ଅନ୍ତର୍ଜାତୀୟ ଚା’ ଦିବସ

ସମ୍ରାଟ ସେନ୍ ନୁଙ୍ଗ୍ ଗଛ ତଳେ ବସି ବିଶ୍ରାମ ନେଉଥିଲେ। ଆଉ ସେବକ ତାଙ୍କ ପିଇବା ପାଇଁ ପାଣିକୁ ଫୁଟାଇ ଗରମ କରୁଥିଲା। ହଠାତ୍ ଯେଉଁ ଗଛ ତଳେ ସମ୍ରାଟ ବସିଥିଲେ ସେ ଗଛରୁ କେତୋଟି ପତ୍ର ଆସି ପଡ଼ିଲା ଫୁଟୁଥିବା ପାଣି ଭିତରେ। ସମ୍ରାଟ ସେଇ ପାଣିକୁ ପିଇବା ପରେ ଅନୁଭବ କଲେ ଯେ, ସେସବୁ ପତ୍ରର ସ୍ବାଦ ମିଶି ପାଣିକୁ କେବଳ ଅଧିକ ସ୍ଵାଦିଷ୍ଟ କରିଦେଇନାହିଁ ବରଂ ସେ ପାଣି ପିଇବା ଦ୍ବାରା ତାଙ୍କ ଶରୀର ଓ ମନରେ ଯଥେଷ୍ଟ ସ୍ଫୂର୍ତ୍ତି ଭରିଯାଇଛି। ଔଷଧୀୟ ବୃକ୍ଷଲତା ସମ୍ପର୍କରେ ବିଶେଷ ଜ୍ଞାନ ରଖୁଥିବା ସମ୍ରାଟ ତେଣୁ ଏଥର ସମ୍ପୃକ୍ତ ଗଛର ପତ୍ର ଓ ଗରମ ପାଣିର ମିଶ୍ରଣକୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ପାଇଁ ସ୍ଥିର କଲେ। ଚୀନରେ ପ୍ରଚଳିତ କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୫ହଜାର ବର୍ଷ(ଖ୍ରୀଷ୍ଟପୂର୍ବ୨୭୩୭ରେ) ତଳେ ଏଭଳି ଆକସ୍ମିକ ଭାବେ ଚା’ର ଆବିଷ୍କାର ହୋଇଥିଲା।

ତେବେ ଏ ଭିତରେ ସମ୍ଭ୍ରାନ୍ତ ଓ ଧନୀକ ଗୋଷ୍ଠୀଙ୍କ ପରିସର ଟପି ଚା’ ସମଗ୍ର ବିଶ୍ୱର ବହୁ ସଂଖ୍ୟକ ଲୋକଙ୍କ ପ୍ରିୟ ପାନୀୟରେ ପରିଣତ ହୋଇ ସାରିଛି। କ୍ଳାନ୍ତିକୁ ଦୂର କରି ଦେହ-ମନରେ ସ୍ଫୂର୍ତ୍ତି ଭରିବା ଉଦ୍ଦେଶ୍ୟରେ ହେଉ କି ପରିବାର ସହ ମିଶି କିଛି ସମୟ କଟାଇବା ପାଇଁ ହେଉ, ଏସବୁ କ୍ଷେତ୍ରରେ ଚା’ ହିଁ ହେଉଛି ସବୁଠାରୁ ପ୍ରିୟ ପାନୀୟ ଓ ମାଧ୍ୟମ। ଏପରିକି ଏହା ବିଶ୍ବର ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନର ଏକ ଅଂଶ ବିଶେଷ ପାଲଟି ସାରିଛି। ତେବେ ଜାଣନ୍ତି କି, ପାଣି ପରେ ଚା’ ହିଁ ବିଶ୍ବର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପାନୀୟ! ଆଉ ସମଗ୍ର ବିଶ୍ବରେ ପ୍ରାୟ ୩ହଜାର ପ୍ରକାରର ଚା’ ଉପଲବ୍ଧ ହୋଇଥାଏ। ମାତ୍ର ୧ପାଉଣ୍ଡ୍ ଚା’ର ପ୍ରସ୍ତୁତି ପାଇଁ ପ୍ରାୟ ୨୦୦୦ ଛୋଟ ପତ୍ର ଆବଶ୍ୟକ ହୋଇଥାଏ। ସେ ବ୍ଲାକ୍ ଟି ହେଉ କି କ୍ଷୀର ଚା’, ଉଲ°ଗ୍ ଟି ହେଉ କି ଗ୍ରୀନ୍ ଟି ଏ ସବୁ ପ୍ରକାର ଚା’ କେବଳ ଗୋଟିଏ ଗଛ, ‘କ୍ୟାମେଲିଆ ସାଇନେସିସ୍’ରୁ ହିଁ ପ୍ରସ୍ତୁତ ହୋଇଥାଏ। ସାଧାରଣତଃ ବ୍ରିଟେନର ଜଣେ ନାଗରିକ ବର୍ଷକୁ ଅନ୍ତତଃ ୧ହଜାର କପ୍ ଚା’ ପିଉଥିବା ବେଳେ ସମଗ୍ର ବିଶ୍ବରେ ବର୍ଷରେ ପ୍ରାୟ ୩.୬ ବିଲିଅନ କପ୍ ଚା’ ବ୍ୟବହାର ହୋଇଥାଏ। ଏବେ ଅନ୍ତତଃ ୫୨ଟି ଦେଶରେ ଚା’ ଚାଷ କରାଯାଉଥିବା ବେଳେ ପୃଥିବୀର ପ୍ରାଚୀନତମ ଚା’ ଗଛ ରହିଛି ଚୀନରେ, ଯାହାର ବୟସ ହେଉଛି ପ୍ରାୟ ୩୨୦୦ ବର୍ଷ। ଚା’ ଏକ ଲୋକପ୍ରିୟ ପାନୀୟରେ ପରିଣତ ହେବାର ବହୁ ଆଗରୁ ଏହାକୁ ଏକ ଔଷଧୀ ଭାବରେ ପ୍ରୟୋଗ କରାଯାଉଥିଲା। ଖାଲି ସେତିକି ନୁହେଁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚା’ ପତ୍ର, ଖାସ୍ କରି ଗ୍ରୀନ୍ ଟି ପତ୍ରକୁ ଏକ ପ୍ରାକୃତିକ ମଶା ନିୟନ୍ତ୍ରଣକାରୀ ଭାବରେ ବ୍ୟବହାର କରାଯାଇଥାଏ। ଚା’ ପତିର ତା’ ଚାରି ପାଖରେ ଥିବା ବିଭିନ୍ନ ବାସ୍ନାକୁ ନିଜ ଭିତରକୁ ଶୋଷି ନେବାର କ୍ଷମତା ଥିବାରୁ ଏହାକୁ ସବୁ ବେଳେ ଏୟାର ଟାଇଟ୍ ଡବା/ପାତ୍ରରେ ସାଇତି ରଖିବା ଉଚିତ। ଆଉ ଏକ ଜାଣିବା କଥା ହେଲା, ବ୍ରିଟିଶ ମାନଙ୍କ ଦ୍ଵାରା ଚା’ ପ୍ରଥମେ ଭାରତକୁ ଆସିଥିଲା। ଚା’ ଉତ୍ପାଦନରେ ଚୀନର ଏକଚାଟିଆ କର୍ତ୍ତୃତ୍ତ୍ବକୁ କ୍ଷୁଣ୍ଣ କରିବା ଉଦ୍ଦେଶ୍ୟରେ ବ୍ରିଟିଶର ମାନେ ପ୍ରଥମେ ୧୮୫୦ ଦଶକରେ ହିମାଳୟର ପାଦଦେଶରେ ଥିବା ଦାର୍ଜିଲିଂ ଓ ଏହା ଆଖପାଖର ପାହାଡ଼ିଆ ଅଞ୍ଚଳରେ ଚା’ ଚାଷ ଆରମ୍ଭ କରାଇଥିଲେ।

ତେବେ ଚା’ ସମ୍ବନ୍ଧରେ ଏତେ କଥାର ଅବତାରଣା ପଛରେ ଯେଉଁ କାରଣଟି ରହିଛି ତାହା ହେଉଛି ଆଜି ହେଉଛି ‘ଅନ୍ତର୍ଜାତୀୟ ଚା’ ଦିବସ। ଜାତିସଂଘର ‘United Nations Food and Agriculture Organization (FAO)’ ଉଦ୍ୟମରେ ୨୦୧୯ ମସିହା ଡିସେମ୍ବର ମାସ ୨୧ତାରିଖରେ ଏହା ସ୍ଥିର କରାଯାଇଥିଲା ଯେ ପ୍ରତି ବର୍ଷ ମେ’ ମାସ ୨୧ ତାରିଖକୁ ଅନ୍ତର୍ଜାତୀୟ ଚା’ ଦିବସ ଭାବରେ ପାଳନ କରାଯିବ। ଏହି ଦିବସ ପାଳନ ପଛରେ ଯେଉଁ ଉଦ୍ଦେଶ୍ୟ ରହିଛି ତାହା ହେଉଛି, ଚା’ର ଦୀର୍ଘ ଓ ପୁରାତନ ଇତିହାସ ତଥା ସାଂସ୍କୃତିକ ମହତ୍ତ୍ଵ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଏହାର ନିରନ୍ତର ଉତ୍ପାଦନ ଓ ଚାହିଦାରେ ବୃଦ୍ଧି ଉଦ୍ଦେଶ୍ୟରେ ନିୟମିତ ଉଦ୍ୟମ ଓ ଏ ଦିଗରେ କାର୍ଯ୍ୟ କରିବା ପାଇଁ ପଦକ୍ଷେପ ନିଆଯିବା। ତା’ ଛଡ଼ା ଦାରିଦ୍ର୍ୟ ଓ କ୍ଷୁଧା ଦୂର କରିବା ଦିଗରେ ଚା’ ଉତ୍ପାଦନ ଭିତ୍ତିକ ଅର୍ଥନୀତିର ଯେ ବହୁ ଗୁରୁତ୍ବ ରହିଛି ସେ ନେଇ ବିଶ୍ଵରେ ସଚେତନତା ସୃଷ୍ଟି କରିବା।

ଅବଶ୍ୟ ୨୦୧୯ ମସିହା ପୂର୍ବରୁ ମଧ୍ୟ ଏକ ଅନ୍ତର୍ଜାତୀୟ ଚା’ ଦିବସ ପାଳନ କରାଯାଉଥିଲା। ୨୦୦୫ ମସିହାରୁ ଭାରତ, ନେପାଳ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ଭିଏତନାମ, ବାଂଲାଦେଶ, କେନିୟା, ମାଲେସିଆ, ଉଗାଣ୍ଡା, ତାଞ୍ଜାନିଆ ଓ ମାଲୱି ଭଳି କେତେକ ମୁଖ୍ୟ ଚା’ ଉତ୍ପାଦନକାରୀ ରାଷ୍ଟ୍ର ପକ୍ଷରୁ ପ୍ରତିବର୍ଷ ଡିସେମ୍ବର ମାସ ୧୫ ତାରିଖକୁ ଅନ୍ତର୍ଜାତୀୟ ଚା’ ଦିବସ ଭାବରେ ପାଳନ କରାଯାଉଥିଲା। ତେବେ ୨୦୧୫ ମସିହାରେ ଭାରତ ସରକାରଙ୍କ ପକ୍ଷରୁ ଏହି ଦିବସକୁ FAO ସହାୟତାରେ ଆହୁରି ବ୍ୟାପକ ଭାବେ ପାଳନ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଶେଷରେ ୨୦୧୯ ମସିହା ଡିସେମ୍ବରରେ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ମେ’ ମାସ ୨୧ ତାରିଖକୁ ଅନ୍ତର୍ଜାତୀୟ ଚା’ଦିବସ ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା। ସମଗ୍ର ବିଶ୍ବରେ ହେଉଥିବା ଚା’ ବ୍ୟବସାୟର ବିଭିନ୍ନ ଚା’ ଉତ୍ପାଦନକାରୀ ସଂସ୍ଥା ତଥା ସେସବୁ ସହ ଜଡ଼ିତ କର୍ମଚାରୀ ଓ ଶ୍ରମିକ ମାନଙ୍କ ଉପରେ କିଭଳି ପ୍ରଭାବ ରହିଛି ସେ ନେଇ ବିଭିନ୍ନ ଦେଶର ସରକାର ଓ ନାଗରିକ ମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସହ କିଭଳି ଭାବେ ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ତଥା କେଉଁ ଭଳି ଭାବେ ସ୍ବଚ୍ଛ ଉପାୟରେ ବ୍ୟବସାୟ କରାଯାଇ ପାରିବ ସେ ନେଇ ଉଦ୍ୟମ ଓ ଉପାୟ କରାଯିବା ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ।

ଭୁବନେଶ୍ୱର

About Preeti Prajna Pradhan

Preeti Prajna Pradhan is a writer based in Bhubaneswar.

View all posts by Preeti Prajna Pradhan →