ଶେଷ ଦୃଶ୍ୟ (ଭାଗ-୫)

।। ୫ ।।

‘ୟୁ ହାଭ୍ ଟୁ କ୍ୟାଚ୍ ଦ୍ୟାଟ୍ ଦିନବନ୍ଧୁ ମହାନ୍ତି ଷ୍ଟୋରି ମାଇଁ ଡିଅର୍ ଶୁଭକାନ୍ତ । ଆଇ ନିଡ୍ ଆଟ୍‌ଲିଷ୍ଟ ୱାନ୍ ଷ୍ଟୋରି ଡେଲି । ତମେ ଜାଣ ? ଏ ଷ୍ଟୋରିରେ ଭ୍ୟୁଅର୍ସଙ୍କ ପାଇଁ ସବୁ ଏଲିମେଂଟ୍ ଅଛି । କ୍ରାଇମ୍ ଅଛି, ସସ୍‌ପେନ୍ସ ଅଛି, ଗ୍ଲାମର୍ ଅଛି, ପଲିଟିକ୍ସ ଅଛି । ଏ ଷ୍ଟୋରି ଭଲ ବିକ୍ରି ହେବ । ଲାଷ୍ଟ ୱିକ୍‌ରେ ଦିସ୍ ‘ଦିନବନ୍ଧୁ ମହାନ୍ତି ଡାଉରି କେଶ୍‌’ ଷ୍ଟୋରି ଆମକୁ ହାଏଷ୍ଟ ରେଟିଂ ଦେଇଛି । ସୋ’ ଟେକ୍ ଦିସ୍ ଷ୍ଟୋରି ସିରିୟସ୍‌ଲି ଡିଅର୍ ।’

ଏଟିଡର୍‌ଙ୍କ ଶୀତତାପ ନିୟନ୍ତ୍ରିତ କୋଠରି ଭିତରେ ଚାଲିଥିଲା ୱିକ୍‌ଲି ରିଭ୍ୟୁ ମିଟିଂ । କୋଉ ଷ୍ଟୋରି କେମିତି ବିକ୍ରି ହେଉଛି, ତା’ର ଟିକିନିକି ହିସାବ ଦେଉଥିଲେ ‘ତେଜ୍‌’ ନିଉଜ୍ ଚ୍ୟାନେଲ୍‌ର ଚିଫ୍ ଏଡିଟର ପ୍ରଶାନ୍ତ ଚକ୍ର । ସପ୍ତାହ ଶେଷରେ ତାଙ୍କ ପାଇଁ ସବୁଠାରୁ ବଡ ଚିନ୍ତା ହେଲା ଚ୍ୟାନେଲ୍‌ର ଟିଆର୍‌ପି । ରେଟିଂ ଭଲ ଥିଲେ ସପ୍ତାହଟି ପୂରା ଭଲରେ କଟେ । ନହେଲେ ରିପୋର୍ଟରଙ୍କ ବାଆର ବାଜେ । ସବୁଦିନ ମର୍ଣିଂ ମିଟିଂରେ ଲେକ୍‌ଚର ଝାଡନ୍ତି ।

‘ଆଇ ନିଡ୍ ମସାଲାଦାର୍ ଷ୍ଟୋରିଜ୍ । ପଲିଟିକାଲ୍ କଂଟ୍ରୋଭର୍ସି, ନହେଲେ ସସ୍‌ପେନ୍ସ କ୍ରାଇମ୍ ଡ୍ରାମା । ଅଦର୍‌ୱାଇଜ୍ କ୍ରିଏଟ୍ ସମ୍ କଂଟ୍ରୋଭର୍ସି । ଆର୍ ୟୁ ଲିସିନିଂ ମି ଶୁଭକାନ୍ତ ?’

ଶୁଭକାନ୍ତ ‘ତେଜ୍‌’ ନିୟୁଜ୍ ଚ୍ୟାନେଲ୍‌ର କ୍ରାଇମ୍ ରିପୋର୍ଟର । କିଛିଦିନ ହେଲା ସେ ପାଲଟି ଯାଇଛି ଏଡିଟରଙ୍କ ଗେହ୍ଲାପୁଅ । ‘ଲିସା ଚୌଧୁରୀ ଡାଉରି କେଶ୍‌’ ଷ୍ଟୋରି ସେ ହିଁ ପ୍ରଥମେ ଫାଇଲ୍ କରିଥିଲା, ଅନ୍ୟ ଚ୍ୟାନେଲ୍ ଓ ଖବରକାଗଜ ବାଲା ଏହାର ସୁରାଗ ପାଇବା ପୂର୍ବରୁ । ସୌଭାଗ୍ୟକୁ ସେଟା କ୍ଲିକ୍ କରିଗଲା । ନହେଲେ ତା ଚାକିରି ଗୋଲ୍ ହେଇ ଯାଇଥାନ୍ତା । ସେ ଯେଉଁ ଅଣଓଡିଆ ଲେଡି ଏସ୍‌ପି ସତରେ ତାକୁ ବଂଚେଇ ଦେଲା । ସେ ଲେଡି ଏସ୍‌ପିକୁ ଥରେ ଶୁଭକାନ୍ତ ବହୁତ ସାହାଯ୍ୟ କରିଥିଲା । କ’ଣ ତ ତା’ ନାଁ ଟା.. ହଁ ‘ତେଜିନୀ ବର୍ମା’ । ଦେଖିବାକୁ ଖୁବ୍ ସେକ୍ସି ତା ଚେହେରା । ତାକୁ ଚିପା ପୋଲିସ୍ ପୋଷାକରେ ଦେଖିଲେ ଶୁଭକାନ୍ତର ମୁଣ୍ଡ ଖରାପ ହୋଇଯାଏ ।

ସେତେବେଳେ ତେଜିନୀ ବର୍ମା ନୂଆ ନୂଆ ଆଇପିଏସ୍ ପାଇ ଓଡିଶା ଆସିଥାଏ । ବ୍ରହ୍ମପୁରରେ ଏସ୍‌ଡିପିଓ ପୋଷ୍ଟିଂ । ଶୁଭକାନ୍ତ ସେଠି ଥାଏ ଗୋଟେ ଛୋଟ ଖବର କାଗଜର ସିଟି ରିପୋର୍ଟର । ଯୋଉ ଖବରକାଗଜର ଏଡିଟର ନିଜେ ସରକାରୀ ଦଳର ଏମ୍‌ପି । ଯିଏ ପୋଲିସ୍ ବିରୋଧରେ ଷ୍ଟୋରି ଛାପି ଖୁବ୍ ସ୍ୟାଡିଷ୍ଟିକ୍ ପ୍ଲିଜର ପାଆନ୍ତି । ସେତିକି ବେଳେ ତେଜିନୀ ବର୍ମା ଗୋଟେ ଅଭିଯୁକ୍ତକୁ ଥାନା ହାଜତରେ ମାଡ ମାରି ଘଣାରେ ପଡିଲା । ସେ ଷ୍ଟୋରିଟାକୁ କେବଳ ଶୁଭକାନ୍ତ ହିଁ ଜାଣିଥିଲା । କିନ୍ତୁ ତେଜିନୀ ବର୍ମାର ଅନୁରୋଧରେ ସେଟାକୁ ସେ ତା କାଗଜରେ ଛାପିଲା ନାହିଁ । ତା ପରଠୁ ସେକ୍ସି ତେଜିନୀ ବର୍ମା ସହ ଶୁଭକାନ୍ତର ଖୁବ୍ ଘଣି ହୋଇଥିଲା । ସବୁଦିନ ରାତିରେ ସେ ତା ସହ ଦୁଇପଦ ପ୍ରେମାଳାପ ନକଲେ ଶୋଉନଥିଲା ।

ଏଠି ଶୁଭକାନ୍ତର ସେଇ ଲିଙ୍କ୍‌ଟା କାମ ଦେଇଥିଲା । ଏବେ ବାଲେଶ୍ୱରରେ ଏସ୍‌ପି ପୋଷ୍ଟିଂ ପାଇଥିବା ତେଜିନୀ ବର୍ମା ହିଁ ତାକୁ ଆଗତୁରା ଖବର ଦେଇଥିଲା, ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ବୋହୂ ଲିସା ଚୌଧୁରୀ, ଶ୍ୱଶୁରଙ୍କ ବିରୋଧରେ କେଶ୍ ଦେବାକୁ ଯାଉଛି । ସେତେବେଳକୁ ରାଜ୍ୟସାରା କାହା ପାଖରେ ଏ ଖବର ନଥିଲା । ଏମିତିକି ଲୋକାଲ୍ ରିପୋର୍ଟର ବି ଖବରଟା ଜାଣିନଥିଲେ । ବିଶେଷ ସୂତ୍ରରୁ ଖବର ମିଳିଛି ବୋଲି କହି ଶୁଭକାନ୍ତ ସେଦିନ ପ୍ରାଇମ୍ ଟାଇମ୍‌ରେ ନିଉଜ୍‌ଟା ଛାଡି ଦେଇଥିଲା । ଟିଆର୍‌ପି କାଙ୍ଗାଳ ଚିଫ୍ ଏଡିଟର ପ୍ରଶାନ୍ତ ଚକ୍ର ଷ୍ଟୋରିଟାକୁ ଦେଖି ଯେତିକି ଖୁସି ହେଇଥିଲା, ସେତିକି ଡରି ବି ଯାଇଥିଲା । ଖବରଟା ବି ସତରେ ସେମିତିକା ଥିଲା । ରାଜ୍ୟର ଜଣେ ପ୍ରଭାବଶାଳୀ କ୍ୟାବିନେଟ୍ ମିନିଷ୍ଟରଙ୍କ ନାଁରେ ତାଙ୍କ ନିଜ ବୋହୂ ଥାନାରେ କେଶ୍ ରୁଜୁ କରିବାକୁ ଯାଉଛି, ଏହା କ’ଣ କମ୍ ରିସ୍କ ବ୍ୟାପାର ? ଥାନାରେ ମାମଲା ଦାଏର୍ ପୂର୍ବରୁ ହିଁ ଶୁଭକାନ୍ତ ଟିଭିରେ ଖବରଟା ବଜେଇ ଦେଇଥିଲା । ତା ପରେ ଦେଖ ତାମସା । ଏମିତିକା ଖବରରେ ଯେମିତି ରିସ୍କ ଅଛି ସେମିତି ମଜ୍ଜା ବି ଅଛି । ଶୁଭକାନ୍ତ ଏବେ ଭାବୁଛି, ଯଦି ଲିସା ଚୌଧୁରୀ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ନାଁରେ କେଶ୍ ଦେଇନଥାନ୍ତା, ତା ଅବସ୍ଥା ସତରେ କ’ଣ ହେଇଥାନ୍ତା କହିଲେ ? ଏବେ ସେ ଥାନାରେ ଚକି ପେଷୁଥାନ୍ତା ।

‘ବଟ୍ ସାର୍ ଉଇ ମଷ୍ଟ ହାଭ୍ ସମ୍ ସୋସିଆଲ୍ ରେସ୍‌ପନ୍ସିବିଲିଟି । ଲିସା ଚୌଧୁରୀ ଷ୍ଟୋରିକୁ ଆମେ ଯେମିତି ରଙ୍ଗ ଲଗେଇ ବଜାରକୁ ଛାଡୁଛନ୍ତି ସେଟା କ’ଣ ଠିକ୍ ? ସେ ଝିଅଟାର ତ ପୁଣି ଗୋଟେ ସାମାଜିକ ଲଜ୍ଜା ଅଛି ? ଦିସ୍ ଇଜ୍ ନଟ୍ ରେସ୍‌ପନ୍‌ସିବଲ୍ ଜର୍ଣ୍ଣାଲିଜିମ୍ ।’

ବହୁ ସମୟ ଧରି ଚୁପ୍ ରହିଥିବା ସିନିୟର ରିପୋର୍ଟର ଶମ୍ଭୁନାଥ ପଟେଲ୍ ମର୍ଣ୍ଣିଂ ମିଟିଂରେ ନିଜ ମତ ରଖିଲା । କିଛିଦିନ ଆଗରୁ ସେ ଥିଲା ‘ତେଜ୍‌’ ଚ୍ୟାନେଲ୍‌ର କ୍ରାଇମ୍ ରିପୋର୍ଟର । କିନ୍ତୁ ଲିସା ଚୌଧୁରୀ ଷ୍ଟୋରି ପରେ, ଚିଫ୍ ଏଡିଟର ତା’ଠାରୁ ସେ ବିଟ୍ ଛଡେଇ ଆଣି ଶୁଭକାନ୍ତକୁ ଦେଇଛନ୍ତି । ମାତ୍ର କିଛିଦିନ ତଳେ ଏଇ ଶମ୍ଭୁନାଥର ଆସିଷ୍ଟାଂଟ୍ ଥିଲା ଶୁଭକାନ୍ତ । କିନ୍ତୁ ଭାଗ୍ୟର ଖେଳ ଦେଖ, ସେ ଆଜି ତା’ର ସିନିୟର । ମନେମନେ ହସୁଥିଲା ଶୁଭକାନ୍ତ । କହୁଥିଲା, ଥ୍ୟାଙ୍କ ୟୁ ଲିସା ଚୌଧୁରୀ, ଥ୍ୟାଙ୍କ ୟୁ ଦିନବନ୍ଧୁ ମହାନ୍ତି ଓ ଥ୍ୟାଙ୍କ ୟୁ ତେଜିନୀ ବର୍ମା ।

‘ଶମ୍ଭୁନାଥ ବାବୁ !! ତମ ନାଁ ପରି ତମେ ବି ଗୋଟେ ପୁରାଣ କାଳର ମଣିଷ । ଡୋଂଟ୍ ଟେଲ୍ ରବିସ୍ । ସମାଜ ସେବା କରିବାକୁ ମାଲିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚ୍ୟାନେଲ୍ ଖୋଲିନି । ସୋସିଆଲ୍ ରେସ୍‌ପନ୍ସିବିଲିଟି ଥିଲେ ତମେ ଗୋଟେ କାମ କର, ଏନ୍‌ଜିଓ ସେକ୍ଟରକୁ ପଳା । ରାଜ୍ୟ ସାରା ବୁଲି ବୁଲି ଏମିତି ସୁନ୍ଦରୀ ଲିସା ଚୌଧୁରୀ ପରି ଝିଅ ଖୋଜି ଖୋଜି, ସେମାନଙ୍କ ସେବା କରିବ । ତା ପରେ ରାଜ୍ୟ ସରକାର ତମକୁ ମହିଳା କମିଶନ ଚେୟାରମ୍ୟାନ୍ କରିଦେବେ । ଆଉ ତମେ ହେବ ଦେଶର ପ୍ରଥମ ପୁରୁଷ, ଯିଏ କି ପ୍ରଥମ କରି କୌଣସି ମହିଳା କମିଶନ୍‌ର ଚେୟାରମ୍ୟାନ୍ ହବ ।’

ଚିଫ୍ ଏଡିଟରଙ୍କ ଗମାତିଆ କଥା ଶୁଣି, ବୈଠକରେ ଉପସ୍ଥିତ ସମସ୍ତେ ଠୋ ଠୋ କରି ହସି ଉଠିଲେ । ବିଚରା ଶମ୍ଭୁନାଥ ପଟେଲ୍‌ର ମୁହଁ ଦେଖା ଯାଉଥିଲା, ଖରା ତାତିରେ ଶୁଖି ଯାଇଥିବା ଗୋଟେ ପାଚିଲା କମଳା ପରି । ଶୁଭକାନ୍ତ ମନେମନେ ତାଳି ମାରୁଥିଲା ।

ମନ୍ତ୍ରୀ ଶ୍ୱଶୁରଙ୍କ ନାଁରେ ଥାନାରେ ଡାଉରି କେଶ୍ ଦେବା ଦିନ ଶୁଭକାନ୍ତ ହିଁ ପ୍ରଲିସାକୁ ପଚାରିଥିଲା ସବୁଠାରୁ ଅଖାଡୁଆ ପ୍ରଶ୍ନଟି । ପଚାରିଥିଲା- ‘ଆପଣଙ୍କ ସ୍ୱାମୀଙ୍କର କ’ଣ ଏକ୍ସଟ୍ରା ମାରିଟାଲ୍ ଆଫେୟାର ଅଛି ? ବର୍ଷକ ଭିତରେ ଆପଣଙ୍କ ସହ ସ୍ୱାମୀଙ୍କର କେତେଥର ସେକ୍ସ ହୋଇଛି ?’

ଏମିତି ପଚାରିବାକୁ ତାକୁ ଏଇ ଚିଫ୍ ଏଡିଟର ପ୍ରଶାନ୍ତ ଚକ୍ର ହିଁ ପରାମର୍ଶ ଦେଇଥିଲେ । ଶୁଭକାନ୍ତକୁ ପ୍ରଶ୍ନଟି ଭାରି ଅଖାଡୁଆ ଲାଗୁଥିଲା । କୌଣସି ଝିଅକୁ କ’ଣ ସର୍ବ ସମ୍ମୁଖରେ ତା ସ୍ୱାମୀ ସହ କେମିତି ଓ କେତେଥର ସେକ୍ସ କରିବା କଥା ପଚାରି ହୁଏ ? କିନ୍ତୁ ତା ପାଖରେ ଆଉ କିଛି ଉପାୟ ନଥିଲା । ତାକୁ ତା କ୍ୟାରିୟରର ଏ ଲଢେଇରେ ଜିତିବାର ଥିଲା । ତେଣୁ ପ୍ରଶ୍ନଟି ଶୁଣିବା ପରେ ପ୍ରଲିସା ଚୌଧୁରୀର ମୁହଁ କେମିତି ଲାଲ୍ ପଡିଗଲା, ସେ କଥା ଜାଣିବାକୁ ତାକୁ ତର ନଥିଲା । ସବୁ ଝିଅଙ୍କୁ ଭଉଣୀ ଦୃଷ୍ଟିରେ ଦେଖିଲେ ସେ ଅବିବାହିତ ରହିଯିବ । ଠିକ୍ ସେମିତି ସମସ୍ତଙ୍କ ମୁହଁକୁ ଚାହିଁଲେ ଷ୍ଟୋରି କେମିତି ହେବ ?

ଅପୂର୍ବ ସୁନ୍ଦରୀ ପ୍ରଲିସା ଚୌଧୁରୀକୁ କ୍ୟାମେରା ସାମ୍ନାକୁ ଆଣିବାକୁ ଶୁଭକାନ୍ତ କମ୍ ଚେଷ୍ଟା କରିନି । ସେଦିନରୁ ତା ପଛରେ ସେ ଲାଗିଛି । ସବୁଦିନ ତାକୁ ସେ ଫୋନ୍ କରୁଛି । କିନ୍ତୁ ନା ସେ ପଟୁଛି ନା ତା କଂଟ୍ରାକ୍ଟର ବୋପା ପଟୁଛି । କ’ଣ ନା ମାନସିକ ଅବସ୍ଥା ଭଲ ନାହିଁ ! କି ବାଳ କଥା କହିଲ ଇଏ ! ବଡ ଲୋକିଆଙ୍କ ଘରେ ଏମିତି ଘଟଣା ଅତି ସାଧାରଣ ବୋଲି ଶୁଭକାନ୍ତ ଭାବେ । ମନ୍ତ୍ରୀ ପୁଅର ଯଦି ଟୋକିଧନ୍ଦାରେ ଅଭ୍ୟାସ ଅଛି, ଏ ପ୍ରଲିସା ଚୌଧୁରୀ କ’ଣ ଗୋଟିଏ ଘାଟରେ ପାଣି ପିଇଥିବ ? କେତେ ଟୋକାଙ୍କ ପାଖରେ ଶୋଇଥିବ ତା’ର ଇୟତା ନାହିଁ । କ’ଣ ନା ବେଧେଇ ଏବେ ସତୀ ଦେଖେଇ ହେଉଛି । ଡାଉରି ଫାଉରି କିଛି ନୁହେଁ, ଆଉ କିଛି ବଡ ଗୁମର ଥିବ ଏ ମାମଲାରେ । ତାକୁ ଯେମିତି ହେଲେ ପଟେଇକି ସେ ଟୋକିର ଏକ୍ସକ୍ଲୁସିଭ୍ ଇଂଟରଭ୍ୟୁ କରିବାକୁ ପଡିବ । ଏ ସମ୍ବଲପୁରିଆ ଲୁଲା ରିପୋର୍ଟର ଶମ୍ଭୁନାଥ ପଟେଲ୍‌କୁ ଇଂଟରସିଟି ଟ୍ରେନ୍‌ରେ ବସେଇ ତା ଘରକୁ ପଠେଇ ଦେବାକୁ ପଡିବ । ଏଇ ବର୍ଷକ ଭିତରେ ସେ ହିଁ ହେବ ‘ତେଜ୍‌’ ନ୍ୟୁଜ୍ ଚ୍ୟାନେଲ୍‌ର କ୍ରାଇମ୍ ଡେସ୍କ ଚିଫ୍ ।

‘ସିଦ୍ଧେଶ୍ୱର ! ୟୁ ଡୁ ୱାନ୍ ଥିଙ୍ଗ୍ । ଏ ପର୍ଯ୍ୟନ୍ତ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ଗିରଫ ହେଇନି କି ସେ ମନ୍ତ୍ରିପଦ ଛାଡିନି । ଆଇନ୍ କ’ଣ ସମସ୍ତଙ୍କ ପାଇଁ ଅଲଗା ଅଲଗା କି ? ହ୍ୱାଟ୍ ଆର୍ ୟୁ ଡୁଇଂ ୟାଆର୍ । ବୋହୂ ନିଜେ ଯାଇ ଥାନାରେ କେଶ୍ ଦେଲାପରେ ବି ଦିନବନ୍ଧୁ ମହାନ୍ତି କାହିଁକି ଚେୟାର୍ ଛାଡିନି ତାକୁ ନେଇ ଗୋଟେ ସ୍ପେଶାଲ୍ ଷ୍ଟୋରି କର । ଜଣେ ମନ୍ତ୍ରୀକୁ ପୋଲିସ୍ ଗିରଫ କରିପାରିବ ନା ନାହିଁ ? ଯଦି ଗିରଫ କରିବ, ତା’ର ପାରାଫୋନିଆ କ’ଣ ? ଓକିଲଙ୍କ ବାଇଟ୍ ନେଇ ଷ୍ଟୋରି ଫାଇଲ୍ କର । ଦୁଇଦିନ ଭିତରେ ଦିନବନ୍ଧୁ ମହାନ୍ତିର ମନ୍ତ୍ରିପଦ ଯିବା ଦର୍କାର, ଆଉ ସେ ଗିରଫ ହେବା ଦର୍କାର । ହରିଅପ୍ ହରିଅପ୍ ବେଟା ।’

ସିଦ୍ଧେଶ୍ୱର ‘ତେଜ୍‌’ ନିଉଜ୍ ଚ୍ୟାନେଲ୍‌ର ପଲିଟିକାଲ୍ ରିପୋର୍ଟର । ଚିଫ୍ ଏଡିଟର କିଛି ଭୁଲ୍ କଥା କହୁନଥିଲେ । ଜଣେ କ୍ୟାବିନେଟ୍ ମନ୍ତ୍ରୀ ବିରୋଧରେ ଥାନାରେ ମାମଲା ହେଲେବି ସେ ସପ୍ତାହେ ହେଲା କେମିତି ମନ୍ତ୍ରୀ ହେଇକି ଅଛି ତାହା ସତରେ ଆଶ୍ଚର୍ଯ୍ୟଜନକ କଥା । ତା ନାଁରେ କେଶ୍ ହେଇଛି ମାନେ ତାକୁ ଗିରଫ ବି କରାଯିବା କଥା । କିନ୍ତୁ ପୋଲିସ୍ ବୋଧେ ସାହସ କରିପାରୁନି । ଇଏ କି ବିଚିତ୍ର ସରକାର !!

‘ତମେ ଜାଣ ଶୁଭକାନ୍ତ ? ଏ କେଶ୍ ଯେତେ ଲୁଚିକି ରହିବ ଷ୍ଟୋରି ସେତେ ଇଂଟରେଷ୍ଟିଂ ହେବ । ସେଦିନ ତମେ ଇଲ୍ଲଷ୍ଟ୍ରେସନ୍ କରି ସେ ଯୋଉ ଷ୍ଟୋରିଟା ଫାଇଲ୍ କଲ, ତାହା ଖୁବ୍ ମାର୍କେଟ୍ ନେଇଛି । ବୋହୂକୁ ମନ୍ତ୍ରୀ ଓ ତାଙ୍କ ପରିବାର ଲୋକ କେମିତି ନିର୍ଯାତନା ଦେଉଥିଲେ, ତା ଉପରେ ଯେଉଁ ଗପଟା ଲେଖିଥିଲ ସେଟା ସେକ୍ରେଟାରିଏଟ୍‌ରେ ସବୁଠୁ ବେଶୀ ଚର୍ଚ୍ଚା ହୋଇଛି । ଖାଲି ଛବି ତିଆରି କରି ପୂରା ତିନି ମିନିଟ୍‌ର ଷ୍ଟୋରି ହେଇଥିଲେ ବି ବେଶ୍ ଭଲ ମାର୍କେଟ୍ ନେଲା ସେଟା । ଏବେ ଗୋଟେ କାମ କର, ମନ୍ତ୍ରୀ ପୁଅ କେମିତି କଲିକତାରୁ ଟୋକି ଆଣି ଧନ୍ଦା କରୁଥିଲା ଓ କେମିତି ସେ କଟକୀ ଆଲ୍‌ବମ୍ ହିରୋଇନ୍‌କୁ ଧରି ସବୁଆଡେ ଯାଉଥିଲା ତା ଉପରେ ଗୋଟେ ଷ୍ଟୋରି କର । ଆଲ୍‌ବମ୍ ନାଚୁଥିବା ସେ ଝିଅର ଗୋଟେ ସିଡି ବଜାରରୁ କିଣି ଆଣ । ପୂରା ଗୋଟେ ତିନି ମିନିଟିଆ ଗପ ଲେଖି ଟିକେ ତଡକା ଦେଇ ଚଲାଅ । ଦେଖିବ ଲୋକ ଦେଖିବେ ।’

‘ସାର୍ ସାର୍ ! ଡୋଂଟ୍ ୱରି ସାର୍ । ଆଇ ୱିଲ୍ ଡୁ ଇଟ୍ ସାର୍ । ମୁଁ ସାର୍ ଇନ୍‌ଫର୍ମେସନ୍ କଲେକ୍ଟ କରିଛି । ଏଇ ଭିତରେ ଷ୍ଟୋରିଟା ଛାଡିଦେବା ।’

ଚିଫ୍ ଏଡିଟରଙ୍କ କଥାରେ ମୁଣ୍ଡ ହଲେଇଲା ଶୁଭକାନ୍ତ । ଏଥିସହିତ, ଏ ମାମଲା ବାବଦରେ ସେ ଶୁଣିଥିବା ଆଉକିଛି ଗପକୁ ଷ୍ଟୋରି କରିବାକୁ ମିଟିଂରେ ପ୍ରସ୍ତାବ ଦେଲା ।

କହିଲା- ‘ଏ ଷ୍ଟୋରିର ଆଉଗୋଟେ ଇଂଟରେଷ୍ଟିଂ ଆଙ୍ଗଲ୍ ଅଛି ସାର୍ । ମୁଁ ଗୁଡାଏ ଇନ୍‌ଫର୍ମେସନ୍ କଲେକ୍ଟ କରିଛି । ମନ୍ତ୍ରୀ ଦିନବନ୍ଧୁ ମହାନ୍ତିର ସ୍ତ୍ରୀ କାଳେ କୋଉ ଗୋଟେ କାଳୀସାଧକ ହାବୁଡରେ ପଡିଛି । ସେ ବାବା କାଳେ ତାକୁ ସ୍ୱପ୍ନ ଦେଖେଇଥିଲା, ଦିନବନ୍ଧୁ ମହାନ୍ତିର ପୁଅ ବି ଏମ୍‌ଏଲ୍‌ଏ ହେବ । ଆଉ ଏଥିପାଇଁ ଜଣେ ବିବାହିତା, କିନ୍ତୁ ସ୍ୱାମ ସହ ଆଦୌ ସେକ୍ସ କରିନଥିବା ସ୍ତ୍ରୀ ଲୋକକୁ ବଳି ଦେବାକୁ ପଡିବ ବୋଲି ସେ କହିଥିଲା । ତେଣୁ ଶୁଣା ଯାଉଛି, ବୋହୂ ପ୍ରଲିସା ଚୌଧୁରୀକୁ ସେମାନେ କିଛିଦିନ ଭିତରେ ବଳି ଦେବାର ଥିଲା । କିନ୍ତୁ ଏ କଥା ବି ଶୁଣିବାକୁ ମିଳୁଛି, ମାଆ ଓ କାଳୀ ସାଧକ ବାବାର ଶତ ବାରଣ ସତ୍ୱେ, ଚଉଠି ରାତିରେ କାଳେ ମନ୍ତ୍ରୀ ପୁଅ, ବୋହୂ ପ୍ରଲିସା ସହ ସେକ୍ସ କରି ଦେଇଥିଲା । କାଳୀ ସାଧକ ବାବାର କହିବା କଥା, ଏଇ କାରଣରୁ ସେମାନଙ୍କ ପାଇଁ ଏ ଦୁର୍ଯୋଗ ଆସିଛି । ନହେଲେ ଦିନବନ୍ଧୁ ମହାନ୍ତିର ପୁଅ ବି କାଳେ ଏମ୍‌ଏଲ୍‌ଏ ହୋଇ ବିଧାନସଭାକୁ ଆସିଥାନ୍ତା ।’

‘ମାନେ !! ହ୍ୱାଟ୍ ଆର୍ ୟୁ ସେଇଂ ଶୁଭକାନ୍ତ !! ଇଜ୍ ଇଟ୍ ଟ୍ରୁ ? ଫାଂଟାଷ୍ଟିକ୍ ଇନ୍‌ଫର୍ମେସନ୍ ଡିଅର ! ୟୁ ଆର୍ ରିଏଲି ଏ ଜୁଏଲ୍ ଶୁଭକାନ୍ତ । ଏ ପୂରା କାହାଣୀକୁ ସାତଟା ଷ୍ଟୋରି କରିବାକୁ ପ୍ଲାନ୍ କର । ଯଦି ଆର୍ଟିଷ୍ଟଙ୍କ ଦ୍ୱାରା ଏନାକ୍ଟ କରିବାକୁ ପଡୁଛି କରାଅ । ଯେତେ ଟଙ୍କା ଦରକାର ଦିଆଯିବ । ମତେ ଲାଗିଲାଣି ତମେ ମାସ କେଇଟା ଭିତରେ ମୋ’ଠାରୁ ମୋ ପୋଷ୍ଟଟା ବି ଛଡେଇ ନେବ !! ଫାଂଟାଷ୍ଟିକ୍ ୟାଆଆର୍ । ଜିନିୟସ୍ ।’

ଚିଫ୍ ଏଡିଟର ପ୍ରଶାନ୍ତ ଚକ୍ର ନିଜ ଆସନରୁ ଉଠି ଆସି ଜୁନିଅର ରିପୋର୍ଟର ଶୁଭକାନ୍ତକୁ ନିଜ ଛାତିରେ କୁଣ୍ଢେଇ ଧରିଥିଲେ । ଆଉ ତା ପିଠିରେ ହାତ ଥାପୁଡୋଉଥିଲେ । ଆଉ ସଇତାନ୍ ଶିଶୁଟିଏ ଚରମ ଦୁଷ୍ଟାମୀ ପରେ ସ୍ନେହକାଙ୍ଗାଳ ମାଆ କୋଳରେ ମୁହଁ ଗୁଂଜିବା ପରି, ଶୁଭକାନ୍ତ ଚିଫ୍ ଏଡିଟର ପ୍ରଶାନ୍ତ ଚକ୍ରଙ୍କ ଛାତିରେ ଢଳି ପଡିଥିଲେ ।

ଖୁସିରେ ହେଉ କି ଈର୍ଷାରେ, ରିଭିୟୁ ମିଟିଂରେ ଉପସ୍ଥିତ ସମସ୍ତେ, ବାଧ୍ୟ ହୋଇ ତାଳି ମାରୁଥିଲେ ।

କ୍ରମଶଃ.. .. ..