ଶେଷ ଦୃଶ୍ୟ (ଭାଗ -୮)

।। ୮ ।।

‘ହୋଟେଲ୍ ମଦାଳସା’ର ବାଲ୍‌କୋନୀରୁ ପୁରୀ ବେଳାଭୂମିର ଦୃଶ୍ୟ ଖୁବ୍ ଅଶାନ୍ତ ଲାଗୁଥିଲା । ଘର ଉଚ୍ଚର ଗୋଟିଏ ଲହଡି, କୂଳରେ ପିଟି ହୋଇ ପୁଣି ସମୁଦ୍ର ଭିତରକୁ ଫେରିବା ପୂର୍ବରୁ, ଆଉ ଗୋଟିଏ ଆସି ତା ଉପରେ ନଦାରି ହୋଇ ପଡୁଥିଲା । ଖୁବ୍ ଉଚ୍ଛନ ଥିଲେ ଏମାନେ ନିଜକୁ ଅଜାଡି ଦେବାକୁ । ରାଜା ମହାନ୍ତିକୁ ଲାଗୁଥିଲା, ବେଳେବେଳେ ନାରୀମାନେ ବି ଏମିତି ହୁଅନ୍ତି । ଜଣକର ଟାଇମ୍ ସରିନଥିବ ଆଉଜଣେ ଆସି ନଦାରି ହୋଇପଡେ ତା ଉପରେ । ଏମାନଙ୍କ ଭିତରେ ଏ ଉଦ୍‌ବେଳନ କାହିଁକି ?

ହ୍ୱିସ୍କି ପେଗ୍‌ଟା ତଥାପି ବାକି ଅଛି । ଉଦରସ୍ଥ ହୋଇଥିବା ଦୁଇ ପେଗ୍‌ରେ ରାଜା ମହାନ୍ତି ଦେହର ରକ୍ତ ସବୁ ସମୁଦ୍ର ଲହଡି ପରି ଅଶାନ୍ତ ହେବା ଆରମ୍ଭ କରିଥିଲେ । ତା ପାଟିରୁ ବାହାରୁଥିବା ସିଗାରେଟ୍‌ର ଧୂଆଁ ପରି ସେ ଉଡି ବୁଲିବା ପିଲା । କିନ୍ତୁ ସବୁକିଛି ଓଲଟ ପାଲଟ କରିଦେଇଛି ସେ ବେଧେଇ ଲିସା । ଓଃ ! ଛେନା ପରି ତା ଦେହରେ ଥିଲା ଟେଳାଏ ଭାଙ୍ଗର ନିଶା । ଯୋଉ ନିଶା ରଜା ପରି ଧରେ ଆଉ କଟୁଆଳ ପରି ଛାଡେ । ଲିସା ସହ ରାତି ବିତେଇବାକୁ ହେଲେ, ବାସ୍ ଟଙ୍କାକର ଭାଙ୍ଗ ହିଁ କାଫି । ଲିସା ତାକୁ ଲାଗେ ରାମାୟଣ ଯୁଗର ଗୋଟିଏ ନାରୀ ଚରିତ୍ର ପରି । ସେ ଓଡିଶୀ ନାଚୁଥିବା ମୂର୍ତିଟିଏ, ଆଉ ରାଜା ମହାନ୍ତି ତାକୁ ଉପଭୋଗ କରୁଥିବା ସେନାପତିଟିଏ । ହାଃ ହାଃ ହାଃ ! ଅଢେଇ ପେଗ୍ ହ୍ୱିସ୍କି ଖୁବ୍ ହ୍ୟାଙ୍ଗ ଓଭର ଆଣିଛି ରାଜା ମହାନ୍ତି ଦେହରେ । ଖୁବ୍ ।

ଦେବ ଚୌଧୁରୀ ଶଳା ଏବେବି ନିଘୋଡ ନିଦରେ ଶୋଇଛି । ମାଦର୍ ଗାମୁଛାଟିଏ ପିନ୍ଧିକି ଶୋଇଥିଲା ଯେ, ସେଟା କେତେବେଳୁ ତା ଦେହରୁ ଅଲଗା ହେଇକି ଆଉ କୁଆଡେ ବୁଲୁଚି । ତା ଲଙ୍ଗଳା ଦେହଟାକୁ ସିଧା ଅନେଇ ହେଉନି । ମଦମତ୍ତ ପୁରୁଷର ଶରୀର ଏତେ ଦୃଷ୍ଟିକଟୁ ! ଓଃ !

ରାଜା ମହାନ୍ତି କାଲି ଯେତେବେଳେ ଭୁବନେଶ୍ୱର ଛାଡିଲା, ଏଇ ଦେବ ଚୌଧୁରୀ ହିଁ ତାକୁ ବାଧ୍ୟ କରିଥିଲା ପୁରୀ ଆସିବାକୁ । କହିଥିଲା- ‘ସାଙ୍ଗ ତୁ ଲୁଚି ଯାଆ । ଏମିତି ଜନାକାରୀ କେଶ୍‌ରେ ନିଜେ ବ୍ରହ୍ମା ଆସିଲେ ବି ଆରେଷ୍ଟ ହେବା ଥୟ । ମୁଁ ମଉସା ମାଉସୀଙ୍କୁ କହିଚି ସେମାନେ କଲିକତା ପଳେଇବେ । ତୋ ଉପରେ ମିଡିଆର ବେଶୀ ଫୋକସ୍ ନାହିଁ । ସମସ୍ତେ ଲାଗିଛନ୍ତି ମଉସାଙ୍କ ପଛରେ । ଏବେଯାଏ ସେ କାହିଁକି ରିଜାଇନ୍ କରିନାହାଁନ୍ତି ଓ କାହିଁକି ତାଙ୍କୁ ଆରେଷ୍ଟ କରାଯାଇନି ସେଇ ଖବର ଚାଲିଛି ସବୁ ଟିଭିରେ । କିନ୍ତୁ ତୋ ଉପରେ ରହିଛି ପୋଲିସ୍‌ର ଛଂଚାଣ ଆଖି ।’

‘କିନ୍ତୁ ମୁଁ ଏକା ? କୁଆଡେ ଯିବି ? କୋଉ ପୋଲିସ୍ ମତେ ଆରେଷ୍ଟ କରିବ ? ଶଳା ମୋ ପାୱାର ଜାଣିନାହାଁନ୍ତି ସେମାନେ ।’

ଉତ୍ତେଜିତ ହୋଇ କହିଥିଲା ରାଜା ମହାନ୍ତି । ସେ କ୍ୟାବିନେଟ୍ ମିନିଷ୍ଟର ଦିନବନ୍ଧୁ ମହାନ୍ତିଙ୍କ ପୁଅ । ତାଙ୍କ ପାର୍ଟି ପାୱାରରେ ଅଛି । ଗୋଟେ ଦୁଇ କଉଡିର ଝିଅ ତାକୁ ଆରେଷ୍ଟ କରେଇ ଦେବ ? ଚିରିକି ଫାଡି ଦେବି ସେ ଟୋକିକୁ ।

କିନ୍ତୁ ଉତ୍ତେଜନାରେ ଥରୁଥିବା ରାଜା ମହାନ୍ତିକୁ ଚୁପ୍ କରେଇଥିଲା ଏଇ ଦେବ ଚୌଧୁରୀ । ସେତେବେଳେ ସେମାନେ ଥିଲେ ରାଜଧାନୀର ହାଇପ୍ରୋଫାଇଲ୍ କ୍ଲବ୍ ‘ଦି ଏଲିଟ୍ ସିଟିଜେନ୍ସ’ରେ । ରାଜଧାନୀର ମଧ୍ୟସ୍ଥଳରେ ଅବସ୍ଥିତ ଏଇ ହାଇଫାଇ କ୍ଲବ୍‌ଟି, ଅଫିସର, ନେତା, ବ୍ୟବସାୟୀ ଓ ଠିକାଦାରଙ୍କ ବଡଦେଉଳ । ଏଠି ଉଭୟ ଦଲାଲ୍ ଓ ପୋଲିସ୍ ଗୋଟିଏ ଗ୍ଲାସ୍‌ରୁ ମଦ ପିଅନ୍ତି । ପରସ୍ପର ସ୍ତ୍ରୀ ବଦଳେଇ ସମସ୍ତେ ମଉଜ କରନ୍ତି । ରାଜ୍ୟ ସରକାରଙ୍କ ଅଧିକାଂଶ ଆଇଏଏସ୍ ଅଫିସର ଏଇ କ୍ଲବ୍‌ର ମହନୀୟ ଶ୍ରଦ୍ଧାଳୁ । ଏଠି ଆସରର ଅର୍ଥ ହେଲା, କେବଳ ଦାରୁ ଓ ଦେହ । ସେ ଦେହ ଅଠର ବର୍ଷୀୟା ଝିଅର କି ଛୟାଳିଶି ବର୍ଷୀୟା ନାରୀର ସେଥିରେ ଫରକ ନଥାଏ । ଆନନ୍ଦ ବଜାର । ଯିଏ ଯୋଉଠୁ ପାରିଲା ସେଠି ଖାଇପାରେ । ସେଥିରେ ବାରଣ ନଥାଏ । ଏଠି ‘ହରିବୋଲ’ ବଦଳରେ କୁହାଯାଏ ‘ଦାରୁବୋଲ୍‌’ ଓ ‘ଦେହବୋଲ୍‌’ ।

ରାଜା ମହାନ୍ତି ନାଁରେ ସାଂଘାତିକ ପୋଲିସ୍ କେଶ୍ ଥିଲେବି, କାଲି ଏଇ କ୍ଲବ୍‌ରେ ତା ସହ ବେଶ୍ ହସି ହସି କଥା ହୋଇଥିଲେ ପୋଲିସ୍ ଡିଜି ପ୍ରହରାଜ ଅଙ୍କଲ । କହିଥିଲେ- ‘ବେଟା ଖୁବ୍ ଏନ୍‌ଜୟ କର, ଡୋଂଟ୍ ୱରି, କିଛି ହେବନି । ଏମିତି ଅନେକ କେଶ୍ ଥାନାରେ ରେଜିଷ୍ଟର ହୁଏ । ସବୁ ମାମଲାରେ ମୁଣ୍ଡ ଖେଳେଇଲେ ଆମେ ପୋଲିସ୍ ବାଲା ତ କିରାଣୀ ହେଇଯିବୁ । ହାଃ ହାଃ ହାଃ !’

ଡିଜି ଅଙ୍କଲ ଆକଣ୍ଠ ‘ସିଗ୍ନେଚର’ ବ୍ରାଣ୍ଡ ପାନ କରିଥିଲେ । ସେତେବେଳେ ସେ ଷ୍ଟେଜ୍‌ରେ ନାଚୁଥିବା ତନୁପାତେଳୀ ଟିନ୍‌ଏଜ୍ ଝିଅଙ୍କୁ ଚାହିଁ ଆସରର ମଜ୍ଜା ନେଉଥିଲେ । ତାଙ୍କ କଥାରେ ଖୁବ୍ ଜୋର୍‌ରେ ହସିଥିଲା ରାଜା ମହାନ୍ତି । କିନ୍ତୁ କ୍ଲବ୍‌ରୁ ଫେରିବା ପରେ ଦେବ ଚୌଧୁରୀ କହିଥିଲା- ‘ତୁ ସେ ପୋଲିସ୍ କଥାରେ ମୋଟେ ପଡନା । ଭଲକରି ମନେ ରଖିଥା, ଏଠି କେହି କାହାର ନୁହଁନ୍ତି । ତେଣୁ ଚାଲ୍ ଆମେ ପୁରୀ ପଳେଇବା । ମୁଁ ବି ତୋ ସହ ରହିବି । ଓକିଲ ଅଙ୍କଲ ଲାଗିଛନ୍ତି, ବେଲ୍‌ଟା ମିଳିଗଲେ ପୁଣି ଆସି ଏଠି ମଉଜ କରିବାକୁ କେହି ତତେ ରୋକି ପାରିବେନି ।’

ରାଜା ମହାନ୍ତିକୁ ଲାଗିଲା ଦେବ ଚୌଧୁରୀ ବୋଧେ ଠିକ୍ କହୁଛି । ଏମିତି ହେୟଜ୍ଞାନ କରି ହିଁ ସେ ସବୁବେଳେ ଅସୁବିଧାରେ ପଡିଛି । ସେଦିନ ଚତୁର୍ଥୀ ରାତିରେ ଲିସା ସହ ସେକ୍ସ କରିବାକୁ ମାଆ ହଜାରେଥର ମନା କରିଥିଲା । ମାଆ ମୁଣ୍ଡକୁ ସେ ଶଳା ଘୋଡାଡିମ୍ବ ବାବା ଖାଇ ଦେଇଛି । କହିଲା- ‘ସ୍ତ୍ରୀ ସହ ସେକ୍ସ କଲେ ମୁଁ ଏମେଲେ ହେଇ ପାରିବି ନାହିଁ ।’

ନହେଲେ ନାହିଁ । ସେ ନେତାଫେତା ହେବାକୁ ମୋର ଇଚ୍ଛା ହିଁ ନାହିଁ । ଚତୁର୍ଥୀ ରାତିରେ ଏମିତି ଗୋଟେ ଅର୍ଖନୂଆ ମାଲ୍‌କୁ ଯିଏ ଛାଡେ ସେ ଶଳା ନୋଚଡ ଛଡା ଆଉ କିଛି ନୁହେଁ । ମୋର ତ ଇଚ୍ଛା ହେଉଥିଲା ଲିସା ଘରକୁ ଆସିଲା ଦିନ ହିଁ କାମଟା ସାରି ଦେଇଥାନ୍ତି । ମୌକା ଖୋଜିକି ତାକୁ ମାଡି ବି ବସିଥିଲି । କିନ୍ତୁ ସେ ଟୋକି ବି ଖାଲି ଭିଡିମୋଡି ହେଲା । କହିଲା- ‘ଆରେଃ ! ଏମିତି କ’ଣ ହେଉଛ ଯେ ? ଚତୁର୍ଥୀ ପରା ଯାଇନି ! ଘରେ ସମସ୍ତେ ଅଛନ୍ତି, ଦିନଟାରେ ଏମିତି କ’ଣ ହେଉଛ ?’

ଲିସା କଥା ଶୁଣି ରାଜା ମହାନ୍ତି ଜୋର୍‌ରେ ହସି ପକେଇଥିଲା । ସମ୍ଭୋଗରେ ଦିନ ରାତି କ’ଣ ? ଆରେଃ କବାଟ ଦେଇଦେଲେ ତ ସବୁ ଅନ୍ଧାର । ରାତି କ’ଣ ଦିନ କ’ଣ ? ସେ ଯେତେ ଟୋକିଙ୍କ ସହ ଡାରେନାରେ କରିଛି ଅଧିକାଂଶ ଥର ତ ଦିନରେ ହିଁ କରିଛି । ରାତିରେ ଟୋକିଙ୍କୁ ହୋଟେଲ୍‌ରେ ରଖିବା ମହା ଝମେଲା । ହୋଟେଲ୍ ବାଲା ଶଳା ଦୁନିଆ କଥା ପଚାରିବେ । ‘ସେ ତମର କିଏ, ତାକୁ ଯଦି ବାହା ହେଇଚ ତେବେ ତା ମଙ୍ଗଳସୂତ୍ର କାହିଁ, ତମ ଦୁହିଁଙ୍କର ଫଟୋ ପରିଚୟ ପତ୍ର ଦିଅ, ବାହାଘର ଫଟୋ ଦେଖା, ଠିକଣା ଦିଅ ।’ ତେଣୁ ଏତେ ଝମେଲା ନକରି ରାଜା ମହାନ୍ତି କଲିକତାରୁ ଟୋକି ଆଣି ଦିନରେ ଦିନରେ କାମ ସାରି ସେମାନଙ୍କୁ ପୁଣି ଟ୍ରେନ୍‌ରେ ବସେଇ ୱାପସ୍ ପଠେଇ ଦିଏ । ଇଏ ଶଳା ଫାଷ୍ଟକ୍ଲାସ୍ ଧନ୍ଦା । ନୋ ଟେନ୍‌ସନ୍ ।

ଚତୁର୍ଥୀ ରାତିରେ କିନ୍ତୁ ଲିସାକୁ ସେ ବାଘ ହରିଣକୁ ଖାଇଲା ଭଳିଆ ଖାଇଚି । ଟୋକିଟାକୁ ଦେଖି ରାଜା ମହାନ୍ତି, ତା ମାଆର ସବୁ ପରାମର୍ଶ ଭୁଲି ଯାଇଥିଲା । ଭାବିଥିଲା, ତମର ତ ତା ବୋପାର ଧନ ସଂପତି ଉପରେ ଲୋଭ । ଲିସା ବେକରୁ ତ ସବୁ ସୁନା ଗହଣା ନେଇଗଲ । ଶ୍ୱଶୁର ବୁଢା ତ ଦଶଲକ୍ଷ କ୍ୟାସ୍ ଦେଇଥିଲା ତାକୁ ଚଳୁ କଲ । ଆଉ ମୋ ସ୍ତ୍ରୀଟା ଉପରେ ବି ଲୋଭ ? ତାକୁ ହେଲେ ମୋ ଭାଗରେ ଦିଅ ! ନହେଲେ ତ ଇଏ ସରାସର ଅନ୍ୟାୟ ଆଜ୍ଞା !

ରାଜା ମହାନ୍ତି ଲିସାକୁ ପ୍ରଥମେ ଦେଖିଥିଲା ତା କଲେଜ ଫଙ୍କସନ୍‌ରେ । ସେଦିନ ସେଠି ଗେଷ୍ଟ ଥିଲେ ତା ବାପା ମନ୍ତ୍ରୀ ଦିନବନ୍ଧୁ ମହାନ୍ତି । ଆଉ ଫଙ୍କସନ୍‌ରେ ଯୋଉ କଟକୀ ଆଲବମ୍ ହିରୋଇନ୍ ‘ଲାଲି ଭୂୟାଁ’ ଗେଷ୍ଟ ହେଇକି ଆସିଥିଲା, ପ୍ରେସର୍ ପକେଇ ତାକୁ ଆଣିଥିଲା ରାଜା ମହାନ୍ତି । ଲାଲି ଭୂୟାଁ ହେଉଛି ରାଜା ମହାନ୍ତିର ପର୍ମାନେଂଟ୍ ରକ୍ଷିତା । ତାକୁ ସେ କଟକରେ ଗୋଟେ ଫ୍ଲାଟ୍ ଦେଇଚି । ରାଜା ମହାନ୍ତି ତାକୁ ଖୁବ୍ ଏନ୍‌ଜୟ କରିଛି । ତେବେ ମାଗଣାରେ ନୁହେଁ । ଲାଲି ଭୂୟାଁ ବି ଖୁବ୍ ଲାଭ ପାଇଛି ତା’ଠୁ । ତା ଭଳିଆ ଥାର୍ଡଲାଇନ୍ ଆର୍ଟିଷ୍ଟକୁ ସେ ଦୁଇଟା ଫିଲ୍ମରେ ହିରୋଇନ୍ କରିଛି । ଗୋଟେ ଫିଲ୍ମରେ ସେ ପୂରା ଟଙ୍କା ଦେଇଛି । ଦିନେ ଆଲ୍‌ବମ୍‌ରେ ଗ୍ରୁପ୍ ଡ୍ୟାନ୍ସ କରୁଥିବା ଲାଲି ଭୂୟାଁ ଏବେ ଓଲିଉଡ୍ ହିରୋଇନ୍‌ଙ୍କ ଧାଡିରେ ଠିଆ ହେଇଚି । କାହା ପାଇଁ ?

ସେଦିନ କଲେଜ ଫଙ୍କସନରେ ଲିସା ଚୌଧୁରୀ ହୋଇଥିଲା କଲେଜ କ୍ୱିନ୍ । ତାକୁ ଦେଖିକି ରାଜା ମହାନ୍ତି ସତରେ ବାଇଆ ହୋଇଯାଇଥିଲା । ଲିସା ଚୌଧୁରୀ ତାକୁ ଦିଶିଥିଲା ଗୋଟେ ସଜଫୁଟା ଜିନିଆ ଫୁଲ ପରି । ଚେଷ୍ଟା କରିଥିଲା ତାକୁ ପଟେଇବାକୁ, କିନ୍ତୁ ଲିସା ଚୌଧୁରୀ ଧରାଛୁଆଁ ଦେଇନଥିଲା । ସେଥିପାଇଁ ରାଜା ମହାନ୍ତି ହିଁ ବଡ ଭଉଣୀକୁ କହିଥିଲା ଲିସା ଘରକୁ ବାହାଘର ପ୍ରସ୍ତାବ ନେଇ ଯିବାକୁ ।

‘ସାର୍ ଶୋଇନାହାଁନ୍ତି ଯେ ?’

ହୋଟେଲ୍ କର୍ମଚାରୀଟିଏ ରୁମ୍ ପରିଦର୍ଶନରେ ବୁଲୁଥିଲା ବୋଧେ । ଆଉ ଦୁଇ ତିନିଘଂଟା ପରେ ସକାଳ ହେବ । ଏ ହୋଟେଲରେ ରାଜା ମହାନ୍ତିକୁ ଅଧିକାଂଶ କର୍ମଚାରୀ ଜାଣନ୍ତି । କଲିକତାରୁ ଟୋକି ଆଣିଲେ ସେ ଏଇଠି ହିଁ ରହେ । ଏ ଜାଗାଟା ଖୁବ୍ ସେଫ୍ । ହୋଟେଲ୍ ମାଲିକର ପୋଲିସ ସହ ବେଶ୍ ଭଲ ସଂପର୍କ । ମାସିକିଆ ବଟି ଦେଇ ସେ ସମସ୍ତଙ୍କ ମୁହଁ ବନ୍ଦ କରି ରଖିଚି ।

ବେଳାଭୂମିର ଷ୍ଟ୍ରିଟ୍ ଲାଇଟ୍‌ରେ ଅସ୍ପଷ୍ଟ ଦିଶୁଥିଲେ ସମୁଦ୍ରର ଲହଡି ସବୁ । କିନ୍ତୁ କୂଳରେ ସେମାନଙ୍କ ମୁଣ୍ଡ ପିଟିବାର ଶବ୍ଦ ଏବେ ସ୍ପଷ୍ଟ ଶୁଭୁଛି କାନକୁ । ଆଜି ଖୁବ୍ ମନେପଡୁଛି ଲିସାର ମୁହଁ । ଖୁବ୍ ବିଶ୍ୱାସ ଭରି ରହିଥିଲା ତା ଚାହାଣୀରେ । ତା ପରି ଗୋଟେ ଚରିତ୍ରହୀନକୁ ନେଇ ସେ ସୁନ୍ଦର ଘରଟିଏ ଗଢିବାକୁ ଆସିଥିଲା ଶାଶୂଘରକୁ । କିନ୍ତୁ ରାଜା ମହାନ୍ତିର ଚରିତ୍ର ଏତେ ଶୀଘ୍ର ବଦଳିବାର ନଥିଲା । ଲିସା ପାଇଁ ପ୍ରଥମ ଧକ୍କା ଥିଲା ରାଜା ମହାନ୍ତିର ମାଉସୀ ଝିଅ । ବାହାଘର ପରେ ସେ ତଥାପି ଘରକୁ ଯାଇନଥିଲା । ରାଜା ମହାନ୍ତି ସହ ଅନେକ ଦିନର ସଂପର୍କ ତା’ର । ସେ ତା ସ୍ୱାମୀ ପାଖରୁ ଖାସ୍ ଆସେ ରାଜା ମହାନ୍ତି ସହ ସେକ୍ସ କରିବାକୁ । ସେଦିନ ଦୁହେଁ ବାଥ୍‌ରୁମ୍‌ରେ ଖୁବ୍ ମଜ୍ଜା କରିବା ପରେ ବାହାରକୁ ଆସିଲା ବେଳକୁ ଲିସା ସେମାନଙ୍କୁ ଦେଖି ଦେଇଥିଲା । ଘରେ କେହି ନଥିଲେ । ଲିସା ବି ଶୋଇଥିଲା । ହଠାତ୍ ଏମିତି ସେ ଉଠି ପଡିବ ବୋଲି ରାଜା ମହାନ୍ତି ଆଶା କରିନଥିଲା ।

ସେଦିନ ଲିସାର ଦେହ ଖୁବ୍ ଖରାପ ହୋଇ ଯାଇଥିଲା । ତା ସହ ଦୁଇ ତିନିଥର ସେକ୍ସ କରିଛି ବୋଲି ଜାଣିବା ପରେ ମାଆ ତାକୁ କ’ଣ ସବୁ ଔଷଧ ଖାଇବାକୁ ଦେଇ ଦେଇଥିଲା ଯେ, ତା’ର ଆଉ ବ୍ଲିଡିଂ ବନ୍ଦ ହେଲାନି । ହାଡପୁଟି ଭଳିଆ ଦେହସାରା ଫଳିଗଲା । ଡାକ୍ତର ଦେଖେଇବାକୁ ବି ମାଆ ମନାକଲା । ଏଇ ଘଟଣା ପରେ ରାଜା ମହାନ୍ତି କିଛିଦିନ ଭୁବନେଶ୍ୱର ପଳେଇ ଆସିଲା । ମିଛରେ କହିଥିଲା, ସେ ଯେଉଁ କମ୍ପାନୀର ଡିରେକ୍ଟର ଅଛି, ସେଠି ଅର୍ଜେଂଟ୍ ମିଟିଂ ଅଛି । ବାହାଘର କଲାବେଳେ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ଲିସାର ବାପାଙ୍କୁ ମିଛ କହିଥିଲେ, ପୁଅ ଗୋଟେ ଘରୋଇ କମ୍ପାନୀର ଡିରେକ୍ଟର ଅଛି । କଥାଟା ଶୁଣି ରାଜା ମହାନ୍ତି ମନେମନେ ହସିଥିଲା । ତା ପରି ମାଟ୍ରିକ୍ ଫେଲ୍ ଗବଗାଣ୍ଡୁକୁ କିଏ ଡିରେକ୍ଟର ରଖିବ ! ହା ହା ହା । ବିଚାରୀ ଲିସା ଚୌଧୁରୀ !

ରାଜା ମହାନ୍ତି ଗୋଟେ ମସ୍ତବଡ ଭୁଲ୍ କରିଥିଲା । ବାହାଘର ପରେ ସେ ଅନ୍ତତଃ ତା ମୋବାଇଲ୍‌ର ସବୁ ମେସେଜ୍ ଓ ଏମ୍‌ଏମ୍‌ଏସ୍ ଭିଡିଓ ଡିଲିଟ୍ କରିଦେବାର ଥିଲା । ସେ ଲାଲି ଭୂୟାଁ ଟୋକି ମହା ଛଟକୀ । ତା ଭଳିଆ ବେଧେଇ ଟୋକି, ରାଜା ମହାନ୍ତି ଆଜିଯାଏଁ କୋଉଠି ଦେଖିନି । ରାଜା ମହାନ୍ତି ସହ ସେ ବେଡ୍‌ରେ ଶୋଇଥିବାର ଭିଡିଓ ବି ରେକର୍ଡ କରିବାକୁ ସେ ଭୁଲି ନଥିଲା । କହିଥିଲା, ‘ତମେ ପାଖରେ ନଥିଲା ବେଳେ ଏଇ ଭିଡିଓକୁ ଦେଖି ଦେଖି ମୁଁ ମଜ୍ଜା ନେବି ।’

ସେଇ ଭିଡିଓ, ଫଟୋ ଓ ମେସେଜ୍ ସବୁ ହିଁ ଦେଖି ଦେଇଥିଲା ଲିସା । ସେ ଭୁବନେଶ୍ୱର କ୍ୱାର୍ଟରକୁ ଆସିଥିବା ବେଳେ ମୋବାଇଲ୍‌ଟା ତା ହାତରେ ପଡି ଯାଇଥିଲା । ସେଦିନ ରାଜା ମହାନ୍ତି ତା’ର କିଛି ଫ୍ରେଣ୍ଡଙ୍କ ସହ ଅନ୍ୟ ରୁମ୍‌ରେ ମଦ ପିଉଥିବା ବେଳେ ଏପଟେ ମୋବାଇଲ୍ ଖୋଲି ସବୁକିଛି ଦେଖି ଦେଇଥିଲା ଲିସା । ଖାଲି ସେତିକି ନୁହେଁ, ସକାଳୁ ସକାଳୁ ସେ ମୋବାଇଲ୍‌ଟା ଧରି ପଳେଇଥିଲା ତା ମାଉସୀ ଘରକୁ ।

ଦେବ ଚୌଧୁରୀ କହିଥିଲା- ଲାଲି ଭୂୟାଁ ତତେ ମୌକା ମିଳିଲେ ବ୍ଲାକ୍‌ମେଲ୍ କରିବ ବୋଲି ଏମିତି କରିଥିଲା । ତା ପାଇଁ ତୁ ଗୋଟେ ଦୁଧିଆଳି ଗାଈ । ଦେଖିବୁ ଯୋଉଦିନ ତୁ ତା କବ୍‌ଜାରୁ ଖସିଯିବୁ ସେଦିନ ସେ ତା’ର ପାଇପାଇ ହିସାବ ନେବାକୁ ଭୁଲିବ ନାହିଁ ।

ଦେବ ଚୌଧୁରୀ ସେଦିନ ଠିକ୍ କହିଥିଲା । ଲିସା ମହାନ୍ତି ତା ନାଁରେ ଥାନାରେ କେଶ୍ ଦେଲାପରେ, ରାଜା ମହାନ୍ତି ଲାଲି ଭୂୟାଁକୁ ଯେତେଥର ଡାକିଛି ସେ ଆଭଏଡ୍ କରିଛି । ସୁଟିଂ ବାହାନା କରି ତା ପାଖକୁ ଆସିନାହିଁ । ସେ ଯେ ଏବେ ଜଣେ କ୍ରିମିନାଲ୍ ଏ କଥା ଏବେ ଅନୁଭବ କରୁଛି ରାଜା ମହାନ୍ତି । ରାଜ୍ୟର ଜଣେ ପାୱାରଫୁଲ୍ କ୍ୟାବିନେଟ୍ ମନ୍ତ୍ରୀଙ୍କ ପୁଅ ଏବେ ସମସ୍ତଙ୍କୁ ଲୁଚି ଲୁଚି ବୁଲୁଛି । ଏବେ ସେ କ’ଣ କରିବ ? କେମିତି ଏ ଗୋଲକଧନ୍ଦା ଭିତରୁ ବାହାରିବ ? ତା ମାଆ ଉପରେ ଖୁବ୍ ରାଗ ଆସୁଥିଲା ରାଜା ମହାନ୍ତିର । ଏମେଲେ ନା ଚୋପା ! ଏବେ ଚକି ପେଷୁଥାରେ ପୁଅ !