କମଳାକାନ୍ତ ମହାପାତ୍ରଙ୍କ ‘ଜନମରୁ ମରଣ’– ଧାରେ ଧାରେ, ସ୍ରୋତରେ ସ୍ରୋତରେ : ଏକ ବର୍ଣ୍ଣନାତ୍ମକ ସମୀକ୍ଷା

      କମଳାକାନ୍ତ ମହାପାତ୍ର ଆରମ୍ଭରୁ ହିଁ ସୂଚିତ କରିଦେଇଛନ୍ତି  କି ସେ ତାଙ୍କ ‘ଲୀଳା’ ପାଇଁ ଆତ୍ମ-ଜୀବନୀ ଲେଖିଲେ। ତଥାପି ଆମେ ‘ଅନ୍ୟମାନେ’ କମଳାକାନ୍ତ ଓ ଲୀଳାବତୀ ମହାପାତ୍ରଙ୍କୁ ଆଧୁନିକ ଓଡ଼ିଆ ସାହିତ୍ୟର ଅଧିକାଂଶ ପ୍ରତିଷ୍ଠିତ ଗଦ୍ୟ ସ୍ରଷ୍ଟା   ମାନଙ୍କ ଶ୍ରେଷ୍ଠ କୃତି ଇଂରେଜୀରେ ଅଦ୍ଵିତୀୟ ଭାବେ ଅନୁବାଦ କରିଥିବାରୁ ତାଙ୍କ ଆତ୍ମ କାହାଣୀ ପଢିବାକୁ ତତ୍ପର ହେଲୁ।

 ‘ଜନମରୁ ମରଣ’ 377ପୃଷ୍ଠାର ଧୁରନ୍ଧର କଥାକାରଙ୍କ ଜୀବନ କାହାଣୀର ସାବଲୀଳ ପ୍ରବହାମାନତା। ଆରମ୍ଭର ଅଘୋଶିତ ଘୋଷଣାପତ୍ରରେ କମଳାକାନ୍ତ ଜୀବନରେ ଯାହାସବୁ ନୁହନ୍ତି ତା’ର ତାଲିକାରେ କୁହନ୍ତି -“ନୂତନ ସାହିତ୍ୟ ଗଢିନାହିଁ’, କିନ୍ତୁ ‘ଚୋର'(କ୍ଷୁଦ୍ର-ଗଳ୍ପ ସଂକଳନ) ନିଶ୍ଚିତ ଭାବେ ନିରୋଳା କଳ୍ପନା-ଜଳ୍ପନାର ପରିପ୍ରକାଶରେ ଆବଶ୍ୟକ ଭାଷା ପ୍ରୟୋଗର ଆବିଷ୍କାର। ପୁଣି ଉପନ୍ୟାସ ‘ଫୋଟ’ ଏଵଂ ଗଳ୍ପ ସଂକଳନ ‘ପାଳଭୂତ’ର ପାଠକ ନିରୋଳା ବିସ୍ମୟ ଅଥବା ନାକଟେକି ସାମ୍ନା କାନ୍ଥକୁ ଚାହିଁବା ଅନୁଭୂତି ଅବଶ୍ୟ ଭୁଲିନଥିବେ। ପୁଣି ବିଶ୍ୱ ସାହୁତ୍ୟରୁ କାଫକା, ସିଙ୍ଗର, ସାର୍ତ୍ତ, ମାର୍କେଜଙ୍କ କୃତି ସବୁ ଓଡ଼ିଆରେ ଅନୁସୃଜନ କରିବା ଭଳି ଅସମ୍ଭବ କାର୍ଯ୍ୟ କରିଥିବା ଲାଗିଁ ଓଡ଼ିଆ ପାଠକ କମଳାକାନ୍ତଙ୍କ ପାଖରେ ସର୍ବଦା ଋଣୀ। ‘ଜନମରୁ ମରଣ’ର ଶେଷରେ ଦିଆଯାଇଥିବା କମଳାକାନ୍ତ ଓ ଲୀଳାବତୀ ମହାପାତ୍ରଙ୍କ ଓଡ଼ିଆରୁ ଇଂରେଜୀରେ ଅନୁଦିତ ଓ ପ୍ରକାଶିତ ପୁସ୍ତକ ତାଲିକା ଛୋଟ ଅକ୍ଷରରେ ଦୁଇପୃଷ୍ଠା ବିଶିଷ୍ଠ।

 ଆମ ସମୟର ଓଡିଆମାନେ ସେମାନଙ୍କ ମାତୃଭାଷାରେ ସାହିତ୍ୟ କୃତୀ ଓ ସାହିତ୍ୟ ସାଧକ ମାନଂକୁ ଯେଭଳି ଅଣଦେଖାକରେ ଏଵଂ ଓଡ଼ିଆ ପାଠକ ଧାରା ଯେପରି ଶୁଖି ଶୁଖି ମରି ମରି ଯାଉଥାଏ, ସେହି ପରିପ୍ରେକ୍ଷୀରେ କମଳାକାନ୍ତ ଓ ଲୀଳାବତୀ ମହାପାତ୍ରଙ୍କ ପରିଶ୍ରମ ଓ ଅବଦାନର ପ୍ରକୃତ ମୂଲ୍ୟାଙ୍କନ କରିଗଲେ ଯେ କେହି ଆଶ୍ଚର୍ଯ୍ୟ ଚକିତ ହିଁ ହେବେ।

  କମଳାକାନ୍ତ ଓ ଲୀଳାବତୀ ଜୀବନର କୌଣସି ଏକ ମୋଡରେ, କୌଣସି ଏକ ପ୍ରୋଚ୍ଛାହିତ ମୁହୂର୍ତ୍ତରେ ସାହିତ୍ୟ-ବନ୍ଦନାରେ ଜୀବନ ଅତିବାହିତ କରିବା ନିଷ୍ପତି ନେଇଥିବେ। ‘ଜନମରୁ ମରଣ’ ରେ ଏହିଁ ବିଷୟଟି ସୂଚିତ କିନ୍ତୁ ପରୋକ୍ଷରେ। “ବସ୍ତୁରିଆ, ଉଦଭ୍ରାନ୍ତ, ନିରଙ୍କୁଶ ଜୀବନ ପ୍ରତି ସବୁବେଳେ ଲୋଭ….. ଏବଂ ‘ବହେମିନିଜମ’ ସାହିତ୍ୟ ସୃଷ୍ଟି ଓ ଉପଲବ୍ଧିର ଏକ ମୁଖ୍ୟ ପ୍ରେରଣା” ବୋଲି ବଞ୍ଚିଥିବା କମଳାକାନ୍ତଙ୍କ ଲାଗିଁ ଜୀବନର ସବୁକିଛି ସାହିତ୍ୟ ସାଧନାରେ ଖଟେଇ ଦେବା ଯଦିବା ସମ୍ଭବଥିଲା କିନ୍ତୁ ସେ ଯେଉଁ କୃତକାର୍ଯ୍ୟତା ହାସଲ କରିପାରିଲେ ସେଥିପାଇଁ ଅବଶ୍ୟ ଏକ ନିରବଛିନ୍ନ ଶୃଙ୍ଖଳିତ କାର୍ଯ୍ୟଧାରାର ଆବଶ୍ୟକତା ଅନିର୍ବାଯ୍ୟ। ଏଥିଲାଗିଁ ମୁଖ୍ୟତଃ ଲୀଳାବତୀଙ୍କୁ ଦାୟୀକରାଯିବା ବିଧେୟ, ଯଦିଚ କମଳାକାନ୍ତଙ୍କ ଦୁଇ ସାନଭାଇ (ଉଭୟେ ଇଂରାଜୀ ଅଧ୍ୟାପକ) ଏହି ଦିଗରେ ନିଷ୍କପଟ କାର୍ଯ୍ୟ କରିଆସିଥିଲେ କିନ୍ତୁ ସେ ଦୁଇଙ୍କ ପାଖରେ ବି ଶୃଙ୍ଖଳାର ଅଭାବ ସାଧାରଣ ହିଁ ହୋଇଥାଇପାରେ। ଲୀଳାବତୀଙ୍କ ସହ ଜୀବନ ବିଷୟରେ ସେ କୁହନ୍ତି : “ପ୍ରଣୟ ଆରମ୍ଭ ବେଳୁ, ଲୀଳା ଓ ମୁଁ ଜୀବନ ସାରା ପାଳିବା ପାଇଁ କେତୋଟି ନିଷ୍ପତି ନେଇଥିଲୁ: ଏକ, କୌଣସି ସମ୍ପତିବାଡ଼ି କରିବୁନାହିଁ, ଦୁଇ, ପିଲାଝିଲା କରିବୁ ନାହିଁ, ତିନି, ପରସ୍ପରର ଦରମା ଟଙ୍କା ଉପରେ ସାମାନ୍ୟ ଦାବି ରଖିବୁନାହିଁ……” ଏଠାରେ ଯେଉଁ ମୁଖ୍ୟ ବିଷୟଟି ଊହ୍ୟ ରଖିଲେ – ସାହିତ୍ୟ ବୃତ୍ତି ଅଥବା ବିଶ୍ୱ ସାହିତ୍ୟର ପଠନ, ମନନ ଓ ଅନୁସୃଜନ ସହ ମୌଳିକ ଲିଖନ ଓ ଅସଲ ସାହିତ୍ୟର ପ୍ରସାର ଲାଗିଁ ସବୁ ସମୟ ଓ ବିତ୍ତର ଦାନ ଅବଦାନ। ଆତ୍ମଜୀବନୀର ଅନ୍ତିମ ପଷ୍ଠାରେ ଆମେ ପଢୁ- “ଅବସର ନେବାପରେ, ସକାଳୁ ଉଠି ଅଫିସ ଯିବା ପାଇଁ ପ୍ରସ୍ତୁତି ନଥିବାରୁ, ସବୁଦିନ ସକାଳେ ଲୀଳା ଓ ମୁଁ ଦୁଇଘଣ୍ଟା ଧରି ନାଲି ଚାହା ପିଉ – ପ୍ରାୟ ଗୋଟିଏ ଲିଟର ଲେଖାଏଁ। ଦିନ ଭିତରେ ଏଇଟା ଆମର ସର୍ବଶ୍ରେଷ୍ଠ ସମୟ, ଆମେ ନିର୍ବାଚିତ ପୁସ୍ତକ ବଡପାଟିରେ ପଢ଼ି ପରସ୍ପରକୁ ଶୁଣାଉ।’

“ଏଗାର ଏପ୍ରିଲ ଉଣେଇଶ ଶହ ଏକାବନ।” କଟକ ସହର। “ଦିନ ଦଶଟା ବେଳକୁ, ବୋର୍ଡ ଅଫ ରେଭିନ୍ୟୁରେ କିରାନି ଭାବେ କାମ କରୁଥିବା ମୋ ବାପା ବାଉରୀବନ୍ଧୁ ମହାପାତ୍ର ଅଫିସ ଯିବା ପରେ, ମୋ ଉଣେଇଶ ବର୍ଷିଆ ମାଆ ସ୍ନେହଲତା ମହାପାତ୍ରକୁ ଲାଗିଲା ତାର ଦ୍ଵିତୀୟ ପିଲା ଜନ୍ମ ହେବାକୁ ଆଉ ବେଶୀ ଡେରି ନାହିଁ……

“ମାଆ ଠାରୁ ଏହି ଗପ ମୁଁ ଏତେ ଥର ଶୁଣିଛି ଯେ ମତେ ଲାଗେ ମୁଁ ମୋ ଜନ୍ମର ପ୍ରତ୍ୟକ୍ଷ ଦ୍ରଷ୍ଟା।’

1951, ଅର୍ଥାତ କମଳାକାନ୍ତ ସ୍ୱାଧୀନ ଭାରତର ଆଦ୍ୟ ପୀଢ଼ିର ଏବଂ କୁହାଯାଇପାରେ ଯେ ଉଦଣ୍ଡ ସ୍ୱାଧୀନତାର ସେ ଥିଲେ ପ୍ରତିନିଧି ସ୍ୱରୂପ।”ଅଢେଇ ବର୍ଷ ବେଳକୁ ମୋ ମୁଣ୍ଡକୁ ହାତ ପାଇଯାଇଥାଏ, ଘରୁ ଯାହା ପାଇଲି…. ଧରି ଚାଲିଲି ରାସ୍ତା ସେପାଖ ପାନ ଦୋକାନ…. ସାଢେ ତିନି ବର୍ଷ ବେଳକୁ ମୁଁ କାହାର ଅକ୍ତିଆରରେ ନଥିଲି……… ମୁଁ ପାଲଟି ଯାଇଥାଏ ବୁଲାଟିଆ, ଅଘୋରୀ…. “

ଘରୁଆ ଅପେକ୍ଷା ଅଘୋରୀର ସ୍ଥାନ କାଳ ପାତ୍ରଙ୍କ ନୂତନତା ଓ ବିଭବତା ପ୍ରତି ଉନ୍ମୁକ୍ତି ଏବଂ ଅନୁଭୂତିର ଆକାଂକ୍ଷା ଅବଶ୍ୟ ଉତ୍କଟ। କମଳାକାନ୍ତଙ୍କ ବାଳୁତ ବାଳୁଙ୍ଗାମୀ ପାଠକକୁ ନେଇଯାଏ କଟକ ସହରର ଆଲୋକିତ ବଜାର ଓ ଛାପ ଛାପ ଗଳିକନ୍ଦୀକୁ ଏବଂ ତା ପରେ ବାପାଙ୍କର ଚାକିରୀରେ ପଦୋନ୍ନତି ଓ ବଦଳି ସହ ଓଡ଼ିଶାର କେନ୍ଦ୍ର ଠାରୁ ଦୁରନ୍ତ ପୁରପଲ୍ଲୀ – କଳାହାଣ୍ଡିର ଭବାନୀପାଟଣା, କୋରାପୁଟର ବରିଗୁମା। 1955 ରୁ 1960 ମଧ୍ୟରେ ଓଡ଼ିଶାରେ ଜନବସତି ଓ ଜଙ୍ଗଲ ମଧ୍ୟରେ ସମ୍ପର୍କ ଆଜିର ଭଳି ପ୍ରକୃତିଛଡା ଅବସ୍ଥାରେ ପହଞ୍ଚିନଥାଏ।

“ଦିନେ ଦିନେ ଗୋଟାଏ ଦୁଇଟା କ୍ଲାସ ପରେ ମୁଁ ସ୍କୁଲରୁ ଖସିଯାଇ ଆଖପାଖ ଗାଁଗଣ୍ଡାକୁ ଗସ୍ତ ପକାଏ। ସାମାଜିକ ଓ ସାଂସ୍କୃତିକ ଗସ୍ତ……. ଯେଉଁ ଆଦିବାସୀ ଗାଁରେ ମୁଁ ପହଞ୍ଚେ ସେଠି ହୁରି ପଡ଼ିଯାଏ। ଲୋକ ରୁଣ୍ଡ ହୁଅନ୍ତି। ତହସିଲଦାରଙ୍କ ପୁଅ ବୋଲି ଜାଣିବାପରେ ଚର୍ଚ୍ଚi ଆରମ୍ଭ ହୋଇଯାଏ। ଭାରି ଆଦରଯତ୍ନ। ବିଭିନ୍ନ ପ୍ରକାରର ଫଳମୂଳ, ବାଉଁଶନଳିରେ ନିର୍ମଳ ଝରଣାପାଣି, ମହୁ, ମହୁଲିରସ, ମାଟିସରାରେ ତୋରାଣିପାଣି – ଯାହା ଖାଇବୁ ଖା, ଯାହା ପିଇବୁ ପି, ତୁଷ୍ଟ ହ, ରୋଷ କରନା……ସେଉଠୁ ନାଚ ଗୀତ ଆରମ୍ଭହୁଏ। ତରୁଣୀ ଓ ବୁଢ଼ୀ ଆଦିବାସୀ ରମଣୀମାନେ ଗୀତ ଗାଇ ଗାଇ ନାଚନ୍ତି, ମତେ ବି ସେମାନଙ୍କ ସୁବାସିତ ମେଳକୁ ଟାଣି ନିଅନ୍ତି। ସେମାଙ୍କ ଦେହରେ ଓଦାମାଟି ବାସ୍ନା, ଯୁଡାରେ ଅଚିନ୍ହା ଫୁଲର ମହକ……”

ଜନ୍ମ, ଜୀବନ, କାଳ ଓ ନିୟତି ପ୍ରତ୍ୟେକ ଜୀବ ତଥା ବ୍ୟକ୍ତି ବିଶେଷଙ୍କ ଅନୁଭୂତିର ମାନଚିତ୍ର ସଭିଙ୍କ ନିଭୃତରେ ଯେପରି ଆଙ୍କିଥାନ୍ତି, ଚିତ୍ରିତ କରିଥାନ୍ତ ସେହି ରହସ୍ୟରୁ ଧାପେ ପାଇବାଲାଗି ହିଁ ଆତ୍ମ-ଜୀବନୀ। କବି ବିନୋଦ ଶୁକ୍ଳ (ଚଳିତ ବର୍ଷର ଜ୍ଞାନପୀଠ) ତେଣୁ ଆଶା ରଖନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି ଜୀବନରେ ଅନ୍ତତଃ ଗୋଟିଏ ପୁସ୍ତକ ଲେଖିବାକୁ ସକ୍ଷମ ହେବେ।

କମଳାକାନ୍ତଙ୍କ ଜୀବନାନୁଭୂତି ଲାଗି ଭାଗ୍ୟଦେବୀଙ୍କ ସହାସ୍ୟ ବଦାନ୍ୟତା। ବୋରିଗୁମ୍ମାରେ ଦ୍ଵିତୀୟ ଶ୍ରେଣୀରେ ପଢିବା “ବେଳକୁ ମୋର ପ୍ରତି ଦୁଇ ଦିନରେ ଗୋଟାଏ ପୁରା ଦୋସା ଖାଇବା ଅଭ୍ୟାସ ପଡିଯାଇଥାଏ। ଦୋସା ଦାମ ଦିଅଣା, କିଛି କମ ନୁହେଁ, କିନ୍ତୁ ପ୍ରତି ଦିନ ଦିଅଣା ଚୋରି କରିବାକୁ ମତେ ବାଧୁଥାଏ। ମୁଁ ଚାହୁଁ ଥାଏ ଏକାକାଳୀନ……’

“ମୋ ବାପା ମାଆ ମୋ ଭବିଷ୍ୟତ ନେଇ ଏମିତି ଚିନ୍ତିତ ହୋଇ ପଡିଲେ ଯେ ଅଜା ଯେତେବେଳେ ମତେ ତାଙ୍କ ସହ ନେଇଯିବା ପ୍ରସ୍ତାବ ଦେଲେ…. ଆଶ୍ବସ୍ତିର ନିଶ୍ୱାସ ମାରିଲେ।’

ଏହାର ଅନେକ ବର୍ଷ ପରେ,1994ରେ “ଚୋର’ ଗପଟି ଲେଖିଲା ବେଳେ ଏଇ ଅନୁଭୂତି ଓ ଅଭିଜ୍ଞତା ଉପରେ ବିଶେଷ ନିର୍ଭର କରିଥିଲି।….. ମୋ ସାହିତ୍ୟିକ ଜୀବନର ପ୍ରଥମ ସଚେତନ ପାଦ ପକାଇବା ପାଇଁ ବୋରିଗୁମ୍ମା ଜୀବନ ଓ ସ୍କୁଲ ମତେ ବହୁତ ସାହାଯ୍ୟ କରିଥିଲା, ପ୍ରଚୁର ଉପାଦାନ ଯୋଗାଇଥିଲା.।’

1960 ମସିହା କଟକ ଜିଲ୍ଲାର ଗଜରାଜପୁର ଉଚ୍ଚ ପ୍ରାଥମିକ ସ୍କୁଲ…. ଅଜା ହେଡମାଷ୍ଟର। “ତୃତୀୟ ଓ ଚତୁର୍ଥ ସାରିବା ବେଳକୁ ମୋ ଅବସ୍ଥା ଟିକିଏ ବଦଳି ଯାଇଥାଏ…… ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ସକାଶେ ପ୍ରସ୍ତୁତ ହେଉଥାଏ…” ଏବଂ କମଳାକାନ୍ତଙ୍କୁ ସମୟ ପୁଣି ଥରେ ସୁଯୋଗ ଦିଏ କଟକରେ ସହରୀ ଜୀବନ ସକାଶେ, ଯେହେତୁ ବାପା ବଦଳି ହୋଇ କଟକ ଆସିଯାଇଥିଲେ। ପ୍ୟାରୀମୋହନ ଏକାଡେମୀରେ ସପ୍ତମ ଶ୍ରେଣୀରେ ଗୋଟିଏ ବର୍ଷ ସାଙ୍ଗ ରାମକୃଷ୍ଣ ସହ କଟକ ସହରକୁ ଏଭଳି ଛିନଭିନ୍ନ କରି ଦିଅନ୍ତି ଯେ ପୁଣି ଥରେ ମାଫସଲ ଯୋଗ ଅନିର୍ବାଯ୍ୟ – “1964 ରୁ 1967 ପର୍ଯ୍ୟନ୍ତ ହାଇସ୍କୁଲ ପଢା ମୋର କଟିବାକୁ ଥିଲା ଗୋଟିଏ ମଫସଲ ହାଇସ୍କୁଲରେ।” କିନ୍ତୁ ଗଜରାଜପୁର ନିକଟ ଅଲଣାହାଟ ହାଇସ୍କୁଲ ସେହି ସବଡ଼ିଭିଜନର ସବୁଠାରୁ ନାମକରା ହାଇସ୍କୁଲ।ସ୍ୱାଧୀନ ଭାରତର ଆଦ୍ୟ ପିଢୀ ମାନଙ୍କ ମଧ୍ୟରୁ ଗୋଚ୍ଛା ଗୋଚ୍ଛା ଡାକ୍ତର, ଇଞ୍ଜିନିଅର ଓ ଉଚପାହ୍ୟା ଅଫିସର ପ୍ରସ୍ତୁତିରେ ଅଲଣାହାଟ ହାଇସ୍କୁଲର ଡାକ ପଡିଥାଏ।

 ସମସାମୟିକ ଜୀବନରେ ଏ କଥା ସତ ଯେ ପ୍ରାଇମେରି ପଢା ମଧ୍ୟରେ ଯଦି ଜୀବନର ସାମଗ୍ରିକତାକୁ ନେଇ ଆଭିମୁଖ୍ୟ ନିର୍ଧାରିତ ହୋଇଯାଏ, ହାଇସ୍କୁଲ ପଢ଼ା ଶେଷବେଳକୁ ତାହାର କ୍ୟାରିଏର୍ ଓ ସାମାଜିକ ସ୍ଥିତି ଊଣାଅଧିକେ ନିଶ୍ଚିତ ହୋଇଯାଇଥାଏ।ଅଲଣାହାଟ ହାଇସ୍କୁଲ ଶିକ୍ଷକ ମାନଙ୍କ ବିଷୟରେ ଜଣ ଜଣ କରି ଲେଖକ ଯେଉଁ ଭାବାତ୍ମକ ବର୍ଣନା ଦେଇଛନ୍ତି ତାହା ନିଶ୍ଚୟ ତାଙ୍କର ଅନେକ ସହପାଠୀ ଓ ଅଂଚଳବାସୀଙ୍କ ମନରେ ବିଗତ ଦିନଙ୍କୁ ପୁର୍ନଜାଗରିତ କରିଥିଵ।

****************

ଅତଏବ ଜୀବନର ଗତି ବଦଳିଯାଏ, ଦ୍ରୁତ ଏବଂ ବିସ୍ତାରିତ ମଧ୍ୟ।1967- 1968ରୁ ଆରମ୍ଭ ହୋଇ 1973-74– ରେଭେନ୍ସା କଲେଜ, ବନାରସ ହିନ୍ଦୁ ୟୁନିଭେର୍ସିଟି ଓ ଯେଏନୟୁ। ସେତେବେଳେ ରେଭେନ୍ସା କଲେଜର ନାମ କେବଳ ଓଡ଼ିଶା ନୁହଁ ସମଗ୍ର ପୂର୍ବ ଭାରତରେ। “ଏଇ କଲେଜରେ ଦିନେ ପଢ଼ିଥିଲେ ମୋ ବାପା। ପରେ ସେ ଲେଖିଥିଲେ : ‘ବିରାଟ କୋଠା, ଦୋ ମହଲା, ଢାଉ ରଙ୍ଗ, ଓସାରିଆ ଲମ୍ବା ବାରଣ୍ଡା, କୋଠା ଚାରିକଡେ ଗଛ, ଗଛରେ ଚଢେଇ ଗହଳି, କଲେଜ ସାମ୍ନାରେ ବିରାଟ ଛକ…..’

ରେଭେନ୍ସା କଲେଜରୁ ହିଁ ଆରମ୍ଭ ହୁଏ  ବିଶ୍ୱ ସାହିତ୍ୟରେ ନିରବଛିନ୍ନ ଯାତ୍ରା। ରେଭେନ୍ସାକଲେଜରେ “ନିଜ ଶ୍ରେଣୀ ସାଙ୍ଗ ମାନଙ୍କଛଡା କେତେଜଣ ଉପର ଶ୍ରେଣୀ ଛାତ୍ରଙ୍କ ଛତ୍ରଛାୟା ସନ୍ଧାନ କରି ଥିଲି….. ପରାମର୍ଶ ପାଇଥିଲି ଉଚକୋଟୀର ବହି ପଢିବା ସଂକ୍ରାନ୍ତରେ….ପ୍ରଥମେ ଶୁଣିଥଲି ଫ୍ରାଞ୍ଜ କାଫକାଙ୍କ ଗପ ‘ମେଟାମରଫସିସ’ ବିଷୟରେ”।(ଅନେକ ବର୍ଷ ପରେ ଏହାର ଓଡ଼ିଆ ଅନୁବାଦ ଲାଗିଁ କମଳାକାନ୍ତ ମହାପାତ୍ର ଓଡ଼ିଆ ପାଠକ ମହଲରେ ଚର୍ଚିତ ରହିବେ।) ସେତେବେଳେ ” ପ୍ରଥମେ ଶୁଣିଲି ସାର୍ତ୍ତ, କ୍ୟାମୁ, କାଫକା, ଇତ୍ୟାଦିଙ୍କ ନାମ, ପ୍ରଥମେ ଶୁଣିଲି କେତେଗୁଡିଏ ବୌଦ୍ଧିକ ମତବାଦ ବା ଚିନ୍ତାଧାରା ବିଷୟରେ – ଏକଜିଷ୍ଟେନ୍ସଲିଆଜମ, ସରରିଆଲିଜମ, ଦାଦାଇଜମ ଇତ୍ୟାଦି……” ସେତେବେଳେର ପୁସ୍ତକ-ପ୍ରେମୀଙ୍କ ଲାଗି ଦୈନନ୍ଦିନ ଭେଟି ସଦୃଶ୍ୟ ଥିଲା ସୋଭିଏତ ବୁକ୍ସ ପବ୍ଲିକେସନ୍ସ।

“ବହିକିଣା ଉନ୍ମାଦନାକୁ ଇନ୍ଧନ ଯୋଗାଇଥିଲା ମାସକୁ ଥରେ ରବିବାସରୀୟ ପ୍ରଭାତେ ହଷ୍ଟେଲ ବାରଣ୍ଡାରେ ରଘୁ ବେହେରା ପକାଉଥିବା ପୁସ୍ତକ ବିପଣୀ। ନବଯୁଗ ଗ୍ରନ୍ଥଆଳୟ ଆନୁକୂଲ୍ୟରେ ଋଷିୟ ଲେଖକଙ୍କ ସୁଦୃଶ୍ୟ ବହି…. ଲିଓ ଟଲଷ୍ଟୟ, ମାକ୍ସଇମ ଗର୍କୀ, ଆନ୍ତନ ଚେକଭ, ଫିଓଦର ଦସ୍ତୋଭସ୍କି, ଟର୍ଗେନେଭ ଇତ୍ୟାଦି”। ସେହି ସମୟର କଥା କହିଲାବେଳ ସେ ଉଲ୍ଲେଖ କରନ୍ତି ଯେ “ପ୍ରିୟଦର୍ଶୀ ଭାଇ କହିଥିଲେ- ଇଂରାଜୀ ସାହିତ୍ୟ ସାଙ୍ଗକୁ ଓଡ଼ିଆ ଓ ସଂସ୍କୃତ ସାହିତ୍ୟ ପଢିବା ନିହାତି ଜରୁରୀ, ଆଧୁନିକ ସାହିତ୍ୟ ସାଙ୍ଗକୁ ପ୍ରାଚୀନ ସାହିତ୍ୟ….’

 କିନ୍ତୁ ମନେହୁଏ ଭାରତୀୟ ପ୍ରାଚିନ ସାହିତ୍ୟ ପ୍ରତି ଅନୁରାଗ ଓ ଆକର୍ଷଣ କମଳାକାନ୍ତଙ୍କ ଭିତରେ ସୃଷ୍ଟି ହୋଇ ପାରି ନଥିଲା। ତାଙ୍କ ଆତ୍ମକଥାରେ ଏହି ଦିଗରେ ସେଭଳି ପ୍ରଚେଷ୍ଟା ବା କାର୍ଯ୍ୟର ଉଲ୍ଲେଖ ମିଳେନାହିଁ। ଏପରିକି ସମକାଳୀନ ଓଡ଼ିଆ ସାହିତ୍ୟ ବ୍ୟତୀତ ଅନ୍ୟ ଭାରତୀୟ ଭାଷାର ଲେଖକ ଏବଂ କେବଳ ବଳରାଜ ଖାନ୍ନା ଓ ମନୋଜ ଦାସଙ୍କ ଛଡା ଅନ୍ୟାନ ଭାରତୀୟ-ଇଂରାଜୀ ଲେଖକଙ୍କ ବିଷୟରେ କୌଣସି ବ୍ୟକ୍ତବ୍ୟ ନଥିବା ପାଠଜକୁ ହତଚକିତ କରେ।

—————-

“ଯେ ଏନ ୟୁ – “1971ରୁ ଏମ ଏ ଶ୍ରେଣୀ ଖୋଲିଯିବା ସହ ଦେଶର କୋଣ ଅଣୁକୋଣରୁ ଉଚ୍ଚକାଂକ୍ଷୀ ସର୍ବହରା ମାନେ ଆସି ସେଠି ଜୁଟିଥାନ୍ତି ଏବଂ ସେମାନଂକୁ ଜଳେଇ ପୋଡି ମାରିବା ପାଇଁ ଜୁଟିଥାନ୍ତି ବିଭିନ୍ନ ବିଦେଶୀ ଲାଙ୍ଗୁଏଜ ସ୍କୁଲର ତରୁଣ ଛାତ୍ରୀ ଗଣ… ସମସ୍ତେ ଧନୀ ପରିବାରର…. ସର୍ବହରା ଓ ସୁନ୍ଦରୀମାନଙ୍କ ମଧ୍ୟରେ ଗଢିଉଠିଥାଏ ଏକ ବିଚିତ୍ର ପ୍ରେମ ସମ୍ପର୍କ,– ଉଭୟେ ଉଭୟଙ୍କୁ ସାମୟିକ କ୍ରୀଡାପୁତ୍ତଳିକା ପରି ଉପଭୋଗ କରୁଥାନ୍ତି।

“ଯେଏନୟୁ ହଷ୍ଟେଲ ମେସରେ ମାତ୍ର ଶହେଦଶ ଟଙ୍କାରେ ତିନି ବକ୍ତ ଖାଦ୍ୟ….. ଯେତେସବୁ ନିପୀଡ଼ିତ ନିଷ୍ପେସିତ ସର୍ବହରା – ସେମାନେ ଯେତେ କଙ୍କାଳସାର ହୋଇଥାନ୍ତୁ ନା କାହିଁକି – ଏଠାକୁ ଆସିବା ପରେ ମାସ ଦୁଇ ତିନିଟାରେ ଗୋଲଗାଲ ବନି ଯାଉଥିଲେ.। କେବଳ ସର୍ବହରାତ୍ବ ବଜାୟ ରଖିବା ପାଇଁ ଜାଣିଶୁଣି ମଇଳା କୋତରା ରହିବାକୁ ପସନ୍ଦ କରୁଥିଲେ।” କହିବା ବାହୁଲ୍ୟ ଅନ୍ୟସବୁ ମଧ୍ୟରେ ଏହି ଛଳଣା-ପ୍ରିୟ ଯୁବପିଢୀକୁ  ନିର୍ଦ୍ଧିଷ୍ଟ ଭାବେ ପ୍ରସ୍ତୁତକରିବା ଯେ ଏନ ୟୁ ପ୍ରତିଷ୍ଠାର ଅନ୍ୟତମ ଉଦ୍ଦେଶ୍ୟ ହୋଇଥାଇପାରେ ତାହା କମଳାକାନ୍ତଙ୍କ ଏହି ଅନୁଭୂତି ପ୍ରତିପାଦନ କରେ। କିନ୍ତୁ କମଳାକାନ୍ତଙ୍କର ଏଠି ବର୍ଷେ ନପୂରୁଣୁ ଭାଗ୍ୟର ଧାରା ଭିନ୍ନ ହୋଇଯାଏ।

…. “ଘରୁ ଖବର ଆସିଲା ଯେ ବିଜୁ ପଟ୍ଟନାୟକ ସରକାରୀ କର୍ମଚାରୀଙ୍କ ଅବସର ସୀମା ଅଠାବନରୁ କମେଇ ପଂଚାବନ ବର୍ଷ କରିବା ନିଷ୍ପତି ନେଇଛନ୍ତି। ହଠାତ ଭବିଷ୍ୟତ ଲାଗି କୌଣସି ପ୍ରକାର ପ୍ରସ୍ତ୍ୟତି କରିବା ଆଗରୁ, ମୋ ବାପା ଅକଟୋବର 1974ରେ ଅବସର ନେଲେ।….. ଗାଁରେ ତିନି ବଖରା ଚାଳ ଘର, ଦୁଇ ବଖରା ପକ୍କା ଘର, ଚାଷ ଜମି ଆଠ ଏକର, ପିଲା ଦଶଟା, ବଡ ଝିଅର ବାହାଘର ସରିଥାଏ….’

ଏହି ଘଡିସନ୍ଧି ମୁହୂର୍ତ୍ତରେ କମଳାକାନ୍ତଙ୍କ ଯେଏନୟୁ ରେ ନେହେରୁ ଫେଲୋସିପ ଲାଗି ସାକ୍ଷାତକାର ଏବଂ ମନୋନୀତ ହେବା ପ୍ରକ୍ରିୟାର ମନୋରମ ବର୍ଣନା ଦେଇ ଲେଖନ୍ତି — “ଆମେ ତ ବାବୁ ନିମ୍ନ ମଧ୍ୟବିତ୍ତ ପରିବାରର ପିଲା, ଆମକୁ ଦରକାର ଚାକିରୀ,…. କଲେଜ ଦିନୁ ଆଇଏଏସ ହେବାର ସ୍ୱପ୍ନରେ ପରିପୁଷ୍ଟ, ଏଇ ଚାକିରୀଟି ହିଁ କାଳେ ମୋକ୍ଷପ୍ରାପ୍ତିର ଏକମାତ୍ର ମାର୍ଗ….’

” ଅନ୍ତରଦ୍ୱନ୍ଦ୍ୱ ପାଇଁ ମୋର ଅବସର ନଥାଏ। ବାପା ସଦ୍ୟ ଅବସର ନେଇ ଥାନ୍ତି। ପଇସାପତ୍ର ଘୋର ଅଭାବ….. 1974 ସରି ଆସୁଥାଏ, ଅସ୍ଥାୟୀ ଅଧ୍ୟାପକ ନିଯୁକ୍ତି ବିଜ୍ଞାପନ ବାହାରି ଥାଏ….।‘

*******************

ଜୀବନର ଗତିଶୀଳତା ବାରମ୍ବାର ଆମକୁ ଛିଡା କରାଇଥାଏ ଦୋମୁହାଣୀରେ ଏବଂ ଆମର ସେଇ ମୁହୁର୍ତ୍ତର ଚୟନ ନିର୍ଣ୍ଣୟ କରିନିଏ ଆମ ଜୀବନର ଗତି, ଗୁଣ ଓ କାରଣ। ଆତ୍ମ-ଜୀବନୀ ହେଉ କିମ୍ବା ହେଉ ଅନ୍ୟ ଜୀବନ ଉପରେ ଆଧାରିତ କାହାଣୀ, ଅବଶ୍ୟ ହୋଇଥାଏ ମାଧ୍ୟମ ବ୍ୟକ୍ତିର ବୋଧଗମ୍ୟତା ଲାଗି ଯେ ପ୍ରକୃତରେ କେଉଁଭଳି ଶକ୍ତି ପ୍ରେରିତ ଅଥବା ବାଧ୍ୟ୍ୟ କରିଥାଏ ଆମର ଚୟନ-ବତ୍ତା (free-will)କୁ ଜଣେ ସେହି ଦୋମୁହାଁଣି ରେ ଛିଡା ଯେତେବେଳେ। ସେ ଯାଏଁ ବଞ୍ଚିଥିବା ସ୍ବପ୍ନ ଓ ମୂଲ୍ୟବୋଧରୁ କଣ ଓ କେତେଦୂର ଜୀବିତ ରହନ୍ତି ଜୀବନ ଭିନ୍ନ ମୋଡ ନେବାପରେ…….

ଏଠାରେ କୁହାଯିବା ବିଧେୟ ଯେ ବନାରସ ହିନ୍ଦୁ ୟୁନିଭେର୍ସିଟିର ଛାତ୍ର ଦିନୁ ଲେଖାଲେଖି କରିବା ପର୍ଯ୍ୟାୟଟି ଆରଂଭ ହୋଇଯାଇଥାଏ, ଯେଭଳି ଅଧିକାଂଶ କ୍ଷେତ୍ରରେ ଘଟି ଥାଏ – ପୂର୍ବସୁରୀର ଲେଖକ ମାନଙ୍କସହ ପରିଚୟ ଓ ଅନୁକରଣର ପ୍ରକ୍ରିୟାରୁ। ବନାରସ ପରିଭ୍ରମଣରରେ ଆସିଥିବା ଓଡ଼ିଆ ଲେଖକ, ବିଭୁତି ପଟ୍ଟନାୟକ, ପ୍ରକାଶକ ଶୁକଦେବ ସାହୁ ଏବଂ ବିଶେଷ ଭାବେ ଉଲ୍ଲେଖନୀୟ କୃଷ୍ଣ ପ୍ରସାଦ ମିଶ୍ର -“… ଚେହେରା ଥିଲା ଆକର୍ଷଣୀୟ। ଡେଙ୍ଗା, ଗୋରା, ବାଣପୁରୀ ବ୍ରାହ୍ମଣ, ଅହଙ୍କାରୀ ଓ ଏସବୁ ବିଷୟରେ ଆତ୍ମସଚେତନ ଓ ଆହ୍ଲାଦିତ…’

ଅଥଚ “କୃଷ୍ଣ ପ୍ରସାଦ ମିଶ୍ରଙ୍କ ସାହିତ୍ୟିକ ଅହଂକାର ଥିଲା ଯେ ସେ ଥିଲେ ପ୍ରଥମ ଓଡ଼ିଆ ଲେଖକ ଯିଏ ପାଶ୍ଚତ୍ୟ ଅଭିଜ୍ଞତା ଓ ଅନୁଭୂତି ପୃଷ୍ଠାଭୂମିରେ ( ଟ୍ରୋଜାନ ହର୍ସ, ଜଣେ ହିପ୍ପୀ ତରୁଣୀର ଇତିବୃତ୍ତି ) ରଚନା କରିଥିଲେ। “କମଳାକାନ୍ତ ଲେଖନ୍ତି – ‘ମୋର ପୁଡ଼ି ଗପ ଶୁଣିବାରେ କେଵେ ଆପତ୍ତି ନାହିଁ କି ନଥିଲା” ଅତଏବ କୃଷ୍ଣ ପ୍ରଶାଦ ମିଶ୍ରଙ୍କ ସ୍ଵ-ବର୍ଣିତ ଏକାଧିକ ରୋଚକ କାହାଣୀ ଆମେ ପଢୁ। ଲେଖକ ସାଙ୍ଗକୁ ସେ ଥିଲେ ଓଡ଼ିଶାର ସବୁଠାରୁ ନାମୀ ପ୍ରକାଶକ, କଟକ ସ୍ତୁଡେଣ୍ଟସ ଷ୍ଟୋରର ଉତ୍ତରାଧିକାରୀ ଏବଂ ମାସିକ ପତ୍ରିକା ‘ମାନସ’ର ସମ୍ପାଦକ। କମଳାକାନ୍ତଙ୍କ ପ୍ରଥମ ଇଂରାଜୀରୁ ଓଡ଼ିଆ ଅନୁବାଦ – ଏରିକ ଶେଗାଲ ଙ୍କ ‘ଲଭ ଷ୍ଟୋରି’ ଯାହା ‘ମାନସ’ ରେ ପ୍ରକାଶିତ ହେବା କଥା, ଲେଖକ ଓ ପ୍ରକାଶକଙ୍କ ଅନୁମତି ବିନା ସବୁଦିନ ଲାଗି ରହିଗଲା ଅପ୍ରକାଶିତ। ଏହି ସମୟରେ କମଳାକାନ୍ତ ଲେଖିପକାଇଥିଲେ ମଧ୍ୟ ଆହୁରି ଦୁଇଟି ଉପନ୍ୟାସ — “ସେ ବର୍ଷର ଦ୍ଵିତୀୟ ଅପ୍ରକାଶିତ, ଅପ୍ରକାଶ୍ୟ, ଅପାଠ୍ୟ ଉପନ୍ୟାସ – ‘କ୍ୟାକଟସ କଣ୍ଟା’। ଭାବିଲି ଖାଲି ନାଆଁ କୁ ପଢ଼ି ଛାପିବାକୁ ପ୍ରକାଶକମାନେ ମାଡପିଟ ହେବେ ।’ ,

“ଏମ ଏରେ ବିଏଚୟୁରୁ ଗୋଟିଏ ନୁହେଁ ଦୁଇଟା ଗୋଲଡ ମେଡଲ।‘ କିନ୍ତୁ ଏହି ତଥ୍ୟଟି କମଳାକାନ୍ତଙ୍କୁ କୁହାଇବାକୁ ହୁଏ ତତ୍କାଳୀନ ଚିଫ ସେକ୍ରେଟାରୀଙ୍କ ମୁହଁରେ ଡ଼ି ପି ଆଇଙ୍କୁ ଯାଜପୁର ଏନ.ସି କଲେଜ ବଦଳେ ରେଭେନ୍ସା କଲେଜରେ ଅସ୍ଥାୟୀ ଅଧ୍ୟାପକ ଭାବେ ନିଯୁକ୍ତି ପାଇବା ସକାଶେ। ଅର୍ଥାତ ସତୁରୀ ଦଶକର ମଧ୍ୟ ଭାଗରେ ପହଂଚି ଭାରତୀୟ ସମାଜ ପାୱାରଫୁଲ ରିକୋମେଣ୍ଡେସନ ଓ ଲାଇସେନ୍ସର ମାଧ୍ୟମରେ ପରିଚାଳିତ ସାମୁହିକ ଛଲଣାପୂର୍ଣ୍ଣତାରେ ପରିବର୍ତ୍ତିତହେବାର ସମ୍ପୂର୍ଣ୍ଣତାରେ।

“ଉଣେଇଶ ଶହ ପଚସ୍ତରି ଜୁନ ପଚିଶ ତାରିଖରେ ଦେଶରେ ଆପତକାଳୀନ ପରିସ୍ଥିତି (ଏମେ୍ରଜେନ୍ସି) ଜାରି ହେଲା। ବ୍ୟାପକ ରାଜନୈତିକ ଆଲୋଡନ, ପରିବର୍ତ୍ତନ ଘଟିଲା। ପ୍ରତିବାଦ କରିବା ଲୋକେ ଜେଲ ଗଲେ, ଯେଉଁମାନେ ଜେଲ ବାହାରେ ରହିଲେ ମୂଷା ଚୁଚୁନ୍ଦ୍ରା ପରି ବଞ୍ଚିଲେ। ବିଧବା ଇନ୍ଦିରା ଗାନ୍ଧୀ ଦେଶକୁ ବେଶ ପାନେ ଦେଇଥାଏ…..”। ଏଥିସହ ଭାରତୀୟ ସମାଜବାଦୀ ଚିନ୍ତା ଓ ସ୍ବପ୍ନରେ ଯବନିକା ଏବଂ ବଜାର-ପୁଞ୍ଜିବାଦର ଜୟଜୟକାରର ଆରମ୍ଭ…..

ଏହି ସମୟରେ କମଳାକାନ୍ତ ଜଣେ ଦୁଇଜଣ ବନ୍ଧୁଙ୍କ ସହ କମ୍ପିଟେଟିଭ ଏକଜାମ ଲାଗି ପ୍ରସ୍ତୁତି।”1976 ଫେବୃଆରୀ ମାସରେ ପ୍ରତିଯୋଗିତାମୂଳକ ପରୀକ୍ଷାର ଫଳାଫଳ କର୍ତ୍ତୃପକ୍ଷ ଆମକୁ ଜଣାଇ ସାକ୍ଷତକାର ପାଇଁ ଚିଠି ପଠାଇଲେ।‘

“ମୋର ବ୍ୟକ୍ତିଗତ ଅଭିଜ୍ଞତା ଓ ବିଚାରରେ, ଏଇ ପରୀକ୍ଷାରେ ସଫଳତା ହେଉଛି ଗୋଟିଏ ପ୍ରକାରର ଲଟେରୀ…. ଏଇ ଲଟେରୀ ପାଇ କେତେ କେତେ ନିରୀହ ଗାଉଁଲି, ସାଧାରଣ,ଚୁଡା,ମଫ, ଢେଙ୍କୁ, ଭାୟା, ବେହେନଜୀ ଏମିତି ବଦଳି ଯାଇଛନ୍ତି ଯେ ସେମାନଂକୁ ଚିହିଁବା,– ମଣିଷ ବୋଲି ସ୍ୱୀକାର କରିବା ଦୂରେ ଥାଉ,– କଷ୍ଟକର। ଚାକିରୀ ଓ କ୍ଷମତା ଯେ ମୁଣ୍ଡକୁ ପିତ୍ତ ପରି ଚଢିଯାଏ, ଏକଥା ବିଶ୍ୱାସ କରିହୁଏନା ଏଭଳି ନମୁନା ମାନଂକୁ ନଦେଖିଲେ। କିନ୍ତୁ ତାଙ୍କୁ ଦୁଇପଇସିଆ ରାଜନୀତିଆ ମାନେ ଲଙ୍ଗଳା କରନ୍ତି, ଗାଳି ଦିଅନ୍ତି, କିଣାକିଙ୍କର ବା ବଚସ୍କର କରି ରଖନ୍ତି। ବ୍ୟତିକ୍ରମ ଆଙ୍ଗୁଠିରେ ଗଣିହେବ।” କହିବା ବାହୁଲ୍ୟ ସ୍ୱାଧୀନ ଭାରତ ଉପରୋକ୍ତ ଦୁଇ ଗୋଷ୍ଟି ଦ୍ୱାରା ପରିଚାଳିତ ହୋଇ ଧୀରେ ଧୀରେ ସାର୍ବଜନୀନ ଭାବେ ଏଭଳି ଏକ ସ୍ୱାର୍ଥ-ସର୍ବସ୍ବ-ଆସ୍ପର୍ଦ୍ଧା (cynicism)କୁ ଜାତୀୟ-ଚରିତ୍ର ରୂପେ ଆପଣେଇବ ଯାହା ତାକୁ ବିଂଶ ଶତାବ୍ଦୀର ଶେଷ ବେଳକୁ ତାହାର ମୌଳିକ ମୂଲ୍ୟବୋଧ ଠାରୁ ଦୁରେଇ ଦୁରେଇ ଏକ ଅର୍ଥ-ସର୍ବସ୍ବ ସଭ୍ୟତାର ପରିଚୟ ଆଣିଦେଇଥିବ।

1977 ମସିହା ଇନକମ ଟେକ୍ସ ଟ୍ରେନିଂ। “ବେଳେ ବେଳେ ଆମେ ମନସ୍ତାପ କଲୁ ଯେ……” କିନ୍ତୁ “ଘମାଘୋଟ ଆଲୋଚନା ପରେ ମୁଁ ଏହି ଉପସଂହାରରେ ପହଞ୍ଚେ ଯେ ଭାଗ୍ୟରେ ଯାହା ଥିଲା ତାହା ହିଁ ଘଟିଲା, ମୁଣ୍ଡ ବାଡେଇବା, ମାନସ୍ତାପ କରିବା, ଅନୁତାପ କରିବା ସବୁ ବୃଥା.।ଯେଉଁଠି କାମ କଲ ସେଇଠି କେମିତି କାମ କଲ, ସଚୋଟ ରହିଲ କି ନାହିଁ ସେଇ ବଡ କଥା।”

‘ଜନମରୁ ମରଣ’ର ପରବର୍ତ୍ତି ଶହେ ପୃଷ୍ଠା ହର୍ଷପୂର୍ଣ୍ଣ ସଫଳ ସଚୋଟ ଅଫିସର ଜୀବନ ସହ ରଚନାତ୍ମକ କାର୍ଯ୍ୟଧାରାର ସାବଲୀଳ ବର୍ଣନା। ଜୀବନର ଏକାଧିକ ଧାରାର ଗତିରେ ସୌଭାଗ୍ୟପୁର୍ଣ ସମନ୍ୱୟତା। ହୃଦୟରେ ଏକାକାର ଏକାଧିକ ବନ୍ଧୁ ପାଇବା “ସାଙ୍ଗକୁ ଯଦି ପ୍ରେମ ବି ସମ୍ଭବ ହେଲା ତାହେଲେ ମଣିଷ ଆଉ ବେଶି ଦିନ ବଞ୍ଚିବା ଉଚିତ ନୁହେଁ। ଫରାସୀ ଲେଖକ ଆନାତୋଲେ ଫ୍ରାନ୍ସ କହିବା ଅନୁସାରେ, ଏଇ ବିଚିତ୍ର, ବିସ୍ପୋରିତ, ବିସ୍ତାରିତ ପ୍ରଜାପତି ଅବସ୍ଥାରେ ମଣିଷ ଜୀବନର ଉପାସଂହାର ଏକାନ୍ତ କାମ୍ୟ।”

ନାଗପୁରରେ “ଜୁଲାଇ, 1977 ବେଳକୁ ଟ୍ରେଇନିଂ ଇନଷ୍ଟିଟିୟୁଟ ସମସ୍ତେ ଜାଣିଯାଇଥିଲେ ଯେ ମୁଁ ଲୀଳାବତୀ ମୁଖାର୍ଜୀ ନାମକ ଜଣେ ଶ୍ୟାମଳୀ ସହପାଠିନୀ ପ୍ରେମରେ ବୁଡି ମରୁଛି, ମୋ ନାକଯାଏଁ ପାଣି। ” କିନ୍ତୁ ଏଥି ସହ ବୁଡି ମରିବା ନୁହେଁ ବରଂ ଆସିଯାଏ ଜୀବନ-ଧାରାରେ ସନ୍ତୁଳିତ ସନ୍ତରଣ। ଇନକମ ଟେକ୍ସ ଅଫିସର ଭାବେ 1977ରେ ଚାକିରୀ ଜୀବନ ଆରଂଭ କରି 2013ରେ ମୁଖ୍ୟ ଚିଫ କମିଶନର ପଦରେ ଅବସର ନେବା ମଧ୍ୟରେ ଚାକିରୀ ଜୀବନର ପ୍ରଲମ୍ବିତ ଅନୁଭୂତିର ବର୍ଣନା, କମଳାକାନ୍ତଙ୍କ ସମସ୍ତ ବର୍ଣନା-ଚାତୁର୍ଯ୍ୟତା ସତ୍ୱେ ପାଠକ ଲାଗି ନିହାତି ସାଧାରଣ ଓ ଘୋସାରିଆ ହୋଇଥାନ୍ତା ଯଦି ନଥାନ୍ତା ଲୀଳାବତୀଙ୍କ ଉଚ୍ଛସିତ ସଙ୍ଗ ଏବଂ ଏକାଠି ସାହିତ୍ୟ, ସଂଗୀତ ଓ ସିନେମାର ନୂତନ ସ୍ରଷ୍ଟା ଏବଂ ଦିଗ ମାନଙ୍କ ଆବିଷ୍କାର ଓ ଉପଭୋଗର ବର୍ଣନା।

“ଚାକିରୀରୁ ମୁକୁଳି ଜୀବନରେ ଆଉ କଣ ଗୋଟାଏ ନୂଆଁ କାମ କରିବା ନିଶା ଆମ ମନରୁ ଖସି ନଥାଏ….. ଅବସାଦରୁ ନିଷ୍କୃତିର ଆଉ ଗୋଟିଏ ବାଟ ମିଳିଗଲା : ଅନୁବାଦ, ଓଡ଼ିଆରୁ ଇଂରାଜୀ ଓ ଇଂରାଜୀରୁ ଓଡ଼ିଆକୁ ।” କିଶୋରୀ ଚରଣ ଦାସଙ୍କ ଏକ ଗଳ୍ପ ସଂକଳନର ଇଂରାଜୀ ଅନୁବାଦରୁ ଏହି ଯେ ପ୍ରକ୍ରିୟା ଆରମ୍ଭ ହୁଏ ତାହା ଅତୁଟ ରହେ ପରବର୍ତ୍ତି ପାଞ୍ଚ ଦଶନ୍ଧି। ଏଥି ସହ ଜନ୍ମ ମଧ୍ୟ ‘ଗ୍ରାସରୁଟ’ର, ଓଡିଶାରେ ପ୍ରକାଶନ ଓ ବିତରଣ ଭଳି ‘ଘରୁ ଖାଇ ଘୋଡା ଆଗରେ ନାଚିବା’ କାର୍ଯ୍ୟଧାରା।

ଅନୁବାଦର ସେହି ଦ୍ବିଭାଷୀ ଧାରାର ଅବିଛିନ୍ନତା ମଧ୍ୟରେ ବନ୍ଧୁ ମାନଙ୍କ ଉନ୍ମୁକ୍ତ ସହଯୋଗ, ଏପରିକି ନୂତନ ବନ୍ଧୁତା, “ପଲ ସେନ୍ଟ-ପିଅର ସହ ବନ୍ଧୁତା ହେଲା ବହୁତ ଡେରିରେ, ପ୍ରାୟ, 1996 ବେଳକୁ… ଆହୁରି ଆଗରୁ, ଆମେ ଅନୁବାଦ ଆରମ୍ଭ କରିବା ଦିନୁ ହୋଇଥିଲେ ଆମର ବହୁତ ମଙ୍ଗଳ ହୋଇଥାନ୍ତା।’

ଜୀବନ ପ୍ରବାହରେ ଆଧୁନିକତାର ପ୍ରବେଶ ଓ ରାଜୁତି ସହ ସାମୁହିକ ଜୀବନ ପ୍ରଣାଳୀରେ ଭଟ୍ଟା ପଡି ଚାଲିଥିବା ବେଳେ ଆଠ-ଦଶ ଭାଇ-ଭଉଣୀ ଓ ବାପା ମାଆଙ୍କୁ ନେଇ ବଡ଼ ପରିବାରରେ ବଞ୍ଚିବା ଓ ଦାୟିତ୍ୱ ତୁଲେଇବା ଭଳି ଅନେକ ବନ୍ଧୁଙ୍କ ପ୍ରଘାଢ଼ ବନ୍ଧୁତା, ସେହି ଭଳି ସୌଭାଗ୍ୟପୂର୍ଣ୍ଣ  ଜୀବନ ବଞ୍ଚିବା ପ୍ରାୟତଃ ଶେଷ ହୋଇଯାଏ କମଳାକାନ୍ତଙ୍କ ପିଢୀରେ।ଏହି ଦୃଷ୍ଟିରୁ ‘ଜନମରୁ ମରଣ’ ର ଶେଷ ଭାଗ ଅତ୍ୟନ୍ତ ରୋଚକ ଓ ଉପାଦେୟ ମଧ୍ୟ। ଅନେକ ବନ୍ଧୁ ଏବଂ ପ୍ରତ୍ୟେକେ ପରିଚୟର ନିଜସ୍ୱତାରେ ଧୁରନ୍ଧର। ଅତଏବ ଅଗଣିତ ରଙ୍ଗ ଓ ଚିନ୍ତଧାରାଙ୍କ ସମନ୍ୱୟ କେବଳ ନୁହେଁ ସଂଘାତ ମଧ୍ୟ।ଫରାସୀ ଦାର୍ଶନିକ ଆଲେନ ବଦୁଙ୍କ ଭାଷାରେ ଯଦି “The encounter between two differences is an event”, ତେବେ କମଳାକାନ୍ତଙ୍କ ଜୀବନ ନିଶ୍ଚିତ ଭାବେ ନିରବଛିନ୍ନ ରଙ୍ଗୀନ ଓ ସୁଖଦ ବିପ୍ଳବ।

କମଳାକାନ୍ତ ମହାପାତ୍ରଙ୍କ ଚାକିରୀ ଜୀବନ ସତୁରୀ ଦଶକର ମଧ୍ୟ ଭଗରୁ ଆରମ୍ଭ, ଅର୍ଥାତ ଭାରତ ଓ ଭରାତବାସୀ ନିଜସ୍ୱ ପରିଚୟ ପ୍ରତିଷ୍ଠା କରୁଥିବା ସମୟ-କାଳ… ପୁଣି ଆୟକର ବିଭାଗ, ଯାହା ସମାଜର ଉପରିସ୍ତ ଶ୍ରେଣୀର ଅଧିକରୁ ଅଧିକ ପ୍ରତିପତ୍ତି ଲାଗି କାର୍ଯ୍ୟକଳାପର ହିସାବ ରଖିବାଲାଗି ଉଦ୍ଦିଷ୍ଟ। ନିମ୍ନ-ମଧ୍ୟବିତ୍ତ ପାଦ ଥାପିବାକୁ ଦୃଢ଼ଭୂମୀ ଭାବେ ଦୁର୍ଲଭ ସରକାରୀ କିରାଣୀ ବା ପିଅନ ଚାକିରୀ ଲାଗି ଗାଁ ଠାକୁରଙ୍କୁ ନଡ଼ିଆ ଠୁ ବୋଦା ଯାଏଁ ଲାଂଚ ଜାଚି ଅପେକ୍ଷା କରୁଥିବେଳେ, ସହରରେ ଭଲ ପାଠ ପଢ଼ି କମ୍ପିଟିଏଟିଭ ପରୀକ୍ଷାରେ କୃତକାର୍ଯ୍ୟଙ୍କ ବିଷୟରେ ଲେଖକଙ୍କ ଅନୁଭୂତି -“ଚାକିରୀ ଓ କ୍ଷମତା ଯେ ମୁଣ୍ଡକୁ ପିତ ପରି ଚଢି ଯାଏ,,,, କେଵେ ଦିନେ ‘ଷ୍ଟିଲ ଫ୍ରେମ’ ବୋଲି ପ୍ରଶଂସା କରା ଯାଉଥିବା ସର୍ବଭାରତୀୟ ସିଭିଲ ସର୍ଭିସ ଏବେ ପୋକଖିଆ ପୋଲା ବାଉଁଶ ଫ୍ରେମ।” ତେଣୁ କଳକାରଖାନା ବସେଇ ଦେଶ ସମ୍ଭାଳିବାକୁ ବାହାରିଥିବା ଭାରତୀୟ ପୁଞ୍ଜିପତିଙ୍କ ମନୋଭାବ ଅଧିକାଂଶରେ କଣ ହୋଇଥାଇପାରେ ତାହାର ନମୁନା ଲେଖକଙ୍କ ପ୍ରାଥମିକ ଅନୁଭୂତିର ବର୍ଣନା ଓଡିଶା ସାହିତ୍ୟରେ ଏକକ ହିଁ ହୋଇପାରେ।  ପୁଣି କମଳାକାନ୍ତଙ୍କ ଚାକିରୀ ଜୀବନ ଆରମ୍ଭ ଇନ୍ଦିରା ଗାନ୍ଧୀଙ୍କ ଏମର୍ଜେନ୍ସି ସମୟ। ଇତିହାସର ବିଡମ୍ବନା, ଜୟପ୍ରକାଶଙ୍କ ‘ସମ୍ପୂର୍ଣ ବିପ୍ଳବ’ ଡାକରା ଥିଲା ଇନ୍ଦିରା ଗାନ୍ଧୀଙ୍କ ରାଜତ୍ୱ ଗାନ୍ଧୀବାଦରୁ ସମୂଳେ ଦୁରେଇ ନେବାରୁ ଭାରତକୁ ବଞ୍ଚେଇବା। ହୁଏତ ଭାରତୀୟ ନୀତି-ଚରିତ୍ର ସେତେବେଳ ସୁଦ୍ଧା ସମ୍ପୂର୍ଣ ଅର୍ଥସର୍ବସ୍ବ ରୂପେ ଦାନା ଧରି ସାରିଥିଲା ଏବଂ ଲାଞ୍ଚ-ମିଛ ଆମର ଦୈନନ୍ଦିନ ଜୀବନ ଯେ ହେବ ତାହା ବିଧିର ଘୋଷଣା ହୋଇସାରିଥିଲା। ଏହି ଦୃଷ୍ଟିରୁ ‘ଜନମରୁ ମରଣ’ ପଢ଼ି ଯେଉଁ ବିଷୟଟି ନିର୍ମଳ ପ୍ରତିଭାତ ହୁଏ – ଜୀବନରେ ସଚୋଟ ଓ କର୍ମଠ ରହିପାରିବା ଲାଗି ଦୈନନ୍ଦିନ ସାଧାରଣତା ଠାରୁ ଉର୍ଧ୍ଵରେ କୌଣସି ଏକ ଦିଗ ବା ବିଷୟ ପ୍ରତି ଆବେଗପୁର୍ଣ ଉଚ୍ଛର୍ଗତା। କମଳାକାନ୍ତଙ୍କ ଲାଗି ତାହା ଥିଲା ବିଶ୍ୱ-ସାହିତ୍ୟରେ ସମାହିତତା ଏବଂ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରତି ଅନନ୍ୟ ଉଚ୍ଛର୍ଗତା।

ଏବଂ ଏହାର ହିଁ ଯଥାର୍ଥ ପ୍ରଲମ୍ବନ ଲେଖକଙ୍କ ଅବସର ଜୀବନ ତଥା ‘ଜନମରୁ ମରଣ’ର ଶେଷ ଭାଗ। (ଅନ୍ତିମ ପଚାଶ ପୃଷ୍ଠା ଦଶଟି ଭାଗ୍ୟ ଅଥବା ସୌଭାଗ୍ୟର ସଂକ୍ଷିପ୍ତ ବିବରଣୀ — ଅବସର ଭାଗ୍ୟ, ବାପାମାଆ ଭାଗ୍ୟ, ଦାମ୍ପତ୍ୟ ଭାଗ୍ୟ ଇତ୍ୟାଦି।)

 ଅବସର ଆରମ୍ଭରେ ହିଁ ଉନ୍ମୁକ୍ତ ହୁଏ ଓଡିଆ ସାହିତ୍ୟ ଇତିହାସ ରେ ସ୍ଥାନ ପାଇବା ଭଳି ଏକ ଦାୟିତ୍ୱ ଓ କାର୍ଯ୍ୟର ସମାପନ : କଲିକତାରୁ ପ୍ରକାଶିତ ‘ମଲ୍ଲିକା’ ସାମୟିକ ସାହିତ୍ୟ ପତ୍ରିକା, କମଳାକାନ୍ତଙ୍କ ପ୍ରସ୍ତାବ ଅନୁଯାୟୀ, 2014 ଗୋପୀନାଥ ମହାନ୍ତିଙ୍କ ଜନ୍ମ ଶତାବର୍ଷିକ ଉପଲକ୍ଷେ ଏକ ବିଶେଷ ସଂଖ୍ୟାର ପ୍ରକାଶନ।ଗୋପୀନାଥ ମହାନ୍ତିଙ୍କ “ଭଳି ଏକବହୁବିଧ ସାହିତ୍ୟିକ ଅଥଚ ତାଙ୍କ ସାମଗ୍ରିକ କୃତିର ଗୋଟିଏ ନିର୍ଭୁଲ ପ୍ରାମାଣିକ ମନାଚିତ୍ର ଏ ପର୍ଯ୍ୟନ୍ତ ସୁଦ୍ଧା ପ୍ରସ୍ତୁତ କରା ଯାଇ ନଥାଏ”। 474 ପୃଷ୍ଠା ବିଶିଷ୍ଟ ଏହି ବିଶେଷ ସଂଖ୍ୟା ଲାଗି ଯୁଗ୍ମ ସମ୍ପାଦକ ଭାବେ ଅନେକ ପରିଶ୍ରମ କରିବାକୁ ହୋଇଥଲେ ବି “ସନ୍ତୋଷ ଆସିଲା ଯେ ଏଥର ଏଇ ବିଶିଷ୍ଠ ସାହିତ୍ୟିକଙ୍କ ଉଭା ଓ ପୋତା ସାହିତ୍ୟ ସଂସାର ବିଷୟରେ ସମସ୍ତ ତଥ୍ୟ ଗତ ସୂଚନା ଗୋଟ ଜାଗାରେ ରହିଗଲ’।

****************

‘ଜନମରୁ ମରଣ’, କୌଣସି ଆତ୍ମଜୀବନୀର ଏଭଳି ନାମକରଣ ଅସଂଗତ ମନେ ହେବା ସ୍ୱାଭାବିକ। କମଳାକାନ୍ତ ମହାପାତ୍ରଙ୍କ ଏହି ନାମକରଣର କାରଣ ଲାଗି ବହିର ଶେଷ ପୃଷ୍ଠାରେ ପହଂଚିବାକୁ ହୁଏ.।” ବହୁ ଦିନ ତଳେ ପୁରୀରେ ଜଣେ ଭଦ୍ରଲୋକ ଦେଖା ହୋଇଥିଲେ। ” ପ୍ରାୟତଃ ଜୋରକରି ହାତ ଦେଖି ଦୁଇଟି କଥା କହିଥିଲେ.।”ଦ୍ଵିତୀୟ କଥା, ତମେ ଭଲରେ ଭଲରେ ଯିବ, ସତଷଠି ବର୍ଷରେ’।

“11ଏପ୍ରିଲ 1951 ଥିଲା ସେ ବର୍ଷର ଶହେ ଏକତମ ଦିନ। ମୁଁ ଜନ୍ମ ହୋଇଥିଲି। ପୁଣି ବର୍ଷର ଶହେ ଏକତମ ଦିନ ହୋଇଥିବା 11ଏପ୍ରିଲ ପଡିବ 2018ରେ.। ବଞ୍ଚିଥିଲେ ମତେ ସତଷଠି ପୂରିବ।‘

‘ଜନମରୁ ମରଣ’ ର ପ୍ରକାଶନ 2017 ରେ।  କମଳାକାନ୍ତ ମହାପାତ୍ର କିନ୍ତୁ ଲେଖି ଦେଇ ସାରିଛନ୍ତି ଯେ – “ମୋ ଆତ୍ମଜୀବନୀ ଲେଖା ଢେର ହୋଇଛି। ଆଉ ନୁହେଁ। ଆଉ ଧାଡ଼ିଏ ବି ନୁହେଁ। ବାସ !’

2 Comments on “କମଳାକାନ୍ତ ମହାପାତ୍ରଙ୍କ ‘ଜନମରୁ ମରଣ’– ଧାରେ ଧାରେ, ସ୍ରୋତରେ ସ୍ରୋତରେ : ଏକ ବର୍ଣ୍ଣନାତ୍ମକ ସମୀକ୍ଷା”

Comments are closed.