ଫୁଲମାନେ, ପକ୍ଷୀମାନେ, ପ୍ରଜାପତିମାନେ

ଫୁଲମାନେ,
ପକ୍ଷୀମାନେ,ପ୍ରଜାପତିମାନେ
ଶୁଣ ଶୁଣ
ମୁଁ ତୁମକୁ ଦେବାକୁ ଚାହୁଁଛି ମୋର ସବୁତକ ପୁଣ୍ୟ
ଭାଗ ବାଣ୍ଟି ନିଅ ।

କିଛି କୋମଳତା,କିଛି ଗୀତ,କିଛି ରଙ୍ଗିନ ସ୍ୱପ୍ନ ଏବେ ଖୁବ୍ ଲୋଡ଼ା ପୃଥିବୀ ପାଇଁ
ତୁମ ଟିକି ଟିକି ଡେଣାରେ ନିରୀହ ପାଖୁଡ଼ାରେ
ବୋହି ଆଣି ଦିଅ ।

ନିଅଣ୍ଟିଆ କବରସ୍ଥଳରେ ଅପେକ୍ଷାରତ ଲୋକମାନଙ୍କୁ ନିରାଶ କରନି
ଅନୁପସ୍ଥିତ ଗ୍ରହ ମାନଙ୍କ ଦଖଲରେ ଏବେ
ଯୁଦ୍ଧରତ ପୃଥିବୀ
ପାହାଡ଼ର ସନ୍ଧିରେ
ଖେଦୀ ବୁଲୁଚି ଲୋଭ
ନଈର କାନ୍ଦ ସହିନପାରି ନିଜ ଦେହରେ
ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଛି
ଧାନ କ୍ଷେତ ।

ଫୁଲମାନେ
ପକ୍ଷୀମାନେ
ପ୍ରଜାପତିମାନେ
ତୁମ ଆଖି ତ ଚିନ୍ହିଛି କଣ୍ଟା
ପତ୍ର କଡେ,ବାଡ ମୂଳେ ତୁମ ଆଂଗୁଳିର ଟିପ ପରା
କଣ୍ଟା ସହ ଅଭ୍ୟସ୍ତ,
କଣ୍ଟା ବଣ ପାଲଟି ଯାଇଛି ଏବେ ମଣିଷର ଛାତିି
ମାଳିର ବାଡ ଡେଇଁ ତମେ ଉଡ଼ି ଆସ
କଅଁଳ ବାଛୁରୀ ପରି ଡେଇଁ ବୁଲ ଏଠି ।

ନିଅ ମୋର ସବୁତକ ଆୟୁଷ
କଣ୍ଟା ବାଛି ଦିଅ
ତୁମ ଆଙ୍ଗୁଳି ଥାଉ ଅକ୍ଷତ
ଫୁଟି ନପଡୁ ବୁନ୍ଦେ ହେଲେ ରକ୍ତ।

କେତେ ଯେ ବେଲାଳସେନ,ଅଭିମନ୍ୟୁ,ଏକଲବ୍ୟଙ୍କ
ମୁଣ୍ଡର ଏ ମହାସମୁଦ୍ର
ସ୍ତନବତି ମାଟିର ଛାତି ରକ୍ତ ଲତପତ,

ଫୁଲମାନେ,ପକ୍ଷୀମାନେ,ପ୍ରଜାପତିମାନେ
ଉଡ଼ି ଆସ
ଦେଖ ଆଦୌ ଓଦା ଓଦା କରନା ଆଖି
ତୁମ ଆଖିର ପବିତ୍ର ଜଳକୁ ମହପ୍ରୁଥି ପାଇଁ
ସଂଚିରଖ
ଦିନେ ତୁମକୁ ହିଁ ବୁଣିବାକୁ ହେବ ବୀଜ
ନିଅ ମୋର ସ୍ମୃତି
ଆଗାମୀ ଶତାବ୍ଦୀ ପାଇଁ ଲେଖି ଦିଅ
ଶୁଦ୍ଧ ଇତିହାସ ।

ନିଅ ମୋର ମାତୃତ୍ୱ ନିଅ
ଫୁଲମାନେ ସମୂହ ଶବାଧାର ଉପରେ ବିଞ୍ଚି
ହୋଇ ଯାଅ
ପକ୍ଷୀମାନେ ଗୀତ ଗାଅ
ପ୍ରଜାପତିମାନେ
ଅନାଥ ଛୋଟ ପିଲାଙ୍କୁ ବୁଝେଇଦିଅ,

ଫୁଲମାନେ
ପକ୍ଷୀମାନେ
ଚଢ଼େଇମାନେ ।

Leave a Reply

Your email address will not be published. Required fields are marked *