ଆମାରିଲିସ୍: ପ୍ରେମ ଓ ପ୍ରତିବଦ୍ଧତାର ପ୍ରତୀକ

ପ୍ରତିବର୍ଷ ମାର୍ଚ୍ଚ-ଅପ୍ରେଲ ସମୟରେ ଆମ ବାଲକୋନୀର ଦୁଇ-ତିନୋଟି କୁଣ୍ଡରେ ବର୍ଷସାରା ପତ୍ରର ପସରା ଧରି ବସିଥିବା ବୁଦା ମୂଳରୁ ଷଣ୍ଢା ଟେକି କଢଧରେ। ସପ୍ତାହେ ଖଣ୍ଡେ ଷଣ୍ଢାଟି କଢ ଦୁଇ-ତିନୋଟିକୁ ହାଲୁକା ସବୁଜ ରଙ୍ଗର ଦୁଇଟି ପତଳା ଆବରଣ ଭିତରେ ସାଇତି ରଖି ଡେଙ୍ଗା ହୁଏ। ଦ୍ୱିତୀୟ ସପ୍ତାହ ବେଳକୁ ପତଳା ଆବରଣଟି ମେଲି ହୋଇ ପ୍ରଥମେ ନାରଙ୍ଗୀ ରଙ୍ଗର ଗୋଟିଏ କଢ ମୁହଁ ବାହାର କରେ, ଧିରେଧିରେ ବଡ ହୋଇ ଦୁଇ-ତିନି ଦିନ ଭିତରେ କାହାଳୀ ପରି ଫୁଲଟେ ପାଖୁଡ଼ା ମେଲିଦିଏ। ତା’ ପଛକୁ ତା’ ପଛକୁ ବଳକା କଢ଼ ବି ଫୁଟନ୍ତି। ଗୋଟିଏ ଗୋଟିଏ ଷଣ୍ଢା ପ୍ରାୟ ସପ୍ତାହେରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହେ (ମୁଣ୍ଡ ଟେକିବାରୁ ଆରମ୍ଭ କରି ଫୁଟି ମଉଳିବା ଯାଏଁ)। ପ୍ରତି ବର୍ଷ ମୂଳ ଗଛଟିରୁ ନୂଆ ନୂଆ ଗଛ ବା ଡଟର ପ୍ଲାଣ୍ଟ ହୁଏ। ଖୋଳିଦେଲେ ମୂଳରୁ ପିଆଜ ଭଳି କନ୍ଦା ବାହାରେ। ଏହି କନ୍ଦାକୁ ଅଲଗା କରି ଲଗାଇ ନୂଆ ଗଛ ବନାଇ ହେବ। ଏହି ଫୁଲକୁ ଆମେ ସାଧାରଣତଃ “ଲିଲି ଫ୍ଲାଓ୍ବାର” କହିଥାଉ। ଏହାର ପ୍ରକୃତ ନାଁ ହେଉଛି “ଆମାରିଲିସ୍”। ଆମାରିଲିସ୍ ନାଁ ଟି ଗ୍ରୀକ୍ ଶବ୍ଦ “ଆମାରିସେଇନ୍” (amaryssein) ଶବ୍ଦରୁ ଆସିଛି (କେତେକ ଜାଗାରେ amarysso ମଧ୍ୟ ଲେଖା ଯାଇଛି)। ଆମାରିସେଇନ୍ ଅର୍ଥ ଚମକିବା ବା ଚିକଚିକ୍ କରିବା (to sparkle)। ଯଦି ଆପଣ ଭଲରେ ଆମାରିଲିସର ପାଖୁଡାର ଭିତର ପାଖକୁ ଲକ୍ଷ୍ୟ କରିବେ ତାହେଲେ ଲାଗିବ ଯେମିତି କିଏ ପୂରା ଫାଇନ୍ ଅଭ୍ର ଗୁଣ୍ଡକୁ ଛିଞ୍ଚି ଦେଇଛି। ଫଟୋ ଉଠାଇଲେ ଫ୍ଲାସ୍ ଲାଇଟ ପଡି ଆହୁରି ଚିକଚିକ୍ କରେ ଆମାରିଲିସର ପାଖୁଡା।

         ଗ୍ରୀକ୍ ପୁରାଣ ଅନୁସାରେ, ଅନେକ ବର୍ଷ ତଳେ ଆମାରିଲିସ୍ କରି ଗୋଟିଏ ସୁନ୍ଦରୀ ପରୀ ଥିଲା (Virgil’s ‘Eclogues’ ରେ ଲେଖା ଅଛି)। ଆମାରିଲିସ୍ ଜଙ୍ଗଲ, ପାହାଡ଼, ନଦୀକୂଳ ବୁଲୁବୁଲୁ ଗୋଟିଏ ସୁନ୍ଦର ବଗିଚାରେ ପହଞ୍ଚିଲା। ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରିବା ଭିତରେ ଆମାରିଲିସ୍ ବଗିଚାର ମାଳି ଆଲ୍ଟେଓର ପ୍ରେମରେ ପଡିଗଲା। ଆଲ୍ଟେଓ ପ୍ରତି ତା’ ପ୍ରେମ କେତେ ପ୍ରଗାଢ଼ ତାକୁ ପ୍ରତିପାଦିତ କରିବା ପାଇଁ ଆମାରିଲିସ୍ ଲଗାତାର ଚେଷ୍ଟା କରି ଚାଲିଲା। ନିଜ ପ୍ରେମ ଓ ଆଲ୍ଟେଓ ପ୍ରତି ତା’ର ପ୍ରତିବଦ୍ଧତାକୁ ପ୍ରମାଣ କରିବା ପାଇଁ ଆମାରିଲିସ୍ ଲଗାତାର ତିରିଶଟି ରାତି ନିଜ ହୃଦୟକୁ ଗୋଟିଏ ସୁନାର ତୀରରେ ଆଘାତ କରିବାକୁ ଲାଗିଲା। ତିରିଶ ରାତି ବେଳକୁ ଆମାରିଲିସର ହୃଦୟରୁ ବୋହିଥିବା ପ୍ରତ୍ୟେକ ରକ୍ତ ବୁନ୍ଦାରୁ ଗୋଟିଏ ଗୋଟିଏ ସୁନ୍ଦର ଗାଢ ଉଜ୍ଜ୍ୱଳ ନାଲି ରଙ୍ଗର କାହଳୀ ପରି ଏହି ଆମାରିଲିସ୍ ଫୁଲଟି ମାନ ସୃଷ୍ଟି ହେଲେ। ଶେଷରେ ବଗିଚାଟି ଆମାରିଲିସ୍ ଏବଂ ଆଲ୍ଟେଓଙ୍କ ପ୍ରେମର ପ୍ରତୀକ ଆମାରିଲିସ୍ ଫୁଲରେ ଭର୍ତ୍ତି ହୋଇ ଯାଇଥିଲା। ସେଇଥିପାଇଁ ଆମାରିଲିସ୍ ଫୁଲକୁ ସୌନ୍ଦର୍ଯ୍ୟ, ପ୍ରେମ, ପ୍ରତିବଦ୍ଧତା ଓ ସାହସର ପ୍ରତୀକ ବୋଲି ଧରାଯାଏ।

       ଫ୍ଲାଓ୍ବାର ସିମ୍ବଲିଜିମ୍ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ଆମାରିଲିସ୍ ଫୁଲ ସହ ବିଭିନ୍ନ ଅର୍ଥ ଓ ପ୍ରତୀକ ଯୋଡା ଯାଇଛି। ଗ୍ରୀକ୍ ପୁରାଣ ପରେ, ଭିକ୍ଟୋରିଆନ୍ ସମୟରେ ଆମାରିଲିସକୁ ସୁନ୍ଦରୀ, ସାହସୀ ଏବଂ ଆତ୍ମବିଶ୍ୱାସରେ ପୂର୍ଣ୍ଣ ନାରୀର ସିମ୍ବଲ ବା ପ୍ରତୀକ ଭାବରେ ଗ୍ରହଣ କରାଯାଇଛି। ଆମାରିଲିସ୍ ଫୁଲର ଷଣ୍ଢାଟି ସରୁ, ଲମ୍ବାଳିଆ ଏବଂ ଭିତର ଫମ୍ପା (ଟ୍ୟୁବ୍ ପରି) ହୋଇଥିଲେ ମଧ୍ୟ ମାର୍ଚ୍ଚ- ଅପ୍ରେଲର ସନ୍ଧ୍ୟା ପବନରେ ବି ଏହା ଭାଙ୍ଗି ନଯାଇ ଫୁଲ ପେନ୍ଥାକୁ ଟେକି ରଖେ। ସେଇଥିପାଇଁ ଆମାରିଲିସକୁ ଦୃଢ଼ ଇଚ୍ଛାଶକ୍ତି ସମ୍ପନ୍ନ, ଷ୍ଟ୍ରଙ୍ଗ ନାରୀର ପ୍ରତୀକ ବୋଲି କୁହାଯାଏ। କେବଳ ସୌନ୍ଦର୍ଯ୍ୟ ବା ପ୍ରେମ ନୁହେଁ ଆମାରିଲିସ୍ ଆତ୍ମବିଶ୍ୱାସ, ଆତ୍ମସମ୍ମାନ ଏବଂ ପ୍ରତିବଦ୍ଧତାର ମଧ୍ୟ ପ୍ରତୀକ। ସାଧାରଣତଃ ଆମାରିଲିସ୍ ଗାଢ ନାଲି, ନାରଙ୍ଗୀ, ଧଳା ଏବଂ ଧଳା ଉପରେ ନାଲି ବା ଗୋଲାପୀ ଗାର ଥିବା ରଙ୍ଗରେ ଦେଖାଯାଏ। ଏବଂ ଆମାରିଲିସର ପ୍ରତ୍ୟେକ ରଙ୍ଗର ଫ୍ଲାଓ୍ବାର ସିମ୍ବଲିଜିମରେ ଅଲଗା ଅର୍ଥ ଥାଏ। ନାଲି ଆମାରିଲିସ୍ ସୌନ୍ଦର୍ଯ୍ୟ, ପ୍ରେମ ଏବଂ ତୀବ୍ର ଭାବପ୍ରବଣତାର ପ୍ରତୀକ ହୋଇଥିବା ବେଳେ, ନାରଙ୍ଗୀ ଆମାରିଲିସ୍ ସକାରାତ୍ମକ ଏବଂ ଆଶାବାଦୀ ଉର୍ଜା, ଭଲ ସ୍ବାସ୍ଥ୍ୟ, ସୁରକ୍ଷିତ ଭାବନା ତଥା  ଆତ୍ମସନ୍ତୋଷର ପ୍ରତୀକ ଅଟେ। ଧଳା ଆମାରିଲିସ୍ ଶାନ୍ତି ଏବଂ ସୁଦ୍ଧ-ନିଷ୍ପାପ ଭାବନାକୁ ପ୍ରତିନିଧିତ୍ଵ କରୁଥିବା ବେଳେ ହଳଦିଆ ଆମାରିଲିସ୍ ସୁଖ, ସୌହାର୍ଦ୍ଦ୍ୟ ତଥା ସନ୍ତୁଷ୍ଟିର ପ୍ରତୀକ ହୋଇଥାଏ। ଗୋଲାପୀ ଆମାରିଲିସ୍ ସମ୍ଭ୍ରାନ୍ତ ଏବଂ ଆଧ୍ୟାତ୍ମିକ ଭାବନାର ପ୍ରତୀକ ହୋଇଥାଏ।

          ନିଜର ଏହି ସୁନ୍ଦର ଅର୍ଥ ପାଇଁ ମଣିଷର ବିଭିନ୍ନ ସାମାଜିକ ଏବଂ ପାରିବାରିକ ଉତ୍ସବରେ ଆମାରିଲିସ୍ ଫୁଲକୁ ବ୍ୟବହାର କରାଯାଏ। ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ପ୍ରେମ ନିବେଦନ ବେଳେ ଲାଲ୍ ଆମାରିଲିସର ବୁକେ ଏବଂ କାହାର ସଫଳତା ତଥା ସୁସ୍ଥତା କାମନା ବେଳେ ନାରଙ୍ଗୀ ଆମାରିଲିସର ବୁକେ ଉପହାର ଦାଆଯାଇପାରେ। କାହାକୁ ଅଭିନନ୍ଦନ ଜଣାଇଲା ବେଳେ ହଳଦିଆ ଆମାରିଲିସ୍ ଏବଂ ବିବାହ କିମ୍ବା ଶେଷଯାତ୍ରାରେ ଧଳା ଆମାରିଲିସ୍ ବ୍ୟବହାର କରାଯାଏ। ନିଜର ମଣିଷଟେକୁ ନାରଙ୍ଗୀ ଆମାରିଲିସର କନ୍ଦା ଗୋଟିଏ ସୁନ୍ଦର କୁଣ୍ଡରେ ଲଗାଇ ଉପହାର ଦେବାର ଅର୍ଥ ଆପଣ ତା’ ଉନ୍ନତି, ସଫଳତା ଏବଂ ସମୃଦ୍ଧି ପାଇଁ କେତେ ପ୍ରଗାଢ ଭାବରେ ଚାହିଁନ୍ତି, ତାହା ପ୍ରତିପାଦିତ କରେ।

         ତା’ ହେଲେ ଏଥର ନର୍ସରୀ ଗଲେ ଆମାରିଲିସର କନ୍ଦାଟେ ନିଶ୍ଚୟ ଆଣିବେ, ନିଜ ଘର ଏବଂ ଆଖପାଖରେ ସକାରାତ୍ମକ ଉର୍ଜାର ସଞ୍ଚାର କରିବେ। ନିଜ ବନ୍ଧୁଙ୍କୁ ଉପହାର ଦେଇ ନିଜ ସମ୍ପର୍କକୁ ସୁଦୃଢ କରିବେ। ଗୋଟିଏ କନ୍ଦାରୁ ଅନେକ ଡଟର ପ୍ଲାଣ୍ଟ ହୁଏ। ପ୍ରତିବର୍ଷ ନୂଆ ଡଟର ପ୍ଲାଣ୍ଟ। ଟିକେ ଯତ୍ନ କଲେ ବର୍ଷବର୍ଷ ଧରି ଆମାରିଲିସ୍ ଫୁଲ ଦିଏ। ଆମ ଘରେ ବର୍ତ୍ତମାନ ଥିବା ଆମାରିଲିସର ମୂଳ କନ୍ଦା କୋଲାବ ନଗର, କୋରାପୁଟରେ ଥିବା ସମୟରେ ବୋଉ ଆଣି ଲଗାଇଛି, ୧୯୯୪- ୯୫ ମସିହାର ମଦର ପ୍ଲାଣ୍ଟର ଏମାନେ ଡଟର ପ୍ଲାଣ୍ଟ୍।

Photography by Dr. Ipsita Pradhan

ଭୁବନେଶ୍ୱର, ୮୦୧୮୦୫୩୩୯୫

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →