ପୋଡାଭୂଇଁ

ଟି ଏସ୍ ଏଲିଅଟ୍ ଙ୍କ ପ୍ରଖ୍ୟାତ କବିତା ୱେଷ୍ଟଲାଣ୍ଡର  ଅନୁସୃଜନ


ଏକ
ଶବଦେହର ସତ୍କାର


ଏପ୍ରିଲ୍,ନିଷ୍ଠୁରତମ ମାସ,ଫଳବତୀ
ଲାଇଲାକ୍ ଏ ନିଷ୍ଫଳା ଜମିରେ,ଏକାକାର କରେ
ସ୍ମୃତି ଆଉ କାମର ବାସନା,ଜାଗି ଉଠେ ପ୍ରାଣ
ଶୁଖିଲା ଚେରରେ ଯେବେ
ପରଶ ଲାଗଇ ବସନ୍ତ ବର୍ଷାର।
ଆମେ ଥିଲୁ ଶୀତର ଉହ୍ମେଇ ଭିତରେ,ସାରା ଧରଣୀ
ଆଚ୍ଛାଦିତ ବିସ୍ମୃତିମୟ ତୁଷାରରେ ଯେତେବେଳେ,ଗଭୀର ଶୀତ ନିଦ୍ରାରେ
ମଜ୍ଜି ଥିବା ଅଂକୁରରେ ସଂଜୀବନୀ ସୁଧାର ସିଞ୍ଚନ।
ଷ୍ଟାନବର୍ଗାସି ବୋଲି ସରୋବର ନିକଟରେ ପହଂଚିଗଲେ ଆମ ଦେହରେ ଖେଳେ ଗ୍ରୀଷ୍ମର ଚମକ
ଆଉ ହଠାତ୍ ଅସରାଏ ବର୍ଷା
ଆମେ ଆଶ୍ରା ଖୋଜୁ କୌଣସି ଖମ୍ବ ତଳେ,
ତାହାପରେ ବାହାରିଗଲେ ସେଇଠୁ
ସୂର୍ଯ୍ୟାଲୋକରେ ଝଲମଲ ରାସ୍ତା,
ହଫଗାର୍ଟନ,କଫିପାନ,ଆଡ୍ଡା ଦିଆଯାଇପାରେ
ଦୁଇ ତିନି ଘଣ୍ଟା।
ମୁଁ ଋଷୀୟ ନୁହଁ,ମୁଁ ଲିଥୁନୀୟ ,ଖାଣ୍ଟି ଜର୍ମାନଜଣେ।
ପିଲାଦିନେ ରହୁଥିଲି ଆର୍କ-ଡିଉକ୍ ଙ୍କ ପ୍ରାସାଦରେ,ମୋ
ଦଦେଇପୁଅ ଭାଇ ସହ।ସେ ମୋତେ ବସେଇଦେଇଥିଲା ଏକ ସ୍ଲେଜ୍ ଗାଡିରେ,
ବସିଥିଲି ସିନା ଭୟରେ କିନ୍ତୁ ଥରଥର,
ସାହସ ଦେବାକୁ ଯାଇ କହିଥିଲା ସେ,
ମେରୀ,ଆରେ ଭୟ କ'ଣ,ଦୃଢ ହୋଇ ବସ୍।
ତାହାପରେ ଆମେ ଚାଲି ଆସିଥିଲୁ ଅନେକ ଦୂର ସେଠାରୁ।
ସେହି ଦିଗନ୍ତ ପାର ପାହାଡ ଭିତରକୁ,ଯେଉଁଠି
ନିଜକୁ ମନେହେବ ଏକ ମୁକ୍ତ ବିହଙ୍ଗ।
ବହି ପଢି ମୁଁ ଶୀତ କାଟେ ଏମିତିରେ,ଶୀତରେ ହିଁ ଯାତ୍ରାମୋର ଏକ ଦକ୍ଷିଣ ଦେଶକୁ।

ଏ କେଉଁ ବୃକ୍ଷମୂଳ ଭିଡି ଧରିବାର
ଅସହ୍ୟ ଆବେଗ ଅଛି ତା'ର ଖାଲି, ନାହିଁ ପୃଥ୍ୱୀ ଖଣ୍ଡେ,
ଏଇ ବଂଧ୍ୟା ଜଗତରୁ କେଉଁ ଆଉ ଉପୁଜିବ
ଶାଖା ଓ ପ୍ରଶାଖା? ମାନବପୁତ୍ର,
ତମର ଯେ କଣ୍ଠରୁଦ୍ଧ,ତମର ଧାରଣାତୀତ ସବୁ,କାରଣ ତମର ଅନୁଭବରେ ଅଛି ଖାଲି ଅପାର
ଦୃଶ୍ୟାବଳୀର ସ୍ତୁପ,ସେଠାରେ ସୂର୍ଯ୍ୟ ଭାରି ଦୁଃସାହସୀ
ଶୁଖିଲା ଗଛ ଦିଏନାହିଁ ଛାଇର ଆଶ୍ରୟ,ସ୍ୱସ୍ତି ଦିଅନ୍ତି ନାହିଁ ଝିଂକାରୀ ମାନେ,
କିମ୍ବା କଠିନ ଶିଳାରେ ଶୁଭେନାହିଁ ଶବ୍ଦ ଜଳପ୍ରପାତର।
କେବଳ ଏହି ଲୋହିତ ଶିଳାଖଣ୍ଡ ର ତଳେ
ଛାୟାଚ୍ଛନ୍ନ ଆଶ୍ରୟ ମିଳିବ,
(ସ୍ୱାଗତମ ଏହି ଲୋହିତ ଶିଳାଖଣ୍ଡର ନିବିଡ ଆଶ୍ରୟ)
ମୁଁ ଦେଖାଇବାକୁ ଚାହେଁ କିଛି ବ୍ୟତିକ୍ରମ,
ଦେଖିବ ହୁଏତ ତମେ
ସକାଳରେ ତମ ଛାଇ ତମ ପଛେପଛେ
କିମ୍ବା ଦିବାଅବସାନେ ସେଇ ପ୍ରଛାୟା ଉଠି ଆସି
ଅଭିବାଦନ କରୁଥିବ ତମକୁ ସାକ୍ଷାତ୍;
ଦେଖାଇବି ତମକୁ ମୁଠାଏ ଧୁଳିରେ
ଜମିରହିଅଛି ସେ ଯେଉଁ ଆତଙ୍କସମୂହ।
ସଦା ବହମାନ
ମାତୃଭୂମୀର ସୁବତାସ,
କେଉଁ ଦେଶେ ଚାଲିଗଲ ତମେ
ହେ ମୋର ଆଇରିଶ୍ ଆତ୍ମଜ?
"ବର୍ଷେ ତଳର କଥା ବର୍ଷର ପ୍ରଥମଦିନ
ଦେଇଥିଲ ହାଇସିନ୍ଥ ଫୁଲ ମୋତେ ତମେ,
ତାହାପରଠାରୁ ନାଆଁ ମୋର ହାଇସିନ୍ଥ କନ୍ୟା।"
ତଥାପି ଅନେକ ପରେ ଆମେ ଯେତେବେଳେ
ଫେରିଆସୁ ହାଇସିନ୍ଥ ଫୁଲବଗିଚାରୁ,
ତମର ଆଞ୍ଜୁଳି ଭରିଥିବା ଫୁଲ,ଓଦା କେଶ,ମୁଁ
ବାକହୀନ,ପ୍ରାୟ ଦୃଷ୍ଟିହୀନ,ନା ଜୀବିତ,
ମୃତ ନୁହଁ,ଏବଂ ସଂପୂର୍ଣ୍ଣ ବୋଧଶକ୍ତିହୀନ
ଅବଶ,
ଅନ୍ତରତଳ ଗଭୀର ଆଲୋକରେ ଅନେକ ଖୋଜିଛି
ମୁହିଁ,କିନ୍ତୁ ନିଃଶବ୍ଦ ରହିଥିଲା ସବୁ।
ସମାନ ସାଗର ତଳର ଯେଉଁ ନୈଃଶବ୍ଦ
ଅତଳ-ଗଭୀର।

ମାଡାମ୍ ସସଷ୍ଟ୍ରିସ୍,ସୁବିଦିତ ଆଲୋକଦ୍ରଷ୍ଟା,
ସର୍ଦ୍ଦି ନିଦାରୁଣ ଅବସ୍ଥାରେ କାହିଲ୍ ସେ,ତଥାପି
ଇଉରୋପ ସାରା ଏମିତି ବୁଦ୍ଧିମତୀ ମହିଳା
ନାହିଁ ଆଉ ଜଣେ କିଏ,ଧରିଛନ୍ତି ହାତରେ
ଗୋଟିଏ ପାକେଟ୍ ତାସ୍। ଏଇ ମୁଠାକ,କହୁଥିଲେ ସେ,
ତମର ଭାଗ୍ୟ ଗଣନାର ତାସ୍,ବୁଡି ମରିଛି
ନାବିକ ଫାନସିଓ,
(ଆଖି ମାନ ଦେଖ କେମିତି ପାଲଟି ଯାଇଛି ମୁକ୍ତା ତାହାର,ଦେଖ ଦେଖ)
ଏଇଠେ ବସିଛି ସୁଦର୍ଶନା ବେଲାଡୋନା,
ସେ ନିଷ୍ଠୁର ରମଣୀ,
ସବୁଋତୁରେ ଯିଏ ଅବିକଳ ଏକାପରି ଦିଶେ।
ଏଇଠି ତ ସବୁ ଭଂଗାରୁଜିଯାଇଥିବା
ହତଭାଗା ପୁରୁଷ ସମସ୍ତେ,
ଆଉ ସେଇଠି ଦୈବଚକ୍ର,
ଆଉ ଠିକ୍ ଏଇଠେ ଆଖି ରଖିଛି କାରବାରୀ
ଜଣକ,ଆଉ ଏଇ ଏଇ ତାସ ମୁଠାକ,
ଯେଉଁଥିରେ ଭାଗ୍ୟ ଲେଖା ନାହିଁ,
ନିଜ ଦେହେ ଶରୀର ଗୋଟିଏ ବୋହି
ଘୁରିବୁଲୁଥାଏ ତାହାର ସେ ଅଜଣା କପାଳ,
ମୋହର ତ ସେସବୁ ଦେଖିବା ମନା।ଖୋଜି ଖୋଜି ପାଏ ନାହିଁ ସେଇ ଲୋକଟାକୁ ଯିଏ ଅବିକା
ଫାଶି ଦେଇ ମରିଗଲା।ସଲିଳ ସମାଧିର ଶଙ୍କା
ତାଗିଦା କରୁଛି।
ମଣିଷର ଭୀଡ ଦେଖେ,ସମସ୍ତଙ୍କ ବୃତ୍ତାକାର ଗତି
ବୃତ୍ତର ଭିତରେ।
ଧନ୍ୟବାଦ।ପ୍ରିୟ ମିସ୍ ଏକୁଇଟନ୍ ସହ
ଦେଖା ହେଲେ କହିବେ
ମୁଁ ତ ନିଜେ ମୋ ଜନ୍ମକୁଣ୍ଡଳୀକୁ ସାଙ୍ଗରେ ନେଇ ଘୁରିବୁଲେ ଚାରିଆଡେ,
ଆଜିକାଲି ତ ସମସ୍ତେ ସତର୍କ ହୋଇ ବାଟରେ ଚାଲିବା ଉଚିତ।
ଅଳୀକ ସହର,
ଶୀତଭୋର୍ ଧୂସର କୁହୁଡି ଛାଇଯାଏ ଏ ସହର,
ଲଣ୍ଡନ ବ୍ରିଜ ଉପରେ କଳକଳ ଜନସ୍ରୋତ,ଅଗଣତି,
ଭାବୁନାହିଁ କେତେବେଳେ ମୃତ୍ୟୁ ଆସି ଏତେ ମଣିଷକୁ
ଏଇଠୁ ଛଡାଇ ନେବ।
ଦୀର୍ଘଶ୍ୱାସ,ଅଚାନକ ବିରଳ,ପଡିଛି ଚାରିଆଡେ,ଆଉ
ପ୍ରତିଟି ମଣିଷ ନିରେଖି ଦେଖୁଛି ନିଜ ନିଜ
ପାଦତଳ।
ପାହାଡ ପାରହୋଇ,କିଙ୍ଗ୍ ଉଇଲିୟମ୍ ରାସ୍ତା ପାର ହୋଇ,
ସେଣ୍ଟ ମେରୀଙ୍କ ସେଇ ମଂଦିର ଯେଉଁଠି ସମୟ ଗଣା ହୁଏ
ସେଇଠି ନଅଟା ବାଜିବାର ନିଷ୍ପ୍ରାଣ ଘଣ୍ଟାର ଚୂଡାନ୍ତ ଶବ୍ଦ,
ଠିକ୍ ସେଇଠି ଦେଖା ମୋର ଜଣେ ଚିହ୍ନାଲୋକ ସହ,
ମୁଁ ବଡପାଟିରେ ଡାକେ,
"ଷ୍ଟେଟସନ୍,
ତୁମେ ନା ସିଏ ଯିଏ ମୋ ସହ ମାଇଲାଇରେ
ଜାହାଜରେ ଥିଲ?
ବର୍ଷେ ତଳର କଥା ହେବ ସେଇ ଯେଉଁ ଶବଦେହ
ବୁଣିଥିଲ ତମେ ତମ ବଗିଚାରେ
ସେଥିରୁ କି କ'ଣ କିଛି ଗଜୁରି ଉଠିଛି ?ଏ ବର୍ଷ
କ'ଣ କିଛି ଫଳିବ ?
ନା, କ'ଣ ଏଇ ହଠାତ୍ ହିମପାତ ଉଜାଡି ଦେଇଛି ତମର ପୂରା ଫୁଲର କିଆରୀ?
ସାବଧାନ ରେ ଥିବ,କୁକୁରକୁ ପାଖକୁ ଘଷି ହେବାକୁ ଦେବନି ଯେମିତି,ମଣିଷର ବଡ ବଂଧୁ ସେ,ତଥାପି
ନଖରେ ଖୋଳିଖୋଳି ବାହାର କରିଦେଇପାରେ ସେ
ସେହି ଶବଦେହ!
ତମେ! କପଟ ପାଠକ! ମୋର ସହଜୀବୀ
ମୋର ସହୋଦର!'

ଦୁଇ
ବାଜିଏ ଚେସ୍

ସେ ନାରୀ ଜଣକ ଯେଉଁ ଚେୟାର ରେ ବସିଥିଲା,ତାହା ଯେମିତି ଏକ ପାଲିସ କରା ସିଂହାସନ,
ଚକମକ କରୁଥାଏ ମଝିରେ ଖଞ୍ଜାଅଛି ଯେତେକ ମାର୍ବଲ ପଥର,
ଶ୍ରମଜାତ ଫଳଭରା ଅଙ୍ଗୁରଲତାରେ ଖଚିତ କାଠର ପାଦମାନ ଆଉ ସେଥିରେ ଠିଆ ଏକ ଦର୍ପଣ
ଯେଉଁଥିରୁ ଉଙ୍କିମାରେ ଏକ ହିରଣ୍ମୟ କାମଦେବ
(ଆରଜଣକ ଆଖିକୁ ଲୁଚାଇ ରଖିଛି ତାହାର ଡେଣାର ଆଢୁଆଳେ)
ସପ୍ତଶାଖା ଦୀପାଧାରରେ ଆଲୁଅର ଶିଖା ପ୍ରତିବିମ୍ବିତ ହୋଇ
ଟେବୁଲ ଉପରେ ଯେତେବେଳେ ଦ୍ୱିଗୁଣିତ ହୁଏ
ନାରୀଟିର ରତ୍ନ ଅଳଙ୍କାରର ପ୍ରଭା ତାହା ସହ ମିଶି ମାତି ଉଠେ,
ରେଶମୀ ସିନ୍ଧୁକରୁ ପ୍ରଗାଢ ପ୍ରାଚୁର୍ଯ୍ୟ ନିର୍ଗତ ହେବାକୁ ଲାଗେ ।
ହାତୀର ଦାନ୍ତ ଆଉ ଠିପି ଖୋଲା ରଂଗିନ କାଚର ଶିଶି ଗୁଡିକ ର ଭିତରେ,
ଆଡିମାରି ରହିଅଛି ତା'ର ବିଚିତ୍ର କୃତ୍ରୀମ ସୁଗନ୍ଧୀ,
ମାଲିଶ-ବିଚୁର୍ଣ୍ଣ,କିମ୍ବା ତରଳ-ଗୋଳମାଳ,ଅସ୍ତବ୍ୟସ୍ତ
ଯାହାର ସୁଗନ୍ଧରେ ଇନ୍ଦ୍ରୀୟ ମୋହିତ; ଆଉ ଆବର୍ତ୍ତିତ ହୋଇ
ଝରକାର ବତାସରେ ହେଉଛି ବିଶୁଦ୍ଧ,ଉପରକୁ ଉଠୁଥାଏ ଏସବୁ
ସ୍ଫୀତ କରେ ପ୍ରଲମ୍ବିତ ମହମର ଶିଖା,
ତାହାର ପ୍ରକ୍ଷିପ୍ତ ଧୂଆଁ ଶୂନ୍ୟରେ କଡିବର୍ଗାରେ,
ଆନ୍ଦୋଳିତ କରୁଥାଏ ଛାତର ତଳେ ଥିବା ଯେତେ ନକସାକଟା କାରୁକାର୍ଯ୍ୟ ସବୁ।
ପ୍ରକାଣ୍ଡ ଶାଳକାଠ ତା' ଉପରେ ତମ୍ବାର ମୋଡକ
ସବୁଜ କମଳା ରଂଗରେ ଜଳୁଥାଏ,ରଂଗିନ ପଥରରେ ବନ୍ଧା,
ଏଇ ବିଷନ୍ନ ଆଲୁଅରେ ଖୋଦିତ ହୋଇଛି ଡଲଫିନ ର ସନ୍ତରଣ ।
ପୁରୁଣା ଦୁଷ୍ପ୍ରାପ୍ୟ ଥାକର ଉପରେ
ଯେମିତି ଝରକା ଏକ ଖୋଲି ଦେଲା ଅରଣ୍ୟର ଶୋଭା
ଫିଲୋମେଲୋର ରୂପାନ୍ତର,ବର୍ବର ରାଜାର ସ୍ଥୁଳ ଧର୍ଷଣରେ ;ସେତେବେଳେ ସେଇଠି ଖଦ୍ୟୋତ
ମାତିଛନ୍ତି ସାରା ମରୁଭୂମୀ ପବିତ୍ର ସ୍ୱରରେ
ଏବଂ ଏଇଲେ ସେ ଅନୁଯୋଗ କରେ,ଏବଂ ତଥାପି ବି ଚଳମାନ ପୃଥ୍ୱୀ,
କାନରେ ବାଜେ ଇତର ଶବ୍ଦ।
ଏବଂ ଆଉ ଯେତେ ସବୁ ଶୁଖିଲା ମଳିନ ସମୟର ଚିତ୍ର
ଖଚିତ ରହିଛି କାନ୍ଥସାରା, ସ୍ଥିର ଦୃଷ୍ଟି ମୂର୍ତ୍ତୀ
ନିର୍ବିଷ ସାପ,ଓହଳି ଅଛି ସ୍ତବ୍ଧ କରି ବଦ୍ଧ କାମନାକୁ।
ପାହାଚରେ ଅସ୍ତବ୍ୟସ୍ତ ପଦକ୍ଷେପ।
ନିଆଁର ଆଲୁଅ ତଳେ,ପାନିଆଁ ର ତଳେ,ତାହାର
ମେଲାଇ ଧରା କେଶ ଅଗ୍ରର ଶିଖାରେ ଗୋଜିଆ
ପ୍ରଜ୍ଜଳିତ ଶବ୍ଦରାଜି,ଅସଭ୍ୟ ଓ ନୀରବ।

"ମୋର ସ୍ନାୟୁ ଦୁର୍ବଳ ଆଜି ରାତିରେ। ହଁ ଦୁର୍ବଳ।ମୋ ସହ ରହିଥାଅ । କଥା ହୁଅ ମୋ ସହ।କାହିଁକି କହୁନ କଥା କଥା କୁହ। କଥା କୁହ।
କାହାର ଭାବନା ଘାରିଛି ତମକୁ ? କେଉଁ ଭାବନା ? କ'ଣ ସେ ?
ମୁଁ କିଛି ବୁଝିନାହିଁ । ଭାବୁଛ ।"

ମୁଁ ଭାବୁଛି ଆମେ ଅଛୁ ଏମିତି ଏକ ମୂଷାଙ୍କ ଗଳିରେ
ଯେଉଁ ଠାରେ ମୃତ ମଣିଷମାନେ ହଜାଇଦେଇଛନ୍ତି ନିଜର ଯେତେକ ହାଡ।

"ଏଇଟା ଆବାଜ କାହାର?
ଦରଜାର ତଳେ ବହୁଛି ବତାସ।
"ଏଇଟା କାହାର ଆବାଜ ? ବତାସ କରୁଛି କ'ଣ?
କିଛି ନୁହଁ ଏଥର ବି କିଛି ନୁହଁ ।"
"କ'ଣ କିଛି ଜାଣନାହିଁ ତମେ ? ତମେ କ'ଣ କିଛି ଦେଖି ପାରୁନାହଁ? ତମର କ'ଣ କିଛି
ମନେ ପଡେନାହିଁ ?

ମୋର ସବୁ ମନେ ପଡିଯାଏ
ସେଗୁଡିକ ହେଉଛି ମୁକ୍ତା,ଯାହା ଥିଲା
ତାହାର ଆଖି ଦୁଇଗୋଟି।
"ତମେ କ'ଣ ଜୀବିତ,ନା କ'ଣ ? ତମର ମଥା ଏକ ଶୂନ୍ୟସ୍ଥାନ ?

ଓହୋ ହୋ ,ବୁଝି ଗଲି ବୁଝି ଗଲି ସେଇ ଧାଡି ଶେକସପିଅରଙ୍କ ରଚନା
ଏଇଟି କେତେ ଯେ ସୁନ୍ଦର
କେତେ ସୁବିଦିତ
"ମୁଁ ଏଇଲେ କ'ଣ କରିବି ? କ'ଣ କରିବି ?
ମୁଁ ମୋ ଭଳି ଦ୍ରୁତ ବାହାରି ଯିବି ,ମଥାର କେଶ ଖୋଲା
ରାସ୍ତାରେ ଚାଲୁଥିବି,ବେଶ୍। ଆମେମାନେ କାଲି କରିବା କ'ଣ ?
ଆମେମାନେ କ'ଣ ବା କରିବା ଆଉ ।"
ଗରମ ପାଣି ରାତି ଦଶଟାରେ।
ଆଉ ଯଦି ବର୍ଷା ହୁଏ ,ଗାଡି ବନ୍ଦ ଚାରିଟାରେ।
ଏବଂ ବାଜିଟିଏ ଚେସ୍ ଖେଳିବୁ,
ଆଉ ଏକ ଜିଦିରେ ଅପଲକ ଦୃଷ୍ଟିକୁ ମେଲାଇ ଅପେକ୍ଷାରେ ରହିବୁ କବାଟର
କଡା ଖଡ ଖଡ ହେବାଯାଏଁ।

ଯେବେ ଲିଲ୍ର ବର ସମରାଙ୍ଗନରୁ ଛାଡ ପାଇଥିଲା,କହିଥିଲି-
ମୁଁ କଥାରେ ଢଙ୍ଗ କରିନି ,ମୁଁ ତା'କୁ ନିଜେ ଇ କହିଛି
ଦୟା କରି ଶିଘ୍ର ଉଠ କାଫେ ବନ୍ଦ ହେବ
ଏଇଲେ ଆଲବର୍ଟ ଫେରିଛି ହଁ, ତମେ ନିଜକୁ ପ୍ରାଣବନ୍ତ କର ।
ସେ ଜାଣିବାକୁ ଚାହିଁବ କ'ଣ କରିଛ ସେ ଟଙ୍କାରେ,ଯାହା ସେ ତମକୁ ଦେଇଯାଇଥିଲା
ତମେ ନିଜର କେତୋଟି ଦାନ୍ତ ବନ୍ଧାଇ ନେବାକୁ।
ସେ ଦେଇଥିଲା,ଦେଖିଛି ମୁଁ ।
ତମ ସବୁଗୁଡିକ ଖୋଲି ପକାଇଛ,ଲିଲ୍,ସୁନ୍ଦର ଦେଖି ଗୋଟିଏ ସେଟ ଗଢାଅ,
ସେ କହିଥିଲା,ରାଣ ଦେଇ କହୁଚି,ମୁଁ ତମ ଆଡକୁ ଚାହିଁ ପାରୁନାହିଁ ।
ଏବଂ ମୁଁ ବି ଆଉ ପାରୁନାହିଁ ,ମୁଁ କହିଛି,ବିଚରା ଆଲବର୍ଟର କଥା ଥରେ ଭାବ,
ଚାରିବର୍ଷ ହେଲା ସେ ସେନାବାହିନୀରେ ଅଛି,ସେ ଏକ ଉପଭୋଗ୍ୟ ସମୟ ଚାହୁଁଛି ଏଇଲେ,
ଆଉ ତମେ ଯଦି ତାହାକୁ ସେତିକି ନଦିଅ ,ଆଉ କିଏ ନିଶ୍ଚେ ଦେବ,ମୁଁ କହିଥିଲି।
ତାହେଲେ ମୁଁ ଜାଣିବି କାହାକୁ ଧନ୍ୟବାଦ ଦେବାକୁ ହେବ ,ସେ କହେ,ମୋ ଆଡକୁ
ସିଧା ଚାହଁ।
ଦୟା କରି ଶିଘ୍ର ଉଠ କାଫେ ବନ୍ଦ ହେବ
ଯଦି ତମର ପସନ୍ଦ ନହୁଏ ଯେମିତି ଅଛ ଥାଅ,ମୁଁ କହିଛି।
ଅନ୍ୟମାନେ ଠିକ୍ ବାଛି ସାଉଁଟି ନେବେ ତମେ ନପାରିଲେ ।
କିନ୍ତୁ ଯଦି ଆଲବର୍ଟ ଛାଡି ଯାଏ,ତେବେ ଏଇଥିପାଇଁ ତାହା ହେବନି,ଯେ କେହି ତମକୁ
ସତର୍କ କରିନି ।
ତମର ଲଜ୍ଜିତ ହେବା ଉଚିତ,ମୁଁ କହିଛି,ତମେ ଏଇଲେ ଭାରି ବୁଢୀ ଲାଗୁଛ ।
(ବୟସ ତାହାର କେବଳ ଏକତ୍ରିଶ।)
ମୁହଁକୁ ଫୁଲାଇ ସେ ବସିଛି,ସେ କହେ,ମୁଁ ଅପାରଗ,
ଗର୍ଭପାତ ପାଇଁ ଯେଉଁ ସବୁ ବଟିକା ଦେଇଥିଲ ଏସବୁ ତାହାର ଫଳାଫଳ,ସେ କହେ।
(ତା'ର ପାଞ୍ଚୋଟି ଇତିମଧ୍ୟରେ,ଆଉ ସେ ପ୍ରାୟ ମରିବାକୁ ବସିଥିଲା ଛୋଟ ଜର୍ଜର ପୁଆତି ବେଳକୁ)
କେମିଷ୍ଟ କହିଥିଲା ସବୁ ଠିକ୍ ହୋଇଯିବ,ଆଉ ସେମିତି ହୋଇନି ଆଉ କେବେହେଲେ
ଠିକ୍ ଆଗ ଭଳି।
ତମେ ଗୋଟିଏ ନିପଟ ମୂର୍ଖ,ମୁଁ କହେ।
ବେଶ୍ ଯଦି ଆଲବର୍ଟ ତମକୁ ଏକା ଛାଡି ନଯାଏ,ନ ଗଲା,ମୁଁ କହେ ।
କାହିଁକି ବିବାହ କର ଯଦି ସନ୍ତାନରେ ବାଞ୍ଛା ନାହିଁ?
ଦୟା କରି ଶିଘ୍ର ଉଠ କାଫେ ବନ୍ଦ ହେବ
ହଁ ,ସେଇ ରବିବାର ଆଲବର୍ଟ ଘରେ ଥିଲା ସେମାନଙ୍କ ଥିଲା ଗୋଟିଏ ଲୁଣ ମିଶା ଘୁଷୁରି ଫଡିଆ,
ଏବଂ ସେମାନେ ମୋତେ ପ୍ରୀତିଭୋଜ ପାଇଁ ଡାକିଥିଲେ,ଗରମ ଗରମ ସୁସ୍ୱାଦ ନେବାକୁ
ଦୟା କରି ଶିଘ୍ର ଉଠ କାଫେ ବନ୍ଦ ହେବ
ଶୁଭରାତ୍ରୀ ବିଲ୍।ଶୁଭରାତ୍ରୀ ଲୁ।ଶୁଭରାତ୍ରୀ ମେ।ଶୁଭରାତ୍ରୀ।
ଟା ଟା। ଶୁଭରାତ୍ରୀ। ଶୁଭରାତ୍ରୀ।
ଶୁଭରାତ୍ରୀ,ଭଦ୍ରମହିଳାଗଣ,ଶୁଭରାତ୍ରୀ ,ସୁନାମୁହିଁ ଭଦ୍ରମହିଳାଗଣ,ଶୁଭରାତ୍ରୀ,
ଶୁଭରାତ୍ରୀ।



ଅଗ୍ନି ସୂକ୍ତ


ନଦୀର ବସତି ଆଉ ନାହିଁ ଭାଙ୍ଗି ଯାଇଅଛି, ପତ୍ରର ଶେଷ ଆଙ୍ଗୁଳି କେତୋଟି ଜାବୁଡି ଧରିଛି ଆଉ ଦବି ଯାଇଛି ଭିଜା ନଦୀର ତୀର । ବତାସ ନିଃଶବ୍ଦରେ ବହୁଥାଏ ଧୂସର ଭୂଖଣ୍ଡ ଉପରେ,
ତାହାର ଶବ୍ଦ ଶୁଣାଯାଏ ନାହିଁ।
ଜଳପରୀ ସବୁ ଏଇଲେ ଉଭାନ।
ମଧୁର ମହାନଦୀ,ଧିରେ ଧିରେ ବହି ଚାଲୁଥାଅ, ଯେଉଁ ପର୍ଯ୍ୟନ୍ତ ମୋର ଗୀତ ଶେଷ ହୋଇ ନାହିଁ।
ନଦୀ ବହନ କରେନାହିଁ ଖାଲି ବୋତଲ, ସାଣ୍ଡୱିଚ୍ ର ଖୋଳ
ରେଶମି ରୁମାଲ, କାଗଜପଟିର ବାକ୍ସ,
ସିଗାରେଟର ଶେଷ ଟୁକୁଡା
ଅଥବା ଗ୍ରୀଷ୍ମକାଳ ରାତ୍ରୀର ଅନ୍ୟ କୌଣସି ଉଦ୍ଦାମତାର ଯେତେକ ପ୍ରମାଣ।
ଜଳପରୀ ସବୁ ନେଲେଣି ବିଦାୟ।
ଏବଂ ସେମାନଙ୍କର ବନ୍ଧୁଗଣ,ସହରର ପ୍ରବନ୍ଧକ ମାନଙ୍କ ଉତ୍ତରାଧୀକାରୀଗଣ ଯେଉଁମାନେ ଇତସ୍ତତଃ ଘୁରିବୁଲୁଥାନ୍ତି ;
ବିଦାୟ ନେଲେଣି,ଛାଡି ଯାଇ ନାହାଁନ୍ତି କିଛି ନିଜର ଠିକଣା।
ଦେଶାନ୍ତରୀତ ହିବ୍ରୁଦେଶକୁ ଯିବାର ବିଳାପ
ବାବିଲୋନୀୟ ଲେମାନ ନଈକୂଳେ ବସି ମୁଁ ଝରଝର କାନ୍ଦେ,
ମଧୁର ମହାନଦୀ,ଧିରେ ଧିରେ ବହି ଚାଲୁଥାଅ ଯେଉଁ ପର୍ଯ୍ୟନ୍ତ ମୋ ଗୀତ ଶେଷ ହୋଇ ନାହିଁ।
ମଧୁର ମହାନଦୀ,ଧିରେ ଧିରେ ବହି ଚାଲୁଥାଅ,ଯେହେତୁ ମୋ ଗଳା ଏତେ ଉଚ୍ଚା ଆଉ ଏତେ ଦୀର୍ଘ ନୁହଁ।
କିନ୍ତୁ ଆଢୁଆଳରେ ମୋର ଶୀତଳ ବିଷ୍ଫୋରଣର ଶବ୍ଦ
ମୋ କାନରେ ବାଜେ
ହାଡ ର କେଁ କଟର ଆଉ କାନରୁ କାନକୁ ବ୍ୟାପି ଯାଉଥିବା ମୁହଁଚିପା ହସ।

ମୂଷାଟିଏ ବୁଦା ଉହାଡରେ ସଂତର୍ପଣରେ ଘୁଷୁରି ଯାଏ
ପଙ୍କରେ ଲତପତ ପେଟ ନଦୀ କୂଳ
ସେତିକି ବେଳେ ମୁଁ ଏକ ସ୍ଥିର ନାଳରେ ମାଛ ଧରୁଥାଏ
ଗୋଟିଏ ଶୀତର ସଞ୍ଜ ଚାରିଆଡ ବାଷ୍ପଗୃହ ପଛପଟେ
ଏକାଗ୍ରଚିତ୍ତରେ ସେଇ ରାଜା ଯିଏ ମୋ ଭାଇର କ୍ଷତିଗ୍ରସ୍ତ ସମୁଦ୍ରବେଭାର
ଆଉ ସେଇ ରାଜା ଯିଏ ମୋ ବାପାଙ୍କ ମରଣ ପୂର୍ବରୁ ଉପସ୍ଥିତ ଥିଲେ,
ଭିଜା ଜଳାଭୂମୀରେ ଉଲଗ୍ନ ଧବଳ ଶରୀର
ଏବଂ ନୁଆଁଣିଆ ଅଧାଗଢା ଛାତ ତଳେ ଛାଞ୍ଚରେ ରହିଥିବା ହାଡ ସବୁ ,
ଏସବୁ ଖାଲି ମୂଷାର ପଦପାତର କର୍କଶ ଶବ୍ଦ,ବର୍ଷ ପରେ ବର୍ଷ।
ମାତ୍ର ସମୟ ସମୟରେ ମୁଁ ଶୁଣିବାକୁ ପାଏ ମୋ ପଛରେ
ମଟରଗାଡିର ହର୍ଣ୍ଣ ଆଉ ମଟରଗାଡି, ଯାହା ଶ୍ରୀମତୀ ଅମୁକଙ୍କୁ ନେଇ ଆସିବ ଏକ ଅଦ୍ଭୁତ ବସନ୍ତ କାଳକୁ ।
ହେ ଚନ୍ଦ୍ରମା ଜ୍ୟୋତ୍ସ୍ନାରେ ଉଜ୍ଜଳ କର ଶ୍ରୀମତୀ ଅମୁକଙ୍କୁ
ଏବଂ ତାଙ୍କର କନ୍ୟାର ଉପରେ
ସୋଡା ଜଳରେ ସେମାନେ ନିଜର ପାଦ ଧୋଉଥାନ୍ତୁ ।
ଏବଂ ଶିଶୁ ମାନଙ୍କର କଳରବ ଛାତରୁ ଧ୍ୱନୀତ ହେଉଛି ଟୁଇଟ ଟୁଇଟ ଟୁଇଟ ଜାଗ ଜାଗ ଜାଗ
କି ପାଷାଣ୍ଡ କି ନିର୍ମମ ରାଜା ଟାଇରେସିଅସ୍ ।

ଅବାସ୍ତବ ନଗରୀ
ଚାରିଆଡେ ଧୂସର କୁହୁଡି ଦିନ ଶୀତକାଳ ଦିପହର
ମିଃ ଅମୁକ ଆଉ ଅମୁକ ନାଆଁର ବଣିକ
ଗାଲରେ ବାସି ଦାଢୀ,ପକେଟ ଭର୍ତ୍ତି ଜାମୁକୋଳି
କ୍ରେତା ଆଉ ବିକ୍ରେତାର ଚୁକ୍ତି :ସାମ୍ନାରେ ଦେଖାଯାଏ ମୋଟା ଦସ୍ତାବେଜ ।
ସାଧାରଣ ବିଦେଶୀ ଭାଷାରେ ମୋତେ ପଚାରିଥିଲେ
ଅମୁକ ରେସ୍ତୋରାଁରେ ଦ୍ୱିପହର ଭୋଜନ
ଆଉ ତାହାପରେ ସପ୍ତାହାନ୍ତ ବିନୋଦ ଭିନ୍ନ ଏକ ସହରରେ ।

ଏପରି ବାଇଗେଣୀ କାଳରେ ଯେତେବେଳେ ଆଖି ଆଉ ପଛପଟ
ବୁଲି ପଡି ଠିଆ ହେବେ ଡେସ୍କରୁ ,ଯେତେବେଳେ ମଣିଷର ଇଞ୍ଜିନ ଅପେକ୍ଷାରେ ଥିବ
ଟାକ୍ସି ଭଳି ନିରୁଦବେଗ କାହାର ଅପେକ୍ଷା,
ମୁଁ ଟାଇରେସିଆସ୍,ଯଦିଓ ମୁଁ ଦୃଷ୍ଟିହୀନ,ଦୁଇଟି ଜୀବନରେ ଥରଥର ହେଉଅଛି ।
ବୁଢା ମଣିଷ ସାଥିରେ ଚମ ଧୁଡୁଧୁଡୁ ନାରୀର ସ୍ତନ, ଦେଖିବାକୁ ପାଏ
ଏଇ ଭଳି ବାଇଗେଣୀ କାଳ,ରାତ୍ରୀକାଳ ଆସି ଉପସ୍ଥିତ ହୁଏ, ଢେର ପରିଶ୍ରମ କରୁଥାଏ
ଫେରିଯିବାକୁ ଘରକୁ, ଏବଂ ଫେରାଇ ଆଣେ ନାବିକକୁ ଘରକୁ ସମୁଦ୍ରରୁ ,
ଘରେ ଚା'ବେଳ ହେଲେ ଟାଇପିଷ୍ଟ ଜଣକ,ତାହାର ଜଳଖିଆ ବାସନକୁ ସଫା କରି ସାରିଥାଏ ,
ଷ୍ଟୋଭ ଜଳାଏ ଆଉ ଖାଦ୍ୟକୁ ଡବାର ଭରିଥାଏ ।
ଝରକା ବାହାରେ ବିପଜ୍ଜନକ ଭାବରେ ବ୍ୟାପିଥାଏ
ତାହାର କେଶରାଜି କେଉଁଭଳି ଶୁଖିଥିଲା ସୂର୍ଯ୍ୟର ଶେଷ କିରଣରେ,
ଡିଭାନ ଉପରେ ଜମା ହୋଇ ରହିଛି (ସେଇଟା ତାହାର ରାତିରେ ଶୋଇବାର ଜାଗା)
ଲମ୍ବା ମୋଜା,ସେମିଜି,ଅନ୍ତର୍ବାସ କିଛି
ମୁଁ ଟାଇରେସିଅସ ବୃଦ୍ଧ ଲୋକ ଚର୍ମ ବିଗଳିତ ସ୍ତନାଙ୍କୁର ସହିତ
ଏଇ ଦୃଶ୍ୟକୁ କଳ୍ପନା କରେ ,ଆଉ ଏହାର ବାକିତକ ଭବିଷ୍ୟ କହେ -
ମୁଁ ବି ଅପେକ୍ଷାରେ ରହିଛି ଅନ୍ୟାନ୍ୟ ଅଭ୍ୟାଗତଙ୍କର ।
ସେ,ସେଇ ତରୁଣ ପିଠିରେ ଯାହାର ପୃଷ୍ଠବ୍ରଣ ,ଆସି ଉପସ୍ଥିତ ହୁଏ
ଛୋଟିଆ ବେପାରର ଏଜେଣ୍ଟର କିରାଣୀ , ଏକ ଦୃଢ ଦୃଷ୍ଟି ,
ଚୌକିମାନଙ୍କ ଭିତରୁ ଟିକିଏ ତଳୁଆ ଚୌକିରେ ବସିଛି ଭରସା
ମଥାରେ ରେଶମୀ ଟୋପି ଯେମିତିକି ସୁବର୍ଣ୍ଣ ବଣିକ
ଏଇ ସମୟ ନିହାତି ଉପଯୁକ୍ତ,ଯେମିତି ଥାଏ ତାହାର ଅନୁମାନ ,
ଭୋଜନ ଶେଷ,ନାରୀ ଜଣକ ଅବସାଦଗ୍ରସ୍ତ ଆଉ କ୍ଳାନ୍ତ,
ଆଲିଙ୍ଗନରେ ତାହାକୁ ବ୍ୟସ୍ତ ରଖିବାକୁ ହେବ
ତଥାପି ଏଯାଏଁ ତାହା ପ୍ରମାଣିତ ହୋଇ ପାରିନାହିଁ, କେହି ଯଦି କାମନାର୍ତ୍ତ ନୁହଁ।
ବର୍ହିଗତ ଆଉ ନିର୍ଦ୍ଧାରିତ ଯନ୍ତ୍ରସମ,ସେ ଆଉ ଥରେ ଝାମ୍ପିପଡେ ;
ଖୋଜୁଥିବା ହାତମାନଙ୍କ ଆକ୍ରମଣର ପ୍ରତିରୋଧ ନାହିଁ;
ତାହାର ପୌରୁଷ ଆବଶ୍ୟକ କରେ ନାହିଁ ପ୍ରତିକ୍ରିୟା କିଛି,
ଆଉ ସ୍ୱାଗତ କରୁଥାଏ ସମସ୍ତ ଉଦାସୀନତାକୁ।
(ଏବଂ ମୁଁ ଟେରାସିଅସ୍ ଯଥେଷ୍ଟ ଆଗରୁ ଏସବୁକୁ ସହି ଆସିଅଛି
ଯାହା ଅଭିନୀତ ହୋଇଥିଲା ଏଇ ଡିଭାନ ବା ସମାନ ଶେଜରେ ;
ପ୍ରାଚୀନ ନଗରୀ ଥେବସ୍ ର ପାଚେରୀ ତଳେ ମୁଁ ବସି ରହିଥିଲି
ଏବଂ ମୃତକଗଦାର ସବାତଳେ ଚାଲି ଚାଲି ଯାଇଥିଲି ।)
ଅର୍ପଣ କର ଗୋଟିଏ ସେଇମିତି ଶେଷର ପ୍ରୋତ୍ସାହିତ ଚୁମ୍ବନ,
ଏବଂ ଅଣ୍ଡାଳି ଯିବାର ବାଟ,ପାହାଚକୁ ପାଇଯିବା ଯାହା ଅନ୍ଧାରୁଆ ଥିଲା।

ନାରୀଟି ବୁଲିପଡେ ଆଉ ଘଡିଏ ଦେଖେ କାଚ ଆରପଟେ,
ବେଖାତିର ସେ ଯେଉଁ ପ୍ରେମିକ ତାହାକୁ ଛାଡି ଚାଲିଗଲା ;
ମନ ବାଟ ଛାଡି ଦିଏ ଅଧାଗଢା ଚିନ୍ତା ଏକ ଅପସରି ଯାଏ ;
"ଠିକ୍ ଅଛି ଏଇଲେ ତ କାମ ହୋଇଗଲା:ମୁଁ ଭାରି ଖୁସି ଯାହାହେଉ ଏଇଟି ତ ଶେଷ ,"
ଯେତେବେଳେ ସେଇ ଆଦରିଣୀ ନାରୀ ଭଲ ଅବା ମନ୍ଦ ସେମିତି କିଛି ପରିଣାମକୁ
ଖାତିର ନକରି ତାହାର ବଖରାକୁ ଦୌଡିଯାଏ,ଏକାକିନୀ,
ହାତରେ ସ୍ୱାଭାବିକ ଭାବରେ ସଜିଡି ନିଏ ତାହାର କେଶଗୁଚ୍ଛ,
ଆଉ ଗ୍ରାମଫୋନରେ ଲଗାଏ ଏକ ଲାଖର ରେକର୍ଡ।

"ଜଳଧାରର ଉପରେ ବହିଯାଉଥିବା ସଂଗୀତଟି ମୋର"
ଏବଂ ଏଇ ଅଂଶରେ, ରାଣୀ ଭିକ୍ଟୋରିଆ ଷ୍ଟ୍ରିଟ୍।
ହେ ନଗରୀ,ନଗରୀ,ମୁଁ ବେଳେ ବେଳେ ଶୁଣେ
ଲୋୟର ଟେମସ୍ ଷ୍ଟ୍ରିଟ୍ ର ଏକ ପାନଶାଳା
ମାଣ୍ଡୋଲିନ୍ ର ମଧୁର କୁଉଁ କୁଉଁ
ଆଉ ଖଡଖଡ ଆଉ ଅନାବଶ୍ୟକ ଗପସପ ଯାହା ତାହାର ଭିତରୁ ଆସୁଛି,
ଯେଉଁଠି ମତ୍ସ୍ୟପୁରୁଷ ଦ୍ୱିପହରେ ଅଳସ ଭାଙ୍ଗୁଛି: ଯେଉଁଠି କାନ୍ଥରେ ଚିତ୍ରିତ ଅଛି
ଅସୁଖନିବାରକ ଦେବତାର ଆକାର ଚିତ୍ର
ଭାଷାରେ ବର୍ଣ୍ଣିହେବ ନାହିଁ ତାହା
ଧଳା ଆଉ ସୁନେଲି ରଂଗ,ଗ୍ରୀକର ଭାସ୍କର୍ଯ୍ୟ।

ନଦୀର ଦେହରୁ ଝାଳ
ତେଲ ଆଉ ପିଚୁ
ହୁଲି ଡଙ୍ଗା ଭାସି ଯାଉଥାଏ
ଉଜାଣି ଢେଉରେ
ଲାଲ ଭାସେ
ବିସ୍ତାରକୁ
ପାହାଡର ପାଖ, ଡଙ୍ଗା ବନ୍ଧାହେବାର ଶକ୍ତ ଖୁଣ୍ଟି ତାହାର ପାଖକୁ,
ହୁଲି ଡଙ୍ଗା ଧୋଇଦିଏ
ଭାସମାନ ଭେଳା
ମହାନଦୀର ଦକ୍ଷିଣ ତୀର ରେ
ଯାଇ ପହଞ୍ଚିବ ସବୁ।

ଆସ ଅତିଥି ଆସ
ମୁକୁଳିତ ଆମେ,ଆସ ହେ ଅତିଥିବର

ରାଣୀ ଏବଂ ଜଣେ ସଂଭ୍ରାନ୍ତ
ଆହୁଲା ମାରୁଥାନ୍ତି
ମୁହଁରେ ହସ ନାହିଁ ନିହାତି ଗମ୍ଭୀର
ଶାମୁକାର ସୁନେଲି ଖୋଳ
ମହାନଦୀ ଉତ୍ତାଳ
ଉଚ୍ଛୁଳି ଯାଏ ଦୁଇଟି ଯାକ ତୀର
ଦକ୍ଷିଣ ପଶ୍ଟିମ ବାୟୁ
ଜଳଧାରରେ ବହି ନେଇଯାଏ
ଘାଘୁଡିର ଧ୍ୱନୀ
ଶ୍ୱେତ ବର୍ଣ୍ଣ ସୁରକ୍ଷା ଟାୱାର।

ଆସ ଅତିଥି ଆସ
ମୁକୁଳିତ ଆମେ, ଆସ ହେ ଅତିଥିବର

ଟ୍ରାମ ଆଉ ଧୂଳିଧୁସରିତ ଗଛବୃଚ୍ଛ
ଜନବହୁଳ ଇଲାକା ମୋତେ ଅବସାଦଗ୍ରସ୍ତ କରେ
ରାଜଧାନୀ ଆଉ ନଗରୀଗୁଡିକ
ମୋର ଗଣ୍ଠି ସବୁକୁ ଖୋଲି ଚାଲୁଥାଏ
ରାଜଧାନୀରେ ମୋ ପାଦ ଫୁଲି ଯାଇଥିଲା
ଭାରି କ୍ଳାନ୍ତ ପଡିରହିଥିଲି ଏକ ଛୋଟ ହୁଲି ଡଙ୍ଗାଟିର ଚଟାଣ ଉପରେ।

ପାଦହଳକ ମୋର ମାରଗେଟ ପ୍ରମୋଦ ସମୁଦ୍ରକୂଳରେ ଅଛି ଆଉ ହୃଦୟ ରହିଛି ମୋର
ପାଦ ତଳେ । ଘଟଣାଟି ଘଟିଯିବା ପରେ
ସେ କାନ୍ଦିଥିଲା । ଶପଥ କରିଥିଲା "ଏକ ନୂତନ ଆରମ୍ଭ।"
ମୁଁ କିଛି ମନ୍ତବ୍ୟ କରିନି । ରାଗ ହେବା ଭଳି ଆଉ ଏମିତି କିଛି କାରଣ ଅଛିକି ?"

"ମାରଗେଟ ସେଣ୍ଡସସେ।
ମୁଁ ଯୋଡି ଦେଇ ପାରେ ଶୂନ୍ୟ ଆଉ ଶୂନ୍ୟକୁ।
ମଇଳା ହାତ ଆଙ୍ଗୁଳିର ନଖମାନ ଭଂଗା।
ମୋର ପ୍ରିୟଜନ ଚିର ଅବଦମିତ
ସେମାନଙ୍କର କିଛି ହିଁ ପ୍ରତ୍ୟାଶା ନାହିଁ ।"

ଲା ଲା

ସେତେବେଳେ ମୁଁ କାର୍ଥେଜ ରେ

ଜଳୁଅଛି ଜଳୁଅଛି ଜଳୁଅଛି ଜଳୁଅଛି
ହେ ପ୍ରଭୂ ମୋତେ ତମେ ଉଦ୍ଧାର କର
ହେ ପ୍ରଭୂ ମୋତେ ତମେ ଉଦ୍ଧାର କର


ଜଳାଧାରରେ ମରଣ


ଫିନିଶୀୟ ଫ୍ଲେବାସ, ମରିବାର ପନ୍ଦର ଦିନ ବିତିଗଲାଣି
ବିସ୍ମୃତ ହୋଇଗଲାଣି ସମୁଦ୍ରପକ୍ଷୀର ଡାକ,ଆଉ ଗଭୀର ସମୁଦ୍ରର ସ୍ଫୀତି
ଏବଂ ସବୁତକ ଲାଭ ଏବଂ କ୍ଷତି।

ସମୁଦ୍ରର ଗଭୀରରେ ସ୍ରୋତ
ଅପହରଣ କରିନେଇଛି ତାହାର ହାତଗୋଡ। ଯେତେବେଳେ ତରଙ୍ଗରେ ସେ ବୁଡିଥିଲା ଆଉ ଭାସି ଉଠୁଥିଲା
ସେ ଅତିକ୍ରମ କରି ଯାଇଛି ତାହାର ବୟସ ଆଉ ଯୌବନର ସ୍ତର
ଜଳର ଆବର୍ତ୍ତରେ ପ୍ରବେଶ ଭିତରେ।

ପୌତ୍ତଳିକ ଅଥବା ଇହୁଦୀ
ଆହେ ତମେ ଯେଉଁମାନେ ଚକ୍ରୀକୁ ଘୁରାଅ ଏବଂ ଚାହିଁଥାଅ ବତାସ ଆଡକୁ
ବିବେଚନା କରି ଦେଖ ଏଇ ଫ୍ଲେବସକୁ,ଏକଦା
ସେ ଥିଲା ସୁଦର୍ଶନ ଏବଂ ସାହସୀ
ଠିକ୍ ତମ ଭଳି।


ବଜ୍ରବାଣୀ


ମୁହଁ ସାରା ଝାଳ ସରସର ତାହାର ଉପରେ ମଶାଲର ଲାଲିମା ଆଉ ତାହା ପରେ
ଉପବନରେ ତୁଷାର ଶୀତଳ ନୀରବତା
ମରଣଯାତନା ପରେ ପଥୁରିଆ ଯାଗା
ବେଶ୍ ବଡପାଟିରେ ଡାକ ଆଉ ଚିତ୍କାର
କାରାଗାରରେ ଆଉ ପ୍ରାସାଦରେ ଏବଂ ବଜ୍ରପାତର
ଅନୁରଣନ ବସନ୍ତର ସୁଦୂର ପାହାଡ ଚୂଡାରେ
ଯିଏ ଜୀବିତ ଥିଲା ଏଇଲେ ସେ ମୃତ
ଆମେମାନେ ଯିଏ ଜୀବିତ ଥିଲୁ ଏଇଲେ ମୁମୂର୍ଷୁ
ସହିଷ୍ଣୁତାର ବଳ ଅଳ୍ପ କିଛି ଅବଶିଷ୍ଟ ଅଛି

ଏଇଠି ଜଳ ନାହିଁ ଖାଲି ପଥର,
ପଥର ଏବଂ ଛଳ ନୁହଁ,ଆଉ ଧୂଳିମଖା ପଥ,
ପଥକୁ ବଙ୍କାଟଙ୍କା କରି ଉପରକୁ ଉଠିଛି ପାହାଡ
ସେଇ ସବୁ ପାହାଡ ଜଳହୀନ ପଥରମଖା
ଯଦି ଥାଆନ୍ତା ଜଳ ସେଇଠି ଆମେ ଅବଶ୍ୟ ସେଇଠି ରହିଥାନ୍ତୁ ଆଞ୍ଜୁଳିରେ ଭରି ଜଳପାନ କରିଥାନ୍ତୁ
ପଥର ଭିତରେ କେହି ରହିପାରେ ନାହିଁ କିମ୍ବା ଭାବିପାରେ ନାହିଁ
ଶୁଖୁଥିବା ଝାଳ ଆଉ ବାଲିର ଭିତରେ ପାଦ ହଳକ
ଯଦି ପଥରର ଭିତରେ ସେଇଠି କେବଳ ଥାଆନ୍ତା ଜଳ
ମୃତ ପାହାଡ ତାହାର କ୍ଷୟ ଯାଉଥିବା ଦାନ୍ତ କୁ ଦେଖାଇ ପାଟି ମେଲା କରି ପକାଇ ପାରେନା ଛେପ
ଏଠାରେ ରହିପାରିବେନି କେହି
ଛିଡା ହୋଇ କି ଶୋଇ ପଡିବା ଅବା ଘଡିଏ ବସିଯିବା ନୁହଁ
ଏପରିକି ସେଇଠି ସେଇ ପାହାଡରେ ନୀରବତା ବି ନାହିଁ
କେବଳ ଶୁଷ୍କ ବନ୍ଧ୍ୟା ବୃଷ୍ଟିହୀନ ବଜ୍ରଧ୍ୱନୀ
ଏପରିକି ସେଇଠି ନୀରବତା ବି ନାହିଁ ସେଇ ପାହାଡରେ
କେବଳ ଲାଲ ବିଷର୍ଣ୍ଣ ବଦନର ଦନ୍ତା ହସ ଆଉ ଖିଙ୍କାରି ବସୁଥାଏ
କାଦୁଅକୁ ଥାପି ଥାପି ଗଢା ଆଉ ଏଇଲେ ଭଙ୍ଗା କାନ୍ଥର ଘରର ଦରଜା ପଛରୁ
ଯଦି ବା ସେଇଠି ଜଳ ରହିଥିବ
ଏବଂ ପଥର ନୁହଁ
ଯଦି ବା ସେଇଠି ଥିବ ପଥର
ଆଉ ଜଳ ବି
ଆଉ ଜଳ
ଝରଣା ଗୋଟିଏ
ପଥରର ଭିତରେ ଗୋଟିଏ ଟୁବି ଗଡିଆ
ଯଦି ବା ସେଇଠି ରହିଥିବ ଜଳର ଶବ୍ଦ କେବଳ
ଝିଙ୍କାରୀର ଝିଁ ଝିଁ ନୁହଁ
ଶୁଖିଲା ଘାସ ଗୀତ ଗାଏ
କେବଳ ଜଳର ଶବ୍ଦ ପଥର ଉପରେ
ଯେଉଁଠି ସାଧକ ପକ୍ଷୀ ଗାଉଥାଏ ପାଇନ୍ ଶାଖାରେ
ଟିପ ଟାପ ଟିପ ଟାପ ଟାପ ଟାପ ଟାପ
କିନ୍ତୁ ସେଇଠି ଜଳ ନାହିଁ।

କିଏ ସେ ତୃତୀୟ ବ୍ୟକ୍ତି ଯିଏ ତମ ସହ ପାଦ ପକାଇ ଚାଲୁଅଛି
ଅତି ସଂତର୍ପଣରେ ,ଦେହରେ ବାଦାମୀରଂଗର ପୋଷାକ,ମଥାକୁ ଢାଙ୍କି ରଖିଅଛି
ଜାଣେନା ମୁଁ ଇଏ ଜଣେ ନାରୀ ନା ପୁରୁଷ
କିନ୍ତୁ କିଏ ସିଏ ଅନ୍ୟଲୋକ ଯିଏ ଆସି ଛିଡା ହୋଇଅଛି ତମର ପାଖରେ,ଆରପଟେ ?

ଉଚ୍ଚ ଗଳାରେ କାହାର ଶବ୍ଦ ଭାସିବୁଲେ ଆଜି ବତାସରେ
ମାତୃସୁଲଭ ବିଳାପର ଚାପା ଗୁଞ୍ଜନ
ସେମାନେ କିଏ ମୁହଁକୁ ଘୋଡାଇରଖିଥିବା ତସ୍କର
ଅନ୍ତହୀନ ପ୍ରାନ୍ତରରେ, ଫଟିଭୂଇଁକୁ ବାରଂବାର ଝୁଣ୍ଟୁଛନ୍ତି
ଏହାକୁ ଘେରିଛି ଏକ ସମତଳ ଦିଗନ୍ତ
କେଉଁ ନଗର ଇଏ ପାହାଡ ଉପରେ
ଭାଙ୍ଗୁଥାଏ ଆଉ ଗଢୁଥାଏ ବିସ୍ଫୋରିତ ହେଉଥାଏ ବାଇଗେଣୀ ରଂଗର ବତାସରେ
ଖସିପଡୁଥିବା ଗମ୍ବୁଜ
ଜେରୁଜେଲମ ଏଥେନ୍ସ ଆଲେକଜାଣ୍ଡ୍ରିଆ
ଭିଏନା ଲଣ୍ଡନ
ମାୟାମୟ

ରମଣୀ ସେ ଏକ ଶକ୍ତ ହାତେ ବାନ୍ଧୁଥାଏ ତାହାର କୃଷ୍ଣକାୟ ଜୁଡା
ଆଉ ବେହେଲା ର ସୁରେ ଗୁଞ୍ଜିତ ତନୁଦଳ ସମସ୍ତ ଶିରାଧମନୀ
ଆଉ ବାଦୁଡି ଶିଶୁର ମୁହଁ ଯେମିତି ଝଲସି ଉଠୁଛି
ବାଇଗେଣୀ ଆଲୁଅରେ
ସୁସୁରି ମାରେ,ଡେଣା ଝପଟାଏ
ଆଉ ମଥା ତଳକୁ କରି ଗୁରୁଣ୍ଡି ଗୁରୁଣ୍ଡି କଳାରଙ୍ଗର କାନ୍ଥରୁ ଓହ୍ଲାଉଥାଏ ତଳକୁ
ଆଉ ଶୂନ୍ୟରେ ବତାସରେ ଉପର ତଳ ଟାୱାର
ସମୟର ନିର୍ଦ୍ଦେଶକ ବଜାଉଥାଏ ସ୍ମୃତିର ଘଣ୍ଟା
ଏବଂ ଗଳାରେ ଗୀତର ସୁର ଉଠେ ଛାତର ଫାଙ୍କା କୁଣ୍ଡ ଆଉ ଶୂନ୍ୟୋଦର
କୂଅ ର ଭିତରୁ।

ଏଇ ପାହାଡ ଭିତରେ ଧସି ପଡିଥିବା ଗୁମ୍ଫାରେ
କ୍ଷୀଣ ଚନ୍ଦ୍ରାଲୋକ,ଘାସର ଗୀତ
ତରଙ୍ଗାୟିତ କବର ପାଖରେ,ଭୋଜନାଳୟର ଚାରିପଟେ
ଭୋଜନାଳୟ ଫାଙ୍କା ,ସେଇଠି କେବଳ ବତାସର ଖଟି।
ଏହାର କୌଣସି ଝରକା ନାହିଁ,ଦରଜା ଗୁଡିକ ଟଳମଳ ହେଉଛନ୍ତି
ଶୁଖିଲା ହାଡ କାହାର କିଛି କ୍ଷତି କରିବାକୁ ଅସମର୍ଥ।
କଡିକାଠରେ ଛିଡା ହୋଇଛି କେବଳ ଗୋଟିଏ କୁକୁଡା
କକକ କକକ କକ କକକ
ହଠାତ୍ ଝଲସାଇ ଦେଉଥିବା ବିଜୁଳି ଭିତରେ। ସେତେବେଳେ ଆର୍ଦ୍ର ଦମକାଏ ବତାସ
ବୃଷ୍ଟି ଆଣେ।

ଗଙ୍ଗାରେ ଜଳର ସ୍ତର ତଳକୁ ଖସିଯାଏ,ଆଉ ଥଲଥଲ ପତ୍ର ଗୁଡିକ ରହିଥିଲା
ବର୍ଷାର ଅପେକ୍ଷାରେ ,ହେଲେ କଳା କଳା ମେଘ
ଦୂର ଦୂରାନ୍ତରେ ଜମାଟ ବାନ୍ଧିଥିଲେ,କାହିଁ ସେ ଦୂର ହିମାଳୟର ଶିଖରରେ।
ଜଙ୍ଗଲ ଅବନତ,ନୀରବତାର କୁଞ୍ଜବନ।
ସେତେବେଳେ ବଜ୍ର କଥା କହେ

ଦା

ଦତ୍ତ : ଆମେ ଦେଇଛୁ କ'ଣ ?
ବନ୍ଧୁ ମୋର, କମ୍ପମାନ ହୁଏ ରକ୍ତ ହୃଦୟରେ ମୋର
ଭକ୍ତିସଞ୍ଚାରକ ସାହସରେ ମୁହୂର୍ତ୍ତର ଆତ୍ମସମର୍ପଣ
ଯାହାକୁ କେବେହେଲେ ଫେରାଇ ପାରିବ ନାହିଁ ଏଇ ବିଚକ୍ଷଣ ଯୁଗ
ଏହା ଦ୍ୱାରା,ଖାଲି ଏହା ଦ୍ୱାରା ହିଁ ,ଆମେ ଠାକି ରହିଅଛୁ
ଆମର ମରଣର ମୁଦ୍ରିତ ବିଜ୍ଞାପନରେ ଯାହା ଖୋଜିଲେ ମିଳିବ ନାହିଁ
ଅଥବା କେଉଁ ଦୟାଳୁ ବୁଢିଆଣିର ଜାଲରେ ବୁଣା ସ୍ମୃତିରେ
ଅଥବା କୃଶକାୟ ଆଇନ ପରାମର୍ଶଦାତା ର ଭଙ୍ଗା ସିଲମୋହର ତଳେ
ଆମର ସମସ୍ତ ଶୂନ୍ୟ ପ୍ରକୋଷ୍ଠରେ

ଦା

ଦୟଧ୍ୱମ : ମୁଁ ଶୁଣିଥିଲି ଚାବିଟି
କଟାଟରେ ଥରେ ଘୁରିଥିଲା ଏବଂ କେବଳ ଘୁରିଥିଲା ଥରଟିଏ ମାତ୍ର
ଚାବିଟିର କଥା ଆମର ମନକୁ ଆସେ,ପ୍ରତ୍ୟେକେ ନିଜ ନିଜର କାରାଗାରରେ
ଚାବିଟିର କଥା ଭାବୁଥାନ୍ତି, ପ୍ରତ୍ୟେକେ ସୁନିଶ୍ଚିତ କରୁଥାଆନ୍ତି ଏକ କାରାଗାର
କେବଳ ରାତ୍ରୀ ଓହ୍ଲାଇ ଆସିବାର ହେଲେ,ବାୟବୀୟ ଗୁଜବ
ଘଡିକର ପାଇଁ ଚେତନାକୁ ଆଣେ ଭାଙ୍ଗିପଡିଥିବା ରୋମାନ ବୀର କେରିଓଲେନାସର ବିଷାଦ ଗାଥା

ଦା

ଦମ୍ୟତା : ବୋଇତଟି ଡାକ ଶୁଣିଥିଲା
ଆନନ୍ଦମୁଖର,ନିପୁଣ ହାତରେ ଅଛି ପାଲ ଓ ଆହୁଲା
ସମୁଦ୍ର ବେଶ୍ ଶାନ୍ତ,ତମର ହୃଦୟ ଶୁଣୁଥିବ ପ୍ରତିଧ୍ୱନୀ
ଆନନ୍ଦବିଭୋର,ଡକରା ଆସିଛି,ସବୁ ବାଧ୍ୟତାକୁ ଅତିକ୍ରମ କରି
ନିଜର ଆୟତ୍ତକୁ ଆଣିଥିବା ସେଇ ହାତଗୁଡିକ
ମୁଁ ବସିଛି ସେଇ ସମୁଦ୍ରକୂଳରେ
ମାଛ ମାରୁଅଛି, ପଛରେ ମୋ ରହିଅଛି ଶୁଷ୍କ ସମତଳ ବର୍ଷଣ ଆଶାରେ
ମୁଁ କ'ଣ ଅନ୍ତତଃ ଏଇଲେ ମୋ ହାତମାନଙ୍କୁ ସୁଧାରି ପାରିବି ?
ଲଣ୍ଡନର ସେତୁ ଖସି ପଡେ ଖସି ପଡେ ଖସି ପଡେ

"ତାହାପରେ ସେ ନିଜକୁ ଲୁଚାଇଦେବ ସେଇ ନିଆଁର ଭିତରେ ଯାହା ତାହାକୁ ଦିନେ ଶୁଦ୍ଧ କରିଥିଲା
କେତେବେଳେ ସେଇ ମୁହୂର୍ତ୍ତ ଆସିବ ମୁଁ
ପାଲଟିଯିବି ତାହାର ଆହାର
ପରିତ୍ୟକ୍ତ ସୁରକ୍ଷା ସ୍ତମ୍ଭରେ ଯେମିତି ରାଜା ଆକ୍ୟୁଟାଇନ
ଏଇ ଖଣ୍ଡ ଖଣ୍ଡକୁ ମୁଁ ଢିରା ଦେଇ ସମ୍ଭାଳି ସଜାଡି ରଖିଛି ଚାରିଆଡ ଯେତେବେଳେ ଖାଲି ଭଗ୍ନସ୍ତୂପ
ତାହେଲେ ମୁଁ ତମକୁ ପ୍ରଦାନ କରିବି ଶାନ୍ତି।ହାୟାରୋନିମୋ ପୁଣିଥରେ ପାଗଳ ହୁଏ
ଦତ୍ତ। ଦୟଧ୍ୱମ। ଦମ୍ୟତ।
ଶାନ୍ତିଃ ଶାନ୍ତିଃ ଶାନ୍ତିଃ।

°°°°°

ଟମାସ୍ ଷ୍ଟର୍ଣ୍ଣ ଏଲିଅଟ୍ ବା ଆମର ବେଶ୍ ପରିଚିତ ଟି ଏସ୍ ଏଲିଅଟ୍(୧୮୮୮-୧୯୬୫) ବିଶ୍ୱର କାବ୍ୟସାହିତ୍ୟ ର ଅନ୍ୟତମ ପ୍ରଧାନ ପୁରୁଷ।ଏହି ଇଂରେଜ କବିଙ୍କର ପ୍ରମୁଖ କୃତି ହେଉଛି ୱେଷ୍ଟଲାଣ୍ଡ ବୋଲି କିଛି ଦୀର୍ଘ କବିତାର ସମାହାରରେ ରଚିତ ଏକ କାବ୍ୟ ପୁସ୍ତକ।ଏହା ୧୯୨୨ ମସିହାରେ ରଚିତ ହୋଇଥିଲା।ପାଞ୍ଚଭାଗରେ ବିଭକ୍ତ ୱେଷ୍ଟଲାଣ୍ଡର ଦୀର୍ଘ ଧାରାବାହିକ କବିତା ଗୁଡିକ ଯଥାକ୍ରମେ ହେଉଛି,ଦି ବ୍ୟୁରିଆଲ୍ ଅଫ୍ ଦି ଡେଡ୍,ଏ ଗେମ୍ ଅଫ୍ ଚେସ୍,ଦି ଫାୟାର୍ ସରମନ୍,ଡେଥ୍ ବାଇ ୱାଟର୍,ଏବଂ ହ୍ୱାଟ୍ ଦି ଥଣ୍ଡର ସେଡ୍।
ଏପ୍ରିଲ୍ ଇଜ୍ ଦି କ୍ରୁଏଲେଷ୍ଟ ମଂଥ ବୋଲି ୱେଷ୍ଟଲାଣ୍ଡର ଆଦ୍ୟ ଧାଡିଟି ସହ ଆମେ ସମସ୍ତେ ବେଶ୍ ପରିଚିତ।
ଏଲିଅଟ୍ ଙ୍କ କବିତାର ଅନୁସୃଜନ ହେଉଛି ଖଣ୍ଡାଧାରରେ ଚାଲିବା ଭଳି ତଥା ସ୍ୱୟଂ ଖୁଦାଙ୍କ ଉପରେ ଖୁଦାଗିରି କରିବା ଭଳି କଥା।ଆଉ ମଣିଷହିଁ ନିଜର ନିର୍ବୋଧ ପଣରେ ଖୁଦା ଉପରେ ଖୁଦାଗିରି କରିଥାଏ।
ବିଂଶ ଶତାବ୍ଦୀର ସାହିତ୍ୟ ଜଗତକୁ ଯଦି ଜଣେ କେହି ସାହିତ୍ୟରଥି ବିଶ୍ୱଯୁଦ୍ଧ ର ମଧ୍ୟବର୍ତ୍ତୀ କାଳୀନ ଜଟିଳ ସମୟରେ ପ୍ରଭାବିତ କରି ପାରିଥିଲା ସେ ହେଉଛନ୍ତି ଏଲିଅଟ୍ । ଅବଶ୍ୟ ଏହି ସମୟର ଶ୍ରେଷ୍ଠ ପ୍ରଭାବୀ ସାହିତ୍ୟରଥି ହିସାବରେ ଏଲିଅଟ୍ ଙ୍କ ସହ " ୟୁଲିସେସ୍ " ର କାଳଜୟୀ ଲେଖକ ଜେମସ୍ ଜୟେସ୍ ଙ୍କୁ ବି ଗ୍ରହଣ କରାଯାଇପାରିବ ।
ଏଲିଅଟ୍ ତାଙ୍କର କବିତାରେ ବିଶେଷତଃ "ୱେଷ୍ଟଲାଣ୍ଡ" ରେ ତାଙ୍କ ସମୟର ଆତ୍ମା କୁ ଉନ୍ମୋଚନ କରିବା ସହିତ ନୈତିକ ଏବଂ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଅନ୍ୱେଷଣ କରିଛନ୍ତି।ଏହା ବ୍ୟତିତ ସେ ଏମିତି ଏକ ନୂତନ ଐତିହ୍ୟ ର ଆବଶ୍ୟକତା ପ୍ରତି ଆମର ଦୃଷ୍ଟି ଆକର୍ଷଣ କରିଛନ୍ତି ଯାହା ବିଶ୍ୱଯୁଦ୍ଧ ପରବର୍ତ୍ତି କାଳରେ ସୃଷ୍ଟି ହୋଇଥିବା ଆମର ସାଂସ୍କୃତିକ ନିଷ୍ଫଳତାକୁ ପରିପୂରଣ କରିବାକୁ ସମର୍ଥ ହେବ। ସେ ବସ୍ତୁତଃ ସେହି ନୂତନ ଐତିହ୍ୟର ସଂରଚନା କରିବାକୁ ଯାଇ କବିତା ଲେଖିଛନ୍ତି ,ଏମିତି ଏକ ପରିପ୍ରେକ୍ଷ୍ୟରେ ଯେ, ଯେଉଁଠି ଆମର ସମକାଳକୁ ନେଇ କୌଣସି ସନ୍ତୋଷଜନକ ଉତ୍ତର ଆମ ପାଖରେ ରହୁନାହିଁ ଆଉ ଯେଉଁଠି ସମକାଳ ର ଆଧୁନିକତା ଆମ ର ଅନୁଭବରେ ନିରନ୍ତର ଜଟିଳତା ଏବଂ ବିରୋଧାଭାଷ ଉପସ୍ଥାପନ କରୁଛି।
ଆମର ଅବସ୍ଥାନ,ଏରିଖ୍ ଫ୍ରମ୍ ଙ୍କ ଭାଷାରେ କହିଲେ,"ଏସକେପ୍ ଫ୍ରମ୍ ଫ୍ରିଡମ୍", ଜୋସେଫ୍ ହେଲର୍ ଙ୍କ ଭାଷାରେ କହିଲେ,"କ୍ୟାଚ୍-୨୨"।
ସେଇଥିପାଇଁ ୱେଷ୍ଟଲାଣ୍ଡ ଆମର ଏତେ ପ୍ରିୟ , ଶହେ ବର୍ଷ ପରେ ବି ଏହା ଆମର ମାନସ ପଟଳରେ ସତେଜ ।

ଏଲିଅଟ୍ ଙ୍କର ଜଣେ ସମସାମୟିକ କବି ଉଇଲିଅମ କାର୍ଲୋସ୍ ଉଇଲିଅମ ୱେଷ୍ଟଲାଣ୍ଡର ପ୍ରକାଶନ ପରେ ଅଭିମତ ପ୍ରଦାନ କରି କହିଥିଲେ, ଏହା ହେଉଛି ପଦ୍ୟର ପରମାଣୁ ବୋମା ।

୧୯୧୫ ରେ ଏଲିଅଟ୍ ଭିଭିଏନ ହାଇ-ଉଡ୍ ଙ୍କୁ ବିବାହ କରନ୍ତି । ଭିଭିଏନ୍ ମାନସିକ ଅସୁସ୍ଥତା ଭୋଗୁଥିଲେ ଆଉ ସେହି କାରଣରୁ ଏଲିଅଟ୍ ଙ୍କର ୧୭ ବର୍ଷର ବୈବାହିକ ଜୀବନ ଉଭୟ ଶାରିରୀକ ଆଉ ମାନସିକ ଭାବରେ କ୍ଷତାକ୍ତ ରହିଥିଲା । ଏଲିଅଟ୍ ନିଜର ଭରଣ ପୋଷଣ ପାଇଁ ଗୋଟିଏ ଗ୍ରାମାର୍ ସ୍କୁଲ୍ ରେ ଶିକ୍ଷାଦାନ କରୁଥିଲେ,ସମାଲୋଚନା ଆଉ ପୁସ୍ତକ ଆଲୋଚନା ଲେଖୁଥିଲେ ଏବଂ ଲୟେଡ୍ ବ୍ୟାଙ୍କରେ ଆଠ ବର୍ଷ କର୍ମରତ ରହିଥିଲେ । ଏଲିଅଟ୍ ବନ୍ଧୁମାନେ ବିଶେଷତଃ ଏଜରା ପାଉଣ୍ଡ ଯେତେବେଳେ ତାଙ୍କୁ ଏହିଭଳି ବ୍ୟାଙ୍କ ର ଚାକିରୀରୁ ମୁକ୍ତ କରି ସ୍ୱାଧୀନ ଭାବରେ ଲେଖା ଲେଖି କରିବା ପାଇଁ କିଛି ପାଣ୍ଠିର ଯୋଗାଡ କରିଥିଲେ,ଏଲିଅଟ୍ ତାହାକୁ ବିରୋଧ କରିଥିଲେ । ଏଲିଅଟ୍ ବ୍ୟାଙ୍କ କାମକୁ ଛାଡିବାକୁ ଚାହୁଁ ନଥିଲେ । ବ୍ୟାଙ୍କ କାମ କରିବା ଦ୍ୱାରା ନିଜ ପାଇଁ ଗୋଟିଏ ନିୟମିତ ରୁଟିନ୍ ବା ଶୃଙ୍ଖଳା ରହିଥିବା କଥାରେ ତାଙ୍କର ଆଗ୍ରହ ରହିଥିଲା । ନିଜର କ୍ଷତାକ୍ତ ଦାମ୍ପତ୍ୟ ଜୀବନ ର ପରିପ୍ରେକ୍ଷୀରେ ସୃଜନଶୀଳ କବିକର୍ମ ପାଇଁ ସେ ଗୋଟିଏ ନିର୍ଦ୍ଦିଷ୍ଟ ଶୃଙ୍ଖଳା ବା ରୁଟିନ୍ ର ଆବଶ୍ୟକତା ଅନୁଭବ କରୁଥିଲେ।
ଏଲିଅଟ୍ ସବୁବେଳେ ସଂଶୟ ପ୍ରବଣ ଏବଂ ଅନ୍ତର୍ମୁଖୀ। ୧୯୨୧ ମସିହାରେ ସେ ଅବସାଦଗ୍ରସ୍ତ ହୋଇ ମାନସିକ ଭାବରେ ଅସୁସ୍ଥ ହୋଇ ପଡନ୍ତି । ସୁଇଜରଲାଣ୍ଡର ଲଉଜେନ୍ ନାମକ ସ୍ଥାନରେ ତାଙ୍କର ଚିକିତ୍ସା ହୁଏ । ତାହା ପରେ ପରେ ୧୯୨୨ରେ ପ୍ରକାଶିତ ହୁଏ ତାଙ୍କର ସର୍ବଆଦୃତ କବିତା "ୱେଷ୍ଟଲାଣ୍ଡ"।
କବିଙ୍କ ଜୀବନର ଏହି ସଂକ୍ଷିପ୍ତ ଉଲ୍ଲେଖ ଏବଂ କବିଦୃଷ୍ଟିରେ ତଥା ନୂତନ ଐତିହ୍ୟର ସଂରଚନା କରିବା ଉଦ୍ଦେଶ୍ୟରେ ରଚିତ ଏକ ବ୍ୟକ୍ତିପରକ ଉତ୍କର୍ଷ ,ଏହାର ଆଧାରରେ ଆମେ "ୱେଷ୍ଟଲାଣ୍ଡ" କୁ ତାହାର ଶତ ବର୍ଷ ପରେ କାହିଁକି ସତେଜ ଦେଖୁ,ସେଇକଥାକୁ କିଛି ପରିମାଣରେ ହୁଏତ ବୁଝି ପାରିବା ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *