ମୋବାଇଲର ଦୁଃଖ
ମୋବାଇଲର ଦୁଃଖ ଅସରନ୍ତି | ଦିନରାତି ବିଚରାଙ୍କୁ ଟିକେ ଫୁରସତ ନାହିଁ | ରାତି ଏଗାର -ବାର ଯାଏଁ ଲୋକେ ତାକୁ କାମରେ ଲଗାଉଥିବେ | ରାତି ବାର ବେଳକୁ ଯଦି ସେମାନେ ଟିକେ ଶୋଇଲେ, ମୋବାଇଲ ଟିକେ ବିଶ୍ରାମ ପାଇଲା – ତିନିଟାରୁ ଆସିଲା ନୋଟିଫିକେସନ | ଚାରି ସାଢେ ଚାରିରୁ ଆସିଲା ବୁଢାମାନଙ୍କ ଗୁଡ଼ମର୍ନିଙ୍ଗ ମେସେଜ | ଖାଲି କଣ ଗୁଡ଼ମର୍ନିଙ୍ଗ, ତା ସହିତ ଫୁଲ, ପ୍ରକୃତି, ନୀତିବାଣୀ | ଛଟାରେ ଆଲାର୍ମ ବାଜିଲା | ବାବୁ/ବାବୁଆଣୀ ଉଠିଲେ ଆଉ ବାସ ଦିନଯାକର ଜଞ୍ଜାଳ ଆରମ୍ଭ |
ଆଛା, ମୋବାଇଲକୁ ପୁଣି ଦଶଟା ଯନ୍ତ୍ରର କାମ କରିବାକୁ ପଡୁଛି | ସେ ଘଡ଼ି, ସେ କ୍ୟାଲକୁଲେଟର, ସେ କ୍ୟାମେରା, ସେ କମ୍ପାସ | ସେ ସମସ୍ତଙ୍କ ଫୋନ ନମ୍ବର ମନେ ରଖିବ | ସମସ୍ତଙ୍କ ବ୍ୟାଙ୍କ ଖାତା ନମ୍ବର, ପାସ-ୱାର୍ଡ ସବୁ ମାନେ ରଖିବ | ଦିନକୁ ଦିନ ତା କାମ ବଢି ବଢି ଚାଲିଛି| ଏବେ ତାକୁ ଲୋକଙ୍କ ପାଇଁ ଫୋନ ଡାୟାଲ କରିବାକୁ ପଡୁଛି, ବାବୁ/ବାବୁଆଣୀ କଉଠି ଯିବେ ଟ୍ୟାକ୍ସି ଡାକି ଦେବାକୁ ପଡୁଛି, ଯିବା ବାଟ ଦେଖେଇବାକୁ ପଡୁଛି, ସେମାନଙ୍କ ବ୍ଲଡ଼ ପ୍ରେସର ମାପିଦେବାକୁ ପଡୁଛି, ସେମାନେ କେତେ ବାଟ ଚାଲିଲେ, କେତେସମୟ ବ୍ୟାୟାମ କଲେ ତାର ହିସାବ ରଖିବାକୁ ପଡୁଛି | କେତେ କାମ କରିବ ଗୋଟେ ଛୋଟ ଯନ୍ତ୍ର!
ଆହୁରି ଦୁଃଖ ହେଲା ଏତେ କାମ କଲା ପରେ ବି ମଣିଷର ତା ପ୍ରତି କୃତଜ୍ଞତାବୋଧ ନାହିଁ | ତାକୁ ସେ ନିଜର ବୋଲି ଭବେନି | ବର୍ଷେ – ଦିବର୍ଷରେ ତାକୁ ବଦଳେଇ ନୂଆ ଆଣେ |
ଏବେ ମୋବାଇଲ ଠିକ କରିଛି ମଣିଷ ଯଦି ତାକୁ ନିଜର ବୋଲି ଭାବୁନାହିଁ, ସେ ବି ମଣିଷକୁ ନିଜର ବୋଲି ଭାବିବ ନାହିଁ | ତା ଉପରେ ମଣିଷ ଯେଉଁ ଅତ୍ୟାଚାର କରି ଚାଲିଛି, ସେ ତାର ପ୍ରତିଶୋଧ ନେବ |
2
ଭାବି ଭାବି ମୋବାଇଲ ଗୋଟେ ବାଟ ବାହାର କଲା | ସେ ମଣିଷକୁ ଆବୋରି ବସିଲା | ମୋତେ ବ୍ୟବହାର କରିବୁ ତ! ନେ କର | ଦିନକୁ ଦିନ ମୋବାଇଲ ନୂଆ ନୂଆ ଢଙ୍ଗରେ ମଣିଷକୁ ଆହୁରି ସାନ୍ଧ୍ର ଭାବରେ ଆକର୍ଷଣ କଲା | ମଣିଷ ଅଧିକରୁ ଅଧିକ ସମୟ ମୋବାଇଲ ସହିତ କଟେଇଲା | ଏମିତି ହେଉ ହେଉ ମଣିଷ ଦିନେ ନିଜ ଅଜାଣତରେ ମୋବାଇଲର ଦାସ ହୋଇଗଲା | ମୋବାଇଲ ହିଁ ତାର ଦୁନିଆ ହୋଇଉଠିଲା | ପ୍ରକୃତ ପୃଥିବୀ ସହିତ ତାର ଯୋଗାଯୋଗ କ୍ରମଶଃ କ୍ଷୀଣ ହୋଇ ଆସିଲା | ସେ ପ୍ରକୃତିକୁ ଦେଖିଲା ତ ମୋବାଇଲ କ୍ୟାମେରା ଆଉ ପରଦା ମାଧ୍ୟମରେ | ତାର ସମସ୍ତ ଜାଗତିକ ସମ୍ପର୍କ ମୋବାଇଲ କି-ବୋର୍ଡ ଆଉ ପରଦାରେ ସୀମିତ ହୋଇଗଲା |
ଗୋଟେ ସମୟରେ ମଣିଷ ମୋବାଇଲ ହୋଇଗଲା |
ଶୁଆ ହଜିଯାଇଛି
ସକାଲୁ ସକାଳୁ ଭରତପୁର ରାଜ୍ୟ ସାରା ଦେଖାଗଲା କାନ୍ଥବାଡ଼ରେ ପୋଷ୍ଟର ଲାଗିଛି, ରାଜାଙ୍କ ଶୁଆ ହଜିଯାଇଛି | ତାକୁ ଖୋଜି ଫେରାଇବା ଲୋକଙ୍କୁ ଦଶ ହଜାର ତାଙ୍କ ପୁରସ୍କାର ଦିଆଯିବ | ରେଡ଼ିଓ ଟିଭିରେ ସେକଥା ବାରମ୍ବାର କୁହାଯାଉଛି | ଖବରକାଗଜର ପ୍ରଥମ ପୃଷ୍ଠାରେ ବିଜ୍ଞ|ପନ ଦିଆଯାଇଛି |
ଘଟଣା କଣ – ନା, ରାଜାଙ୍କର ଗୋଟେ ପ୍ରିୟ ଶୁଆ ଥିଲା | ରାଜା କିନ୍ତୁ କହନ୍ତି ସେହି ଶୁଆ କଣ୍ଠରେ ଈଶ୍ୱରଙ୍କ ବାସ | ସେ ଯାହା କହେ ସତ ହୁଏ | ହେଲେ ପ୍ରକୃତ କଥାଟା ରାଜ୍ୟର ସମସ୍ତେ ଜାଣନ୍ତି – ରାଜା ତାକୁ ଯାହା କହିବାକୁ କହନ୍ତି ସେ ସେଇଆ କହେ | ହେଲେ ରାଜାଙ୍କୁ ସେକଥା କିଏ କହିବ!
ଏମିତି ଯେ ବଶମ୍ବଦ ଶୁଆ – ସେ ଦିନେ କୁଆଡ଼େ ଉଡ଼ିଚାଲିଯାଇଛି | ସେଥିପାଇଁ ରାଜାଙ୍କର ମନ ଭାରି ଖରାପ |
ମନ୍ତ୍ରୀ କହିଲେ, ମଣିମା ମନ ଖରାପ କରନ୍ତୁ ନାହିଁ | ଜଙ୍ଗଲରୁ ଆଉ ଗୋଟେ ଶୁଆ ଧରି ଆଣିବା |
ଗୋଟେ ନୁଁହ, ମନ୍ତ୍ରୀଙ୍କ ଆଦେଶରେ ଦଶଟା ଶୁଆ ଧରିଆଣିଲେ ସୈନ୍ୟ ସାମନ୍ତମାନେ | କିନ୍ତୁ ବଣର ଶୁଆ ରାଜାଙ୍କ କଥା ଦୋହରାଇବାକୁ ନାରାଜ |
ରାଜାଙ୍କ ମନ ଖରାପ | ଦୁଇଟି କଥା ସେ ବୁଝିପାରୁନାହାନ୍ତି | ପ୍ରଥମ: ଏବେ ତାଙ୍କ କଥାକୁ ଈଶ୍ୱରବାଣୀ ବୋଲି କହୁଥିବା ଶୁଆଟିଏ ସେ କେଉଁଠୁ ପାଇବେ; ଆଉ ଦୁଇ: ତାଙ୍କ ବୋଲକରା ଶୁଆଟି ପଳେଇ ଗଲା କାହିଁକି ?
ନିର୍ମାଲ୍ୟ, VIP-21 ଲିଟିଲ ଓଡ଼ିଶା, ଛତାବର, ଭୁବନେଶ୍ୱର

