ଯୁଦ୍ଧର ପ୍ରତିବାଦରେ ଯୁଦ୍ଧର ଭୟଙ୍କର ପରିବେଶ ଓ ପରିସ୍ଥିତିକୁ ନେଇ ଏକ ବିଶ୍ୱବିଖ୍ୟାତ ଛବି କଥା ଆଜି ମନେପଡୁଛି । ସେ ଛବି ଦେଖିଲେ ରୁଷୀୟ କ୍ଷେପଣାସ୍ତ୍ର ମାଡ଼ରେ ଧ୍ୱଂସ ବିଧ୍ୱସ୍ଥ ୟୁକ୍ରେନ୍ର ଯେକୌଣସି ସହର ନିଶ୍ଚୟ ଆପଣଙ୍କୁ ଦିଶିଯିବ । ଶୁଭିଯିବ ବୋମା ମାଡ଼ରେ ମରିହଜି ଯାଉଥିବା ଅସହାୟ ମଣିଷମାନଙ୍କ କରୁଣ ଆର୍ତ୍ତ ଚିତ୍କାର ।
ଲିଓନାର୍ଡୋଙ୍କ ମୋନାଲିସା ଛବିର ରହସ୍ୟମୟ ସ୍ମିତହସକୁ କିଏ ନଜାଣେ । ସୁନ୍ଦରପଣର ରହସ୍ୟମୟ କମନୀୟତାକୁ ନେଇ ଅଙ୍କିତ ମୋନାଲିସା ପରି ପାବ୍ଲୋ ପିକାଶୋଙ୍କ ‘ଗର୍ନିକା’ ଯୁଦ୍ଧର ବିଭୀଷିକାକୁ ନେଇ ଅଙ୍କିତ ପ୍ରସିଦ୍ଧ ଛବି । କ୍ୟାନଭାସ୍ ଉପରେ ତୈଳରଙ୍ଗରେ ଅଙ୍କିତ ଏହି ଛବିରେ ପିକାଶୋ କେବଳ କଳା, ଧଳା ଓ ଧୂସର ରଙ୍ଗ ବ୍ୟବହାର କରିଥିଲେ । ଛବିରେ ଘରେ ଦିଆଯାଉଥିବା ଓ ବେଶୀ ଚକ୍ଚକ୍ କରୁନଥିବା ରଙ୍ଗ ପିକାଶୋ ବ୍ୟବହାର କରିଥିଲେ । ବରାଦ୍ ଦେଇ ସ୍ୱତନ୍ତ୍ର ଭାବରେ ସେ ରଙ୍ଗ ତିଆରି କରେଇଥିଲେ । ୩.୪୯ ମିଟର ଚଉଡ଼ା ଓ ୭.୭୬ ମିଟର ଲମ୍ବର ଏହି ପ୍ରସିଦ୍ଧ ଛବିକୁ ପିକାଶୋ ୧୯୩୭ ମସିହାରେ ଆଙ୍କିଥିଲେ ।
ଦ୍ୱିତୀୟ ବିଶ୍ୱଯୁଦ୍ଧର ପୂର୍ବବର୍ତ୍ତୀ ସମୟ । କିନ୍ତୁ ଯୁଦ୍ଧର କଳା ବାଦଲ ସାରା ପୃଥିବୀ ଉପରକୁ ଧୀରେ ଧୀରେ ଘନେଇ ଆସୁଥାଏ । ସ୍ପେନ୍ର ରିପବ୍ଲିକ୍ ସରକାର ୧୯୩୭ ଜାନୁଆରୀ ମାସରେ ସେତେବେଳକୁ ପ୍ୟାରିସ୍ରେ ରହୁଥିବା ପିକାଶୋଙ୍କୁ ପ୍ୟାରିସ୍ ୱାର୍ଲ୍ଡ ଫେୟାର୍ରେ ସ୍ପେନ୍ର ପାଭିଲିୟନ୍ରେ ପ୍ରଦର୍ଶନ ପାଇଁ ଏକ ବଡ଼ ମ୍ୟୁରାଲ୍ ଆଙ୍କିବାକୁ ଅନୁରୋଧ କଲେ । ଉଦ୍ଦେଶ୍ୟ ଥିଲା, ଛବି ମାଧ୍ୟମରେ ଯୁଦ୍ଧ ବିଷୟରେ ଲୋକଙ୍କୁ ସଚେତନ କରାଯିବ ଓ ଆବଶ୍ୟକୀୟ ପାଣ୍ଠି ବି ଯୋଗାଡ଼ କରାଯିବ । ପିକାଶୋ କାମରେ ଲାଗିଗଲେ । ଜାନୁଆରୀରୁ ଏପ୍ରିଲ୍ ମାସ ଯାଏଁ ଛବି ପାଇଁ ଦରକାରୀ ପ୍ରାରମ୍ଭିକ ସ୍କେଚ୍ କରୁଥିବା ବେଳେ ସ୍ପେନ୍ ସହରର ଗର୍ନିକା ଉପରେ ପୁରା ଦୁଇ ଘଣ୍ଟା ପାଇଁ ବୋମାବର୍ଷା ହେଲା । ସ୍ପେନୀୟ ଜାତୀୟତାବାଦୀଙ୍କ ଅନୁରୋଧରେ ନାଜୀ ଜର୍ମାନୀ ଓ ଫାସିଷ୍ଟ ଇଟାଲୀ ସ୍ପେନ୍ର ଗର୍ନିକା ସହର ଉପରେ ବୋମା ବର୍ଷଣ କଲେ । ସ୍ପେନୀୟ କବି ଓ ପ୍ରାବନ୍ଧିକ ଜୁଆନ୍ ଲରେଆ ପିକାଶୋଙ୍କ ଷ୍ଟୁଡିଓ ଆସି ତାଙ୍କୁ ଅନୁରୋଧ କଲେ, ସେ ସ୍ପେନ୍ ପାଇଁ ଆଙ୍କୁଥିବା ଛବିର ବିଷୟ ଭାବରେ ଗର୍ନିକାରେ ବୋମା ପଡିବା ଓ ତା’ର ଭୟାବହ ପରିଣାମକୁ ବିଷୟ କରି ଆଙ୍କି ପାରନ୍ତି । ତାପରେ ପିକାଶୋ ‘ନ୍ୟୁୟର୍କ ଟାଇମସ୍’ ଓ ‘ଦ ଟାଇମସ୍’ ଆଦି ଖବର କାଗଜରୁ ସେ ବୋମା ମାଡ଼ ବିଷୟରେ ଅଧିକ ଜାଣିଲେ । ପ୍ରତକ୍ଷ୍ୟଦର୍ଶୀଙ୍କ ବିବରଣୀ ବି ପଢିଲେ । ତାପରେ ପୁରୁଣା ସ୍କେଚ୍ ସବୁକୁ ଖାରଜ୍ କରି ନୂଆ ଛବି ପାଇଁ ଖସଡ଼ା ତିଆରି ଆରମ୍ଭ କଲେ । କୁହାଯାଏ, ଛବି ପାଇଁ ପିକାଶୋ ପ୍ରାୟ ତିରିଶଟି ଷ୍ଟଡି କରିଥିଲେ ।
ମଇ ମାସ ୧୧ ତାରିଖ ବେଳକୁ ଛବି ପାଇଁ କ୍ୟାନଭାସ୍ ପ୍ରସ୍ତୁତ ହେଇ ସାରିଥିଲା । ଜଣେ ଆମେରିକୀୟ ଚିତ୍ରଶିଳ୍ପୀ ତାଙ୍କୁ ସହେଯାଗ କରୁଥା’ନ୍ତି । ପ୍ରଥମରୁ ପିକାଶୋ ଯେଉଁ ଖସଡ଼ା ପ୍ରସ୍ତୁତ କରିଥିଲେ, ତାହା ଛବିର ଶେଷ ବେଳକୁ ଅନେକଟା ବଦଳି ଯାଇଥିଲା । ଯେମିତି ଷଣ୍ଢ ମୁଣ୍ଡ ପ୍ରଥମରୁ ଯେଉଁଠି ଥିଲା ସେଇଠି ରହିଲା, କିନ୍ତୁ ଶେଷ ବେଳକୁ ତା’ ଦେହ ବାମ ପଟକୁ ବୁଲିଗଲା । ୨୦ ମଇରେ ଘୋଡା ତା’ ଷଣ୍ଢା ଉପରକୁ ଟେକିଲା । ଚଟାଣରେ ପଡିଥିବା ମଲା ସୈନିକ ବାମରୁ ଡାହାଣକୁ ଥିଲା, କିନ୍ତୁ ତା’ର ସ୍ଥାନ ଜୁନ ୪ରେ ବଦଳିଲା । ଶେଷ ମୁହୂର୍ତ୍ତରେ ଶିଳ୍ପୀ ମଲା ସୈନିକର ହାତରେ ଥିବା ଭଙ୍ଗା ଖଣ୍ଡାରେ ଫୁଲ ଆଙ୍କିଲେ ।
ପିକାଶୋ ଗର୍ନିକା ଆଙ୍କୁଥିବା ବେଳେ ତା’ର ଅଗ୍ରଗତିର ଫଟୋ କିନ୍ତୁ ନିୟମିତ ଭାବରେ ନେଉଥିଲେ । କୁହାଯାଏ, କଳା-ଧଳା ଫଟୋ ଦେଖି ସେ ଆଙ୍କୁଥିବା ଗର୍ନିକା ଛବିର ରଙ୍ଗ ନେଇ ଆବଶ୍ୟକୀୟ ପରିବର୍ତ୍ତନ ଓ ସଂଶୋଧନ ବି କରୁଥିଲେ । ଫଟୋଗ୍ରାଫି ପାଇଁ ଗର୍ନିକା ଛବିରେ କଳା, ଧଳା ଓ ଧୂସର ରଙ୍ଗର ଏତେ ଚମତ୍କର ସହାବସ୍ଥାନ ଓ ସମନ୍ୱୟ ସମ୍ଭବ ହେଇପାରିଥିଲା । ଆମେ ଏବେ ଦେଖୁଥିବା ଛବି ତଳେ ଆଉ କିଛି ଛବି ଲୁଚି ଛବି ଗଢାର ପ୍ରକ୍ରିୟା ଭିତରେ ପୋତି ହୋଇଯାଇଛନ୍ତି । ଯେମିତିକି ଘୋଡ଼ା ପଛରେ ଅଛି ଗୋଟେ ମଣିଷ ଖପୁରୀ । ଘୋଡ଼ା, ଷଣ୍ଢ ଓ ଚିତ୍କାର କରୁଥିବା ଗୋଟେ ସ୍ତ୍ରୀ ଲୋକ ଆଦି ତିନି ଜଣଙ୍କ ଜିଭ ଜାଗାରେ ଜାଗା ନେଇଛନ୍ତି ତିନିଟା ଡାଗର । ପିକାଶୋ ତାଙ୍କ ଛବିରେ ପ୍ରାୟତଃ ବ୍ୟବହାର କରୁଥିବା ଷଣ୍ଢର ମୁଣ୍ଡ ଓ ଲାଞ୍ଜ ଥିବା ଗ୍ରୀକ୍ ମିଥ୍ର ମିନୋଟର୍ ଓ ବିଦୂଷକଙ୍କ ଛବିକୁ ଏଠି ମଧ୍ୟ ବ୍ୟବହାର କରିଛନ୍ତି । ମିନୋଟର୍ ଅର୍ନ୍ତନିହିତ ଶକ୍ତି ଓ ବିଦୂଷକ ଏଠି ଜୀବନ ଓ ମୃତ୍ୟୁର ପ୍ରତିନିଧିତ୍ୱ କରନ୍ତି ।
ଅଳ୍ପ କିଛି ଚରିତ୍ର ମାଧ୍ୟମରେ ପିକାଶୋ ସ୍ପେନ୍ର ସିଭିଲ୍ ୱାର୍କୁ ଆଙ୍କିବାକୁ ପ୍ରୟାସ କରିଛନ୍ତି । ଛବିରେ ପିକାଶୋ ଯେତିକି କ୍ୟୁବିଷ୍ଟ ସେତିକି ଏକ୍ସପ୍ରେସନିଷ୍ଟିକ୍ । ଗୋଟେ କୋଠରୀ ଭିତରେ ସବୁ କିଛି ଘଟଣା ଓ ଚରିତ୍ରମାନଙ୍କୁ ସମାହିତ କରିଛନ୍ତି ପିକାଶୋ । ମ୍ୟୁରାଲ୍ର ବାମ ପାଖରେ ଉପରକୁ ଅଛି ଏକ ବଡ଼ ଆଖିଆ ଷଣ୍ଢ ଓ ତା’ର ଠିକ୍ ତଳକୁ ମଲା ଛୁଆକୁ ଧରି କାନ୍ଦୁଥିବା ଜଣେ ସ୍ତ୍ରୀ ଲୋକ । ଷଣ୍ଢର ପଛରେ ଥିବା କାନ୍ଥରେ ଖୋଦେଇ ହେଇଛି ଗୋଟେ କପୋତର ଛବି । ଠିକ୍ ସେଇଠି ଟିକିଏ ଫାଟିଯାଇଛି କାନ୍ଥ । ଫଟା କାନ୍ଥ ଫାଙ୍କରେ ଧାରେ ବାହାର ଆଲୁଅ ପଶି ଆସିଛି ଅନ୍ଧାରିଆ ଘର ଭିତରକୁ । କୋଠରୀର ମଝାମଝି ଅଛି ଯନ୍ତ୍ରଣାରେ ଚିତ୍କାର କରୁଥିବା ଘୋଡ଼ା । ଘୋଡ଼ା ତଳକୁ ମରିଯାଇଥିବା ଜଣେ ସୈନିକ । ହାତରେ ତା’ର ଅଧା ଭଙ୍ଗା ଏକ ତରବାରୀ । ଯେଉଁଥିରୁ ଭବିଷ୍ୟତର ଆଶାର ଫୁଲ ଫୁଟିଛି । ଘୋଡ଼ାର ମୁଣ୍ଡ ଉପରେ ମଣିଷ ଆଖି ଆକାରର ବିଜୁଳି ବଲ୍ବ । କଳା ସମାଲୋଚକଙ୍କ କହିବା କଥା ଅନୁସାରେ, ଘୋଡ଼ା ଓ ଷଣ୍ଢ ହେଉଛନ୍ତି ସ୍ପେନୀୟ ସଂସ୍କୃତିର ପ୍ରତିନିଧି । ଆଗରୁ ପିକାଶୋ ତାଙ୍କର ଅନ୍ୟ ଛବିରେ ମଧ୍ୟ ଅନେକବାର ସେମାନଙ୍କୁ ଆଙ୍କିଛନ୍ତି । ପିକାଶୋଙ୍କ ଅନୁସାରେ ଗର୍ନିକାର ଘୋଡ଼ା ହେଉଛି ଗର୍ନିକା ସହରର ଲୋକେ ।
A tapestry of Guernica
ପିକାଶୋ ଗର୍ନିକା ମ୍ୟୁରାଲ୍କୁ ଶେଷ କରିବାକୁ ପଇଁତିରିଶ ଦିନ ନେଇଥିଲେ । ଠିକ୍ ୪ ଜୁନ୍ ୧୯୩୭ରେ ସେ ଏହାକୁ ଶେଷ କରିଥିଲେ । କଳା ଇତିହାସରେ ଯୁଦ୍ଧ ବିରୋଧରେ ଓ ଶାନ୍ତିର ବାର୍ତ୍ତା ବହନ କରୁଥିବା ଦର୍ଶନକୁ ନେଇ ଅଙ୍କା ଯାଇଥିବା ସର୍ବଶ୍ରେଷ୍ଠ ଛବି ଭାବରେ ଗର୍ନିକାକୁ ଗଣା ଯାଏ । ୱାର୍ଲଡ ଫେୟାର୍ ସରିଲା ପରେ ସ୍ପାନୀସ୍ ରିପବ୍ଲିକ୍ ଗର୍ନିକାକୁ ସ୍କାଣ୍ଡିନାଭିଆ ଓ ଇଂଲଣ୍ଡରେ ଯୁଦ୍ଧ ବିରୁଦ୍ଧରେ ଜନ ସଚେତନତା ଓ ପାଣ୍ଠି ଯୋଗାଡ ପାଇଁ ବୁଲାଇଥିଲେ । ନାଜିମାନଙ୍କ ପ୍ୟାରିସ୍ ଅଧିକାର ଭୟରେ ପିକାଶୋ ଗର୍ନିକାକୁ ନ୍ୟୁୟର୍କର ମ୍ୟୁଜିୟମ ଅଫ୍ ମଡର୍ଣ୍ଣ ଆର୍ଟକୁ ଦେଇଦେଇଥିଲେ । ଛବି ସେଇଠି କୋଡିଏ ବର୍ଷ ରହିଯାଇଥିଲା । ପିକାଶୋଙ୍କର ଦେହାନ୍ତ ୧୯୭୩ରେ ହେଇଥିଲା ଓ ତାଙ୍କ ଜୀବନ କାଳ ଭିତରେ ଗର୍ନିକା ସ୍ପେନ୍ ଫେରିନଥିଲା । ଅନେକ ବର୍ଷ କଥାବାର୍ତ୍ତା ପରେ ୧୯୮୧ରେ ମୋମା ଛବିଟିକୁ ସ୍ପେନ୍କୁ ଫେରେଇଥିଲା । ଗର୍ନିକାର ଏକ ଟାପେଷ୍ଟ୍ରି ସଂସ୍କରଣକୁ ନ୍ୟୁୟର୍କ ସହରରେ ଥିବା ମିଳିତ ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟରେ ଥିବା ସିକ୍ୟୁରିଟି କାଉନସିଲ ରୁମ୍ ଆଗରେ ଟଙ୍ଗା ଯାଇଛି । ମୂଳ ଗର୍ନିକା ମ୍ୟୁରାଲ୍ କେବେବି ବିକ୍ରୀ କରାଯାଇନି । ତେବେ ୨୦୨୧ରେ ଏକ ଆକଳନ ଅନୁସାରେ ଏହା ୨୦୦ ମିଲିୟନ ଆମେରିକୀୟ ଡଲାରର ପାଖାପାଖି ହେବ ।
୧୯୭୪ରେ ଯୁଦ୍ଧ ବିରୋଧୀ ଟୋନି ନାମକ ଜଣେ ଆକ୍ଟିଭିଷ୍ଟ ଓ ପରବର୍ତ୍ତୀ ସମୟର ଆର୍ଟ ଡିଲର୍ ହଠାତ୍ ନାଲି ରଙ୍ଗରେ ଗର୍ନିକା ମ୍ୟୁରାଲ୍ ଉପରେ ସ୍ପ୍ରେ କରି ‘କିଲ୍ ଅଲ୍ ଲାଏଜ୍’ ଲେଖିଦେଲେ । ସେତେବେଳେ ଗର୍ନିକା ନ୍ୟୁୟର୍କର ମେଟ୍ରୋପଲିଟାନ୍ ମ୍ୟୁଜିୟମ୍ରେ ପ୍ରଦର୍ଶିତ ହେଉଥାଏ । ଅବଶ୍ୟ କ୍ୟୁରେଟର୍ ଯଥାଶୀଘ୍ର ସେ ରଙ୍ଗ ଛଡେ଼ଇ ଦେଇଥିଲେ ଓ ଟୋନି ଜେଲ୍ ଯାଇଥିଲେ ।
ଶେଷରେ ଗର୍ନିକା ବିଷୟରେ ଶୁଣିଥିବା ଏକ ମଜା କଥା। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ପ୍ୟାରିସ୍ ସହରକୁ ଜର୍ମାନ ମାନେ ଅକ୍ତିଆର୍ କଲାପରେ ଏକଦା ଜଣେ ଜର୍ମାନ ଅଫିସର୍ ପିକାଶୋଙ୍କ ଷ୍ଟୁଡିଓରେ ପଶିଆସି ଗର୍ନିକା ଛବିର ଫଟୋ ଦେଖାଇ ପିକାଶୋଙ୍କୁ ପଚାରିଲା; ‘ତୁମେ ଏଇଟା କରିଛ?’ ପିକାଶୋ ଚଟାପଟ୍ ଉତ୍ତର ଫେରାଇଥିଲେ; ‘ନାଇଁ, ତୁମେ କରିଛ ।’