ଶେଷ ଦୃଶ୍ୟ (ଭାଗ – ୧୩ )

।। ୧୩ ।।

ୟା ଭିତରେ ଏହି ହାଇପ୍ରୋଫାଇଲ୍ ଯୌତୁକ ନିର୍ଯାତନା ଘଟଣାକୁ ଅନେକ ବର୍ଷ ବିତିଯାଇଥିଲା । ପ୍ରାୟ ପନ୍ଦର ବର୍ଷ । ରାଜ୍ୟର ଉଭୟ ରାଜନୈତିକ ଓ ସାମାଜିକ ଦୃଶ୍ୟପଟ୍ଟରେ ବିରାଟ ପରିବର୍ତ୍ତନ ଆସିଥିଲା । ସବୁ ଦୁର୍ଗୁଣ ସତ୍ୱେ କନିଷ୍କ ପଟ୍ଟନାୟକ ତିନି ତିନିଥର ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରି ସୁଦ୍ଧା ରାଜ୍ୟରେ ବିରୋଧୀ ଦଳଟିଏ ସୃଷ୍ଟି ହୋଇ ପାରିନଥିଲା । ରାଜ୍ୟବାସୀ ଚିଡିକି ଆଉ କନିଷ୍କ ପଟ୍ଟନାୟକ ଓ ତାଙ୍କ ‘ମାଛ’ ଦଳକୁ ଭୋଟ ନଦେବାକୁ ଠିକ୍ କରିଥିବା ଜୋର୍‌ଦାର୍ ପ୍ରଚାର ଚାଲିଥିଲା । କିନ୍ତୁ ବହୁ ଲୋକ କହୁଥିଲେ ଯେ, ଏସବୁର କୌଣସି ପ୍ରଭାବ ‘ମାଛ’ ଦଳ ଉପରେ ପଡିବ ନାହିଁ । କାରଣ ଯୋଉମାନେ କନିଷ୍କ ପଟ୍ଟନାୟକଙ୍କ ଦୁର୍ଗୁଣ କଥା କଥା ହେଉଥିଲେ ସେମାନେ କେବେବି ଭୋଟ୍ ଦିଅନ୍ତି ନାହିଁ । ବରଂ ସେମାନେ ଭୋଟ୍ ବେଳେ ମିଛରେ ଛୁଟି ନେଇ ଭୋଜି କରିବାକୁ ନନ୍ଦନକାନନ ଯାଉଥିଲେ । ହେଲେ ଯୋଉମାନେ ଭୋଟ ଦେଉଥିଲେ ସେମାନେ ସମସ୍ତେ ଗାଁରେ ରହୁଥିଲେ । ଆଉ ଗାଁ ଲୋକଙ୍କ ପାଇଁ ଏ ଦଳ ଫୁଲ୍ ପ୍ୟାକେଜ୍ ଲାଗୁ କରିଥିଲେ, ଯେଉଁଥିରେ ପିଲା ଜନ୍ମଠାରୁ ବଡ ହେଇକି ମଲା ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଥିଲା ଓ ସରକାର ଏସବୁ ପାଇଁ ପଇସା ଦେଉଥିଲେ । ତେଣୁ ଲୋକେ ଟଙ୍କିକିଆ ଚାଉଳ ନେଇ ବିକ୍ରି କରି ମଦ ଗଂଜେଇ ଖାଇ ତାସ୍ ଖେଲୁଥିଲେ ଓ ଭୋଟ୍ ବେଳ ଆସିଲେ ମାଛ ଦଳରେ ହିଁ ମୋହର ପିଟୁଥିଲେ । ତେଣୁ ମାଛ ଜାଣିଥିଲା ତା’ର କେବେବି ମୃତ୍ୟୁ ନାହିଁ । ତାହା ଆନ୍ଧ୍ରମାଛ ହେଉ ବରଂ । ଜୟ ମାଛ ପାର୍ଟି ।

ତେବେ କେତେକ କଥା ହେଉଥିଲେ ଯେ, ଯଦୁବଂଶ ପରି ମାଛଦଳ ନେତାଏ ନିଜ ନିଜ ଭିତରେ ଝଗଡାଝାଂଟି ଲାଗି କିମ୍ବା ନିଜ ଗୋଡରେ ନିଜେ କୁରାଢି ମାରି ଶେଷ ହୋଇଯିବେ । ଏହାର ଶୁଭାରମ୍ଭ ହୋଇଥିଲା କିଛିବର୍ଷ ତଳେ, ଯେତେବେଳେ କ୍ୟାବିନେଟ୍ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି, ନିଜ ବୋହୂ ଦ୍ୱାରା ଦାଏର ହୋଇଥିବା ଯୌତୁକ ନିର୍ଯାତନା ମାମଲାରେ ଫସିଥିଲା ଓ ଗିରଫ ହୋଇ ଜେଲ୍ ଯାଇଥିଲା ।

ୟା ଭିତରେ ଦିନବନ୍ଧୁ ମହାନ୍ତିକୁ ଧୀରେ ଧୀରେ ଲୋକେ ଭୁଲି ଯାଇଥିଲେ । କେବଳ କିଛି ରାଜନୈତିକ ଲୋକ ଓ ବୁଢା ସାମ୍ବାଦିକ ତାଙ୍କୁ ଓ ତାଙ୍କ ଦ୍ୱାରା ଘଟିଥିବା କାରନାମାକୁ ମନେ ରଖିଥିଲେ । ସେଇ ସମୟରେ ଜୋର୍‌ଦାର୍ ଚର୍ଚ୍ଚା ଚାଲିଥିଲା, ଯେତେବେଳେ କ୍ୟାବିନେଟ୍ ମନ୍ତ୍ରୀ ଥାଇ ବି ଦିନବନ୍ଧୁ ବନ୍ଧା ହେଇକି ଜେଲ୍ ଯାଇଥିଲା । ପୋଲିସ୍ ତାଙ୍କୁ କୋଲକାତାର ଏକ ହୋଟେଲ୍‌ରେ ଲୁଚିଥିବା ଅବସ୍ଥାରେ ଗିରଫ କରିଥିଲା । କେତେକ କହୁଥିଲେ, ଦିନବନ୍ଧୁ ସେ ସମୟରେ ଜାଣି ସାରିଥିଲେ ଯେ, ତାଙ୍କ ଗିରଫଦାରିକୁ ସ୍ୱୟଂ ଯମରାଜ ମଧ୍ୟ ଏଡେଇ ପାରିବେ ନାହିଁ । ସେହି ସମୟରେ ଦିନବନ୍ଧୁ କାଳେ ଯମରାଜଙ୍କଠାରୁ ଓଡିଶା ପୋଲିସ୍‌କୁ ବେଶୀ ଭୟ କରୁଥିଲେ । ପୋଲିସ୍ କାଳେ ତାଙ୍କୁ ଗିରଫ କରିବା ବେଳେ ସେ ଏକାଥରେ ଦୁଇ ତିନିଟି କଲ୍‌ଗାର୍ଲଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିଲେ ଏବଂ ଆକଣ୍ଠ ୱାଇନ୍ ପାନ କରିଥିଲେ । ଅବଶ୍ୟ ଏ ସଂପର୍କରେ ରିପୋର୍ଟ ଓଡିଶା ଖବରକାଗଜରେ କିଛି ପ୍ରକାଶ ପାଇନଥିଲା । ଏହା ସେଠାକାର କିଛି ବଙ୍ଗଳା ଖବରକାଗଜର ଭିତର ପୃଷ୍ଠାରେ ଛୋଟିଆ ହୋଇ ପ୍ରକାଶ ପାଇଥିଲା । ଓଡିଆ ଭାବାର୍ଥରେ ଯେଉଁ ଶୀର୍ଷକ ଥିଲା ଏମିତି- ‘କଲ୍‌ଗାର୍ଲଙ୍କ ସହ ଅସଂଜତ ଅବସ୍ଥାରେ ଓଡିଶାର କ୍ୟାବିନେଟ୍ ମନ୍ତ୍ରୀ ଗିରଫ, ପ୍ରଚୁର ୱାଇନ୍ ପାନ’ ।

ଏପଟେ ପୂରା ଘଟଣାର ମାଷ୍ଟର ମାଇଣ୍ଡ ଥିବା ଦିନବନ୍ଧୁଙ୍କ ପତ୍ନୀ ସୁନ୍ଦରମଣିଙ୍କ ସଂପର୍କରେ ବି ଲୋକେ କିଛି ମନେରଖି ନଥିଲେ । ଏବେକା କିଛି ସାମ୍ବାଦିକ ତର୍କରେ ମାତିଥିଲେ ଯେ, ବୁଢି ଏବେବି ବଂଚିଛି । କିନ୍ତୁ ଟିକିଏ ବରିଷ୍ଠ ସାମ୍ବାଦିକ କହୁଥିଲେ ଯେ, ନା ନା ବୁଢି ପୋଲିସ୍ ଗିରଫ କରିବା ପୂର୍ବରୁ ହିଁ ମୃତ୍ୟୁବରଣ କରିଥିଲା । ପଶ୍ଚାତାପରେ ସେ କାଳେ ବିଷପାନ କରିଥିଲା । ସେ ସମୟରେ ସେ ବାପଘରେ ଥିଲା ଓ ନିଜର ଜଣେ ପିଲାଦିନର ପ୍ରେମିକ ଜଙ୍ଘରେ ମୁଣ୍ଡ ଦେଇ ସୁଖରେ ପ୍ରାଣ ଛାଡିଥିଲା । ଏହାକୁ ନେଇ ରାଜ୍ୟର ଏକ ଯାତ୍ରାଦଳ କାଳେ ସୁନ୍ଦର ବହିଟିଏ ଖେଳେଇଥିଲା ।

ସେପଟେ କିଛିଦିନର ଜେଲ୍ ରହଣୀ ପରେ ଦିନବନ୍ଧୁ କେବେ ଘରକୁ ଫେରିଲେ, ତାଙ୍କୁ ବେଲ୍ ମିଳିଲା କିମ୍ବା ସେ ନିର୍ଦ୍ଦୋଷରେ ଖଲାସ ହେଲେ ତାହା ଆଉ ଓଡିଶାବାସୀ ମନେ ରଖିନଥିଲେ । ସେବେଠାରୁ ସେ କେଉଁଠି ଅଛନ୍ତି, ତାଙ୍କ କେଶ୍ କେତେଦୂର ଗଲା, ବୋହୂ ପ୍ରଲିସା ଏବେ କ’ଣ କରୁଛନ୍ତି ତାହା କାହାର ମନେନଥିଲା । ଏତେବର୍ଷ ଧରି କୌଣସି ଖବରକୁ, ତାହା ଯେତେ ଭୟଙ୍କର ଓ ଗୁରୁତର ହୋଇଥାଉ ନା କାହିଁକି, ଆମ ଲୋକେ ସେ ସବୁକୁ ସହଜରେ ଭୁଲିବାରେ ମାହିର ଥିଲେ । ସେହି କ୍ରମରେ ଏହି ହାଇ ପ୍ରୋଫାଇଲ୍ ଯୌତୁକ ନିର୍ଯାତନା ଘଟଣାକୁ ଆଉ କେହି ମନେରଖି ନଥିଲେ । ତା ପରେ ଅନେକ ଏମିତି ଘଟଣା ଘଟିଛି ରାଜ୍ୟରେ ଯାହା ଖୁବ୍ ଚର୍ଚ୍ଚା ହୋଇଛି ଲୋକେ ସହଜରେ ଭୁଲି ଯାଇଛନ୍ତି ।

ସେହିପରି କ୍ୟାବିନେଟ୍ ମନ୍ତ୍ରୀଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିବା ବୋହୂ ପ୍ରଲିସା ଚୌଧୁରୀକୁ ମଧ୍ୟ ଧୀରେ ଧୀରେ ଲୋକେ ଭୁଲି ଯାଇଥିଲେ । ଏହି ଘଟଣା ପରେ ସେ କିଛିବର୍ଷ ପାଇଁ ବିଦେଶ ଯାଇ ସେଠାରେ ଉଚ୍ଚଶିକ୍ଷା ଲାଭ କରୁଥିଲା ଓ ତା ପରିବାର ଲୋକେ ମଧ୍ୟ ସେଠାରେ ଯାଇ ରହୁଥିଲେ । କୌଣସି ଏକ ଖବରକାଗଜରେ ମଝିରେ ଛୋଟ ଖବରଟିଏ ପ୍ରକାଶ ପାଇଥିଲା ଯେ, ପ୍ରଲିସା ଚୌଧୁରୀ ପୁଣି ରାଜ୍ୟକୁ ଫେରିଛନ୍ତି । ସେ ଉଚ୍ଚଶିକ୍ଷା ଲାଭ କରି ଫେରିବା ପରେ ଥରେ ଲୁଚିକି ଯାଇ ମାଛଦଳ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କନିଷ୍କ ପଟ୍ଟନାୟକଙ୍କୁ ଭେଟିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ସେ ହିଁ ଟିକଟ ପାଇବା ଏକପ୍ରକାର ନିଶ୍ଚିତ ବୋଲି ସଂପୃକ୍ତ ଖବରକାଗଜ ରିପୋର୍ଟ କରିଥିଲା । ଆଉ ୟା ପଛରେ ବାଙ୍ଗାଲୋରର ଜଣେ କର୍ପୋରେଟ୍ ବାବାଙ୍କ ଆଶୀର୍ବାଦ କାମ କରୁଥିଲା । ଯେଉଁ ବାବାଙ୍କ ପାଖରେ ନିଜକୁ ସମର୍ପଣ କିରଥିଲା ପ୍ରଲିସା ଚୌଧୁରୀ । କିଏ କିଏ କହୁଥିଲେ, ସେ ବାବା କାଳେ ପ୍ରଲିସା ଚୌଧୁରୀର କଲେଜ ବନ୍ଧୁ । ସେମାନେ ପରସ୍ପରକୁ ପ୍ରେମ କରୁଥିଲେ କିନ୍ତୁ କୌଣସି କାରଣ ବଶତଃ ବିବାହ କରିପାରି ନଥିଲେ । ଏବେ ସେମାନେ ଗୁରୁଶିଷ୍ୟା ହୋଇ ପରସ୍ପରର ବେଶ୍ ନିକଟତର ହୋଇଥିଲେ । ଜୟ କର୍ପୋରେଟ୍ ବାବା କି ଜୟ ।

ସତକୁ ସତ ରାଜ୍ୟରେ ଆଗକୁ ପୁଣି ଏକ ନିର୍ବାଚନ ଆସୁଥିଲା । ସାରା ରାଜ୍ୟରେ ଜୋର୍‌ଦାର୍ ଚର୍ଚ୍ଚା ହେଉଥିଲା ଯେ, ରାଜ୍ୟ ଶାସନରେ ଥିବା କନିଷ୍କ ପଟ୍ଟନାୟକଙ୍କ ମାଛ ପାର୍ଟି ଆଉ ବୋଧେ ଫେରି ନପାରେ । ସେଥିପାଇଁ ଏହି ଦଳ ବିକଳରେ ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀଙ୍କୁ ଦଳରେ ମିଶେଇବାରେ ଲାଗିଥିଲା । ରୂପେଲି ପରଦାରେ ଏମାନଙ୍କୁ ଲୋକେ ଭଲ ପାଉଥିବାରୁ ବାସ୍ତବ ଜୀବନର ପରଦାରେ ମଧ୍ୟ ଏମାନେ ନିଶ୍ଚିତ ଜିତିବେ ବୋଲି ଦଳର ଭରସା ଥିଲା । କ୍ୱାଲିଟି ରାଜନୀତିକୁ ଜୋତା ମାରି, ସଂଖ୍ୟା ରାଜନୀତି ପ୍ରତି ସମସ୍ତଙ୍କର ଅଧିକ ଧ୍ୟାନ ଥିଲା । ଗଣତନ୍ତ୍ରର କଣା ଜାଗାରେ ଧୂଆଁ ଦେଇ କେମିତି ଶାସନ ଗାଦିକୁ ଫେରିହେବ ସେ ଦିଗରେ ରିସର୍ଚ୍ଚ ଚାଲିଥିଲା ।

ସେହିପରି ଦିନବନ୍ଧୁ ମହାନ୍ତିଙ୍କ ନିର୍ବାଚନ ମଣ୍ଡଳୀରେ ଏଥର କିଏ ପ୍ରାର୍ଥୀ ହେବେ ସେ ବିଷୟ ନେଇ ବେଶ୍ ଚର୍ଚ୍ଚା ଚାଲିଥିଲା । କେତେକ କହୁଥିଲେ ବୋହୂ ପ୍ରଲିସା ଚୌଧୁରି ଏଥର ସ୍ୱାଧୀନ ଭାବେ ନିର୍ବାଚନ ଲଢିବେ । ପୁଣି କିଏ କହୁଥିଲା ଦିନବନ୍ଧୁଙ୍କ ପୁଅ ବୋଧେ ମୈଦାନକୁ ଓହ୍ଲେଇ ପାରନ୍ତି । କିନ୍ତୁ ଏତେସବୁ ସତ୍ୱେ ଦିନବନ୍ଧୁଙ୍କୁ ଆଉ କେବେ କିଏ ରାଜଧାନୀରେ ଦେଖିନି । ଦିନେ ରାଜ୍ୟ ରାଜନୀତିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରୋଫାଇଲ୍ ଧରି ବୁଲୁଥିବା ଶକ୍ତିଶାଳୀ ବ୍ୟକ୍ତିଟି ହଠାତ୍ ନିରୁଦ୍ଦିଷ୍ଟ ହୋଇଯାଇଥିଲା ଜନମାନସରୁ ।

ତେବେ ହଠାତ୍ ଏଇ ସମୟରେ ଏକ ଚମକଦାର ଘଟଣା ଘଟିଲା ଯାହା ସାରା ରାଜ୍ୟବାସୀଙ୍କୁ ନିଦରୁ ଉଠେଇ ଦେଇଥିଲା । ଖବରଟି ଅତ୍ୟଧିକ ରୋଚକ ବୋଲି କିଛି କିଛି ପୁରୁଣା ସାମ୍ବାଦିକ ଚର୍ଚ୍ଚା କଲେ । କିଛି ଟିଭି ବାଲାଏ କହିଲେ, ଏ ଖବର ହଟ୍ ସେଲ୍ ହୋଇଯିବ । ଟିକିନିକି କଭରେଜ୍ ଦିଅ । ସବୁ ଆଙ୍ଗଲ୍‌ରୁ ଷ୍ଟୋରି ଛାଡ ।

ଖବରଟି ଥିଲା ଏହିପରି । ହଠାତ୍ ରାଜଧାନୀର କୌଣସି ଏକ ଷ୍ଟାର୍ ହୋଟେଲ୍‌ରେ ଏକ ସାମ୍ବାଦିକ ସମ୍ମିଳନୀର ଲାଇଭ୍ ଦୃଶ୍ୟ ରାଜ୍ୟବାସୀ ଦେଖିବାକୁ ପାଇଲେ ସବୁ ନ୍ୟୁଜ୍ ଚ୍ୟାନେଲ୍‌ରେ । ଦୃଶ୍ୟରେ ଉପସ୍ଥିତ ଥିଲେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି, ତାଙ୍କ ପୁଅ ରାଜା ମହାନ୍ତି, ତାଙ୍କ ବିଛୁଆତି ବୋହୂ ପ୍ରଲିସା ଚୌଧୁରୀ, ପ୍ରଲିସାର ବାପା ଓ ପରିବାର ବର୍ଗ ଏବଂ କିଛି ଜଣାଶୁଣା ସାମ୍ବାଦିକ । ଖବରଟିକୁ ରାଜ୍ୟବାସୀ ହଠାତ୍ ବୁଝିପାରିଲେ ନାହିଁ । ଯେହେତୁ ଏହା ଏକ ପୁରୁଣା ଘଟଣାର ଫଲୋଅପ୍ ତେଣୁ ଆଜିକାଲିର ନୂଆ ଟୋକାଟୋକି ପୂରା ଏପିସୋଡ୍ ବୁଝିବାକୁ ଟାଇମ୍ ନେଲେ ।

ଧୀରେ ଧୀରେ ଖବରଟି ସ୍ପଷ୍ଟ ହେବାରେ ଲାଗିଥିଲା । ଲୋକମାନେ ବହୁବର୍ଷ ପରେ ଦିନବନ୍ଧୁଙ୍କ ସୁନ୍ଦରୀ ବୋହୂ ପ୍ରଲିସାର ପରିବର୍ତ୍ତିତ ରୂପ ଦେଖିବାକୁ ପାଉଥିଲେ । ଯୌତୁକ ନିର୍ଯାତନା ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିବା ପରେ ପ୍ରଲିସା ଚୌଧୁରୀ ବିଦେଶ ଯାଇ ସେଠୁ ଫେସ୍‌ବୁକ୍‌ରେ କିଛି କିଛି ମଡର୍ଣ୍ଣ ଲୁକ୍ ଫଟୋ ଛାଡିଥିଲା, ଯାହାକୁ ଓଡିଶାର କିଛି ସାମ୍ବାଦିକ କେବଳ ଦେଖିଥିଲେ । କିନ୍ତୁ ତା ପରେ ତାକୁ ସମସ୍ତେ ଭୁଲି ଯାଇଥିଲେ । ଏବେ ଷ୍ଟେଜ୍ ଉପରେ ପୁଣି ତା’ର ପରିବର୍ତ୍ତିତ ରୂପ ଲୋକମାନେ ଦେଖିବାକୁ ପାଉଥିଲେ । ଦୃଶ୍ୟଟି କୌଣସି ଏକ ମେଳଣର ପରିବେଶ ପରି ଥିଲା । କିଏ କାହାକୁ ମିଠା ଖୁଆଉଥିଲେ ଓ କିଏ କାହାକୁ କାହିଁକି ମାଳା ପିନ୍ଧାଉଥିଲେ ତାହା ସହଜରେ ବୁଝିବା କଷ୍ଟକର ହେଉଥିଲା ।

ଧୀରେ ଧୀରେ ଜଣାପଡିଲା ଯେ, ବହୁଦିନର କେଶ୍‌ବାସ୍ ଓ ଝଗଡାଝାଂଟି ପରେ ପୁଣି ଏକାଠି ହେବାକୁ ଯାଉଛନ୍ତି ଦିନବନ୍ଧୁଙ୍କ ପୁଅ-ବୋହୂ । ଏତେ ଅଭିଯୋଗ-ପ୍ରତିଅଭିଯୋଗ, ଜେଲ୍ ଖଟଣି, ଅଣ୍ଡର ଗ୍ରାଉଣ୍ଡ, ମନ୍ତ୍ରୀପଦ ଧୂଳିସାତ୍ ଏବଂ ମାନଇଜ୍ଜତ ହରଣଚାଳକୁ ପଛରେ ପକାଇ, ଏ ଦୁଇପକ୍ଷ ହଠାତ୍ ଏକାଠି ହେବାକୁ ଯିବା ଖବରଟି କେହି ବିଶ୍ୱାସ କରିପାରୁ ନଥିଲେ ।

ଖବରଟି ସାରା ରାଜ୍ୟରେ ନିଆଁ ଚରିଲା ପରି ଚରି ଯାଇଥିଲା । ଲୋକେ ବହୁ ଅବାନ୍ତର ଚର୍ଚ୍ଚା ସବୁ କରୁଥିଲେ । କିଏ କହୁଥିଲା, ‘ଏହା କିପରି ସମ୍ଭବ’ ତ ପୁଣି କିଏ କହୁଥିଲା, ‘ଏହା ପଛରୁ ଆସୁଛି ଆଗାମୀ ନିର୍ବାଚନର ଗନ୍ଧ’ । ସତେ ଯେମିତି ଆମ ସାଧାରଣ ପରିବାର ଗୁଡିକରେ କେବେ କୌଣସି ଘଇତା-ମାଇପ କଳି ଲାଗୁ ନଥିଲେ କିମ୍ବା ଲାଗିଲେ ବି ପୁଣି ଏକାଠି ହେଉ ନଥିଲେ । ଟିପିକାଲ୍ ଓଡିଆ ମେଂଟାଲିଟି । ଘରକଳି ପୁରାଣ ସଦୃଶ ।

ରାଜ୍ୟର କିଛି ଜଣାଶୁଣା ସାମ୍ବାଦିକ ପ୍ରଲିସା ଚୌଧୁରି ଓ ରାଜା ମହାନ୍ତିକୁ ଏକାଠି କରିବାରେ ପ୍ରୟାସ କରି ସଫଳ ହୋଇଥିଲେ । ରାଜ୍ୟର ସମସ୍ତ ଛୋଟବଡ ଟିଭିରେ ଲାଇଭ୍ ଚାଲିଥିବା ଏହି ଘଟଣାକୁ ଲୋକେ ମହାପ୍ରଭୁଙ୍କ ରଥଯାତ୍ରା ପରି ଆଖି ତରାଟି ଦେଖୁଥିଲେ । କିଏ କିଏ ମଧ୍ୟବୟସ୍କ ମହିଳା କାଳେ ହାତ ଯୋଡି ଦିଅଁଙ୍କୁ ପ୍ରଣାମ କଲେ ଯେ, ଆହାଃ ! କି ସୁନ୍ଦର ଯୋଡି ଦେଖିଲ, କେମିତି ଅଲଗା ହୋଇ ରହିଥିଲେ, ଯାହା ହେଉ ଠାକୁରେ ମିଶେଇ ଦେଲେ ଏମାନଙ୍କୁ । ଟିଭି ପରଦାରେ ପ୍ରଲିସା ଚୌଧୁରୀ ଓ ରାଜା ମହାନ୍ତି ବରଣମାଳା ଅଦଳବଦଳ ହେଉଥିଲେ, ବେଦୀରେ କଲା ପରି ଓ ପରସ୍ପର ପାହାଳ ମିଠା ଖୁଆଖୁଇ ହେଉଥିଲେ ।

ଏହି ଘଟଣାର ମାତ୍ର ସପ୍ତାହେ ପରେ ରାଜ୍ୟ ଶାସନରେ ଥିବା ‘ମାଛ ଦଳ’ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା । ଏଥିରେ ପୂର୍ବତନ ମନ୍ତ୍ରୀ ଦିନବନ୍ଧୁ ମହାନ୍ତିର ବୋହୂ ପ୍ରଲିସା ଚୌଧୁରୀକୁ ଦଳ ପ୍ରାର୍ଥୀ କରିଥିଲା । ପାର୍ଟି ତରଫରୁ ଦିନବନ୍ଧୁ ମହାନ୍ତିକୁ ରାଜ୍ୟସଭା ଟିକଟ ମିଳିଲା । ସେତେବେଳକୁ ପ୍ରଲିସା ଚୌଧୁରୀ ନିଜ ଶ୍ୱଶୁର ଓ ସ୍ୱାମୀଙ୍କ ନାଁରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେଇଥିଲା ଓ ନିଜ ବରକୁ ଦ୍ୱିତୀୟବାର ପାଇବା ପରେ ବିଦେଶ ଯାଇ ହନିମୁନ୍ କରି ଫେରିଥିଲା ।

ଲୋକେ କୁହାକୁହି ହେଲେ ଯେ, ରାଜନୀତି ପାଇଁ ଏ ସବୁ ଫନ୍ଦିଫିକର ସମସ୍ତେ ମିଶି ରଚିଥିଲେ । ରାଜ୍ୟବାସୀ କେବଳ ଭକୁଆ ପରି ଦେଖୁଥିଲେ । ପ୍ରଲିସା ଚୌଧୁରୀ ନିର୍ବାଚନରେ ବିଜୟଲାଭ କରିଥିଲା । ଏ ସବୁ କାଳେ କୌଣସି ଜଣେ ବାବାଙ୍କ କରାମତିରେ ଘଟିଥିଲା ବୋଲି ସମସ୍ତେ କୁହାକୁହି ହେଉଥିଲେ । ଯେଉଁ ବାବା କି ବାଙ୍ଗାଲୋର କର୍ପୋରେଟ୍ ହାଉସ୍‌ରୁ ଚାକିରି ଛାଡି ସନ୍ୟାସ ନେଇଥିଲେ ଓ ପ୍ରଲିସା ଚୌଧୁରୀ ତାଙ୍କ ପାଦପଦ୍ମରେ ଚରଣାଶ୍ରିତ ହୋଇ ଶୁଭଫଳ ପ୍ରାପ୍ତ ହୋଇଥିଲେ । ଏମିତିକି ବିଧାୟିକା ପ୍ରଲିସା ଚୌଧୁରୀଙ୍କର ଅଧିକାଂଶ ସମୟ ବାବାଙ୍କ ଆଶ୍ରମରେ କଟୁଥିଲା । ଏମିତିକି ରାତିରେ ମଧ୍ୟ ।

କାହାଣୀଟି ଏଇଠି ସରୁଥିଲା । କିନ୍ତୁ ଘଟଣା ଘଟି ଚାଲିଥିଲା ଅଜସ୍ର ।

Leave a Reply

Your email address will not be published. Required fields are marked *