କାହା ଭୁଲ୍ ପାଇଁ!

ଯେତେବେଳେ ସେ ଫସିଥିବା ବଗି ଭିତରୁ 
ମୁଁ ତା' ହାତ ଧରି ବାହାରକୁ ଟାଣି ଆଣୁଥିଲି,
ଯେତେବେଳେ ତା' ମୁଣ୍ତରୁ ବୋହୁଥିବା ରକ୍ତଧାରକୁ
ବନ୍ଦ କରିବା ପାଇଁ
ତା' ମୁଣ୍ଡରେ ମୋ' ରୁମାଲ୍
କି ମୋ' ସାର୍ଟ ଖୋଲି ପଟି ବାନ୍ଧୁଥିଲି,
ଯେତେବେଳେ ତା' ତୃଷାର୍ତ୍ତ ଓଠକୁ
ଟିକିଏ ଓଦା କରିବାକୁ
ତାକୁ ପାଣି ପିଆଉଥିଲି,
ଯେତେବେଳେ
କାଳେ ତା' ହଲଚଲ୍ ହେଉନଥିବା ଦେହରେ
ଜୀବନ କେଉଁଠି ବାକି ରହି ଯାଇଥିବ ଭାବି
ତା' ହୃତସ୍ପନ୍ଦନ ଯାଞ୍ଚ୍ କରୁଥିଲି
ସେତେବେଳେ ବିଲକୁଲ୍ ଯାଞ୍ଚ୍ କରି ନଥିଲି
ତା'ର ଆଧାର କାର୍ଡ।
ଯେତେବେଳେ ତାକୁ
ଆମ୍ବୁଲାନ୍ସ ଆଡ଼କୁ ବୋହି ନେଉଥିଲି,
ଯେତେବେଳେ ତାକୁ ବଞ୍ଚାଇବାକୁ ଯାଇ
ରକ୍ତଦାନ କରିବାକୁ
ହସ୍ପିଟାଲ୍ ବାହାରେ ଧାଡ଼ି ଲଗେଇଥିଲି,
ଯେତେବେଳେ ତା' ଆତ୍ମୀୟଙ୍କ ସହ ମିଶି
ତାକୁ ଭିଡ଼ ଭିତରେ,
ମୃତାହତଙ୍କ ଗହଣରେ ଖୋଜୁଥିଲି
ସେତେବେଳେ ବି
ମୁଁ ପଚାରି ନଥିଲି ତା'ର ଧର୍ମ କ'ଣ!
ଜାଣି ନ ଥିଲି
ମୁଁ ଦାନ କରିଥିବା ରକ୍ତ
ୟା ପରେ କେଉଁ ଜାତି କି କେଉଁ ଧର୍ମର ଲୋକର
ଧମନୀରେ ପ୍ରବାହିତ ହେବ!
ମୁଁ ଜାଣି ନଥିଲି ବି
ଏତେ ବଡ଼ ଦୁର୍ଘଟଣା ଘଟିଲା କେମିତି!
କ'ଣ ପାଇଁ ବଳି ପଡିଲା ଏତେ ଗୁଡ଼ିଏ ଜୀବନ!
କେଉଁ ଅଶୁଭ ଅପଦେବତାର ଆଶୀର୍ବାଦରେ
ଖିନଭିନ୍ ହୋଇଗଲା କାହାର ସଂସାର,
କାହାର ସ୍ବପ୍ନ!
ପୁଣି ଉଜୁଡି ଗଲା
କାହାର ଶଙ୍ଖା- କାହା ସିନ୍ଦୂର!
କିଏ କାମ ଖୋଜି ବାହାରିଥିଲା
ବାପା-ମା' ମୁହଁରେ ଆହାର ଦେବାକୁ,
କିଏ ଘରକୁ ଫେରୁଥିଲା
କେତେ ବର୍ଷ ପରେ,
କିଏ ତରତର ହେଉଥିଲା ଘରେ ପହଞ୍ଚି
ତା' ନବଜାତକକୁ ଦେଖିବା ପାଇଁ,
କାହାର ବାହାଘର ଠିକ୍ ହୋଇଥିଲା,
କାହାର ଏଇ ଏବେ ଏବେ ବାହାଘର ହୋଇଥିଲା,
କାହାର ମା' ପୁଅର ଶୁଭ ମନାସି ଦୀପ ଜାଳିଥିଲା,
କାହା ବାପାଙ୍କ ଆଖି ଝିଅ ଆସିବା ଖୁସିରେ
ଉଜ୍ଜ୍ବଳି ଉଠୁଥିଲା!
ହେଲେ କେଜାଣି କେମିତି
ସବୁ ଓଲଟପାଲଟ ହୋଇଗଲା ଘଡିକ ଭିତରେ!
ନା' ସେତେବେଳେ ମୁଁ
ଜମା ବି କିଛି ଭାବିବା ଅବସ୍ଥାରେ ନଥିଲି
ଯେତେବେଳେ ତା' ଷ୍ଟ୍ରେଚର ସହ ତରତର ହୋଇ
ମୁଁ ବି ହସ୍ପିଟାଲ୍ ଭିତରକୁ ଯାଉଥିଲି,
ଯେତେବେଳେ ବିକଳ ହୋଇ ତରତରରେ
ଆହତ ମାନଙ୍କ ତାଲିକା ପ୍ରସ୍ତୁତ କରୁଥିଲି,
ଯେତେବେଳେ ମୁଁ ତା' ମଥାକୁ ଆଉଁସି ଦେଇ
ସେ ଭଲ ହୋଇଯିବ ବୋଲି ଭରସା ଦେଉଥିଲି,
ତା' ପାଖରେ ଠିଆ ହୋଇ
ତା' ଆରୋଗ୍ୟ କାମନା କରୁଥିଲି।
ହେଲେ ଏବେ ତ ଉତ୍ତର ଦିଅ;
କାହିଁକି ତୁମେ ମାନେ ମୋ' ଭିତରେ
ବାରମ୍ବାର ପୂରାଇବାକୁ ଚେଷ୍ଟା କର
ଜାତି-ଧର୍ମର ବିଭେଦ!
କାହାର ଭୁଲ୍ ପାଇଁ ଆଜି ଉଜୁଡି ଗଲା
ଏତକ ସଂସାର!
ଲିଭିଗଲା କେତେ କେତେ ଦୁର୍ମୂଲ୍ୟ ଜୀବନ!!!

About Preeti Prajna Pradhan

Preeti Prajna Pradhan is a writer based in Bhubaneswar.

View all posts by Preeti Prajna Pradhan →