ଭୁଲବଶତଃ,ସାର୍

ଛବିଟି ସମ୍ଭବତଃ ସାର୍ ଙ୍କର ଏଯାବତ ମିଳିଥିବା ସବୁଠାରୁ ପୁରୁଣା ଛବି,ଟିକିଏ ସାଧୁଭାଷାରେ କହିଲେ,ସାର୍ ଙ୍କର ସର୍ବପ୍ରାଚୀନ ଚିତ୍ରାର୍ପିତ ରଂଗକର୍ମ।

ଏହାର ସମୟ ୧୭୭୫ ଖ୍ରୀଅ।

ସାର୍ ଙ୍କୁ ଏଇଠେ ଦେଖିବେ, ଆମେ ଯେମିତି ସାର୍ ଙ୍କୁ ଦେଖିବାରେ ଅଭ୍ୟସ୍ତ ସେମିତି ନୁହଁ, ନିହାତି ଜାଗା ବଦଳକରି ଭୁଲ ଜାଗାଟିରେ ଆସି ବସିଯାଇଛନ୍ତି। ସେଇଟା ତ ତାଙ୍କର ବଡଭାଇ ର ଆସ୍ଥାନ । ସାର୍ ଙ୍କ ଭାଇ ଭାଇ ଭିତରର ଆପୋସ କଥା ଇଏ,ଆମେ ତାହା ଭିତରକୁ ଏତେ ପ୍ରବେଶ କରିବା କାହିଁକି ?

ଦେଖନ୍ତୁ ଦେଖନ୍ତୁ, ଏବେ ତଳେ କିନ୍ତୁ ଅଧରପଣା ପ୍ରସ୍ତୁତ ହୋଇ ରହିଛି। ନଅଟି ମାଟି ହାଣ୍ଡିରେ ପ୍ରସ୍ତୁତ ହୋଇ ରହିଛି ସୁବାସିତ ପଣା,ଅଧରପଣା।

ଏକଥା ବିନା ଦ୍ୱିଧାରେ କୁହାଯାଇ ପାରିବ ଯେ, ସାର୍ ଙ୍କ କଥା ସାର୍ ନିଜେ ଜାଣନ୍ତି। କିନ୍ତୁ ଆମ ଭଳି ଇତରଜନ ମାନଙ୍କ ଭିତରେ ସବୁବେଳେ କାରଣ ଖୋଜିବା ଭଳି ଗୋଟିଏ ଗୋଟିଏ ଯେଉଁ ସୌଖୀନ ଗୋଇନ୍ଦା ବସବାସ କରୁଛି ଆମେ ତ ଆଉ ତାହାର ହାତରେ ପାଦରେ ବେଡି ଦେଇ ରଖିପାରିବା,ଏପରି ଆୟତ୍ତ କ’ଣ ଆମମାନଙ୍କର ରହିଛି ? ତେଣୁ ସାର୍ ଙ୍କର ଏପରି ସ୍ଥାନବିଚ୍ୟୁତିର କାରଣକୁ ବଖାଣିବସିବା ବେଳେ ଆମକୁ ଏଇଲେ ଘଟଣାଟି ଯେମିତି ଦିଶୁଛି ତାହା ହେଲା, ଲୋଭ,ଅଧରପଣା ର ଲୋଭରେ ଏଇ ସ୍ଥାନ ବିଚ୍ୟୁତି ଟି ଘଟିଛି ବୋଲି ଆମ ମାନଙ୍କ ଭଳି ଇତର ଜନ ର ଧାରଣା । ଆମ ମାନଙ୍କ ସଂସାରରେ ଜ୍ୟେଷ୍ଠାଂଶ ବା ବଡପୁଅର ଭାଗ ବୋଲି କଥାଟିଏ ଅଛି। ବଡ ପୁଅର ଉଦ୍ଦେଶ୍ୟରେ ରଖାଯାଇଥିବା ପଣା ଟି ଯେ ଅଧିକ ପଣା ସେମିତି ଗୋଟିଏ ବିଚାର ପୃଥିବୀର ସମସ୍ତ କନିଷ୍ଠ ମାନଙ୍କ ମନରୁ ଦୂର କରାଯାଇ ପାରିବ ନାହିଁ । ସେଇଥିପାଇଁ ହୁଏତ ସାର୍ ନିଜର ଜାଗା ବଦଳ କରି ବଡଭାଇର ଜାଗାରେ ଆସି ଠିଆ ହୋଇଯାଇଛନ୍ତି,ନିଜେ ପରଖି ନେବା ପାଇଁ ଯେ,ତାଙ୍କ ପାଇଁ ଯେଉଁ ପଣା ରହିଥାଏ ଆଉ ଏଇଠି ଯେଉଁ ପଣା ବଡଭାଇ ପାଇଁ ରହିଛି,ଏଇ ଦୁଇଟି ରେ ଅନ୍ତତଃ ଫରକ ବୋଲି କିଛି ନାହିଁ । ଆଉ ଏକଥା ମଧ୍ୟ ସତ ଯେ,ସଚରାଚର ବଡଭାଇର ସ୍ଥାନରେ ଠିଆ ହେବାକୁ ସାନଭାଇ ସବୁବେଳେ ନିଜର ଅଧିକାର କ୍ଷେତ୍ର ବୋଲି ମଣିଥାଏ।

ସେ ଯାହା ହେଉ ସାର୍ ଭଲଭାବରେ ଜାଣନ୍ତି ଆମ ମାନଙ୍କର ଅଧରପଣା ସମେତ ସବୁ ଜାତୀୟ ପଣାପାଣିରେ ଢେର୍ ଆଗ୍ରହ ରହିଛି। ଅନ୍ୟ ଜାତୀୟ ପଣାପାଣିରୁ ନିବୃତ୍ତ ରହିବୁ ବୋଲି ସାର୍ ଙ୍କ ନାଆଁରେ କେତେଥର ଯେ ରାଣନିୟମ ଖାଇଛୁ ଆଉ ତାହାକୁ ଅନାୟାସରେ ଭାଙ୍ଗିଦେଇଛୁ ତାହାର କୌଣସି ଠିକଣା ନାହିଁ।

ଏଇଠି ଏମିତି ଗୋଟିଏ ଅଧରପଣାର ଲୋଭ କଥା ଲେଖାହୋଇଛି ବୋଲି ସାର୍ ଙ୍କର ହୁଏତ କିଛି ଯାଏ ଆସେ ନାହିଁ, ଆମକୁ ତ ସେମିତି ଲାଗିବ।ଦାନ୍ତୁରାର ହସ କି କାନ୍ଦ, କେହି କିଛି ବୁଝି ନ ପାରିଲା ଭଳି, ଆମର ସାର୍ ଙ୍କର ମୁହଁରେ ସବୁବେଳେ ଚହଟୁଥାଏ ହସ।ସେ ସବୁବେଳେ ହସକୁରା।ସବୁବେଳେ ଯିଏ ହସଟିଏ ନିଜ ଓଠରେ ଝୁଲାଇ ରଖି ପାରିଛି,ସେ ଆଉ କାହା ଉପରେ ଆନନ୍ଦରେ ଗଦଗଦ ହୋଇ ରହିଛି କି କାହା ପାଇଁ ପଛରେ ଇସ୍ପାତର ଛୁରିଟିଏ ପଜାଇ ରଖିଛି ସେକଥା ଜାଣିବା ଏଇ ସଂସାରଜନ ପକ୍ଷରେ କାଠିକର ପାଠ।

ଆପାତତଃ ସାର୍ ଙ୍କ ହସ ରେ ଆମେ ସଂତୁଷ୍ଟ ଅଛୁ। ଏଇଟିକୁ କିଛି ବୁଝିପାରୁନଥିବା ଇତର ଜନର ସଂତୁଷ୍ଟି ବୋଲି ଯଦି କିଏ କହୁଛି, ସେ ସେମିତି କହୁ।ଆମେ ବ୍ରାତ୍ୟଜନଗଣ ଖୁସିରେ ଅଛୁ ତାଙ୍କର ହସ ସହ। ଯଦି ଆମର ପଛନ୍ତେ ସାର୍ ନିଜ ଛୁରୀରେ ଶାଣ ଦେଉଥିବେ ସେଇଟି ତାଙ୍କର ନିଜ ଧର୍ମ। ଏହା ଉପରେ ଆଉ କ’ଣ କୁହାଯାଇପାରେ ?

ସାର୍ ଙ୍କର ସବୁଠୁ ଭଲ ଗୁଣଟି ହେଲା ଯେ,ସେ କାହାର ଦ୍ରୋହକୁ ଧରନ୍ତି ନାହିଁ,କି କାହାପ୍ରତି ଦ୍ରୋହ ଆଚରଣ କରନ୍ତି ନାହିଁ।

ସେଇଥିପାଇଁ ତ ଆମେ ସଂସାରରେ ଏପରି ଉଦବାର୍ଯ୍ୟ,ଏପରି ନିଶ୍ଚିନ୍ତ କୋଇଲି।

ଆଜି ସାର୍ ନିଜ ଘରକୁ କିଛିଦିନ ପରେ ଫେରୁଛନ୍ତି।ଘରେ ତାଙ୍କ ସ୍ତ୍ରୀ ରନ୍ଧାବଢା କରି ଚାହିଁ ରହିଛନ୍ତି। ଏମିତି ତ ସ୍ତ୍ରୀଲୋକ ! ମିନିଟିଏ ଅପେକ୍ଷା କୁ ତାଳ କରି କହିବେ ଯେମିତି ଯୁଗଟିଏ ବିତିଗଲା ଆଉ ସ୍ୱାମୀ ପାଇଁ ଅପେକ୍ଷାମାନେ ସେହି ମିନିଟକ ଯେମିତି ଶହେଟି ଯୁଗ। ସାର୍ ଜାଣନ୍ତି ବାଟରୁ ରସଗୋଲା ହାଣ୍ଡିଟିଏ ଧରିଥିଲେ ସବୁ ଯୁଗ ତକ ପୁଣି ମିନିଟିକରେ ପାଲଟିଯିବ ସେଇ ପୁରୁଣା ମିନିଟିଟିଏ ।

ସାର୍ କିଛିଦିନ ଯେଉଁ ଘରେ ଆସି ଥିଲେ ସେଇଟି କୁଆଡେ ନିଜର ଆଦିମତାକୁ ଅନୁଭବ କରିବା ପାଇଁ ଏକ ପ୍ଲିଜର୍ ଟ୍ରିପ୍ ବୋଲି ଢେର୍ ଶାସ୍ତ୍ରମତ ରହିଛି।ସାର୍ ଏହି ପ୍ଲିଜର୍ ଟ୍ରିପ୍ ରେ ଯେଉଁ ଘରକୁ ଆସିଥିଲେ ଦେଖିବେ ଆସିବାବେଳେ ଗୋଟିଏ ବାଟରେ ସେହିଘର ଭିତରକୁ ପ୍ରବେଶ କରିଥିଲେ ମାତ୍ର ଫେରିଲାବେଳକୁ ତାଙ୍କର ଦରକାର ହୋଇଛି ଆଉ ଗୋଟିଏ ବାଟ।ଆମ ଭଳି ଇତରଜନ ର ଏମିତି ସଦର ଦରଜା ଆଉ ପଛ ଦରଜା ଲୋଡା ହୋଇଥାଏ। ଆମର ସଦର ଦରଜାରେ ଯେତେବେଳେ ପୁଲିସ ଜଗି ରହିଥିବ ଆମେ ସେତିକିବେଳେ ପଛ ଦରଜା ଦେଇ ଚଂପଟ ମାରୁ।

ଏ ବିଷୟରେ ସାର୍ ତ କିଛି କହିବେ ନାହିଁ।ଖାଲି ହସିବେ।ନିଜ ମନର ପାପ ନିଜକୁ ଖାଇବା ଭଳି କ’ଣ ଅଭିଲା ରସଗୋଲା ହାଣ୍ଡିଏ ଦରକାର ପଡେ ? କିଏ ଜାଣିଛି ?

ଆମେ ଇତରମାନେ ଯାତ୍ରାର ଯେମିତି ଅର୍ଥ କରିଛୁ ତାହା ହେଉଛି ଯେତେବେଳେ ଆମେ ସବୁ ପ୍ରକାର ଶୃଙ୍ଖଳା ଆଉ ନିଷ୍ଠାକୁ ଛିନଛତ୍ର କରି କେବଳ ଆନନ୍ଦ ଉପଭୋଗ ପାଇଁ ଏକାଠି ହୋଇଥାଉ ତାହାକୁ ଯାତ୍ରା କହିଥାଉ।ସେଇଠି କାହା ହାତର ଘଡି କି କାହାର ପୋଷାକ ତାହାକୁ କିଏ ଦେଖୁଛି? ସେଇଠି ନୀତିବୋଧ ର ଟିକିଏ ଏପଟ ସେପଟ ହୋଇଗଲେ ଚଳିବ।ସେଇଥିପାଇଁ ତ କେଉଁକାଳରୁ ଏକାଠି ମଦନୋତ୍ସବ ପାଳିବାର ବିଧାନ ଅଛି।ଚାରିହଜାର ବର୍ଷ ତଳେ ଗ୍ରୀସ୍ ରେ ଏମିତି ଏକ ଯାତ୍ରା ହେଉଥିଲା ଯେଉଁଠି ସମସ୍ତେ ଏକାଠି ଆନନ୍ଦରେ ଆଜିକାଲିର ଅବକାରୀ-ପଣା ସାମୁହିକ ଭାବରେ ପାନ କରୁଥିଲେ।ତାହାକୁ ଲୋକେ କହୁଥିଲେ “ବାଖନାଲିଆ”।

ଶଗଡଗୁଳାରେ ଯଦି ଚାଲିବାର ଅଛି ତେବେ ଏକାଠି ହେବାର ଲୋଡା କାହିଁକି ପଡିବ ?ଏକାଠି ହେଲେ ଆମେ ଇତର ଲୋକେ ସିଧାରଣତଃ ଉତ୍ସୃଙ୍ଖଳ ହେଉ ମାତ୍ର ସେଇ ଏକାଠି ହେବାର କଥାଟା ବି ଆମର ସମସ୍ତ ଉତ୍ସୃଙ୍ଖଳତାର ଲଗାମକୁ ନିଜହାତରେ ଧରିରଖି ଥାଏ।

ସାର୍ ଯେତେବେଳେ ଏଇ ଭଳି ବର୍ଷକୁ ଥରେ ରଥଯାତ୍ରା କରିଥାନ୍ତି ସେତିକି ବେଳେ ମୋଟ ଉପରେ ଦୁଇଟି ପ୍ରମୁଖ ଅନୁଷ୍ଠାନ ରେ ଏହାର ସମାପନ ଘଟିଥାଏ। କହିବାକୁ ଗଲେ ଏଇ ଦୁଇଟି ଅନୁଷ୍ଠାନ ସାର୍ ଙ୍କ ଏଇ “ନିଜର ଉତ୍ସ ଉଦ୍ଦେଶ୍ୟରେ ଯାତ୍ରା”ର ସାରାଂଶ କୁ ପରିଭାଷିତ କରିଥାଏ। ଯାତ୍ରାଶେଷର ସେଇ ଦୁଇଟି ଘଟଣା ହେଉଛି,ସାର୍ ଙ୍କ ସୁନାବେଶ ଆଉ ସାର୍ ଙ୍କ ଅଧର ପଣା।

ସୁନାବେଶରେ ଆମେ ସାର୍ ଙ୍କୁ ଐଶ୍ୱର୍ଯ୍ୟମଣ୍ଡିତ କରି, ସାର୍ ଆମର ଯେ ସମ୍ପଦ-ଶ୍ରେଷ୍ଠ, ଏଇ କଥାକୁ ରଥରୁ ଅର୍ଥାତ୍ ଶୀର୍ଷ ଦେଶରୁ ଧରାତଳକୁ ବାର୍ତ୍ତା ଦେବା ଭଳି ପ୍ରୟାସ କରୁ। ସାର୍ ଙ୍କ ନିକଟରେ ଅଧରପଣା ଲାଗି କରିବା ଭଳି ଦୃଶ୍ୟରେ ଆମେ ଏତିକି କହିବାକୁ ଚାହୁଁ ଯେ,ପାଣି ଆମର ସାଧାରଣ ଜୀବନ ପ୍ରବାହ ଆଉ ସେଇ ପାଣିକୁ ଯେତେବେଳେ ଆଳଙ୍କାରିକ ତଥା ସୁବାସିତ କରାଯାଏ ତାହାକୁ କୁହାଯାଏ ପଣା। ରଥଦେଶରେ ଅଧରପଣା ଗ୍ରହଣ କରିବା ଭଳି ସମାପନ-ପ୍ରତୀକରେ ସାର୍ ଆମ ଭଳି ସାଧାରଣ ଇତରକୁ ଜନକୁ କହୁଥାନ୍ତି,ଜୀବନରେ ଯେଉଁ ସୁଆଦ ଥାଏ ତାହାହିଁ ଆମର ବଡିମା।

ସାର୍,ଆପଣଙ୍କର ତୁଳନା ନାହିଁ। ରଥଯାତ୍ରା ଭଳି ଏକ ବିଶାଳତାକୁ ଆପଣ ମାତ୍ର ଦୁଇଟି ଶବ୍ଦରେ ସମାପ୍ତ କରିଦେଲେ। ସମ୍ପଦ ଆଉ ସ୍ୱାଦ।

ସାର୍ ଙ୍କର ଏମିତି ଏକ ଛବିରେ ଭୁଲ ଯାଗାରେ ବସିବା,ଅଧରପଣା ପାଇଁ ଯେତେଯେତେ ଭୁଲ ଆଉ ପଛ ଦରଜା ଦେଇ ଆସିବାପରି ଭୁଲ୍ ଭଳି ଆଉ ଗୋଟିଏ ଭୁଲ କରିବା ପାଇଁ ଆଜି ଅନୁରୋଧ କରୁଛି ଶେଷରେ ।

ଆପଣ ଦୟାପରବଶ ହୋଇ ଆଉ ଥରଟିଏ ଭୁଲ କରି ଆମ ଭଳି ଇତରଜନଙ୍କ ହୃଦୟର ରତ୍ନସିଂହାସନକୁ ଆସନ୍ତୁ।ଦେଖିବେ ଆମର ଅଧରପଣା ସମେତ ସମସ୍ତ ପଣାପାଣିରେ ରହିଥିବା ଆଗ୍ରହ ସତ୍ତ୍ୱେ ସେ ଜାଗାଟି ସେତେ ଖରାପ ନୁହଁ।

ସବୁ ବଂଶୀର ଭିତର ତ ଗାଢ ଅଂଧାର ,ତଥାପି ସେଇଠି ପହଁରୁଥାଏ ଯାବତୀୟ ମୋହକର ସୁର। ନୁହଁ ?

ଆସିବେ ସାର୍ ,ଭୁଲବଶତଃ ?

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →