ହସ୍ତାକ୍ଷର ଯାହାର ପବନରେ ନଳଘାସ ପରି ଦୋହଲୁଥାଏ, ସେପରି ମଣିଷଠାରୁ ସାବଧାନ ରୁହ

ମୂଳ ଇଂରାଜୀ : ଆନ୍ କାର୍ସନ୍ ।। ଓଡ଼ିଆ ଅନୁବାଦ : ରମାକାନ୍ତ ସାମନ୍ତରାୟ

ଏହା ହେଉଛି ହାତ ଓ ହସ୍ତାକ୍ଷର ସମ୍ପର୍କରେ ଏକ ପ୍ରବନ୍ଧ। ମୁଁ ଚିନ୍ତାମାନଙ୍କୁ ବିଭିନ୍ନ ଆକୃତିରେ ସଜାଇବାର ଏକ ମାଧ୍ୟମ ଭାବରେ ହସ୍ତାକ୍ଷରକୁ ଗ୍ରହଣ କରେ । ଆକୃତି ମୋତେ ଭଲ ଲାଗନ୍ତି । ସେଗୁଡ଼ିକୁ ସୁବ୍ୟବସ୍ଥିତ କରିବାକୁ ବି ମୋତେ ଭଲ ଲାଗେ । କିନ୍ତୁ ଆଜିକାଲି ମୋ ମସ୍ତିଷ୍କରେ ଘଟିଥିବା କେତେକ ସ୍ନାୟବିକ ଗଡ଼ବଡି ଯୋଗୁଁ ମୁଁ ଦେଖୁଛି ଯେ, ଆକୃତିଗୁଡ଼ିକ ମୋ ହାତରେ ଭାଙ୍ଗିରୁଜି ଯାଉଛନ୍ତି। ରୂପ ଓ ଗଠନ ପ୍ରତି ମୋର ଯେଉଁ ଦାୟିତ୍ୱବୋଧ ରହିଛି, ତାହାକୁ ମୁଁ ଆଉ ପୂର୍ବପରି ସୁନ୍ଦର ଓ ସହଜ ଭାବରେ ନିର୍ବାହ କରିପାରୁନାହିଁ। ତଥାପି, ଏହି ଆଶାରେ ନିମ୍ନଲିଖିତ ଲେଖାଟି ଆପଣଙ୍କ ସମ୍ମୁଖରେ ରଖୁଛି ଯେ, ଏହା ଆପଣଙ୍କୁ ଅବ୍ୟବସ୍ଥିତ କିମ୍ବା ବିଷାଦପୂର୍ଣ୍ଣ ମନେହେବ ନାହିଁ।

ପ୍ରଥମରୁ ହିଁ ବିଷାଦକୁ ଏଡ଼ାଇବା ପାଇଁ, ଆଉ ପ୍ରାରମ୍ଭର ଏକ ବିଶେଷ ଗୁରୁତ୍ୱ ଥିବାରୁ, ମୁଁ ପ୍ରଥମେ ରୋମୀୟ କବି କାଟୁଲସ୍ଙ୍କ ଗୋଟିଏ କବିତାରୁ ଆରମ୍ଭ କରିବି। କାଟୁଲସ୍ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ବାସ କରୁଥିଲେ ଏବଂ ମାତ୍ର ତିରିଶ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ରୋମୀୟ ଗୀତିକବିତାର ପରମ୍ପରାର ଆରମ୍ଭ ମଧ୍ୟ ତାଙ୍କଠାରୁ ହୋଇଥିଲା। ନିମ୍ନଲିଖିତ କବିତାଟି ହେଉଛି ତାଙ୍କର ୪୬ତମ କବିତା । ଏ କବିତାରେ ବସନ୍ତର ଆଗମନକୁ ଆବାହନ କରାଯାଇଛି:

Now spring unlocks!
Now the equinox stops its blue rages quiet
as pages.
I tell you, Catullus, leave Troy, leave the ground burning, they did.
Look we will change everything, all the meanings,
all the clear cities of Asia you and me.
Now the mind, isn’t she an avid previous hobo?
Now the feet grow leaves so glad to see whose green baits
awaits.
Oh sweet don’t go
back the same way, go a new way.

କାଟୁଲସ୍ ବୋଧହୁଏ ଚିତ୍ରଶିଳ୍ପୀ ସାଇ ଟ୍ୱମ୍ବଲିଙ୍କର ସବୁଠାରୁ ପ୍ରିୟ କବି ଥିଲେ । ଟ୍ୱମ୍ବଲି ନିଜ କାନଭାସ ରେ ବହୁଳ ଭାବରେ ହସ୍ତଲିଖନର ବ୍ୟବହାର କରୁଥିଲେ। ତାଙ୍କର ଏହି ଶୈଳୀ ସମାଲୋଚକମାନଙ୍କୁ ଆଲୋଚନା ପାଇଁ ବେଶ ପ୍ରଚୋଦିତ କରିଥିଲା । ରୋଲାଁ ବାର୍ଥ ମଧ୍ୟ ତାଙ୍କ ପୁସ୍ତକ ଦ ରେସ୍ପନ୍ସିବିଲିଟି ଅଫ୍ ଫର୍ମସ୍ (The Responsibility of Forms)ରେ ଏ ସମ୍ପର୍କରେ ଏକ ପ୍ରବନ୍ଧ ଲେଖିଥିଲେ। ସେହି ପ୍ରବନ୍ଧରେ ସେ ଗୋଟିଏ ପ୍ରଶ୍ନ ପଚାରିଛନ୍ତି, ‘ନିର୍ବୋଧ ହୋଇନଥିବା ରେଖା କିପରି ଟାଣିବା ?’ ଏପରି ଏକ ରେଖା କିପରି ଟାଣିବା, ଯାହା ନିର୍ବୋଧ ନୁହେଁ—ଏହା କ’ଣ ମଣିଷ ଭାବରେ ଆମର ଅନ୍ୟତମ ବଡ଼ ସମସ୍ୟା ନୁହେଁ କି ? ମୁଁ ମୋ ନିଜ ପରିଚୟରେ ଥାଏ, ଅଥବା ମୁଁ ହିଟଲର ହୋଇଥାଏ କିମ୍ବା ୱିଲହେଲ୍ମ ଫନ୍ ହୁମ୍ବୋଲ୍ଟ ହୋଇଥାଏ, ଏହା ମାନବଜୀବନର ଏକ ସମସ୍ୟା।

ଚାଲନ୍ନ୍ତୁ, ଜୀବନରୁ ଆରମ୍ଭ କରିବା ଆପଣଙ୍କ ନିଜ ଜୀବନରୁ ଆରମ୍ଭ କରିବା । ହୁଏତ ଆପଣଙ୍କ ସମ୍ମୁଖରେ ପଡ଼ିରହିଛି—ଏକ ରାସ୍ତା, ଗୋଟିଏ ଫିତା, ଗୋଟିଏ ବିନ୍ଦୁରେ ତିଆରି ରେଖା ଅଥବା ଏକ ମାନଚିତ୍ର । ଧରନ୍ତୁ, ଆପଣଙ୍କୁ ପଚିଶ ବର୍ଷ ବୟସ। ତା’ପରେ ଆପଣ କିଛି ନିଷ୍ପତ୍ତି ନିଅନ୍ତି, ନାନା କାମ କରନ୍ତି, ବିଫଳତାର ସମ୍ମୁଖୀନ ହୁଅନ୍ତି, ସଫଳତା ମଧ୍ୟ ହାସଲ କରନ୍ତି। ଧୀରେ ଧୀରେ ଆପଣ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ହୋଇଉଠନ୍ତି । ହୁଏତ ଜଣେ ବସ ଡ୍ରାଇଭର, ଜଣେ ଅଧ୍ୟାପକ ଅଥବା ଜଣେ ଜଳଦସ୍ୟୁ । ବର୍ଷ ପରେ ବର୍ଷ ବିତିଯାଏ । ହୁଏତ ଆପଣ ପରିବାର ସହିତ ଜୀବନ ବିତାନ୍ତି, ହୁଏତ ଏକାକୀ ଜୀବନ ବିତାନ୍ତି । ହୁଏତ ସୁଖରେ ଥାଆନ୍ତି, ହୁଏତ ନୁହେଁ। ତା’ପରେ ଦିନେ ସକାଳୁ ନିଦ ଭାଙ୍ଗିଲା ବେଳକୁ ଆପଣଙ୍କୁ ସତୁରି ବର୍ଷ ହୋଇସାରିଥାଏ । ଆଗକୁ ଅନେଇଲେ ଆପଣ ଏକ କଳା ଦ୍ୱାର ଦେଖନ୍ତି । ଧୀରେ ଧୀରେ ଆପଣ ଲକ୍ଷ୍ୟ କରନ୍ତି ଯେ, ସେହି କଳା ଦ୍ୱାରଟି ସବୁବେଳେ ସେଇଠି ରହିଛି । ଆପଣ ତାହାକୁ ଚାହାନ୍ତୁ ବା ନ ଚାହାନ୍ତୁ ସେ କିନ୍ତୁ ଦୃଷ୍ଟିର ସୀମାରେ ରହିଛି । ଜୀବନର ଅଧିକାଂଶ ମୁହୂର୍ତ୍ତରେ ତାହାର ଉପସ୍ଥିତି ରହିଛି । ଯେମିତି ପ୍ରତ୍ୟେକ ମୁହୂର୍ତ୍ତ ଏକ ଗ୍ଲାସ୍, ଆଉ ତାହାର ତଳେ ସେହି କଳା ଦ୍ୱାରର କିଛି ଅବଶେଷ ପଟୁ ହୋଇ ଜମିରହିଛି । ଆପଣ ଭାବନ୍ତି, ଅନ୍ୟମାନେ ମଧ୍ୟ କ’ଣ ଏହି ଦ୍ୱାରକୁ ଦେଖିପାରୁଛନ୍ତି? ଆପଣ ସେମାନଙ୍କୁ ପଚାରନ୍ତି । ସେମାନେ କହନ୍ତି, ନା । ଆପଣ ପୁଣି ପଚାରନ୍ତି, କାହିଁକି ? କେହି କିନ୍ତୁ ଆପଣଙ୍କୁ ତାହାର ଉତ୍ତର ଦେଇପାରନ୍ତି ନାହିଁ।

ଏଇ ମାତ୍ର କିଛି ସମୟ ପୂର୍ବରୁ ଆପଣଙ୍କୁ ପଚିଶ ବର୍ଷ ହୋଇଥିଲା । ତା’ପରେ ଆପଣ ନିଜ ଇଚ୍ଛା ଅନୁସାରେ ଜୀବନ ଗଢ଼ିବାରେ ଆଗକୁ ଆଗେଇ ଚାଲିଲେ । ଦିନେ ହଠାତ୍ ପଚିଶ ବର୍ଷ ବୟସରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଜୀବନ ଉପରେ ଆଖି ପକାଇଲା ବେଳକୁ ଦେଖିଲେ, ସେଇଠି ରହିଛି ସେହି ପ୍ରତିକ୍ଷମାଣ କଳା ଦ୍ୱାର । ଯେତେବେଳେ ମୋଠାରେ ପାର୍କିନସନ ରୋଗ ଚିହ୍ନଟ ହେଲା, ସେତେବେଳେ ଏହାର ଯେଉଁ ଲକ୍ଷଣଟି ମୋତେ ବିଶେଷ ଭାବରେ ଲଜ୍ଜିତ ଓ ବିବ୍ରତ କରିଥିଲା, ତାହା ହେଲା ମୋ ହସ୍ତାକ୍ଷର ଖରାପ ହେଇଯିବା । ଆଗରୁ ଖାତାରେ ଲେଖିବାରେ ମୋତେ ଅପାର ଆନନ୍ଦ ମିଳୁଥିଲା । ଆହା ଥାକ ଥାକ ହୋଇ ସଜା ହୋଇ ରହିଥିଲା ସେହି ଖାତାଗୁଡ଼ିକ। ଦିନ ପରେ ଦିନ, ବର୍ଷ ପରେ ବର୍ଷ ମୁଁ ସେଥିରେ ଲେଖି ଚାଲିଥିଲି । ଏବେ କିନ୍ତୁ ଅକ୍ଷରର ସିଧା ଗାରଗୁଡ଼ିକ ବଙ୍କା ହୋଇଯାଉଛି, ଭାଙ୍ଗିଯାଉଛି ଅଥବା ଏଣେତେଣେ ମାଡ଼ିଯାଉଛି । ସ୍ୱରବର୍ଣ୍ଣଗୁଡ଼ିକ ସଙ୍କୁଡି ଯାଇ ଅସ୍ପଷ୍ଟ କାଳିଛିଟା ପରି ଦିଶୁଛନ୍ତି। ଅକ୍ଷରଗୁଡ଼ିକର ସୁନ୍ଦର, ସାବଲୀଳ ତେରଛା ଢଙ୍ଗ ଆଉ ନାହିଁ । ଦେଖିବାକୁ ଭାରି ଲାଜ ଲାଗୁଛି । ଅଥବା ବାର୍ଥଙ୍କ ଭାଷାରେ କହିଲେ, ନିର୍ବୋଧ । ଲାଜରେ ମୁଁ ପୂରା ପୂରା ଅନୁଚ୍ଛେଦକୁ କାଟି ଲିଭାଇ ଦେଉଛି । ଖରାପ ହସ୍ତାକ୍ଷର ପାଇଁ ଅନୁଭବ ହେଉଥିବା ଲାଜକୁ ବର୍ଣ୍ଣନା କରିବା ବା ବୁଝାଇବା ଭାରି କଷ୍ଟକର ।
ଖରାପ ହସ୍ତାକ୍ଷର ଅସୁନ୍ଦର । ତାହା ଦେଖିବାକୁ ଏକପ୍ରକାର ନିର୍ବୋଧ ପରି ଲାଗେ । ମୁଁ କହିବାକୁ ଯାଉଥିଲି ଯେ, ଏହା ମୋତେ ଅକୃତ୍ରିମ ମନେହୁଏ ନାହିଁ । କିନ୍ତୁ ତା’ପରେ ମୁଁ ଅନୁଭବ କଲି ଯେ, ପ୍ରକୃତରେ ଏହାର ଠିକ୍ ବିପରୀତଟି ସତ । ମୋର ଏହି ଅସୁନ୍ଦର, ବିଶୃଙ୍ଖଳିତ ହସ୍ତାକ୍ଷର ତାହାର ଖରାପପଣ ଭିତରେ ମୋ ସମ୍ପର୍କରେ ଏପରି କିଛିକୁ ଦେଖାଇଦେଉଛି, ଯାହାକୁ ମୁଁ ନିଜେ ଦେଖିବାକୁ ଚାହେଁ ନାହିଁ । ଜେରାର୍ଡ ମ୍ୟାନ୍ଲି ହପ୍କିନ୍ସ ଯାହାକୁ ‘ଇନ୍ସ୍କେପ୍’ (inscape) ବୋଲି କହିଛନ୍ତି, ମୋ ହସ୍ତାକ୍ଷର ତାହାକୁ ବାହାରକୁ ପ୍ରକାଶ କରିଦେଉଛି।


କନ୍ଫୁସିୟସ୍ କହିଥିଲେ, ‘ଯେଉଁ ମଣିଷର ହସ୍ତାକ୍ଷର ପବନରେ ଦୋହଲୁଥିବା ନଳଘାସ ପରି ଏପଟସେପଟ ହୁଏ, ତାହାଠାରୁ ସାବଧାନ ରୁହ।’


ଆପଣ ନିଶ୍ଚୟ ଜାଣିଥିବେ, ଗ୍ରାଫୋଲୋଜି (Graphology) ହେଉଛି ହସ୍ତାକ୍ଷରକୁ ଆଧାର କରି ବ୍ୟକ୍ତିର ଚରିତ୍ର ବିଶ୍ଳେଷଣ କରିବାର ଏକ ପାଠ । ହସ୍ତାକ୍ଷର ଯେ ଚରିତ୍ର ବିଶ୍ଳେଷଣ ପାଇଁ ଏକ ଭଲ ସୂତ୍ର ନୁହେଁ, ତାହା ବିଶ୍ୱାସ କରିବା କଷ୍ଟକର। ଯଦି ମୋ ହସ୍ତାକ୍ଷର ଡାହାଣକୁ ଢଳି ରହିଥାଏ, ତେବେ ମୁଁ ଏପରି ଜଣେ ମଣିଷ , ଯାହା ଉପରେ ନିଜ ବାପାର ଗଭୀର ପ୍ରଭାବ ରହିଛି। ଯଦି ମୋର କାମକୁ ପକାଇ ରଖିବାର ଅଭ୍ୟାସ ଥାଏ, ତେବେ ମୁଁ ଇଂରାଜୀ ‘i’ ଅକ୍ଷରର ବିନ୍ଦୁଟିକୁ ବାମପଟେ ଦିଏ । ଆଉ ଯଦି ମୁଁ ହିଟଲର ହୋଇଥାଏ, ତେବେ ମୋ ହସ୍ତାକ୍ଷର ଅତ୍ୟନ୍ତ ସାନ ହୋଇଥାଏ ଏବଂ ‘i’ ଅକ୍ଷର ଉପରେ ବିନ୍ଦୁ ବଦଳରେ ଏକ ତେରଛା ଗାର ଟାଣିଥାଏ । ଏଠାରେ ହାତ ସମ୍ପର୍କରେ ଆଉ ଏକ କୌତୂହଳପ୍ରଦ ତଥ୍ୟ ରହିଛି । ଯେତେବେଳେ ବେକଠାରୁ ତଳକୁ ସମ୍ପୂର୍ଣ୍ଣ ପକ୍ଷାଘାତଗ୍ରସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ପାଟି ସାହାଯ୍ୟରେ ଲେଖିବା ପାଇଁ ଏକ ଉପକରଣ ଦିଆଯାଏ, ସେତେବେଳେ ସେ ପକ୍ଷାଘାତ ହେବା ପୂର୍ବରୁ ଯେଉଁ ଶୈଳୀରେ ଲେଖୁଥିଲେ, ଠିକ୍ ସେହି ହସ୍ତାକ୍ଷର ଶୈଳୀକୁ ପୁଣି ଫୁଟାଇପାରନ୍ତି । ଆପଣଙ୍କ ହସ୍ତାକ୍ଷର ହିଁ ଆପଣଙ୍କ ମସ୍ତିଷ୍କ, ଆଉ ଆପଣଙ୍କ ମସ୍ତିଷ୍କ ହିଁ ଆପଣ।

କିନ୍ତୁ ପାର୍କିନ୍ସନ୍ ରୋଗ ଏସବୁକୁ ବିଗାଡ଼ିଦିଏ । ଏହା ମସ୍ତିଷ୍କର କୋଷଗୁଡ଼ିକରେ ଥିବା କେତେକ ନିର୍ଦ୍ଦିଷ୍ଟ ଜିନ୍ ର କାର୍ଯ୍ୟକୁ ବନ୍ଦ କରିଦିଏ । କାହିଁକି ଏପରି ହୁଏ, ତାହା କେହି ଜାଣନ୍ତି ନାହିଁ । ଫଳରେ ମସ୍ତିଷ୍କରେ ଡୋପାମିନ୍ ନାମକ ଏକ ରାସାୟନିକ ପଦାର୍ଥର ମାତ୍ରା ହ୍ରାସ ପାଏ ଏବଂ ଅସ୍ୱାଭାବିକ ବୈଦ୍ୟୁତିକ ଲୟ ସୃଷ୍ଟି ହୁଏ । ଦାନ୍ତ ଘଷିବା କିମ୍ବା ହାତରେ ଲେଖିବା ପରି ଅନେକ ଶାରୀରିକ କ୍ରିୟା ବାଧାପ୍ରାପ୍ତ ହୁଏ ଅଥବା ବିକୃତ ହୋଇଯାଏ। କିନ୍ତୁ ହସ୍ତାକ୍ଷରର ଏହି ଭାଙ୍ଗିଯିବା ପ୍ରକୃତରେ ଜ୍ଞାନାତ୍ମକ କ୍ଷମତାର ଅବକ୍ଷୟ ଆରମ୍ଭ ହେବାର ଏକ ପ୍ରତିଛବି ମାତ୍ର। ଏହି ଅବକ୍ଷୟର କ୍ରମଶଃ ପ୍ରକାଶ ପାଉଥିବା ପ୍ରଭାବଗୁଡ଼ିକ ମଧ୍ୟରେ ରହିବ ବିଶୃଙ୍ଖଳା, ଧାରାବାହିକତାର ଅଭାବ, ବିସ୍ମୃତି, ଶୂନ୍ୟସ୍ଥାନ ଓ ଫାଟ, ଗତି ଧୀର ହୋଇଯିବା ଏବଂ ଅଟକିଯିବା ।

ମନୋଚିକିତ୍ସକ ନର୍ମାନ୍ ଡଏଜ୍ ତାଙ୍କ ପୁସ୍ତକ ଦ ବ୍ରେନ୍ ଦ୍ୟାଟ୍ ଚେଞ୍ଜେସ୍ ଇଟ୍ସେଲ୍ଫ (The Brain That Changes Itself)ରେ ଲେଖିଛନ୍ତି:
ଆମ ଶରୀରର ପ୍ରତ୍ୟେକ କୋଷରେ ଆମର ସମସ୍ତ ଜିନ୍ ରହିଥାଏ । କିନ୍ତୁ ସେହି ସମସ୍ତ ଜିନ୍ ସକ୍ରିୟ ନଥାନ୍ତି । ଯେତେବେଳେ କୌଣସି ଜିନ୍ ସକ୍ରିୟ ହୁଏ, ସେତେବେଳେ ତାହା ଏକ ନୂତନ ପ୍ରୋଟିନ୍ ତିଆରି କରେ, ଯାହା କୋଷର ଗଠନ ଓ କାର୍ଯ୍ୟପ୍ରଣାଳୀରେ ପରିବର୍ତ୍ତନ ଆଣେ । ଏହାକୁ ‘ଟ୍ରାନ୍ସକ୍ରିପ୍ସନ୍’ ପ୍ରକ୍ରିୟା କୁହାଯାଏ । କାରଣ, ଯେତେବେଳେ କୌଣସି ଜିନ୍ ସକ୍ରିୟ ହୁଏ, ସେତେବେଳେ ଏହି ପ୍ରୋଟିନଗୁଡିକ କିପରି ତିଆରି ହେବ, ସେ ସମ୍ପର୍କିତ ସୂଚନା ସେହି ନିର୍ଦ୍ଦିଷ୍ଟ ଜିନ୍ ରୁ ‘ପ୍ରତିଲିପି’ କରାଯାଏ ବା ପଢ଼ାଯାଏ।

ଏଥିରୁ ମୁଁ ଯାହା ବୁଝୁଛି, ତାହା ହେଲା ମସ୍ତିଷ୍କର ମଧ୍ୟ ନିଜସ୍ୱ ଏକ ହସ୍ତାକ୍ଷର ରହିଛି, ଯାହା ଏକ ନିର୍ଦ୍ଦିଷ୍ଟ ପ୍ରୋଟିନ୍ ଉପରେ ନିର୍ଭର କରେ । ମୁଁ କଳ୍ପନା କରିପାରୁଛି, ମୋର ଏହି ବିଚରା ମସ୍ତିଷ୍କ ଭଲ ହସ୍ତାକ୍ଷର ପାଇଁ ଆବଶ୍ୟକ ସମସ୍ତ ପ୍ରୋଟିନ୍ ଉଭାନ୍ ହୋଇଯାଇଛି କିମ୍ବା ବିଶୃଙ୍ଖଳିତ ଅବସ୍ଥାରେ ପଡ଼ିଥିବା ଦେଖି କିପରି ହତାଶାରେ ଦୁଇ ହାତ ଟେକିଦେଉଛି ।

ନିର୍ବୋଧ ହୋଇନଥିବା ରେଖାଟିଏ କେମିତି ଟାଣିବା ।

ଯେତେବେଳେ ସମାଲୋଚକମାନେ ବିଥୋଭେନ୍ କିମ୍ବା ବୋଦ୍ଲେୟାର୍ ଙ୍କ ‘ପରିଣତ ବୟସର ଶୈଳୀ’ (late style) ବିଷୟରେ ଆଲୋଚନା କରନ୍ତି, ସେତେବେଳେ ସେମାନେ କ’ଣ ମସ୍ତିଷ୍କକୁ ଆଚ୍ଛନ୍ନ କରି ରଖିଥିବା ଅନୁଭୂତିଗୁଡ଼ିକ ସହିତ କାଗଜ ଉପରେ ଅଙ୍କିତ ଚିହ୍ନଗୁଡ଼ିକୁ ମଧ୍ୟ ବୁଝାଇଥାଆନ୍ତି ? ଅଥବା ସେହି ଚିହ୍ନଗୁଡ଼ିକୁ ମସ୍ତିଷ୍କ ଭିତରେ ଘୁରିବୁଲୁଥିବା ଅତୀତର ଛାୟା ବା ଅଶାନ୍ତ ସ୍ମୃତିଗୁଡ଼ିକର ସୂଚନା ଭାବରେ ସେହି ଚିହ୍ନଗୁଡ଼ିକୁ ଦେଖନ୍ତି ? ଏଠାରେ ଆମେ ଏକ ଭଙ୍ଗୁରତାର କ୍ଷେତ୍ରରେ ପ୍ରବେଶ କରୁଛୁ । ହାତ ଭିତରେ ଆଉ ହାତ। ଜୈବ-ପାଚନ ପ୍ରକ୍ରିୟାର ଗତିଧାରା ଓ ରୂପକାତ୍ମକ ଗତିପଥଗୁଡ଼ିକ ପରସ୍ପର ସହିତ ମିଶିଯାଉଛନ୍ତି। ଏହା କ’ଣ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି? ହଁ, ନିଶ୍ଚୟ କରୁଛି।

ଥିଓଡୋର୍ ଆଡୋର୍ନୋ ତାଙ୍କ ପୁସ୍ତକ ଏସେଜ୍ ଅନ୍ ମ୍ୟୁଜିକ୍ (Essays on Music)ରେ ଲେଖିଥିଲେ, ‘କଳାର ଇତିହାସରେ ଶେଷ ପର୍ଯ୍ୟାୟର କୃତିଗୁଡ଼ିକ ହେଉଛନ୍ତି ବିପର୍ଯ୍ୟୟ।’ ମୁଁ ନିଜକୁ ଏକ ବିପର୍ଯ୍ୟୟ ଭାବରେ ଦେଖିବାକୁ ବିଶେଷ ଆଗ୍ରହୀ ନୁହେଁ। ତେଣୁ ଆସନ୍ତୁ, ପରିଣତ ବୟସର ଶୈଳୀରୁ ଦୃଷ୍ଟି ଫେରାଇ ପ୍ରାରମ୍ଭିକ ଶୈଳୀ ଆଡ଼କୁ ଯିବା ।

ପୃଥିବୀର ପ୍ରାଚୀନତମ ଲିପି ବ୍ୟବସ୍ଥାଗୁଡ଼ିକ ଚାରୋଟି ସ୍ଥାନରେ ସ୍ୱାଧୀନ ଭାବରେ ବିକଶିତ ହୋଇଥିଲା । ନିକଟଵର୍ତ୍ତୀ ପ୍ରାଚ୍ୟଦେଶ , ଇଜିପ୍ଟ, ଚୀନ୍ ଓ ମେକ୍ସିକୋ। ଏହି ସମସ୍ତ ଲିପି ବ୍ୟବସ୍ଥାର ଆରମ୍ଭ ହୋଇଥିଲା ଗଣନା ଓ ହିସାବ କିତାବ ରଖିବାର ମାଧ୍ୟମ ଭାବରେ । ପରବର୍ତ୍ତୀ ସମୟରେ, ଅର୍ଥାତ୍ ହଜାର ହଜାର ବର୍ଷ ପରେ, ମୃତ୍ୟୁ ପରବର୍ତ୍ତୀ ଜୀବନକୁ ନେଇ ମଣିଷର ଚିନ୍ତା ଓ ଆଗ୍ରହ ସାହିତ୍ୟର ବିକାଶ ପାଇଁ ପଥ ପ୍ରସ୍ତୁତ କଲା । ସମାଧିଲେଖ ଓ ଅନ୍ତ୍ୟେଷ୍ଟି ସମ୍ବନ୍ଧୀୟ ଅଭିଲେଖରେ ଲିପିର ବ୍ୟବହାର ଏହାର ମାଧ୍ୟମ ହୋଇଥିଲା । କହିବାକୁ ଗଲେ, ମୃତ୍ୟୁ ଓ ସମ୍ପତ୍ତି ମଣିଷର ଦୁଇଟି ମୌଳିକ ଉଦ୍ବେଗ । କୌଣସି ପୃଷ୍ଠ ଉପରେ ଚିହ୍ନ ଅଙ୍କି ଏହି ଦୁଇ ଉଦବେଗକୁ ନିୟନ୍ତ୍ରଣ କରାଯାଇପାରିବ, ଅଥବା ଅନ୍ତତଃ କିଛି ମାତ୍ରାରେ ଉପସମ କରାଯାଇପାରିବ ବୋଲି ମନେହୋଇଥିଲା । ଏହି ବିଶ୍ୱାସ ହିଁ ପ୍ରଥମ ସୁବ୍ୟବସ୍ଥିତ ଚିହ୍ନ ଅଙ୍କନ ପାଇଁ ପ୍ରେରଣା ଦେଇଥିଲା ।

ଏହି ବିବର୍ତ୍ତନର ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତର ମନସ୍ତତ୍ତ୍ୱ ମୋତେ ବିଶେଷ ଆକର୍ଷିତ କରେ। ତାହା ହେଉଛି ବସ୍ତୁଜଗତରୁ ଶବ୍ଦ ଓ ଚିନ୍ତାର ଜଗତକୁ, ଅର୍ଥାତ୍ ମୃତ୍ୟୁ ସମ୍ପର୍କିତ କବିତାର ଜଗତକୁ ଉତ୍ତରଣର ମୁହୂର୍ତ୍ତ। ଆସନ୍ତୁ, ଆମେ ଖ୍ରୀଷ୍ଟପୂର୍ବ ୩୫୦୦ ବର୍ଷକୁ, ସୁମେରୀୟମାନଙ୍କ ରାଜ୍ୟକୁ ଫେରିଯିବା । ଏହି ଅଞ୍ଚଳଟି ବର୍ତ୍ତମାନର ଇରାକ୍ ରେ ଅବସ୍ଥିତ। ସେଠାରେ ଲୋକମାନେ ଋଣର ହିସାବ ରଖିବା ପାଇଁ ମାଟିରେ ତିଆରି ଛୋଟ ଛୋଟ ଗଣନାଚିହ୍ନ ବା ଟୋକନ୍ ବ୍ୟବହାର କରୁଥିଲେ। ସେଗୁଡ଼ିକୁ ଗଣି ଏକ ମାଟିର ଖୋଳ ଭିତରେ ରଖାଯାଉଥିଲା ।
ଏହି ପ୍ରକ୍ରିୟାକୁ ସରଳ କରିବା ପାଇଁ କେତେକ ହିସାବରକ୍ଷକ ମାଟିର ଖୋଳ ଭିତରେ କେତୋଟି ଟୋକନ୍ ରହିଛି, ତାହାର ସୂଚନା ପାଇଁ ଖୋଳର ବାହାର ପାର୍ଶ୍ୱରେ ଚିହ୍ନ ଅଙ୍କିବା କରିବାକୁ ଆରମ୍ଭ କଲେ। ସ୍ୱାଭାବିକ ଭାବରେ ଧରିନିଆଯାଇପାରେ ଯେ, ଖୋଳ ଭିତରେ ଥିବା ଟୋକନର ସଂଖ୍ୟା ଓ ବାହାରେ ଅଙ୍କିତ ଚିହ୍ନର ସଂଖ୍ୟା ସମାନ ରହିବା କଥା । କିନ୍ତୁ ଯଦି ତାହା ସମାନ ନଥାଏ?
ସେଠାରେ କ’ଣ ଭୁଲ୍ ହେବାର, ଏପରିକି ପ୍ରତାରଣା କରିବାର ସୁଯୋଗ ରହିନଥିବ ? ଯାହାହେଉ, ଯେତେବେଳେ ବାହାରର ଚିହ୍ନ ଭିତରର ବସ୍ତୁ ସହିତ ମେଳ ଖାଏ ନାହିଁ, ସେତେବେଳେ ବୁଝିବାକୁ ହୁଏ ଯେ କେଉଁଠି କିଛି ଗଡ଼ବଡ଼ ହେଉଛି, କିମ୍ବା ଆଗରୁ ହୋଇସାରିଛି ।

ଭିତର ଓ ବାହାର ମଧ୍ୟରେ ଥିବା ସେହି ସୀମାରେଖାଟି ଏତେ ସରଳ ନୁହେଁ । ପ୍ରାଚୀନ ଲିପିର ଉଦ୍ଭବ ସମୟର ଏହି କାଳ୍ପନିକ ମୁହୂର୍ତ୍ତଟିକୁ ନେଇ ମୁଁ ହୁଏତ ଆବଶ୍ୟକତାଠାରୁ ଅଧିକ ଚିନ୍ତା କରୁଛି । କିନ୍ତୁ ମୋତେ ଏହା ଆକର୍ଷଣୀୟ ଲାଗୁଛି ଯେ, ଭିତର ଓ ବାହାର ମଧ୍ୟରେ ଏକ ଦ୍ୱନ୍ଦ୍ୱାତ୍ମକ ସମ୍ପର୍କ ସ୍ଥାପନ କରିବା ଦ୍ୱାରା ଉଭୟର ଗୁଣଧର୍ମ ପରସ୍ପରର ବିପରୀତ ମେରୁରେ ଅବସ୍ଥାପିତ ହୋଇଯାଏ । ଆଉ ଏହି ପାର୍ଥକ୍ୟ ଅତି ସହଜରେ ଠିକ୍ ଓ ଭୁଲ୍, ଭଲ ଓ ମନ୍ଦ ସମ୍ପର୍କିତ ବିଚାର ଆଡ଼କୁ ମୋଡ଼ ନେଇପାରେ।

ତେଣୁ ଆସନ୍ତୁ, ଖରାପ ହସ୍ତାକ୍ଷରର ସମସ୍ୟାକୁ ଆଉ ଟିକିଏ ସୂକ୍ଷ୍ମ ଭାବରେ ବିଚାର କରିବା । ମନେହୁଏ, ଏହି ସମସ୍ୟାର ଦୁଇଟି ସମ୍ଭାବ୍ୟ ସମାଧାନ ରହିଛି:

୧. ହସ୍ତଲିଖନର କଳାକୌଶଳକୁ ଏପରି ଭାବରେ ପରିପୂର୍ଣ୍ଣ କରିବା, ଯେମିତି ହସ୍ତାକ୍ଷର ଆଉ ଖରାପ ହେବନି ।
୨. ହସ୍ତଲିଖନର କଳାକୌଶଳ ପ୍ରତି ଥିବା ଆସକ୍ତି ଓ ଦାବିକୁ ଛାଡି ଦେବା । ଯେମିତି ହସ୍ତାକ୍ଷର ଖରାପ ହେବାର ଆଉ କୌଣସି ଗୁରୁତ୍ୱ ରହିବନି ।

ପ୍ରଥମ ବାଟ , ମାନେ ପରିପୂର୍ଣ୍ଣତାର ବାଟର ଏକ ଉଦାହରଣ ହେଉଛି ଜନ୍ କିଟ୍ସଙ୍କ ହାତଲେଖା ପାଣ୍ଡୁଲିପି । ନିଜର ଏକ କବିତା ସଂକଳନ ପ୍ରକାଶ କରିବା ସମୟରେ କିଟ୍ସ କବିତାଗୁଡ଼ିକୁ ଏତେ ସୁନ୍ଦର, ସାବଲୀଳ ଓ ଆତ୍ମବିଶ୍ୱାସପୂର୍ଣ୍ଣ ହସ୍ତାକ୍ଷରରେ ନକଲ କରି ଲେଖିଥିଲେ ଯେ, ସେହି କବିତାଗୁଡ଼ିକର ରଚନା ପ୍ରକ୍ରିୟାରେ ସେ କେବେବି ସନ୍ଦେହ କିମ୍ବା ନିରାଶାର ସମ୍ମୁଖୀନ ହୋଇଥିବେ ବୋଲି ବିଶ୍ୱାସ କରିବା କଷ୍ଟକର ।

କିଟ୍ସ ଥିଲେ ଜଣେ ରୋମାଣ୍ଟିକ୍ କବି, ଯିଏ ନିଜର ‘ମୁଁ’ ଓ ଆତ୍ମସତ୍ତାକୁ ନେଇ ଗଭୀର ଭାବରେ ଚିନ୍ତିତ ଥିଲେ। ତାଙ୍କର ସୁନ୍ଦର ଭାବରେ ଲିଖିତ ପରିଚ୍ଛନ୍ନ ପାଣ୍ଡୁଲିପିଗୁଡ଼ିକର ଅପୂର୍ବ ସୌନ୍ଦର୍ଯ୍ୟ ତାଙ୍କ ନିଜ ଦୃଷ୍ଟିରେ ଥିବା ଶ୍ରେଷ୍ଠ ଆତ୍ମସତ୍ତାର ଉନ୍ମୋଚନ ପରି ମନେହୁଏ । ଏପରିକି ତାହା ସେହି ଆତ୍ମସତ୍ତାର ଗୋଟିଏ ଉତ୍ସବ ଭାବରେ ଆମେ ଗ୍ରହଣ କରିପାରିବା । ଏବେ ଏହାର ଠିକ୍ ବିପରୀତ ପ୍ରାନ୍ତରେ ଥିବା ଟ୍ୱମ୍ବଲିଙ୍କ କଥା ବିଚାର କରନ୍ତୁ। ୧୯୨୮ ମସିହାରେ ଭର୍ଜିନିଆର ଲେକ୍ସିଙ୍ଗଟନ ରେ ଜନ୍ମଗ୍ରହଣ କରିଥିବା ଟ୍ୱମ୍ବଲିଙ୍କର ନିଜ ‘ମୁଁ’ ଓ ଆତ୍ମସତ୍ତା ସମ୍ପର୍କିତ ଆଧୁନିକତାବାଦୀ ଧାରଣା କିଟ୍ସଙ୍କ ଧାରଣାଠାରୁ ସମ୍ପୂର୍ଣ୍ଣ ଅଲଗା । ସେ ବହି ପଢିବାକୁ ଭଲ ପାଉଥିଲେ ଏବଂ ଅନେକ ସମୟରେ ସାହିତ୍ୟରୁ ପ୍ରେରଣା ଗ୍ରହଣ କରୁଥିଲେ । ତାଙ୍କ ଚିତ୍ରଗୁଡ଼ିକରେ ହାତଲେଖା ଅନେକ ଶବ୍ଦ ଦେଖିବାକୁ ମିଳେ । କିନ୍ତୁ ସେହି ଶବ୍ଦଗୁଡ଼ିକ ଏପରି ଢଙ୍ଗରେ ଅଙ୍କିତ ହୋଇଥାଏ ଯେ, ସେଥିରୁ ଶିଳ୍ପୀଙ୍କ ନିଜସ୍ୱ ସତ୍ତା, ଚରିତ୍ର କିମ୍ବା ଅନ୍ତର୍ନିହିତ ମାନସିକ ଅବସ୍ଥା ସମ୍ପର୍କରେ କୌଣସି ସୂତ୍ର ମିଳେ ନାହିଁ । ଅସଜଡ଼ା, ଏଣେତେଣେ ଗାରିଆ ମାରିଆ ହୋଇଥିବା, ଅପଟୁ, ଅନ୍ୟମନସ୍କ ଓ ସୌନ୍ଦର୍ଯ୍ୟହୀନ ସେହି ହସ୍ତାକ୍ଷର କାହାରି ନୁହେଁ, କିମ୍ବା ସମସ୍ତଙ୍କର । ହୁଏତ ତାହା ପୌରାଣିକ, ଅଥବା ପୂର୍ବରୁ ସେଠାରେ ଲେଖାଯାଇଥିବା କୌଣସି ଶବ୍ଦର ରହିଯାଇଥିବା ଏକ ଦାଗ ଚିହ୍ନ ମାତ୍ର।

ମୁଁ ଆଗରୁ ଭାବୁଥିଲି, ନିଜ ହାତରେ ଲେଖିବା ସମୟରେ ମଣିଷ ନିଜଠାରୁ ମୁକ୍ତ ହୋଇପାରେ ନାହିଁ। ଅଥଚ ଟ୍ୱମ୍ବଲି ତାହା କରିପାରନ୍ତି।
ନିଜ ପ୍ରବନ୍ଧରେ ବାର୍ଥ, ଟ୍ୱମ୍ବଲିଙ୍କ ହସ୍ତାକ୍ଷରକୁ ‘ଇଚ୍ଛା ଓ ଶିଷ୍ଟାଚାର ମଧ୍ୟରେ ଭାସମାନ’ ବୋଲି ବର୍ଣ୍ଣନା କରିଛନ୍ତି। ଅଥବା ତାଓ ତେ ଚିଙ୍ଗ୍ (Tao Te Ching)ରୁ ଉଦ୍ଧୃତ କରି କହିଛନ୍ତି, ଏହା ହେଉଛି ‘କୌଣସି ପ୍ରତ୍ୟାଶା ବିନା କାର୍ଯ୍ୟ କରୁଥିବା ଜଣେ ମଣିଷର ହାତ’।

ନିର୍ବୋଧ ହେଇନଥିବା ଏପରି ଏକ ରେଖା କେମିତି ଟାଣିବା ।

ଆଧୁନିକ ଯୁଗର ଅନ୍ୟ କେତେକ ଶିଳ୍ପୀଙ୍କ ପରି ଟ୍ୱମ୍ବଲି ମଧ୍ୟ ନିଜ ଆତ୍ମସତ୍ତାକୁ ପଛରେ ଛାଡ଼ିଯିବାକୁ, ଅହଂବୋଧର ଚିହ୍ନଗୁଡ଼ିକୁ ଏଡ଼ାଇଯିବାକୁ ଏବଂ ଉପସ୍ଥିତି ଅପେକ୍ଷା ଶୂନ୍ୟତା ଅଧିକ ଆକର୍ଷଣୀୟ ବୋଲି ପ୍ରମାଣିତ କରିବାକୁ ସଂକଳ୍ପବଦ୍ଧ ଥିବା ପରି ମନେହୁଏ । ଟ୍ୱମ୍ବଲିଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ ଜନ୍ କେଜ୍, ଯିଏ ୪′୩୩″ (4’33”) ଏବଂ ଅହଂବୋଧକୁ ଶୂନ୍ୟ କରିଦେବାର ଉଦ୍ଦେଶ୍ୟ ନେଇ ଅନ୍ୟାନ୍ୟ କଳାକୃତି ରଚନା କରିଥିଲେ । କେଜ୍ଙ୍କ ଭାଷାରେ, ‘ଆମର ସ୍ମୃତି ଓ ପସନ୍ଦ ନିକଟରୁ ନିଜକୁ ମୁକ୍ତ କରିବା ପାଇଁ କିଛି ନା କିଛି କରିବାକୁ ହେବ।’ ଏଥିପାଇଁ କେଜ୍ ନିଜ ସୃଜନକର୍ମରେ ଆକସ୍ମିକତା ଉପରେ ଆଧାରିତ ପ୍ରକ୍ରିୟାଗୁଡ଼ିକୁ ସାମିଲ କରିଥିଲେ । ଅନ୍ୟପକ୍ଷରେ ଟ୍ୱମ୍ବଲି ଏପରି ଏକ ହସ୍ତଲିଖନ ଶୈଳୀର ସନ୍ଧାନ ପାଇଥିଲେ, ଯେଉଁଥିରେ କୌଣସି ବ୍ୟକ୍ତିସତ୍ତାର ଉପସ୍ଥିତି ନଥିଲା । ସମାଲୋଚକମାନେ ବେଳେବେଳେ ଟ୍ୱମ୍ବଲିଙ୍କ ରେଖାଗୁଡ଼ିକୁ ‘ଗ୍ରାଫିଟି ସଦୃଶ’ ବୋଲି ବର୍ଣ୍ଣନା କରନ୍ତି। ମୋର ଭାବେନାହିଁ ଯେ, ଏପରି ମନ୍ତବ୍ୟ ଶୁଣିବାକୁ ଟ୍ୱମ୍ବଲି ପସନ୍ଦ କରୁଥିଲେ । ଗ୍ରାଫିଟି ଅନେକ ସମୟରେ ଅସୁନ୍ଦର ହୋଇଥାଏ ଏବଂ ସାଧାରଣତଃ କୌଣସି ନା କୌଣସି ସ୍ତରରେ ତାହାର ଏକ ସକ୍ରିୟ ପ୍ରତିବାଦୀ ଚରିତ୍ର ରହିଥାଏ । ଏହାର ପ୍ରକୃତି ହେଉଛି ‘ଆତ୍ମକୈନ୍ଦ୍ରିକ ମହିମା ’ (the egotistical sublime)—ୱାର୍ଡସ୍ୱର୍ଥଙ୍କ ସମ୍ପର୍କରେ କିଟ୍ସ ଯେଉଁ ଅଭିବ୍ୟକ୍ତି ବ୍ୟବହାର କରିଥିଲେ ।

ଥରେ ମୁଁ ଶିଳ୍ପୀ ଟାସିଟା ଡିନ୍ଙ୍କୁ ଏସବୁ ବିଷୟରେ ଟ୍ୱମ୍ବଲିଙ୍କ ମନୋଭାବ କ’ଣ ଥିଲା ବୋଲି ପଚାରିଥିଲି। ଟ୍ୱମ୍ବଲିଙ୍କ ଉପରେ ୧୬ ଏମ ଏମ ଚଳଚ୍ଚିତ୍ର ଗୋଟେ ନିର୍ମାଣ କରିବା ସମୟରେ ସେ ତାଙ୍କୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇଥିଲେ। ସେ କହିଥିଲେ,
ସାଇଙ୍କ ପାଇଁ ଏହା ସବୁବେଳେ ଏକ ସଂଯୋଗର ଅନୁଭୂତି ଥିଲା ବୋଲି ମୁଁ ବିଶ୍ୱାସ କରିଆସିଛି। ଏହା କିଛିଟା ଓଇଜା ବୋର୍ଡ (Ouija board) ସାହାଯ୍ୟରେ ଅଦୃଶ୍ୟ ଜଗତ ସହିତ ସମ୍ପର୍କ ସ୍ଥାପନ କରୁଥିବା ଜଣେ ମାଧ୍ୟମଙ୍କ ପରି । ସେ ଯେତେବେଳେ ସେହି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ନିମଗ୍ନ ଥାଆନ୍ତି, ସେତେବେଳେ ତାଙ୍କୁ କେହି ବାଧା ଦେଇପାରନ୍ତି ନାହିଁ, ଏପରିକି ସେ ନିଜେ ମଧ୍ୟ ନୁହନ୍ତି । କାରଣ ସାମାନ୍ୟ ବାଧା ଆସିଲେ ସେହି ସଂଯୋଗ କଟିଯାଏ । ସେ ଯେତେବେଳେ ସେହି ମୁହୂର୍ତ୍ତରେ ନିମଗ୍ନ ଥାଆନ୍ତି, ସେତେବେଳେ ସେହି ସାକ୍ଷାତ୍ ର ଅନୁଭୂତି ହିଁ ଚିତ୍ରରେ ପରିଣତ ହୋଇଯାଏ । ଆଉ ସେତେବେଳେ ଅନ୍ୟ କୌଣସି କଥାର ଗୁରୁତ୍ୱ ରହେ ନାହିଁ। ଏହି ‘ମୁହୂର୍ତ୍ତ’ଟିକୁ ବାର୍ଥ, ଟ୍ୱମ୍ବଲିଙ୍କ ହସ୍ତଲିଖନ ମଧ୍ୟରେ ଖୋଜି ପାଆନ୍ତି ।

ବାର୍ଥ , ଟ୍ୱମ୍ବଲିଙ୍କ ରେଖାର ହାଲୁକାପଣ ଓ ସୂକ୍ଷ୍ମତା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଟ୍ୱମ୍ବଲିଙ୍କ ମଧ୍ୟରେ ସେ ଏପରି ଏକ ପ୍ରବୃତ୍ତି ଲକ୍ଷ୍ୟ କରନ୍ତି, ଯାହା ‘ଯାହା ଦୃଶ୍ୟ ହୁଏ ଓ ଅଦୃଶ୍ୟ ହୋଇଯାଏ, ପୁଣି ଗୋଟିଏ ଅବସ୍ଥାରେ ଯୋଡ଼ିଦେବାକୁ ଚାହେଁ । ଜୀବନର ଉଲ୍ଲାସ ଓ ମୃତ୍ୟୁର ଭୟକୁ ପରସ୍ପରଠାରୁ ପୃଥକ୍ କରିବାକୁ ନୁହେଁ, ବରଂ ଉଭୟକୁ ମିଶାଇ ଏକମାତ୍ର ଅନୁଭୂତି ସୃଷ୍ଟି କରିବାକୁ ଚାହେଁ। ତାହା କେବଳ ଇରୋସ୍ ନୁହେଁ, କିମ୍ବା ଥାନାଟୋସ୍ ମଧ୍ୟ ନୁହେଁ, ବରଂ ଜୀବନ-ମୃତ୍ୟୁ—ଗୋଟିଏ ଚିନ୍ତାରେ, ଗୋଟିଏ ଅଙ୍ଗଭଙ୍ଗୀରେ ରୁହେ ।’

ଏଠାରେ ଉଲ୍ଲାସ ସମ୍ପର୍କରେ ଆଉ ଏକ କୌତୂହଳପ୍ରଦ ଘଟଣା ରହିଛି।
କିଛି ବର୍ଷ ପୂର୍ବେ ହ୍ୟୁଷ୍ଟନ୍ରେ ଟ୍ୱମ୍ବଲିଙ୍କର Untitled (Say Goodbye, Catullus, to the Shores of Asia Minor) ନାମକ ଏକ ଚିତ୍ର ପ୍ରଦର୍ଶିତ ହୋଇଥିଲା। ସେହି ପ୍ରଦର୍ଶନୀରେ ଜଣେ ସୁରକ୍ଷାକର୍ମୀ ଦେଖିଲେ ଯେ, ଜଣେ ଫରାସୀ ମହିଳା ସମ୍ପୂର୍ଣ୍ଣ ନଗ୍ନ ଅବସ୍ଥାରେ ଚିତ୍ରଟି ସମ୍ମୁଖରେ ଠିଆ ହୋଇଛନ୍ତି। ପ୍ରଦର୍ଶନୀର ଅତିଥି ମନ୍ତବ୍ୟ ପୁସ୍ତିକାରେ ସେହି ମହିଳା ଲେଖିଥିଲେ, ‘ଏହି ଚିତ୍ରଟି ମୋ ମନରେ ଲଙ୍ଗଳା ହୋଇ ଦୌଡ଼ିବାର ଇଚ୍ଛା ଜଗାଇଦେଉଛି।’ ଏହି ଘଟଣାରେ ଟ୍ୱମ୍ବଲି ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ। ସେ ନ୍ୟୁୟର୍କ ଟାଇମ୍ସକୁ କହିଥିଲେ, ‘ଏହାଠାରୁ ବଳି ଆଉ କିଛି ବଡ କଥା ହୋଇପାରିବ ନାହିଁ!’ ଆସନ୍ତୁ, ଏବେ ଏକ ଆକସ୍ମିକ ସମୋଚ୍ଚାରିତ ଶବ୍ଦ ଏବଂ ଆଉ ଏକ ସଂକ୍ଷିପ୍ତ କାବ୍ୟିକ ବିରାମ ସାହାଯ୍ୟରେ ନିଜ ମନକୁ ଟିକିଏ ପ୍ରଫୁଲ୍ଲ କରିବା।

ମେକ୍ସିକୋରେ ମୋର ଜଣେ ବନ୍ଧୁ ଥିଲେ। ତାଙ୍କ ନାମ ଗିୟେର୍ମୋ। ସେ ଜଣେ ସଙ୍ଗୀତ ରଚୟିତା ଥିଲେ। ମଣିଷମାନଙ୍କର ଦୀର୍ଘଶ୍ୱାସର ଧ୍ୱନିକୁ ନେଇ ସେ ଏକ ସମ୍ପୂର୍ଣ୍ଣ ସିମ୍ଫୋନି ରଚନା କରିବାକୁ ଚାହୁଁଥିଲେ:

Do you hear sighing.
Do you wake amid a sigh.
Radio sighs AM,
FM.
Shortwave sighs crackle in from the Atlantic.
Hot sighs steam in the dawn.
People kissing stop to sigh then kiss again.
Doctors sigh into wounds and the bloodstream is changed for ever.
Flowers sigh and two noon bees float backwards.
Is it doubt.
Is it disappointment.
The world didn’t owe me anything.
Leaves come sighing in the door.
Bits of girl sigh like men.
Forgeries sigh twice.
Balthus sighs and lies about it, claiming it was Byron’s sigh.
A sigh may come too late.
Is it better than screaming.
Give me all your sighs for four or five dollars.
A sigh is weightless,
yet it may interrupt the broadcast.
Can you abstain.
What is that hush that carries itself up each sigh.
We hunt together the sigh and I,
sport of kings.
To want to stop is beyond us.
The more sighs shine the more I’m in trouble – some kind of silvery stuff –
you thought it was the sea?

କମ୍ପନ (Tremor) କ’ଣ? ଏହା ହେଉଛି ଶରୀରର କୌଣସି ଅଙ୍ଗର ଅନିୟନ୍ତ୍ରିତ ଥରିବା। ୧୮୧୭ ମସିହାରେ ଇଂରେଜ ଶଲ୍ୟଚିକିତ୍ସକ ଓ ଔଷଧ ପ୍ରସ୍ତୁତକାରୀ ଜେମ୍ସ ପାର୍କିନ୍ସନ୍ ଏହାକୁ ଏକ ରୋଗର ପ୍ରାରମ୍ଭିକ ଲକ୍ଷଣ ଭାବରେ ଚିହ୍ନଟ କରିଥିଲେ। ସେ ଏହି ରୋଗକୁ ‘ଦି ଶେକିଂ ପାଲ୍ସି’ (The Shaking Palsy) ବା କମ୍ପନଜନିତ ପକ୍ଷାଘାତ ବୋଲି ନାମ ଦେଇଥିଲେ।
ତେବେ ଏହାର ବହୁ ପୂର୍ବରୁ, ଖ୍ରୀଷ୍ଟପୂର୍ବ ଦଶମ ଶତାବ୍ଦୀର ଭାରତୀୟ ଆୟୁର୍ବେଦ ଗ୍ରନ୍ଥରେ ଏକ କମ୍ପନଜନିତ ରୋଗ ବିଷୟରେ ଉଲ୍ଲେଖ ମିଳେ। ପ୍ରାଚୀନ ଗ୍ରୀକ୍ ଚିକିତ୍ସକ ଗାଲେନ୍ ମଧ୍ୟ ଏପରି ଏକ ରୋଗ ଲକ୍ଷ୍ୟ କରିଥିଲେ, ଯାହାକୁ ସେ ‘ସ୍କେଲୋଟିର୍ବେ’ (σκελοτύρβη) ବୋଲି କହିଥିଲେ। ଏହି ଶବ୍ଦଟିକୁ ଅତି ସୁନ୍ଦର ଭାବରେ ‘ଅଙ୍ଗପ୍ରତ୍ୟଙ୍ଗର ଉନ୍ମତ୍ତ ନୃତ୍ୟ’ ବୋଲି ଅନୁବାଦ କରାଯାଇପାରେ।
କିନ୍ତୁ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ସ୍ନାୟୁବିଜ୍ଞାନୀମାନେ ଏହି ଉନ୍ମତ୍ତ ନୃତ୍ୟକୁ ଶାରୀରିକ ଓ ମାନସିକ କ୍ରିୟା ଦ୍ୱାରା ଶାନ୍ତ କରାଯାଇପାରିବ ବୋଲି ଭାବିନଥିଲେ। ଅର୍ଥାତ୍, ସଚେତନ ଓ ଗଭୀର ମାନସିକ ଏକାଗ୍ରତା ସହିତ କରାଯାଉଥିବା ଶାରୀରିକ ବ୍ୟାୟାମ ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରେ।

ଆମେ ଏବେ ଯେପରି ବିଶ୍ୱାସ କରୁଛୁ, ଯଦି ମସ୍ତିଷ୍କରେ ନମନୀୟତା ବା ପରିବର୍ତ୍ତନଶୀଳତା (plasticity) ରହିଛି, ତେବେ ତାହାକୁ ବଦଳାଯାଇପାରିବ। କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ମସ୍ତିଷ୍କର ସ୍ନାୟବିକ ସଂଯୋଗଗୁଡ଼ିକୁ ନୂତନ ଭାବରେ ଗଢ଼ିପାରେ। ନଷ୍ଟ ହୋଇଯାଇଥିବା ନ୍ୟୁରନ୍ଗୁଡ଼ିକର ସ୍ଥାନ ପୂରଣ ପାଇଁ ନୂତନ ନ୍ୟୁରନ୍ ସୃଷ୍ଟି କରିବା ଦ୍ୱାରା କିମ୍ବା ନିଷ୍କ୍ରିୟ ଓ ଧୀର ହୋଇପଡ଼ିଥିବା ନ୍ୟୁରନ୍ଗୁଡ଼ିକୁ ପୁନର୍ବାର ସକ୍ରିୟ କରିବା ଦ୍ୱାରା ଏହା ସମ୍ଭବ ହୋଇପାରେ। ଏଥିପାଇଁ ବକ୍ସିଂ କରିବାକୁ ପରାମର୍ଶ ଦିଆଯାଏ। ଏଥିରେ ହୃଦପିଣ୍ଡ ଓ ରକ୍ତସଞ୍ଚାଳନ ପ୍ରଣାଳୀକୁ ସକ୍ରିୟ କରୁଥିବା କଠିନ ଶାରୀରିକ ପରିଶ୍ରମ ସହିତ ମନର ସଚେତନ ଏକାଗ୍ରତା ମିଶିଥାଏ। ଏହି ସମନ୍ୱୟ ରୋଗର ଲକ୍ଷଣଗୁଡ଼ିକୁ ହ୍ରାସ କରିବା ସହିତ ଏହାର ଅଗ୍ରଗତିକୁ ମନ୍ଥର କରିପାରେ ବୋଲି ପ୍ରମାଣିତ ହୋଇଛି। ଶରୀର ଓ ମସ୍ତିଷ୍କ ଏକାଠି କାମ କରନ୍ତି। ଆପଣ କେବେ ଭାବିଛନ୍ତି କି, ମସ୍ତିଷ୍କ ଭିତରର ଜଗତଟି କିପରି ହୋଇଥିବ?
ତାହା କ’ଣ ଏକ କୋଳାହଳପୂର୍ଣ୍ଣ କର୍ମଶାଳା, ନା ଏକ ନିରବ ପରୀକ୍ଷାଗାର ହୋଇଥିବ ?
ସେଠାରେ କୌଣସି ଶବ୍ଦ ଶୁଣିବାକୁ କିପରି ଲାଗୁଥିବ?

ମୁଁ ମସ୍ତିଷ୍କକୁ ଏକ ବିରାଟ ବୈଠକଖାନା ଭାବରେ କଳ୍ପନା କରେ, ଯେଉଁଠାରେ ବଡ଼ ବଡ଼ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀମାନେ ଚାରିପଟେ ବସି ନିଜ ନିଜ ଫୋନକୁ ଚାହିଁ ରହିଛନ୍ତି ଏବଂ ପରସ୍ପରକୁ ବାର୍ତ୍ତା ପଠାଉଛନ୍ତି। ଆଉ ଏହାର ସବୁଠାରୁ ରହସ୍ୟମୟ ଓ ଭୟ ଉଦ୍ରେକକାରୀ ଦିଗଟି ହେଉଛି—ସମ୍ଭବତଃ ସେମାନେ ସମସ୍ତେ ସେଠାରେ ସମ୍ପୂର୍ଣ୍ଣ ଅନ୍ଧକାର ମଧ୍ୟରେ ବସିଥିବେ।

ମସ୍ତିଷ୍କ ଭିତରେ କ’ଣ ଅନ୍ଧକାର ନଥିବ?
ସେଠି ଆଲୋକ ବା କୋଉଠୁ ଆସିବ ?
ଆଉ ସେହି ଆଲୋକକୁ ଦେଖିବ ବା କିଏ?


ଯାହାହେଉ, ଏବେ ପୁଣି କମ୍ପନ କଥାକୁ ଫେରିବା। ମୁଁ ମୋ ଡାହାଣ ହାତରେ ଦାନ୍ତ ଘଷେ। ମୋର ସେହି ହାତରେ କମ୍ପନ ରହିଛି। ତେଣୁ ଟୁଥ୍ ବ୍ରସଟି ଅତି ତୀବ୍ର ଓ ଅନିୟନ୍ତ୍ରିତ ଗତିରେ ଉପରତଳ ହୋଇ ଚାଲେ ଏବଂ ଓଠ ଓ ମାଢ଼ିରେ ଧକ୍କା ଖାଏ। ଟୁଥ୍ ବ୍ରସଟି ଏହି ଉନ୍ମତ୍ତ ନୃତ୍ୟ ସ୍ନାୟୁପଥ ଦେଇ ପ୍ରବାହିତ ହେଉଥିବା ବୈଦ୍ୟୁତିକ ସଙ୍କେତ ଯୋଗୁଁ ସୃଷ୍ଟି ହୁଏ। କିନ୍ତୁ ପ୍ରତ୍ୟେକ ସ୍ନାୟୁପଥର କାର୍ଯ୍ୟ କରିବାର ଏକ ନିର୍ଦ୍ଦିଷ୍ଟ ତଳ ବା ଦିଗ ରହିଥାଏ। ଯଦି ମୁଁ ଏକାଗ୍ର ହୋଇ ସେହି ଦିଗକୁ ବଦଳାଇଦିଏ—ଅର୍ଥାତ୍ ମୋ ବାହୁକୁ ଏକ ଅସ୍ୱାଭାବିକ କୋଣରେ ଉପରକୁ କିମ୍ବା ତଳକୁ ନେଇଯାଏ—ତେବେ ମୁଁ ସେହି ପ୍ରବାହରେ ବାଧା ସୃଷ୍ଟି କରି କମ୍ପନକୁ ଶାନ୍ତ କରିପାରେ।
ଅଥବା ଯଦି ମୁଁ ଟୁଥ୍ ବ୍ରସ ବେଣ୍ଟକୁ ଖୁବ୍ ଜୋରରେ ଧରେ, ତେବେ ତୀବ୍ର ମାନସିକ ଏକାଗ୍ରତା ବଳରେ ସେହି କମ୍ପନକୁ ନିୟନ୍ତ୍ରଣ କରିପାରେ। ଏଠାରେ ଏକାଗ୍ରତା ହିଁ ମୁଖ୍ୟ କଥା। ମୋତେ ସେହି ଗତି ଭିତରକୁ ନିଜ ଚିନ୍ତାକୁ ପ୍ରବେଶ କରାଇବାକୁ ହୁଏ। ଗତିଟିକୁ ମୋତେ ମନ ଭିତରୁ ଚିନ୍ତା କରିବାକୁ ହୁଏ। ଏ ସମ୍ପର୍କରେ ମୋର ନିଜସ୍ୱ ଅତି ସରଳ ଓ ଅପରିଷ୍କୃତ ବୁଝାମଣା ଅନୁସାରେ, ଚିନ୍ତା ହିଁ ନ୍ୟୁରନ୍ଗୁଡ଼ିକୁ ସୃଷ୍ଟି କରେ (ନା ସେମାନଙ୍କୁ ସକ୍ରିୟ କରେ?)।

ଜନ୍ ଡି. ପେପର୍ ନାମକ ଜଣେ ବ୍ୟକ୍ତି ନିଜର ଚାଲିବା ସମ୍ବନ୍ଧୀୟ ସମସ୍ୟାକୁ ନିୟନ୍ତ୍ରଣ କରିବା ସମୟରେ ଏହିପରି ଏକ ଆବିଷ୍କାର କରିଥିଲେ। ଗତବର୍ଷ ମୃତ୍ୟୁବରଣ କରିଥିବା ପେପର୍ ପାର୍କିନ୍ସନ୍ ରୋଗୀମାନଙ୍କ ଜଣେ ନାୟକ, ଅଥବା ଅନ୍ତତଃ ଜଣେ ଗୁରୁତ୍ୱପୂର୍ଣ୍ଣ ପଥପ୍ରଦର୍ଶକ ଭାବରେ ପରିଚିତ। ସେ ଚାଲିବାରେ ହେଉଥିବା ନିଜ ସମସ୍ୟାର ସମାଧାନ ଚାଲିବା ମାଧ୍ୟମରେ ହିଁ କରିଥିଲେ। ସେ ସପ୍ତାହକୁ ପନ୍ଦର ମାଇଲ୍ ଚାଲୁଥିଲେ। ଏହି ଦୂରତାକୁ ସେ ତିନୋଟି ପର୍ଯ୍ୟାୟରେ ଅତିକ୍ରମ କରୁଥିଲେ—ପ୍ରତ୍ୟେକ ପର୍ଯ୍ୟାୟରେ ପାଞ୍ଚ ମାଇଲ୍ ଓ ଘଣ୍ଟାକୁ ଚାରି ମାଇଲ୍ ବେଗରେ ଚଲୁଥିଲେ ।

ଘଣ୍ଟାକୁ ଚାରି ମାଇଲ୍ ବେଗରେ ଚାଲିବା ମୋର ସ୍ୱାଭାବିକ ଚାଲିବା ବେଗଠାରୁ ଅଧିକ ଦ୍ରୁତ। ଏହା ମୋ ପାଇଁ ଏକ ସଂଘର୍ଷ। ମୋତେ ନିଜ ଶରୀରର ପ୍ରତ୍ୟେକ ଗତିବିଧି ପ୍ରତି ସଚେତନ ରହିବାକୁ ପଡ଼େ। ଆପଣ ଚାଲିବା କିମ୍ବା ଦାନ୍ତ ଘଷିବା ପରି ଜଟିଳ କାର୍ଯ୍ୟଗୁଡ଼ିକୁ ସ୍ୱତଃସ୍ଫୂର୍ତ୍ତ ଭାବରେ କରିପାରନ୍ତି। କାରଣ ଆପଣଙ୍କ ମସ୍ତିଷ୍କର ବୈଠକଖାନାରେ ବସିଥିବା ମୁଖ୍ୟ କାର୍ଯ୍ୟନିର୍ବାହୀମାନେ ପରସ୍ପରକୁ ନିର୍ଦ୍ଦେଶ ପଠାଇ ଚାଲିଥାଆନ୍ତି। କାହାକୁ କ’ଣ କରିବାକୁ ହେବ ଏବଂ କେତେବେଳେ କରିବାକୁ ହେବ, ସେ ସମ୍ପର୍କରେ ସେମାନଙ୍କ ମଧ୍ୟରେ ସ୍ପଷ୍ଟ କଥାବାର୍ତ୍ତା ହେଉଥାଏ। କିନ୍ତୁ ମୋତେ ଅଟକିବାକୁ ପଡ଼େ, ଚିନ୍ତା କରିବାକୁ ପଡ଼େ ଏବଂ ସଚେତନ ଭାବରେ ନିଜ ଗତିବିଧିକୁ ନିୟନ୍ତ୍ରଣ କରିବାକୁ ପଡ଼େ।
ଏହା ନିଜ ଚିତ୍ର ସମ୍ମୁଖରେ ବସି ସୃଜନର ଉଲ୍ଲସିତ ଅବସ୍ଥାରେ ନିମଗ୍ନ ଥିବା ଟ୍ୱମ୍ବଲିଙ୍କ ଅବସ୍ଥାର ସମ୍ପୂର୍ଣ୍ଣ ବିପରୀତ।
ସଚେତନ ଗତିବିଧିର ଏହି କୌଶଳକୁ ଆପଣାଇ ପେପର୍ ନିଜର କମ୍ପନ ଓ ଅନ୍ୟାନ୍ୟ ଲକ୍ଷଣଗୁଡ଼ିକୁ ନିୟନ୍ତ୍ରଣ କରିପାରିଥିଲେ। ତିରିଶ ବର୍ଷ ବୟସରେ ସେ ପାର୍କିନ୍ସନ୍ ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ନବେ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ।


ତେବେ ପେପର ଙ୍କ ଏହି ଆବିଷ୍କାର ସମ୍ପୂର୍ଣ୍ଣ ନୂଆ ନୁହେଁ।
୧୮୧୭ ମସିହାରେ ପାର୍କିନ୍ସନ୍ ନିଜର ରୋଗୀମାନଙ୍କ ସମ୍ପର୍କିତ ଟିପ୍ପଣୀରେ ଏପରି ଏକ ଘଟଣା ଉଲ୍ଲେଖ କରିଥିଲେ। ସେ ‘କେସ୍ ଛଅ’ (Case VI) ଭାବରେ ଚିହ୍ନିତ କରିଥିବା ଜଣେ ରୋଗୀ ହଠାତ୍ ଓ ସଚେତନ ଭାବରେ ଏକ ସଂକ୍ଷିପ୍ତ ଶାରୀରିକ ଗତି କରି ନିଜର ଅବିରତ କମ୍ପନକୁ କିଛି ମିନିଟ୍ ପାଇଁ ବନ୍ଦ କରିପାରୁଥିଲେ।
ଦାର୍ଶନିକ ଦୃଷ୍ଟିକୋଣରୁ ଏଠାରେ ଲକ୍ଷ୍ୟ କରିବା ଯୋଗ୍ୟ ଏକ ବିଷୟ ରହିଛି। ତାହା ହେଉଛି ମନୋଯୋଗ ବା ଏକାଗ୍ରତା।
ଯେତେବେଳେ ଆମେ କୌଣସି କାର୍ଯ୍ୟକୁ ଅଭ୍ୟାସର ସ୍ୱୟଂକ୍ରିୟ ଅବସ୍ଥାରୁ ବାହାର କରି ସଚେତନତାର ପରିସରକୁ ଆଣୁ, ସେତେବେଳେ ସେହି କାର୍ଯ୍ୟ ସମ୍ପର୍କରେ ଆମ ଭିତରେ ଏକ ନୂତନ ଉପଲବ୍ଧି ଜାଗ୍ରତ ହୁଏ।
ଭିତର ଓ ବାହାର ନିଜ ନିଜ ସ୍ଥାନ ବଦଳାଇଦିଅନ୍ତି।
ସମୟର ଅନୁଭୂତି ବଦଳିଯାଏ।
ପାର୍କିନ୍ସନ୍ ରୋଗ ସବୁବେଳେ ବର୍ତ୍ତମାନ।
ଅଥବା ହୁଏତ ଆମେ ଏପରି କହିପାରିବା ଯେ, ଏହି ରୋଗ ଆମକୁ ମନେ ପକାଇଦିଏ, ଜୀବନ ହେଉଛି ବର୍ତ୍ତମାନ।
ମୋର ଏହି ଚିନ୍ତାଧାରାର ଠିକ୍ ଏହି ପର୍ଯ୍ୟାୟରେ ମୁଁ ଗର୍ଟ୍ରୁଡ୍ ଷ୍ଟାଇନ୍ଙ୍କ ୧୯୧୩ ମସିହାର ଏକ ବାକ୍ୟ ସମ୍ମୁଖରେ ଆସି ପହଞ୍ଚେ—
‘ଗୋଲାପ ହେଉଛି ଗୋଲାପ, ହେଉଛି ଗୋଲାପ, ହେଉଛି ଗୋଲାପ।’
(Rose is a rose is a rose is a rose.)
ଏହି ବାକ୍ୟ ସମ୍ପର୍କରେ ଷ୍ଟାଇନ୍ ନିଜେ ନିମ୍ନଲିଖିତ ମନ୍ତବ୍ୟ ଦେଇଥିଲେ:

“ଏବେ ଆପଣମାନେ ଗୋଲାପକୁ ନେଇ ଶହ ଶହ କବିତା ପଢ଼ିସାରିଛ ଏବଂ ତୁମ ଅନ୍ତରର ଗଭୀରତାରେ ତୁମେ ଜାଣିଛ ଯେ, ସେଠାରେ ଗୋଲାପ ଆଉ ନାହିଁ… ମୋର ମନେହୁଏ, ଇଂରାଜୀ କବିତାରେ ଶହେ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସେହି ପଂକ୍ତିରେ ଗୋଲାପଟି ନାଲି ହୋଇଉଠିଛି।”

ମୁଁ ସପ୍ତାହକୁ ତିନି ଦିନ ବକ୍ସିଂ ଶ୍ରେଣୀକୁ ଯାଏ। ସେହି ଶ୍ରେଣୀରେ ଥିବା ସମସ୍ତେ ପାର୍କିନ୍ସନ୍ ରୋଗରେ ଆକ୍ରାନ୍ତ। ସମସ୍ତଙ୍କଠାରେ ରୋଗଜନିତ କ୍ଷତିର ମାତ୍ରା ଭିନ୍ନ ଭିନ୍ନ। ପ୍ରତ୍ୟେକ ଶ୍ରେଣୀର ଏକ ନିର୍ଦ୍ଦିଷ୍ଟ ସମୟର, ଅର୍ଥାତ୍ ଶରୀରକୁ ବ୍ୟାୟାମ ପାଇଁ ପ୍ରସ୍ତୁତ କରିବା, ଶକ୍ତିବର୍ଦ୍ଧକ ବ୍ୟାୟାମ ଏବଂ ପାଦଚାଳନାର ଅଭ୍ୟାସ ଶେଷ ହେବା ପରେ, ପ୍ରଶିକ୍ଷକ ଚିତ୍କାର କରି କହନ୍ତି, ‘ଗ୍ଲୋଭ୍ସ ପିନ୍ଧ!’
ଆମେ ସମସ୍ତେ ନିଜ ନିଜ ବକ୍ସିଂ ଗ୍ଲୋଭ୍ସ ଆଣିବା ପାଇଁ ଲକର୍ ଆଡ଼କୁ ଧାଇଁଯାଉ। ତା’ପରେ ପ୍ରତ୍ୟେକେ ଗୋଟିଏ ଗୋଟିଏ ଭାରୀ ପଞ୍ଚିଂ ବ୍ୟାଗ୍ ସମ୍ମୁଖରେ ଠିଆ ହୋଇ ମୁଥ ମାରିବା ଆରମ୍ଭ କରୁ।
ବକ୍ସିଂରେ ଛଅ ପ୍ରକାରର ମୌଳିକ ମୁଥ ରହିଛି। ପ୍ରତ୍ୟେକ ମୁଥ ପାଇଁ ଗୋଟିଏ ଲେଖାଏଁ ସଂଖ୍ୟା ନିର୍ଦ୍ଧାରିତ ହୋଇଛି।

୧. ଜ୍ୟାବ୍ (Jab) — ସାମ୍ନା ହାତରେ ସିଧା ମୁଥ।
୨. କ୍ରସ୍ (Cross) — ପଛ ହାତରେ ସିଧା ମୁଥ।
୩. ହୁକ୍ (Hook with lead hand) — ସାମ୍ନା ହାତରେ ବକ୍ର ଗତିରେ ମୁଥ।
୪. ହୁକ୍ (Hook with rear hand) — ପଛ ହାତରେ ବକ୍ର ଗତିରେ ମୁଥ।
୫. ଅପର୍କଟ୍ (Uppercut with lead hand) — ସାମ୍ନା ହାତରେ ତଳୁ ଉପରକୁ ମୁଥ।
୬. ଅପର୍କଟ୍ (Uppercut with rear hand) — ପଛ ହାତରେ ତଳୁ ଉପରକୁ ମୁଥ।

ବକ୍ସିଂ କ୍ଲାସରେ ଟ୍ରେନର କେତେକ ସଂଖ୍ୟାର ଏକ କ୍ରମ ଡାକିଥାଆନ୍ତି ଏବଂ ସେହି କ୍ରମ ଅନୁସାରେ ଆମକୁ ଭାରୀ ପଞ୍ଚିଂ ବ୍ୟାଗ କୁ ମୁଥ ମାରିବାକୁ ହୁଏ। ଆମେ ପ୍ରତ୍ୟେକେ ସଂଖ୍ୟା ଅନୁସାରେ ନିର୍ଦ୍ଦିଷ୍ଟ ମୁଥଗୁଡ଼ିକୁ ପ୍ରୟୋଗ କରୁ। ଏସବୁ ଅତି ଦ୍ରୁତ ଗତିରେ ଚାଲେ। ମୁଁ ଲକ୍ଷ୍ୟ କରିଛି ଯେ, ଯେତେବେଳେ ମୁଁ ମୁଥ ମାରିବାର କୌଣସି ଜଟିଳ କ୍ରମକୁ ସମ୍ପାଦନ କରିବାକୁ ଚେଷ୍ଟା କରେ, ସେତେବେଳେ ମୋ ମସ୍ତିଷ୍କର ନ୍ୟୁରନସ ଗୁ ଡ଼ିକ କିପରି ସଂଘର୍ଷ କରୁଛନ୍ତି ଓ ପ୍ରାଣପଣେ ଉଦ୍ୟମ କରୁଛନ୍ତି, ତାହା ମୁଁ ଅନୁଭବ କରେ ।
ମୁଁ ଜାଣେ, ଏହା ଶୁଣିବାକୁ ପାଗଳାମି ପରି ହୁଏତ ଲାଗୁଛି। କିନ୍ତୁ ଆମେ ଆଗରୁ ଦେଖିସାରିଛୁ ଯେ, ଭିତର ଓ ବାହାର ମଧ୍ୟରେ ଥିବା ସେହି ସୀମାରେଖାଟି ଏତେ ସରଳ ନୁହେଁ ।

ପାର୍କିନ୍ସନ୍ ରୋଗ ସମ୍ପର୍କରେ ମୁଁ ଯେତେ ବେଶୀ ଜାଣୁଛି, ସେତେ ଅଧିକ ଏହାକୁ ଏପରି ଏକ ଅବସ୍ଥା ଭାବରେ ଦେଖୁଛି । ଯେଉଁଠି ମଣିଷକୁ ଏକ ନିରନ୍ତର ଅବିରତ ଟାଣିନେଉଥିବା ସ୍ରୋତର ବିପରୀତରେ ନିଜକୁ ସିଧା ରଖି ଠିଆ ହେବାକୁ ପଡ଼େ।
ପୁସ୍ତକଗୁଡ଼ିକ ମୋତେ କହୁଛନ୍ତି ଯେ, ଯଦି ମୁଁ ମସ୍ତିଷ୍କର ନ୍ୟୁରନସ ଗୁଡ଼ିକର କାର୍ଯ୍ୟକ୍ଷମତା ହ୍ରାସକୁ ଅଟକାଇବାକୁ କିମ୍ବା ବିଳମ୍ବିତ କରିବାକୁ ଚାହେଁ, ତେବେ ଚାଲିବା, ଲେଖିବା ଓ ଦାନ୍ତ ଘଷିବା ପରି କାର୍ଯ୍ୟଗୁଡ଼ିକ ପ୍ରତି ମୋତେ ନିରନ୍ତର ଓ ସଚେତନ ମନୋଯୋଗ ଦେବାକୁ ହେବ ।

ଅବିରତ ସଂଘର୍ଷ ମଧ୍ୟରେ ବଞ୍ଚିବା କଷ୍ଟକର।
‘ଅବକ୍ଷୟଶୀଳ’ (degenerative) ଶବ୍ଦଟିର ଅର୍ଥ ଭିତରେ ବଞ୍ଚିବା ମଧ୍ୟ କଷ୍ଟକର। କାରଣ ଏହି ଶବ୍ଦର ଅର୍ଥ ହେଉଛି, ମୁଁ ଯେତେ ସଂଘର୍ଷ କଲେ ମଧ୍ୟ ଶେଷରେ ଜିତିପାରିବି ନାହିଁ।
ଅବଶ୍ୟ ପ୍ରତ୍ୟେକ ମଣିଷ ନିଜର ପୁରା ଜୀବନ ସଂଘର୍ଷ କରିଚାଲିଥାଏ। ଆଉ ଆମ ମଧ୍ୟରୁ କେହି ମଧ୍ୟ ମୃତ୍ୟୁଶୀଳତା ବିରୋଧରେ ଜୟଲାଭ କରିପାରିବା ନାହିଁ। କିନ୍ତୁ ପ୍ରାଚୀନ ଗ୍ରୀକ୍ ଭାଷା ଶିଖିବା କିମ୍ବା ଭାକ୍ୟୁମ୍ କ୍ଲିନର୍ ସାହାଯ୍ୟରେ ଘର ସଫା କରିବା ପାଇଁ ଉଦ୍ୟମ କରିବା ଏବଂ କୌଣସି ଶାରୀରିକ କାର୍ଯ୍ୟର ପ୍ରତ୍ୟେକ କ୍ଷୁଦ୍ରାତିକ୍ଷୁଦ୍ର ମୁହୂର୍ତ୍ତ ପ୍ରତି ଅତି ସୂକ୍ଷ୍ମ ମନୋଯୋଗ ଦେବା ପାଇଁ ସଂଘର୍ଷ କରିବା ମଧ୍ୟରେ ପାର୍ଥକ୍ୟ ରହିଛି।

ନିଜର ଚାଲିବା ଶୈଳୀକୁ ଅଧ୍ୟୟନ କରି ପେପର୍ ତାହାକୁ ନଅଟି କ୍ରିୟାତ୍ମକ ପର୍ଯ୍ୟାୟ ଏବଂ ମନୋଯୋଗ ଦେବା ପାଇଁ ଛଅଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ବିଭକ୍ତ କରିଥିଲେ। ଆଉ ଏସବୁ ଥିଲା ତାଙ୍କର ପ୍ରତ୍ୟେକ ପାଦ ପକାଇବା ପାଇଁ। ସେ ଥିଲେ ଜଣେ ଅସାଧାରଣ ଏକାଗ୍ର ଓ ନିଷ୍ଠାପର ମଣିଷ। ସଂଘର୍ଷର ଏହି ପ୍ରସଙ୍ଗରୁ ବିଦାୟ ନେବା ପୂର୍ବରୁ ବକ୍ସିଂ ଶ୍ରେଣୀ ସମ୍ପର୍କରେ ଆଉ ଗୋଟିଏ କଥା କହିବାକୁ ଚାହେଁ।
ପ୍ରଥମ ବକ୍ସିଂ ଗ୍ଲୋଭ୍ଟି ପିନ୍ଧିବା ସହଜ। କିନ୍ତୁ ଦ୍ୱିତୀୟ ଗ୍ଲୋଭ୍ଟି ପିନ୍ଧିବା ସେତେ ସହଜ ନୁହେଁ। ଏହି ସମୟରେ ପ୍ରଶିକ୍ଷକ ଚିତ୍କାର କରୁଥାଆନ୍ତି, ‘ଦାନ୍ତ ବ୍ୟବହାର କରନାହିଁ!’ ସାଧାରଣତଃ ଏପରି ପରିସ୍ଥିତିରେ ଜିମରେ ଥିବା ଅନ୍ୟ କାହାରି ସାହାଯ୍ୟ ନିଆଯାଏ। ସେହି ବ୍ୟକ୍ତି ଆପଣଙ୍କୁ ଦ୍ୱିତୀୟ ଗ୍ଲୋଭ୍ଟି ପିନ୍ଧାଇଦିଅନ୍ତି। ମୁଁ ଯେହେତୁ ପ୍ରାଚୀନ ଗ୍ରୀକ୍ ଓ ରୋମୀୟ ସାହିତ୍ୟର ଜଣେ ବିଶେଷଜ୍ଞ , ତେଣୁ ଏହି ସମଗ୍ର ପରିସ୍ଥିତି ମୋତେ ଗୋଟେ କଥା ମନେ ପକାଇଦିଏ। ଏଠାରେ ଜଣେ ମଣିଷ ଅନ୍ୟ ଜଣେ ମଣିଷ ସମ୍ମୁଖରେ ଠିଆ ହୋଇ ସାହାଯ୍ୟ ପାଇଁ ନିଜର ଦୁଇ ହାତ ବଢ଼ାଇଦେଉଛି।

ଏହି ଦୃଶ୍ୟର ଗଠନ ପ୍ରାଚୀନ କାଳର ‘ସପ୍ଲିକେସନ୍’ (supplication) ବା କାତର ପ୍ରାର୍ଥନାର ଆନୁଷ୍ଠାନିକ ଭଙ୍ଗୀ ସହିତ ସମାନ।
ଯେପରି ଇଲିଆଡ୍ (Iliad) ମହାକାବ୍ୟର ଶେଷଭାଗରେ ପ୍ରିୟାମ୍ ନିଜ ପୁତ୍ରର ମୃତଦେହ ଫେରିପାଇବା ପାଇଁ ଆକିଲିସ୍ଙ୍କ ଶିବିରକୁ ଆସନ୍ତି ଏବଂ ତାଙ୍କ ସମ୍ମୁଖରେ କାତର ପ୍ରାର୍ଥନା କରନ୍ତି। ଆଉ ମୋର ବକ୍ସିଂ ଶ୍ରେଣୀରେ ମୁଁ ଗୋଟିଏ କଥା ଲକ୍ଷ୍ୟ କରିଛି।
ଯେତେବେଳେ ଅନ୍ୟ ଜଣେ ମଣିଷ ଆପଣଙ୍କ ହାତରେ ଗ୍ଲୋଭ୍ ପିନ୍ଧାଇ ଦେଉଥାଆନ୍ତି, ସେତେବେଳେ ସେହି କଳା ଦ୍ୱାରଟିକୁ ମନ ଭିତରକୁ ଆଣିବା କିମ୍ବା ତାହାକୁ ନେଇ ଚିନ୍ତିତ ହେବା ପ୍ରାୟ ଅସମ୍ଭବ ହୋଇପଡ଼େ।

ଏହି ପ୍ରବନ୍ଧଟିକୁ ଏକ ଖାତାରେ ପେନ୍ସିଲ୍ ସାହାଯ୍ୟରେ ଲେଖିବା ମୋ ପାଇଁ ଏକ ବିନମ୍ରତା ଶିଖାଇଦେବା ଭଳି ଅନୁଭୂତି ହୋଇଛି। ମୋ ହସ୍ତାକ୍ଷରର କିଛି ଅଂଶ ପଢ଼ିହେଉଛି, ଆଉ କିଛି ଅଂଶ ପଢ଼ିହେଉନାହିଁ। ଏହି ଅସଜଡ଼ା ହସ୍ତଲିଖନ ମାଧ୍ୟମରେ ମୁଁ ଜନ୍ କେଜ୍ଙ୍କ ପରି ନିଜ ଆତ୍ମସତ୍ତାର ବନ୍ଧନରୁ କୌଣସି ମୁକ୍ତି ହାସଲ କରିପାରିନାହିଁ। ବରଂ ମୋର ଏହି ହାତଟି ଯେପରି ଅତ୍ୟଧିକ ମାତ୍ରାରେ ମୋର ନିଜସ୍ୱ ସତ୍ତାକୁ ହିଁ ପ୍ରକାଶ କରୁଛି। ତେବେ ପ୍ରାମାଣିକତା ବା ଅକୃତ୍ରିମତା ପ୍ରସଙ୍ଗରେ ଆଉ ଏକ ଶେଷ କୌତୂହଳପ୍ରଦ ତଥ୍ୟ ରହିଛି। ୧୯୫୦ ଦଶକରେ ଟ୍ୱମ୍ବଲି ସେନାବାହିନୀରେ କାର୍ଯ୍ୟ କରୁଥିଲେ। ତାଙ୍କୁ ଗୁପ୍ତଲିପି ବିଶ୍ଳେଷଣ ବିଭାଗରେ ନିଯୁକ୍ତ କରାଯାଇଥିଲା। ସେଠାରେ ସେ ପ୍ରାୟ ଦୁଇ ବର୍ଷ ଧରି ଅନ୍ୟ ଲୋକମାନଙ୍କ ଦ୍ୱାରା କାଗଜ ଉପରେ ଅଙ୍କିତ ନିର୍ବୋଧ ରେଖାଗୁଡ଼ିକର ଗୁପ୍ତ ଅର୍ଥ ଉଦ୍ଘାଟନ କରିବାରେ ସମୟ ବିତାଇଥିଲେ। ସେହି ମାଟିର ଖୋଳ ଉପରେ ଥିବା ଚିହ୍ନଗୁଡ଼ିକୁ କିପରି ପଢ଼ୁଛନ୍ତି, ସେଥିପ୍ରତି ସାବଧାନ ରୁହନ୍ତୁ।
କିନ୍ତୁ ସତ କହିବାକୁ ଗଲେ, ହସ୍ତାକ୍ଷରରେ ଏପରି କ’ଣ କିଛି ବିଶେଷ ଫରକ ପଡ଼େ? ମୋର ଖରାପ ହସ୍ତାକ୍ଷରକୁ ନେଇ ଥିବା ଚିନ୍ତା ସମ୍ପର୍କରେ ମୁଁ ଯେଉଁମାନଙ୍କୁ କହିଥିଲି, ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ଏହିପରି କିଛି ଉତ୍ତର ଦେଇଥିଲେ:
‘ଆରେ, ମୋ ହସ୍ତାକ୍ଷର ତ ସବୁବେଳେ ଅତି ଖରାପ। ମୋ ପରିବାରର କେହି ମଧ୍ୟ ମୋ ଲେଖା ପଢ଼ିପାରନ୍ତି ନାହିଁ। ବୟସ ବଢ଼ିବା ସହିତ ଏହା ଆହୁରି ଖରାପ ହେଉଛି। ଆଜିକାଲି ମୁଁ ସବୁକିଛି କମ୍ପ୍ୟୁଟରରେ କରୁଛି।’

ଅନେକ ସମୟରେ ଲୋକମାନେ ଏପରି କହିବା ବେଳେ ସାମାନ୍ୟ ଲଜ୍ଜିତ ଓ ସଙ୍କୋଚ ଅନୁଭବ କରୁଥିବା ପରି ଶୁଣାଯାଆନ୍ତି।
ମୁଁ ଏହି ସଙ୍କୋଚକୁ ଆଉ ଏକ ଦୃଷ୍ଟିକୋଣରୁ ବୁଝିବାକୁ ଚାହୁଁଥିଲି। ତେଣୁ ହାତରେ ସଙ୍ଗୀତର ସ୍ୱରଲିପି ଲେଖିବା ଏବଂ କମ୍ପ୍ୟୁଟର ପ୍ରୋଗ୍ରାମ୍ ସାହାଯ୍ୟରେ ସ୍ୱରଲିପି ପ୍ରସ୍ତୁତ କରିବା ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି, ସେ ସମ୍ପର୍କରେ କେତେକ ସଙ୍ଗୀତ ରଚୟିତାଙ୍କୁ ପଚାରିବାକୁ ନିଷ୍ପତ୍ତି ନେଲି।
ପ୍ରଥମେ ମୁଁ ଆମେରିକୀୟ ସଙ୍ଗୀତ ରଚୟିତା ଡେଭିଡ୍ ଲାଙ୍ଗ୍ଙ୍କ ସହିତ କଥା ହେଲି। ସେ କହିଲେ ଯେ, ୧୯୯୦ ଦଶକର ପ୍ରାରମ୍ଭରେ ସେ କମ୍ପ୍ୟୁଟରରେ ସ୍ୱରଲିପି ଲେଖିବା ଆରମ୍ଭ କରିଥିଲେ। କିନ୍ତୁ ଏହା ତାଙ୍କ ସଙ୍ଗୀତ ରଚନା ପ୍ରକ୍ରିୟାରେ କି ପରିବର୍ତ୍ତନ ଆଣିଥାଇପାରେ, ସେ ବିଷୟରେ ସେ ସବୁବେଳେ ଚିନ୍ତା କରୁଥିଲେ। କାରଣ ସଙ୍ଗୀତ ରଚନା ସମୟରେ ସେ ପ୍ରାୟତଃ ଗଣିତ, ରେଖାଚିତ୍ର ଏବଂ ବିଭିନ୍ନ ଅନୁପାତର ସାରଣୀ ବ୍ୟବହାର କରୁଥିଲେ। ଏସବୁ କାମ କମ୍ପ୍ୟୁଟରରେ କରିବା ଅଧିକ ସହଜ।
ତେଣୁ ୨୦୦୩ ମସିହାରେ ସେ ପୁଣି ପୁରୁଣା ପଦ୍ଧତିକୁ ଫେରିଲେ କିପରି ଅନୁଭୂତି ହେବ, ତାହା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଲେ।
ସେ କେବଳ ପେନସିଲ ଓ କାଗଜ ବ୍ୟବହାର କରି ‘ଦିସ୍ ୱାଜ୍ ରିଟନ୍ ବାଏ ହ୍ୟାଣ୍ଡ୍’ (this was written by hand) ନାମକ ଏକ ସଙ୍ଗୀତ ରଚନା କଲେ।
ଏଠାରେ ମୁଁ ତାଙ୍କର ନିଜ କଥା ଉଦ୍ଧୃତ କରୁଛି:
ସେହି ସମୟରେ ମୁଁ ରଚନା କରୁଥିବା ଅନ୍ୟ ସଙ୍ଗୀତଗୁଡ଼ିକ ପରି ଏହାକୁ ମଧ୍ୟ ଜଟିଳ ଓ ସୁସଂଗଠିତ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ମୁଁ ଆବିଷ୍କାର କଲି ଯେ, ଏପରି କାମ କରିବା ପାଇଁ ମୋ ଭିତରେ ଆଉ ସେହି ଧୈର୍ଯ୍ୟ ନାହିଁ… ଫଳରେ ସଙ୍ଗୀତଟି ଅନେକ ସରଳ ହୋଇଗଲା।
ତା’ପରେ ମୋ ମନକୁ ଏକ ଧାରଣା ଆସିଲା। ମୁଁ ଭାବିଲି, ଏହି ସଙ୍ଗୀତଟି କେବଳ ମୋର ହାତଲେଖା ସ୍ୱରଲିପିର ଅବିକଳ ପ୍ରତିରୂପ ଭାବରେ ପ୍ରକାଶିତ ହେବା ଉଚିତ।
କିନ୍ତୁ ପ୍ରକାଶନ ପାଇଁ ଯଥେଷ୍ଟ ପରିଚ୍ଛନ୍ନ ଭାବରେ ସ୍ୱରଲିପିଟିକୁ ପୁଣି ହାତରେ ନକଲ କରି ଲେଖିବାକୁ ଚେଷ୍ଟା କଲାବେଳେ ମୁଁ ବାରମ୍ବାର ଭୁଲ୍ କରିବାକୁ ଲାଗିଲି। ଶେଷରେ ତାହା ଏତେ ଅସ୍ପଷ୍ଟ ହୋଇଗଲା ଯେ, ପଢ଼ିବା ସମ୍ଭବ ହେଲା ନାହିଁ।
ତେଣୁ ଶେଷରେ ମୁଁ ସ୍ୱରଲିପିଟିକୁ କମ୍ପ୍ୟୁଟରରେ ନକଲ କଲି ଏବଂ ସେହି ସଂସ୍କରଣକୁ ହିଁ ପ୍ରକାଶ କଲି।
ଲାଙ୍ଗ୍ଙ୍କ ପରେ ମୁଁ ଆଇସ୍ଲ୍ୟାଣ୍ଡର ସଙ୍ଗୀତ ରଚୟିତା ମାରିଆ ହୁଲ୍ଡ୍ ମାର୍କାନ୍ ସିଗ୍ଫୁସ୍ଡୋଟିର୍ଙ୍କ ପାଖକୁ ଗଲି। ଏହି ବିଷୟରେ ତାଙ୍କର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ ଥିଲା।
ସେ କହିଲେ:
ଏହାକୁ ଶବ୍ଦରେ ବୁଝାଇବା ଟିକିଏ କଷ୍ଟକର। କିନ୍ତୁ ମୁଁ ଅନୁଭବ କରେ ଯେ, ହାତରେ ସ୍ୱରଲିପି ଲେଖିବା ସମୟରେ ସଙ୍ଗୀତ ସହିତ ମୋର ସମ୍ପର୍କ ଅଧିକ ଗହିରିଆ ହୋଇଯାଏ। ଯେପରି ହାତରେ ଲେଖିବା ଓ ବାଜା ବଜାଇବାର ଅନୁଭୂତି ମଧ୍ୟରେ ଏକ ସମାନତା ରହିଛି।
ଅଥବା ଏପରି କହିପାରେ ଯେ, ହାତରେ ଲେଖିବା ସମୟରେ ସଙ୍ଗୀତ ମୋତେ ଅଧିକ ବାସ୍ତବ ମନେହୁଏ। କମ୍ପ୍ୟୁଟରରେ ଲେଖିବା ବେଳେ ଯେପରି ବେଳେବେଳେ ତାହା ଏକ ସାଧାରଣ, ଛାଞ୍ଚରେ ଢଳା ସୃଷ୍ଟି ପରି ମନେହୁଏ, ହାତରେ ଲେଖିବା ବେଳେ ସେପରି ଲାଗେ ନାହିଁ।
ମୋତେ ଲାଗେ, ହାତରେ ଲେଖାଯାଇଥିବା ପ୍ରତ୍ୟେକ ସଙ୍ଗୀତ ସ୍ୱରର ନିଜସ୍ୱ ଏକ ‘ବ୍ୟକ୍ତିତ୍ୱ’ ରହିଛି। ପ୍ରତ୍ୟେକ ସ୍ୱର କିମ୍ବା ସଙ୍ଗୀତାଂଶର ଆକାର, ଆକୃତି ଓ ସ୍ଥାନ ବିନ୍ୟାସ ଉପରେ ଭିନ୍ନ ଭିନ୍ନ ଭାବରେ ଗୁରୁତ୍ୱ ଦେଇ ସେହି ବ୍ୟକ୍ତିତ୍ୱକୁ ଆହୁରି ସ୍ପଷ୍ଟ ଓ ପ୍ରକଟ କରାଯାଇପାରେ।
ମାରିଆ ମୋତେ ନିଜ ହାତରେ ଲେଖିଥିବା କେତେକ ସଙ୍ଗୀତ ସ୍ୱରଲିପି ଦେଖାଇବା ପରେ ଆଉ ଏକ କଥା କହିଲେ, ଯାହା ଏହି ସମଗ୍ର ପ୍ରସଙ୍ଗରେ ତୃତୀୟ ଦୃଷ୍ଟିକୋଣ ଯୋଡ଼ିଦେଲା। ସେ କହିଲେ ଯେ, କାଗଜ ଉପରେ କୌଣସି ସ୍ୱରଲିପି ଲେଖିବା ପୂର୍ବରୁ ସେ ପ୍ରଥମେ ଗୋଟିଏ ଚିତ୍ର ଆଙ୍କନ୍ତି। ସେହି ଚିତ୍ରରେ କୌଣସି ସଙ୍ଗୀତ ସ୍ୱରର ଚିହ୍ନ ନଥାଏ, କିମ୍ବା କୌଣସି ଶବ୍ଦ ମଧ୍ୟ ନଥାଏ। ଥାଏ କେବଳ କିଛି ଆକୃତି ଓ ରଙ୍ଗ, ଯାହା ମାଧ୍ୟମରେ ସେ ରଚନା କରିବାକୁ ଯାଉଥିବା ସଙ୍ଗୀତ ସମ୍ପର୍କରେ ନିଜର ଧାରଣାକୁ ପ୍ରକାଶ କରନ୍ତି।
ଏହି ଚିତ୍ରଗୁଡ଼ିକ ବିଷୟରେ କହିବା ସମୟରେ ସେ କିଛିଟା ସଙ୍କୋଚ ଅନୁଭବ କରୁଥିବା ପରି ମନେହେଲା। ହୁଏତ ଭାଷା ଓ ଶବ୍ଦର ଆବିର୍ଭାବ ପୂର୍ବରୁ ଥିବା ନିଜର ସେହି ସତ୍ତାକୁ ନେଇ ଆମେ ସମସ୍ତେ କିଛି ମାତ୍ରାରେ ଅସ୍ୱସ୍ତି ଅନୁଭବ କରୁ।
ସେ ଯାହାହେଉ, ମୁଁ ଯେପରି ଏହି ସମଗ୍ର ପରିସ୍ଥିତିକୁ ନିଜ ସତ୍ତାର ସଙ୍କଟ କିମ୍ବା ନିଜ ଚରିତ୍ରର ଏକ ପରୀକ୍ଷା ଭାବରେ ଦେଖୁଥିଲି, ଅନ୍ୟ କେହି ସେପରି ଦେଖୁଥିବା ମନେହେଲା ନାହିଁ।
ଏହି ବିଶ୍ୱାସକୁ ବଜାୟ ରଖିବା ପାଇଁ ମୋତେ ଶେଷରେ କନଫୁସିୟସ୍ଙ୍କ ଆଶ୍ରୟ ନେବାକୁ ପଡ଼ିଲା। ଆଉ ତାହା ସହିତ ବାର୍ଥଙ୍କ ସେହି ଅସରନ୍ତି ପ୍ରଶ୍ନକୁ ମଧ୍ୟ ମନେ ପକାଇବାକୁ ହେଲା—
ଏପରି ଏକ ରେଖା କିପରି ଟାଣିବା, ଯାହା ନିର୍ବୋଧ ହୋଇନଥିବ ?
ଏହି ପର୍ଯ୍ୟାୟରେ ମୋତେ ଲାଗିଲା ଯେ, ସୌନ୍ଦର୍ଯ୍ୟତତ୍ତ୍ୱ ସମ୍ପର୍କରେ ମୋର ଅନୁସନ୍ଧାନର ସମସ୍ତ ସମ୍ଭାବନା ଶେଷ ହୋଇଯାଇଛି। ତେଣୁ ମୁଁ ବିଜ୍ଞାନ ଆଡ଼କୁ ମୁହାଁଇଲି।
ବିଜ୍ଞାନ କ୍ଷେତ୍ରରେ ଏ ସମ୍ପର୍କରେ ଯଥେଷ୍ଟ ପ୍ରମାଣ ରହିଛି। ସେହି ପ୍ରମାଣଗୁଡ଼ିକ ଦର୍ଶାଉଛି ଯେ, କମ୍ପ୍ୟୁଟର କିବୋର୍ଡରେ ଟାଇପ୍ କରିବା ତୁଳନାରେ ହାତରେ ଲେଖିବା ମସ୍ତିଷ୍କରେ ଭିନ୍ନ ଏବଂ ଅଧିକ ଜଟିଳ ସ୍ନାୟବିକ ସଂଯୋଗଗୁଡ଼ିକୁ ସକ୍ରିୟ କରିଥାଏ। ନୂତନ ସୂଚନାକୁ ମସ୍ତିଷ୍କରେ ସଂକେତବଦ୍ଧ କରି ସଂରକ୍ଷିତ ରଖିବା ଏବଂ ସ୍ମୃତି ଗଠନ କରିବା ପାଇଁ ଏହି ସଂଯୋଗଗୁଡ଼ିକ ଅତ୍ୟନ୍ତ ଜରୁରୀ।
ହସ୍ତଲିଖନ ସମୟରେ ହାତର ଯେଉଁ ସୂକ୍ଷ୍ମ ଓ ସୁନିୟନ୍ତ୍ରିତ ଗତିବିଧି ଘଟେ, ତାହା ମସ୍ତିଷ୍କରେ ଏପରି କିଛି କ୍ରିୟାଶୀଳତାର ଢାଞ୍ଚା ସୃଷ୍ଟି କରେ, ଯାହା ଶିକ୍ଷଣ ପ୍ରକ୍ରିୟାକୁ ସହାୟତା କରିଥାଏ।
ମସ୍ତିଷ୍କ ନିଜକୁ ଉନ୍ମୁକ୍ତ କରେ, ନିଜର ଗଭୀରତା ବୃଦ୍ଧି କରେ ଏବଂ ନିଜକୁ ଆହୁରି ସମୃଦ୍ଧ କରିଥାଏ।
ଏହି ପ୍ରକ୍ରିୟା ଭିତରେ ଏକ ଉଲ୍ଲାସ ରହିଛି। ଆଉ ରହିଛି ନିଜ ଘରକୁ ଫେରିଆସିବାର ଏକ ଅନୁଭୂତି। ଅନ୍ତତଃ ମୋର ବ୍ୟକ୍ତିଗତ ଅନୁଭବ ସେହିପରି।
ଘରକୁ ଫେରିବାର ଏହି ଅନୁଭୂତି ଆମକୁ ଏହି ପ୍ରବନ୍ଧର ଶେଷ ନିକଟକୁ ନେଇଆସୁଛି।
ଆସନ୍ତୁ, କାଟୁଲସ୍ଙ୍କ ଆଉ ଏକ ଛୋଟ ରଚନା ସହିତ ଏହାକୁ ଶେଷ କରିବା। ନିକଟରେ ଆବିଷ୍କୃତ ହୋଇଥିବା ଏବଂ ଏପର୍ଯ୍ୟନ୍ତ ଅଜ୍ଞାତ ରହିଥିବା ଏକ ଲେଖାର ଖଣ୍ଡିତ ଅଂଶର ଏହା ଏକ ମୋଟାମୋଟି ଅନୁବାଦ। ଏହା ରୋମୀୟ କବି କାଟୁଲସ୍ ଏବଂ ଜନ୍ ଡି. ପେପର୍ଙ୍କ ମଧ୍ୟରେ ହୋଇଥିବା ଏକ ସାକ୍ଷାତ୍କାରର ରୂପ ନେଇଥିବା ପରି ମନେହୁଏ:

John D. Pepper: Death.
Catullus: Death made me grow up.
John D. Pepper (henceforth Pepper): Love.
Catullus: Love made me endure.
Pepper: Malady.
Catullus: Malady does not rest.
Pepper: Passion.
Catullus: Passion bewildered me.
Pepper: Parsnips.
Catullus: Parsnips taste like violets.
Pepper: Violets.
Catullus: Violets smell like parsnips.
Pepper: Gods.
Catullus: Gods cause me to be silent.
Pepper: Bureaucrats.
Catullus: Bureaucrats make me melancholy.
Pepper: Tears.
Catullus: Tears are my sisters.
Pepper: Laughter.
Catullus: I wish I had a splendid laugh.
Pepper: Warfare.
Catullus: Ah, warfare.
Pepper: Humankind.
Catullus: Humankind is glass.
Pepper: Roses.
Catullus: I hate roses.
Pepper: The line.
Catullus: A line is just a lure.
Pepper: Why not take the shorter way home.
Catullus: There was no shorter way home.

Leave a Reply

Your email address will not be published. Required fields are marked *