ମୂଳ ଇଂରାଜୀ : ଆନ୍ କାର୍ସନ ।। ଓଡ଼ିଆ ଅନୁବାଦ: ଜ୍ୟୋତି ନନ୍ଦ
ଭାରି ଶୀତ ଆଉ ଅନ୍ଧାର ଥିଲା; ଆମେ ବହୁତ ଆଗରୁ ପହଞ୍ଚି ଯାଇଥିଲୁ। ପାର୍ଟି ଫାର୍ଟିକୁ ମୋର ଘୋର ଅପସନ୍ଦ। ତମର ଜେଜେମା ରୋଷେଇ ଘରେ ଛିଡା ହୋଇଥିଲା, ଲାଗୁଥିଲା ଯେମିତି କେଉଁ ପୁରାଣ ଯୁଗର, ପିନ୍ଧିଥିବା ଆପ୍ରନର ଉପରେ ହାତକୁ ହାତ ଛନ୍ଦି ରଖିଥିଲା ସେ। ତମେ କହିଥିଲ ସମସ୍ତଙ୍କ ସହିତ ତମକୁ ଟିକିଏ ମିଶିବାର ଅଛି। ଅନେକ ପରେ ତମେ ଫେରି ଆସିଥିଲ ମୋ ପାଖକୁ,ମୁଁ ସେତେବେଳେ ସିଡିରେ ଚୁପ୍ କରି ବସି ରହିଥିଲି। ତମର ସେଦିନ କେତେ ଯେ ଆନନ୍ଦ ! ଗୋଟି ଗୋଟି କରି କହି ଚାଲିଥିଲ ତମର ଯେତେକ ନୂତନ ନୂତନ ସ୍ୱପ୍ନର କଥା : କନସର୍ଟର ମଞ୍ଚ ନିମନ୍ତେ ନିଜକୁ ପ୍ରସ୍ତୁତ କରିବ, ଯେତେ ସବୁ କଷ୍ଟକର ଅଡିସନ୍ ରହିଛି ସେଥିରେ ଅଂଶଗ୍ରହଣ କରିବ,ଘୁରି ବୁଲିବ ଦେଶରୁ ଦେଶାନ୍ତର। ତମର କପାଳରେ ଯେମିତି ଜଳଜଳ କରୁଥିଲା ତମର ଆତ୍ମା । ମୋର ମୁହଁରେ ପଦଟିଏ କଥା ଫୁଟିବାର ନୁହଁ । ମୁଁ ସେତେବେଳେ ମନରେ ପ୍ରାଣରେ ଈଶ୍ୱରଙ୍କୁ ଡାକୁଥିଲି, ଗୋଟିଏ ଝଡ ଯେମିତି କେଉଁଠାରୁ ମାଡି ଆସୁ, ଆଉ ତାହାରି ଫଳରେ ତମର ଯେମିତି ଆଉ କୁଆଡକୁ ଯିବାର ନହୁଏ ! କିନ୍ତୁ କ’ଣ କରିବା, ସେଦିନ ରାତିରେ ଆକାଶ ଟା ଭାରି ପରିଷ୍କାର ଥିଲା। ତମେ କଥା ପରେ କଥା କହି ଚାଲିଥିଲ,ଏପଟରେ ଭୋର୍ ର ଆଲୁଅ ଫୁଟିବାକୁ ଆରମ୍ଭ ହେଲାଣି। ମୋର ଗୋଟିଏ ଗୋପନ ଇଚ୍ଛା ରହିଥିଲା, ନିଃଶବ୍ଦରେ ତମର ଆଡକୁ ଟିକିଏ ଝୁଙ୍କି ପଡିବି,ଯେମିତି ମଣିଷଟିଏ ଝୁଙ୍କି ପଡେ ଗଭୀର ହ୍ରଦର ଜଳରାଶିର ଉପରକୁ, ଆଉ ତାହାପରେ ସେଇ ଅତଳ ଅନ୍ଧକାରରେ ହରାଇ ଦେବି ନିଜକୁ। କିନ୍ତୁ ସେତିକି ଭିତରେ ତ ତମେ ଉଠି କି ଛିଡା ହୋଇ ଯାଇଛ,
ଦେହରୁ ଧୂଳି ଝାଡୁଛ ।
ପରଦିନ, ତମେ କହିଥିବା ଭଳି ଗୋଟିଏ କଳା ଚଷମା ପିନ୍ଧି ଘରୁ ବାହାରିଥିଲି, ପହଞ୍ଚି ଯାଇଥିଲି ସମୁଦ୍ର କୂଳ। “ତମେ ଭାବୁଛ, ଗୋଟିଏ ଅସଲ କବିତା ତମକୁ ବଂଚାଇ ଦେବ”, ସେଦିନ ପିକନିକ୍ ମୋତେ ତମେ ଏଇ କଥାଟି କହିଥିଲ। ” ଏଇଟି ତମର ଗୋଟିଏ ଭୁଲ ଧାରଣା !” ଗୋଟିଏ ଛୋଟ ବାୟା ଚଡେଇ ! ମୁଁ ମନେ ମନେ ଭାବିଥିଲି । ତାହାପରେ ଥିରି ଥିରି ପାଦରେ ଓହ୍ଲାଇ ଯାଇଥିଲି ସମୁଦ୍ରର ଭିତରକୁ। ସମୁଦ୍ରର ଜଳ ନକ୍ଷତ୍ର ଭଳି ମଞ୍ଜକୁ ଥରାଇଦେବା ପରିକା ଥଣ୍ଡା। କେତେ ଦୀର୍ଘ ହେବ ଗୋଟିଏ ସକାଳ ! ମୋର କବିତାଟି କେଉଁଦିନ ଆଉ ଆଗକୁ ବଢିଲା ନାହିଁ। ଶେଷ ଆଡକୁ ଗୋଟିଏ ବସ ଧରି ସିଧା ଚାଲି ଯାଇଥିଲି ଦେଖିବା ପାଇଁ ସେଇଠିକୁ ଯେଉଁଠି ଗ୍ରାଣ୍ଡ ପିଆନୋର ନିଲାମ ଜାରି ରହିଥିଲା ।
“କିଟସ୍ ର ଗୀତ ଗାଉଥିବା ଭାଲୁଟିର କ’ଣ ଯେ ହୋଇଥିଲା ଶେଷ ଆଡକୁ ?” ନିଲାମ ବେଳେ ଆଳାପ ହୋଇଥିବା କେତେଜଣ ଲୋକ ଏଇ ପ୍ରସଙ୍ଗଟିକୁ ଉଠାଇଥିଲେ, ଗାନବାଜଣା ଉପରେ ଢେର୍ କଥା ଚାଲିଥିଲା, ହଠାତ୍ ତମର କଥା ମୋର ଖୁବ୍ ମନେ ପଡିଗଲା। ନା, ଗୀତ ଗାଉଥିବା ଭାଲୁଟା ଜମା କିଟସ୍ ର ନଥିଲା, ସେଇଟା ଅସଲରେ ଥିଲା ବାଇରନ୍ ର, ଏଇ କଥାଟିକୁ କହିବାକୁ ଗଲାବେଳେ ଶେଷ ଆଡକୁ ମୁଁ ମୋ ମୁହଁକୁ ଚାପି ଯାଇଥିଲି। ବେବି ଗ୍ରାଣ୍ଡ ପିଆନୋ ଗୋଟିଏ ଗୋଟିଏ ସାତ ହଜାର ଡଲାର୍ ରେ ବିକ୍ରି ହେଉଥିଲା। ତମର କଥାକୁ ଭାବି ବସିଥିଲି,କେଉଁ ଭଳି ତମେ ମୋତେ ଚମକାଇ ଦେଇଥିଲ, ତମର ଦାନ୍ତକୁ ଦେଖି ମୁଁ ଚମକି ଉଠିଥିଲି। ନିଲାମଟା ଯେମିତି ଶେଷ ହେବାପାଇଁ ଚାହୁଁ ନାହିଁ । ରାତି ଓହ୍ଲାଇ ଆସିଥିଲା। ତମକୁ ଛାଡି ମୁଁ ପୂରା ଗୋଟିଏ ଦିନ ଅନ୍ତତଃ ଏମିତି ଅଟକି ରହିଥିଲି। ଆଉ ଏକେଲା ରହିବାର ଗୋଟିଏ ଭଲ ଦିଗକୁ ଏଇଠି ଲେଖି କି ରଖୁଛି – ଅନ୍ତତଃ କୌଣସି ଦୁର୍ଦ୍ଦଣ୍ଡ ବାଳକକୁ ଆଉ ସହ୍ୟ କରିବାକୁ ପଡୁନାହିଁ। ତମେ ପ୍ରତିକ୍ଷଣ ଏଇ ଧରଣର କିମ୍ଭୁତକିମାକାର ଜିନିଷ ସବୁର ଉଦ୍ଧୃତି ଦେଉଥିଲ,” ଇରୋସ୍ ଅସଲରେ ମୃତ୍ୟୁର ଶେଷ ସୀମା ଯାଏଁ ପ୍ରେମର ସାଥିସାଙ୍ଗ ହୋଇ ଯାଇଥାଏ ।” କି ଯେ ବେକାର କଥାବାର୍ତ୍ତା ଇଏ ! ମୋର ତ ମନେ ହୋଇଥିଲା,ଏଗୁଡିକ କ’ଣ କେବଳ ନିଜର କର୍ତ୍ତୃତ୍ୱକୁ ବଜାୟ ରଖିବାର ଫନ୍ଧି ନଥିଲା ?
ତମେ ତମର ନିଜର କାମ, ତମର ଏଇ ସଂଗୀତଶାସ୍ତ୍ରୀ ହେବାର ଗବେଷଣାର ନିୟନ୍ତ୍ରଣଟିକୁ ବି ଏକ ଅଦ୍ଭୁତ ଉପାୟରେ ତମେ ହରାଇ ବସିଥିଲ । ନିଜ ସହିତ ନିଜର ଏକ ଅଘୋଷିତ ପ୍ରତିଯୋଗୀତାରେ । ତମେ କହୁଥିଲ, ତମର ବୟସ ଯେତେବେଳେ ଆଠ କି ନଅ ବର୍ଷ , ସେଇ ସମୟର ଗୋଟିଏ ଛୋଟ ନୋଟବୁକ୍ କୁ ତମର ଜେଜେମା କୁଆଡେ ହଠାତ୍ ଖୋଜି କି ବାହାର କରିଥିଲେ । ଏହାର ଗୋଟିଏ ପୃଷ୍ଠାରେ କେତୋଟି ସ୍ୱରର ମିଉଜିକାଲ ନୋଟେସନ୍ ଲେଖା ରହିଥିଲା – ଯାହା କୁଆଡେ ପରବର୍ତ୍ତି ସମୟର ସଂଗୀତ ଆଉ ସତ୍ୟକୁ ନେଇ ତମର ଗଢି ଉଠିବାର ସମସ୍ତ ଅନ୍ତଦୃଷ୍ଟିର ମୂଳ ଉତ୍ସ। ସେହି ଅଳ୍ପ କିଛି ମାତ୍ର ନୋଟେସନ୍ ତମର ଭିତରେ ଏକ ତୀବ୍ର ଆଲୋଡନର ନିର୍ମାଣ କରିଥିଲା। ତମେ ଆଉ କେବେହେଲେ ସେଇଟିକୁ ଛାଡି ଆଉ କୁଆଡେ ଚାଲି ଯାଇ ପାରିନାହଁ । ଈର୍ଷାରେ ନିଜର ଜିଭକୁ କାଟି ନେବା ଭଳି ଅବସ୍ଥା ହୋଇଥିଲା ତମର ,ଶେଷ ଆଡକୁ ନୋଟବୁକ୍ ଟିକୁ ଅଲଗା କରି ରଖିଥିଲ। ମୋର ମନେ ପଡୁଛି ସେତେବେଳେ ଅପରାହ୍ନ କି ସଞ୍ଜ ହେବାକୁ ବସିଥିଲା, ଶୀତ ଶେଷର ଏକ ସମୟ, ଆଉ ଆମେ ଗୋଟିଏ ବନସ୍ତର ପଥ ଧରି ଚାଲି ଚାଲି ଯାଉଥିଲେ। ତରଳି ଯାଉଥିବା ବରଫର ଜମାଟବନ୍ଧା ଜଳରେ ସଳଖ ଛିଡା ହୋଇଥିଲେ ଗଛଗୁଡିକ, ଅନ୍ଧକାର ଆଉ ସୁନେଲି ଏକ ଆବହରେ।
ପ୍ରଥମେ ଯେଉଁଦିନ ଆମର ଦେଖା, ଗୋଟିଏ ଲେକଚର୍ ର ପରବର୍ତ୍ତି ଗୋଟିଏ ପାର୍ଟିରେ, ସାର୍ତ୍ତ୍ରେ ସେଇଠି ଥିଲେ, ସେ କିମ୍ବା ସେମିତି ଆଉ କେହି ଜଣେ, ଯିଏ ନିଜର ପରିଚୟ ଦେଇ କହିଥିଲା,ମୁଁ ସାର୍ତ୍ତ୍ରେ। ଦେହରେ ତାଙ୍କର ରହିଥିଲା ଗୋଟିଏ ମୋଟା ସୁଇଟର। ଆଉ ତାଙ୍କର ଅନୁଗତମାନଙ୍କର ଦେହରେ ଥିଲା ପଶମର କୋଟ୍,ନହେଲେ ମେଷର ଚମଡାରେ ତିଆରି ଜ୍ୟାକେଟ୍ ରୁ ଗୋଟିଏ ଗୋଟିଏ। ସେଦିନ ଗଭୀର ରାତିରେ ତମେ ପୂରା ଗୋଟିଏ ଘଣ୍ଟା ମୋର ଊରୁସନ୍ଧିରେ ନିଜର ମୁହଁକୁ ଗୁଞ୍ଜି ପଡି ରହିଥିଲ, କିନ୍ତୁ କାର୍ଯ୍ୟର ଭିତରୁ ସେଇଟି କାର୍ଯ୍ୟ ବୋଲି ଯାହାକୁ କହିଥାନ୍ତି ,ତାହା ଆଉ କରିପାରି ନଥିଲ। ଭୋର୍ ଚାରିଟା ଆଡକୁ ମୁଁ ଚାଲି ଚାଲି ଘରକୁ ଫେରିଥିଲି। ପୂରା ସହରଟିର ଉପରେ ଯେମିତି ଗୋଟିଏ ଶୁଭ୍ର ରୁମାଲ୍ ବିଛାଇ ଦିଆଯାଇଛି, ବରଫ-କଣା ଗୁଡିକ ତାହାରି ଭିତରୁ ତାରା ଭଳି ଜଳଜଳ କରୁଥିଲା। ଯୌନତାର ପରିଚର୍ଚ୍ଚାର ଶେଷରେ ପାଦରେ ଚାଲିଚାଲି ଏକାକୀ ଘରକୁ ଫେରିବାଟା ସବୁବେଳେ ଥିଲା ମୋର ସବୁଠାରୁ ପ୍ରିୟ ଅନୁଭୂତି।
ଏପରି ବି କିଛି ଦିନ ଆସେ ଯେତେବେଳେ ଚାରିପାଖର ସବୁକିଛି ଦିଶାହୀନ ମନେ ହୋଇଥାଏ, ନିଜକୁ ମନେ ହୁଏ ଯେମିତି ଗୋଟିଏ କୋଣକୁ ଜାବୁଡି ଧରି କୌଣସିମତେ ଝୁଲି ରହିଛୁ ଆମେ ସବୁ । ମଣିଷର ମିଜାଜ ବା ଅନୁଭୂତିର ଗୁରୁତ୍ୱ କେତେ ? କୌଣସି ଜଣେ ଦାର୍ଶନିକ, ହାଇଡେଗାର ବୋଲି ହିଁ ମନେ ହେଉଛି, କହିଥିଲେ, ଅନୁଭୂତି ନ ରହିଲେ ଆମେମାନେ ହିଁ କଦାପି ଟେର୍ ପାଇବୁ ନାହିଁ ଯେ ଆମେ ବଞ୍ଚିରହିଛୁ । ମୋର ଧାରଣା, ସେ ଅସଲରେ ଖରାପ ଅନୁଭୂତିର କଥାକୁ ହିଁ ବୁଝାଉଥିଲେ। କାରଣ ମିଜାଜ ଭଲ ରହିଥିଲେ ନିଜର ମଥାର ଟୋପିଟିକୁ ବାହାର କରିବା କିମ୍ବା ମୋଟର ସାଇକେଲ୍ ର ଗତି ର ବାହାରେ ଆଉ ଖୁବ୍ ବେଶି କିଛି କଥା ମୋର ଆଖିରେ ପଡେନାହିଁ । ତେବେ ପୁଣି ଭାବି କି ଦେଖିଲେ ମନେ ହୁଏ, ସେ ହୁଏତ ଦୁଇ ଅନୁଭୂତିର ମଧ୍ୟବର୍ତ୍ତି ସୀମାନ୍ତଟିର କଥା କହୁଥିଲେ, ଗୋଟିଏ ଅନୁଭୂତିରୁ ଅନ୍ୟ ଏକ ଅନୁଭୂତିରେ ବଦଳି ଯାଉଥିବା ସେଇ ରୂପାନ୍ତରଟିକୁ। କାରଣ ସତରେ ତ, ଅଲୌକିକ ବ୍ୟାପାରଟି ଘଟିଥାଏ ଠିକ୍ ସେଇଠାରେ। ଧରା ଯାଉ, ତମେ ଗୋଟିଏ କୂଅର ତଳଦେଶରେ ଆସି ଏକଦମ୍ ପିଟି ହୋଇଯାଇଛ, ଆତ୍ମା ଫାଙ୍କା, ନିଃସ୍ୱ,ଶୂନ୍ୟ , ଏକଦମ ଭାଙ୍ଗିପଡିବା ଭଳି ଗୋଟିଏ ଅବସ୍ଥା ର ମୁହଁରେ, ଠିକ୍ ସେତିକିବେଳେ ଦେଖିବ ହଠାତ୍ କେମିତି ଆବହଟି ବଦଳି ଯାଏ । ସବୁଗୁଡିକ ଝରକା ଏକାସାଙ୍ଗରେ ଖୋଲି ଯାଏ । ସମସ୍ତ ଦୁଃଶ୍ଚିନ୍ତା ତରଳି ଯାଇ ଜଳ । ହଠାତ୍ ପୁଣି ଜଗତଟି ସେଇଠୁ ଫେରି ଆସେ ତାହାର ନିଜର ପୁରୁଣା ଜାଗାକୁ। କେଉଁ ଭଳି ଏହା ଘଟିଥାଏ ? କାହାର ହାତରେ ଥାଏ ଏହାର ଲଗାମ ? ଆଉ ମୁଁ କାହିଁକି ପ୍ରତିଟି ଥର ଭାବି ବସେ ଯେ ଏଇ ଅଲୌକିକ ପରିବର୍ତ୍ତନଟି ଜୀବନରେ ଆଉ କେବେହେଲେ ଘଟିବ ନାହିଁ ? ଆହାରେ, ମୋର ଏଇ ହତଭାଗା ମୃତ କବିତାଟି ! ଆହା !
ମୋର କବିତାଟି ,ପ୍ରସଙ୍ଗରେ କହୁଛି, ମୋଟେଲ୍ କୁ ନେଇ ଲେଖା। ପ୍ରାୟତଃ ମୋର ମନେ ହୁଏ, ଆମର ଶ୍ରେଷ୍ଠ ସମୟଗୁଡିକ ମୋଟେଲ୍ ରେ କଟିଥିଲା। ମୋଟେଲ୍ ରେ ବିତାଇଥିବା ସେଇ ଶ୍ରେଷ୍ଠ ସମୟଗୁଡିକ ଥିଲା ରାତିର ଅନ୍ଧକାରରେ ମୋଟେଲ୍ ର ସୁଇମିଂ ପୁଲ୍ ରେ ସନ୍ତରଣ କରିବାର ସମୟଗୁଡିକ। ଜଳର ତଳଭାଗର ସେଇ ସବୁଜାଭ ନୀଳ ଫିରୋଜା ପଥର ରଂଗର ଆଲୁଅ , ତାହା ଥିଲା ମୋର ସବୁଠାରୁ ପ୍ରିୟ ଆଲୁଅ।
ରୋଡ୍ ଟ୍ରିପ୍ ରେ ଯିବାର ଆଗରୁ ମ୍ୟାପ୍ ରୁ ଦେଖି କି ରିସର୍ଟ ବା ମୋଟେଲ୍ କୁ ଠିକ୍ କରି ରଖିବା ଥିଲା ମୋର କାମ। କେତେଥର ଅବଶ୍ୟ ଏଇ ହିସାବରେ ମୋର ଅନେକ ଭୁଲଭାଲ ହୋଇଯାଉଥିଲା। ଯେମିତି ସେଥର କ ଆମେମାନେ ମରୁଭୂମୀର ଗୋଟିଏ ଛୋଟ ସହରରେ ଗାଡି ଚଲାଇ ଯାଉଥିଲୁ ଆମର ଜଣେ ଅଭିନେତା ବନ୍ଧୁର ନୂତନ ନାଟକକୁ ଦେଖିବା ଉଦ୍ଦେଶ୍ୟରେ। ଥିଏଟର୍ ର ଠିକ୍ ପାଖରେ ସ୍ଥାନୀୟ ଗୋଟିଏ ମୋଟେଲର ଆଲୁଅ ଝଲମଲ କରୁଥିଲା , ତାହାର ଅଭ୍ୟର୍ଥନା କକ୍ଷରେ ବସିଥିଲା ଉନ୍ମାଦ-ଚାହାଁଣୀରେ ଜଣେ ପାକିସ୍ତାନୀ ତରୁଣ, ତାହାର ହ୍ୱିଲ-ଚେୟାରକୁ ଘେରି ଥରକୁ ଥର ଏପଟ ସେପଟ ହେଉଥିଲା ଜଣେ ନାରୀ, ଯାହାକୁ ପରେ ଜାଣିଥିଲୁ ଯେ ସେ ତାହାର ସଂପର୍କରେ ପିଉସୀ ହେବ। ମୋଟେଲଟା ଜଘନ୍ୟ, କୁତ୍ସିତ ରୁମ୍ ଗୁଡିକ ସାରାକ୍ଷଣ ମାଛିରେ ଭଣଭଣ କରୁଥିଲା, ଆଉ ଥିଏଟର୍ କହିଲେ “ମ୍ୟାଜିକ ମାଦ୍ରିଗାଲ”ଶୀର୍ଷକରେ ଥିଲା ଗୋଟିଏ ବାଜେ ନାଟକ। ମୋ ଦୃଷ୍ଟିରେ ଅନ୍ତତଃ ଜାଦୁକରୀ ବୋଲି କିଛି ନଥିଲା ସେଥିରେ। ଥିଏଟର୍ ଟି ବି ଏତିକି ଛୋଟ ଯେ ଅଭିନେତାମାନେ କେତେବେଳେ ଶ୍ୱାସ ନେଉଛନ୍ତି, କେତେବେଳେ ଶ୍ୱାସ ନେବା ପାଇଁ ଛାତିକୁ ଫୁଲାଇ ବସୁଛନ୍ତି, ସବୁ କିଛି ଦେଖା ଯାଉଥିଲା। ଏପରିକି ଜଣେ ଆରଜଣଙ୍କୁ ଯେଉଁ ଇଶାରା ଦେଉଥିଲା ତାହା ବି କାହାରି ଆଖିକୁ ଏଡାଇ ଯାଉନଥିଲା। ବ୍ୟାପାରଟି ମୋତେ ଭୀଷଣ ବିବ୍ରତ କରୁଥିଲା -ବିବ୍ରତ କ’ଣ ସଠିକ ଶବ୍ଦ ? ତମେ କହିଥିଲ, ” ଦର୍ଶକମାନେ ଅସଲରେ ଚିରକାଳ ଅନାହୂତ, ଅସମୟର ଅତିଥି ।” ମୁଁ ଉତ୍ତର ଦେଇଥିଲି “ତାହେଲେ କେମିତି ହେବ,ଯଦି ପୃଥିବୀର ସବୁ ଅଭିନେତାଗଣ କେବଳ ଗୋଟିଏ ବଖରାକୁ ପାଦରେ ଚାଲି ଚାଲି ପ୍ରବେଶ କରୁଥିବେ ଆଉ ଠିକ୍ ବାହାରି ଆସୁଥିବେ ସେଇଠୁ ପାଦରେ ଚାଲି ଚାଲି । ବାସ୍, ତାହାପରେ ନଇଁ ଆସୁଥିବ ତଳକୁ ରୂପେଲି ପର୍ଦ୍ଦା! ନାଟକର ସେଇଠି ଶେଷ । ଆଉ କୌଣସି ନାଟକ ରହିନଥିବ ସେଥିରେ।” ତମେ ହସି ଉଠିଥିଲ। ଅଥଚ ମୋର ମନ ଅଟକି ପଡିଥିଲା ମୋଟେଲ୍ ର ସେଇ ତରୁଣଟିର ନିକଟରେ ହ୍ୱିଲଚେୟାର୍ ର ସମାନ ଉଚ୍ଚାରେ ରଖାଯାଇଥିବା କଂପ୍ୟୁଟର ଆଉ ଅତିଥିମାନଙ୍କର କଫି ମେସିନଟିକୁ ସମ୍ବଳ କରି ଯିଏ ଏକାହିଁ ଶାସନ କରି ଚାଲୁଥିଲା ଅଭ୍ୟର୍ଥନା କକ୍ଷର ଛୋଟ ଏଇ ନାଟ୍ୟମଞ୍ଚ (ଯାହା ସହିତ ଫ୍ରି ବ୍ରେକଫାଷ୍ଟର ବରାଦ ବି ରହିଥିଲା)। ନାଟକର ନେପଥ୍ୟକର୍ମୀ ର ଭଳି ତାହାର ପିଉସୀ ପ୍ଲାଷ୍ଟିକର କଣ୍ଟା-ଚାମୁଚ ଆଉ ମାର୍ମାଲେଡ୍ ର ଛୋଟ ପ୍ୟାକେଟକୁ ହାତରେ ନିଃଶବ୍ଦରେ ଯିବା ଆସିବା କରୁଥିଲା। ଦିଜଣଙ୍କର ମୁହଁର ରେଖାକୁ ଦେଖିଲେ ସ୍ପଷ୍ଟ ବୁଝାଯାଉଥିଲା ଯେ ଯନ୍ତ୍ରଣା ଆଉ ଜୀବନ ସଂଗ୍ରାମର ଅନୁଭୂତି ସେମାନଙ୍କର ଅଜଣା ନୁହଁ। ମୁଁ ଭାବି ପାରିଲି ନାହିଁ ,ବୁୟେନୋସ ଆଇରେସ୍ ର କୌଣସି ଏକ ଅଭିଜାତ ଦଳର ଇଟାଲୀ ଓ ଅଷ୍ଟ୍ରିଆ ର ନିମନ୍ତେ ବ୍ୟାକୁଳ ଅତୀତ-ସ୍ମୃତିର ଗଳ୍ପ “ମ୍ୟାଜିକ ଲାୟାର୍” ନାଟକଟିକୁ ଦେଖିଲେ ସେମାନେ କେଉଁଭଳି ପ୍ରତିକ୍ରିୟା ଦେଖାଇଥାନ୍ତେ ? ମୁଁ ଏହି ସ୍ମୃତିକାତରତାର ବିଳାସିତାକୁ ବହୁତ ଘୃଣା କରେ। ହୁଏତ ଅଭିନୟ ଜିନିଷଟି ହିଁ ଜନ୍ମସୂତ୍ରରେ ସ୍ମୃତିକାତର -ଅନ୍ୟ କୌଣସି ଏକ ଦୂରବର୍ତ୍ତି ପ୍ରହରରେ ଯେଉଁ ମାନବ ଯନ୍ତ୍ରଣା ଗୋଟିଏ ସମୟରେ ରକ୍ତମାଂସର ସତ୍ୟ ଥିଲା, ତାହାକୁ ହିଁ ଯେମିତି ହାହାକାର କରି ଫେରି ପାଇବା।ଗାଡିରେ ବସି ମୁଁ ଜେନ୍ ଅଷ୍ଟିନ୍ ଙ୍କର “ମ୍ୟାନସଫିଲଡ୍ ପାର୍କ” ପଢୁଥିଲି ; ସେଥିରେ ଗୋଟିଏ ନାଟକରେ ଅଭିନୟ କରିବାକୁ ନେଇ ଚରମ ଦ୍ୱିଧାଦ୍ୱନ୍ଦ୍ୱ ଆଉ ମନସ୍ତାତ୍ତ୍ୱିକ ବିଘଟଣ ତିଆରି ହୁଏ । ଉପନ୍ୟାସରେ ସବୁଠାରୁ ନୀତିଭ୍ରଷ୍ଟ ବା ସନ୍ଦେହଭାଜନ ଦୁଇଟି ଚରିତ୍ର ଘରର ଗୋଟିଏ ଦଳ ଅନଭିଜ୍ଞ ତରୁଣମାନଙ୍କ ନିକଟରେ ଏକ “ଘରୋଇ ନାଟକର ” ପ୍ରସ୍ତାବ ଦିଅନ୍ତି। ତାହା ଫଳରେ ଅନ୍ୟମାନେ ଦ୍ୱିଧାରେ ପଡିଯାଆନ୍ତି। ଗଳ୍ପର ନାୟିକା ଫ୍ୟାନି ତ କହି ବସେ ଯେ ଅଭିନୟକୁ ସେ ତୀବ୍ର ଘୃଣା କରେ। ଦୂରଦେଶରୁ ହଠାତ୍ ବାପାଙ୍କ ଅକାଳ ପ୍ରତ୍ୟାବର୍ତ୍ତନରେ କେବଳ ଦୁଇଟି ରିହର୍ସାଲ୍ ପରେ ଭାଙ୍ଗିରୁଜି ଯାଏ ପୂରା ଆୟୋଜନ। ରିହାର୍ସାଲ୍ ର ମଝିରେ ହାତେହାତେ ଧରା ପଡିଯାଇଥିବା ସେଇ ଅଭିନୟରେ ମତ୍ତ ଅଭିନେତାଗଣ ଏପରି ତୀବ୍ର ଅପରାଧବୋଧ ଭୋଗି ବସନ୍ତି ଯେ,ସପ୍ତାହରେ ପରେ ସପ୍ତାହ ବାପାଙ୍କ ଆଡକୁ ଆଖି ଉପରକୁ କରି ଚାହିଁବାର ସାହସ ପର୍ଯ୍ୟନ୍ତ ସେମାନଙ୍କର ନଥାଏ ।
ଅପରାଧବୋଧରେ ବୁକୁଟି ଭାରି ଏମିତି ଦିନକର ଆଗରୁ ଆମେମାନେ ମୋଟେଲ୍ କୁ ଛାଡି ଦେଇ ବାହାରି ଆସିଥିଲୁ। ସେଇ ପିଲାଟି ଅବା ତା’ର ପିଉସୀ କାହାରି ମୁହଁରେ ଅବଶ୍ୟ ବିସ୍ମୟର ବିନ୍ଦୁମାତ୍ର ଛାପ ଦେଖାଯାଉ ନଥିଲା। ଖାଲି ସେମାନେ ଏତିକି କହିଥିଲେ, ଚୁକ୍ତିମାଫିକ ପୂରା ଟଙ୍କା ଦେବାକୁ ପଡିବ , ଆମେ ତାହା ହିଁ କରିଥିଲୁ। ସେତେବେଳକୁ ସକାଳ ଯାଇ ଦିପହର , ଅଥଚ ରିସେପସନ ରେ ନିଅନ ଆଲୁଅ ଜଳୁଥିଲା, ଝରକାରେ ପରଦାଗୁଡିକ ରାତି ଭଳି ଟଣାହୋଇ କି ରହିଥିଲା, ଆଉ କେମିତି ଗୋଟିଏ ଲଗାତାର ବିରକ୍ତିକର ଘୁଁ ଘୁଁ ଶବ୍ଦ କରିଚାଲିଥିଲା କମ୍ପ୍ୟୁଟରଟା। ସବୁ ଅଭିନୟ ହିଁ ତ ଆଉ କାଳ୍ପନିକ ବା ବନେଇଚୁନେଇ କହିବା ଭଳି ନୁହଁ। ଆପଣ ଯଦି କନ୍ୟା ହୁଅନ୍ତି, ରେସ୍ତୋରାଁର ପ୍ରଧାନ ଓୟେଟର୍ ହୁଅନ୍ତି ,କିମ୍ବା କୌଣସି ଶବଯାତ୍ରାର କଫିନବହନକାରୀ ହୁଅନ୍ତି ତେବେ ଆପଣଙ୍କୁ ବି ତ ଏକ ନିର୍ଦ୍ଦିଷ୍ଟ ଭୂମିକା ପାଳନ କରି ଯିବାକୁ ହେବ। ମାନବ ସତ୍ତାର ନାନା ରୂପ ଏଇ ଭଳି ଭାବରେ ବାରବାର ଫେରି ଆସୁଥାଏ। ଘରକୁ ଫେରିବା ବାଟରେ ଆମେ ଜଣେ ଆରଜଣକୁ ଏଇ ସବୁ ଦର୍ଶନର କଥା ହିଁ କହିଚାଲିଥିଲୁ। କିନ୍ତୁ ହଠାତ୍ ମୋର ମନେ ପଡିଗଲା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତକର ବିଖ୍ୟାତ ଅଭିନେତା ପଲୋସ୍ ର କଥା, ଖ୍ରୀଷ୍ଟପୂର୍ବ ପଞ୍ଚମ ଶତକରେ ସଫୋକ୍ଲିସ୍ ଙ୍କ “ଇଲେକ୍ଟ୍ରା” ନାଟକର ପୁନର୍ମଞ୍ଚାୟନରେ ସିଏ ପ୍ରଭୂତ ନାମ ଅର୍ଜନ କରିଥିଲା। ପଲୋସ୍ ସେଥିରେ ଇଲେକ୍ଟ୍ରାର ଚରିତ୍ରରେ ଅଭିନୟ କରିଥିଲା । ନାଟକର ଏକ ଚରମ ମୂହୁର୍ତ୍ତରେ ଇଲେକ୍ଟ୍ରା ଗୋଟିଏ ଚିତାଭସ୍ମର ପାତ୍ର ବା ଭସ୍ମାଧାର କୁ ଜାବୁଡି ଧରି ଛିଡା ହୁଏ , ତାହାର ଦୃଢ ବିଶ୍ୱାସ ଥିଲା, ଏହାର ଭିତରେ ତାହାର ନିଜର ଭାଇ ଓରେସ୍ତେସ୍ ର ଅବଶେଷ ରହିଅଛି। ଅଥଚ ଅସଲ ସତଟି ହେଲା, ପାତ୍ରଟି ଥିଲା ସଂପୂର୍ଣ୍ଣ ଫାଙ୍କା ଆଉ ନକଲ ; ଆଉ ଯେଉଁ ଲୋକଟି କାଳ୍ପନିକ ସେଇ ଭସ୍ମର ଖବର ନେଇ କି ମିଛର ଆଶ୍ୱାସନା ଦେବାକୁ ଆସିଥିଲା, ସେ ନିଜେ ହିଁ ଥିଲା ଅସଲରେ ଓରେସ୍ତେସ୍ ! ନାଟକର ଜଟିଳ ବିନ୍ୟାସରେ କେଉଁ ଭାବରେ ଏଇ ସବୁ ଛଳଚାତୁରୀ ଅର୍ଥବହ ହୋଇ ଉଠିଥିଲା, ତାହା ଜାଣିବାକୁ ହେଲେ ଆପଣଙ୍କୁ ମୂଳ ନାଟକଟିକୁ ପଢିବାକୁ ହେବ। ତେବେ ଭସ୍ମହୀନ (ଅଥବା କଳ୍ପିତ ଭସ୍ମରେ ଭରା) ଏଇ ଭସ୍ମାଧାରଟି କ’ଣ ପୂରା ନାଟ୍ୟକଳାର ହିଁ ଏକ ଅପୂର୍ବ ଆଉ ସୂକ୍ଷ୍ମ ରୂପକ ନୁହଁ ? ଏଇ ରୂପକର ଜଗତରେ ସମସ୍ତ ଭସ୍ମାଧାର ଯେ ଗୋଟିଏ ଗୋଟିଏ ନିର୍ମାଣ ଆଉ ମିଥ୍ୟା ! ଆଉ ବିଳାପ କରିଚାଲୁଥିବା ପ୍ରତିଟି ଇଲେକ୍ଟ୍ରାର କାନ୍ଦଣା ହୃଦୟବିଦାରକ ହେଲେ ବି କେମିତି ଯେ ଅସାର ଆଉ ଅଦ୍ଭୁତ । ଅଥଚ ” ସ୍ପଷ୍ଟ ବାଚନଭଙ୍ଗି ଓ ମାର୍ଜିତ ଅଭିନୟ” ର ନିମନ୍ତେ ଖ୍ୟାତି ଅର୍ଜନ କରିଥିବା ଅଭିନେତା ପଲୋସ୍ ( ଅଲୁସ ଗେଲିୟାସ୍ ଙ୍କ ବର୍ଣ୍ଣନା ଅନୁଯାୟୀ ) ଅଭିନେତାମାନଙ୍କର ଏଇ କୃତ୍ରୀମ ଅଶ୍ରୁ ଆଉ ବାସ୍ତବ ଯନ୍ତ୍ରଣାର ପ୍ରହେଳିକାରେ ତାହାକୁ ଯେମିତି ଆହୁରି ଏକ ବୈପ୍ଳବିକ ମୋଡକୁ ଆଣି ପାରିଥିଲା ।

କାରଣ ପଲୋସ ନିଜେ ହିଁ ସଂପ୍ରତି ଏକ ଗଭୀର ସ୍ୱଜନକୁ ହରାଇ ବସିବା ଭଳି ବେଦନାରେ ଭାଙ୍ଗି ପଡିଥିଲା । ତେଣୁ ଯେତେବେଳେ ତାହାକୁ ଇଲେକ୍ଟ୍ରାର ଚରିତ୍ରରେ ଅଭିନୟ କରିବାକୁ ଆହ୍ୱାନ କରାଯାଇଥିଲା , ସେ ସେଇ ଶୋକାତୁରା ନାରୀର ପୋଷାକ ନିଜର ଦେହରେ ଜଡାଇ ନେଇ ଥିଲା। ହାତରେ ସେଇ କୃତ୍ରିମ ଭସ୍ମାଧାରର ସ୍ଥାନରେ ତୋଳି ନେଇଥିଲା ନିଜର ମୃତ ପୁତ୍ରର ଭସ୍ମରେ ଭରା ଅସଲ ଚିତାଭସ୍ମର ପାତ୍ରଟି। ସେଦିନ ମଞ୍ଚରେ ସେ କୌଣସି ମନଗଢା କାଳ୍ପନିକ ଅଭିନୟ ବା ଅନୁକରଣମୂଳକ କଷ୍ଟକୁ ପ୍ରସାରିତ କରିନଥିଲା ,ଦର୍ଶକର ସାମ୍ନାରେ ପୂରାପୁରି ଅଜାଡି ଦେଇଥିଲା ଗୋଟିଏ ପିତାର ଖାଣ୍ଟି ଓ ଅବିକଳ ପୁତ୍ରଶୋକ।
ସତ୍ୟ ଆଉ ମିଥ୍ୟାର ଯେ କେତେଗୁଡିଏ ଜଟିଳ ପରସ୍ତ ଏଇ ଗୋଟିଏ ଦୃଶ୍ୟରେ ଗୋଟିକ ସହିତ ଆରଟି ଛୋଟ ଛୋଟ ଗୋଲାକାର ଚକତି ଭଳି ପାଖକୁ ପାଖ ଝୁଲି କି ରହିଛି ତାହାକୁ ଭାବି ବସିଲେ ମୋର ମଥାବ୍ୟଥା କରିବାକୁ ଲାଗେ। ଚିତାଭସ୍ମ କିଛିଟା ଅସଲ ଆଉ କିଛିଟା କେବଳ କଳ୍ପନାର ରଂଗରେ ଅଙ୍କା। ଅଭିନେତାଗଣ , କେତେବେଳେ ନିଛକ ଅଭିନୟ କରି ଚାଲିଛନ୍ତି ,କେତେବେଳେ ବା ନିଜସ୍ୱ ଆତ୍ମୀୟ ସ୍ୱଜନଙ୍କୁ ହରାଇବସିବାର ନିଖାଦ ବେଦନାରେ ନିଜର ବୁକୁକୁ ଭସାଉଛନ୍ତି । ଭଉଣୀର ଚରିତ୍ରରେ ଯିଏ ଛିଡା ହୋଇଛି ,ସେ ଅସଲରେ ଏକ ପିତା। ନାରୀର ଛଦ୍ମବେଶରେ ଏକ ରକ୍ତମାଂସର ପୁରୁଷ। ଗଳ୍ପର ଭିତରେ ରହିଥିବା ଛଳଚାତୁରୀର ସହିତ ଯୋଡି ହୋଇଯାଇଛି ବାସ୍ତବଜୀବନର ସମସ୍ତ ମିଛର ଛଳକଳା। ଭସ୍ମାଧାର,ମଞ୍ଚର ସାଜସରଞ୍ଜାମ,ଜୀବନର ନିଖୁଣ ଅନୁକରଣ। ପ୍ରେକ୍ଷାଗୃହର ଦର୍ଶକମାନେ କେତେବେଳେ କିଂକର୍ତ୍ତବ୍ୟବିମୂଢ, କେତେବେଳେ ଆନନ୍ଦରେ ମତୁଆଲା,କେତେବେଳେ ନାଟକର ବୁଢିଆଣି ଜାଲରେ ଅଟକିରହିବା ଭଳି ପାଲଟିଯାଉଥିବା ନିର୍ବୁଦ୍ଧିଆ ଲୋକ ,ପୁଣି କେତେବେଳେ ବାସ୍ତବତାର ସାମ୍ନାସାମ୍ନି ହୋଇ ପୂରାପୁରି ବିଭ୍ରାନ୍ତ ! ତାହାପରେ ରାତି ଗାଢ ହୋଇଗଲେ, ମୁଖଭର୍ତ୍ତି ମେକଅପ୍ କୁ ମୁହଁରୁ ନ ପୋଛି ଥିଏଟର୍ ରୁ ବାହାରି ପାଦରେ ଚାଲି ଚାଲି ଘରକୁ ଫେରୁଛି ଅଭିନେତା ପଲୋସ୍ ଆଉ ତାହାର ପିଠିରେ ଝୁଲୁଛି ଗୋଟିଏ ବ୍ୟାଗ୍,ବ୍ୟାଗ୍ ର ଭିତରେ ସାମାନ୍ୟ ଶକ୍ତ କାଗଜର ଗୋଟିଏ ପାତ୍ରରେ ପରମ ଯତ୍ନରେ ରଖା ହୋଇଛି ପ୍ରକୃତ ଚିତାଭସ୍ମ ନିଜର ସନ୍ତାନର।
ସେଇ ଭ୍ରମଣର ପରଠାରୁ ହିଁ ଅନିଦ୍ରା ମୋର ଚିରସଙ୍ଗୀ ହୋଇ ଉଠିଥିଲା। ଅଧରାତିରେ ପ୍ରାୟତଃ ରୋଷେଇ ଘରର ଆଲୁଅକୁ ଜାଳି ରଖି ବସି ବସି ପଢୁଥାଏ ମୁଁ ଜନ କୀଟସ୍ ଙ୍କ ଚିଠିଗୁଡିକୁ, ମୋ ଭଳି ଯେଉଁମାନେ ଘଡିଟିଏ ସ୍ଥିର ହୋଇ ରହି ନପାରିବା ଲୋକର ଛଟପଟ ପାଦ ଏକ ଯନ୍ତ୍ରଣାଦାୟକ ବ୍ୟାଧିକୁ ଭୋଗିବାରେ ଲାଗେ। ମଥାର ଉପରର ଲ୍ୟାମ୍ପଟାକୁ ଘେରି ଗୋଲ ହୋଇ ଗୋଟିଏ ପୋକ ଏକାକୀ ଘୁରି ହିଁ ଚାଲିଛି। ସମୟଟା ଯେମିତି ହଠାତ୍ ଫେରି ଯାଇଛି ୧୮୧୯ ସାଲ କୁ, ଫ୍ୟାନିର ନିକଟକୁ ଲେଖା କୀଟସ୍ ଙ୍କର ସେହି ମାତାଲ କରା ଅସ୍ଥିର ସମସ୍ତ ଚିଠିର ଦିନମାନକୁ,ଯେଉଁଠି ପ୍ରେମିକା ଫ୍ୟାନି ବ୍ରନ୍ କୁ ସେ କେତେବେଳେ ଆବେଶରେ ଛାତିର ଉପରକୁ ଟାଣି ନେଉଛନ୍ତି, ପର ମୁହୂର୍ତ୍ତରେ ପୁଣି ଭୟରେ ବିତୃଷ୍ଣାରେ ଠେଲି ଦେଉଛନ୍ତି ଦୂରକୁ। କୀଟସ୍ ଙ୍କର ସକାତର ଅକପଟ ସ୍ୱୀକାରୋକ୍ତି, କିଶୋରୀଟି ନା କୁଆଡେ ତାଙ୍କୁ ନିଜର ଅସ୍ତିତ୍ୱରେ ଏକେବାରେକେ “ଗ୍ରାସ” କରି ନେଇଛି ।
ଫ୍ୟାନିକୁ ସେ ଲେଖେ ତାହାର ତୃଷ୍ଣା ଯାହା କୁଆଡେ ଆଜି ବି “ହରିଣର ଭଳି ସ୍ୱାଧୀନ-ମୁକ୍ତ ” ଥାଏ। ନିଜର ଶେଷ ବିଳାସୀ ସ୍ୱପ୍ନ ହିସାବରେ ସେ ଫ୍ୟାନିକୁ ଆଣି ଛିଡା କରିଦିଏ ମୃତ୍ୟୁର ମୁଖୋମୁଖି। କିନ୍ତୁ ଅନ୍ତରରେ ସେ ଅସଲରେ କ’ଣ ଅନୁଭବ କରେ ? ପ୍ରେମ ପାତିବା ଏହାକୁ ଚାହିଁବାର ତୀବ୍ର ଆକୁଳତା ତାହାର ରହିଥିଲା,ସେଥିରେ କୌଣସି ସନ୍ଦେହ ନାହିଁ । ସନ୍ଦେହ ନାହିଁ ଏଇ ଚିଠିଗୁଡିକର ପ୍ରତିଟି ଶବ୍ଦକୁ ଗୁନ୍ଥିବାବେଳର ସେଇ ଅନାସ୍ୱାଦିତ ଆନନ୍ଦ- ଏକ ନିଃସଙ୍ଗ ଭଡାଘରେ ଏକା ବସିରହି, ସେଇଠି ସେ ନିଜକୁ ବାଧ୍ୟ କରୁଥିଲା କେବଳ ଲେଖି ଚାଲିବା ପାଇଁ ଏଇସବୁକୁ। ସେ ଲେଖି ବି ଯାଇଛି ,ଚରମ ଏକାଗ୍ରତାରେ,ପ୍ରତିଦିନ ନିବିଷ୍ଟ ମନରେ, କିନ୍ତୁ ତଥାପି ସେଇ ରାତିଗୁଡିକ ,ରାତିର ପ୍ରହର ଗୁଡିକ ଯେ ରହିଯାଇଥାଏ ନିର୍ଜନତାରେ ସ୍ଥିର। ପ୍ରେମରେ ପଡିଲେ ଆମେମାନେ କ’ଣ ଊଣା ଅଧିକେ ଛଳନାର ଆଶ୍ରୟ ନେଉନାହିଁ? ଗୋଟିଏ ପାଖରେ ଯଦି ଥାଏ କୌଣସି ଛଦ୍ମବେଶହୀନ ଖାଣ୍ଟି ଅନୁଭୂତିର ଅଲୌକିକ ପ୍ରକାଶ,ତେବେ ଅନ୍ୟ ପାଖରେ ତ ଦଉଡି ଟାଣି ସେଥିରେ ଶୁଖାଯାଇଥିବା ଅଭିନୟର ସେଇ ସବୁ ନାଟକର ପୋଷାକ ଛଡା ଆଉ କିଛି ହିଁ ନଥାଏ ।
କୀଟସ୍ ଙ୍କ ଆକାଂକ୍ଷା ଆଉ କ୍ଷୁଧା ଥିଲା ବହୁମୁଖୀ ,ସର୍ବଗ୍ରାସୀ। ଚିକିତ୍ସକମାନେ ରକ୍ତ କମାଇବା ପାଇଁ ତାଙ୍କୁ ପ୍ରାୟ ନଖାଇବା ଭଳି ଖାଦ୍ୟତାଲିକାରେ ଅଟକାଇ ରଖିଥିଲେ ସେ ତ ଗୋଟିଏ ଦିଗ। କିନ୍ତୁ ଏହାର ପାଖାପାଖି ସେ ଚାହିଁଥିଲେ ନିର୍ଭେଜାଲ ସତ ଭଲପାଇବା । ପୁସ୍ତକ ପ୍ରକାଶର ପରେ ଦୁଇଟି ମାତ୍ର ପର୍ଯ୍ୟାଲୋଚନାର ତୁଳନାରେ ଅନେକ ବେଶି କିଛି ସେ ଦାବୀ କରୁଥିଲେ। ଚାହିଁଥିଲେ ପୁସ୍ତକର ବିକ୍ରି ,ନିଜସ୍ୱ ଉପାର୍ଜନ ଓ ମଣିଷର ଅନ୍ଧ ସ୍ତାବକତା ବାଇରନ୍ ଯାହା ଯାହା ପାଇଥିଲେ, ତାହାର ସବୁ କିଛିକୁ ସେ ଏକ ନିଃଶ୍ୱାସରେ ଚାହିଁଥିଲେ ! ଏଇ ଅତୃପ୍ତି ତାଙ୍କର ମନକୁ ଦିନ ପରେ ଦିନ ଅନ୍ଧକାର କରି ଗଢି ତୋଳୁଥିଲା। ମୋର ମନେ ପଡେ, ଅନିଦ୍ରା ଯେତେବେଳେ ପ୍ରଥମେ ମୋତେ ନଛାଡିବା ଭଳି ଜାବୁଡି ଧରିଥିଲା,ମୁଁ ଚାରିପଟର ମଣିଷର ନିକଟରୁ ନିରାମୟକୁ ଖୋଜି ବୁଲୁଥିଲି। “ତମେ ମେଷର ଗଣତି କରି ପାରିବ,” ଜଣେ ବନ୍ଧୁ ମୋତେ ପରାମର୍ଶ ଦେଇଥିଲି “ତେବେ ସଜ୍ଞାନରେ ବା ସେମିତି ଜୋର୍ କରି ହିସାବ କଷି ନୁହଁ, ଆଖି ଦୁଇଟିକୁ ବୁଜି ଧରି ଅବୟବର କଳ୍ପନା କରି କି ମେଷର ଗଣତି କରିଚାଲ।” (ସେ ଜଣେ ବୌଦ୍ଧ) ତାହାପରେ ସେ ଆହୁରି ବି କହିଥିଲା ,”ଆଉ ଶୁଣ, ଯେଉଁ ମେଷ ଗୁଡିକ ହଜିଯାଇଛନ୍ତି , ସେଗୁଡିକର ଗଣତି କରିବା ପଛରେ ତୁଚ୍ଛାରେ ଖାଲି କେବଳ ସମୟ ନଷ୍ଟ କରିବାର ଦରକାର ନାହିଁ ।” ସେଦିନର ସେଇ କଥାଟିକୁ ନିଛକ ଥଟ୍ଟା ବୋଲି ଉଡାଇ ଦେଇଥିଲି। କିନ୍ତୁ ସତରେ ତ, ସାରାରାତି ଜାଗ୍ରତ ରହି ଏହି ହଜିଯାଇଥିବା ମେଷପଲକୁ ଗଣିବସିବା ଛଡା କୀଟସ୍ ହିଁ ଆଉ କ’ଣ ବା କରୁଥିଲେ ? କାହିଁକି ନା ମଣିଷର କିଛି କାନ୍ଦଣା ଥାଏ ଯାହା କେବଳ ଆଖିରୁ ନୁହଁ ସଂପୂର୍ଣ୍ଣ ଶରୀରରୁ ତାହା ରକ୍ତକ୍ଷରଣ ଭଳି ଝରି ପଡେ। ଜୀବନ ତ ବଡ ବିଶୃଙ୍ଖଳାପୂର୍ଣ୍ଣ ,ଅଦ୍ଭୁତ ଆଉ ଅସ୍ତବ୍ୟସ୍ତ। ମୁଁ ଆଜି ବି ଜାଣି ପାରିଲି ନାହିଁ ଯେ ଠିକ୍ ସେଗୁଡିକର ଭିତରୁ କେଉଁଗୁଡିକ ଅସଲରେ ହଜି ଯାଇଛନ୍ତି, କେଉଁ ଗୁଡିକ ଧରାଛୁଆଁର ବାହାରେ ରହିଗଲେ । ଜୀବନ ଯେମିତି ଏକ ଯନ୍ତ୍ରଣାର ଘଡି,ଯାହାର ପ୍ରତିଟି ଟିକ୍ ଆଉ ପ୍ରତିଟା ଟକ୍ ରେ କେବଳ ବିଷାଦ ଆଉ ହାହାକାର ର ଧ୍ୱନୀ ବାଜି ଚାଲୁଥାଏ । ଏଇ ଭଳି ଭାବରେ ହିଁ ଆମେମାନେ ସାମ୍ନାକୁ ଆଗେଇ ଚାଲିଥାଉ, ଏଇ ଭଳି ଭାବରେ ହିଁ ନିଃଶବ୍ଦରେ ଆମର ପଥଚଲା ଶେଷ ହୋଇ ଯାଇଥିଲା।
°°°°°

ଆନ୍ କାର୍ସନ(ଜ: ୧୯୫୦) ଚଳିତ ବର୍ଷ ଅର୍ଥାତ୍ ୨୦୨୬ ମସିହାର ସାହିତ୍ୟରେ ନୋବେଲ ପୁରସ୍କାର ଲାଭ କରି ଅଛନ୍ତି। କାନାଡାରେ ଜନ୍ମିତ କାର୍ସନ ବସ୍ତୁତଃ ଜଣେ କବି,ପ୍ରାବନ୍ଧିକ ଏବଂ ଗ୍ରୀକ୍ ତଥା ଲାତିନ ଭଳି ଧ୍ରୁପଦୀ ସାହିତ୍ୟର ଜଣେ ବିଦୁଷୀ ଏବଂ ବୃତ୍ତିଗତ ଭାବରେ ଜଣେ ପ୍ରଫେସର୍।
ଗଦ୍ୟ,ପଦ୍ୟ,ଚିରାୟତ ପର୍ଯ୍ୟବେକ୍ଷଣ ଏବଂ ପ୍ରାଚୀନବୋଧର ସମ୍ମିଶ୍ରଣ ହେଉଛି ତାଙ୍କର ଲେଖନ ଶୈଳୀର ସ୍ୱାତନ୍ତ୍ର୍ୟ। ଏହି ଭଳି ଶୈଳୀର କାରଣରୁ ତାଙ୍କୁ ଅନେକ ଚର୍ଚ୍ଚିତ ସମାଲୋଚକ ସମକାଳର ଏକ ମୌଳିକ ସ୍ୱର ବୋଲି କହିଥାଆନ୍ତି।
ପ୍ରଖ୍ୟାତ ଇଂରେଜୀ ପତ୍ରିକା “ଦି ନିୟୁୟର୍କର”ର ୨୧ ଅଗଷ୍ଟ ୨୦୨୫ ସଂଖ୍ୟାରେ ଆନ କାର୍ସନ ଙ୍କର ପ୍ରକାଶିତ କ୍ଷୁଦ୍ରଗଳ୍ପ ” ମିସିଙ୍ଗ ଶିପ୍” ର ଅନୁସୃଜନଟି ଏଇଠି ସ୍ଥାନିତ। ଏଥିରୁ ତାଙ୍କର ଲେଖନ ଶୈଳୀ ସଂପର୍କରେ ଆମେ କିଛି ପରିମାଣରେ ଅବଗତ ହୋଇ ପାରିବ।
ଅଧିକ କହିବାକୁ ଯାଉନାହିଁ । ଆମେମାନେ ଯେଉଁମାନେ ଚରିତ୍ର-ତାଡିତ ଘଟଣା ଅଥବା ଘଟଣା-ତାଡିତ ଚରିତ୍ର ସହିତ ଯାତ୍ରା କରୁଥିବା ବେଳେ ମଝିରେ କେଉଁଠି ଗୋଟିଏ ବିନ୍ଦୁରେ ଦୀପ୍ତୋଜ୍ଛଳ ବା ଯାହାକୁ ଇଂରେଜୀରେ କୁହାଯାଏ ଏପିଫାନି ତାହାକୁ ଭେଟିପାରିବାକୁ ହିଁ କ୍ଷୁଦ୍ରଗଳ୍ପର ଏକମାତ୍ର ଅବଧାରଣା ବୋଲି ବିଚାର କରିଥାଉ ସେଇମାନଙ୍କ ତୁଳନାରେ ଆନ୍ କାର୍ସନଙ୍କ କ୍ଷୁଦ୍ରଗଳ୍ପ ଭିନ୍ନ। ତାଙ୍କର ଚରିତ୍ର ବହୁବର୍ଣ୍ଣି ବା କଂପୋଜିଟ୍ ,ସଂପୂର୍ଣ୍ଣ ବା ଟୋଟାଲ୍। ତାଙ୍କର କାହାଣୀର ଘଟଣା ବହୁପରସ୍ତ ଯାହା କୌଣସି ନିର୍ଦ୍ଦିଷ୍ଟ କାଳଖଣ୍ଡକୁ ଅନୁସରଣ କରେ ନାହିଁ। ସାମଗ୍ରିକ ଅନୁଭବ ଏବଂ ଏକ ଇତିହାସର ଦୃଶ୍ୟବୋଧ ତାଙ୍କର କାହାଣୀର ପ୍ରାସଙ୍ଗିକତା।
ପ୍ରେମରେ ବିଫଳ ଚରିତ୍ରଟି କେଉଁ ନିର୍ଦ୍ଦିଷ୍ଟତାରେ ଅବସ୍ଥାନ କରୁଛି ତାହାକୁ ଖୋଜିବା ହିଁ ଏଇ କାହାଣୀର ସୁଖଦ ଗତିଶୀଳତା।

