କିଛି ଦୃଶ୍ୟ-କଥା ଓ ଛବିଟିର ନାଆଁ “ଇନ୍ଦ୍ରଧନୁ”

ଛବିଟିର ନାଆଁ “ଇନ୍ଦ୍ରଧନୁ”।

ତରୁଣ କବି ଆଉ କଥାକାର ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ ପରିକଳ୍ପିତ,ତରୁଣ ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟଙ୍କ ନିର୍ଦ୍ଦେଶିତ ତଥା ତରୁଣ କଥାକାର ନିଖିଳେଶ ମିଶ୍ର, ସୂର୍ଯ୍ୟସ୍ନାତ ତ୍ରିପାଠୀ, ସରୋଜ ବଳ ଏବଂ ବାଦଲ ମହାନ୍ତିଙ୍କ ଲିଖିତ ସ୍ୱତନ୍ତ୍ର ଗୋଟିଏ ଗୋଟିଏ କାହାଣୀରେ ସୁସଜ୍ଜିତ ହୋଇଥିବା ସାତୋଟି କାହାଣୀ-ରଂଗର ସଂଭାରରେ ସମୃଦ୍ଧ ଏଇ ଛବି,ଯାହାର ନାଆଁ “ଇନ୍ଦ୍ରଧନୁ” । ଇନ୍ଦ୍ରଧନୁର ରଂଗମାନକୁ ନେଇ ଏଇ ଛବିଟିକୁ ଉପଶୀର୍ଷକରେ ଭାଗ କରାଯାଇଛି,ତେଣୁ ଛବିଟିର ଅଂଶଭାଗ ରହିଛି ଯଥାକ୍ରମେ, ବାଇଗେଣୀ, ଘନନୀଳ, ନୀଳ, ସବୁଜ, ହଳଦୀ, ନାରଙ୍ଗୀ ଓ ଲାଲ।

ପ୍ରାଥମିକ ଭାବରେ କହିବାକୁ ଗଲେ ଏଇ ଛବିଟି ଯାହାର ନାଆଁ ଇନ୍ଦ୍ରଧନୁ ତାହା ବସ୍ତୁତଃ ତାରୁଣ୍ୟର
ସମ୍ମିଳିତ ଦୃଶ୍ୟମୟ ସାହିତ୍ୟ ଉଚ୍ଛ୍ୱାସର ଏକ ସୁରମ୍ୟ ପ୍ରବାହ।

ଛବିଟିକୁ ଦେଖିବା ଆଗରୁ ଉପସ୍ଥିତ ଲେଖକ ମନେ ମନେ ସ୍ଥିର କରିନେଇଥିଲା ଯେ ସେ ଏଇ ଭଳି ତରୁଣମାନଙ୍କର ଗୋଟିଏ ଆୟୋଜନକୁ ଜଣେ ଅନୁଗତ ତଥା ନିର୍ଦ୍ଦେଶିତ ଦର୍ଶକ ଭଳି ଉପଭୋଗ କରିବ,ଛବିଟି ଯାହା ଦେଖାଉଥିବ ସେଇ ଦୃଶ୍ୟକାହାଣୀ ସହ ସେ ଏକ ପ୍ରକାରେ ଗଡିଗଡି ଚାଲିବ,ମନେ ମନେ ସେଥିରେ କୌଣସି ବିଚାର, କୌଣସି ତୁଳନା, କୌଣସି ତାତ୍ପର୍ଯ୍ୟାର୍ଥ ଖୋଜିବ ନାହିଁ। ସରଳ ଭାବରେ କହିଲେ ଛବିଟିକୁ ଦେଖିବା ବେଳେ ସେ ନିଜର ସମାଲୋଚକ ସତ୍ତାକୁ ସ୍ୱତନ୍ତ୍ର କରି ରଖିବ। ସେମିତି ଭାବରେ ଜଣେ ଦର୍ଶକ ହୋଇ ଛବିଟିଏ ଦେଖିବା ଆଦୌ ସହଜ କଥା ନୁହଁ । କିନ୍ତୁ ଏଇ ଯେଉଁ ଛବି ଯାହାର ନାଆଁ ଇନ୍ଦ୍ରଧନୁ ଉପସ୍ଥିତ ଲେଖକକୁ ଅନେକ ପରିମାଣରେ ନିର୍ଦ୍ଦେଶିତ ଦର୍ଶକ ଭଳି ବାନ୍ଧି ରଖି ପାରିଛି। କାହିଁକି ଆଉ କେଉଁପରି ତାହା ଉପସ୍ଥିତ ଲେଖକକୁ ବାନ୍ଧି ରଖିଥିଲା, ସେକଥା ଟିକିଏ ପରେ।

ଜଣେ ଲେଖକର ବା ଅନେକ ଲେଖକଙ୍କର କେତେଗୁଡିଏ କାହାଣୀର ଆଧାରରେ ନିର୍ମିତ ପୂର୍ଣ୍ଣ ଦୈର୍ଘ୍ୟର କେତୋଟି ଛବିକୁ ଉପସ୍ଥିତ ଦର୍ଶକ ଆଗରୁ ଦେଖିବାର ସୁଯୋଗ ପାଇଛି। ଗୁଡିଏ କାହାଣୀର ସମାହାରରେ ନିର୍ମିତ ହୋଇଥିବା ଛବିଗୁଡିକୁ ଅନେକ ସମୟରେ ଜଣେ ନିର୍ଦ୍ଦେଶକ ପରିଚାଳନା କରିଥିବା ବେଳେ, ଭିନ୍ନ ଭିନ୍ନ କାହାଣୀ ରହିଥିବା ଛବିକୁ ଭିନ୍ନ ଭିନ୍ନ ନିର୍ଦ୍ଦେଶକ ସ୍ୱତନ୍ତ୍ର ଭାବରେ ବି ଏକାଠି ନିର୍ମାଣ କରିଛନ୍ତି। ଏପରିକି ଗୋଟିଏ ଛବିରେ ଗୋଟିଏ କାହାଣୀର ଘଟିଥିବା ଘଟଣାକୁ କାହାଣୀର ଭିନ୍ନ ଭିନ୍ନ ଚରିତ୍ରର ଦୃଷ୍ଟିକୋଣ ଯାହାକୁ ଆମେ ଇଂରେଜୀରେ “ପଏଣ୍ଟ ଅଫ୍ ଭିଉ” ବୋଲି କହିବା ତାହାକୁ ଆଧାର କରି କେତେଜଣ ନିର୍ଦ୍ଦେଶକ କାମ କରିଥିବା ଏକ ଛବିକୁ ଉପସ୍ଥିତ ଲେଖକ ଦେଖିଛି। କହିବା କଥା ହେଉଛି ଏଇ ଭଳି କେତେଗୁଡିଏ କାହାଣୀକୁ ଏକାଠି କରି ନିର୍ମିତ ହୋଇଥିବା ଗୋଟିଏ ପୂର୍ଣ୍ଣ ଦୈର୍ଘ୍ୟର ଛବିର କ୍ଷେତ୍ରରେ ପ୍ରଥମ ସମସ୍ୟା ହେଉଛି କେଉଁ ସୂତ୍ରରେ ଏଇ ସବୁ କାହାଣୀଗୁଡିକ ଏକତ୍ର ହୋଇଛନ୍ତି ଆଉ ସେଇ ସୂତ୍ରଟି ଆମକୁ କେତେ ପ୍ରଭାବୀ ଢଂଗରେ ସଂପ୍ରେଷିତ କରିପାରିଛି ? ଦ୍ୱିତୀୟ କଥାଟି ହେଉଛି ସଂଶ୍ଳିଷ୍ଟ କାହାଣୀ ଗୁଡିକ ମଧ୍ୟରେ ସମସ୍ତ କାହାଣୀର ଦୃଶ୍ୟ-ସଂଚାରଣ-ମାନକ ସମାନ ହୋଇଥିବା ଆବଶ୍ୟକ,ଯଦି ସେପରି ହୋଇନଥାଏ ତେବେ ଛବିର ଶେଷରେ ଯେଉଁ କାହାଣୀର ବଳିଷ୍ଠ ଦୃଶ୍ୟରୂପ ରହିଥିବ ତାହା ହିଁ ଦର୍ଶକର ମାନସପଟଳରେ ରହିଯିବ ଆଉ ସେଇ ସବୁ କାହାଣୀ ତାହାର ଅନ୍ୟାନ୍ୟ ସଂଗୀସାଥିଙ୍କୁ ଏକ ଅଲିଖିତ ପ୍ରତିଯୋଗୀତାରେ ଅବତ୍ତୀର୍ଣ୍ଣ କରାଇ ତାହାକୁ ଏକପ୍ରକାର ଚିତପଟାଙ୍ଗ କରିଦେଉଥିବ। ତେଣୁ ବସ୍ତୁତଃ ଅନେକ ଗୁଡିଏ କାହାଣୀକୁ ନେଇ ନିର୍ମିତ ଏକ ପୂର୍ଣ୍ଣ ଦୈର୍ଘ୍ୟର ଛବିରେ ଅଭିନୟକୁ ନେଇ,କାହାଣୀକୁ ନେଇ ତାହାର ଅଂଶଗୁଡିକ ଭିତରେ ଦର୍ଶକ ମନରେ ବିଶେଷ ଭାବରେ ଏକ ପ୍ରକାର ପାରସ୍ପରିକ ସମର ଜାରି ରହିଥାଏ। ତାହାର ଫଳ ଆମର ଛବିଟିର ଉପରେ ରହିବାକୁ ଥିବା” ଫୋକସ”କୁ ବ୍ୟାହତ କରିଥାଏ। ଏଇଠି କହିବା ଉଚିତ ହେବ ଯେ,ପୃଷ୍ଠା ନିମନ୍ତେ ଲିଖିତ ପାଠ୍ୟ-କାହାଣୀ ଏବଂ ପରଦା ନିମନ୍ତେ ଲିଖିତ ଦୃଶ୍ୟ-କାହାଣୀ ଉଭୟ ସମାନ ନୁହଁନ୍ତି। ପାଠ୍ୟ-କାହାଣୀରେ ଘଟଣା-ଚରିତ୍ର ର ସମସ୍ତ ଇଙ୍ଗିତ ପାଠକ ଭିତରେ ଏକ ଅଲିଖିତ ସେରିବ୍ରେସନ ବା ମାନସ-କର୍ମର ଉପଜାତ କରିଥାଏ ଯାହା ଫଳରେ କି ପାଠକ ନିଜ ଭିତରେ ନିଜେ ସକ୍ରୀୟ ହୋଇ ସମସ୍ତ ମୂର୍ତ୍ତ ଅମୂର୍ତ୍ତ ଆବେଗର ଏକ ବିକଳ୍ପ ପୃଥ୍ୱୀ ନିର୍ମାଣ (ମାଇମେସିସ୍) କରିବାର ଆନନ୍ଦକୁ ଉପଲବ୍ଧି କରିଥାଏ। ଦୃଶ୍ୟ-କାହାଣୀରେ ଚରିତ୍ର ଏବଂ ଘଟଣା ପ୍ରବାହ ଦର୍ଶକ ସାମ୍ନାରେ ଏକ ବିକଳ୍ପ ପୃଥ୍ୱୀ (ମାଇମେସିସ୍) ପ୍ରସ୍ତୁତ କରି ପରଷି ଦିଆଯାଇଥାଏ ଯାହାପ୍ରତି ସେ କେବଳ ସହଜ ବା ଅସହଜ ହେବାର ପ୍ରତିକ୍ରୀୟାକୁ ନିଜ ଭିତରେ ଗଢିବାକୁ ଯାଏ। ସହଜ ଭାବରେ କହିଲେ ଜଣେ ନିବିଷ୍ଟ ପାଠକ ହିସାବରେ ପାଠ୍ୟ-କାହାଣୀରେ ଆମକୁ ଦୃଶ୍ୟ-ସଂରଚନା କରିବାକୁ ହୁଏ ଆଉ ଦର୍ଶକ ହିସାବରେ ଦୃଶ୍ୟ-କାହାଣୀରେ ସାମ୍ନାରେ ଉପସ୍ଥିତ ସଂରଚିତ ଦୃଶ୍ୟ ପଟଳ ସହିତ ଏକ ରୂପେଲି ସାମୂହିକତାରେ ସମର୍ପିତ ହେବା ଆମର ଭବିତବ୍ୟ ବୋଲି ଆମେ ଗ୍ରହଣ କରିନେଉ ଅଥବା ଏହା ଏକ ଭିନ୍ନ ଫାଣ୍ଟାସିର ଜଗତ ଆଉ ଆମେ କିଛି ପରିମାଣରେ ଦୂରତ୍ୱରେ ରହି ଏହାର ଦୃଶ୍ୟନନ୍ଦିତ ଭାବଟିକୁ ଉପଭୋଗ କରିବା ଉଚିତ ବୋଲି ମନେକରିଥାଉ। ତେଣୁ ପାଠ୍ୟ-କାହାଣୀ ଆଉ ଦୃଶ୍ୟ-କାହାଣୀ ଭିତରେ ବସ୍ତୁତଃ ଯେଉଁ ତାତ୍ତ୍ୱିକ ପାର୍ଥକ୍ୟଟି ଆସିବ ତାହା ହେଉଛି ପ୍ରଥମଟିର କ୍ଷେତ୍ରରେ ଆମର ବ୍ୟକ୍ତିକୃତପ୍ରବଣତା ଏବଂ ପରଟିରେ ଆମର ସମଷ୍ଟିକୃତପ୍ରବଣତା।

ତାହା ସହିତ ପାଠ୍ୟ-କାହାଣୀ ଏବଂ ଦୃଶ୍ୟ-କାହାଣୀ ଉଭୟ ଦୁଇଟି ଭିନ୍ନ ମାଧ୍ୟମ ହୋଇଥିବାରୁ ପ୍ରତ୍ୟେକର ସ୍ୱାତନ୍ତ୍ର୍ୟକୁ ଆମର ବୁଝିବା ଆବଶ୍ୟକ। ପାଠ୍ୟ-କାହାଣୀରେ କାହାଣୀ ଲେଖକ ସମସ୍ତ ପୃଷ୍ଠାର ସ୍ୱୈରାଚାରୀ -ନିୟନ୍ତ୍ରକ ମାତ୍ର ଦୃଶ୍ୟ-କାହାଣୀରେ କାହାଣୀଲେଖକ ଜଣକ ର ଭୂମୀକା କେବଳ ଘଟଣା ଆଉ ଚରିତ୍ର ର ପ୍ରାଥମିକ ଯୋଗାଣଦାର(ଏପରି ଲେଖିଛି ବୋଲି ଚଳଚ୍ଚିତ୍ରର କାହାଣୀ ଲେଖକମାନେ ଉପସ୍ଥିତ ଲେଖକ ପ୍ରତି ଅନୁଦାର ହେବେନାହିଁ ବୋଲି କାମନା କରୁଛି) ଆଉ ଏପରି ଏକ ମୂଳଦୂଆ ଉପରେ ଛବି ଭଳି ଯେଉଁ ମୋହକଭରା ନିର୍ମାଣ ହୋଇଥାଏ ସେଇଠି ଥାଏ ଦୃଶ୍ୟପଟ, ଚରିତ୍ରର ଅଭିନେତା ଅଭିନେତ୍ରୀ,କଷ୍ଟ୍ୟୁମସ୍ ଏବଂ ନିୟନ୍ତ୍ରକ କ୍ୟାମେରାମାନ ଏବଂ ଏ ସମସ୍ତର ସର୍ବୋଚ୍ଚ ନିୟନ୍ତ୍ରକ ଜଣେ ନିର୍ଦ୍ଦେଶକ। ତେଣୁ ପାଠ୍ୟ-କାହାଣୀର ଲେଖକଟିଏ ପ୍ରଥମରୁ ଯାହା ଯେତିକି ଯୋଗାଇଦେଇଥିଲା ତାହାର ଉପରେ ଏପରି ସ୍ତରକୁ ସ୍ତର ନିୟନ୍ତ୍ରକ ମାନେ କ୍ରମଶଃ ନିଜର ଦଖଲଦାରି ସାବ୍ୟସ୍ତ କରିବା ଫଳରେ ମୂଳ ପାଠ୍ୟ-କାହାଣୀଟି ଦୃଶ୍ୟ-କାହାଣୀରେ ପରିଣତ ହେବାବେଳକୁ ସେ ତାହାର ସମସ୍ତ ମୌଳିକ ବିଭାବକୁ ଅକ୍ଷୁର୍ଣ୍ଣ ରଖିବା ଆଦୌ ସମ୍ଭବପର ନୁହଁ।

କାହାଣୀର ଏଇଭଳି ଦୃଶ୍ୟଭିତ୍ତିକ ପରିବର୍ତ୍ତନକୁ ଯେଉଁ ଖସଡାରେ ଲିପିବଦ୍ଧ କରାଯାଇଥାଏ ତାହାକୁ ଆମେ ଚିତ୍ରନାଟ୍ୟ-ରଚନାର ପଦ୍ଧତି ବୋଲି କହିବା। ଉପସ୍ଥିତ ଲେଖକ ପ୍ରଖ୍ୟାତ ଲେଖକ ଗାବ୍ରିଏଲ୍ ଗାର୍ସିଆ ମାର୍କେଜଙ୍କୁ ଏକାନ୍ତ ଭାବରେ ବିଶ୍ୱାସ କରେ ଯେତେବେଳେ ସେ କାହାଣୀଲେଖକମାନଙ୍କୁ ଉପଦେଶ ଦେବାକୁ ଯାଇ କହିଥାନ୍ତି ଯେ କାହାଣୀରେ ଘଟଣା,ଚରିତ୍ର ଆଉ ସମୟକୁ ସ୍ପଷ୍ଟ ଏବଂ ପ୍ରଭାବୀ କରିବାକୁ ହେଲେ ତମକୁ ଚିତ୍ରନାଟ୍ୟ-ରଚନାରେ କିଛି ପରିମାଣରେ ଦୋରସ୍ତ ହେବାକୁ ପଡିବ। ଆମର ଏଠାରେ କହିବାର କଥା ହେଉଛି କୌଣସି କାହାଣୀକୁ ପାଠ କରିବା ବେଳେ ଆମକୁ ମନେ ରଖିବାକୁ ହେବ ଯେ ଆମର ଆଖିମାନ କ୍ୟାମେରା ପାଲଟି ଯାଇଛନ୍ତି ଆଉ ସେମାନଙ୍କ ସାମ୍ନାରେ ଧାଡି ଧାଡି ଅକ୍ଷର ଆଉ ରହିନାହିଁ ,ତାହା ଚରିତ୍ରବନ୍ତ ହୋଇଗଲେଣି।

ପାଠ୍ୟ-କାହାଣୀ ଉପରେ ପରସ୍ତ ପରସ୍ତ ନିୟନ୍ତ୍ରକମାନେ ଉପଗତ ହୋଇ ଯେତେବେଳେ ତାହାକୁ ଦୃଶ୍ୟ-କାହାଣୀରେ ରୂପାନ୍ତରିତ କରୁଥାନ୍ତି ସେଇ ଭଳି ପ୍ରକ୍ରିୟାରେ ଆଉ ଗୋଟିଏ କଥା ପ୍ରତି ଆମର ଦୃଷ୍ଟି ରହିବା ଆବଶ୍ୟକ। ଯେଉଁ ପାଠ୍ୟ-କାହାଣୀରେ ଦୃଶ୍ୟଭାଗ ଅଧିକ ସେଇ କାହାଣୀ ହିଁ ଦୃଶ୍ୟ-କାହାଣୀରେ ରୂପାନ୍ତରିତ ହେବାର ଶେଷ ଯାଏଁ କିନ୍ତୁ ନିଜର ଆଧିପତ୍ୟକୁ ବଜାୟ ରଖିବାକୁ ସକ୍ଷମ ହୋଇଥାଏ, ମାତ୍ର ଯେଉଁ କାହାଣୀଗୁଡିକରେ ଦୃଶ୍ୟଭାଗ ଯେତିକି ଯେତିକି କମ୍ ତାହା ଦୃଶ୍ୟ-କାହାଣୀରେ ରୂପାନ୍ତରିତ ହେବା ବେଳେ ନିଜର ଆରମ୍ଭ-ବିନ୍ଦୁକୁ ହଜାଇବାକୁ ଆରମ୍ଭ କରିଥାଏ। ସେଥିରୁ ଆଉ ଗୋଟିଏ କଥା ଦେଖିବାକୁ ମିଳିଥାଏ ଯେ କୌଣସି ଉତ୍କୃଷ୍ଟମାନର ପରୀକ୍ଷାମୂଳକ ପାଠ୍ୟ-କାହାଣୀରୁ ଯେ ଉତ୍କୃଷ୍ଟ ମାନର ଛବି ପ୍ରସ୍ତୁତ ହେବ ଏକଥା ନୁହଁ,ବରଂ ଅନେକ ସମୟରେ ନିହାତି ସାଦାମାପର ପାଠ୍ୟ-କାହାଣୀରୁ ଅସାଧାରଣ ଛବି ନିର୍ମାଣ ହୋଇପାରିବା ସମ୍ଭବପର।

ଇନ୍ଦ୍ରଧନୁ ବୋଲି ଛବିଟିର କଥା ବିଚାରକୁ ନେଲାବେଳେ ଆମକୁ ପାଠ୍ୟ-କାହାଣୀ ଆଉ ଦୃଶ୍ୟ-କାହାଣୀର ଭିତରେ ଥିବା ଫରକକୁ ଜାଣିପାରିଲେ ଛବିଟିକୁ ଆଉଟିକିଏ ଭଲ ଭାବରେ ବୁଝିପାରିବା । ଏଇଠି କହିବା ଉଚିତ ହେବ ଯେ ଇନ୍ଦ୍ରଧନୁ ବୋଲି ଛବିଟିରେ ରହିଥିବା ସାତୋଟି ଯାକ କାହାଣୀ ପ୍ରତ୍ୟେକକୁ ନେଇ ସ୍ୱତନ୍ତ୍ରଭାବରେ ଗୋଟିଏ ଗୋଟିଏ ପୂର୍ଣ୍ଣ ଦୈର୍ଘ୍ୟର ଛବି ନିର୍ମାଣ କରାଯାଇପାରିବା ସମ୍ଭବପର,ସେପରି ହେଲେ ଆମେ ପାଠ୍ୟ-କାହାଣୀର ଅନ୍ତର୍ନିହିତ ଦୃଶ୍ୟକ୍ଷମ ସ୍ୱରକୁ ଅତ୍ୟନ୍ତ ନିବିଷ୍ଟ ଭାବରେ ଶୁଣିପାରିବା ଆଉ ଦେଖିପାରିବା। ପାଠ୍ୟ-କାହାଣୀକୁ ଛବିର ଦୃଶ୍ୟ-କାହାଣୀରେ ରୂପାନ୍ତରିତ କଲାବେଳେ ନିର୍ଦ୍ଦେଶକ ତାହାର ଛବି ନିର୍ମାଣବୋଧର ଦକ୍ଷତାର ଆଧାରରେ ସେଥିରୁ ଅନେକ କିଛି କଥାକୁ ଯାହାକୁ ସେ ତାହାର ଦୃଶ୍ୟ-ନିର୍ମାଣ ପ୍ରକ୍ରିୟାକୁ ଭାରାକ୍ରାନ୍ତ କରୁଛି ବୋଲି ମନେକରିଥାଏ ତାହାକୁ ସେ ବିଶେଷ ଭାବରେ ବର୍ଜନ କରିଥାଏ (ଏବଂ ସେଥିରେ ସେ ଆବଶ୍ୟକ ହେଉଥିବା ଅନେକ କିଛିର ସଂଯୋଜନ ବି କରିଥାଏ )ଆଉ ସେଇଥିପାଇଁ ଦେଖାଯାଏ ଯେ ଅନେକ ସମୟରେ କାହାଣୀ ଲେଖକ ଆଉ ଛବିର ନିର୍ଦ୍ଦେଶକ ଛବିକୁ ନେଇ ଏକମତ ହୋଇ ନଥାନ୍ତି। ଅନେକ ପ୍ରଖ୍ୟାତ ନିର୍ଦ୍ଦେଶକ କାହାଣୀର କେବଳ ମୂଳ ଢାଞ୍ଚାଟିକୁ ଅକ୍ଷୁର୍ଣ୍ଣ ବାକି ସବୁକୁ ଏପରିକି କାହାଣୀର ଉପସଂହାରକୁ ଏପରି ଭାବରେ ପରିବର୍ତ୍ତନ କରି ଦେଇଥାନ୍ତି ଯେ ପାଠ୍ୟ-କାହାଣୀର ଲେଖକ କୁ ଲାଗେ ଯେମିତି ତାହାର କାହାଣୀଟି ଏଇଭଳି କାହାଣୀ ଆଦୌ ନଥିଲା।

ପାଠ୍ୟ-କାହାଣୀ ବନାମ ଦୃଶ୍ୟ-କାହାଣୀ, କାହାଣୀ-ଲେଖକ ବନାମ ଛବିର ନିର୍ଦ୍ଦେଶକ, ଗୋଟିଏ କାହାଣୀର ଛବି ବନାମ ଗୋଟିଏ କାହାଣୀ-ଗୁଚ୍ଛର ଛବି, ଅଭିନେତା ବନାମ ଅଭିନେତା, ଏସବୁର ସମସ୍ୟା ସହଜାତ ଭାବରେ ଏଇ ଛବିଟି ଯାହାର ନାଆଁ ଇନ୍ଦ୍ରଧନୁ ସେଥିରେ ରହିଛି,ରହିବାରେ ଅସ୍ୱାଭାବିକତା କିଛି ନାହିଁ। ଗୋଟିଏ ଦୃଶ୍ୟ ସହିତ ଆଉ ଗୋଟିଏ ଦୃଶ୍ୟକୁ ତାହାର ପରବର୍ତ୍ତି ଦୃଶ୍ୟ ଆକାରରେ ଯୋଡିବାକୁ ଗଲାବେଳେ ନିର୍ଦ୍ଦେଶକ ତାହାର ସେଇ ବଖାଣକର୍ମକୁ କେତିକି ପରିମାଣରେ ସ୍ୱାଭାବିକ ଆଉ ଲାଳିତ୍ୟମୟ କରିପାରିବ ତାହାରି ଉପରେ ଦୃଶ୍ୟ-କାହାଣୀ ର ମଂଚମାୟା ତିଷ୍ଠି ରହିଥାଏ। ଅନ୍ୟଭାବରେ କହିଲେ ସେଇ ରୂପେଲି ପରଦା ଉପରେ ଲିଖିତ କାହାଣୀ ର ଏକମାତ୍ର ଧାରକ ଆଉ ପ୍ରଭାବୀ କ୍ଷମତା ହେଉଛି ତାହା ସେଇଯାହା ଟିକିଏ ଆଗରୁ କୁହାଗଲା,କାହାଣୀର ସ୍ୱାଭାବିକତା ଆଉ କାହାଣୀର ଲାଳିତ୍ୟ। ବଖାଣ ଦକ୍ଷତା ନଥିଲେ ଦୃଶ୍ୟ-କାହାଣୀଟି କେବଳ ଗୋଟିଏ ନିଚ୍ଛକ ଆଲବମ୍ ପାଲଟି ଯାଇଥାଏ। କୌଣସି ଦର୍ଶକ କେବେ ରୂପେଲି ପର୍ଦ୍ଦାରେ ଫର୍ଦ୍ଦ ପରେ ଫର୍ଦ ଓଲଟି ଯାଉଥିବା ଆଲବମକୁ ଦେଖି ସନ୍ତୋଷ ଅର୍ଜନ କରିବେ ନାହିଁ।

ଆନନ୍ଦର କଥା ଯେ ଏଇ ଯେଉଁ ଛବି ଯାହାର ନାଆଁ ଇନ୍ଦ୍ରଧନୁ ତାହା ବହୁଳାଂଶରେ ଦୃଶ୍ୟ-କାହାଣୀର ବଖାଣକର୍ମରେ ସହଜପଣଟି ପ୍ରତିଷ୍ଠା କରିପାରିଛି,ଏହା କୌଣସି କ୍ଳାନ୍ତିକର ଆଲବମ୍ ପାଲଟିଯାଇନାହିଁ । ତ୍ରୁଟିରହିତ ବଖାଣରେ ଅଧିକ ସ୍ୱାଭାବିକତାର ଚିତ୍ରକାହାଣୀ ପାଇଁ ଛବିଟିର ନିର୍ଦ୍ଦେଶକ ଶ୍ରଦ୍ଧେୟ ଅର୍ଜୁନଙ୍କର ପରବର୍ତ୍ତି ପଦକ୍ଷେପ ନିମନ୍ତେ ଉପସ୍ଥିତ ଲେଖକ ଆଗ୍ରହର ସହ ଅପେକ୍ଷା କରିବ। ଏମିତିରେ ପ୍ରତିଟି ଦର୍ଶକ କେତେ ପରିମାଣରେ ବ୍ୟକ୍ତିପରକ କେତେ ପରିମାଣରେ ସମଷ୍ଠିଗତ ,ତାହାର ବିଚାରରେ କୌଣସି ଛବିର ଆକଳନ କରାଯାଇଥାଏ ଆଉ ସେଇ କାରଣରୁ କୌଣସି ଛବି ଟି ଭଲ କି ମନ୍ଦ ତାହା ଆପେକ୍ଷିକ ହୋଇଥାଏ। ଯେହେତୁ ଉପସ୍ଥିତ ଲେଖକ ସାମୂହିକତାର ଉପାସକ ତେଣୁ ସେ ଏଇ ଛବିଟି ଉପରେ କୌଣସି ସ୍ପଷ୍ଟ ଏବଂ ନିର୍ଦ୍ଦିଷ୍ଟ ବିରୂପ ଅଭିମତ ରଖିବ ନାହିଁ,ସାମୂହିକତାକୁ ସମ୍ମାନ ଓ ଶୁଭେଚ୍ଛା ଜଣାଇବ। ଛବି ନିର୍ମାଣ ଯେହେତୁ ଏକ ବ୍ୟୟବହୁଳ ପ୍ରକଳ୍ପ ଏବଂ ଏହି ବିଶେଷ ଛବିଟି ପଛରେ ଯେହେତୁ କୌଣସି ବ୍ୟବସାୟିକ ପ୍ରବନ୍ଧନ ପ୍ରକ୍ରିୟା ଅନୁପସ୍ଥିତ ତେଣୁ ଆମେମାନେ ଏହାକୁ ଯଥେଷ୍ଟମାତ୍ରାରେ ପ୍ରୋତ୍ସାହିତ କରିବା ଆବଶ୍ୟକ।ଯାହା ଫଳରେ ଆମର ଏହି ତରୁଣର ସାହିତ୍ୟବାଦିତାର ଦୃଶ୍ୟ-ଉଚ୍ଛ୍ୱାସ ଟି ଆହୁରି ପରିପକ୍ୱ କଳାତ୍ମକତା ଅର୍ଜନ କରିବାକୁ ସକ୍ଷମ ହେବ।

ପ୍ରଖ୍ୟାତ ଇରାନୀ ଚିତ୍ର ନିର୍ଦ୍ଦେଶକ ଆବାସ କିଆରୋସ୍ତାମୀଙ୍କର ” ଦି କଲର୍ସ ” ବୋଲି ଗୋଟିଏ ଛବି ରହିଛି ଯାହାର ସମୟର ଅବଧି ରହିଛି ମାତ୍ର ଷୋହଳ ମିନିଟ। ଏହି ସ୍ୱଳ୍ପଦୈର୍ଘ୍ୟର ଛବିଟିରେ ଗୋଟିଏ ବାଳକମନରେ ରଂଗବୋଧର ଛାପ ରଖିବା ସହିତ ଭିନ୍ନ ଭିନ୍ନ ରଂଗକୁ ନେଇ ତାହାର ଭିତରେ ଏକ ଆବିଷ୍କାରର ପ୍ରବଣତାକୁ ସୃଷ୍ଟି କରିବାପାଇଁ ଶିକ୍ଷଣୀୟ ପ୍ରୟାସ କରାଯାଇଛି। ଏଥିରେ ଲାଲ, ସବୁଜ, ହଳଦିଆ, ନୀଳ, କମଳା, ଧଳା, ବାଇଗେଣୀ ଭଳି ରଂଗଗୁଡିକୁ ଆମର ନିତିଦିନିଆ ପୃଥିବୀର ଚିହ୍ନା ପଦାର୍ଥ ଭିତରୁ ଭଲଭାବରେ ଯେମିତି ଚିହ୍ନେଇ ଦିଆଯାଇପାରିବ ସେଇଭଳି କାମ କରାଯାଇଛି ଆଉ ଶେଷରେ ସେଇ ସବୁ ରଂଗର ଉପସଂହାରରେ ଉପସ୍ଥିତ ହୋଇଛି କଳା ରଂଗ,ଯେହେତୁ ଏଇଟି ଗୋଟିଏ ଶିକ୍ଷଣୀୟ ଛବି ତେଣୁ ଶେଷରେ ଏହି କଳା ରଂଗଟି ସୂଚିତ କରୁଛି ଗୋଟିଏ କଳାପଟାକୁ ବା ବ୍ଲାକବୋର୍ଡକୁ ଆଉ କହିବାକୁ ଗଲେ ଏଇ ବ୍ଲାକବୋର୍ଡର ଉପରେ ହିଁ ଏଇ ସମସ୍ତ ରଂଗବୋଧର ଶିକ୍ଷା ସଂପାଦିତ ହୋଇଛି। ଆବାସ କିଆରାସ୍ତୋମୀଙ୍କ ର ଏଇ ଛବିଟି ଯେଉଁ ବାଳକଟିର ଭିତରେ ଗୋଟିଏ ରଂଗ-ଆବିଷ୍କାରକକୁ ଜନ୍ମ ନେବାର ପ୍ରୟାସ କରାଯାଇଛି ସେଇ ଅଳ୍ପବୟସର ନାୟକଟି ନିଜକୁ ସବୁବେଳେ ମନେ କରିଥାଏ ଯେ,ସେ ଅସଲରେ ଜଣେ ରେସିଙ୍ଗ୍ -କାର୍ ର ଚାଳକ,ଛବିଟିର ଏହା ହେଉଛି ଏକ ଆକର୍ଷକ ଅଜବ ପଣ। ଆବାସ କିଆରାସ୍ତୋମୀଙ୍କ ଏହି ଦି କଲର୍ସ(ମୂଳ ଭାଷା ପାର୍ଶିରେ “ରଙ୍ଗ-ହା”)ର ଉଲ୍ଲେଖ କରିବାର ଉଦ୍ଦେଶ୍ୟ ଏଠାରେ କେବଳ ଗୋଟିଏ। ଏଇ ଯେଉଁ ଛବି “ଇନ୍ଦ୍ରଧନୁ” ସେଥିରେ ଆବାସ କିଆରୋସ୍ତାମୀଙ୍କ ଉଲ୍ଲିଖିତ ଛବିର ସାମାନ୍ୟତମ ପ୍ରଭାବ ରହିନାହିଁ,ଏହାକୁ ଏଇଟି ଉଲ୍ଲେଖ କରିଛି ବୋଲି ଯେ ଆମର ତରୁଣମାନଙ୍କର ଏଇ ଛବିଟିର ମୂଳ ଉତ୍ସଟି ସେଇଠି ରହିଛି ବୋଲି କେହି ଯେମିତି ଘୁଣାକ୍ଷରେ ମନେ ନକରନ୍ତି। ତାହାହେଲେ ଆବାସ କିଆରୋସ୍ତେମୀଙ୍କୁ ଉଲ୍ଲେଖ କରିବାର ଆବଶ୍ୟକତା କାହିଁକି ? ଆବଶ୍ୟକତା ଏଇଥିପାଇଁ ଯେ ଆବାସ କିଆରୋସ୍ତେମୀ ଯେମିତି ମନେ ମନେ ନିଜକୁ ଗୋଟିଏ ରେସିଙ୍ଗ କାର୍ ର ଚାଳକ ମନେକରୁଥିବା ବାଳକ ଭିତରେ ଗୋଟିଏ ରଂଗ-ଆବିଷ୍କାରକକୁ ଜନ୍ମ ଦେବାର ପ୍ରୟାସ କରିଛନ୍ତି ଠିକ୍ ସମାନଭାବରେ ଏଇ ଯେଉଁ ଛବି ଯାହାର ନାଆଁ “ଇନ୍ଦ୍ରଧନୁ” ତାହାର ତରୁଣ ନିର୍ଦ୍ଦେଶକ ଶ୍ରଦ୍ଧେୟ ଅର୍ଜୁନ ସାମନ୍ତରାୟ ଆମ ଭଳି ଯେଉଁମାନେ ନିଜକୁ ସବୁବେଳେ ସ୍ୱୟଂ ସଂପୂର୍ଣ୍ଣ ମନେ କରୁଥାନ୍ତି ସେମାନଙ୍କ ଭିତରେ ଜୀବନର ଅସହଜପଣକୁ କେଉଁ ଭଳି ରଂଗରେ ପରିଭାଷିତ କରାଯାଇପାରିବ ସେଇ ଭଳି ଆବିଷ୍କାରକ ସାଜିବା ନିମନ୍ତେ ଆମପାଇଁ ଏକ ନକସା ପ୍ରସ୍ତୁତ କରିଛନ୍ତି।
କହିବାକୁ ଗଲେ ରଂଗ-ଆବିଷ୍କାରକ ହେବା ହିଁ ଉପସ୍ଥିତ ଲେଖକ ଏଇ ଛବିଟି ଭିତରେ ଦେଖିବାକୁ ପାଇଛି। “ଇନ୍ଦ୍ରଧନୁ”ର ସାତୋଟିଯାକ ରଂଗ ଭିତରୁ କିଛି ରଂଗ କାହିଁକି ଆଉ କିପରି ସେ ବିଷୟରେ ନିର୍ଦ୍ଦେଶକ ବେଶ୍ ସ୍ଫଷ୍ଟ ,କେତୋଟି ରଂଗର ଯାଥାର୍ଥ୍ୟକୁ ସେ ସାଙ୍କେତିକ ଭାବରେ ଉପସ୍ଥାପନ କରି ଦର୍ଶକ ଉପରେ ତାହାର ସବିଶେଷ ବିସ୍ତାରକୁ ଛାଡି ଦେଇଛନ୍ତି।

“ଇନ୍ଦ୍ରଧନୁ”ର ସାତୋଟିଯାକ କାହାଣୀ ସରଳରୈଖିକ ଉପସଂହାର କେନ୍ଦ୍ରିତ କାହାଣୀ ନୁହଁ,ସବୁତକ କାହାଣୀ ଆମର ଦୈନନ୍ଦିନ ସଂପର୍କର ଅସହଜପଣକୁ ନେଇ ପ୍ରଥମରେ ପାଠ୍ୟ-କାହାଣୀ ଆକାରରେ ଲିଖିତ । ତେଣୁ ଏଇସବୁ ପାଠ୍ୟ-କାହାଣୀ ଉପସ୍ଥିତ ଦୃଶ୍ୟ-କାହାଣୀ ହୋଇଯାଇଥିବା ବେଳେ ଏଥିରୁ ରଂଗକୁ ସନାକ୍ତ କରିବାଭିତରେ ଆମର ଯାପିତ ଜୀବନର ଗଭୀରତାହିଁ ଉଦ୍ଭାସିତ ହୋଇଥାଏ। ଏଇ ସଂପର୍କରେ ଅଧିକ ପଦଟିଏ କହିବାକୁ ଚାହିଁବି ଯେ ସୃଜନର ପାଠ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅନେକ ସମୟରେ ଗୋଟିଏ ଟାସ୍କ ଲେଖିବାକୁ ଦିଆଯାଇଥାଏ, ଅମୁକକୁ ବା ଅମୁକ ସ୍ଥିତିକୁ ତମେ ଯଦି କେବଳ ଗୋଟିଏ ରଂଗରେ ଉଲ୍ଲେଖ କରିବାକୁ ଚାହିଁବ ତାହେଲେ ସେଇଟି ହେବ କ’ଣ ଆଉ ତମେ ତାହାପାଇଁ ସେଇ ରଂଗଟିକୁ କାହିଁକି ନିର୍ବାଚିତ କରିଛ ? ସେଦୃଷ୍ଟିରୁ ଏଠାରେ ଉପସ୍ଥିତ “ଇନ୍ଦ୍ରଧନୁ” ର ସାତୋଟି ଯାକ ରଂଗ ରେ ଆମର ସଂପର୍କର ଉପସ୍ଥାପନା ଆମପାଇଁ କାହିଁକି ହୋଇଛି ତାହା ଆମକୁ ପ୍ରଥମେ ଭାବିବାକୁ ଖୋରାକ ଯୋଗାଏ ଆଉ ସେଇ ଭଳି ଭାବିବା ଭିତରେ ଆମେ ମାନସିକ ସ୍ତରରେ ଚିତ୍ର ଟିକୁ ଆପଣାର କରି ନେଇଥାଉ।

ଜଣେ ସାଧାରଣ ଦର୍ଶକ ହିସାବରେ ଉପସ୍ଥିତ ଲେଖକ “ଇନ୍ଦ୍ରଧନୁ” ଭିତରେ ଯାହା ଯାହା ଦେଖି ଚମତ୍କୃତ ହୋଇଛି ସେଥିଭିତରୁ କିଛିର ଉପସ୍ଥାପନା କରି ଏଇ ଆଲେଖର ଉପସଂହାର କରୁଛି। ଏହାର ସାତୋଟି ଯାକ ରଂଗରେ ସଂଶ୍ଳିଷ୍ଟ କଳାକାରବୃନ୍ଦଙ୍କ ଅଭିନୟ କୁଶଳତା ଉପରେ କୌଣସି ଅଭିମତ ରଖୁନାହିଁ। ସେମାନଙ୍କ ମଧ୍ୟରୁ କିଏ କିଏ ସହଜ,ସ୍ୱାଭାବିକ ଆଉ ପ୍ରାଣବନ୍ତ ଅଭିନୟ କରିଛନ୍ତି ଆଉ କିଏ କିଏ କୃତ୍ରୀମ ଲାଗୁଛନ୍ତି ତାହାର ବିଭେଦକ ରେଖାଟି ଟାଣିବାକୁ ଯାଉନାହିଁ । ହୁଏତ ଆଉ ଅଧିକ ପ୍ରାକ୍-ଛବି ନିର୍ମାଣକାଳୀନ ଥିଏଟର୍ ୱାର୍କସପରେ ଏହି ଭଳି ସମସ୍ୟାର ସମାଧାନ କରାଯାଇପାରିବ। କାରଣ ବ୍ୟକ୍ତିଗତ ଭାବରେ ସମସ୍ତେ ଅଭିନୟକୁଶଳୀ, ଅନ୍ୟସହିତ ଭାବ-ସଂପ୍ରଦାନ ତଥା ସମନ୍ୱୟ କ୍ଷେତ୍ରରେ ଯାହା କିଛି ସମସ୍ୟା ରହିଛି ଆଉ ଏଇ ଭଳି ସମସ୍ୟା ସମସ୍ତ ଚଳଚ୍ଚିତ୍ରରେ ଦେଖାଯାଇଥାଏ। ପ୍ରଥମରେ “ଇନ୍ଦ୍ରଧନୁ” ରେ ଉପସ୍ଥିତ ଲେଖକ କୁ ଯାହା ଆକର୍ଷଣ କରିଛି ତାହା ଛବିଟିର ଦୃଶ୍ୟପଟ ବା ଫ୍ରେମ୍। ନିର୍ଦ୍ଦେଶକ ଶ୍ରଦ୍ଧେୟ ଅର୍ଜୁନ ସାମନ୍ତରାୟଙ୍କୁ ଧନ୍ୟବାଦ ଯେ “ଇନ୍ଦ୍ରଧନୁ” ର ସାତୋଟିଯାକ ରଂଗରେ ସେ ଯେଉଁ ସମସ୍ତ “ଫ୍ରେମ୍ ” ର ବିନ୍ୟାସ କରିଛନ୍ତି ତାହା ଗୋଟିଏ ଶବ୍ଦରେ କହିଲେ ଅନବଦ୍ୟ। ପ୍ରତିଟି ଫ୍ରେମ୍ ସଜୀବ,ବିସ୍ତୃତ ତଥା ଯାହାକୁ ଇଂରେଜୀରେ କୁହାଯିବ ପାନୋରାମିକ,ପେଣ୍ଟିଙ୍ଗ ଭଳି ଆଉ ଏହାର ଦୃଷ୍ଟିନନ୍ଦିତ ରୂପ ଦର୍ଶକକୁ ଅନେକ ପରିମାଣରେ ଅପେକ୍ଷାତୁର କରିଛି,ଯଦିଓ ଗୋଟିଏ ଫ୍ରେମ୍ ରୁ ଆର ଫ୍ରେମ୍ କୁ ଯିବାବେଳେ କିଛି କିଛି ସ୍ଥାନରେ ଚିତ୍ରବଖାଣର ସ୍ୱାଭାବିକତା ବ୍ୟାହତ ହୋଇଛି ମାତ୍ର ପରବର୍ତ୍ତି ଫ୍ରେମ୍ ର ବଳିଷ୍ଠ ଦୃଶ୍ୟଭାଗ ଏପରି ତ୍ରୁଟିକୁ ଆଢୁଆଳ କରିପାରିବାକୁ ସକ୍ଷମ ହୋଇଛି। “ଇନ୍ଦ୍ରଧନୁ” ରେ ପ୍ରାୟତଃ ନିର୍ଦ୍ଦେଶକ ବହିର୍ଭାଗ ଦୃଶ୍ୟର ବହୁଳ ବ୍ୟବହାର କରିଛନ୍ତି ଆଉ ବହିର୍ଭାଗ ଦୃଶ୍ୟ ଯେତେବେଳେ ଅଧିକ ହୋଇଥାଏ ସେତେବେଳେ ଦୃଶ୍ୟ-କାହାଣୀରେ ଯେଉଁ ଘଟଣା ଟିର ଅବତାରଣା ରହୁଛି ତାହାର ଘଟୁଥିବା ସମୟର ଅବଧିକୁ ସ୍ପଷ୍ଟ କରିବା ଜଟିଳ ହୋଇଥାଏ। ଦୃଶ୍ୟ-କାହାଣୀ କ୍ଷେତ୍ର ରେ ଏହା ଏକ ଚିରନ୍ତନ ସମସ୍ୟା। ଦୃଶ୍ୟ-କାହାଣୀର ନାଟକୀୟ ମୁହୂର୍ତ୍ତମାନ ଏହାକୁ ବ୍ୟାହତ କରିବାକୁ ସକ୍ଷମ ହୋଇଥାଏ। ଉପସ୍ଥିତ ଲେଖକ “ଇନ୍ଦ୍ରଧନୁ” ର ଉପସ୍ଥାପିତ କେତେକ ନାଟକୀୟ ମୁହୂର୍ତ୍ତକୁ ଗମ୍ଭୀରତାର ସହ ପ୍ରତ୍ୟକ୍ଷ କରିଛି।”ବାଇଗେଣୀ” ରେ ଏକ ଅଶରୀରୀ ପ୍ରତି ଆବେଶ ବା ଅବସେସନ୍ ଆଉ ଶେଷରେ ସେଇ ଅଶରୀରୀ ଏକ ବାଇଗେଣୀ ରଂଗର ଗୋଲାପଫୁଲର ପ୍ରତୀକ ପାଲଟିଯିବା ଚମତ୍କାର ଆଙ୍ଗିକ। “ଘନନୀଳ”ରେ ଗୋଟିଏ ନିଷିଦ୍ଧ ଅସମ ପ୍ରେମ, ନିଜର ଝିଅର ଆଗରେ ଧରାପଡିଯିବା ପରେ ପରିଣତ ଏକାକିନୀ ମହିଳାର ସେଇ ଘଡିକର ଅଭିବ୍ୟକ୍ତି ସଂପୃକ୍ତ ଦୃଶ୍ୟ-କାହାଣୀକୁ ଚିରନ୍ତନ କରିଦେଇଛି। “ନୀଳ”ରେ ପ୍ରେମର ସର୍ବଶ୍ରେଷ୍ଠ ଆଉ ସର୍ବଶେଷ ପରିଭାଷା ଅପ୍ରାପ୍ତିକୁ ଆମର ଚିରାଚରିତ ଲୋକକଥା “କଲୁରୀବେଣ୍ଟ”ରେ ସମାହିତ କରି ପୋଖରୀ ମଝିରେ ଖାଲି ହାଣ୍ଡିଟିଏ ଆଉ ଟୁବ୍ କରି ବୁଡିଯିବା ନାୟକ ର ଦୃଶ୍ୟ ଉପସ୍ଥିତ ଲେଖକକୁ ଫେରାଇନେଇଛି ଯେମିତି କେଉଁ ଦୂରନ୍ତକୁ,ଲୋକକଥାକାଳୀନ ବିଷର୍ଣ୍ଣତାକୁ। “ସବୁଜ” ରେ ମଲାଶିଶୁଙ୍କୁ ଭୂମୀସ୍ଥ କରିବା ପାଇଁ ଗାତ ଖୋଳିବା ଭଳି କାମରେ ନିୟୋଜିତ ଥିବା ସତେଜ ବେପରୁଆ ତରୁଣଜଣକ ଯେତେବେଳେ ମଲାଶିଶୁ ସହିତ ଗାତଟିକୁ କିଛି ସବୁଜପତ୍ର ପକାଇ ପୋତିଦିଏ ଏଇଥିପାଇଁ ଯେ ଏଇ ଶିଶୁଟି ଯେତେବେଳେ ତାହାର ପରବର୍ତ୍ତି ଜନ୍ମଗ୍ରହଣ କରିବାକୁ ଯିବ ସେତେବେଳେ ତାହାର ଅନେକ ଶକ୍ତିର ଲୋଡାପଡିବ ଆଉ ସେହି ଆବଶ୍ୟକ ଶକ୍ତି ସେ ଏଇ ସବୁଜ ପତ୍ରରୁ ପାଇପାରିବ,ଏପରି ଗୋଟିଏ ଦର୍ଶନାଖ୍ୟାନରେ ଦ୍ରବୀଭୂତ ହୋଇ ଆସିବା ବେଳକୁ ଏଇ କାହାଣୀର ସୂତ୍ରଧର ଚରିତ୍ର ଯିଏକି ଜଣେ ଚିତ୍ରନାଟ୍ୟ -ରଚନାକାର ସେ ସେଇ ଗାତଖୋଳାଳୀ ଚରିତ୍ରକୁ ଭିନ୍ନ ଭିନ୍ନ ପରିପ୍ରେକ୍ଷ୍ୟରେ ରଖି ସନ୍ତୁଷ୍ଟ ହେଉନଥିବ ଆଉ ଶେଷରେ ତାହାକୁ ଏପରି ଏକ ପୃଷ୍ଟଭୂମୀରେ ରଖି ନିର୍ଣ୍ଣୟ ନେବା ପରି ଘୋଷଣା କରିବ ଯେ,ସବୁଜ ହିଁ ଆରମ୍ଭ। ଏହାପରେ ଏପରି ଧାଡିଟିକୁ ଆପଣ ଆପଣଙ୍କ ଚେତନାରୁ ହଠାତ୍ ବାହାର କରିଦେଇ ପାରିବେ ନାହିଁ କଦାପି । “ହଳଦିଆ”ରେ ଜଣେ ବାଘନାଚ ଶିଳ୍ପୀର ପ୍ରେମକଥା ରହିଛି,ଯେଉଁଠି ଗରୀବ-ଧନୀ ହେଉଛି ମୂଖ୍ୟ ପ୍ରତିବନ୍ଧକ ,ତାହାକୁ ଲୋକକଥାର ପାଲଟବାଘର ଆଙ୍ଗିକରେ ବିନ୍ୟାସ କରାଯାଇଛି,ଏପରି ଏକ ପ୍ରେମର ଭବିତବ୍ୟ ବିଫଳତାକୁ ଆବୋରି ନେବାର ପୂର୍ବରୁ ଶେଷ ପ୍ରଚେଷ୍ଟା ଆକାରରେ ପ୍ରେମିକା କହିଛି ମୁଁ ବାଘ ହେବି,ମୁଁ ବାଘରଂଗରେ ସାଜିବି,ନାରୀର ଗାଲରେ ହାତରେ ପଟା ପଟା ହଳଦୀ ଆଉ କଳା ରଂଗ ଲଗାଯିବା, ପ୍ରେମକୁ ବାଘଭଳି ପରାକ୍ରମ କରିବା ଭଳି ନାରୀର ପରାକ୍ରମୀ ହେବାର ସର୍ବଶେଷ ପ୍ରଚେଷ୍ଟାଟି ବିଫଳ ହୁଏ,ଆଉ ଆମ ମନରେ କାରୁଣ୍ୟ ଭରିଯାଏ ଯାହା ସହଜରେ ଦୂର ହେବାର ନୁହଁ। “ନାରଙ୍ଗୀ” ରେ ସ୍ମୃତିମେଦୁରତାରେ ପ୍ରିୟଜନ ବିୟୋଗର କ୍ଷତ ହେଉଛି ମୂଖ୍ୟକଥା ଆଉ ଛବିରେ ନାୟକର ଦେଖିପାରିନଥିବା କ୍ଷତଟିକୁ ଯେତେବେଳେ ଟିକିନିଖି କରି ଆମକୁ ଦେଖାଇଦିଆଯାଏ ଯେଉଁଠି ଜଣେ ଅସ୍ଥିକଙ୍କାଳସାର ବୃଦ୍ଧ ଅପନ୍ତରାରେ ଥରିଥରି ନିଜର ମୃତ୍ୟୁଦୃଶ୍ୟକୁ ଜୀବନ୍ତ କରୁଛି। “ନାରଙ୍ଗୀ”ହେଉଛି “ଇନ୍ଦ୍ରଧନୁ” ର ଏକମାତ୍ର ଅଂଶ ଯେଉଁଠି ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟ ଗୋଟିଏ ବୃଦ୍ଧ ଚରିତ୍ରର ଶାରୀରିକ ଗଢଣର ନ୍ୟୁନପଣକୁ ସଫଳତାର ସହ ଉପଯୋଗ କରିଛନ୍ତି। ଏଥିରେ ଆମେ ସ୍ମୃତି,କ୍ଷତ ଆଉ ଭବିଷ୍ୟତକୁ ଦେଖି ଶିହରୀ ଉଠୁ। “ଇନ୍ଦ୍ରଧନୁ”ର ସମାପ୍ତ ରଂଗ ଲାଲ୍। ଏଥିରେ ଗୋଟିଏ ପରିଣତ ଦାମ୍ପତ୍ୟ ପ୍ରେମକୁ ଯଥାସମ୍ଭବ ସଂକ୍ଷିପ୍ତିରେ ବିସ୍ତାରିତ କରାଯାଇଛି। ପରିଣତ ବୟସର ସ୍ୱାମୀଜଣକ ଯେତେବେଳେ ଘର ଭିତରେ ଚଳତଶକ୍ତିଅକ୍ଷମ ପତ୍ନୀକୁ ଛାଡି ଗେଟ୍ ରେ ତାଲା ଦେଇ ମର୍ଣ୍ଣିଙ୍ଗୱାକ୍ ପାଇଁ ବାହାରି ଆସେ ଆଉ ପାର୍କରେ ଏକେଲା ନିଜର ବେକରୁ ସ୍ପଣ୍ଡିଲାଇଟସ୍ ର ବେଲ୍ଟଟିକୁ ବାହାର କରି ବେକର ଆଉ ଆଖିର ସାମାନ୍ୟ କସରତ କରେ ଆଉ ସେଇଠୁ ଘରକୁ ଫେରିଆସିବା ବେଳେ ହାତରେ ଥାଏ ତାହାର ଗୋଟିଏ ପଲିଥିନ୍ ରେ କିଛି ସଂଗୃହୀତ ପୂଜାଫୁଲ,ପରେ ସେ ତାହାର ପକ୍ଷାଘାତ ସ୍ତ୍ରୀର ଯାହା ଯାହା ପରିଚର୍ଯ୍ୟା କରିବ ସେଇଟା ବଡ କଥା ନୁହଁ,ଆମକୁ ଏତିକିରୁ ଏପରି ଏକ ନିଃସଙ୍ଗତା ଗ୍ରାସ କରିବସିବ,ଆମେ ଖାଲି ଘାରି ହେଉଥିବୁ କେବଳ ଗୋଟିଏ ପ୍ରଶ୍ନରେ, ଆହା,ଏମାନଙ୍କର ପାଖରେ କେହି କ’ଣ ନାହାଁନ୍ତି ?

ଚିତ୍ରପାଇଁ ପାଖରେ ଦର୍ଶକ ଏକାନ୍ତ ଆବଶ୍ୟକ। ସେଇଟି ହେଉଛି ସବୁଠୁ ବଡ କଥା। ତାହା ନହେଲେ ଚିତ୍ରର ଚରିତ୍ରମାନେ ଅନ୍ୟକିଛି ଉପାୟ ନଦେଖି ପରସ୍ପରକୁ ଆମୋଦ ପ୍ରଦାନ କରିବା ଭଳି ଯନ୍ତ୍ରବତ ଏକାନ୍ତ ଅଦେଖା ଜୀବନ ବାହିତ କରୁଥିବେ। “ଶ୍ରୋଡିଙ୍ଗର ଙ୍କ ବିରାଡି” ବୋଲି ଗୋଟିଏ ପ୍ରଖ୍ୟାତ କଥା ରହିଛି। ଶ୍ରୋଡିଙ୍ଗର ହେଉଛନ୍ତି ଜଣେ ଦାର୍ଶନିକ,ତାଙ୍କର ଅଭିମତ ହେଲା,ତମେ ଯେପର୍ଯ୍ୟନ୍ତ ସେହି ବିରାଡିଟିକୁ ଦେଖିନାହଁ ସେ ପର୍ଯ୍ୟନ୍ତ ସେ ଜୀବନ୍ତ ହୋଇନାହିଁ।

ଛବିଟିର ନାଆଁ “ଇନ୍ଦ୍ରଧନୁ” ଆମକୁ ତାହାକୁ ଜୀବନ୍ତ କରିବାକୁ ହେବ।

ଶେଷରେ ପଦଟିଏ।
କଥାଟି ଇରାନ୍ ର। ଇରାନ୍ ର ଏଇ ପ୍ରଚଳିତ ପ୍ରବାଦଟି ହେଉଛି, ଅଙ୍ଗୁର ର ରଙ୍ଗ କେବଳ ଅଙ୍ଗୁରରୁ ହିଁ ଆସିଥାଏ।

ଅଙ୍ଗୁର ର ସ୍ଥାନରେ ଜୀବନକୁ ଆପଣ ରଖିପାରିଥିବେ ବୋଲି ବିଶ୍ୱାସ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →