ମାତୃଭାଷା ଦିବସରରକ୍ତ କଥା

ସ୍ଥାପତ୍ଯ ଟି ପ୍ରଖ୍ୟାତ ଚିତ୍ରକର ଯୋଗେନ ଚୌଧୁରୀ ଙ୍କର ।

ସଂପ୍ରତି ଏଇ ଶିଳ୍ପକର୍ମ ଟି କଲିକତାର ବିରଲା ପ୍ଲାନେଟୋରିଅମ୍ ର ଅପର ପାର୍ଶ୍ବ ରେ ଅବସ୍ଥିତ।ସେହି ଜାଗାଟିକୁ “ଏକୁଶେ ଉଦ୍ଯାନ” ବା “ଏକୋଇଶ ର ଉଦ୍ଯାନ” ହିସାବରେ ଏକୋଇଶ ଫେବୃଆରୀ ୨୦୧୬ ଦିନ ଉଦଘାଟନ କରା ଯାଇଥିଲା।

ସ୍ଥାପତ୍ଯର ନାଆଁ ହେଉଛି,ଭଉଣୀ କୋଳରେ ଜଣେ ଶହୀଦ।

ସେତିକିରେ କ’ଣ ଆମ ମାନଙ୍କ ଭଳି ଯେଉଁମାନଙ୍କର ଛାତି ନିହାତି ଦୁର୍ବଳ ସେମାନେ ଧିର ସ୍ଥିର ହୋଇ ଏଇ କଳାକର୍ମ କୁ ଦେଖିପାରିବେ ?ସ୍ଥାପତ୍ଯର ପଛପଟରେ ନେପଥ୍ଯର ଇତିହାସ ବଖାଣ ହୋଇଛି।ଦୟାକରି ପଢିବେ।ସାମ୍ନା ପଟରେ ତିନଧାଡି କବିତା ଅଛି ବଙ୍ଗଳା ଭାଷାରେ ଯାହାର ଓଡିଆ ତର୍ଜମା ଏଇପରି ହେବ:

“ଆମର ଭାଇର ରକତରେ ମଖା
ଏକୋଇଶ ଫେବ୍ରୁଆରୀ,
ଆମେ କି ପାରିବା ଭୁଲି ?”

ଯେଉଁଠି ରକ୍ତପାତ ଏତେ ନିବିଡ ସେଠାରେ ସାମାନ୍ଯ ଭାଷାର କି ସାମର୍ଥ୍ଯ ଅଛି ପ୍ରତିବନ୍ଧକ ସୃଷ୍ଟି କରିବ?ଆଶା କରୁଛି ଆମେ ସମସ୍ତେ ଏହା ର ଅର୍ଥ ବୁଝି ପାରୁଥିବା।ଆମର ପ୍ରତିବେଶୀ ରାଷ୍ଟ୍ର ବାଂଲା ଦେଶର ଅବଦୁଲ୍ ଗଫର ଚୌଧୁରୀଙ୍କର ଏଇ ବିଶ୍ବବନ୍ଦିତ ଗୀତଟି ମୁଁ କେବେହେଲେ ପୂରା ଶୁଣିପାରେ ନାହିଁ।

ଲୁହ ମାନେ ଅବୋଧ ଶିଶୁ,ସେମାନଙ୍କର ଦୋଷ କାହିଁକି ଧରିବା?ସେମାନଙ୍କର ଅଳି ଅର୍ଦ୍ଦଳି ତ ରହିବ।

ଇତିହାସରେ କିଛି ଦିନକୁ ଦେଖିବ ଜୀବନ୍ତ,ଖୁବ୍ ବେଶି ଜୀବନ୍ତ। ଆଜି ଦିନଟି ଭଳି।

୧୯୫୨ ମସିହାର ଆଜି ତାରିଖ ଦିନ ଇତିହାସରେ ପଲାଶ ଫୁଲ ହୋଇ ଫୁଟିଗଲେ ସେତେବେଳର ପୂର୍ବ ପାକିସ୍ଥାନ ବା ଆଜିର ବାଂଲାଦେଶର ତରୁଣ ଅବଦୁସ୍ ସଲାମ,ଆବୁଲ ବରକତ୍,ରଫିକ୍, ଜବାର୍,ଶଫିଉର୍ ଆଉ ଅହିଉଲ୍ଲାହ।”ବାଂଲା ଭାଷା,ପ୍ରାଣେର ଭାଷା” ସ୍ଲୋଗାନ ରେ ଢାକା ରାଜପଥରେ ପ୍ରାଣବଳୀ ଦିଅନ୍ତି ଏଇ ତରୁଣ ବଂଗାଳୀ ପ୍ରଜନ୍ମ ତତ୍କାଳୀନ ପାକିସ୍ଥାନ ସରକାରଙ୍କର ବଂଗାଳୀ ବିଦ୍ବେଷ ବିରୁଦ୍ଧରେ ସ୍ବର ତୋଳି।ସେଇଦିନ ଠାରୁ ଗୋଟିଏ ସ୍ବତନ୍ତ୍ର ବାଂଲା ଦେଶର ଧାରଣା ଜନ୍ମ ନେଇଥିଲା ସେଠାରେ।

ଅନେକ ରକ୍ତପାତ ପରେ ବାଂଲା ଦେଶ ହେଲା ୧୯୭୧ ରେ।ବଙ୍ଗଳା ଆଜି ଜାତିସଂଘର ସ୍ବୀକୃତ ଭାଷା କାରଣ ତାହା ଗୋଟିଏ ସ୍ବାଧୀନ ରାଷ୍ଟ୍ରର ଅର୍ଥାତ୍ ବାଂଲା ଦେଶର ଭାଷା।

ବାଂଲାଦେଶରେ ଏଇ ୨୧ ଫେବୃଆରୀକୁ “ଅମର ଏକୁଶେ”ହିସାବରେ ଏକ ଭାଷା ଦିବସ ହିସାବରେ ପାଳନ କରା ହୋଇ ଆସୁଛି। କିଂତୁ ଏଇ ଦିନକୁ ୧୭ ନଭେମ୍ବର ୧୯୯୯ ରେ ମିଳିତ ଜାତିସଂଘର ୩୦ତମ ଅଧିବେଶନରେ ୨୮ଟି ସଦସ୍ଯ ଦେଶର ସମର୍ଥନ ରେ “ଆନ୍ତର୍ଜାତିକ ମାତୃଭାଷା ଦିବସ “ହିସାବରେ ସ୍ବୀକୃତି ଦିଆଯାଇଛି। ତାହାପରଠାରୁ ୨୦୦୦ ମସିହାରୁ ଏଇଦିନଟି ଆଉ ବାଂଲାଦେଶର ଏକଚାଟିଆ ଅଧିକାର ରେ ନାହିଁ।ଦିନ ଟି ଆମ ସମସ୍ତଙ୍କର ଗୋଟିଏ ପ୍ରିୟ ଦିନ।ପ୍ରାୟତଃ ବିଶ୍ବର ୧୮୮ ଟି ଦେଶର ଏହା ଏବେ ପାଳିତ ହେଉଛି।ଏପରିକି ପାକିସ୍ଥାନ ରେ ବି।

ଯେଉଁ ପାକିସ୍ଥାନୀ ଶାସକ ଗୋଷ୍ଠୀର ଷଡଯନ୍ତ୍ର ଯୋଗୁ ଦିନେ ଜନ୍ମ ନେଇଥିଲା ମହାନ ଏକୋଈଶ ଫେବୃଆରୀ ସେଠାରେ ଏଇ ମାତୃଭାଷା ଦିବସ ଟି ସେମିତି ନହେଲେବି ଧୁମଧାମ୍ ରେ ପାଳନ ହୁଏ।କରାଚୀ,ଇସଲାମାବାଦ ପ୍ରଭୃତି ସହରରେ ସାହିତ୍ଯ ଉତ୍ସବ ହୁଏ ଆଲୋଚନା ଚକ୍ର ମାନ ହୁଏ।

ଏତିକି ପଢିସାରିବା ପରେ ଏଇଠେ ବସି ଆମେ ଆଜି କ’ଣ ଭାବିବା?

ତରୁଣ ମାନଙ୍କ ଭିତରେ ଭାଷା ପାଇଁ ଉନ୍ଭାଦନା ଆସିଲେ ସେମାନେ ଯେ କୌଣସି ଚରମ ତ୍ଯାଗ ପାଇଁ ପ୍ରସ୍ତୁତ ହୋଇ ଲଢି ପାରିବେ।ଆଉ କେହି ନୁହଁ।ସେମାନେ ଉଚ୍ଚ କଣ୍ଠରେ ହିଁ କହିପାରନ୍ତି,ଭାଷା ଆମର ଅଧୀକାର ଆଉ ଆମର ଦାୟିତ୍ବ ବି।ଏହା ଆଜି ମାତୃଭାଷା ଦିବସରେ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।

ଆଉ ବାକି ଆମେ ଯେଉଁମାନେ ଏହାପରେ ରହିଲୁ ସେମାନଙ୍କର ହଲିଲା ପାଣିକୁ ଗୋଡ ବଢାଇବା କିସ ଦରକାର?ଯଦି ଆମ ଭିତରୁ କିଏ ଲେଖକ ତେବେ ତାହାର ଅମରତ୍ବ ଟିଏ ଆଗ ଲୋଡା ପଡିବ।ଅମରତ୍ବ କହିଲେ ଓଡିଆ ସାହିତ୍ୟର ପାଠ୍ଯକ୍ରମ ରେ ରହିଗଲେ ହେଲା।ଆମେ ସମସ୍ତେ ତ ପ୍ରତ୍ୟେକ ନିଜକୁ ସର୍ବୋତ୍ତମ ପାଠ୍ଯ ବୋଲି ଏକ ମାନକ ଆପେ ପ୍ରସ୍ତୁତ କରି ନିଜକୁ କେବଳ ସେହି ଭଳି ଯୋଗ୍ଯତାରେ ରଖିବାରେ ଭାରି ସୁଖ ପାଉ ।ବାକି ଅନ୍ଯ ସବୁ କଥାକୁ ଆଖିରେ ଅନ୍ଧପୁଟୁଳୀ ବାନ୍ଧି ବସିଥାଉ।ଚୁପଚାପ୍ କ’ଣ ବସିଥାଉ କି? ନା ନା। ଆମେ ଠିକ୍ କାନ ଡେରି ଥାଉ ବାହାରେ ଥିବା ସଂଜୟ ଆଡକୁ। ସଂଜୟ କ’ଣ କହୁଛି ? ଆମ ସଂପର୍କରେ କିଛି ବିରୂପ ଖବର ଆସୁନି ତ କେଉଁଠୁ ?

ଏମିତିରେ ଆମେ ଯଦି ସାହିତ୍ଯ କଲୁ ତେବେ ଆମର ଆଗ ଲୋଡା ପଡିବ ସଂଜୟ।ସଂଜୟର ମାର୍ଫତ ରେ ହିଁ ଆମର ସମସ୍ତ ଛାୟା ଯୁଦ୍ଧର ସିତ୍କାର।

ଆଉ ଗୋଟିଏ କଥା ଆମେ ଅମର ଏକୋଈଶ ରୁ ଶିଖିଲୁ ତାହା ହେଉଛି ଭାଷାଟି ଯେ କୌଣସି ଧାର୍ମିକ ବିଭିନ୍ନତା ରୁ ଉର୍ଦ୍ଧ୍ବ ରେ।ତାହା ଆଜି ଦିବସର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି।

ମାତୃଭାଷା ଦିବସରେ ଏଇ ଦୁଇଟି ଉପଲବ୍ଧି ଆମ ପାଇଁ ସେମିତି କିଛି କମ୍ କଥା ନୁହଁ।

ଆମର କୃତବିଦ୍ଯ ମାନଙ୍କର ଗପ କବିତା ଉପନ୍ୟାସ ଆପଣ ମାନଙ୍କର ନିତ୍ଯ ସହଚର ହୋଇଥିବ। ସେମାନଙ୍କର ଭାଷାଭାବନା ଉପରେ ଆପଣମାନେ ହୁଏତ ଜାଣିଥାଇ ପାରନ୍ତି ମାତ୍ର ମୋ ଧାରଣାରେ ଆମର ଏଠିକାର କୃତବିଦ୍ୟ ସାରସ୍ୱତ ସାଧକ ମାନଙ୍କର ଭାଷାଭାବନା ବୋଲି ସେମିତି କିଛି ନାହିଁ। ବନାନ, ତ୍ରୁଟି ସଂଶୋଧନ ଏବଂ ଆତ୍ମମୁଗ୍ଧତା କୁ ଉପସ୍ଥିତ ଲେଖକ ଭାଷାଭାବନା ର ଗୁରୁତ୍ୱପୂର୍ଣ୍ଣ ଅଂଗ ବୋଲି ମନେ କରେ ନାହିଁ। ଉପସ୍ଥିତ ଲେଖକ ପାଇଁ ଭାଷା ଭାବନା ହେଉଛି ମାତୃଭାଷାର ବ୍ୟବହାର,ମାତୃଭାଷାର ସଂପ୍ରେଷଣକ୍ଷମତା,ମାତୃଭାଷାରେ ଯଥେଷ୍ଟ ଜ୍ଞାନପାଠ ବା ନଲେଜ-ଟେକ୍ସଟ ର ନିର୍ମାଣ ଓ ସେହି ସଂପର୍କିତ ବିସ୍ତୃତ ଓ ନିୟମିତ ଚର୍ଚ୍ଚା।

ଅମର ଏକୋଈଶ ପାଳନ ଅବସରରେ ଥରେ ବାଂଲା ଦେଶର ଗୋଟିଏ ଚାନେଲ୍ କିଛି ଲୋକଙ୍କୁ ପଚାରିଥିଲେ,ବାଂଲା ଭାଷାରେ ଆପଣଙ୍କର ସବୁଠାରୁ ପ୍ରିୟ ଶବ୍ଦର କଥା କହିଲେ କେଉଁ ଶବ୍ଦଟି ମନକୁ ଆସୁଛି?

ସବୁଠାରୁ ବେଶି ଯେଉଁ ଉତ୍ତର ଟି ଥିଲା ତାହା ହେଉଛି,ମା।

ପ୍ରତି ଦୁଇ ସପ୍ତାହ ରେ ପୃଥିବୀରୁ ଗୋଟିଏ ଭାଷା ମରେ। ପ୍ରତି ଭାଷା ମରିବା ସହିତ ପୃଥିବୀ ଟି ଅଧିକରୁ ଅଧିକ ସଂକୁଚିତ ହୋଇଯାଏ।ସଂକୁଚିତ ଏଇଥିପାଇଁ ହୁଏ କାରଣ ଆମେ ଯେତେ ଅଧିକ ଭାଷାରେ ପୃଥିବୀକୁ ଡାକିବୁ ପୃଥିବୀର ସେତିକି ଶବ୍ଦ-ଧ୍ବନୀ-ଭିତ୍ତିକ ବ୍ଯାପ୍ତି ରୂପ ରହିବ।

ଓନା-ଭାରତୀୟ ବୋଲି ଗୋଟିଏ ସଂପ୍ରଦାୟର ଶେଷ ପ୍ରତିନିଧି ଥିଲା ଆଂଜେଲା ଲୋଇଜ୍।ଆଂଜେଲା ସେଇ ସଂପ୍ରଦାୟଙ୍କ ଭାଷା କହିବାରେ ଶେଷ ଓ ଏକମାତ୍ର ମହିଳା।ସେ ଯାହା କହୁଥିଲା ତାହା କେବଳ ନିଜେ ବୁଝୁଥିଲା। ୧୯୭୪ ରେ ସେ ପ୍ରାଣତ୍ୟାଗ କଲା।

ଓନା-ଭାରତୀୟ ମାନେ ଅନେକ ଦେବତାଙ୍କୁ ପୂଜା କରୁଥିଲେ।ସେମାନଙ୍କର ମଧ୍ଯରେ ଶ୍ରେଷ୍ଠ ଦେବତା ଥିଲେ,ପେମାଲକ୍।

ପେମାଲକ୍ ର ଅର୍ଥ ହେଉଛି;”ଶବ୍ଦ”।

ଅବଦୁର ଗଫର ଚୌଧୁରୀ( 1934-2022)

ଏବେ ଅବଦୁର ଗଫର ଚୌଧୁରୀଙ୍କ ର ସେହି କରୁଣ ଅମର ଏକୋଇଶ ଗୀତ ଟି ର ଏକ ଅନୁସୃଜନ ଆପଣମାନଙ୍କ ସାମ୍ନାରେ ରଖୁଛି:

ଏକୋଇଶର ଗୀତ

ଆମର ଭାଇର ରକତରେ ମଖା ଏକୋଇଶି ଫେବ୍ରୁଆରୀ
ଆମେ କି ପାରିବୁ ଭୁଲି
ପୁତ୍ରହରା ଶତ ମାତାର ଲୁହରେ ଗଢା ଯେଉଁ ଫେବ୍ରୁଆରୀ
ଆମେ କି ପାରିବୁ ଭୁଲି।

ଜାଗଲୋ ନାଗୁଣୀ ଜାଗଲୋ ନାଗୁଣୀ ଜାଗ କାଳ ବଇଶାଖୀ
ଶିଶୁ ହତ୍ୟାର ବିକ୍ଷୋଭେ ଆଜି ବସୁନ୍ଧରା
ଯାଉ କମ୍ପି
ଦେଶ ସୁନା ଶିଶୁ ଖୁନ କରି ରୋକୁ ମଣିଷର ସବୁ ଦାବୀ
ଦିନ ବଦଳର କ୍ରାନ୍ତି ଲଗ୍ନରେ ଭାବୁ ହୋଇ
ଯିବୁ ପାରି ?
ନାଇ ନାଇ ନାଇ ରକ୍ତ ରଞ୍ଜିତ ଇତିହାସେ
ରାୟ ତାହାରି
ଏକୋଇଶି ଫେବ୍ରୁଆରୀ ଏକୋଇଶି ଫେବ୍ରୁଆରୀ।

ସେଦିନ ଏପରି ନୀଳ ଗଗନର ବସନେ ଶୀତର ଶେଷେ
ରାତି ଜଗା ଚାନ୍ଦ ଚୁମା ଦେଇଥିଲା ହସି
ପଥେ ପଥେ ଫୁଟେ ରଜନୀଗନ୍ଧା ଅଳକାନନ୍ଦା
ଯେତେ
ଏପରି ସମୟେ ଝଡ ଆସିଥିଲା ପାଗଳ ପରାୟେ ସତେ।

ସେଇ ଅନ୍ଧାରରେ ପଶୁଙ୍କର ମୁହଁ ଚିହ୍ନା,
ମାଆ ଭଉଣୀ ଓ ଭାଇର ଚରମ ଘୃଣା
ଏମାନେ ଫୁଟାଇ ଗୁଳି ଦେଶ ପ୍ରାଣେ
ଦେଶର ଦାବୀକୁ ରୋକେ,
ଏମାନଙ୍କର ଘୃଣ୍ୟ ପଦାଘାତ ଏଇ ସାରା ଦେଶ ବୁକେ,
ଏ ଦେଶର ଇଏ ନୁହଁ
ଦେଶ ର ଭାଗ୍ୟ ମଣିଷର ଅନ୍ନ, ବାସ ଓ ଶାନ୍ତି
ଦେଇଅଛି ବିକ୍ରି କରି,
ଏକୋଇଶି ଫେବ୍ରୁଆରୀ,ଏକୋଇଶି ଫେବ୍ରୁଆରୀ।

ତମେ ଆଜି ଜାଗ ତମେ ଆଜି ଜାଗ ଏକୋଇଶି ଫେବ୍ରୁଆରୀ
ଆଜି ଲୁଣ୍ଠନର କାରାଗାରେ ମରେ ବୀର ପୁଅ ବୀର ନାରୀ
ଶହୀଦ ଆମ ସେ ଭାଇର ଆତ୍ମା ଡାକେ
ଜାଗ ମଣିଷର ସୁପ୍ତ ଶକ୍ତି ହାଟେ ଆଉ ବାଟେ ଘାଟେ
ବଡ ନିଦାରୁଣ କ୍ରୋଧର ନିଆଁରେ ପୁଣି ଜାଳିଦେବୁ ଫେବ୍ରୁଆରୀ
ଏକୋଇଶି ଫେବ୍ରୁଆରୀ,ଏକୋଇଶି ଫେବ୍ରୁଆରୀ।

ଶେଷରେ କହିବାକୁ ଚାହିଁବି ଭାଷା ଭାବର ବାହକ ହୋଇଥିବା କାରଣରୁ ଆମେ ମଣିଷ ହିସାବରେ ଯଦି ଏଇ ପୃଥିବୀରେ ରହିଛୁ ତାହା କେବଳ ଆମର ଭାଷା ଯୋଗୁ ହିଁ ସମ୍ଭବପର ।ତେଣୁ ଏଇ ଭାଷାକୁ ନେଇ ପର ଅପର ବୋଲି କିଛି ନାହିଁ।ମୁଁ ମୋ ମାତୃଭାଷା ଓଡିଆକୁ ଯଦି ପ୍ରକୃତ ଭଲ ପାଏ ଯାହା ମୋତେ ଅସଲ ମଣିଷ ହିସାବରେ ଚିହ୍ନଟ କରେ ସେତେବେଳେ ମୁଁ ମୋ ଚାରିପଟେ ଅମଣିଷଙ୍କର ଉପସ୍ଥିତି ଆଦୌ ଚାହିଁବି ନାହିଁ।ମୁଁ ନଜାଣିଥିବା ଭାଷାମାନେ ବି ସେହିଭଳି ନିରନ୍ତର ସମାନ୍ତରାଳ ଭାବରେ ମଣିଷ-ନିର୍ମାଣରେ ରତ ରହିଛନ୍ତି ।ତେଣୁ ସେଇ ଭାଷାମାନେ ବି ମୋର ସମାନ ପ୍ରିୟ।

ଏକଥା କହିବା ବାହୁଲ୍ୟ ଏକୋଇଶି ଫେବ୍ରୁଆରୀ ଯାହାର ରକ୍ତରେ ରଞ୍ଜିତ ହୋଇଥିଲା ସେ ବି ମୋର ଭାଇ।ମଣିଷର ସ୍ୱାଭିମାନ ପାଇଁ ତାହାର ସେହି ବଳିଦାନ କଥା ମୋ ହୃଦୟରେ ବି ସଂରକ୍ଷିତ ଅଛି।ଗଭୀର ଭାବରେ ଅଛି।

ମୁଁ ଶ୍ରେଷ୍ଠ ଆଉ ମୋ ଭାଷା ଶ୍ରେଷ୍ଠ ବୋଲି ନିଜ ଚାରିପଟେ ଠ କରି ମୁଣ୍ଡୁଳି ବୁଲାଇ ଯେଉଁମାନେ ମେଘନାଦ ପାଚେରୀ ତୋଳିବା ଫିକରରେ ରହିଛନ୍ତି,ଉପସ୍ଥିତ ଲେଖକ ସେମାନଙ୍କୁ ଅସ୍ୱୀକାର କରେ। ମଣିଷ ପରି ବଂଚିବାକୁ ହେଲେ ସବୁବେଳେ ମୁକ୍ତ ଆଉ ଦମକାଏ ସତେଜ ବତାସ ତାହାର ଲୋଡା।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *