ଚୁପ୍
ପୃଥିବୀର ସବୁଠାରୁ ଉଚ୍ଚକଣ୍ଠରେ ଉଚ୍ଚାରିତ ହୋଇଥିବା ଶବ୍ଦଟି ହେଉଛି, ଚୁପ୍।
ଆମେ ମଣିଷମାନେ ଆମର ସାଧାରଣ ଗଳାରେ ଯେଉଁପରି କଥାବାର୍ତ୍ତା କରିଥାଉ ତାହାଠାରୁ ଯଥେଷ୍ଟ ଅଧିକ ଶକ୍ତିର ପ୍ରୟୋଗ କରି ନିଜକୁ ସାବ୍ୟସ୍ତ କରିବା ଲକ୍ଷ୍ୟରେ ଆମେ ଆମର ପ୍ରତିପକ୍ଷର ଉଦ୍ଦେଶ୍ୟରେ କହିଥାଉ, ଚୁପ୍।
ଅବଶ୍ୟ ଅନ୍ୟକୁ ଚୁପ୍ କରିଦେବା ପାଇଁ ଉଚ୍ଚଗଳାର ପ୍ରୟୋଗ ବ୍ୟତିରେକ ଢେର୍ ଢେର୍ କୌଶଳ ଆମର ଆୟତ୍ତରେ ରହିଅଛି। ଅତ୍ୟନ୍ତ ମଧୁର ଆଉ ନିମ୍ନ ଗଳାରେ ଆମେ ଅପରକୁ ଚୁପ୍ କରିଦେଇପାରୁ।
ପ୍ରଶଂସା, ସାର୍ଟିଫିକେଟ୍, ଟୁ ହୁମ୍ ସୋ ଏଭର ଇଟ୍ ମେ କନସର୍ନ।
ମଣିଷ ଶୁଣିଥିବା ପୃଥିବୀର ଏଯାବତ୍ ସବୁଠାରୁ ଉଚ୍ଚକିତ ଶବ୍ଦଧ୍ୱନୀଟି ଅସଲରେ କୌଣସି ମଣିଷକୃତ ନଥିଲା। ଏହା ଥିଲା ପ୍ରକୃତିଗତ।
ଅଗଷ୍ଟ ୧୮୮୩।
ଇଣ୍ଡୋନେସିଆର ଲାମ୍ପୁଙ୍ଗ ପ୍ରଦେଶର ଜାଭା ଆଉ ସୁମାତ୍ରା ଦ୍ୱୀପର ମଝିରେ ଥିବା ସୁନ୍ଦା ପ୍ରଣାଳୀରେ ଅବସ୍ଥିତ ଆଗ୍ନେୟ ଦ୍ୱୀପ ସମୂହର ଗୋଟିଏ ଅଂଶ ବିଶେଷ, ନାଆଁ କ୍ରାକାତୋଆ, କ୍ରାକାତାଉ ବୋଲି ଲେଖାଯାଏ।
କ୍ରାକାତୋଆ ଆଗ୍ନେୟ ଦ୍ୱୀପରୁ ୨୭ ଅଗଷ୍ଟ ୧୮୮୩ ସୋମବାର ଦିନ ଦିପହରରେ ଯେଉଁ ଆଗ୍ନେୟ ଉଦଗୀରଣ ଘଟିଥିଲା ବୈଜ୍ଞାନିକ ହିସାବରେ ତାହାର ପରିମାପର ଆକଳନ କରାଯାଇଛି ୩୧୦ ଡେସିବେଲ୍। ମଣିଷ କ୍ଷେତ୍ରରେ କୌଣସି ଶବ୍ଦଧ୍ୱନୀର ପରିମାଣ ଯଦି ୧୨୫ ଡେସିବେଲ୍ ର ପାଖାପାଖି ହୋଇଥାଏ ତେବେ ତାହା ମଣିଷ ପାଇଁ ଯଥେଷ୍ଟ ଯାତନା ପ୍ରଦାୟକ ହୋଇଥାଏ ଏବଂ ଏହା ୧୪୦ ଡେସିବେଲ୍ ରୁ ଅଧିକ ହେଲେ ମଣିଷର ଶ୍ରବଣଶକ୍ତିର ଭଲ ନହେବାପରି କ୍ଷତି ଘଟାଇଥାଏ ।
କ୍ରାକାତୋଆର ସେଦିନର ଉଦଗୀରଣ ଫଳରେ ପ୍ରାୟତଃ ତିରିଶ ହଜାର ଲୋକଙ୍କର ପ୍ରାଣହାନି ହୋଇଥିଲା ଏବଂ ଏଇ ଘଟଣାସ୍ଥଳ ଠାରୁ ଚଉଷଠି କିଲୋମିଟର ଦୂରରେ ଥିବା ଆରଏମଏସ୍ ନରହାମ କାସଲ୍ ନାମକ ଜାହାଜରେ ଥିବା ସମସ୍ତ ନାବିକମାନଙ୍କର ଶ୍ରବଣେନ୍ଦ୍ରୀୟରେ ପ୍ରଭୂତ କ୍ଷତି ହୋଇଥିଲା। ଏହି ଆଗ୍ନେୟ ଉଦଗୀରଣର ଶବ୍ଦ ପ୍ରାୟତଃ ୪୮୦୦ କିଲୋମିଟର ଦୂରକୁ ଶୁଭିଥିଲା ଏବଂ ଏହି ଶବ୍ଦଧ୍ୱନୀ ସମଗ୍ର ପୃଥିବୀରେ ଚାରିଥର ପ୍ରତିଧ୍ୱନୀତ ହୋଇଥିଲା।
କ୍ରାକାତୋଆର ଆଗ୍ନେୟ ଉଦଗୀରଣ ପୃଥିବୀର ପରିମାପ କରାଯାଇଥିବା ସବୁଠାରୁ ଉଚ୍ଚକିତ ଶବ୍ଦଧ୍ୱନୀ।
ଏବେ ଆମେ ଆମର ଉଚ୍ଚଗଳାରେ ପ୍ରାୟତଃ କୁହାଯାଉଥିବା “ଚୁପ୍” ଶବ୍ଦଧ୍ୱନୀକୁ ଫେରିବା।
ଗୋଟିଏ ପରିମାପ କରାଯାଇଥିବା ଶବ୍ଦଧ୍ୱନୀର ଆଧାରରେ ଏକଦା “ଚୁପ୍” କୁ ଯେଉଁ ଭଳି ଉଚ୍ଚଗଳାରେ ଉଚ୍ଚାରଣ କରାଯାଇଥିଲା ତାହାର ପରିମାଣ ଥିଲା ୧୨୧.୭ ଡେସିବଲ୍।
ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ୧୯୯୪ ଠାରୁ ଚୁପ୍ କୁ ଅଧିକ ଉଚ୍ଚଗଳାରେ କହିପାରିବାର ଏଇ ବିରଳ ରେକର୍ଡଟିର ଯିଏ ଅଧିକାରୀ ସେ ବସ୍ତୁତଃ କୌଣସି ସମ୍ପନ୍ନ କ୍ଷମତାଧର ନୁହଁନ୍ତି।
ଚୁପ୍ କୁ ସେମିତି ଉଚ୍ଚଗଳାରେ କହିଥିବା ଆଉ ସେଇ ବିରଳ ରେକର୍ଡର ଶିରୋପା ଯାହାର ସେ ଅସଲରେ ଅଧିକାରୀ ନୁହଁନ୍ତି, ଜଣେ ଅଧିକାରିଣୀ।
ଅବଶ୍ୟ ଏକଥା କହିବା ବାହୁଲ୍ୟ ଯେ ପ୍ରାୟତଃ ଅନେକ ସମୟରେ ଅପରପକ୍ଷକୁ ଚୁପ୍ ବୋଲି କହିବା ତାଙ୍କର ଏକ ପ୍ରକାର ଅଭ୍ୟାସଗତ ଥିଲା।
ସେ ଜଣେ ଆଇରିସ୍ ଅର୍ଥାତ୍ ଆୟାରଲାଣ୍ଡର ଅଧିବାସୀ।
ତାଙ୍କର ନାଆଁ ଆନାଲିସା ରେ।
ସେ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷିକା ।