ଶେଷ ଦୃଶ୍ୟ (ଭାଗ -୭)

।। ୭ ।।

‘କନିଷ୍କ ନିବାସ’ରେ ସକାଳର ଦୃଶ୍ୟ କୋଳାହଳମୟ ହେବା ସ୍ୱଭାବିକ । କାରଣ ଏଇଠି ହିଁ ତିଆରି ହୁଏ ରାଜ୍ୟ ଶାସନର ବ୍ଲୁପ୍ରିଂଟ୍ । ଏହା ‘ମାଛ’ ଦଳର ମୁଖିଆ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକଙ୍କ ବାସଭବନ । ଏଇଠି ଅଙ୍କା ହୁଏ ଓଡିଶାର ନୂଆ ମାନଚିତ୍ର । ଚେସ୍‌ବୋର୍ଡର ଗୋଟି ଗୁଡିକୁ କନିଷ୍କ ସାହେବ ବାମହାତରେ ଚାଳନା କରନ୍ତି । ଖୁବ୍ ଖାମଖିଆଲ ଢଙ୍ଗରେ, ଗୋଟିଏ ପରେ ଗୋଟିଏ ବିଦେଶୀ ପେଗ୍‌ର ରଙ୍ଗ ସହ ତାଳଦେଇ । ସେ ନିରବତାକୁ ଭଲ ପାଆନ୍ତି । ନିରବ ରହୁଥିବା ଲୋକକୁ ହାତୀ, ଘୋଡା, ଟିକଟ, ରାଜ୍ୟସଭା, ଲୋକସଭା, ମନ୍ତ୍ରିପଦ, ବିଧାନସଭା, ସବୁକିଛି ଦେଇଦିଅନ୍ତି ବାମହାତରେ । ଆଉ କୋଳାହଳକୁ ସସ୍‌ପେଣ୍ଡ ନହେଲେ ବହିଷ୍କାର କରିଦିଅନ୍ତି । ସେ ନିରବରେ ରହି ବିରୋଧୀ ଦଳର ବେକ ମୋଡି ଦିଅନ୍ତି । ବର୍ଷ ବର୍ଷ ଧରି କୋଳାହର କରୁଥିବା ଲୋକକୁ ସେ କୌଣସି ଉତ୍ତର ଫେରେଇବାକୁ ବାଧ୍ୟ ନୁହଁନ୍ତି । ଏଇ ସେଇ କନିଷ୍କ ପଟ୍ଟନାୟକ ।

‘କନିଷ୍କ ନିବାସ’ରେ ପ୍ରତିଦିନ ସକାଳର ଦୃଶ୍ୟଟି ଏହିପରି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହଯୋଗୀ ସରୋଜ, ଯିଏକି ଏ ନିବାସର ହର୍ତ୍ତା କର୍ତ୍ତା ଦଇବ ବିଧାତା ବୋଲି କହିବାକୁ ହେବ, ଯିଏକି ବୋଧହୁଏ ବେଶୀ ପାଠ ପଢିନାହିଁ ବୋଲି ଚର୍ଚ୍ଚା ହୁଏ, କିନ୍ତୁ ବହୁ ପାଠୁଆଙ୍କର ଯିଏ ଦୈନିକ ଡ୍ୟାସ୍ ଫଟାଏ, ସେ ମହାଶୟ ସକାଳୁ ସକାଳୁ ଗାଧୋଇ ପାଧୋଇ, ଓଦା ଗାମୁଛାକୁ ଟାଇଟ୍ କଛା ମାରି, ମନେମନେ ଓଁ ଭୁର୍ଭୁବସ୍ୟ ବୋଲି ବୋଲି, ନିବାସ ସାରା ବୁଲି ବୁଲି ଏକ ପ୍ରଜାପତି ପରି ରଙ୍ଗବେରଙ୍ଗ ଫୁଲ ତୋଳନ୍ତି । କନିଷ୍କ ନିବାସକୁ ଯାଆଆସ କରୁଥିବା କୁଜି ନେତାଏ କହନ୍ତି, ସେତେବେଳେ କାଳେ ସରୋଜ ମହାଶୟ ଦେବଦାସୀଟିଏ ପରି ଦିଶନ୍ତି ଓ ସେହିପରି ଆଚରଣ କରନ୍ତି । ସେ ଉଭୟ ସେବା ଓ ମନରେ କନିଷ୍କ ସାହେବଙ୍କ ପ୍ରତି ସମର୍ପିତ ।

କନିଷ୍କ ନିବାସରେ ଆଜି ଜରୁରି ବୈଠକ । ଶାସକ ଦଳର ଓଜନିଆ ନେତା ପହଂଚି ଗଲେଣି । ବୈଠକ ଘରେ ଏକାଠି ବସି ଗପରେ ମାତିଲେଣି । କେତେକ ନେତାଏ ଫୁଲ ତୋଳୁଥିବା ସରୋଜ ବାବୁଙ୍କୁ ମୁଣ୍ଡିଆ ମାରିବାକୁ ତାଙ୍କ ପଛେ ପଛେ ଗୋଡାଇବାରେ ବ୍ୟସ୍ତ । ମୁଖ୍ୟମନ୍ତ୍ରୀ ଏବେବି ଶୋଇଛନ୍ତି । ତାଙ୍କ ଦେହରେ କାଳେ ବିଦେଶୀ ପାନୀୟ ଔଷଧ ପରି କାମ କରେ ।

– ‘ଦିନାଭାଇଟା ଚାରିପାଞ୍ଜିରୁ ଗଲା । ଜନାକାରିରେ ଫସିଲେ ତ ମଲଅଅଆଉ । ବୋହୂଟାକୁ ଆଇତି କରିକି ରଖିପାରିଲା ନାହିଁ ! ସେଟା କାଳେ ସିଜିନ୍‌ଡ ପଲିଟିସିଆନ୍ !’

ମୋବାଇଲ୍‌ରେ ମେସେଜ୍ ଚେକ୍ କରୁ କରୁ କହିଲେ ଯୁବମନ୍ତ୍ରୀ ବରୁଣ ସାହୁ । ଯିଏକି ନିଜ କଲେଜ ସମୟରେ ଅନେକ ଜନାକାରୀ କେଶ୍‌ରେ ପଡି ମାଡ ଖାଇଚନ୍ତି । କିନ୍ତୁ ରାଜ୍ୟବାସୀ ତାଙ୍କର ସେ ସବୁ ରଙ୍ଗୀନ ଦିନଗୁଡିକ ସଂପର୍କରେ ବିଶେଷ କିଛି ଜାଣନ୍ତି ନାହିଁ । ତାଙ୍କ ସଂପର୍କରେ ହେଉଥିବା ଚର୍ଚ୍ଚା କେବଳ ଖଳ ଲୋକଙ୍କ କାମ ବୋଲି ସେ ମଝିରେ ମଝିରେ ହସି ହସି ପ୍ରତିକ୍ରିୟା ଦିଅନ୍ତି । ସାମ୍ବାଦିକ ବନ୍ଧୁମାନେ ତାଙ୍କ କପୋର୍ଟ ନେଇ କହନ୍ତି, ଯାହା କରୁଛ କର, ପ୍ରପର୍ଲି ମ୍ୟାନେଜ୍ କରିପାରିବେ ତମେ ସଫାସୁତରା ହେଇ ବୁଲିଲ । କେହି ହାତ ମାରିପାରିବେ ନାହିଁ । ଯଦି ମ୍ୟାନେଜ୍ କରିବାର ତାକତ ନାହିଁ ତେବେ କାହାଠେଇଁ ହାତ ମାରନା । ପ୍ଲିଜ୍ ।

– ‘ସେ ସବୁ ତ ଠିକ୍ ଅଛି, ଏବେ କୁହନ୍ତୁ, ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ଏବେ କେଉଁଠି ?’

କୌତୁହଳ ବଶତଃ ସମସ୍ତଙ୍କ ଉଦ୍ଦେଶ୍ୟରେ ପଚାରିଲେ ଅନ୍ୟତମ ଯୁବମନ୍ତ୍ରୀ ସୁତନୁ ନାୟକ । ଲୋକେ କହନ୍ତି, ସୁତନୁ ବାବୁ ସାମ୍ବାଦିକତାରୁ ରାଜନୀତିକୁ ଆସିଛନ୍ତି ଓ ମନ୍ତ୍ରୀ ହେଇଚନ୍ତି । ପ୍ରଶ୍ନ ପଚାରିବା ତାଙ୍କର ଅସ୍ତିମଜ୍ଜାଗତ । କିନ୍ତୁ ଅନେକ ସମୟରେ କାଳେ ସେ ଉତ୍ତରଟି ଜାଣିଥିଲେ ସୁଦ୍ଧା ପ୍ରଶ୍ନଟି ଏମିତି ବାଗରେ ପଚାରନ୍ତି, ସାମ୍ନାରେ ଥିବା ଲୋକଟି ଭାବିବ, ଆହାଃ ମନ୍ତ୍ରୀ କେଡେ ସରଳ ଲୋକ, ଆତ୍ମବଢେଇ ବୋଲି କିଛି ନାହିଁ, ଜାଣି ନାହାଁନ୍ତି ତ ବିନା ଲାଜସରମରେ ସମସ୍ତଙ୍କ ଆଗରେ ପଚାରିଦେଲେ । ଆହାଃ ! କିନ୍ତୁ ସାଆରେ ଆମର ଜାଣି ଚତୁରା ।

– ‘ଶୁଣା ଯାଉଛି ଦିନାଭାଇ ଗିରଫଦାରି ଭୟରେ ରାଜ୍ୟ ଛାଡି ଦେଇଛି ।’

କହିଲେ ଅନ୍ୟତମ କ୍ୟାବିନେଟ୍ ମନ୍ତ୍ରୀ ଦେବୀ ପରିଜା ।

– ‘ବୋଇଲା, ଦୁର୍ଜନ ସଙ୍ଗେ କଲେ ବାସ ନିଶ୍ଚେ ଘଟିବ ସର୍ବନାଶ ।’

ବହୁ ସମୟ ଧରି ଚୁପ୍‌ଚାପ୍ ବସିଥିବା ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ କାମଧର ରାଉତ, ଯିଏକି ଢଗଢମାଳି ପାଇଁ ସାରା ଓଡିଶା ରାଜନୀତିରେ ପ୍ରସିଦ୍ଧ, ଯିଏକି ଅନେକ ସମୟରେ ଟିଭି କ୍ୟାମେରା ଆଗରେ ଗୁମର କଥାଟି ବୁଲେଇ ବଙ୍କେଇ ପ୍ରକାଶ କରିବାରେ ମାହିର, ଯାହାର ରାଜ୍ୟ ରାଜନୀତିର ଅଧେରୁ ଅଧିକ ନେତାଙ୍କ ସହ ଡାଏଲଗ୍‌ରେ କଳି ହୁଏ, ସେଇ କାମଧର ବାବୁ ଗୋଟେ ଢଗ ଛାଡିଲେ । ବାବୁ ସିଜିନ୍‌ଡ ପଲିଟିସିଆନ୍ । ଓଡିଶା ରାଜନୀତିରେ କ’ଣ ହେବାକୁ ଯାଉଛି ସେ ଛଅମାସ ଆଗରୁ କହିଦେଇ ପାରନ୍ତି ।

ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କୁ ନେଇ ଦଳରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ଉପରେ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ଜରୁରି ବୈଠକ ଡାକିଛନ୍ତି । ଆଉ ପନ୍ଦର ମିନିଟ୍ ପରେ ବୈଠକ । ପୋଲିସ୍ ପାଖରେ ବୋହୂ ତରଫରୁ ଯୌତୁକ ନିର୍ଯାତନା କେଶ୍ ଦାଏର ହେବାପରେ ବି ମନ୍ତ୍ରୀ ଦିନବନ୍ଧୁ ଏ ଯାଏଁ ନିଜ ପଦ ଛାଡି ନାହାଁନ୍ତି । ବିରୋଧୀ ଦଳ ବାଲାଏ ଏଇ ଇସ୍ୟୁକୁ ନେଇ ରାସ୍ତାଘାଟ ଖୋଳିଲେଣି । କିଏ କିଏ କହିଲେଣି, କେଶ୍ ଦେଇଥିବା ମନ୍ତ୍ରୀ ଦିନବନ୍ଧୁଙ୍କ ବୋହୂକୁ ହିଁ ବିରୋଧୀ ବାଲାଏ ଏଥର କ୍ୟାଣ୍ଡିଡେଟ୍ କରିଦେବେ । ସମସ୍ତେ ବିଚଳିତ । ଏମେଲେ ମନ୍ତ୍ରୀମାନେ ବେଶୀ ତମ୍ବିତୋଫାନ କରୁଛନ୍ତି । କାରଣ ସେମାନଙ୍କୁ ହିଁ ଲୋକଙ୍କୁ ଉତ୍ତର ଦେବାକୁ ପଡୁଛି ।

କନିଷ୍କ ନିବାସର ପରଷୁଣି ପିଲାଟି ସମସ୍ତଙ୍କୁ ପରସ୍ତେ ଚା ବାଢିଦେଇ ଗଲାଣି । ସମସ୍ତେ ସୁଡୁକ ସୁଡୁକ କରି ଚା ପିଆରେ ବ୍ୟସ୍ତ । ଏଇ ସମୟରେ ବୃଦ୍ଧ କାମଧର ରାଉତ ଛୋଟିଆ ବାଣଟିଏ ଛାଡିଲେ । କହିଲେ- ‘ଏତେ ଖୋଳତାଡ କିଆଁ ହେଉଛି ଯେ, ସବୁ ମହାପ୍ରଭୁ ନିଜେ କରିଛନ୍ତି । ନିଜେ ଗାଉଚନ୍ତି ନିଜେ ବଜଉଚନ୍ତି । ଆମେ ଖାଲିଟାରେ ଘାସ ଚରିବା କଥା ।’

ତ ସୁତନୁ ନାୟକ କହିଲେ- କାମ ଭାଇ କଥାଟା ଟିକେ ସିଧା କହୁନ । ଏମିତି ଢଗଢମାଳିରେ କହିଲେ ଆମେ କେମିତି ବୁଝିବୁ । ଆମେ ପରା ସାହିତ୍ୟ ସବ୍‌ଜେକ୍ଟରେ ଦୁର୍ବଳ ।

ତ କାମଧର ରାଉତ କଥାଟି ଖୋଲିଦେଲେ । କହିଲେ- ‘ଆରେଃ ବାବୁମାନେ ! ଦିନବନ୍ଧୁର ଚାକିରି ତ ନିଜେ କନିଷ୍କବାବୁ ନେଇଛନ୍ତି । ସେଦିନ ୟାଡେ କ୍ୟାବିନେଟ୍ ମିଟିଂ ଚାଲିଥାଏ, ସେପଟେ ତାଙ୍କ ପାଖକୁ ଫୋନ୍ ଆସିଲା । ସେ ଫୋନ୍ କାହା ପାଖରୁ ଆସିଥିଲା ଜାଣିଚ ?’

– ‘କାହା ପାଖରୁ ?’ ବରୁଣ ସାହୁ କୌତୂହଳରେ ପଚାରିଲେ ।

ତ କାମଧର ରାଉତ କହିଲେ- ‘ସେଇ ଲେଡି ଏସ୍‌ପି ପାଖରୁ ଆସିଥିଲା । ସେ ମାଈପୁଲିସ୍ ପଚାରିଲା, କ୍ୟାବିନେଟ୍ ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ନାଁରେ ତାଙ୍କ ବୋହୂ ଥାନାରେ କେଶ୍ ଦେଲେ । କ’ଣ କରିବି ସାର୍ ? ତ ମହାପ୍ରଭୁ ତୁରନ୍ତ ଅର୍ଡର ଦେଲେ, ଖୋଜି ଖୋଜି ଗିରଫ କର । ସବୁଠାରୁ ହାସ୍ୟାସ୍ପଦ କଥା କ’ଣ ଜାଣକିରେ ବାବୁମାନେ ? ସେତେବେଳେ ନିଜେ ଦିନବନ୍ଧୁ ମହାପ୍ରଭୁ କନିଷ୍କଙ୍କ ସାଇଡ୍‌ରେ ବସିଥିଲେ ଓ ତାଙ୍କ ବିଭାଗର ହିବାସ ପତ୍ର ବଖାଣୁଥିଲେ । ହା ହା ହା ।’

କଥାଟା ଶୁଣି ସମସ୍ତେ ତାଟକା । କି ଖେଳ କିରେ ଭାଇ !!

ଏହି ସମୟରେ ହାତରେ କଫି କପ୍ ଧରି ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକ ବୈଠକ ଘର ଭିତରୁ ପ୍ରବେଶ କଲେ । ସମସ୍ତେ ଠିଆ ହୋଇ ମହାପ୍ରଭୁଙ୍କ ପାଦସ୍ପର୍ଶ କଲେ । କେବଳ ବୃଦ୍ଧମନ୍ତ୍ରୀ କାମଦର ରାଉତ ଉଠିଲେ ନାହିଁ । ଧୀରେ କରି କହିଲେ, ଆଣ୍ଠୁଟା ଧରି ପକେଇଛି ସାର୍ । ଉଠିପାରୁନି ।

‘ଗୁଡ୍ ମର୍ଣ୍ଣି ଗାଏଜ୍ । ହାଓ ୱାଜ୍ ଦି ମର୍ଣ୍ଣିଂ ଟି ?’

ନିଜ ଆସନରେ ବସୁ ବସୁ ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକ ପଚାରିଲେ ତାଙ୍କ କ୍ୟାବିନେଟ୍‌ର ମନ୍ତ୍ରୀମାନଙ୍କୁ । ତ ସମସ୍ତେ ମିଳିତ କଣ୍ଠରେ ଉତ୍ତର ଦେଲେ- ‘ଖୁବ୍ ସୁନ୍ଦର ଖୁବ୍ ସୁନ୍ଦର ସାର୍ ।’

ବୃଦ୍ଧ କାମଦର କହିଲେ- ‘ମୋର ଡାଏବେଟିସ୍‌, ମୁଁ ଚା ପିଇନି ସାର୍ ।’

ମୁଖ୍ୟମନ୍ତ୍ରୀ ହସିହସି କହିଲେ- ‘ବୁଝିଲେ କାମଦର ବାଆବୁ.. ଆପନ ତ ଆମ ଦଲର ଫାଉଣ୍ଡର ମେମ୍ବର.. ଟିକେ ବୁଝିବିଚାରି କାମ କରନ୍ତୁ.. ନହେଲେ ଏ ଦିନାବାନ୍ଦୁ ମୋହାଂଟି ପରି ଅବସ୍ଥା ହେବ ।’

କାମଦର ରାଉତ କେବଳ ମୁଚୁକୁନ୍ଦ ହସଟିଏ ହସିଲେ । ତାଙ୍କ କଳା ମୁଚୁମୁଚୁ ପାନଖିଆ ମୁହଁକୁ କ’ଣ କ’ଣ ଢଗଢମାଳି ସବୁ ଆସିଯାଉଥିଲା । କିନ୍ତୁ ଟିକେ ସମ୍ଭାଳି ଗଲେ । ପାଟି ଖୋଲିଲେ ବିପଦ ।

ତା ପରେ ସମସ୍ତେ କିଛି ସମୟ ଚୁପ୍ ରହିଲେ । କନିଷ୍କ ପଟ୍ଟନାୟକ ତାଙ୍କ କପ୍‌ରୁ ସୁଡୁକ ସୁଡୁକ କରି କଫି ପିଉଥିଲେ ଏବଂ ସକାଳର ଇଂରାଜୀ ଖବରକାଗଜ ଗୁଡିକ ଉପରେ ନଜର ବୁଲାଉଥିଲେ । ସବୁଥିରେ ପ୍ରଥମ ଖବର- ବଡଘର ବଡ ଗୁମର କଥା: କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଥାନାରେ ଏତଲା ଦେଲେ ବୋହୂ ।

ଖବର ଗୁଡିକ ପଢି ଟିକେ ଚିନ୍ତିତ ଦେଖାଗଲେ କନିଷ୍କ ପଟ୍ଟନାୟକ । ତା ପରେ ପଚାରିଲେ- ‘ୟେ ଦିନାବାନ୍ଦୁ ମୋହାନ୍ତି କା କ୍ୟା କିଆଯାଏ ? ହୋୟାର୍ ଇଜ୍ ହି ନାଓଁ ?’

ସମସ୍ତେ ଚୁପ୍ ରହିଲେ । କାରଣ ସମସ୍ତେ ଜାଣିଥିଲେ ଏ ପ୍ରଶ୍ନର ଉତ୍ତର ସେଇ ପ୍ରଶ୍ନକର୍ତ୍ତାଙ୍କ ପାଖରେ ହିଁ ମହଜୁଦ ଅଛି । ଏଠି ଯୋଡାକ ଯାକ କାମ ସେ ହିଁ କରନ୍ତି । ପ୍ରଶ୍ନ ପଚାରନ୍ତି ଓ ଉତ୍ତର ଦିଅନ୍ତି ।

କିନ୍ତୁ ଖଲଖଲିଆ ତୁଣ୍ଡ କାମଧର ରାଉତ ପାଟି ଖୋଲିଲେ । କହିଲେ- ସାର୍ ୟୁ ନୋ ବେଟର୍ । ଦିନବନ୍ଧୁ ବାବୁ ନାଓ ଆଟ୍ କୋଲକାତା ସାର୍ । ହମାରା ପାର୍ଟି କା ଖୁବ୍ ବଦନାମୀ ହୋତା ହେ ସାର୍ । ଆପ୍ କୁଛ୍ କିଜିଏ ।

କାମଧରଙ୍କ କଥା ଶୁଣି ସମସ୍ତେ ତାବଦା । ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକ ସବୁଦିନ ପରି ଆଦୌ ହସିଲେ ନାହିଁ କି ବିବ୍ରତ ହେଲେନାହିଁ । ନିରବରେ ସେ କଫି ପିଉଥିଲେ । କେହି କିଛି କହିବା ଆଗରୁ ବୈଠକ ଘର ଭିତରକୁ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମିଷ୍ଟର ମୁଣ୍ଡିଆନ୍ । ଦକ୍ଷିଣ ଭାରତର ଲୋକ ମୁଣ୍ଡିଆନ୍ ବାବୁ ଓଡିଶା କ୍ୟାଡର ଆଇଏଏସ୍ ଅଫିସର । ତୀକ୍ଷ୍‌ଣ ବୁଦ୍ଧିସଂପନ୍ନ ଏହି ଅଫିସର କାଳେ ରାଜ୍ୟ ରାଜନୀତିର ଅନେକ ବିଲରେ ହଳ ବୁଲାନ୍ତି । ନେତା ମନ୍ତ୍ରୀଙ୍କର ୟାଙ୍କୁ ପ୍ରାଣେ ଭୟ । ଟୋକା ବୁଢା ସମସ୍ତେ ତାଙ୍କୁ ଏମିତି ମୁଣ୍ଡିଆ ମାରନ୍ତି, ଯେମିତି ଶନି ଦେବତା ଆଗରେ ଅଧିଆ ପଡନ୍ତି ମାନସିକଧାରୀ ।

ତ ମୁଣ୍ଡିଆନ୍ ବାବୁଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକ । ମୁଣ୍ଡିଆନ୍ ହାତରେ ଏକ ଟାଇପ୍ କରା କାଗଜ ଧରି ଆସିଥିଲେ । ସର୍ବ ସମ୍ମୁଖରେ ସେ ସେଇଟିକୁ ତାଙ୍କ ଦକ୍ଷିଣୀ ଆକ୍ସେଣ୍ଟ ଇଂରାଜୀରେ ପାଠ କଲେ । ସେଥିରେ ଲେଖାଥିଲା ଗୋଟିଏ ମାତ୍ର ଧାଡି ।

– ‘ଦିନବନ୍ଧୁ ମହାନ୍ତି ଡିସ୍‌ମିସ୍‌ଡ ଫ୍ରମ୍ ମାଛ ପାର୍ଟି ଆଣ୍ଡ ଷ୍ଟେଟ୍ କ୍ୟାବିନେଟ୍ ।’

ଏହାପରେ କନିଷ୍କ ନିବାସରେ ଜରୁରିକାଳୀନ ଦଳୀୟ ବୈଠକ ଶେଷ ହେଲା । ମାତ୍ର କିଛି ସମୟ ପରେ ରାଜ୍ୟର ସମସ୍ତ ନ୍ୟୁଜ୍ ଚ୍ୟାନେଲ୍‌ରେ ଖବର ଝଲସି ଉଠିଲା- କ୍ୟାବିନେଟ୍ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ଦଳରୁ ବହିଷ୍କୃତ । ମନ୍ତ୍ରିପଦବି ଗଲା ।

କ୍ରମଶଃ.. .. ..