ଅରକ୍ଷିତ ସାହାଣୀ

ଅରକ୍ଷିତ ସାହାଣୀର ଜୀବନ
ଅଲିଖିତ ଇତିହାସର ଫର୍ଦ୍ଦେ ଛିଣ୍ଡା କାଗଜ
ସାମାନ୍ୟ ସୁଲୁକାସୁଲୁକା ପବନରେ
ତା’ ଚାରିପାଖେ ଘାଉଁରୀ ଖାଉଥାଏ
ଦିନ ତମାମ l

ତା’ ଜୀବନ ପଞ୍ଜିକାରେ କିଏ ଲଟକେଇ ଦେଇଛି
ଏକ ପ୍ରଶ୍ନ ଚିହ୍ନ
ହାତର ଆୟୁରେଖା ଗାଢ ହେଉଥିଲା ବେଳେ
ଛିଡିଛିଡି ଆସୁଥାଏ ବୟସ l

ସେ ଜନମ ହେଉହେଉ ମା’ ତା’ର
ଖେଳୁଥିଲା ସାପସିଡି ଖେଳ
କେତେବେଳେ ସାପ ପେଟ ଭିତରେ, ପୁଣି କେତେବେଳେ ସିଡିର ଶେଷ ଫଳିରେ ଥାଇ,
ନିଜ ଜୀବନ ପାଇଁ ଚୁକ୍ତି କରୁଥାଏ
ମୃତ୍ୟୁ ସହ l

ଦିନେ ଅଚାନକ ଅଣନିଶ୍ୱାସୀ ହେଇ ବସିଗଲା ଘର ପାଖ ଆମ୍ବ ଗଛ ଛାଇରେ
ମୃତ୍ୟୁ ଗୋଡ ଲମ୍ବେଇ ଶୁଣାଉଥିଲା ଧୋ ରେ ବାୟା ଧୋ ଗୀତ
ମା’ ର ଏ ଅବସ୍ଥାରେ ବାପ ଖେଳୁଥିଲା କୋଉ ଷୋଡସି ସହ ପଶାପାଲି ଖେଳ l

ଏବେ ଅଇଣ୍ଡିଆ ଅରକ୍ଷିତ ଡାଗର
ନିଜ ପାଇଁ ଓଳାଉଛି ବାଟ
ନିଜେ ନିଜ ଉପରେ ପକାଉଛି ଫୁଲ ଚନ୍ଦନ,
ଯୋଉ ବାସ ଚହଟେ ଖଣ୍ଡମଣ୍ଡଳ l

ପାଲଟେ, କେତେବେଳେ ସୁଶୀଳ ମାଳତୀ ନାଟକରେ ନାୟକ
ଅବା କେତେବେଳେ ଖଳନାୟକ
ଏମିତି ନାୟକ ଖଳନାୟକ ସାଜୁସାଜୁ
ଜଣାନାହିଁ ତାକୁ,
ସମୟ ବୋଳି ଦେଇଯାଇଛି ତା’ ମୁଣ୍ଡରେ ଧାପେ ଧଳା ରଙ୍ଗ l

ଅବସଅବସ ଦେହ
ମନେପଡୁଛି ସେଇ ନାଟକରେ
ମାଳତୀ ଚରିତ୍ରରେ ଅଭିନୟ କରୁଥିବା ସୌଦାମିନୀ କଥା
ଯିଏ ନିଜ ସଂସାରରୁ ଲୁଚି
କୋଉ ଛଦ୍ମବେଶୀ ସାଧବପୁଅ ସହ
ଯାଇଛି ଖୋଜିବାକୁ ଭଙ୍ଗା ରାଜଉଆସ l

ବିଚରା ଅରକ୍ଷିତ ସାହାଣୀ l

କାହା ଉପଦେଶକୁ ଗାଲେଇ ଯାଇ
ଗାଇ ଚାଲିଛି ଯୋଗୀ ଗୀତ…….l

ଦୂରଭାଷ :-8260397480 / 9090584130