ଗ୍ରୀକ୍ ପୁରାଣରେ ଅନେକ ରୋଚକ କାହାଣୀ ସବୁ ରହିଛି। ସେତେବେଳେ ସାଇପ୍ରସର ରାଜା ଥା’ନ୍ତି ସିନିରାସ୍। ଥରେ ତାଙ୍କ ସ୍ତ୍ରୀ କହିଥିଲେ ଯେ ତାଙ୍କ ତରୁଣୀ ଝିଅ ମିରାହ୍ ଖୁବ୍ ସୁନ୍ଦରୀ। ଏମିତିକି ସେ ଗ୍ରୀକର ସୌନ୍ଦର୍ଯ୍ୟ, ପ୍ରେମ ଓ କାମନାର ଦେବୀ ଆଫ୍ରୋଡାଇଟଙ୍କ ଅପେକ୍ଷା ବି ଅଧିକ ସୁନ୍ଦର। ତାଙ୍କର ଏହି କଥାରେ ରାଗି ଦେବୀ ଆଫ୍ରୋଡାଇଟ ଅଭିଶାପ ଦେଇଥିଲେ। ଯାହା ଫଳରେ ମିରାହଙ୍କ ମନରେ ତାଙ୍କ ବାପା ସିନିରାସଙ୍କ ପାଇଁ ପ୍ରେମ ଓ ଆକର୍ଷଣ ଜାଗ୍ରତ ହୋଇଥିଲା। ଥରେ ତାଙ୍କ ମା’ଙ୍କ ଅନୁପସ୍ଥିତରେ, ମିରାହ୍ ଛଳନା କରି ନିଶାସକ୍ତ ସିନିରାସଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଯାଆନ୍ତି। ଯେତେବେଳେ ଏହି କଥା ପ୍ରଘଟ ହୁଏ, ସିନିରାସ୍ ରାଗରେ ମିରାହଙ୍କୁ ହତ୍ୟା କରିବା ପାଇଁ ଆଗେଇ ଆସିବା ବେଳେ ଦେବୀ ଆଫ୍ରୋଡାଇଟ, ମିରାହଙ୍କୁ ଗୋଟିଏ ମିର୍ ଗଛରେ ପରିଣତ କରି ଦିଅନ୍ତି। ତଥାପି ସିନିରାସଙ୍କ ରାଗ ଥମି ନଥାଏ। ସେ ସେଇ ମିର୍ ଗଛର ଗଣ୍ଡିକୁ ଗୋଟିଏ ତୀର କ୍ଷେପଣ କରନ୍ତି। ଏଥିରେ ଗଛର ଗଣ୍ଡିଟି ଦୁଇଫାଳ ହୋଇଯାଏ ଏବଂ ଶିଶୁ ପୁତ୍ର ଆଡୋନିସର ଜନ୍ମ ହୁଏ।
ଶିଶୁପୁତ୍ର ଆଡୋନିସର ସୌନ୍ଦର୍ଯ୍ୟରେ ମୋହିତ ହୋଇ ଦେବୀ ଆଫ୍ରୋଡାଇଟ୍ ତାକୁ ନିଜ କୋଳକୁ ଟେକି ନିଅନ୍ତି। ଏବଂ ତା’ର ଲାଳନପାଳନର ଦାୟିତ୍ୱ ମୃତ୍ୟୁଲୋକର ରାଣୀ ପର୍ସେଫୋନ୍ ଙ୍କୁ ଦିଅନ୍ତି। ଆଡୋନିସ୍ ଯେତେଯେତେ ବଡ ହୁଅନ୍ତି ତାଙ୍କ ବ୍ୟକ୍ତିତ୍ବ ଓ ଚେହେରା ସେତେ ଆକର୍ଷଣୀୟ ହେଉଥାଏ। ଗ୍ରୀକ୍ ପୁରାଣରେ ତାଙ୍କୁ ସବୁଠାରୁ ସୁଦୃଶ୍ୟ, ଆକର୍ଷଣୀୟ ଏବଂ ସୁଯୋଗ୍ୟ ଯୁବକ ଏବଂ ମୋର୍ଟାଲ୍ ହିସାବରେ ବର୍ଣ୍ଣନା କରା ଯାଇଛି। ସେ ଯୁବକ ହେଲା ବେଳକୁ, ତାଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ବରେ ଆକର୍ଷିତ ହୋଇ ଉଭୟ ଆଫ୍ରୋଡାଇଟ ଏବଂ ପର୍ସେଫୋନ୍ ତାଙ୍କ ପ୍ରେମରେ ପଡି ଯା’ନ୍ତି। ଏମିତିକି ପ୍ରେମ ଓ ମୋହରେ ଅନ୍ଧ ହୋଇ ପର୍ସେଫୋନ୍, ଆଡୋନିସଙ୍କୁ ଆଫ୍ରୋଡାଇଟଙ୍କୁ ଫେରାଇବାକୁ ରାଜି ହୁଅନ୍ତି ନାହିଁ। ଦୁଇ ଦେବୀଙ୍କ ମଧ୍ୟରେ ଭୀଷଣ ଯୁକ୍ତିତର୍କ ଏବଂ କଳି ଚାଲେ। ଏହି ଯୁକ୍ତିର ସମାପ୍ତି ପାଇଁ ଘଡଘଡି- ବିଜୁଳି ତଥା ଆକାଶର ଦେବତା ଏବଂ ପର୍ସେଫୋନଙ୍କ ବାପା ଜିଅସ୍ ପ୍ରକଟ ହୁଅନ୍ତି। ଆଫ୍ରୋଡାଇଟ୍ ଏବଂ ପର୍ସେଫୋନଙ୍କ କଳିର ମିମା°ସା ପାଇଁ ସେ ଫଇସଲା କରନ୍ତି ଯେ, “ବର୍ଷର ଚାରିମାସ – ଚାରିମାସ କରି ଆଡୋନିସ୍ ଦୁଇ ଜଣଙ୍କ ପାଖରେ ରହିବ ଏବଂ ବଳକା ଚାରିମାସ ତା’ ଇଚ୍ଛା ମୁତାବକ ଯାହା ପାଖରେ ରହିବ।” ଏହା ପରେ ଆଫ୍ରୋଡାଇଟ୍ ପାଇଁ ଆଡୋନିସର ପ୍ରେମ ଓ ଆକର୍ଷଣ ସ୍ପଷ୍ଟ ହୋଇଯାଇଥିଲା, ଯେତେବେଳେ ଶେଷ ଚାରିମାସ ମଧ୍ୟ ସେ ଦେବୀ ଆଫ୍ରୋଡାଇଟ୍ ସହ ରହିବା ପାଇଁ ମନସ୍ଥ କରନ୍ତି। ଏଥିରେ ପର୍ସେଫୋନ୍ ସହଜରେ ଚୁପ୍ ନରହି ପୁଣି ଆଫ୍ରୋଡାଇଟ୍ ସହ କଳି ତକରାଳ ଆରମ୍ଭ କରି ଦିଅନ୍ତି। ଏଥିର ଆଫ୍ରୋଡାଇଟ୍ ଏବଂ ପର୍ସେଫୋନର କଳିକୁ ସମ୍ପୂର୍ଣ୍ଣ ଭାବରେ ରୋକିବା ପାଇଁ ଜିଅସ୍, ଆଡୋନିସକୁ ଗୋଟିଏ ଲାଲ୍ ଫୁଲ ଯୁକ୍ତ ଗଛରେ ପରିଣତ କରିଦିଅନ୍ତି, ଯାହାକୁ ଆମେ “ହିବିସ୍-କସ୍” ବା “ଚାଇନା ରୋଜ୍” ବା “ମନ୍ଦାର ଫୁଲ” କହିଥାଉ।
ଆମ ହିନ୍ଦୁ ପୁରାଣ ଅନୁସାରେ ମନ୍ଦାର ଫୁଲ ଦେବୀ କାଳୀଙ୍କର, ଲାଲ୍ ଜିହ୍ବାର ପ୍ରତୀକ ଅଟେ। ସେଥିପାଇଁ ମହାଦେବଙ୍କୁ ଅର୍ପଣ କରା ଯାଉଥିବା ସମସ୍ତ ଫୁଲ ମଧ୍ୟରେ ଲାଲ୍ ମନ୍ଦାର ମଧ୍ୟ ତାଙ୍କର ଅତି ପ୍ରିୟ। ସେହିପରି ଭଗବାନ ଗଣେଶଙ୍କୁ ଲାଲ୍ କିମ୍ବା ଗୋଲାପୀ ମନ୍ଦାର ଅର୍ପଣ କରିବା ଦ୍ବାରା ଘରକୁ ସୁଖ, ସମୃଦ୍ଧି ଆସିବା ସହ ସମସ୍ତ ବିଘ୍ନ ବିନାଶ ହୁଏ ବୋଲି ବିଶ୍ୱାସ କରାଯାଏ। ଆମ ଦେଶରେ ପ୍ରାୟ ପ୍ରତ୍ୟେକ ଘରେ ବଗିଚାରେ ମନ୍ଦାର ଗଛ ଲାଗିଥାଏ, ବିଶେଷ କରି ପ୍ରତିଦିନ ଘରେ ପୂଜାରେ ଲାଗିବା ପାଇଁ। ପୂଜା ସମୟରେ ମନ୍ଦାର ଫୁଲ ଠାକୁରଙ୍କୁ ଅର୍ପଣ କରିବା ଦ୍ବାରା ଭଗବାନଙ୍କ ଅପାର କୃପା ଓ ସୌଭାଗ୍ୟ ପ୍ରାପ୍ତି ହୁଏ। ବିଶେଷ କରି ଲାଲ୍ ମନ୍ଦାରକୁ ମା’ ଆଦି ଶକ୍ତିଙ୍କ ସ୍ବରୂପ, ଐଶ୍ୱରୀୟ ପ୍ରେମ ଓ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ସମାନ ଭାବରେ ଇଜିପ୍ଟ ପୁରାଣରେ ମଧ୍ୟ ମନ୍ଦାର ଫୁଲକୁ ଆଦି ପ୍ରାଣଦାତ୍ରୀ ଦେବୀ ଆଇସିସ୍ ଙ୍କ ସ୍ବରୂପ ମାନନ୍ତି। ଏହା ବର୍ଷ ତମାମ୍ ଫୁଟୁଥିବା କାରଣରୁ ଚୀନ୍ ପୁରାଣରେ ଏହାକୁ ଜୀବନ ଚକ୍ରର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ଯାହା ଶିକ୍ଷା ଦିଏ ଯେ ଯେକୌଣସି ପରିସ୍ଥିତି ଏବଂ ହାନୀ ସତ୍ତ୍ୱେ ଜୀବନ ତା’ର ଗତି ଲଗାତାର ଜାରି ରଖେ। ହିନ୍ଦୁ ଏବଂ ବୌଦ୍ଧ ଧର୍ମରେ ଏହାକୁ ଈଶ୍ବରଙ୍କ ନିକଟରେ “ସମର୍ପଣ” ଭାବର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ପାଖୁଡାର ଉଜ୍ଜ୍ୱଳ ରଙ୍ଗ ଏବଂ ନରମ ସ୍ବଭାବ କାରଣରୁ, ପୂଜା ସମୟରେ ବ୍ୟବହାର ଦ୍ବାରା ଏହା ସକାରାତ୍ମକ ଉର୍ଜାକୁ ଆକର୍ଷଣ କରେ ବୋଲି ବିଶ୍ବାସ କରାଯାଏ।
କେବଳ ପୁରାଣ ନୁହେଁ, ପୃଥିବୀର ଅନେକ ଦେଶ ତଥା ଅଞ୍ଚଳର ପରମ୍ପରା ଓ ଚଳଣିରେ ମଧ୍ୟ ମନ୍ଦାର ଫୁଲକୁ ବେଶ୍ ମାନ୍ୟତା ମିଳିଛି। ହୈତିର ଏହା ଜାତୀୟ ଚିହ୍ନ ହୋଇଥିବା ବେଳେ ସୋଲୋମନ୍ ଆଇଲ୍ୟାଣ୍ଡ୍ ଏବଂ ନ୍ୟୁୟୁର ଏହା ଜାତୀୟ ଫୁଲ ଅଟେ। ଫିକା ଗୋଲାପୀ ରଙ୍ଗର ମନ୍ଦାର ଦକ୍ଷିଣ କୋରିଆ ଏବଂ ଗାଢ୍ ଲାଲ୍ ରଙ୍ଗର ମନ୍ଦାର ମାଲେସିଆର ଜାତୀୟ ଫୁଲ ଅଟନ୍ତି। ହଳଦିଆ ମନ୍ଦାର ହାଓ୍ବାଇ ରାଜ୍ୟର ଚିହ୍ନ ଅଟେ। ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ଦେଶ ଗୁଡିକରେ ମହିଳା ମାନେ ଲାଲ୍ ମନ୍ଦାର ଫୁଲ ଧାରଣ କରିବାର ବିଶେଷ ମହତ୍ତ୍ଵ ରହିଥାଏ। ବିବାହିତ ଏବଂ ପ୍ରେମିକ ଥିବା ମହିଳା ମାନେ ବାମ କାନ ଉପରକୁ ମନ୍ଦାର ଫୁଲ ଲଗାଉଥିବା ବେଳେ, ପ୍ରେମିକ ପ୍ରତୀକ୍ଷାରେ ଥିବା ମହିଳା ମାନେ ଡାହାଣ କାନ ଉପରକୁ ଏହା ଧାରଣ କରନ୍ତି। ଏସିଆ ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ଦେଶ ଗୁଡିକରୁ ଅନେକ ସ୍ଥାନରେ ଗୋଲାପୀ ମନ୍ଦାରକୁ ସୌନ୍ଦର୍ଯ୍ୟ ଓ ପ୍ରେମର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ଇଜିପ୍ଟରେ ଏହାକୁ ପବିତ୍ରତାର ପ୍ରତୀକ ଆଇବିସ୍ ପକ୍ଷୀ (ବଗ ପରି ଲମ୍ବା ଥଣ୍ଟ ଓ ଗୋଡ ଥିବା ପକ୍ଷୀ) ସହ ତୁଳନା କରାଯାଏ।
ପାରମ୍ପରିକ ଚିକିତ୍ସାରେ ମନ୍ଦାର ଫୁଲ ଏବଂ ଗଛର ବିଭିନ୍ନ ଅ°ଶକୁ ଉଚ୍ଚରକ୍ତଚାପ, ଯକୃତର ସମସ୍ୟା, କେଶର ସମସ୍ୟା ଓ ସୌନ୍ଦର୍ଯ୍ୟ ବୃଦ୍ଧି ତଥା କୋଷ୍ଠକାଠିନ୍ୟ ସମସ୍ୟା ପାଇଁ ବ୍ୟବହାର କରା ଯାଉଥିଲା। ତାଜା ମନ୍ଦାର ଫୁଲରେ କିଛି ମାତ୍ରାରେ ଶ୍ବେତସାର, କ୍ୟାଲସିୟମ୍, ମ୍ୟାଗନେସିୟମ୍, ପୋଟାସିୟମ୍, ଭିଟାମିନ୍ ସି ଓ ବି ରହିଥାଏ। ଯଦିଓ ଶୁଖିଲା ଫୁଲରେ ଏହି ଖାଦ୍ୟସାର ଗୁଣବତ୍ତା କମିଯାଏ ତଥାପି ଏଥିରେ ଥିବା ଆନ୍ଥୋସିଆନିନ୍ସ, ଫ୍ଲାଭୋନୋଏଡ୍ସ, ଫେନୋଲିକ୍ ଏସିଡ୍ ଓ ଅର୍ଗାନିକ୍ ଏସିଡ୍ ପରି ଆଣ୍ଟିଅକ୍ସିଡାଣ୍ଟସର ଲାଭ ନିଶ୍ଚିତ ମିଳିଥାଏ। ଶୁଖିଲା ମନ୍ଦାର ଫୁଲର ଚା’ ଅନେକ ବର୍ଷରୁ ଚାଇନା, ଥାଇଲାଣ୍ଡ ଏବଂ ଦକ୍ଷିଣ କୋରିଆ ଆଦି ଦେଶରେ ଖୁବ୍ ଲୋକପ୍ରିୟ। ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ମଲେସିଆରେ ସମ୍ପୂର୍ଣ୍ଣ ମନ୍ଦାର ଗଛକୁ ଯୌନରୋଗ, ଜ୍ବର ଏବଂ ଆଖି ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହାର କରା ଯାଉଥିଲା। ଚାଇନା, ଭାରତ, ଆରବ ଏବଂ ପର୍ତ୍ତୁଗାଲ୍ ଆଦିରେ କେଶକୁ କଳା ରଖିବା ପାଇଁ ମନ୍ଦାରଫୁଲ ଚା’ର ବହୁଳ ବ୍ୟବହାର ଥିଲା।
ମନ୍ଦାର ଫୁଲକୁ ଇଂରାଜୀରେ ହିବିସ୍-କସ୍ (hibiscus) କୁହାଯାଏ। ଏହି ଶବ୍ଦଟି ଗ୍ରୀକ୍ ଶବ୍ଦ ଇବିସ୍-କସ୍ (ibískos)ରୁ ଆସିଛି ବୋଲି ଅନୁମାନ କରାଯାଏ, ଯାହାର ଅର୍ଥ “ମାଲୟ” (mallow) ଅର୍ଥାତ ଛୋଟ ବୁଦାଳିଆ, ହାଲୁକା ରୁମରୁମିଆ ନାଡ ଯୁକ୍ତ ଗୋଲାପୀ ଏବଂ ବାଇଗଣୀ ରଙ୍ଗର ଫୁଲ ଗଛ। ପୁରାତନ କାଳରୁ ଏହି mallow ପୁଷ୍ପ ଶୁଦ୍ଧତା, ପବିତ୍ରତା, ଶାନ୍ତି ଓ ବୁଦ୍ଧିମତାର ପ୍ରତୀକ ଅଟେ। ଆହୁରି ମଧ୍ୟ ଏହା ଉତ୍ସାହ, ଆରୋଗ୍ୟ, ସ୍ଥିରତା ଏବଂ ପ୍ରେମକୁ ପ୍ରତିପାଦିତ କରେ। ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ମନ୍ଦାର ଫୁଲ ନାରୀଶକ୍ତି, ସୌନ୍ଦର୍ଯ୍ୟ, ଯୌବନ ଓ ପ୍ରେମର ପ୍ରତୀକ। ଲାଲ୍, ଧଳା, ଗୋଲାପୀ, ଉଜ୍ଜ୍ୱଳ ହଳଦିଆ, ବାଇଗଣୀ, ଚନ୍ଦନ ରଙ୍ଗ ଆଦି ବିଭିନ୍ନ ପ୍ରକାରର ମନ୍ଦାର ଦେଖା ଯାଏ ଏବଂ ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ପ୍ରତ୍ୟେକର ନିଜସ୍ୱ ଅର୍ଥ ରହିଛି। ଉଜ୍ଜ୍ୱଳ ଲାଲ୍ ରଙ୍ଗ ମନ୍ଦାର ପ୍ରେମ ଓ ଉତ୍ସାହର ପ୍ରତୀକ ହୋଇଥିବା ବେଳେ ଧଳା ମନ୍ଦାର ଶାନ୍ତି, ଶୁଦ୍ଧତା, ସୌନ୍ଦର୍ଯ୍ୟ ଓ ନାରୀଶକ୍ତିର ପ୍ରତୀକ ହୋଇଥାଏ। ହଳଦିଆ ମନ୍ଦାରକୁ ସୁଖ, ସମୃଦ୍ଧି, ସୌଭାଗ୍ୟ ସହ ଯୋଡା ଯିବା ବେଳେ ଗୋଲାପୀ ମନ୍ଦାର ବନ୍ଧୁତା, ଦୟା, ସ୍ନେହ, ସୌହାର୍ଦ୍ଦ୍ୟକୁ ଦର୍ଶାଏ। ଏବଂ ବାଇଗଣୀ ମନ୍ଦାର ଜ୍ଞାନ, ଶିକ୍ଷା ଉତ୍ତମ ବୁଦ୍ଧିମତା ଓ ଉନ୍ନତ ଚିନ୍ତାଧାରା ସହ ଜଡିତ।
ଭିକ୍ଟୋରିଆନ୍ ସମୟରେ କୌଣସି ବ୍ୟକ୍ତିଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱକୁ ଖୁବ୍ ସମ୍ମାନ ଓ ଆନ୍ତରିକତାର ସହ ପ୍ରଶଂସା କରିବାର ପ୍ରତୀକ ଆକାରରେ ମନ୍ଦାର ଫୁଲ ଉପହାର ଦିଆ ଯାଉଥିଲା। କୌଣସି ବ୍ୟକ୍ତିଙ୍କ ପାଇଁ ନିଜର ସ୍ନେହ ଓ ଆଦର ବ୍ୟକ୍ତ କରିବା ପାଇଁ ଲାଲ୍ ଓ ଗୋଲାପୀ ମନ୍ଦାରର ତୋଡା ସର୍ବୋତ୍ତମ। ସେହିପରି ମନୋମାଳିନ୍ୟ ପରେ ଶାନ୍ତି ପ୍ରତିଷ୍ଠା ଏବଂ କୌଣସି ସ୍ଥାନରେ ସମବେଦନା ଜଣାଇବା ପାଇଁ ଧଳା ମନ୍ଦାର ଉପହାର ଉତ୍ତମ ଅଟେ। କୌଣସି ବିଦ୍ୟାର୍ଥୀ କିମ୍ବା କମ୍ପିଟିଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରକୁ ବାଇଗଣୀ ରଙ୍ଗର ମନ୍ଦାର ଉପହାର ଦିଆଯାଏ। ଜଣେ ଚାହିଁଲେ ଫୁଲ ତୋଡା ନଦେଇ ମନ୍ଦାର ଗଛଟିଏ ମଧ୍ୟ ଉପହାର ଦେଇ ପାରେ।
ଘରକୁ ମନ୍ଦାର ଗଛ ଆଣିବା କିମ୍ବା ଉପହାର ଦେବାର ଅର୍ଥ ସକାରାତ୍ମକ ଉର୍ଜାକୁ ଆକୃଷ୍ଟ କରିବା ତଥା ସୁଖ ଏବଂ ସମୃଦ୍ଧି ଆଣିବା ବିଚାର କରାଯାଏ। ମାର୍ଚ୍ଚରୁ ଏପ୍ରିଲ ମଧ୍ୟରେ ମନ୍ଦାର ଗଛ ଲଗାଇବା କିମ୍ବା ଉପହାର ଦେବା ପାଇଁ ଉତ୍ତମ ସମୟ। ସବୁବେଳେ ମନ୍ଦାର ଗଛକୁ ଏମିତି ସ୍ଥାନରେ ରୋପଣ କରିବା କିମ୍ବା କୁଣ୍ଡରେ ରଖାଯିବା ଉଚିତ୍ ଯେଉଁଠି ଦିନରେ ପାଞ୍ଚରୁ ଛ’ ଘଣ୍ଟା ଖରା ପଡୁଥିବ। ମନ୍ଦାର ଫୁଲ ଗଛ ଯେ କେବଳ ଲଗାଇଥିବା ବ୍ୟକ୍ତି ପାଇଁ ଉପକାରୀ ତା’ ନୁହେଁ ବର° ପରିବେଶ ପାଇଁ ମଧ୍ୟ ଖୁବ୍ ଉପକାରୀ। କାରଣ ମନ୍ଦାର ଫୁଲ ପ୍ରଜାପତି, ଭଅଁର ଆଦିଙ୍କୁ ଆକୃଷ୍ଟ କରେ ଏବଂ ଏହାଦ୍ବାରା ପରାଗସଙ୍ଗମ ବା ପୋଲିନେସନରେ ସାହାଯ୍ୟ କରେ, ଯାହା ଗଛର ବ°ଶବୃଦ୍ଧିରେ ସାହାଯ୍ୟ କରି, ପରିବେଶ ସୁରକ୍ଷା କରିଥାଏ।