କବି ଏବଂ କବିତାର ବିଶ୍ୱ : ୱିସଲାୟା ସିମ୍ବୋରସ୍କା

ସମସ୍ତେ କହିଥାନ୍ତି କୌଣସି ବକ୍ତୃତାର ପ୍ରଥମ ବାକ୍ୟ ସବୁଥର ସବୁଠୁ କଠିନ । ସେ ଯାହା ହେଉ,ସେଇକଥା ଆଜି ମୋର ଆଲୋଚ୍ୟ ବିଷୟ ନୁହଁ। ମୋର ଗୋଟିଏ ଅଭିଜ୍ଞତା ଅଛି,ମୁଁ ଯେତେବେଳେ କୌଣସି କବିତାକୁ ନେଇ କିଛି କହୁଛି ,ସେତେବେଳେ ମୋତେ ଲାଗେ ଯେଉଁ ସବୁ ଧାଡିମାନ ଆସିବାକୁ ବସିଛନ୍ତି- ତୃତୀୟ,ଷଷ୍ଠ,ଦଶମ ଏବଂ ଏପରି ଅନ୍ୟ ସବୁ, ଏକଦମ ଶେଷ ଧାଡିଟି ଯାଏଁ- ସେଇ ସମସ୍ତ କେବଳ କଠିନ ହୋଇପାରେ। ଆଜି ମୁଁ ଏ ବିଷୟରେ ସାମାନ୍ୟ କିଛି କହିବି,ଯାହା କହିବି ତାହା ଅସଲରେ ସେମିତି କିଛି ନୁହଁ। ମୁଁ ଯେତେବେଳେ କିଛି କହିବାକୁ ଆରମ୍ଭ କରେ ଠିକ୍ ସେତିକିବେଳେ ମୋର ମନରେ ଗୋଟିଏ ଗୋପନ ସନ୍ଦେହ ତିଆରି ହୋଇଥାଏ ଏବଂ ମୁଁ ଭାବିବସେ ଯେ ଯେଉଁ ବିଷୟରେ ମୁଁ କିଛି କହିବାକୁ ଯାଉଛି ସେଇ ବିଷୟରେ ମୁଁ ତ ସେମିତି ଦକ୍ଷ ନୁହଁ। ଆଶା କରୁଛି ସେଇ ଭୟବିଶେଷର ପ୍ରଭାବରୁ ଏଇ ମଞ୍ଚରେ ମୋର ବକ୍ତୃତାଟି ସଂକ୍ଷିପ୍ତ ହେବ। ଖୁଣକୁ ଛୋଟ ଛୋଟ ମାତ୍ରାରେ ଗ୍ରହଣ କରିବା ଅଧିକ ସହଜ।

ଯଦିଓ ସମସାମୟିକ କବିଗଣ ଯଥେଷ୍ଟ ସନ୍ଦେହ ପ୍ରବଣ ଏବଂ ରହସ୍ୟମୟ,ବିଶେଷ କରି ସେମାନେ ନିଜନିଜର ପ୍ରସଙ୍ଗରେ। ସେମାନେ ଜନସମ୍ମୁଖରେ କହିଥାନ୍ତି, ସେମାନେ ଅନିଚ୍ଛାକୃତ ଭାବରେ କବି ହୋଇଛନ୍ତି।ମନେ ହେବ ସେମାନେ ଯେମିତି ନିଜର କବି-ପରିଚୟରେ ପରିଚିତ ହେଉବାକୁ କିଛିଟା ଲଜ୍ଜାବୋଧ କରୁଛନ୍ତି। ହେଲେ ଆମର ଏଇ କୋଳାହଳପୂର୍ଣ୍ଣ ଅସ୍ଥିର ସମୟରେ ନିଜର ତ୍ରୁଟିକୁ ମାନିନେବା ଭାରି ସହଜ, ନିଜର ମେଧାକୁ ସ୍ୱୀକାର କରିବା ଅପେକ୍ଷା ନିହାତି ଆକର୍ଷଣୀୟ ଭାବରେ ଯଦି ନିଜକୁ ପେଶ୍ କରାଯାଇଥାଏ, କାରଣ ତାହା ଗଭୀରରେ ଲୁକାୟିତ ଥାଏ ଏବଂ ଆପଣମାନେ ନିଜେ କେବେହେଲେ ନିଜର ସେଇ ଗୋପନ ମେଧାର ପ୍ରତି ବଶ୍ୱାସ ରଖି ପାରିନାହାଁନ୍ତି।

କୌଣସି ଗୋଟିଏ ଫର୍ମରେ ଥିବା ପ୍ରଶ୍ନାବଳୀକୁ ପୂରଣ କରିବା ସମୟରେ ଅଥବା ଅଚିହ୍ନା କାହା ସହିତ ଗଳ୍ପଗୁଜବ କରୁଥିବା ସମୟରେ – ଯେତେବେଳେ କବିମାନେ ଅନ୍ତତଃ ନିଜନିଜର ବୃତ୍ତିଗତ ପେଶାକୁ ଲୁଚାଇ ପାରନ୍ତି ନାହିଁ – ସେତେବେଳେ ସେମାନେ ପରିଚୟ ଦେବାକୁ ଗଲାବେଳେ “ଲେଖକ” ବୋଲି ସାଧାରଣ ପରିଚୟଟି ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି ଅଥବା ନିଜର “କବି” ବୋଲି ପରିଚୟର ପରିବର୍ତ୍ତେ ସେମାନେ ଲେଖନ ବ୍ୟତିତ ତାହା ସହିତ ଆଉ ଯେଉଁ କାର୍ଯ୍ୟ କରିଥାନ୍ତି ସେହି ପରିଚୟକୁ ପ୍ରତିସ୍ଥାପନ କରି ପରିଚିତ ହେବାରେ ସ୍ୱାଚ୍ଛନ୍ଦ୍ୟବୋଧ କରିଥାନ୍ତି। ସେମାନେ ଅମଲା ହୁଅନ୍ତୁ କି ବସଯାତ୍ରୀ ସେମାନେ ଯେତେବେଳେ ନିକଟରେ କୌଣସି କବିକୁ ଆବିଷ୍କାର କରିଥାନ୍ତି ସେତେବେଳେ ସେମାନଙ୍କର ପ୍ରତିଭାଷରେ ରହିଥାଏ କିଛି ପରିମାଣର ଅବିଶ୍ୱାସ ଏବଂ ସତର୍କତା। ମୋର ମନେ ହୁଏ ,ହୁଏତ ଦାର୍ଶନିକମାନଙ୍କୁ ବି ଏପରି ସମାନ ପ୍ରତିକ୍ରିୟାର ସାମ୍ନାସାମ୍ନି ହେବାକୁ ପଡିଥାଏ।

ତଥାପି, ସେମାନଙ୍କର ସ୍ଥାନ ଟିକିଏ ଅଧିକ ଉଚ୍ଚରେ,ଯେହେତୁ ସେମାନେ ସେମାନଙ୍କର ପେଶା ଆଉ ଜୀବିକାକୁ ଏକ ପାଣ୍ଡିତ୍ୟପୂର୍ଣ୍ଣ ଶୀର୍ଷକରେ ବିଭୂଷିତ କରିପାରିବା ପାଇଁ ସମର୍ଥ। ଦର୍ଶନର ପ୍ରୋଫେସର୍ : ଏବେ ଏହା ଅଧିକତର ମର୍ଯ୍ୟଦାବନ୍ତ ଶୁଭେ।

କିନ୍ତୁ ଦେଖନ୍ତୁ,କବିତା ଏବଂ କାବ୍ୟର କୌଣସି ପ୍ରୋଫେସର୍ ନାହାଁନ୍ତି। ତାହାର ଅର୍ଥ ହେବ, ମୋଟାମୋଟି,ଯେ କବିତା ହେଉଛି ଗୋଟିଏ ପେଶା, ଯାହା ପାଇଁ ଆବଶ୍ୟକ ବିଶେଷ ଅଧ୍ୟୟନ,ନିୟମିତ ପରୀକ୍ଷାନୀରିକ୍ଷା,ତାତ୍ତ୍ୱିକ ପ୍ରବନ୍ଧମାଳା ଆଉ ସେଥିରେ ସଂଯୁକ୍ତ ଥିବା ପୁସ୍ତକସୂଚୀ,ପାଦଟୀକା ଏବଂ ଶେଷରେ, ଲାଭ କରିଥିବା ସମ୍ମାନଜନକ ଉପାଧି ସବୁ। ଏବଂ ଏହାର ଅର୍ଥ ଏପରି ହୋଇପାରେ,ଥରକୁ ଥର,କୌଣସି ଅତ୍ୟନ୍ତ ଚମତ୍କାର କବିତାର ପୃଷ୍ଠା ପରେ ପୃଷ୍ଠାକୁ ଅତିକ୍ରମ କରିଯିବା ହିଁ କାହାକୁ କବି କରିଦିଏ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କାଗଜ କେତେ ଖଣ୍ଡ କ ଯାହାର ଉପରେ ସରକାରୀ ମୋହର ବସିଥାଏ। ଆମକୁ ଏବେ ଋଷିଆନ୍ ପଦ୍ୟର ଗର୍ବକାଳକୁ ସ୍ମରଣକୁ ଆଣିବାକୁ ପଡିବ, ଭବିଷ୍ୟତର ନୋବେଲ ପୁରସ୍କାର ବିଜୟୀ ଜୋସେଫ ବ୍ରଡସ୍କି, ମୁଖ୍ୟତଃ ଏଇ ସବୁର ଆଧାରରେ ଗୋଟିଏ ସମୟ ତାଙ୍କୁ ଆଭ୍ୟନ୍ତରୀଣ ନିର୍ବାସନରେ ଯିବାକୁ ବାଧ୍ୟ କରାଯାଇଥିଲା ଋଷିଆନ୍ ମାନେ ତାଙ୍କୁ କହୁଥିଲେ “ଜଣେ ପରଜୀବୀ”,କାରଣ ଜଣେ କବି ହେବାର ଅଧିକାର ନିମନ୍ତେ ସରକାରୀ ଦାପ୍ତରିକ ଅନୁମତିର ସନନ୍ଦ ପତ୍ର ତାଙ୍କ ପାଖରେ ନଥିଲା।

କିଛି ବର୍ଷ ଆଗରୁ, ବ୍ୟକ୍ତିଗତ ଭାବେ ମୋର ଜୋସେଫ ବ୍ରଡସ୍କିଙ୍କ ସହିତ ଦେଖାହେବାର ସୌଭାଗ୍ୟ ହୋଇଛି ଏବଂ ଏପରି ଗୋଟିଏ ସାକ୍ଷାତରେ ମୁଁ ଆନନ୍ଦିତ ଆଉ ସମ୍ମାନୀତ ବୋଧ କରିଥିଲି। ଏବଂ ମୁଁ ଲକ୍ଷ୍ୟ କରିଥିଲି ,ମୁଁ ଯେଉଁ କେତେଜଣ କବିଙ୍କୁ ଚିହ୍ନେ, ଜୋସେଫ ବ୍ରଡସ୍କି ସେମାନଙ୍କ ମଧ୍ୟରେ ଏକମାତ୍ର ଜଣେ ଯିଏ ନିଜକୁ କବି ବୋଲି ପରିଚୟ ଦେବାକୁ ପସନ୍ଦ କରିଥାନ୍ତି। କବି ବୋଲି ପରିଚୟ ଦେଲା ବେଳେ ତାଙ୍କର କଣ୍ଠରେ ଟିକିଏ ବୋଲି ସଂକୋଚ କି କୌଣସି ଆବେଗପରକ ବାରଣ ରହି ନଥାଏ।

ଠିକ୍ ତାହାର ବିପରୀତ : ଏହାକୁ କହିବା ସମୟରେ ସେ ଅବାଧ୍ୟ ଭାବରେ ସ୍ୱାଧୀନ ଥିଲେ। ଏହା ହୁଏତ ଏଇଭଳି,ଯାହା ମୋର ମନକୁ ଆସିଥିଲା, ଯେହେତୁ ଅତୀତର ସେଇ ସବୁ ନିଷ୍ଠୁର ଅପମାନ ଯାହା ତାଙ୍କର ସେଦିନର ଯୌବନ କାଳର ଅନୁଭବ ସେଇ ସବୁକୁ ସେ ସେତେବେଳେ ମନେ ପକାଉଥିଲେ ଏକାଠି।

ଅଧିକ ସୌଭାଗ୍ୟବାନ ଦେଶରେ ,ଯେଉଁଠି ମଣିଷର ମର୍ଯ୍ୟାଦା ଅତି ସହଜରେ କ୍ଷୁର୍ଣ୍ଣ ହୁଏ ନାହିଁ ସେଇଠି କବିମାନେ ପ୍ରତ୍ୟାଶା କରନ୍ତି,ଅବଶ୍ୟ, ସେମାନେ ସ୍ୱାଧୀନଭାବରେ ପ୍ରକାଶିତ ହେବେ, ପଢାଯିବେ,ଏବଂ ବୋଧଗମ୍ୟ ହେବେ , କିନ୍ତୁ ସେମାନେ ବେଶି କିଛି କରିପାରନ୍ତି ନାହିଁ,ଯଦି ବା କିଛି କରିଥାନ୍ତି,ତାହା ହେଉଛି ସାଧାରଣ ଜନପଲ ର ଭିତରେ ନିଜର ମଥାକୁ ଟିକିଏ ଉଚ୍ଚାରେ ରଖିବା ଆଉ ନିତ୍ୟନୈମିତ୍ତିକତାରେ ଘାଣ୍ଟି ହେଉଥିବା। ଏବଂ ଏହା ସେତେ ଦୂରସମୟର କଥା ନୁହଁ , ଦେଶର ଏଇ ଶତକର ପ୍ରଥମ ଦଶକ,କବିମାନେ ପ୍ରଚଣ୍ଡ ସଂଗ୍ରାମ କରିଛନ୍ତି ସେମାନଙ୍କର ଅସଂଜତ ପୋଷାକ,ଖାମଖିଆଲି ସ୍ୱଭାବ ଆଉ ବ୍ୟବହାରକୁ ନେଇ କୌଣସି ସ୍ଥାନରେ ଟିକିଏ ଠାକି ରହିଯିବା ପାଇଁ। କିନ୍ତୁ ଏହି ଭଳି ଘଟଣା ସବୁସମୟରେ କେବଳ ଲୋକଦେଖାଣିଆ ପାଇଁ ଉଦ୍ଦିଷ୍ଟ ଥିଲା। ସେମିତି ସମୟ ସବୁବେଳେ ଆସୁଥିଲା ଯେତେବେଳେ କବିମାନଙ୍କୁ ଲୋକମାନଙ୍କ ପଛରେ ନିଜର ଦୁଆରକୁ କିଳି ରହିବାକୁ ହେଉଥିଲା,ଢିଲା କୁର୍ତ୍ତା ବେକର କାଚ ଆଉ ପଥରର ମାଳି ଏବଂ ଅନ୍ୟ ସମସ୍ତ କବିତ୍ୱର ଅତିରିକ୍ତ ବସ୍ତୁସମୂହକୁ ତେଜ୍ୟା କରିବାକୁ ପଡୁଥିଲା ଏବଂ ମୁକାବିଲା-ନୀରବରେ, ନିଜର ଅସଲ ସତ୍ତାର ଉପଲବ୍ଧି ପାଇଁ ଅପେକ୍ଷାରତ- ସେଇ ନିଶ୍ଚଳ -ସାଦା ପୃଷ୍ଠା। ଶେଷ ପାଇଁ ଏହା ହେଉଛି ଯାହା ଅସଲ ହିସାବକୁ ଯାଏ।

ବିଖ୍ୟାତ ବିଜ୍ଞାନୀ ଏବଂ ଶିଳ୍ପୀର ଜୀବନଭିତ୍ତିକ ଚଳଚ୍ଚିତ୍ର ଏକାସାଙ୍ଗରେ ତିଆରି ହେବା କୌଣସି ଦୁର୍ଘଟଣାମୂଳକ ଆକସ୍ମିକ ଘଟଣା ନୁହଁ। ଅଧିକାଂଶ ଉଚ୍ଚାକାଂକ୍ଷୀ ପରିଚାଳକ ପ୍ରାଣବନ୍ତ ଭାବରେ ସୃଷ୍ଟିଶୀଳ ପଦ୍ଧତିରେ ଏଗୁଡିକୁ ଥରକୁ ଥର ନିର୍ମାଣ କରିବାକୁ ଚାହିଁଛନ୍ତି । ଏହି ସୃଜନ ପ୍ରକ୍ରିୟା ବସ୍ତୁତଃ କୌଣସି ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଆବିଷ୍କାରର ଅଥବା କୌଣସି ଏକ ବିଶେଷ ଶିଳ୍ପକର୍ମର ଉଦ୍ଭବ ହେବାଭଳି ଦିଗନ୍ତକୁ ନେଇ ଯାଇଛି। ଏବଂ ଏକଥା ସତ ଯେ କୌଣସି କୌଣସି ପରିଚାଳକ ନିର୍ଦ୍ଦିଷ୍ଟ କୌଣସି ବୈଜ୍ଞାନିକ କର୍ମକୁ ସଫଳ ଭାବରେ ଚିତ୍ରାୟଣ କରି ପାରନ୍ତି। ଗବେଷଣାଗାର,ଗୁଡିଏ ସରଞ୍ଜାମ, ବିସ୍ତୃତ ଯନ୍ତ୍ରପାତି ଜୀବନ୍ତ ରୂପ ଗ୍ରହଣ କରେ : ଏଇ ଦୃଶ୍ୟଗୁଡିକ ହୁଏତ ଦର୍ଶକର ମନୋଯୋଗ ଆଉ ଆଗ୍ରହକୁ କିଛି ସମୟ ବାନ୍ଧି ରଖିପାରିବ।

ଏବଂ ସେହି ଅନିଶ୍ଚୟତାର ମୁହୂର୍ତ୍ତଗୁଡିକ- ଯାହାର ପ୍ରାୟୋଗିକ ପରୀକ୍ଷା-ନିରୀକ୍ଷା ସହସ୍ରବାର ପରିଚାଳିତ ହେଉଥିଲା ସାମାନ୍ୟ ପରିବର୍ତ୍ତନର ସହିତ କ’ଣ ସେଇ ଗବେଷଣାଗୁଡିକର ଶେଷରେ କେଉଁ ବାଞ୍ଛିତ ଫଳାଫଳ ଉପଲବ୍ଧ ହୋଇପାରେ ?- ପ୍ରାପ୍ତ ଫଳାଫଳ ଅନେକ ସମୟରେ ହୁଏତ କିଛି ପରିମାଣରେ ଅତିରଞ୍ଜିତ ଅଥବା ନାଟକୀୟ ହୋଇଥାଏ। ଚିତ୍ରଶିଳ୍ପୀଙ୍କୁ ନେଇ ନିର୍ମିତ ଚଳଚ୍ଚିତ୍ର ଅତ୍ୟନ୍ତ ଚିତ୍ତାକର୍ଷକ ହୋଇ ପାରିବ, ଯେହେତୁ ସେଥିରେ ସେମାନେ କୌଣସି ବିଖ୍ୟାତ ଚିତ୍ରକର୍ମର ପ୍ରସ୍ତୁତିର ବିବର୍ତ୍ତନମୂଳକ ପ୍ରତିଟି ପର୍ଯ୍ୟାୟକୁ ପୁନର୍ନିମାଣ କରିଥାନ୍ତି, ପେନସିଲ୍ ର ରେଖା ଡ୍ରଇଂ ଠାରୁ ଆରମ୍ଭ କରି ତୂଳୀର ଶେଷସ୍ପର୍ଶ ଯାଏଁ। ଏହାଛଡା ଚଳଚ୍ଚିତ୍ରରେ ବ୍ୟବହୃତ ସଂଗୀତର ଭିତର ଦେଇ ସୁରକାରର ଆବେଗ ଆପ୍ଳୁତ ହୋଇ ଉଠିଥାଏ : ସୁରର ପ୍ରଥମ ଅନ୍ତରାରେ ଯାହା ସୁରକାରର କାନରେ ବାଜେ ଶେଷପର୍ଯ୍ୟନ୍ତ ସେଇଟି ଐକ୍ୟତାନିକ ଅବସ୍ଥାର ପୂର୍ଣ୍ଣାଙ୍ଗ ସୁର ରୂପରେ ପ୍ରକାଶିତ ହୋଇଥାଏ । ଅବଶ୍ୟ ଏଇ ସବୁ ପୁରାପୁରି ସାଦାସିଧା ବୈଚିତ୍ର୍ୟ ଏକ ଅଦ୍ଭୁତ ମାନସିକ ଅବସ୍ଥାର ବ୍ୟାଖ୍ୟା କରେ ନାହିଁ, ଯେଉଁ ମାନସିକ ଅବସ୍ଥାକୁ ଆମେ ସରଳ ଭାଷାରେ ଅନୁପ୍ରେରଣା ବୋଲି କହିଥାଉ,କିନ୍ତୁ ଅନ୍ତତଃପକ୍ଷେ ଏଥିରେ କିଛି ଦେଖିବାର ଆଉ ଶୁଣିବାର ରହିଥାଏ।

କିନ୍ତୁ କବିର କାର୍ଯ୍ୟକୁ ଚିତ୍ରାୟଣ କରିବା ସବୁଠାରୁ ଅଧିକ କଷ୍ଟକର କାର୍ଯ୍ୟ। କାରଣ ସେମାନଙ୍କର କାମ ଆଶାହତଭାବରେ ଅଣଚିତ୍ରରୂପକ। ଜଣେ କିଏ ଟେବୁଲରେ ଯାଇ ବସେ ଅଥବା ସୋଫାରେ ଶୋଇ ନିଶ୍ଚଳ ଭାବରେ କାନ୍ଥକୁ ଅବା କଡିବର୍ଗାକୁ ଚାହିଁ ରହେ। କଦବା କେମିତି ଏଇ ଲୋକଟା ଛଅ ସାତ ଧାଡି ଗାରେଇ ପକାଏ, ପନ୍ଦର ମିନିଟ ପାର ପରେ ଗୋଟିଏ,ଆଉ ତାହାପରେ ଆଉ ଗୋଟିଏ ଘଣ୍ଟା ବିତିଯିବ,ତାହାରି ଭିତରେ କିଛି ଘଟେ ନାହିଁ …। କିଏ ଏଇ ଭଳି କଥାକୁ ଦେଖିବା ପାଇଁ ଅଟକି ରହିଥିବ ଯେ ?

ମୁଁ ଅନୁପ୍ରେରଣା ର କଥାକୁ ଆଗରୁ ଉଲ୍ଲେଖ କରିଛି। ସମସାମୟିକ କବିମାନେ ଏହା କ’ଣ ଆଉ ସତରେ ଏପରି କିଛି କ’ଣ ଅଛି ବୋଲି ପଚରାଗଲେ ସେମାନେ ଏହାର ସବୁବେଳେ ଏକ ଛଳନାତ୍ମକ ଉତ୍ତର ଦେଇଥାନ୍ତି। ଏହା ଏପରି ନୁହଁ ଯେ ସେମାନେ କେବେହେଲେ ଏହି ଅନ୍ତରୀଣ ପ୍ରବୃତ୍ତିର ଆଶୀର୍ବାଦକୁ କେବେହେଲେ ଜାଣି ନାହାଁନ୍ତି । ଏହା ଏହିପରି, ଆଉ କାହା ଆଗରେ କିଛି ବଖାଣ କରି କହିବା ଜମା ସହଜ ନୁହଁ ଯେତେବେଳେ ଅସଲରେ ତମେ ବିଷୟଟି କ’ଣ ତାହା ବୁଝିନାହଁ।

ମୋତେ ଯେତେବେଳେ କୌଣସି ଏକ ଉପଲକ୍ଷରେ ଅନୁପ୍ରେରଣା ପ୍ରସଙ୍ଗରେ କିଛି ପ୍ରଶ୍ନ ପଚରାଯାଉଥିଲା ,ମୁଁ ବି ସିଧାସଳଖ କିଛି କହୁନଥିଲି। ମାତ୍ର ମୋର ଉତ୍ତରଟି ଏଇପରି : ଅନୁପ୍ରେରଣା କବିର କି ଚିତ୍ରଶିଳ୍ପୀର ବିଶେଷାଧୀକାର ନୁହଁ। ଗୋଟିଏ ବିଶେଷ ଜନଗୋଷ୍ଠୀ ସବୁସମୟରେ ଥିଲା, ରହିଛି ଆଉ ରହିବ ଯାହାର ଅନୁପ୍ରେରଣା ହିଁ ଯଥାର୍ଥ। ଅନୁପ୍ରେରଣା ସେଇ ସମସ୍ତଙ୍କର ନିହାତି ପ୍ରୟୋଜନ ର ପଦାର୍ଥ ,ଯେଉଁମାନେ ସଚେତନ ଭାବରେ ନିଜ ନିଜର କାର୍ଯ୍ୟକୁ ବାଛି ନେଇଛନ୍ତି ଏବଂ କଳ୍ପନା ଆଉ ପ୍ରେମ ଦେଇ ସେଇ କାର୍ଯ୍ୟସବୁକୁ ସଂପାଦନ କରିଚାଲିଛନ୍ତି। ଏହାରି ଭିତରେ ଅନ୍ତର୍ଭୂକ୍ତ ଅଛନ୍ତି ଚିକିତ୍ସକ, ଶିକ୍ଷକ ଏବଂ ଉଦ୍ୟାନପାଳକ- ଏଇଠି ମୁଁ ଆହୁରି ଶତାଧିକ ବୃତ୍ତିର କଥାକୁ ଉଲ୍ଲେଖ କରି ପାରିବି। ସେମାନଙ୍କର କାର୍ଯ୍ୟ ସେମାନଙ୍କର ନିଜର ନିକଟରେ ପାଲଟିଯାଏ ଏକ ଚଳଚଞ୍ଚଳ ରୋମାଞ୍ଚକର କାର୍ଯ୍ୟ , ଯେଉଁ ସମୟ ଯାଏଁ ସେମାନେ ଏହାର ଭିତରୁ କୌଣସି ନୂତନ ରୋମାଞ୍ଚକର ଆବିଷ୍କାରକୁ ଖୋଜି ନ ପାଇଛନ୍ତି। ଅସୁବିଧା ଏବଂ ବିପତ୍ତି କେବେହେଲେ ସେମାନଙ୍କର ଭିତରେ ସଂଗୁପ୍ତ ଥିବା ଏପରି କୌତୁହଳକୁ ଦମନ କରି ପାରିବ ନାହିଁ। ସେମାନେ ସମାଧାନ କରି ଚାଲିଥିବା ପ୍ରତିଟି ସମସ୍ୟାର ଭିତରୁ ପରସ୍ତ ପରେ ପରସ୍ତ ପ୍ରଶ୍ନ ସୃଷ୍ଟି ହେଉଥାଏ। ଅନୁପ୍ରେରଣା ଯାହା ହେଉନା କାହିଁକି, ଗୋଟିଏ ନିରନ୍ତରତାରୁ ତାହାର ଜନ୍ମ,ସେଇ ନିରନ୍ତରତା ହେଉଛି “ମୁଁ କିଛି ଜାଣିନି” ।

Wisława Szymborska (1923–2012) was a renowned Polish poet, essayist, and translator who was awarded the 1996 Nobel Prize in Literature.

ଏଇ ଧରଣର ମଣିଷ ପୃଥିବୀରେ ଆଉ ବେଶି ନାହାଁନ୍ତି। ପୃଥିବୀର ବେଶି ଭାଗ ମଣିଷ କୌଣସି ନା କୌଣସି ପ୍ରୟୋଜନର ଉଦ୍ଦେଶ୍ୟକୁ ସାର୍ଥକ କରିବା ଭଳି କାର୍ଯ୍ୟ କରିଥାନ୍ତି। ସେମାନଙ୍କୁ କାର୍ଯ୍ୟ କରିବାକୁ ପଡିଥାଏ ବୋଲି ସେମାନେ କାର୍ଯ୍ୟ କରିଥାନ୍ତି। ସେମାନେ ସେମାନଙ୍କର କାର୍ଯ୍ୟଟି ଅସଲରେ ସେମାନଙ୍କର ପସନ୍ଦମାଫିକ୍ କି ନୁହଁ ସେଇ କଥାକୁ ବାଛି ପାରିବାକୁ ସାଧାରଣତଃ ଅସମର୍ଥ ସେମାନେ। ସେମାନଙ୍କର ପାରିପାର୍ଶ୍ୱିକ ଅବସ୍ଥା ସେମାନଙ୍କର ଜୀବିକାକୁ ନିର୍ଦ୍ଧାରଣ କରି ଥାଏ। ପ୍ରେମହୀନ କାର୍ଯ୍ୟ, ଅବସାଦ ଭରା କାର୍ଯ୍ୟ,କାର୍ଯ୍ୟଟି ମୂଲ୍ୟବାନ ଏଇଥିପାଇଁ ଯେ ଅନ୍ୟମାନଙ୍କୁ ସେତିକି ଜାର୍ଯ୍ୟ ବି ମିଳିପାରୁନାହିଁ -ଏହି ସବୁ ହେଉଛି ମଣିଷର ଦୈନତାର କଠୋରତମ ଅବସ୍ଥାନ। ଏବଂ ଯଦି ଏହିପରି ସବୁ ଜାରି ରହେ ତେବେ ଆସନ୍ନ ଶତାବ୍ଦୀରେ ବିଶେଷ କିଛି ପରିବର୍ତ୍ତନ ହେବାର କୌଣସି ସଂକେତର ସମ୍ଭାବନା ନାହିଁ ।

ଏବଂ ତେଣୁ, ଯଦିଓ ମୁଁ କବିମାନଙ୍କର ଅନୁପ୍ରେରଣାର ଏକଚାଟିଆ କଥାକୁ ଅସ୍ୱୀକାର କରୁଛି, ମୁଁ ତଥାପି ସେମାନଙ୍କୁ ସ୍ଥାନ ଦେଇଛି ମୋର ନିର୍ବାଚିତ ସୌଭାଗ୍ୟବାନ ପ୍ରିୟତମମାନଙ୍କ ଦଳରେ ।

ଠିକ୍ ଏଇ ପ୍ରସଙ୍ଗରେ,ହୁଏତ ମୋର ଶ୍ରୋତାମାନଙ୍କ ମନରେ କିଛି ସନ୍ଦେହର ଉଦୟ ହୋଇ ପାରେ। ସକଳ ପ୍ରକାର ଅତ୍ୟାଚାରୀ,ସ୍ୱୈରାଚାରୀ ଏକନାୟକବାଦୀ ଶାସକ,ଧର୍ମାନ୍ଧ ଏବଂ କ୍ଷମତାର ନିମିତ୍ତ ଲାଳାୟିତ ସଂଗ୍ରାମୀ ଜନନେତା କଥା ପ୍ରସଙ୍ଗରେ ଉଚ୍ଚଗଳାରେ ସ୍ଲୋଗାନ ଦେଇଥିବା ସହିତ ନିଜ ନିଜର ପେଶାକୁ ବି ଉପଭୋଗ କରୁଥାନ୍ତି,ଏବଂ ନିଜର କାର୍ଯ୍ୟକୁ ସଂପାଦନ କରିବା ସମୟରେ ସେମାନଙ୍କ ଭିତରେ ଭରପୁର ଥାଏ ସୃଜନଶୀଳ ଉଦ୍ଭାବନୀ ଶକ୍ତିର ଉତ୍ସାହ। ବେଶ୍, ହଁ,; ସେମାନେ “ଜାଣନ୍ତି” ,ଏବଂ ସେମାନେ ଯାହା ଜାଣନ୍ତି ତାହା ସେମାନଙ୍କର ପ୍ରଥମ ଆଉ ଶେଷ ଥର ପାଇଁ ଯଥେଷ୍ଟ। ସେମାନେ ଆଉ ଅନ୍ୟ କିଛି ବିଷୟରେ ଅଧିକ କିଛିକୁ ଖୋଜି ବାହାର କରିବାପାଇଁ ଚାହାନ୍ତି ନାହିଁ , କାରଣ ଯେହେତୁ ଏହାଫଳରେ ସେମାନଙ୍କର ଯୁକ୍ତି ତର୍କ ଆଦିର ପ୍ରଭାବୀ କ୍ଷମତାରେ ହୁଏତ ବିଚ୍ୟୁତି ଦେଖା ଦେଇପାରେ।
ମାତ୍ର ଯେଉଁ ଜ୍ଞାନ କୌଣସି ନୂତନ ପ୍ରଶ୍ନର ଜନ୍ମ ଦେଉ ନାହିଁ ସେଇ ଜ୍ଞାନ ଖୁବ୍ ଦ୍ରୁତଗତିରେ ହିଁ ମରଣ ମୁହଁରେ ପଡିଥାଏ : ଏକ ଚୌକସ ଜୀବନର ଚାହିଦା ଅନୁଯାୟୀ ତାପମାତ୍ରାକୁ ଧରି ରଖିବା ଏହାର ପକ୍ଷରେ ସମ୍ଭବ ନୁହଁ। ସବୁଠାରୁ ଜଟିଳ ପରିସ୍ଥିତିରେ,ପ୍ରାଚୀନ ଏବଂ ଆଧୁନିକ ଇତିହାସରୁ ଯାହା ଉପଲବ୍ଧ,ଏହା ସମାଜ ପାଇଁ ଏକ ମାରାତ୍ମକ ସଂତ୍ରାସ।

ସେଇଥି ପାଇଁ ମୁଁ ଏଇ ଛୋଟିଆ ପ୍ରବାଦ “ମୁଁ ଜାଣି ନାହିଁ” କୁ ଖୁବ୍ ସମ୍ମାନ କରେ। ଏଇଟି ଗୋଟିଏ ଖୁବ୍ ଛୋଟ ପ୍ରବାଦ,ମାତ୍ର ଏହା ସବୁବେଳେ ସଶକ୍ତ ଡେଣାରେ ସବାର ଥାଏ। ଏଇ ବାକ୍ୟଟି ଆମମାନଙ୍କ ଜୀବନକୁ ବିପୁଳ କରେ,ଏପରି ବିଶାଳ କରିଥାଏ ଯେ ଆମର ଭିତରର ଶୂନ୍ୟତା ଏବଂ ବାହାରର ଜାଗତିକ ବିସ୍ତାର ଯାହାର ଉପରେ ଝୁଲନ୍ତ ରହିଛି ଆମର ଏଇ ଜଗତ,ସେଇ ସବୁ କୁ ସେଇ ବିପୁଳତା ଅତି ସହଜରେ ସମାହିତ କରିଦେଇ ଥାଏ। ଯଦିଓ ଆଇଜାକ ନିଉଟନ କେବେହେଲେ ନିଜେ ଆପଣାକୁ କହନ୍ତି ନାହି,” ମୁଁ ଜାଣିନାହିଁ”, ଯେଉଁ ଆପେଲ୍ ଟି ତାଙ୍କର ଛୋଟ ବଗିଚାରେ ମାଟିର ଉପରେ ଉପରୁ ବରଫ ଭଳି ଖସି ପଡିଥିଲା ,ସେ ହୁଏତ ସେଇ ଆପେଲ୍ ଟିକୁ ଟିକିଏ ନଇଁ ପଡି ତଳୁ ଉପରକୁ ଉଠାଇ ନେଇପାରିଥାନ୍ତେ ଏବଂ ସାଙ୍ଗେ ସାଙ୍ଗେ ସେଇଟିକୁ ତୃପ୍ତିର ସହିତ ଖାଇ ପାରିଥାନ୍ତେ । ସେ କିନ୍ତୁ ତାହା କରି ନାହାଁନ୍ତି। ଆମ ଦେଶର ମେରି ସ୍ଲୋଜୋଦାଉସ୍କା-କ୍ୟୁରୀ (୧୯୦୩ ସାଲ ରେ ପିଜିକ୍ସରେ ଏବଂ ୧୯୧୧ ସାଲରେ କେମିଷ୍ଟ୍ରିରେ ନୋବେଲ ପୁରସ୍କାର ବିଜୟୀ) ସେ କେବେହେଲେ ନିଜକୁ କହିନାହାଁନ୍ତି,”ମୁଁ ଜାଣିନାହିଁ”, ସେ ସମ୍ଭବତଃ ନିଡକୁ ସାଉଣ୍ଟି ନେଇଛନ୍ତି କୌଣସି ବେସରକାରୀ ଉଚ୍ଚ ବିଦ୍ୟାଳୟରେ ଚାକିରୀ ଗ୍ରହଣ କରି ଭଲ ପରିବାରରୁ ଆସିଥିବା ତରୁଣୀମାନଙ୍କୁ ରସାୟନ ବିଦ୍ୟାର ଶିକ୍ଷାଦାନର ଭିତରେ ଅଥବା ଅନ୍ୟ କୌଣସି ସମ୍ମାନଜନକ ଚାକିରୀରେ ନିଜକୁ ନିୟୋଜିତ କରି ସେ ନିଜର ଜୀବନକୁ ବିତାଇ ପାରିଥାନ୍ତେ, ସେ କିନ୍ତୁ ତାହା କରିନାହାଁନ୍ତି। ସେ କ୍ରମାଗତ ଭାବରେ କହିଚାଲିଥିଲେ “ମୁଁ ଜାଣି ନାହିଁ” ଏବଂ ଏଇ ବାକ୍ୟଟି ହିଁ ତା’ଙ୍କୁ କେବଳ ଥରଟିଏ ନୁହଁ ବରଂ ଦୁଇ ଦୁଇ ଥର ଷ୍ଟକହୋମ୍ କୁ ଟାଣି ନେଇ ଯାଇଥିଲା,ଉଦ୍ଦେଶ୍ୟ ଦୁଇଥର ନୋବେଲ ପୁରସ୍କାରର ସେ ପ୍ରାପିକା ।

କବିଗଣ, ଯଦି ସେମାନେ ପ୍ରକୃତରେ କବି ହୋଇଥାଆନ୍ତି,ତାହେଲେ ସେମାନେ ଥରକୁ ଥର ପୁନରାବୃତ୍ତି କହୁଥିବେ “ମୁଁ ଜାଣି ନାହିଁ”। ଯେଉଁ ପର୍ଯ୍ୟନ୍ତ ତାହାର ସମାପ୍ତ ବାକ୍ୟଟି ଲେଖା ହୋଇନାହିଁ କବିର ପ୍ରତିଟି କବିତା ଏଇ ଭଳି ଖୋଟିଏ ବାକ୍ୟର ଉତ୍ତର ଦେବାକୁ ଚେଷ୍ଟା କରୁଥାଏ । କବି ତାହାର ଲେଖା ଦ୍ୱିଧାଦ୍ୱନ୍ଦ୍ୱର ଭିତର ଦେଇ ଆରମ୍ଭ କରିଥାଏ,ବୁଝିବାକୁ ଚେଷ୍ଟା କରୁଥାଏ ସେଇ ପ୍ରକୃତ ଉତ୍ତରର, ଯେଉଁ ଉତ୍ତରଟି ଥିଲା ସଂପୂର୍ଣ୍ଣ ଅସ୍ଥାୟୀ କବି ସେଇ ଉତ୍ତରଟିକୁ ପୁରାପୁରିଭାବରେ ସ୍ଥାୟୀ ଉତ୍ତରରେ ପରିଣତ କରିବା ପାଇଁ ଚେଷ୍ଟାରତ ଥାଏ। ତେଣୁ କବି ମାନେ କେବଳ ପ୍ରଚେଷ୍ଟା କରି ଚାଲିଥାଆନ୍ତି। କବିମାନଙ୍କର ନିଜସ୍ୱ ଏଇ ପ୍ରଚେଷ୍ଟା ଆଉ ଅସନ୍ତୁଷ୍ଟିର ଫଳାଫଳକୁ ସାହିତ୍ୟର ଇତିହାସବିତ୍ ମାନେ ଗୋଟିଏ ବିରାଟ କ୍ଲିପ୍ ରେ ଏକାଠି ଗୁନ୍ଥି ଦିଅନ୍ତି ଆଉ ତାହାର ନାମ କରଣ କରିଥାନ୍ତି ସେମାନଙ୍କ “ସାହିତ୍ୟ ସମ୍ଭାର”…।

ମୁଁ ମଝିରେ ମଝିରେ ଏପରି କିଛି ପରିସ୍ଥିତିର ସ୍ୱପ୍ନ ଦେଖେ ଯାହା କେବେବି ସମ୍ଭବ ହେବାର ନାହିଁ । ଦୁଃସାହସିକ ଭାବରେ ମୁଁ କଳ୍ପନା କରେ, ଉଦାହାରଣ ସ୍ୱରୂପ,ମୁଁ ଜଣେ ଧର୍ମବିତ୍ ଙ୍କ ସାଙ୍ଗରେ ଆଡ୍ଡା ମାରିବାର ସୁଯୋଗ ପାଇଛି,ସମଗ୍ର ମାନବର ଶ୍ରମଜନୀତ ଅହଙ୍କାରର କରୁଣ ବିଳାପର ଲେଖକ ସେ। ସମ୍ମାନର ସହ ମୁଁ ତାଙ୍କର ସାମ୍ନାରେ ମଥାନତ କରେ,କାରଣ ସର୍ବୋପରି ସେ ଜଣେ ଅନ୍ୟତମ ବିଖ୍ୟାତ କବି, ଅନ୍ତତଃ ମୋ ନିକଟରେ। ଖାସ୍ ସେଇଥିପାଇଁ ମୁଁ ତାଙ୍କର ହାତକୁ ଧରି ନେଇଥିଲି। “ଏଇ ସୂର୍ଯ୍ୟର ତଳେ କିଛି ହିଁ ନୂତନ ନୁହଁ” : ଧର୍ମବିତ୍, ଏପରି ଲେଖା ଆପଣ ଲେଖିଛନ୍ତି । କିନ୍ତୁ ଏଇ ସୂର୍ଯ୍ୟର ତଳେ ଆପଣ ନିଜେ ଦିନେ ନୂତନ ଭାବରେ ଜନ୍ମ ନେଇଥିଲେ ଏବଂ ଯେଉଁ କବିତା ଆପଣ ସୃଜନ କରିଥିଲେ ସେଇଟି ବି କିନ୍ତୁ ଏଇ ସୂର୍ଯ୍ୟର ତଳେ ନୂତନ ହିଁ ଥିଲା, କାରଣ ଏଇ କବିତାଟି ଆପଣଙ୍କ ଆଗରୁ ଆଉ କେହି ଲେଖିନାହିଁ। ଏବଂ ଆପଣଙ୍କର ସମସ୍ତ ପାଠକ ବି ଏଇ ସୂର୍ଯ୍ୟର ତଳେ ନୂତନ ,କାରଣ ଏଠାରେ ଯେଉଁମାନେ ଆପଣଙ୍କ ଆଗରୁ ଜୀବନଯାପନ କରୁଥିଲେ,କବିତା ପଢୁଥିଲେ,ସେମାନେ କେବେହେଲେ ଆପଣଙ୍କ କବିତାକୁ ପଢିନାହାଁନ୍ତି। ଏବଂ ଯେଉଁ ଦେବଦାରୁ ଗଛର ତଳେ ଆପଣ ବସିଛନ୍ତି ସେଇ ଗଛଟି ଗୋଟିଏ ଦିନରେ ବି ବଡ ହୋଇଯାଇନି। ଆପଣଙ୍କ ଦେବଦାରୁ ଗଛଟି ବି ଅନ୍ୟ ସମସ୍ତ ଦେବଦାରୁ ଗଛ ଭଳି ହିଁ ହୋଇଛି,କିନ୍ତୁ ଅବିକଳ ଏକା ରକମର ନୁହଁ। ଧର୍ମବିତ୍ , ମୁଁ ଆପଣଙ୍କୁ ଜିଜ୍ଞାଷା କରିବାକୁ ଚାହେଁ , ଏଇ ସୂର୍ଯ୍ୟର ତଳେ ଏଇଲେ ଆପଣ ନୂତନ କେଉଁ ବିଷୟକୁ ନେଇ କାର୍ଯ୍ୟ କରିବାର ପରିକଳ୍ପନା କରୁଛନ୍ତି ? ଆପଣଙ୍କର ବିକଳ୍ପ ଚିନ୍ତା କୁ ଆପଣ କ’ଣ ଇତି ମଧ୍ୟରେ ପ୍ରକାଶ କରିଛନ୍ତି ? ଅଥବା ସେଇ ସମସ୍ତ ବିଗତ ଚିନ୍ତାର ମଧ୍ୟରୁ କେଉଁଗୁଡିକ ସହିତ ଆପଣ ଏଇଲେ ବିରୋଧିତା କରିବାକୁ ଆଗେଇ ଆସୁଛନ୍ତି ? ଆପଣ କ’ଣ ଆପଣଙ୍କର ଆଗେକାର କାର୍ଯ୍ୟଗୁଡିକ ଭିତରେ ଆନନ୍ଦ ଖୋଜି ପାଉଛନ୍ତି ? ଯଦି ତାହା ହୁଏ ,ତାହେଲେ ଏଇଟା କ’ଣ କ୍ଷଣସ୍ଥାୟୀ ? ଫଳରେ ଆପଣ ନୂତନ ଜଣେ ମଣିଷ ଏବଂ ଆପଣଙ୍କର ନୂତନ କବିତା ଆନନ୍ଦର,ନୂତନ ଏକ ସୂର୍ଯ୍ୟର ତଳେ ? ଆପଣ କ’ଣ କୌଣସି ସଂକ୍ଷିପ୍ତ ବିବରଣୀ ଲେଖିଥିଲେ,ଆପଣଙ୍କ ପାଖରେ କୌଣସି ଖସଡା ଲେଖା ରହିଛି କି ? ମୁଁ ସନ୍ଦେହ କରୁଛି ଯେ,ଆପଣ ଏହାପରେ କହିବେ “ମୁଁ ସବୁକିଛି ଲେଖି ରଖିଛି,ମୋର ଆଉ ନୂଆ କରି କିଛି ଲେଖିବାର ପ୍ରୟୋଜନ ନାହିଁ । କିନ୍ତୁ ଏଇ ପୃଥିବୀରେ ଏପରି କୌଣସି କବି ନାହିଁ ଯେ,ଯିଏ ଏଇଭଳି କଥା କହି ପାରିବ “। ପୃଥିବୀରେ ସେମିତି କୌଣସି କବି ନାହାଁନ୍ତି ଯିଏ ଏଇଭଳି କହିବ,ଆପଣଙ୍କ ଭଳି ଜଣେ ବିଖ୍ୟାତ କବି ତ ଆଦୌ ଏପରି କହିବ ନାହିଁ।

ଏଇ ବିଶ୍ୱରେ, ଆମେମାନେ ଯାହା ଭାବୁନା କାହିଁକି, ଆମେମାନେ ଏହାର ବିଶାଳତ୍ୱ ଏବଂ ଆମର ନିଜସ୍ୱ ପାରିବାରପଣକୁ ନେଇ ଯଥେଷ୍ଟ ଆତଙ୍କିତ ଅଥବା ଯେତେବେଳେ ବ୍ୟକ୍ତିଗତ ଯନ୍ତ୍ରଣା, ତାହା ମଣିଷର ହେଉ କି ପଶୁର କି ଗଛବୃଛର ହେଉ ତାହା ପ୍ରତି ଏହାର ଉଦାସୀନତାର କାରଣରୁ ଆମର ସଂପର୍କ ତିକ୍ତ ହୋଇଯାଉଛି (କାହିଁକି କେଜାଣି ଆମେ ଏତେ ନିଶ୍ଚିତ ଯେ ଗଛବୃଛ ମାନେ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ ?); ଆମେମାନେ ଏହାର ବିସ୍ତୃତିକୁ ନେଇ ଯାହା ଯାହା ଚିନ୍ତା କରୁନା କାହିଁକି, ଗ୍ରହମାନଙ୍କ ଦ୍ୱାରା ପରିବେଷ୍ଟିତ ନକ୍ଷତ୍ରର ରଶ୍ମୀ, ଆମେ ଏବେ ଆବିଷ୍କାର କରିବାକୁ ଯାଉଛୁ , ଗ୍ରହଗୁଡିକ କ’ଣ ଇତି ମଧ୍ୟରେ ମରି ଗଲେଣି ? ଏବେ ବି କ’ଣ ମୃତ ? ଆମେମାନେ କିଛି ହିଁ ଜାଣୁନା; ଆମେମାନେ ଏହି ଅସୀମ ରଙ୍ଗମଞ୍ଚକୁ ନେଇ ଯାହା କିଛି ଭାବୁନା କାହିଁକି,ସେଇଥି ପାଇଁ ଆମକୁ ସଂରକ୍ଷିତ ଥିବା ଟିକେଟ୍ ମିଳିଛି ,ହେଲେ ଏଇ ଟିକେଟ୍ ର ସମୟଅବଧି ହାସ୍ୟକର ଭାବରେ ସଂକ୍ଷିପ୍ତ,ଦୁଇଟି ମନମୁଖୀ ଦିନର ଭିତରେ ତାହା ସଂକୁଚିତ; ଏହା ବ୍ୟତୀତ ଏଇ ପୃଥିବୀ ସଂପର୍କରେ ଆମେ ଆଉ ଯାହା ଭାବୁଛୁ -ଏହା ଏକ ବିସ୍ମୟ।

କିନ୍ତୁ “ବିସ୍ମୟ” ହେଉଛି ଏପରି ଏକ ବିଶେଷଣ ଯାହା ଯୁକ୍ତିର ଫାଶକୁ ଆଢୁଆଳ କରି ଦେଇ ଥାଏ। ସେଯାହା ହେଉ ମୋଟାମୋଟି ଭାବରେ କହିଲେ ଆମେ ବିସ୍ମୟରେ ରହିଥାଉ, ସେଇ ସମସ୍ତ ବିଷୟ ଦ୍ୱାରା ଯାହା କିଛି ଅତି ପ୍ରସିଦ୍ଧ ଆଉ ସମଗ୍ର ବିଶ୍ୱସ୍ୱୀକୃତ ଧାରଣାଠାରୁ ଭିନ୍ନ, ଗୋଟିଏ ପ୍ରାଞ୍ଜଳ ସ୍ପଷ୍ଟତା ଯାହା ସହିତ ଆମେ ବଢିଆସିଛେ ତାହାଠାରୁ ଅଲଗା। ହେଲେ କଥାଟି ହେଉଛି , ସୁସ୍ପଷ୍ଟ ପୃଥିବୀ ବୋଲି ଏପରି କିଛି ନାହିଁ। ଆମର ସମସ୍ତ ବିସ୍ମୟ ଆପେ ଆପେ ତିଷ୍ଠି ରହିଥାଏ, ଏବଂ ଅଲଗା ଆଉ କାହା ସହିତ ତୁଳନା କରିବା ଭଳି ଏହାର ଆଧାର ନୁହଁ ।

ଠିକ୍ ଅଛି, ନିତିଦିନିଆ କଥାବାର୍ତ୍ତାରେ,ଯେଉଁଠି ଆମେ ପ୍ରତିଟି ଶବ୍ଦର ବିଚାରଯୋଗ୍ୟତା ପାଇଁ ଅଟକି ରହିଯାଉନା,ଆମେ ଏପରି ସବୁ ବାକ୍ୟାଂଶକୁ ବ୍ୟବହାର କରିଥାଉ ଯେମିତି କି ” ସାଧାରଣ ପୃଥିବୀ”, “ସାଧାରଣ ଜୀବନ”, “ସାଧାରଣ ଘଟଣାବଳୀ”। ମାତ୍ର କବିତାର ଭାଷାରେ,ଯେଉଁଠି ପ୍ରତିଟି ଶବ୍ଦ ମାପଚୁପ, ସାଧାରଣତଃ କି ସ୍ୱାଭାବିକ ବୋଲି କିଛି ନୁହଁ। ଖଣ୍ଡିଏ ପଥର କି ଖଣ୍ଡେ ବାଦଲ ନୁହଁ।
ଗୋଟିଏ ଠିକଣା ଦିନ କି ଏହାପରର ଗୋଟିଏ ରାତି ନୁହଁ। ଏବଂ ସର୍ବୋପରି,ଗୋଟିଏ ସ୍ୱତନ୍ତ୍ର ସ୍ଥିତି ନୁହଁ,ପୃଥିବୀରେ ଆଉ କାହାର ସ୍ଥିତି ବି ନୁହଁ।

ଦେଖିଲେ ଲାଗୁଛି କବିଗଣ ତାହାର ଭିତରୁ ନିରନ୍ତର ସେମାନଙ୍କର କାର୍ଯ୍ୟକୁ ରୂପବନ୍ତ କରୁଥାନ୍ତି ସେମାନଙ୍କ ପାଇଁ।

ୱିସଲାୟା ସିମ୍ବୋରସ୍କା
୭ ଡିସେମ୍ବର,୧୯୯୬
ଷ୍ଟକହୋମ

°°°°°

ପ୍ରଖ୍ୟାତ ପୋଲିଶ କବି ୱିସଲାୟା ସିମ୍ବୋରସ୍କାଙ୍କର ଏଇଟି ହେଉଛି ୧୯୯୬ ମସିହାର ସାହିତ୍ୟରେ ନୋବେଲ ପୁରସ୍କାର ପ୍ରାପ୍ତି କାଳର ଭାଷଣ।ଏଥିରେ କବି ଓ କବିର ଜଗତକୁ ଅତ୍ୟନ୍ତ ସୂକ୍ଷ୍ମ ଆଉ ବିଚାରବନ୍ତ ଭାବରେ ଉପସ୍ଥାପନା କରାଯାଇଛି।

ସିମ୍ବୋରସ୍କାଙ୍କ ବକ୍ତବ୍ୟର ଏଇ ଅଂଶକୁ ଟିକିଏ ମନୋଯୋଗ ଦେଇ ପଢିବାକୁ ଅନୁରୋଧ। ଜଣେ ବୈଜ୍ଞାନିକ,ଜଣେ ଚିତ୍ରଶିଳ୍ପୀ ଆଉ ଜଣେ କବିର ଉପରେ ଯଦି ଚଳଚ୍ଚିତ୍ର ନିର୍ମାଣ କରାଯାଏ ତେବେ ସେଇ ଚଳଚ୍ଚିତ୍ରର ଅଧ୍ୟୟନରୁ ଯେଉଁ ପାର୍ଥକ୍ୟଟିକୁ ସେ ଆମ ଆଗର ରଖିଛନ୍ତି ସେଥିରୁ ଆମେ କବି ଓ କବିତାର ସ୍ୱରୂପକୁ ହୁଏତ ଟିକିଏ ଗମ୍ଭୀର ଭାବରେ ଦେଖିପାରିବା।

ଏହା ଛଡା ସେ କହିଥିବା ଆଉ ଦୁଇଟି କଥା ପ୍ରତି ଆପଣମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। “ବିସ୍ମୟ”କୁ ଯୁକ୍ତି ର ଫାଶରୁ ମୁକ୍ତ କରିଦେବା, ଏବଂ ପ୍ରଶ୍ନ ଉଜାଗର କରିପାରିବା ସହିତ “ମୁଁ କିଛି ଜାଣିନାହିଁ”ଭଳି ବାକ୍ୟାଂଶ ସହିତ ବିନମ୍ର ଯୁଦ୍ଧରତ ରହିବା ହେଉଛି କବିତାର ଅନ୍ତର୍ନିହିତ ସୌଷ୍ଟବ ବୋଲି ସେ କହିଛନ୍ତି।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *