ମ୍ୟୁଜିଅମ୍: ସାଇତିବା କଳାର ଅନ୍ୟ ନାମ

ଯେ କୌଣସି ଜାଗା ବୁଲିବାକୁ ଯିବା ପୂର୍ବରୁ ମୋର ଗୋଟିଏ ପୁରୁଣା ଅଭ୍ୟାସ ହେଉଛି, ସେଠି ଥିବା ମ୍ୟୁଜିଅମ୍ ଗୁଡିକର ଲିଷ୍ଟ ପରଖି ନେବା। କାଇଁ କେଜାଣି ମ୍ୟୁଜିଅମ୍ ଭିତରେ ଦିନସାରା ସମୟ ବିତାଇଲେ ବି ବିରକ୍ତ ଲାଗେନି। ଏମତି ମ୍ୟୁଜିଅମ୍ ଦେଖିବା ଭିତରେ ଦିଲ୍ଲୀର ନ୍ୟାସନାଲ ମ୍ୟୁଜିଅମ୍; ଜୟପୁର, ରାଜସ୍ଥାନର ଆଲବର୍ଟହଲ୍ ମ୍ୟୁଜିଅମ୍; ଉଦୟପୁର, ରାଜସ୍ଥାନର ସିଟି ପ୍ୟାଲେସ୍ ମ୍ୟୁଜିଅମ୍, ଓ୍ବାକ୍ସ ମ୍ୟୁଜିଅମ୍, ଭିଣ୍ଟେଜ ଆଣ୍ଡ୍ କ୍ଲାସିକ କାର ମ୍ୟୁଜିଅମ୍, ମହାରାଣା ପ୍ରତାପ ମ୍ୟୁଜିଅମ୍ (ହଲଦିଘାଟି); ହାଇଦ୍ରାବାଦର ସଲାରଜଙ୍ଗ ମ୍ୟୁଜିଅମ୍; ସିଲ°, ମେଘାଲୟର ଡୋନବୋସ୍କୋ ମ୍ୟୁଜିଅମ୍; ବିଶାଖାପାଟଣମର ବିଶାଖା/ ମାରିଟାଇମ୍ ମ୍ୟୁଜିଅମ୍; ଭୋପାଲ, ମଧ୍ୟପ୍ରଦେଶର ମାନବ ସ°ଗ୍ରହାଲୟ , ଭାରତ ଭଓ୍ବନ୍ ଏବଂ ଜନଜାତି ମ୍ୟୁଜିଅମ୍; ଆରକ୍କୁର ଆଦିବାସୀ ମ୍ୟୁଜିଅମ୍; ଆର୍କିଓଲୋଜିକାଲ୍ ମ୍ୟୁଜିଅମ୍ ଅଫ ଖଜୁରାହୋ; କୋଲକାତାର ଭିକ୍ଟୋରିଆ ମେମୋରିଆଲ୍ ହଲ୍; ଆର୍କିଓଲୋଜିକାଲ୍ ମ୍ୟୁଜିଅମ୍ ଅଫ କୋଣାର୍କ; ଆର୍କିଓଲୋଜିକାଲ୍ ମ୍ୟୁଜିଅମ୍ ଅଫ ଲଳିତଗିରି, ଜାଜପୁର; ଭୁବନେଶ୍ବର ଓଡିଶା ଷ୍ଟେଟ୍ ମ୍ୟୁଜିଅମ୍ ଏବଂ ଟ୍ରାଇବାଲ୍ ମ୍ୟୁଜିଅମ୍ ଏ ସବୁ ବିଭିନ୍ନ ସମୟରେ ଦେଖା ହୋଇଛି। ଆଉ ଏଇ ଅଳ୍ପ ଦିନ ତଳେ ସୁଯୋଗ ମିଳିଲା ଆଉ ଗୋଟିଏ ମ୍ୟୁଜିଅମ୍ ଦେଖିବାର, ସେ ବି ଆମ ନିଜ ସହର ଭୁବନେଶ୍ୱରରେ। ରିଜିଓନାଲ୍ ମ୍ୟୁଜିଅମ୍ ଅଫ୍ ନେଚୁରାଲ୍ ହିଷ୍ଟୋରୀ। ଯଦିଓ ମ୍ୟୁଜିଅମଟି ୨୦୦୪ ମସିହାରୁ ସ୍ଥାପିତ ହେଲାଣି ଏବଂ ଏକଦମ ଆଚାର୍ଯ୍ୟ ବିହାର ଛକ ଉପରେ, ତଥାପି ଏଇ କାଲି ଯିବା କାଲି ଯିବା ଭିତରେ ଯାଇ ହୋଇ ନଥିଲା। ସେଦିନ ହଠାତ୍ ମନ ହେଲା ଆଉ ମା’-ଝିଅ ତିନିଜଣ ବାହାରି ପଡିଲୁ RMNH ଦେଖିବା ପାଇଁ। ପହଞ୍ଚିତ ଗଲୁ କିନ୍ତୁ ମନରେ ଓଡିଶା ଷ୍ଟେଟ୍ ମ୍ୟୁଜିଅମ୍ ଦେଖି ସାରିଲା ପରର ମୋହଭଙ୍ଗର ଡର ଟା ଥାଏ। ହେଲେ ଏଇ ମ୍ୟୁଜିଅମଟି ବୁଲି ଦେଖି ସାରିଲା ବେଳକୁ ମନଟା ଖୁସ ଥାଏ। ମନେମନେ ଭାବୁଥାଏ ଯେ ଠିକ୍ ସମୟରେ ଠିକ୍ ମ୍ୟୁଜିଅମଟି ଦେଖିବା ପାଇଁ ଆସିଛୁ।

           ଠିକ୍ ସମୟ ଏଇଥିପାଇଁ କହିଲି ଯେ ଏଇଟା ହେଉଛି ଅନ୍ତର୍ଜାତୀୟ ମ୍ୟୁଜିଅମ୍ ଦିବସ (ମେ’ ୧୮ ତାରିଖ) ପାଳନର ପାଖାପାଖି ସମୟ, ଏବଂ ଏଥର ମ୍ୟୁଜିଅମ୍ ଦିବସ ପାଳନର theme ବା ବିଚାରଟି ହେଉଛି “sustainability and well being” ଅର୍ଥାତ “ଦୀର୍ଘସ୍ଥାୟୀ ଉତ୍ସ ଏବଂ ସୁସ୍ଥତା”। ସୁସ୍ଥତାର ଅର୍ଥ କେବଳ ମଣିଷ ସ୍ବାସ୍ଥ୍ୟ ନୁହେଁ ବର° ସମ୍ପୂର୍ଣ୍ଣ ପ୍ରକୃତି, ପରିବେଶ, ଜୀବଜଗତର ସୁରକ୍ଷା ଏବଂ ସୁସ୍ଥତା। ବିଶେଷଜ୍ଞଙ୍କ ମତରେ ସମାଜ ଏବଂ ପକୃତି ମଧ୍ୟରେ ସମନ୍ୱୟ ରକ୍ଷା କରିବା, ମଣିଷକୁ ସମୟର ପରିବର୍ତ୍ତନ ସହ ତା’ ଜୀବନ ଉପରେ ପଡୁଥିବା ପ୍ରଭାବ, ପାକୃତିକ ଶକ୍ତିର ଉତ୍ସ ଏବଂ ପ୍ରକୃତିର ସ°ରକ୍ଷଣର ଆବଶ୍ୟକତା ବିଷୟରେ ଜଣାଇବା ଏବଂ ଚେତେଇବାରେ ମ୍ୟୁଜିଅମ୍ ଗୁଡିକ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି। ମ୍ୟୁଜିଅମ୍ ଗୁଡିକ ଶିକ୍ଷଣୀୟ କାର୍ଯ୍ୟକ୍ରମ, ପ୍ରଦର୍ଶନୀ, ରିସର୍ଚ୍ଚ ଦ୍ଵାରା ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିପାରିବେ ଏବଂ ବିକାଶର ଦୀର୍ଘମିଆଦୀ ଏବଂ ଦୀର୍ଘସ୍ଥାୟୀ ଉପାୟ ଗୁଡିକ ଉପରେ ଗୁରୁତ୍ୱ ଦେବାର ମହତ୍ତ୍ଵ ବିଷୟରେ ମ୍ୟୁଜିଅମ୍ ଗୁଡିକ ହିଁ ବେଶୀ ସହଜରେ ସଚେତନତା ସୃଷ୍ଟି କରି ପାରିବେ। ସେଇଥିପାଇଁ ପ୍ରଥମରୁ କହିଥିଲି ଠିକ୍ ସମୟରେ ରିଜିଓନାଲ୍ ମ୍ୟୁଜିଅମ୍ ଅଫ୍ ନେଚୁରାଲ୍ ହିଷ୍ଟୋରୀଟି ବୁଲିବା ହୋଇଥିଲା। ଭାରତୀୟ ପରିବେଶ ଏବଂ ବନବିଭାଗ ମନ୍ତ୍ରଣାଳୟର ରକ୍ଷଣାବେକ୍ଷଣରେ ଥିବା ଏହି ମ୍ୟୁଜିଅମର ଭିତ୍ତିପ୍ରସ୍ତର ୧୯୯୪ ମସିହାରେ ସ୍ଥାପନ ହୋଇଥିବା ବେଳେ ୨୦୦୪ ମସିହାରେ ଏହାର ଉଦଘାଟନ ହୋଇଥିଲା। ୨୦୧୭ ମସିହାରେ ଗ୍ରୀନ୍-ଏନର୍ଜି ବ୍ୟବହାର କରିବାରେ ଏହା ଭାରତର ପ୍ରଥମ ମ୍ୟୁଜିଅମ୍, ଯିଏକି ସୌର୍ଯ୍ୟଶକ୍ତି ଦ୍ବାରା ଉର୍ଜା ଉତ୍ପାଦନ ଏବଂ ବ୍ୟବହାର କରିଥିଲା। ଏଠାରେ ଓଡିଶା, ଉତ୍ତର-ପୂର୍ବ ଭାରତ, ପୂର୍ବ ହିମାଳୟ, ଆଣ୍ଡାମାନ୍ ନିକୋବର ଦ୍ବୀପପୁଞ୍ଜ ଆଦିର ବୃକ୍ଷଲତା ଏବଂ ଜୈବ ବିବିଧତାକୁ ନେଇ ସୁନ୍ଦର ପ୍ରଦର୍ଶନୀ ରହିଛି। ଏହାଛଡା ଉପକୂଳବର୍ତ୍ତୀ ଅଞ୍ଚଳର ବୃକ୍ଷଲତା, ଜୈବ ବିବିଧତା ଏବଂ ସାମୁଦ୍ରିକ ଜୀବଜନ୍ତୁଙ୍କ ବିଷୟରେ ବିଶେଷ ବିବରଣୀ ସହ, ଅବଶେଷ ଗୁଡିକୁ ମଧ୍ୟ ସାଇତି ରଖା ଯାଇଛି। ଚିଲିକାକୁ ଆସୁଥିବା ପକ୍ଷୀ ଏବଂ ଭିତରକନିକା ହେନ୍ତାଳବଣ ବିଷୟରେ ସୁନ୍ଦର ମଡେଲ ଦ୍ବାରା ପ୍ରଦର୍ଶିତ କରିବା ସହ ଓ୍ବେଟଲ୍ୟାଣ୍ଡ ଏବଂ ସମୁଦ୍ରତଟ ବା କୋଷ୍ଟଲାଇନର ନିର୍ମାଣ ଏବଂ ପ୍ରକୃତି ବିଷୟରେ ବିଶେଷ ସୂଚନା ଦିଆଯାଇଛି। ବିଭିନ୍ନ ପ୍ରଜାପତି, ମାଛ, ସରୀସୃପଙ୍କ ଶରୀର ସହ ବିଭିନ୍ନ ସ୍ତନପାୟୀ ପ୍ରଣୀ, ଡଲଫିନଙ୍କ ସ୍କଲ (ମୁଣ୍ଡର କଙ୍କାଳ) ମଧ୍ୟ ରଖା ଯାଇଛି। ଏହା ଛଡା ଅତି ସହିଜରେ ବୁଝିହେଲା ପରି ଢଙ୍ଗରେ ଚାର୍ଟ ଏବଂ ଫଟୋ ମାଧ୍ୟମରେ ମଣିଷର ବିବର୍ତ୍ତନର ସାରଣୀ, ଜଗନ୍ନାଥ ପରମ୍ପରା, ପଟ୍ଟଚିତ୍ର, ଓଡ଼ିଶାର ଖଣିଜ ସମ୍ପଦ, ଜନଜାତି ଏବଂ ଜଙ୍ଗଲଜାତ ଦ୍ରବ୍ୟ ବିଷୟରେ ବର୍ଣ୍ଣନା ଏବଂ ସୂଚନା ଦିଆ ଯାଇଛି। ଭାରି ସୁନ୍ଦର ଭାବରେ ଓଡିଶା ତଥା ବିଶ୍ବର ବୃକ୍ଷ, ଜୈବ ବିବିଧତା, ପ୍ରାକୃତିକ ସମ୍ପଦ ସମ୍ପର୍କରେ, ସେମାନଙ୍କ ମହତ୍ତ୍ଵ ଏବଂ ମଣିଷ ବଞ୍ଚବା ପାଇଁ ସେମାନଙ୍କ ସହ ସମନ୍ୱୟ ରଖିବା ବିଷୟରେ ବୁଝା ଯାଇଛି। ରିଜିଓନାଲ୍ ମ୍ୟୁଜିଅମ୍ ଅଫ୍ ନେଚୁରାଲ୍ ହିଷ୍ଟୋରୀର ଆଉ ଗୋଟିଏ ବଡ ଆକର୍ଷଣ ହେଉଛି ଏଠି ରଖା ଯାଇଥିବା ବାଲିନ୍ ହ୍ବେଲ/ ତିମିର କଙ୍କାଳ। ଏହା ଭାରତରେ ମ୍ୟୁଜିଅମରେ ଥିବା ବାଲିନ୍ ହ୍ବେଲ କଙ୍କାଳ ମଧ୍ୟରେ ବୃହତ୍ତମ ବୋଲି କୁହାଯାଏ। ୟା ଛଡା ଏଠି ଦାନ୍ତଯୁକ୍ତ ତିମି, ଗଣ୍ଡା ଏବଂ ହାତୀର ମଧ୍ୟ କଙ୍କାଳ ରଖା ଯାଇଛି। ବର୍ତ୍ତମାନ ପୃଥିବୀରୁ ଲୋପ ପାଇ ଯାଇଥିବା ଏଲିଫ୍ୟାଣ୍ଟ ପକ୍ଷୀ ଅଣ୍ଡାର ଫସିଲ୍ ମଧ୍ୟ ଏ ମ୍ୟୁଜିଅମର ଅନ୍ୟତମ ଆକର୍ଷଣ। ମୋତେ କିନ୍ତୁ ମ୍ୟୁଜିଅମର ପ୍ରଦର୍ଶନୀ ଗ୍ୟାଲେରୀକୁ ପସିବା ପୂର୍ବରୁ ରଖାଯାଇ ଥିବା ହର୍ନେଟ୍ ହନିକୁମ୍ବ ବା ମାଟିର ବଲୁରୀ ବସାର କାରିଗରୀ ସବୁଠାରୁ ସୁନ୍ଦର ଏବଂ ଆକର୍ଷଣୀୟ ଲାଗିଲା।

Photography by Dr. Ipsita Pradhan

        ଆମେ ଯେଉଁଦିନ ବୁଲିବା ପାଇଁ ଯାଇଥିଲୁ ମ୍ୟୁଜିଅମ୍ ଭିତରେ ମରାମତି କାର୍ଯ୍ୟ ଚାଲିଥାଏ। ତଥାପି ଦର୍ଶକ ମାନଙ୍କୁ କୌଣସି ଅସୁବିଧା ହେଉ ନଥାଏ। ପ୍ରତ୍ୟେକ ମଣିଷ ପାଇଁ ରିଜିଓନାଲ୍ ମ୍ୟୁଜିଅମ୍ ଅଫ୍ ନେଚୁରାଲ୍ ହିଷ୍ଟୋରୀରୁ ଶିଖିବା ପାଇଁ ଅନେକ କିଛି ଅଛି। ଆଉ ଛୁଟି ସମୟରେ ପିଲାଙ୍କ ପାଇଁ ଏହି ମ୍ୟୁଜିଅମ୍ ନିଶ୍ଚୟ ଆନନ୍ଦଦାୟକ। ସପ୍ତାହର ସବୁଦିନ ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ମ୍ୟୁଜିଅମ୍ ଖୋଲା ରହିବା ସହ, ଏହା ମଧ୍ୟକୁ ପ୍ରବେଶ ନିଶୁଳ୍କ ଅଟେ।  ଯଦି ଆପଣ ଭୁବନେଶ୍ୱର ବାହରୁ ଆସନ୍ତି ତାହେଲେ ଏହା ରେଳ ଷ୍ଟେସନ୍ଠାରୁ ୬ କିଲୋମିଟର ଏବଂ ବରମୁଣ୍ଡା ବସ୍-ଷ୍ଟପରୁ ୯ କିଲୋମିଟର ଦୂର ଅଟେ। ଆଚାର୍ଯ୍ୟ ବିହାର ଛକରେ ଠିକ ପଠାଣି ସାମନ୍ତ ପ୍ଲାନେଟୋରିୟମ ପାଖରେ ଏହା ଅବସ୍ଥିତ। ସ୍କୁଲରେ ଥିବା ଛାତ୍ର ମାନେ ଏହି ମ୍ୟୁଜିଅମଟିକୁ ନିଶ୍ଚୟ ଦେଖିବା ଉଚିତ। ଇତିହାସ ଅନୁସାରେ ଏବେଠୁ ୨୫୦୦ ବର୍ଷ ତଳେ, ବେବିଲୋନିଆର ଜଣେ ରାଜକୁମାରୀ ପ୍ରଥମ ମ୍ୟୁଜିଅମ୍ ବନାଇଥିଲେ। ସେତେବେଳେ ମ୍ୟୁଜିଅମର ଅର୍ଥ ଧନାଢ୍ୟ ତଥା ସମ୍ଭ୍ରାନ୍ତ ବ୍ୟକ୍ତି ମାନଙ୍କ ଦ୍ବାରା ମୂଲ୍ୟବାନ, ସୌଖୀନ ଜିନିଷ ସ°ଗ୍ରହ କରିବା ଥିଲା। ମ୍ୟୁଜିଅମ୍ ଶବ୍ଦ, ଗ୍ରୀକ୍ ଶବ୍ଦ “ମଉସେଇଅନ”ରୁ ଆସିଛି। ଏହାର ଅର୍ଥ ପୁରାତନ ଗ୍ରୀକରେ ଦର୍ଶନ (ଫିଲୋସଫି) ଏବଂ କଳା ଅଧ୍ୟୟନର ଗୃହ। ୨୦୨୦ ମସିହାରୁ ପ୍ରତିବର୍ଷ ମେ’ ୧୮ ତାରିଖକୁ ଅନ୍ତର୍ଜାତୀୟ ମ୍ୟୁଜିଅମ୍ ଦିବସ ଭାବରେ ପାଳନ କରାଯାଏ। ତାହେଲେ ଏଇଥର ସପ୍ତାହାନ୍ତରେ ରିଜିଓନାଲ୍ ମ୍ୟୁଜିଅମ୍ ଅଫ୍ ନେଚୁରାଲ୍ ହିଷ୍ଟୋରୀ ବୁଲି ଦେଖନ୍ତୁ। ପ୍ରକୃତି ତଥା ତା’ର ସମସ୍ତ ଜୀବଜନ୍ତୁ କେମିତି ପରସ୍ପର ଉପରେ ନିର୍ଭରଶୀଳ ତଥା ପରସ୍ପର ଭିତରେ ସମନ୍ବୟ ରକ୍ଷା କରି ପାରିଲେ ହିଁ ଦୀର୍ଘସ୍ଥାୟୀ ବିକାଶ ଓ ଆନନ୍ଦ ପ୍ରାପ୍ତି ହେବ ଅନୁଭବ କରନ୍ତୁ।

Photography by Niranjan Panda

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →