ନିଷ୍ଠା

ସ୍ବୟଂ ଭଗବତ କଣ୍ଠ ନିସୃତ ପବିତ୍ର ଗ୍ରନ୍ଥ “ଗୀତା “କହେ ମନ ରୂପକ ସାରଥୀର ଶରୀର ରୂପକ ରଥରେ ଆତ୍ମା ରୂପକ ସବାରି ବସିଥାଏ । ସେଇ ରଥରେ ବନ୍ଧା ହୋଇଥାନ୍ତି ପାଞ୍ଚଟି ଦୁର୍ଦ୍ଦାନ୍ତ ଘୋଟକ, ଯୋଉମାନଙ୍କୁ ସମ୍ଭାଳିବା ନିହାତି ଅସମ୍ଭବ ପାଖାପାଖି କାମ । ମନ ସଇଶ ହାତରେ ଲଗାମ। ମନ ଯଦି ଚାହେଁ ସିଏ ପାରେ ଅସମ୍ଭବ କୁ ସମ୍ଭବ କରି । ସେଇ ଘୋଡା ମାନେ ହି ସର୍ବ କଷଣର ମୂଳ, ଯାହାଙ୍କ ଦୃତଗତି, କ୍ଷିପ୍ର ଚଞ୍ଚଳ ବୁଦ୍ଧି ଓ ଅସ୍ଥିର ମସ୍ତିଷ୍କର ଗୁଣ ଯୋଗୁଁ କାଳେ କାଳେ ବିଚରା ସବାରି ହୋଇ ବସିଥିବା ଆତ୍ମାଟି କଷଣ ଭୋଗେ, ପୀଡା ସହେ। କ୍ଷଣକର ଉନ୍ମାଦନା, ଉତ୍ତେଜନାରେ ଏଇ ଘୋଡାମାନେ ବାରମ୍ବାର ଅପଥକୁ ଆବୋରି ବସନ୍ତି । ମନ ଦମ୍ଭ ଧରି ଧୈର୍ଯ୍ୟ, ସାହାସ ଯୁଟେଇ ନିଷ୍ଠାର ସହ ଯଦି ସେଇ ଘୋଡା ମାନଙ୍କୁ ନିଜ ଅକ୍ତିଆରରେ କରିବାର ଚେଷ୍ଟା କରେ ତେବେ ହି ପାରେ । ହରିନାମ ହି ଛାଟ ପରି କାମ କରେ ।ଗନ୍ତବ୍ୟ ଈଶ୍ବର ପ୍ରାପ୍ତି ର ଦ୍ବାର ଯାଏ ସ୍ଥିରୀକୃତ ହୋଇଥାଏ । ମାତ୍ର ଅନେକ ଚକ୍ର କେବଳ ବାଟବଣା ହବାରେ କଟିଯାଏ । କାରଣ କୋଉଠି ବି ଟିକେ ନିଷ୍ଠାରେ ହଲଚଲ । ପୁରାବାଟ ଆମକୁ ସାବଧାନ ହୋଇ ଗାଡି ଚଳେଇବାକୁ ହି ହୁଏ । ପଞ୍ଚତତ୍ତ୍ୱର ଘୋଡାମାନଙ୍କୁ ପଥମନସ୍କ କରେଇବାକୁ ହିଁ ହୁଏ । ଷଡରିପୁ ଓ ଏହି ଜ୍ଞାନେନ୍ଦ୍ରିୟମାନଙ୍କ ପ୍ରଲୋଭନ, ମାୟା ସବୁମାନଙ୍କୁ ବଶୀଭୂତ କରିବାକୁ ହି ହୁଏ । ତେବେ ହି ମଣିଷର ଜନ୍ମ ଉଦ୍ଦେଶ୍ୟ ସାଧିତ ହୁଏ । ମୋକ୍ଷ ଦିଗରେ, ଆଲୋକ ଦିଗରେ, ମୁକ୍ତି ପଥ ଉଜ୍ୱଳ ଦିଶେ । ଏ ସବୁ କରାଏ କିଏ ? ଏକ ମାତ୍ର ” ନିଷ୍ଠା ” ଏକାଗ୍ରଚିତ୍ତରେ ଦୃଢତାର ସହ ଭକ୍ତିପୂତ ସମର୍ପିତ ନିଷ୍ଠା ହି ପାରେ । ଆମେ ଆମ ଭାଗ୍ୟ ର ନିର୍ମାତା ନହେଲେ ମଧ୍ୟ ଅନ୍ତତଃ କାରିଗର ତ ନିଶ୍ଚିତ । ଅନ୍ତଶ୍ଚେତନାରେ ଆମର ଚେତନା କେବଳ ମାତ୍ର ପାର୍ଥୀବ ସୁଖ ପରିପୂରଣ ଦିଗରେ ଧାଏଁନି, ନିଷ୍ଠା ର ସହ ଜୀବନର ସତ୍ଯ ଦିଗରେ ଅଗ୍ରସର ହେବା ହିଁ ଧର୍ମ ।

ମନେଥିବ ପିଲାଦିନେ ଆମେ ପଢିଥିବା ଏକ ଗପ ଯାହାର ଛବି ଆଜି ବି ଆମ ମସ୍ତିଷ୍କ ରେ ଛପା ହୋଇ ରହିଛି । କୋଉ ଗପ କହିଲେ ? ଅତି ସରଳ ଶୋଷିଲା କାଉର ଗପ । ମନେପଡେ ଏକ ମାଟିଆଲାଲମିଶା ଶୁଖିଲା ଛବି ,ଯୋଉଥିରେ ଶୁଖିଲା କଳା ଡାଙ୍ଗ ଖଣ୍ଡେ ପଡିଥିବ । ବିଚରା ତଣ୍ଟି ଶୁଖିଯାଉଥିବା କାଉଟି କେତେ ଉଡିବା ଖୋଜିବା ପରେ ମାଠିଆଟିଏ ପାଇବ ଯେ ,ତହିଁରେ ପୁଣି ପାଣି ଥିବ ମୁନ୍ଦେ, ଯାଇ କୋଉ ତଳେ ।ଶୋଷରେ ଫାଟିଯାଉଥିବା ତଣ୍ଟି କୁ ସିଏ କହିଥିବ,”ରହ ,ସାହାସ ରଖ” । ଇଛ୍ଛା ଥିଲେ,ଉପାୟ ଆପେ ଦିଶେ । ଚାଖଣ୍ଡେ କର ପକ୍ଷୀ ତତଲା ମାଟିରୁ ତତଲା ଗୋଡି ପୁଣି ହାଲିଆ ଝାଇଁ ମରା ଦେହରେ କେତେ ଯେ ଥର ନ ଉଠେଇଥିବ । ଥକିଯାଉଥିବା ଥଣ୍ଟକୁ ବଳ ଦେଇ କହୁଥିବ, “ହେଇପରା ପାଣି ଦିଶିଲାଣି, ଆଉ ଟିକିଏ…. ବାସ୍ ।” ତାର ଏଇ ଏକାଗ୍ରତା ଏଇ ନିଷ୍ଠା, ଏଇ ଦମ୍ଭ ହି ତାକୁ ଶେଷରେ ପାଣି ପାଖରେ ପହଞ୍ଚାଇଦିଏ । ନା ଏମିତି କହିବା ପାଣି ବାଧ୍ଯ ହୁଏ ତା’ ଥଣ୍ଟ ଯାଏ ପହଞ୍ଚିବାକୁ ତାର କଠିନ ନିରନ୍ତର ପରିଶ୍ରମ ଦେଖି । ଶେଷକୁ ସିଏ ତାର ଧୈର୍ଯ୍ୟର ଫଳ ପାଏ ଏବଂ ଶାନ୍ତିରେ ଉଡିବୁଲେ । ଯୋଉଠି ବିଲୁଆ ଆଉ ଆଙ୍ଗୁର କୋଳି ଗପରେ ବିଲୁଆ କହେ ,” ଅଙ୍ଗୁର କୋଳି ଖଟା ” । ତେବେ ସିଏ ଚାଖିଲା କୋଉଠି ଯେ ।

ନିଷ୍ଠାବାନ ହେବା ଏକ ସାଧନା, ଏକନିଷ୍ଠ ତପସ୍ୟା ।ଏଥିପାଇଁ ଅନେକ କିଛିର ତ୍ଯାଗ କରିବାକୁ ହୁଏ । ନିରାସକ୍ତ ହେବାକୁ ହୁଏ । କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପ୍ରତି ନିଷ୍ଠା ରଖିବା ଅର୍ଥ ସେଥି ସହ ନିଜର ସଂପୂର୍ଣ୍ଣ ବିଶ୍ବାସ ଯୋଡିବା ।ସ୍ଥୂଳ ଦୈନଦିନ ଜୀବନରେ, ବ୍ୟବହାରିକ ଘଟଣା ପ୍ରବାହ ଭିତର ଦେଇ ଆମକୁ ଏକ ଏକ ଲକ୍ଷ୍ୟ ଆବଶ୍ୟକ ସ୍ଥଳେ ଅନୁସରଣ କରିବାକୁ ହୁଏ । ମାତ୍ର ଆମର ପ୍ରକୃତ ଲକ୍ଷ୍ୟ ଓ ନିଷ୍ଠା କେବଳ ଓ କେବଳ ମାତ୍ର ସ୍ମରଣ ରଖିବା ଯେ ଯାବତୀୟ ଲକ୍ଷ୍ୟ ର ଏକ ପରମ ଶେଷ ଲକ୍ଷ୍ୟ ରହିଛି । ତାହା ହେଉଛି ଈଶ୍ବର ସଚେତନ ହେବା । ଏହି ସତ୍ୟକୁ ହୃଦୟଙ୍ଗମ ଓ ଅନୁସରଣ କରିପାରିଲେ ଆମର ସାମୟିକ ଲକ୍ଷ୍ୟର ଅର୍ଥ ବଦଳିଯିବା ସହ ଏକ ଭିନ୍ନ, ମହତ୍ତର ଅନୁଭବ ଆମ ଦୈନନ୍ଦିନ ଲକ୍ଷ୍ୟକୁ ଅନୁସରଣ କରିବ । ନିଷ୍ଠା ରଖିବା ଅର୍ଥ ଯାହା କହିବା ତାହା ହିଁ କରିଦେଖାଇବା । ସେମିତିରେ ପ୍ରକୃତ ଅର୍ଥରେ ଜ୍ଞାନ କହିଲେ ଏକ ଦିବ୍ୟଦ୍ୟୁତି ହି । ଅନନ୍ତ ଈଶ୍ୱରଙ୍କର ଏକ ଝଲକ ମାତ୍ର । ଆମେ ଜାଣୁଥିବା, ବୁଝୁଥିବା ବା ପାଳୁଥିବା ଜ୍ଞାନ, ନୀତି ଆଦି କେବଳ ଏକ କିୟଦ ଅଂଶ, ଏକ ଅମାପ ଅର୍ଣ୍ଣବର ଗଭୀରତମ ପ୍ରଦେଶର ଛିଟାଟିଏ ମାତ୍ର …. ମୋତିଟିଏ ମାତ୍ର ।

ଭଗବାନ ଅସୀମ, ତାଙ୍କର ବିଭୁତି ଅମାପ । ଦୟା, କ୍ଷମା, ଶାନ୍ତି, କରୁଣା, ଭକ୍ତି, ନିଷ୍ଠା ଆଦି ଆଦି ସମସ୍ତ ସୁଗୁଣ ବା ଅନ୍ଧାର ର ଅଭିବ୍ଯକ୍ତି  ସବୁ ତାଙ୍କରି ଠୁ ସୃଷ୍ଟ ତାଙ୍କରି ଠି ବିଲୀନ । ବିଗତ ଜ୍ଞାନ ଯେପରି ତାଙ୍କରି ପ୍ରେରଣାରୁ ଆସିଥିଲା, ନୂତନତା ମଧ୍ୟ ସେଇ ସମାନ ସ୍ରୋତରୁ ଆସୁଥାଏ, ଆସୁଥିବ । ଏହା ହି ତ ସୃଷ୍ଟି ର ବୈଶିଷ୍ଟ୍ୟ ….. ନିତ୍ୟନୂତନ ପ୍ରବର୍ତ୍ତନ ।

ନିଷ୍ଠା ତଥା ଅଧ୍ୟବସାୟ ଜୀବନକୁ ନୂତନ ରୂପ ସହ ନୂତନ ଦିଗଦର୍ଶନ ଦେଇଥାଏ । କର୍ମ, ଧର୍ମ, ବିଚାର, ବିଦ୍ୟା, ସାଧନା ସର୍ବତ୍ର ନିଷ୍ଠାର ପରାକାଷ୍ଠା ହି ସ୍ଥିର ଅମୃତ ଫଳପ୍ରସୂ ହୋଇଥାଏ ।

ଆମର ଗଳ୍ପ, କାହାଣୀ, କିମ୍ବଦନ୍ତୀ, ପୁରାଣ, ଇତିହାସ ରେ ନୈତିକ ଶିକ୍ଷା କ୍ରମରେ ହେଉ, ଦେଶ ଭକ୍ତି ରେ ହେଉ ଅବା ପବିତ୍ରତା, ପ୍ରେମ,ଜ୍ଞାନ, ଗ୍ରହଣଶୀଳତା, ଗୁରୁ/ ପିତମାତ ଭକ୍ତି ,ନମ୍ରତା,  ମାନବିକତା, ଆଧ୍ଯାତ୍ମିକତା,ଧ୍ଯର୍ଯ୍ଯ ଇତ୍ୟାଦି ଇତ୍ୟାଦି ଅନେକ ଭାବନାକୁ ପ୍ରତିପାଦିତ କରିବା କ୍ଷେତ୍ରରେ ନିଷ୍ଠାକୁ ଅଗ୍ରାଧିକାର ଦେଇ ସୃଷ୍ଟି ହେଇଛି ଅଜସ୍ର ସୃଜନ । ମଣିଷକୁ ସଠିକ୍ ପଥ ରେ ହାତ ଧରେଇ ନେଉଥିବା ଧର୍ମଗ୍ରନ୍ଥ, ଧର୍ମ ଗୁରୁ, ଶିକ୍ଷା ଅବା ଦିକ୍ଷା ଗୁରୁମାନେ ନିଷ୍ଠାକୁ ତାଙ୍କ ଶିକ୍ଷା ଦାନ ପଦ୍ଧତିରେ ପ୍ରଥମିକତା ଦେଇଛନ୍ତି । ଉଦାହରଣ ତ ଅଗଣିତ ତେବେ ଆମେ ମନେପକେଇପାରିବା ଆମର ମହାଗ୍ରନ୍ଥ ପୁରାଣ ମହାଭାରତର ଶବର ପୁତ୍ର ଅନନ୍ୟ ଅସାଧାରଣ ନିଷ୍ଠାବାନ ପ୍ରତିଭୂ ଏକଲବ୍ୟକୁ ।ଘଞ୍ଚ ଆରଣ୍ୟକ କୋଳେ ସାଧାରଣ ଶବର ପଲ୍ଲୀର ବାଳକ ଏକଲବ୍ୟ, ଯିଏ ବିଦ୍ୟାଶିକ୍ଷା ଆଗ୍ରହ ଓ ଆଶା କୁ ଗୁରୁଦେବ ଦ୍ରୋଣାଚାର୍ଯ୍ୟଙ୍କର ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ମଧ୍ୟ ନିଜର ଦୃଢନିଷ୍ପତ୍ତିକୁ ଜଳାଞ୍ଜଳି ନ ଦେଇ ସ୍ଥିର କଲା ଯେ ନା ସିଏ ଶିଖିବ । ନିଶ୍ଚିତ ଶିଖିବ । ତାର ଏଇ ମନୋବୃତ୍ତି ତାକୁ ବଳ ଦେଲା । ସିଏ ସଂକଳ୍ପ କଲା ଯେତେ କଠିନ ପଥ ହେଉ, ଯେତେ କଷ୍ଟ ସ୍ୱୀକାର କରିବାକୁ ପଡୁ ସିଏ ତାକୁ ମଥାପାତି ସହିନେବ କିନ୍ତୁ ଶିଖିବ । ନିଜ ଅଗଣାରେ ଗୁରୁଙ୍କର ମୃଣ୍ମୟୀ ପ୍ରତିମା ଗଢି ଏତେ ଦୂରରୁ ହି ନିଖୁଣ ଲକ୍ଷ୍ୟଭେଦ ବିଦ୍ୟା ସହ ଅନ୍ୟାନ୍ୟ ସମସ୍ତ ପାଠ ଏତେ ସୁନ୍ଦର ଅକ୍ତିଆର କରିବା କଣ କମ ଆଶ୍ଚର୍ଯ୍ୟ ର କୃତ୍ତି । କିଏ କରେଇ ନେଇ ପାରିଲା ତାଠୁ ଏହି ଆଶ୍ଚର୍ଯ୍ୟ କର୍ମ, ତାର ଏକାଗ୍ର ନିଷ୍ଠା ହି ତ । ନିଷ୍ଠା ନଥିଲେ ବୋଧ ହୁଏ ସିଏ ପ୍ରତ୍ୟାଖ୍ୟାନକୁ ସଯ୍ୟ କରିପାରିନଥାନ୍ତା । ସେଇଠି ହି ସବୁଦିନ ପାଇଁ ଲୁଚିହଜି ଯାଇଥାନ୍ତି “ଏକଲବ୍ୟ” ପରି ପ୍ରେରଣା ସ୍ରୋତର ନାମଟି ।

ଏହି ଲେଖାଟି ଲେଖିବା ବେଳେ ମୋର ମନେପଡେ, ପୁରୀ ବାଲିସାହି ହାଇସ୍କୁଲରେ ପଢୁଥିବା ବେଳେ ର ବାପାଙ୍କର (ଦେବେନ୍ଦ୍ର କୁମାର ପରିଡା) ଓ ମୋ ବୋଉର ସଂସ୍କୃତ ଗୁରୁ ଯାହାଙ୍କୁ କାଳିଆପଣ୍ଡିତି ସାର୍ ବୋଲି ସମସ୍ତେ ଜାଣନ୍ତି । (ବର୍ତ୍ତମାନର ସସମ୍ମାନୀୟ ସୁଖ୍ୟାତ ଭାସ୍କର୍ଯ୍ୟ ଓ ଚିତ୍ର ଶିଳ୍ପୀ ଶ୍ରୀ ରବି ରଥଙ୍କର ପୂଜ୍ୟ ସ୍ବର୍ଗତ ପିତା) ସୌଭାଗ୍ୟବଶତଃ ମତେ ମଧ୍ୟ ସଂସ୍କୃତ ବିଦ୍ୟା ଶିକ୍ଷାରେ କିଛିଦିନ ପଢେଇଥିଲେ । ସେଇ ପଢେଇବା ମଝିରେ ଥରେ କହିଥିଲେ, ” ତୋ ବାପା ଏମିତିକା ଛାତ୍ର ଯେ ଯଦି ମୁଁ ଖଡି ମୁଣ୍ଡୁଳିଟିଏ ଧରି ଏଇଠି ତାର ଏଇ ବୟସରେ ମଧ୍ୟ ଗୋଲଟିଏ ଆଙ୍କିଦେଇ ତାକୁ କହିବି ଏଇଠି ବସିଥା, ସିଏ ଚାରିଯୁଗ ବସିଥିବ । ମୁଁ ନ କହିଲା ଯାଏ ବ୍ରହ୍ମାଣ୍ଡ ହଲିଗଲେ ବି ସିଏ ହଲିବନି । ଏତେ ଦୃଢ ନିଷ୍ଠା ତୋ ବାପାର ଗୁରୁଭକ୍ତି ପ୍ରତି । ତାରି ଭଳି ହ ।” ମତେ ଆଜି ଯାଏ ଏଇ କଥାଟି ଖୁସି ଦିଏ । ମୋ ବାପାଙ୍କୁ ନେଇ ତାଙ୍କ ଗୁରୁଙ୍କର ଏତାଦୃଶ ମତ ଗୌରବାନ୍ବିତ କରାଏ ।

ସେହିପରି ଆରୁଣି, ଧ୍ରୁବ, ପ୍ରହଲ୍ଲାଦ,ଆଦି ଆଦି ଅସରନ୍ତି ମୁକ୍ତା ର ଦୃଷ୍ଟାନ୍ତ ସ୍ପଷ୍ଟ ଝଲସନ୍ତି ନିଜ ନିଜର ଚମକରେ । ଉଜ୍ୱଳ ଜ୍ୟୋତିଷ୍କ ସେମାନେ ଚିରଦିନ ଏଇ ନଭମଣ୍ଡଳରେ ।

ତେବେ ଆମର ବିଷୟ ବସ୍ତୁ ନିଷ୍ଠାକୁ ନେଇ ବର୍ତ୍ତମାନ ସମୟ ରେ ଆମେ କଣ ପରିଲକ୍ଷିତ ହେଉଛି ଦେଖିବା । ବର୍ତ୍ତମାନ ସମୟ ଏକ ଦ୍ବନ୍ଦର ସମୟ । ବୈଷୟିକ, ବିଜ୍ଞାନ, ଯାନ୍ତ୍ରିକ, ବାଣିଜ୍ଯ ଉପନିବେଶ ,ନାରୀପ୍ରଗତି ଆନ୍ଦୋଳନ ଇତ୍ୟାଦି କ୍ଷେତ୍ରରେ ଆମେ ଅନେକ ଆଗେଇଛୁ । ମାନବୀୟ ଗୁଣାବଳୀ, ସମ୍ବେଦନଶୀଳତା, ଭାବନା, ଆଧ୍ୟାତ୍ମିକତା ଆଦି ଦିଗ ସବୁରେ ମଝିରେ ଅନେକ ପତନମୁଖୀ ହୋଇଥିଲେ ମଧ୍ୟ ଅଧୁନା ଲାଗେ ସେ ସବୁ ନେଇ ଆମେ ପୁନଃବିଚାର ସ୍ଥରରେ ପହଞ୍ଚିଛୁ । ଏବେ ଆମେ ଦେଖିବାକୁ ପାଉଛେ  ସାହିତ୍ୟ, ଚଳଚିତ୍ର, ମୂର୍ତ୍ତି କଳା, ଭାସ୍କର୍ଯ୍ୟ ତଥା ଚିତ୍ରଶିଳ୍ପ, ବିଜ୍ଞାପନ ଶିଳ୍ପ ଆଦିରେ ଏକ ପରିବର୍ତ୍ତନ( revolution ) ର ଛବି ଦୃଶ୍ୟମାନ । ମଣିଷ ର ଚେତନା ତାକୁ ଡାକୁଛି ପୁଣି ମଣିଷ ହେବାକୁ ।ପରବର୍ତ୍ତୀ ପୀଢିର ସନ୍ତାନ ମାନେ ଯେମିତି ଗଢିହେବେ ଆଗାମୀ ପୃଥିବୀର ଜଳଛବି ସେହିପରି ହେବ ବୋଲି ଅନୁମେୟ । କିନ୍ତୁ ବର୍ତ୍ତମାନ ଜନ୍ମ ନେଉଥିବା ପିଲେ ଆମ ଠାରୁ କାହିଁ କେତେ ଆଗରେ ଚେତନା ସ୍ଥରରେ ଦେଖିବାକୁ ଗଲେ । ଆବଶ୍ୟ ଭଲ ମନ୍ଦ ଦୁଇଟି ଯାକ ଦିଗକୁ ଦୃଷ୍ଟିରେ ରଖିବାକୁ ହେବ । ଆମେ ନିଅଣ୍ଡରଥାଲ ମାନବରୁ ଆଜି ପର୍ଯ୍ୟନ୍ତ କରିଥିବା ଯାତ୍ରା କହେ ମଣିଷ ତାର ନିଷ୍ଠା, ପ୍ରବଳ ଇଛ୍ଛା ଶକ୍ତି ଓ ଅଧ୍ୟବସାୟକୁ ଆଧାର କରି ଉତ୍ତରୋତ୍ତର ଉନ୍ନତି କରିଚାଲିଛି । ତେବେ ପରବର୍ତ୍ତୀ ପିଲେ ଆହୁରି ଉନ୍ନତ, ସଶକ୍ତ, ଦିବ୍ୟ, ଗୁଣୀ ହେବେ ଏଥିରେ ଦ୍ୱିମତ ନାହିଁ । ତାଙ୍କ ଭିତରର ମାନବ ସତ୍ତାକୁ ମଝିରେ ରଖିଲେ ତଳେ ରାକ୍ଷସ ଓ ଉପରେ ଦେବସତ୍ତା ଦୃଶ୍ୟ ମାନ । ତେବେ ନିଷ୍ଠାର ସହ ଆମେ ସେଇ ଦେବତ୍ୱ ବା ତତ୍ତୋପରି ଏକ ଅତିମାନବିୟ ସ୍ଥିତିପ୍ରଜ୍ଞତା କୁ ଉନ୍ନତ ହେଇପାରିବା ନିଶ୍ଚିତ । ଏବଂ ଏହି ସକାରାତ୍ମକତା ସବୁରି ଭିତରେ ବିଶ୍ବାସ ଭରୁ ଯେ ଈଶ୍ବର ତ ସବୁ କୋଣ ଅନୁକୋଣରେ ଅନେକ ଜଡ, ସ୍ଥାବର, ଚେତନ, ଜୀବନ ଅବସ୍ଥାରେ ଅଛନ୍ତି । ଆମର ନିଷ୍ଠା ତାଙ୍କୁ ସୁପ୍ତ ଅବସ୍ଥାରୁ ଜାଗ୍ରତ କରୁ ବିଭିନ୍ନ ଭାବରେ,ଆସ୍ଥାରେ, କର୍ମରେ, କରୁଣାରେ, ସଚରାଚର ସବୁରିଭିତରେ । ଆନନ୍ଦମୟ ହେଉ ଧରା, ଯେଉଁ ଆନନ୍ଦ ର ନା ଆରମ୍ଭ ନା ଅନ୍ତ, ଯାହା ପରିବ୍ୟାପ୍ତ ଅସୀମ  ।

ପାନାଥୁର, ବାଙ୍ଗାଲୋର, 9731057014