ନମସ୍କାର:କବି ଓ ସୂର୍ଯ୍ୟ

[ ଆଲେଖଟି ଆଠବର୍ଷ ତଳର । ପ୍ରିୟକବି ଏବଂ ପ୍ରିୟଜନ ରାଜେନ୍ଦ୍ର କିଶୋରଙ୍କ ଜନ୍ମଦିନ ଉପଲକ୍ଷେ ଏଇଟି ଥିଲା ଏକ ନିବେଦନ ।

ହୁଏତ ଆଜିର ଏଇ ଅବର୍ତ୍ତମାନରେ ଆମେ ସାର୍ ଙ୍କୁ ଏଇଭଳି ବୁଝିପାରିବା।]

ଶ୍ରୀଯୁକ୍ତ ରାଜେନ୍ଦ୍ର କିଶୋର ପଣ୍ଡା
ସମ୍ମାନାସ୍ପଦେଷୁ

ଆଜି ଜୁନ୍ ୨୪ ତାରିଖ ଆପଣଙ୍କର ଶୁଭ ଜନ୍ମଦିନ।ଏଇ ଅବସରରେ ମୁଁ ଆପଣଙ୍କର ସୁସ୍ଥ ନିରାମୟ ଦୀର୍ଘ ଜୀବନ ଓ କବିତାର ସଫଳ ଯାତ୍ରା କାମନା କରୁଛି।

ସାର୍ ଆଜି ଜୁନ୍ ୨୪ ତାରିଖର ସୂର୍ଯ୍ୟ ସ୍ୱତନ୍ତ୍ର।

ହୁଏତ ଏଇଲେ ମୁଁ ଯେତେବେଳେ ଆଜିର ସୂର୍ଯ୍ୟଙ୍କ କଥା ଲେଖିବାକୁ ବସିଛି ସେତେବେଳେ ଅଧିକାଂଶଙ୍କର ଆଜିର ସକାଳର ସୂର୍ଯ୍ୟଙ୍କ କଥା ଆଦୌ ମନେ ନଥିବ।ଆଜି ଆମର ଦିନଟି ସାରା କ’ଣ କ’ଣ ଘଟିଗଲା ତାହାର କହିବାକୁ ଗଲେ ଏକ ତୃତୀୟାଂଶ ଆମର ମନେ ରହିଥିବ, ଯଦି ଆମେ କେହି ଆମର ଆଜି ଦିନଟିକୁ ପୁନର୍ନିମାଣ କରିବାର ଚେଷ୍ଟା କରୁ ତେବେ। ଅବଶ୍ଯ ଆଜି ଦିନଟିରେ ଯେଉଁମାନେ ଘୋର ଦୁର୍ବିପାକ ଜନୀତ ସନ୍ତାପ ଭୋଗିଥିବେ ସେମାନଙ୍କ କଥା ଅଲଗା।ଆମେ ଏମିତିରେ ଆମ ଜୀବନର ଏକ ତୃତୀୟାଂଶ ମନେ ରଖିଛୁ। ଆମର କବି ଲେଖକ ମାନେ ଅଧିକ ମନେ ରଖନ୍ତି।ସେମାନେ ଅଧିକ ମନେରଖିବା ପଛରେ ଯୁକ୍ତିଟି ହେଲା ଯେ ସେମାନେ ନିଜ ଜୀବନରୁ ଯେତିକି ମନେ ରଖିଲେ ତାହା ତ ରହିଛି,ତାହା ସହିତ ସେମାନଙ୍କ ସାହିତ୍ୟ ଜୀବନ ସେମାନଙ୍କୁ ପରେ ଅନେକ କିଛି ମନେ ପକାଇବାରେ ସାହାଯ୍ୟ କରିଥାଏ।ଜଣେ କବିକୁ ତାହାର ନିଜ କବିତା ଟି ପରେ ପଢିଲା ବେଳକୁ ସେହି କବିତା ରଚନାର ପୃଷ୍ଠଭୂମି,ମାନସିକତା ଓ କିଛି ସଂଲଗ୍ନ ଚରିତ୍ର ମାନେ ନିଶ୍ଚିତ ଆସିବେ ଓ ଅନେକ କଥା ମନେ ପକାଇବା ଦେବେ।ଏହା ସହିତ ଯେଉଁ ସାହିତ୍ୟିକ ମାନେ ଅସାହିତ୍ୟିକ କାର୍ଯ୍ୟକ୍ରମ ରେ ସାଂସ୍କୃତିକ ଆନନ୍ଦ ପାଇଥାନ୍ତି ସେମାନଙ୍କର ମନେ ରଖିବାର ମାତ୍ରା ଅଧିକ ବୋଲି ବିବେଚନା କରାଯାଇ ପାରେ।ସାର୍ ବୟସ ର ଗଡାଣୀରେ ସ୍ମୃତିଶକ୍ତି ଅନ୍ଯାନ୍ଯ ଯୌବନସୁଲଭ କାର୍ଯ୍ଯ ପରି ଦୁର୍ବଳ ହୋଇଯାଉଥିବା ବେଳେ ସେଥିପାଇଁ କିନ୍ତୁ ହମହମ ଭାବଟି ପ୍ରବଳ ରୁ ପ୍ରବଳତର ହେଉଥିବା କାରଣରୁ ମନେ ରଖିବା କଥାଟି ଉଠେଇଲି।

ସାର୍ ଆଜି ସୂର୍ଯ୍ୟ ଅନ୍ୟ ଦିନର ସୂର୍ଯ୍ୟଙ୍କ ଠାରୁ ଭିନ୍ନ।କାରଣ ଆଜି ତାଙ୍କର ଜନ୍ମ ଦିନ।ଆପଣଙ୍କ ପରି ତାଙ୍କର ବି ଆଜି ଜନ୍ମ ଦିନ।ଏହାକୁ ମୁଁ ପ୍ରତୀକ କି ଇଂଗିତ ରେ କହୁନାହିଁ।ଏହା ନିରାଟ ବାସ୍ତବ।ଆଜି ସକାଳେ ଅର୍ଥାତ୍ ଜୁନ୍ ମାସ ୨୪ ତାରିଖରେ ସୂର୍ଯ୍ୟଙ୍କ ଜନ୍ନଦିନ ପାଳନ ହୋଇ ଯାଇଛି।

ସାର୍ ସୂର୍ଯ୍ୟଙ୍କ ଜନ୍ମଦିନ ପାଳନ ଉତ୍ସବକୁ “ଇଣ୍ଟି ରାୟମି” ବୋଲି କୁହାଯାଏ।ଇନକା ସାମ୍ରାଜ୍ୟ ସହ ସଂପୃକ୍ତ ଅଂଚଳ ଯଥା ଦକ୍ଷିଣପୂର୍ବ ୟୁରୋପର ଷ୍ଟେପି ଅଂଚଳ,ଆଣ୍ଡିସ ପର୍ବତମାଳା ଅଂଚଳ,ପେରୁ ଓ ବଲିଭିଆ ରେ ଏହା ପାଳନ କରାଯାଏ।ଇନକା ସାମ୍ରାଜ୍ୟରେ ଏଇ ଉତ୍ସବ ସୂର୍ଯ୍ୟ ଦେବତା ତଥା “ଇଣ୍ଟି ” ଙ୍କର ସମ୍ମାନରେ ପାଳନ ସୋଇ ଆସୁଥିଲା। ୧୯୪୪ ମସିହାରେ “କୁଜକୋ” Cusco ବୋଲି ପେରୁ ର ଗୋଟିଏ ସହରରେ ଜୁନ ମାସର ୨୪ ତାରିଖ ଦିନ ଏହି” ଇଣ୍ଟି ରାୟମି” ବୋଲି ସୂର୍ଯ୍ୟଙ୍କ ଜନ୍ମଦିନ ପାଳନର ଉତ୍ସବ ଟି ଗୋଟିଏ ଥିଏଟର୍ କରି ପାଳନ କରାଯାଇଥିଲା।ଏହି ଥିଏଟର୍ କରି ଉତ୍ସବ ପାଳନଟି ଲୋକ ମାନଙ୍କର ଅଧିକ ପସନ୍ଦ ହୋଇଥିଲା।ତାହା ପରଠାରୁ ଲୋକେ ଗୋଟିଏ ତାରିଖ ପାଇଗଲେ ପର୍ବ ପାଳନ ପାଇଁ।ତାହା ପରଠାରୁ ସୂର୍ଯ୍ୟଙ୍କ ଜନ୍ମଦିନ ହୋଇଗଲା ଜୁନ୍ ମାସ ୨୪ ତାରିଖ।

ସାର୍ ସୌଭାଗ୍ୟକୁ ଆପଣ ଙ୍କ ଜନ୍ମଦିନ ବି ୧୯୪୪ ମସିହା ଜୁନ୍ ୨୪ ତାରିଖ।ସୂର୍ଯ୍ୟ ସେଇଦିନଠୁ ତାଙ୍କର ଜନ୍ମ ତାରିଖ ପାଇଲା ଭଳି ଓଡିଆ କବିତା ତାହାର “ଶୈଳକଳ୍ପ” କୁ ଆବାହନ କରିଥିଲା ସେଇଠୁ।

ସୂର୍ଯ୍ୟ ଓ ଆପଣ ଉଭୟ ଆମପାଇଁ ଗୁରୁତ୍ୱପୂର୍ଣ୍ଣ ।

ଆରମ୍ଭ ରେ ଚାରିଆଡେ ଅଂଧାର।ଘନଘୋର ତମସା।ନିରବଛିନ୍ନ ରାତ୍ରୀ।ପ୍ରଥମ ପୁରୁଷ ଆଉ ପ୍ରଥମ ନାରୀ ଙ୍କ ସହ ଜନ୍ମ ନେଲେ ସୂର୍ଯ୍ୟ।ଜଳରୁ।ତିତିକାକା ବୋଲି ଗୋଟିଏ ହ୍ରଦର ଜଳରୁ।

ସେତେବେଳର ଦେବତା ମାନଙ୍କର ଦେବତା “ବୀରକୋଜା” ନିର୍ମାଣ କରିଥିଲେ ଆମର ଏଇ ସୂର୍ଯ୍ୟଙ୍କୁ ଯାହାଦ୍ୱାରା ନାରୀ ପୁରୁଷ ପରସ୍ପରକୁ ଚିହ୍ନି ପାରିବେ।

ଆଉ ଯାହା ହେଉକି ନହେଉ ତାହା ପରଠାରୁ ପ୍ରତିଷ୍ଠିତ ହେଲା ଆମର ଏଇ ଜାଗତିକ ବିଶ୍ୱରେ,ଆଖି। ମାଳ ମାଳ ଆଖି।

ସାର୍ ଆପଣଙ୍କୁ ଆଉ ସୂର୍ଯ୍ୟଙ୍କୁ ନମସ୍କାର ।
ଶୁଭ ଜନ୍ମଦିନ ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

One Comment on “ନମସ୍କାର:କବି ଓ ସୂର୍ଯ୍ୟ”

Comments are closed.