଟକୀୟ ଭାବରେ ଏବଂ ନିଶ୍ଚିତ ଭାବରେ ସେମାନଙ୍କୁ ପୃଥକ କରି ରଖୁଥିଲା। ତେବେ ଭାରତୀୟ,ଆଫ୍ରିକୀୟ ଏବଂ ଆରବମାନଙ୍କ ମଧ୍ୟରେ ବିଛାଡି ହୋଇ ରହିଥିବା ବ୍ରିଟିଶ ମାନଙ୍କ ମନରେ କିଛି ନିର୍ଦ୍ଦିଷ୍ଟ ଜ୍ଞାନ କାର୍ଯ୍ୟ କରୁଥିଲା, ତାହା ଏଇ ଭଳି ଯେ, ଅନ୍ୟ ଗାତ୍ରବର୍ଣ୍ଣର ଜାତିଗୁଡିକ ଉପରେ ସେମାନଙ୍କର ନିର୍ବାହୀ ଦାୟିତ୍ୱ ପାଳନର ଦୀର୍ଘ ଐତିହ୍ୟ ବସ୍ତୁତଃ ସାମ୍ରାଜ୍ୟବାଦୀ ଓ ଆଧ୍ୟାତ୍ମିକ ସଂଚୟର ଅନ୍ତର୍ଗତ ହୋଇ ଥିଲା ଏବଂ ପ୍ରୟୋଜନ ହେଲେ ସେମାନେ ଏହାର ଭିତରୁ ବି ଅନେକ କିଛି ଉପାଦାନ ଗ୍ରହଣ କରୁଥିଲେ। ସେହି ଐତିହ୍ୟ,ଗୌରବ ଓ ସମସ୍ୟା ର କଥା ଲେଖିଛନ୍ତି କିପଲିଙ୍ଗ, ଅଭିନନ୍ଦିତ କରିଛନ୍ତି ଉପନିବେଶମୁଖୀ ପଥଯାତ୍ରାକୁ।”
ସଂକ୍ଷେପରେ କହିଲେ ଉପନିବେଶବାଦୀ ଚିନ୍ତନରେ ପ୍ରାଚ୍ୟଦେଶରେ ପ୍ରଚଳିତ ଜନଶ୍ରୁତିର ଆକଳନର ବିଭିନ୍ନ ସ୍ତରକୁ ନିର୍ଦ୍ଦେଶିତ କରୁଥିବା ଏକ ବିଚିତ୍ର କାହାଣୀ ହେଉଛି ରୁଦୟାଦ କିପଲିଙ୍ଗଙ୍କ “ପୁରୀର ବିଶର” ।
°°°°°

