ମହାକୁମ୍ଭ


ମୂଳ ହିନ୍ଦୀ ରଚନା: ନିଧିଶ ତ୍ୟାଗୀ ଓଡ଼ିଆ ଅନୁବାଦ : ମୃଣାଳ


ଫେରିଲା ବେଳେ
ବଢିଯାଏ
ଯାତ୍ରାର ଜିନିଷପତ୍ର |

ଶସ୍ତା ପ୍ଲାଷ୍ଟିକ ବୋତଲରେ ବନ୍ଦ
ନଦୀ
ଗର୍ଭବତୀ ବୋହୁ ପାଇଁ
ପୂଜା ଘରେ ପ୍ରସନ୍ନ ଦେବତାଙ୍କ ପାଇଁ
ଶୁଦ୍ଧିକରଣ ପାଇଁ

ଖଟ ଉପରେ
ଖୁଁ ଖୁଁ କାଶରେ ଅଟକିଥବା ଜୀବନ ପାଇଁ
ଏହା ହେବ ଅମୃତକୁମ୍ଭରୁ ଚହଲି ପଡିଥିବା ଅମୃତ ବିନ୍ଦୁ |
++

କେବଳ ନଦୀ ଛଡ଼ା
ଆଉ ସମସ୍ତେ ଫେରନ୍ତି

ସିଦ୍ଧିରେ ସବାର ମନ୍ତ୍ର
ଟ୍ରାକଟର ଟ୍ରଲିରେ ସାଧୁ
ବିମାନରେ ଦେବତା
ଜନ୍ମ କୁଣ୍ଡଳୀରେ ନକ୍ଷତ୍ର
ବଳଦ ଗାଡ଼ିରେ ପୂର୍ବଜ |

ନଦୀ ପ୍ରବାହିତ ହୁଏ
ପ୍ରାର୍ଥନାରେ |

କେବଳ ନଦୀ ଛଡ଼ା
ଆଉ ସମସ୍ତେ ଫେରନ୍ତି |
++

ଅମୃତ କୁମ୍ଭର କାହାଣୀ ଶୁଣାଉଥିଲେ
ଜୁନା ଆଖଡ଼ାର ଜଣେ ଯୁବକ ନାଗା ସନ୍ୟାସୀ |
ସମୁଦ୍ର ମନ୍ଥନର କାହାଣୀ
ଦୁଷ୍ଟ ଅସୁର ଆଉ କପଟୀ ଦେବତାଙ୍କ କାହାଣୀ
କଳ୍ପବାସର ଫାଇଦ|ର କାହାଣୀ
ଏଇ ସମୟରେ ଜଣେ ବୟସ୍କ ଲୋକ ପଚାରିଲେ,
ମିରଟ ଜିଲ୍ଲାର କେଉଁ ଗାଁରୁ ତମେ ଆସିଛ ମହାରାଜ?

ସାଧୁ ଚୁପ ହୋଇଯାନ୍ତି
ଜଳୁଥିବା ବେଦୀ ଆଉ ବିଛେଇ ହୋଇରହିଥିବା ପାଉଁଶ ଗଦା ଭିତରୁ
ତାଙ୍କ ହାତ ଲମ୍ବିଯାଏ ଚିଲମ ଆଡ଼କୁ

ବରଗଛ ତଳେ ଚଉତରାରୁ
ପିଲାଟିଏ ଡେଇଁ ପଡ଼େ
ଗାଈଗୋରୁଙ୍କୁ ପାଣି ପିଆଏ
ଆଉ ବିଲ ଆଡ଼କୁ ଧାଁଇଯାଏ
ସ୍କୁଲର ପଢ଼ାବହିଠୁଁ ଦୂରକୁ .. ବହୁ ଦୂରକୁ |

ଆଉ ଚିଲମର ପରବର୍ତ୍ତୀ ଚୁମ୍ବନ ଯାଏ
ହଜିଯାଏ
ମହାକୁମ୍ଭର କଥାରେ
++


ନିଧିଶ ତ୍ୟାଗୀଙ୍କ ଜନ୍ମ 1969ରେ, ଛତିଶଗଡ଼ର ଜଗଦଲପୁର ଅଞ୍ଚଳରେ | କବିତା ଏବଂ ଗଳ୍ପ ଲେଖିବା ତାଙ୍କର ନିଶା | ପେସାରେ ସେ ସାମ୍ବାଦିକ | ବି ବି ସି – ହିନ୍ଦୀ ପ୍ରସାରଣରେ ସମ୍ପାଦକ ଭାବେ କାମ କରନ୍ତି ସେ | ତାଙ୍କର ପ୍ରକାଶିତ କୃତି ମଧ୍ୟରୁ ରହିଛି ଗଳ୍ପ ସଂକଳନ ‘ତମନ୍ନା ତୁମ ଅବ କାଁହା ହୋ’ (2013) |

Leave a Reply

Your email address will not be published. Required fields are marked *