ଅନେକ ବର୍ଷ ତଳର କଥା, ଗ୍ରୀକରେ ଲେଣ୍ଡରନାମକ ଜଣେ ଖୁବ୍ ପରିଶ୍ରମି ଏବଂ ସଚ୍ଚୋଟ ଯୁବକ ଜଣେ ଖୁବ୍ ସୁନ୍ଦର ତରୁଣୀକୁ ପ୍ରେମ କରୁଥାଏ। ଦିନସାରା ଯେତେ କାମ ଖଟଣି ପଡିଥିଲେ ବି, ପ୍ରତି ରାତିରେ ସେ Hellespont ବା Strait of Gallipoli (ଗୋଟିଏ ପେନେନସୁଲା ଯାହା ୟୁରୋପୀୟ ଏବଂ ଏସିଆନ ତୁର୍କୀକୁ ଅଲଗା କରେ) କୁ ପହଁରି ଏବଂ ପାର କରି ନିଜ ପ୍ରେମିକାକୁ ଦେଖା କରିବାକୁ ଆସେ। ହେଲେ ଥରେ ରାତିରେ ଲେଣ୍ଡର ନିଜ ପ୍ରମିକାକୁ ଦେଖା କରିବାକୁ ଗଲା ବେଳକୁ, ହେଲେସ୍ପଣ୍ଟର ମଝାମଝି ଭିଷଣ ଧୂଳିଝଡ, ପବନ, ବର୍ଷା ଆରମ୍ଭ ହୋଇଯାଏ। ଏସବୁକୁ ଖାତିର ନକରି ଲେଣ୍ଡର ପ୍ରାଣପଣେ ଆଗକୁ ବଢିବାକୁ ଚେଷ୍ଟା କରେ। କିନ୍ତୁ ସମୁଦ୍ର ଝଡ, ପବନ ତାକୁ ନେଇ ବାରମ୍ବାର ଉଠୁଥିବା ବିଶାଳ, ଉନ୍ମାଦ ଲହଡି ସହ ମାଡ କରି ତା’ରି ଭିତରେ ଛନ୍ଦି ଦେଉଥାଏ। ଲହଡି ଗୁଡିକ ଲେଣ୍ଡରକୁ ନେଇ ବାରମ୍ବାର ପଥର ସହ ମାଡ କରୁଥାନ୍ତି। ରାତି ବଢିବାକୁ ଲାଗେ, ଲେଣ୍ଡରର ପ୍ରେମିକା ବ୍ୟସ୍ତ ହୁଏ ଯେ କାହିଁକି ଲେଣ୍ଡର ଆଜି ଏପର୍ଯ୍ୟନ୍ତ ପହଞ୍ଚି ନାହିଁ। ସେ ସମୁଦ୍ର କୂଳ ଆଡକୁ ବଢେ, ଲେଣ୍ଡରକୁ ଖୋଜିବା ପାଇଁ। ସମୁଦ୍ର କୂଳ ସାରା ଡାକିବୁଲେ “Oh Lender” ” Oh Lender”। ବେଳାଭୂମିରେ ପାଗଳ ପରି ଏପଟ ସେପଟ ଖୋଜିବା ଭିତରେ ଝିଅଟି ଗୋଟିଏ ଜାଗାରେ ଝୁଣ୍ଟି ପଡି ରହିଯାଏ। ସେତେବେଳକୁ ସମୁଦ୍ର କୂଳ ଫର୍ଚା ହୋଇ ଆସୁଥାଏ। ଝିଅଟି ଦେଖିଲା ବେଳକୁ ସେ ଝୁଣ୍ଟିଥିବା ଜିନିଷଟି ଆଉ କିଛି ନୁହେଁ ତା’ ପ୍ରିୟ ମଣିଷର ଶରୀର ହିଁ ସେଇଠି ନିରବ-ନିଶ୍ଚଳ ହୋଇ ପଡିଥାଏ। ଦୁଃଖ ଆଉ ହତାଶାରେ ନିର୍ବାକ ହୋଇ ଝିଅଟି ଲଥ୍ କରି ସେଇଠି ଲେଣ୍ଡରର ଶରୀର ପାଖରେ ବସିପଡେ। ହେଲେ ସମୁଦ୍ରଝଡ, ଲହରୀ ସହ ଏତେ ପ୍ରଚୁର ଲଢେଇ ପରେ ମଧ୍ୟ ଲେଣ୍ଡର ହାତରେ ସେ ନିଜ ପ୍ରେମିକା ପାଇଁ ଆଣିଥିବା ସୁନ୍ଦର ଗୋଲପୀ ଫୁଲର ଡାଳ ସେମିତି ମୁଠା ହୋଇ ଥାଏ। ସମୁଦ୍ରକୂଳର ସକାଳର ପରିବେଶ ସେଇ ଫୁଲର ମୃଦୁ ବାସ୍ନାରେ ଭରିଯାଏ। ସେଇ ଦିନୁ ସେ ଫୁଲର ନାଁ ସେଇ ମହାନ ପ୍ରେମିକର ନାମ ଅନୁସାରେ Oleander (Oh, Lender!) ହୋଇଛି ବୋଲି କୁହାଯାଏ। ଆଉ ଖାସ୍ ଏଇ କାରଣ ପାଇଁ Oleander କୁ ଆଜି ଯାଏଁ ଚିରନ୍ତନ ପ୍ରେମର ପ୍ରତୀକ କୁହାଯାଏ।
ଗ୍ରୀକର ଏହି ଲୋକକଥା ଛଡା ଆଉ ଗୋଟିଏ ପୌରାଣିକ କାହାଣୀ ମଧ୍ୟ ରହିଛି। ଗ୍ରୀକ୍ ପୁରାଣ ଅନୁସାରେ ଥରେ ଜଣେ ପରୀ ରାଣୀଙ୍କର ଗୋଟିଏ ମାତ୍ର ସୁନ୍ଦରୀ ଅଲିଅଳି ଝିଅ ଭୀଷଣ ଜ୍ବରରେ ଆକ୍ରାନ୍ତ ହୁଏ। ଦେହରେ ଖଇ ଫୁଟିଲା ପରି ତାତି। ଅନେକ ବୈଦ୍ୟ ଆସନ୍ତି, ନାନା ଚିକିତ୍ସା ଚାଲେ, ହେଲେ ଝିଅର ଜ୍ବର କମେନି। ପରୀ ରାଣୀ ଚିନ୍ତାରେ ପଡି ଯାଆନ୍ତି। ସେ ଭଗବାନଙ୍କ ଦ୍ବାରସ୍ଥ ହୁଅନ୍ତି। ୟା ଭିତରେ ଅନେକ ଦିନ ବିତି ଯାଇଥାଏ। ଦିନେ ସକାଳୁ ପରୀ ରାଣି ନିଜ ଝିଅ କୋଠରୀ ଭିତରକୁ ପଶିଲା ବେଳକୁ, ତା’ କୋଠରୀଟି ଗୋଟିଏ ଅଦ୍ଭୁତ ପ୍ରକାର ମଧୁର ମୃଦୁ ବାସ୍ନାରେ ଭରି ଯାଇଥାଏ। ଭିତରକୁ ପ୍ରବେଶ କଲା ବେଳକୁ ଜଣେ ସୁନ୍ଦର, ସୌମ୍ୟ ଯୁବକ ତାଙ୍କ ଝିଅର ମୁଣ୍ଡ ଆଉଁସି ଦେଉଥାଏ ଏବଂ ତାଙ୍କ ଝିଅ ହସ ହସ ମୁହଁରେ ସେଇ ଯୁବକ ଆଡକୁ ଚାହିଁ ରହିଥାଏ। ପରୀ ରାଣୀ ନିଜ ଝିଅର ଚେତ ଫେରି ପାଇଥିବା ଦେଖି ଖୁସିରେ ତା’ ପାଖକୁ ଦୌଡି ଯାଇ କୁଣ୍ଢେଇ ପକାନ୍ତି, ଆଶ୍ଚର୍ଯ୍ୟ ତା’ ଦେହରୁ ଜ୍ବର ଛାଡି ଯାଇ ଥାଏ। ପରୀ ରାଣୀ ଖୁସି ହୋଇ ସେଇ ଯୁବକଙ୍କୁ ଧନ୍ୟବାଦ ଦେଇ ଆଲିଙ୍ଗନ କଲେ ଏବଂ ଜାଣିବାକୁ ପାଇଲେ ଯେ ହେଉଛନ୍ତି ନେପଚ୍ୟୁନ୍ ରାଜକୁମାର। ପରୀ ରାଣୀ ଦୁଇ ଜଣଙ୍କ ପ୍ରେମକୁ ସ୍ବୀକୃତି ଦିଅନ୍ତି। ଶୁଭ ମୁହୂର୍ତ୍ତ ଦେଖି ସେମାନଙ୍କ ବାହାଘର ଆୟୋଜନ ହୁଏ। ଏହି ଖବର ଓ୍ବିଚ୍ (ଡାହାଣୀ) ରାଣୀର ପୁଅ ହୁରିକାନ୍ (ଘୂର୍ଣ୍ଣିଝଡ) ପାଖରେ ପହଞ୍ଚେ, ଯିଏ ମନେମନେ ପରୀ ରାଜକୁମାରୀକୁ ବାହା ହେବ ବୋଲି ଠିକ୍ କରିଥାଏ। ସେ ରାଗରେ ଜଳ -ସ୍ଥଳରେ ପ୍ରଳୟ କରେ। ପୁଅର ଦୁଃଖ ଏବଂ ଅବସ୍ଥା ଦେଖି ଓ୍ବିଚ୍ ରାଣୀ ଖବର ନିଏ। ତା’ପରେ ମା’-ପୁଅ ଦିହେଁ ଭୟଙ୍କର ଗର୍ଜନ କରି ପରୀ ରାଣୀ ଉଆସକୁ ମାଡି ଆସନ୍ତି ତାଙ୍କ ଝିଅକୁ ଛଡାଇ ନେବା ପାଇଁ। ପରୀ ରାଣୀ ଅନ୍ୟ କୌଣସି ଉପାୟ ନପାଇ ନିଜ ଜାଦୁ ଦଣ୍ଡ (ଓ୍ବାଣ୍ଡ୍)କୁ ବୁଲାନ୍ତି। ତାଙ୍କ ଝିଅ ଏବଂ ରାଜକୁମାରଙ୍କ ସମେତ ଉପସ୍ଥିତ ସମସ୍ତ ଅତିଥିଙ୍କୁ ସୁନ୍ଦର ମଧୁର ବାସ୍ନା ଯୁକ୍ତ ଗୋଲପୀ ଫୁଲର ଗଛରେ ପରିଣତ କରି ଦିଅନ୍ତି। ହୁରିକାନ୍ ଏବଂ ଓ୍ବିଚ୍ ରାଣୀ ଆସି ସବୁଆଡ ଦରାଣ୍ଡି ପକାନ୍ତି, ହେଲେ ପରୀ ରାଜକୁମାରୀକୁ ପାଆନ୍ତି ନାହିଁ। ଅନେକ ସମୟ ଖୋଜାଖୋଜି କଲାପରେ ହୁରିକାନ୍ ଏବଂ ଓ୍ବିଚ୍ ରାଣୀ ସେଠୁ ହତାଶ ହୋଇ ଫେରି ଯାଆନ୍ତି। ପରୀ ରାଣୀଙ୍କ ଜାଦୁ ଦଣ୍ଡ ବୁଲି ରାଜକୁମାରୀ ଏବଂ ରାଜକୁମାର ଯେଉଁ ଫୁଲରେ ପରିଣତ ହୋଇଥିଲେ ତାହା Oleander ଅଟେ।
ଏହି ଫୁଲର scientific name ହେଉଛି Nerium Oleander (ନେରିଅମ୍ ଓଲିଏଣ୍ଡର) ଆଉ ଓଡିଆରେ ଆମେ ୟାକୁ କରବୀର କହିଥାଉ। ଏହାକୁ ଆହୁରି ମଧ୍ୟ ରୋଜ୍-ବେଏ, କନେର୍, ରୋଜ୍ ଲରେଲ୍, ସାଉଥ ସି ରୋଜ୍ କୁହାଯାଏ। ଏହାର genus name, Nerium ଉଦ୍ଭିଦ ପାଇଁ ଉଦ୍ଦିଷ୍ଟ ଗ୍ରୀକ୍ ଶବ୍ଦ Nerion (ନେରିଅନ୍) ଯାହାକି ଗ୍ରୀକର ପାଣି ପାଇଁ ଉଦ୍ଦିଷ୍ଟ ଶବ୍ଦ Neros (ନେରୋସ୍) ରୁ ସୃଷ୍ଟି ବୋଲି ବିଶ୍ବାସ କରାଯାଏ। ଖ୍ରୀଷ୍ଟପୂର୍ବ ୩୪୦୦ର ଦସ୍ତାବେଜରେ ଏହି ଗଛ ନାଇଲ୍ ନଦୀ ଉପତ୍ୟକାରେ ପ୍ରଚୁର ପରିମାଣରେ ବଢିଥିବାର ବର୍ଣ୍ଣନା ରହିଛି, ନେରୋସ୍ ଶବ୍ଦରୁ ନେରିଅମର ସୃଷ୍ଟି ବୋଲି ବିଶ୍ୱାସ କରାଯାଏ। ଇତିହାସକାରଙ୍କ ମତରେ ଯେତେବେଳେ ଇଷ୍ଟ ଇଣ୍ଡିଜରେ ଇଂରେଜ ମାନଙ୍କ ଉପନିବେଶ ଆରମ୍ଭ ହେଲା ସେତେବେଳେ ସେମାନେ ସେହି ସ୍ଥାନର ସୌନ୍ଦର୍ଯ୍ୟୀକରଣ ପାଇଁ ପୃଥିବୀର ବିଭିନ୍ନ କୋଣରୁ ଅନେକ ପ୍ରକାରର ଫୁଲ-ଫଳ ଗଛ ଆଣି ଲଗାଇଲେ। ସେଇ ପରିପ୍ରେକ୍ଷୀରେ ଜଣେ କ୍ୟାପଟେନ୍ ସାଉଥ ସିରୁ ଲେଉଟାଇବା ସମୟରେ କରବୀର ଗଛ ଆଣିଥିଲେ, ସେଇଥିପାଇଁ ଏହାକୁ south sea rose ବା sea rose (ସି ରୋଜ୍) କୁହାଯାଏ। କରବୀର ଗଛର ପତ୍ର ଅଲିଭ୍ (Olive) ଗଛର ପତ୍ର ପରି ଦେଖାଯାଏ, ତେଣୁ ପୂର୍ବରୁ Galvestone ବାସିନ୍ଦାଙ୍କ ବିଶ୍ୱାସ ଥିଲା ଯେ ଏଥିରେ ଅଲିଭ୍ ପରି ଫଳ ଫଳେ ଏବଂ ତେଣୁ ଏହାର ନାଁ Oleander, ଯାହା ଅଲିଭର ଲାଟିନ୍ ଶବ୍ଦ Olea ରୁ ଆସିଛି।
ସୌନ୍ଦର୍ଯ୍ୟୀକରଣ ପାଇଁ କରବୀରର ବ୍ୟବହାର ମଣିଷର ଆଦ୍ୟ ସଭ୍ୟତା ଗୁଡିକରୁ ଆରମ୍ଭ ହୋଇଛି। ଏହା ବିଷୟରେ ବର୍ଣ୍ଣନା ଏବଂ ଏହାର ଚିତ୍ର ଗ୍ରୀକ୍, ହିବ୍ର୍ୟୁ ଏବଂ ଖ୍ରୀଷ୍ଟୀଆନ୍ ପୁରାଣ ଗୁଡିକରେ ଦେଖିବାକୁ ମିଳେ। ପୁରାତନ ଚୀନ୍ ଏବଂ ରୋମାନ ବଗିଚା ଗୁଡିକରେ ମଧ୍ୟ କରବୀର ଲଗାଯିବାର ନଜିର ରହିଛି। ପମ୍ପେଇ ସହରର ଅବଶେଷ ଗୁଡିକରେ ବଗିଚାର କାନ୍ଥ ମାନଙ୍କର ମ୍ୟୁରାଲ୍ ପେଣ୍ଟି°ରେ କରବୀର ଗଛର ବ୍ୟବହାର ତଥା ବଗିଚାରେ ଏହି ଗଛ ଲଗାଯିବାର ପ୍ରମାଣ ରହିଛି। ଚୀନରେ ମଧ୍ୟ ପୁରୁଣା ସମୟରେ ଛାତ୍ର ମାନଙ୍କ ଦ୍ବାରା କରବୀର ଗଛ ଲଗାଯାଉ ଥିଲା।
କରବୀରର ସୃଷ୍ଟି ମେଡିଟେରିଆନ୍, ଇରାନ୍, ଭାରତ ଏବଂ ଚୀନ୍ ଆଦି ଅଞ୍ଚଳରୁ। ଏହା ୬ -୧୬ ଫୁଟ୍ ପର୍ଯ୍ୟନ୍ତ ବୁଦାଳିଆ ହୋଇ ବଢିଥାଏ। ପତ୍ର ଗୁଡିକ ଗାଢ ସବୁଜ ଏବଂ ଅଗ୍ରଭାଗ ଗୋଜିଆ ହୋଇ ୬ ଇଞ୍ଚ ପର୍ଯ୍ୟନ୍ତ ବଢିଥାଏ। ଗରମ ଜଳବାୟୁରେ ପ୍ରାୟତଃ ବର୍ଷ ତମାମ ଏଥିରେ ଫୁଲ ଫୁଟେ। କଢ ଗୁଡିକ ଧିରେଧିରେ ପାଖୁଡ଼ା ଖୋଲି ତୁରି ଆକାରର ଦେଖା ଯାଆନ୍ତି। ଥୋପା କରବୀର ଗୋଲାପ ଫୁଲ ପରି ଦିଶେ। ଏହାର ବାସ୍ନା ମୃଦୁ ଏବଂ ମଧୁର। ଏହା ଗୋଲପୀ, ଫିକା ଗୋଲପୀ, ଲାଲ୍, ଧଳା ରଙ୍ଗରେ ସାଧାରଣତଃ ଦେଖା ଯାଉଥିବା ବେଳେ ପର୍ପଲ୍, ହଳଦିଆ, କମଳା, ଖଇରିଆ ରଙ୍ଗରେ ମଧ୍ୟ ଦେଖାଯାଏ।
ଅନେକ ଦେଶର ପାରମ୍ପରିକ ଚିକିତ୍ସାରେ କରବୀରର ବ୍ୟବହାର ରହିଛି। Digitalis ସେବନ ନକରିପାରୁଥିବା ବ୍ୟକ୍ତିଙ୍କ ପାଇଁ ଏଥିରୁ Oleandrin ନାମକ ହୃଦରୋଗ ପାଇଁ ଔଷଧ ବନାଯାଏ। ପାରମ୍ପରିକ ଚିକିତ୍ସାରେ ଏହାକୁ diuretics (ପରିଶ୍ରା କରାଉଥିବା ତଥ୍ୟ) ହିସାବରେ ବ୍ୟବହାର କରା ଯାଉଥିବା ବେଳେ ଆହୁରି ମଧ୍ୟ ସାପକାମୁଡା, ବିଭିନ୍ନ ପ୍ରକାର ଘା’, କୁଷ୍ଠରୋଗ, କ୍ୟାନସର, ମ୍ୟାଲେରିଆ, ବଦହଜମିର ଚିକିତ୍ସା ପାଇଁ ବ୍ୟବହାର କରା ଯାଉଥିଲା। ଏହାକୁ ଜୀବାଣୁ-ନାଶକ ତଥା ଛୋଟ କୀଟ-ପତଙ୍ଗ ଓ ମୂଷା ମାରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ। କେବଳ କୀଟ-ପତଙ୍ଗ ନୁହେଁ ମଣିଷ, କୁକୁର, ବିଲେଇ, ଘୋଡା ତଥା ଅନ୍ୟାନ୍ୟ ଜୀବ ମାନଙ୍କ ପାଇଁ ମଧ୍ୟ କରବୀର ବିଷ ବା ପ୍ରଣଘାତକ ଅଟେ। ଏହି ଗଛର ପ୍ରତ୍ୟେକ ଅ°ଶ ବିଷାକ୍ତ ଅଟେ। ଏହାକୁ ସାଧାରଣତଃ Cardio toxic କୁହାଯାଏ। ଏଥିରେ ଥିବା Oleandrin, Nerin, Olinerin ଏବଂ Digitoxigenin ପରି Cardiac glycosides ହୃଦୟ ପାଇଁ ଘାତକ। ଆହୁରି ମଧ୍ୟ ଏଥିରେ Rosagenin ପରି Neurotoxin (ସ୍ନାୟୁ ପାଇଁ ଘାତକ) ପଦାର୍ଥ ମିଳେ,ଯ ଯାହା strychnine ପରି କାମକରେ ଏବଂ ଶରୀରକୁ ନିଶ୍ଚଳ, ଶୀଥଳ କରିଦିଏ। ଏହାକୁ ଗ୍ରହଣ କଲେ ଅଇ ଉଠେଇ ବାନ୍ତି ହେବା, ପେଟ କାଟିବା, ପାଟିରୁ ପ୍ରବଳ ଲାଳ ଗଡିବା, ନାଳ-ରକ୍ତ ଝାଡା ହେବା, ହୃଦୟଗତିରେ ଅନିୟମିତତା (cardiac arrhythmia) ଏବଂ ମୃତ୍ୟୁ ଦେଖାଯାଏ। ଡାଳ-ପତ୍ରକୁ ଅଧିକ ସମୟ ହାତରେ ଧରିଲେ ଆଖି ଏବଂ ଚର୍ମ ଲାଲ୍ ପଡି କୁଣ୍ଡାଇ ହୁଏ। ଏମିତିକି ଏହାର ଅଳ୍ପ କିଛି ପତ୍ର ପାଣିରେ ପଡିଥିଲେ କୁକୁର ଏବଂ ବିଲେଇଙ୍କ ପ୍ରାଣହାନୀ ଘଟିଥାଏ, ଶୁଖିଲା ପତ୍ରର ଧୂଆଁ ଫୁସଫୁସକୁ ଗଲେ ଶରୀର ପାଇଁ କ୍ଷତିକାରକ ହୋଇଥାଏ। କୁହାଯାଏ ଯେ କରବୀର ଗଛର ଶୁଖିଲା କାଠର ସ୍କିଓ୍ବେରରେ ରୋଷେଇ ହୋଇଥିବା ମା°ସ ସେବନ କଲାପରେ ହିଁ ଆଲେକଜାଣ୍ଡାରଙ୍କର ମୃତ୍ୟୁ ହୋଇଥିଲା। ଚେର ଠାରୁ ଫୁଲ ପର୍ଯ୍ୟନ୍ତ ପ୍ରତ୍ୟେକ ଅ°ଶ ବିଷାକ୍ତ ହୋଇଥାଏ। ସେଥିପାଇଁ ଅନେକ ବିଶ୍ୱାସ କରନ୍ତି ଯେ ଏହାର ନାମକରଣ ଗ୍ରୀକର ଦୁଇଟି ଶବ୍ଦ “Ollyoor” ଅର୍ଥାତ “ମୁଁ ମାରେ” ଓ “Aneror” ଅର୍ଥାତ “ମଣିଷ” ରୁ ହୋଇଛି (Ollyoor- Aneror ବା Oleander)।
ସଭ୍ୟତାର ବିଭିନ୍ନ ସମୟରେ କରବୀରକୁ ବହୁ ପ୍ରକାର ପ୍ରତୀକ ଭାବରେ ସ୍ବୀକାର କରା ଯାଇଛି। ଗ୍ରୀକ୍ ପୁରାଣ ଅନୁସାରେ ଏହା ଚିରନ୍ତନ, ଅତୁଟ, ଅତୁଳନୀୟ ପ୍ରେମର ପ୍ରତୀକ ଅଟେ। ସେହିପରି ଭିକ୍ଟୋରିଆନ୍ ସମୟରେ କୌଣସି ବ୍ୟକ୍ତିକୁ କୌଣସି ସମ୍ପର୍କ କିମ୍ବା ଆସନ୍ତା ସମସ୍ୟା ପାଇଁ ସତର୍କ (ଗୃହ ଶତୃ ବା ଠକ ପ୍ରେମିକ/ପ୍ରେମିକା କୁ ନେଇ) କରିବା ଉଦ୍ଦେଶ୍ୟରେ କରବୀର ଫୁଲକୁ ବ୍ୟବହାର କରା ଯାଉଥିଲା। ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ କରବୀର ଫୁଲ ଦୟା, ସମ୍ବେଦନଶୀଳତା, ସ୍ନେହ, କରୁଣା, ଆପସି ବୁଝାମଣା, ଚିରନ୍ତନ ଏବଂ ଅତୁଳନୀୟ ପ୍ରେମ, ପ୍ରତିବଦ୍ଧତା, ଅତୁଟ ବନ୍ଧନ, ପରସ୍ପର ପ୍ରତି ନିବିଡ ସ୍ନେହ ଆଦିର ପ୍ରତୀକ ଅଟେ। କିଛି କିଛି ଯାଗରେ କରବୀର ପାରିବାରିକ ଅଶାନ୍ତି ଏବଂ ଶାରୀରିକ କଷ୍ଟ ଆଣେ ବୋଲି ବିଚାର କରି ଶୟନ କକ୍ଷରେ ରଖିବାକୁ ମନା କରାଯାଏ। ଗଛଟିର ପ୍ରତ୍ୟେକ ଅ°ଶ ବିଷାକ୍ତ ହୋଇଥିଲେ ମଧ୍ୟ ଏହାର ସୌନ୍ଦର୍ଯ୍ୟ ଏବଂ ମୃଦୁ, ମଧୁର ବାସ୍ନା ପାଇଁ ତାକୁ ପ୍ରାୟ ପ୍ରତ୍ୟେକ ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ବ୍ୟବହାର କରାଯାଏ।