ପିସ୍ ଲିଲି

ଭୁବନେଶ୍ୱରର ଶାସ୍ତ୍ରୀ ନଗରରୁ ଯେଉଁ ରାସ୍ତା ଆସି ସଚିବାଳୟ ମାର୍ଗରେ ଯୋଡିହୁଏ,  ରେଡକ୍ରସ ଛକ ସିଧା, ଠିକ୍ ସେଇ ଯୋଡା ଜାଗାର ବାମ ପଟ କଣରେ ୨୦୦୩ ମସିହାରେ ଫେବୃଆରୀରୁ ଏପ୍ରିଲ ଭିତରେ ମୁଁ ପ୍ରଥମ ଥର ପାଇଁ ଏ ସୁନ୍ଦର ଧଳା ଫୁଲର ପସରା ଦେଖିଥିଲି। ପ୍ରଥମେ ତ ମୁଁ ଏ ଫୁଲକୁ ପତ୍ର ବୋଲି ହିଁ ଭାବିଥିଲି। ସେତେବେଳେ ରାସ୍ତା ଏତେ ଚଉଡା ନଥାଏ। ସିଙ୍ଗଲ ରୋଡ୍ ଆଉ ସେଇ ରାସ୍ତା ଧାରରେ ଉଠା ପରିବା ଦୋକାନ ସବୁ ସନ୍ଧ୍ୟାରେ ବସେ। ଦୁଇଟି ରାସ୍ତା ମିଶିଥିବା ସେହି ଜାଗାରେ ପିସ୍ ଲିଲିର ଗୋଟିଏ ବଡ ପ୍ୟାଚ୍ ଥାଏ। ରାସ୍ତା ଚଉଡା ଓ ସୌନ୍ଦର୍ଯ୍ୟୀକରଣ ସମୟରେ ସେଠୁ ସବୁ ହଟେଇ ଦିଆଗଲା। ଅନେକ ଦିନ ପରେ ଏହା ପିସ୍ ଲିଲି ଫୁଲ ବୋଲି ଜାଣିଲି। ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନର ବ୍ୟବହାର ବଢିବା ସହ ଇଣ୍ଡୋର ପ୍ଲାଣ୍ଟ ହିସାବରେ ପିସ୍ ଲିଲିର ମଧ୍ୟ ଚାହିଦା ବଢିବାକୁ ଲାଗିଲା। ୨୦୨୦ରେ ଅପା ଉତ୍ସ, ୟୁନିଟ-୬ର ହତା ଭିତରୁ ଗୋଟିଏ ପିସ୍ ଲିଲି ଗଛ ଆଣି ଆମ ବାଲକୋନୀରେ ଲଗାଇଲା। ଏବେ ସେମାନେ ବଢି ବଢି ୩ -୪ ଟି କୁଣ୍ଡ ହୋଇ ଗଲେଣି।

          ଅନେକ ଫୁଲ ପରି ପିସ୍ ଲିଲିର ସୃଷ୍ଟିର କାହାଣୀ ବି ଭାରି ମନକୁ ପାଇଲା ପରି। ଗ୍ରୀକ୍ ପୁରାଣ ଅନୁସାରେ ପିସ୍ ଲିଲିର ସୃଷ୍ଟି ନାରୀ ଓ ପରିବାରର ଦେବୀ ହେରାଙ୍କ ବକ୍ଷର କ୍ଷୀରରୁ। ଗ୍ରୀକର ଆକାଶ ଏବଂ ବଜ୍ରର ଦେବତା ଜିଅସଙ୍କର ଆଲସିମି ନାମକ ଜଣେ ମାନବୀଙ୍କ ଔରସରୁ ହର୍କ୍ବୁଲିୟସ ନାମରେ ପୁତ୍ର ସନ୍ତାନଟିଏ ଜାତ ହେଲା। ପୁରାଣ ଅନୁସାରେ ଆଲସିମି ପୃଥିବୀପୃଷ୍ଠର ସର୍ବଶ୍ରେଷ୍ଠ ସୁନ୍ଦରୀ, ଡେଙ୍ଗା ଏବଂ ବୁଦ୍ଧିମାନ ନାରୀ ଥିଲେ। ମାନବୀ ଔରସରୁ ଜାତ ନିଜ ପୁତ୍ର ମଧ୍ୟରେ ଜିଅସ ଦେବତ୍ବର ଗୁଣ ସଞ୍ଚାର କରିବା ପାଇଁ ଚାହୁଁଥିଲେ। ତେଣୁ ସେ ହର୍କ୍ବୁଲିୟସକୁ  ନିଜ ପତ୍ନୀ ହେରାଙ୍କ ଠାରୁ ସ୍ତନ୍ୟପାନ ପାଇଁ ସ୍ବର୍ଗକୁ ନେଲେ। କିନ୍ତୁ ଜିଅସ ବିଲକୁଲ୍ ଜାଣିଥିଲେ ଯେ ହେରା ଏଥିପାଇଁ ଆଦୌ ରାଜି ହେବେ ନାହିଁ। କାରଣ ହେରା ପୂର୍ବରୁ ହିଁ ଜିଅସଙ୍କ ଲମ୍ପଟ ପବୃତ୍ତି ଏବଂ ବହୁ ନାରୀଙ୍କ ସହ ପ୍ରେମ ପାଇଁ ଚିଡୁଥିଲେ। ତେଣୁ ଜିଅସ୍ ପ୍ରଥମେ ହେରାଙ୍କୁ ନିଶା ଦେଇ ଅଚେତ କରି ହର୍କ୍ବୁଲିୟସଙ୍କୁ ତାଙ୍କ ବକ୍ଷ ଉପରେ ସ୍ତନ୍ୟପାନ ପାଇଁ ଛାଡିଦେଲେ। କିନ୍ତୁ ହଠାତ୍ କରି ହେରାଙ୍କ ଚେତା ଫେରିଆସିଲା। ସେ ନିଜ ଛାତି ଉପରେ ହର୍କ୍ବୁଲିୟସକୁ କ୍ଷୀର ପିଉଥିବାର ଦେଖି ଆଶ୍ଚର୍ଯ୍ୟ ଏବଂ ରାଗରେ ସେ ଶିଶୁଟିକୁ ଛାଟି ଦେଲେ। ସେହି ଛାଟି ଦେବା ସମୟରେ କ୍ଷୀରର ଧାର ବୋହି ଗଲା, ଯାହା ମିଲ୍କୀଓ୍ବେ ବା ଆକାଶ ଗଙ୍ଗା ହେଲା। ଏବଂ କ୍ଷୀରର ବିନ୍ଦୁ ପୃଥିବୀ ପୃଷ୍ଠରେ ଯେଉଁଠି ବି ପଡିଲା ସେଠି ସୁନ୍ଦର, ନରମ, ଫରଫର ଧଳା ରଙ୍ଗର ପିସ୍ ଲିଲି ଫୁଲ ଫୁଟିଲା।

         ରୋମାନ ପୁରାଣ ଅନୁସାରେ, ଯେତେବେଳେ ସୌନ୍ଦର୍ଯ୍ୟ ଏବଂ ପ୍ରେମର ଦେବୀ ଭେନସ୍ ସମୁଦ୍ର ଲହଡିର ଫେଣରୁ ଉତ୍ପନ୍ନ ହେଲେ, ପ୍ରଥମେ ଏ ସୁନ୍ଦର, ସ୍ନିଗ୍ଧ ପିସ୍ ଲିଲି ଫୁଲର ସୌନ୍ଦର୍ଯ୍ୟ ଦେଖି ଭୀଷଣ ଈର୍ଷା କଲେ। ତେବେ ସେ ରାଗରେ ଗୋଟିଏ ବିଶାଳ ପ୍ରିଷ୍ଟିଲ (ଫୁଲର female reproductive part) ପିସ୍ ଲିଲିର ଠିକ୍ ମଝି ଅ°ଶରେ ଭୁଷି ଦେଲେ। ସେହି ଦିନଠାରୁ ପିସ୍ ଲିଲିର ଠିକ୍ ମଝିରେ ଗୋଟିଏ ବଡ଼, ମୋଟା ପ୍ରିଷ୍ଟିଲ୍ ରହିଛି। ଇତିହାସରେ ପ୍ରଥମ ଥର ପାଇଁ ଖ୍ରୀଷ୍ଟପୂର୍ବ ୧୫୮୦ରେ ପିସ୍ ଲିଲିର ଛବି ଗ୍ରୀସର ପୁରାତନ ସଭ୍ୟତାର ସହର କ୍ରେଟରେ କରାଯାଇଥିଲା। ଓଲ୍ଡ ଟେଷ୍ଟାମେଣ୍ଟ ଏବଂ ନିଉ ଟେଷ୍ଟାମେଣ୍ଟ ଉଭୟରେ ପିସ୍ ଲିଲି ବିଷୟରେ ବର୍ଣ୍ଣନା ରହିଛି। ଏବେ ମଧ୍ୟ ଗ୍ରୀସରେ ପିସ୍ ଲିଲିକୁ ପବିତ୍ରତା ତଥା ପ୍ରାଚୁର୍ଯ୍ୟର ପ୍ରତୀକ ହିସାବରେ ଗ୍ରହଣ କରାଯାଏ। ବିବାହ ସମୟରେ ନବବଧୂର ମଥାରେ ପିସ୍ ଲିଲି ଏବଂ ଗହମରେ ତିଆରି ମୁକୁଟ ପିନ୍ଧା ଯାଏ।

         କେବଳ ପୁରାଣ କିମ୍ବା ପୁରାତନ ଯୁଗରେ ନୁହେଁ ଏବେ ମଧ୍ୟ ଫ୍ଲାଓ୍ବାର ସିମ୍ବଲିଜିମ୍ ରେ ପିସ୍ ଲିଲିକୁ ଶାନ୍ତି, ପବିତ୍ରତାର ପ୍ରତୀକ ଧରାଯାଏ। ସେଥିପାଇଁ ଅନେକ ହସ୍ପିଟାଲରେ ସାଜସଜ୍ଜା ସମୟରେ କିମ୍ବା କୌଣସି ମଣିଷର ଶେଷଯାତ୍ରାରେ ପିସ୍ ଲିଲି ବ୍ୟବହାର କରାଯାଏ। କୌଣସି ବ୍ୟକ୍ତିଙ୍କ ସହ ଯଦି ଆପଣଙ୍କର ଅନେକ ଦିନ ଧରି ମତାନ୍ତର ଏବଂ ମନୋମାଳିନ୍ୟ ଲାଗିରହିଥାଏ, ଏବଂ ସେ ପରିସ୍ଥିତିରେ ଆପଣ ଶାନ୍ତି ପ୍ରତିଷ୍ଠା କରି ସମ୍ପର୍କକୁ ନୂତନ ଭାବରେ ଆରମ୍ଭ କରିବାକୁ ଚାହୁଁଥାନ୍ତି ତାହେଲେ ତାଙ୍କୁ ପିସ୍ ଲିଲି ଭେଟି ଦେବା ଉଚିତ।

ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ପିସ୍ ଲିଲି ଶୁଦ୍ଧତା ଏବଂ ପବିତ୍ରତାର ପ୍ରତୀକ। ଏହାର ଗୋଟିଏ କାରଣ ଏହି ଗଛର ଘର ଭିତରର ବାୟୁକୁ ଶୁଦ୍ଧ କରି ପାରିବାର କ୍ଷମତା ମଧ୍ୟ ଅଟେ। ପିସ୍ ଲିଲି ସମ୍ବେଦନଶୀଳ, ବୁଦ୍ଧିମାନ ଏବଂ ବିଚାରବନ୍ତ ନାରୀର ପ୍ରତୀକ। ସବୁବେଳେ ଏହାକୁ ଭର୍ଜିନ୍ ମେରୀଙ୍କ ପବିତ୍ରତା ଏବଂ ନିଷ୍ପାପ ଗୁଣ ସହ ଯୋଡା ଯାଇଛି। ଏହି ଶିଶୁ ସୁଲଭ ନିଷ୍ପାପ ଗୁଣ ପାଇଁ କୌଣସି ପ୍ରସବ କରିଥିବା ମହିଳାଙ୍କ ପାଇଁ ଏହା ସବୁଠୁ ସୁନ୍ଦର ଉପହାର। କୌଣସି ବ୍ୟକ୍ତିଙ୍କ ପ୍ରତି ନିଜର ନିସ୍ବାର୍ଥପର ଏବଂ ଦୃଢ ଭଲପାଇବା ପ୍ରକାଶ କରିବା ପାଇଁ ପିସ୍ ଲିଲିର ତୋଡା ଦିଆଯାଏ।

       ଫ୍ଲାଓ୍ବାର ସିମ୍ବଲିଜିମରେ ପିସ୍ ଲିଲି ହେଉଛି ମନମୁଗ୍ଧକର ସୌନ୍ଦର୍ଯ୍ୟ ଏବଂ ଯୌବନର ପ୍ରତୀକ। ଯଦି ଆପଣ ନିଜ ପ୍ରେମିକାକୁ ଆକର୍ଷଣୀୟ, ସୁନ୍ଦର ଏବଂ ଆପଣଙ୍କ ଜୀବନରେ ତାଙ୍କ ଭୂମିକା କେତେ ମହତ୍ତ୍ୱପୂର୍ଣ୍ଣ ଜଣାଇବାକୁ ଚାହାଁନ୍ତି, ତା’ ହେଲେ ପିସ୍ ଲିଲି ହିଁ ସବୁଠାରୁ ଉପଯୁକ୍ତ ଉପହାର। ଏହି ଫୁଲଟି ଗୋଟିଏ କପ୍ ଆକୃତିର ହୋଇଥିବାରୁ ଏବଂ ଘର ଭିତରେ ରଖି ଟିକିଏ ଯତ୍ନ କଲେ ବର୍ଷ ତମାମ୍ ଫୁଲ ଦେଉଥିବାରୁ ଏହାକୁ ପ୍ରାଚୁର୍ଯ୍ୟର ପ୍ରତୀକ ହିସାବରେ ଗ୍ରହଣ କରାଯାଏ। କୌଣସି ବନ୍ଧୁଙ୍କୁ ସୁଖ, ସମୃଦ୍ଧି ଏବଂ ସଫଳତାର ବାର୍ତ୍ତା ଦେବାର ଥିଲେ ପିସ୍ ଲିଲିର ତୋଡା କିମ୍ବା ଗଛ ଦିଆଯାଏ।

        ବିଶ୍ୱାସ, ଆଶା ଏବଂ ସକାରାତ୍ମକ ଉର୍ଜାର ମଧ୍ୟ ପ୍ରତୀକ ଏହି ପିସ୍ ଲିଲି। ଅସୁବିଧା ବା ଅପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କୁ ପିସ୍ ଲିଲି ଉପହାର ଦେବାର ଅର୍ଥ ହେଉଛି, ନୂତନ ଆଶା ସଞ୍ଚାର କରିବା। ଜଣାଇଦେବା ଯେ ପ୍ରତିକୂଳ ପରିସ୍ଥିତି କ୍ଷଣିକ ମାତ୍ର, ସମାଧାନ ଜଲ୍ଦି ମିଳିବ, ସୁଖ ପୁଣି ଫେରିବ। ଫେଙ୍ଗ୍-ସୁଇ ଅନୁସାରେ ପିସ୍ ଲିଲି ଗଛ ଉପହାର ଦେବା କିମ୍ବା ଘରକୁ ଆଣିବାରର ଅର୍ଥ ହେଉଛି ସୁଖ, ଶାନ୍ତି ଏବଂ ପ୍ରାଚୁର୍ଯ୍ୟର ଦିନ ଆଗକୁ ଆସୁଛି। ସମ୍ବେଦନଶୀଳତା ଏବଂ ସମବେଦନାର ପ୍ରତୀକ ହୋଇଥିବାରୁ ଶୋକବାର୍ତ୍ତା ପଠାଇବା ସମୟରେ ପିସ୍ ଲିଲି ଠାରୁ ଅନ୍ୟ କୌଣସି ଫୁଲ ଅଧିକ ଉପଯୁକ୍ତ ନୁହେଁ।

        ଡ୍ରିମ୍ ସାଇନ୍ସ ବା ସ୍ବପ୍ନ ଶାସ୍ତ୍ରରେ ମଧ୍ୟ ପିସ୍ ଲିଲିର ଖୁବ ମହତ୍ତ୍ୱପୂର୍ଣ୍ଣ ଅର୍ଥ ରହିଛି। ସ୍ବପ୍ନରେ ଏହି ଫୁଲ ଦେଖିବାର ଅର୍ଥ ହେଉଛି ଆପଣଙ୍କ ଅବଚେତନ ମନ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ବର୍ତ୍ତମାନର ପାରିବାରିକ, ସାମାଜିକ କିମ୍ବା ବୃତ୍ତିଗତ ସମସ୍ୟା ଖୁବ ଶୀଘ୍ର ଦୂର ହୋଇଯିବ। ଶାନ୍ତି ପ୍ରତିଷ୍ଠା ହେବ। ସେମିତି ଯଦି କୌଣସି ବ୍ୟକ୍ତି ଆପଣଙ୍କ ସ୍ବପ୍ନରେ ଏହି ଫୁଲ ସହ ଆସନ୍ତି, ତା’ର ଅର୍ଥ ଆପଣଙ୍କ ସମ୍ପର୍କ ନିସ୍ବାର୍ଥପର ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ।

       ଏସବୁ ଛଡା ଅନେକ ଧର୍ମରେ ପିସ୍ ଲିଲିକୁ ଆଧ୍ୟାତ୍ମିକ ଚିନ୍ତା, ଆତ୍ମସନ୍ତୋଷ, ମାନସିକ ଶାନ୍ତି ସହ ଯୋଡା ଯାଇଛି। ବୌଦ୍ଧଧର୍ମ ଅନୁସାରେ ବାହ୍ୟ, ବସ୍ତୁବାଦୀ ଦୁନିଆରୁ ନିଜକୁ ଦୂରେଇ, ମନକୁ ସଞ୍ଜତ କରି, ପରମାତ୍ମା ସହ ଯୋଡି ହେବାର ପ୍ରତୀକ ହେଉଛି ପିସ୍ ଲିଲି।

        ବର୍ଷରେ ଥରେ ମାଟି ବଦଳାଇ ଦେଲେ ଆଉ ଟିକେଟିକେ ପାଣି ଦେଲେ ଖୁବ ସହଜରେ ବଢିପାରେ ଏ ଗଛ। ବେଶି ପରିଶ୍ରମ ଦରକାର ପଡେନି। ମୂଳରୁ ପ୍ରତିବର୍ଷ ନୂଆ ନୂଆ ଚାରା ବାହାରେ, ଅଲଗା କରି ଅନ୍ୟତ୍ର ମଧ୍ୟ ଲଗା ଯାଇ ପାରିବ। ବଗିଚା ଥିଲେ, ମାଟିରେ ଖୁବ ଜଲ୍ଦି ମାଡେ ଓ ବଢେ ଏ ଗଛ। ଅଳ୍ପ ସୂର୍ଯ୍ୟାଲୋକରେ ମଧ୍ୟ ଭଲ ବଢେ। ତେଣୁ ଇଣ୍ଡୋର ପ୍ଲାଣ୍ଟ ହିସାବରେ ଏହାର ଖୁବ ଚାହିଦା। ତା’ ହେଲେ ଏଥର ନର୍ସରୀ ଗଲେ ପିସ୍ ଲିଲି ପ୍ଲାଣ୍ଟଟେ ଆଣି ଘରକୁ ସୁଖ, ଶାନ୍ତି ଏବଂ ସକାରାତ୍ମକ ଉର୍ଜା ନିମନ୍ତ୍ରଣ କରନ୍ତୁ। ବନ୍ଧୁ ମାନଙ୍କ ସୁଖ ଏବଂ ସଫଳତା କାମନା କରି ପିସ୍ ଲିଲି ପ୍ଲାଣ୍ଟ ଉପହାର ଦିଅନ୍ତୁ।

ଭୁବନେଶ୍ୱର, ୮୦୧୮୦୫୩୩୯୫

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →