୨୭୫ଟି ଫେରି ନଥିବା ସ୍ୱପ୍ନ

ନା'!
ଆଉ ଖୋଲିବାକୁ ପଡିବନି
ନୂଆ ନୀଳ ଶାଢ଼ୀର ଜରି -
ପିନ୍ଧି ଝଲସିଥିଲେ,
ଦେଖି ବିଭୋର ହେବା ଲୋକଟା-
ଆଉ ଫେରିବନି ଯେ!
ଭାକ୍!
ବେକାରେ, ବୋଉ ବସି
ବିରି-ଚାଉଳ ଭେଦଉଛି,
ତା' ସରୁ ଚକୁଳିରେ -
କଣା ଗଣି ହିସାବ କରିବା ମଣିଷଟା ବା
ଆଜି ହିସାବ ରଖି ପାରିନି,
ନିଜ ଦେହର ଛିଣ୍ଡି ଯାଇଥିବା ଟୁକୁଡା ସବୁର!
ହଁ!
ରଜଦୋଳି ପାଇଁ ଭାଇ ଯୋଗାଡି ଥିବା
ଦଉଡିଟା-
ଆଜି କାମରେ ଆସିବ ଟିକିକୁ
କାନ୍ଧରେ ବାନ୍ଧି, ଶେଷ ବିଦାୟ ଦେବାକୁ!
ବଢିୟା!
ରାତିରେ ଚାଉଁ ଚାଉଁ-
ନିଦ ଭାଙ୍ଗିବାକୁ ପଡିବନି ଆଉ ବାପାଙ୍କୁ,
ଅପେକ୍ଷା ମାନେ ତାଙ୍କର ଆଜି -
ଧଳା ଚାଦର ତଳେ ଲଅମ୍ବ ହୋଇ ଶୋଇ ଯାଇଛନ୍ତି!
ଦେଖିଲଣି?
ଓଲଟି ପଡିଥିବା ଡବା ତଳେ-
ଚାପି ହୋଇ ଯାଇଥିବା ସ୍ବପ୍ନମାନଙ୍କୁ?
ବର୍ଷେ ଝାଳ ବୁହାଇ ଅଣ୍ଟିରେ ଖୋସିଥିବା ବାସ୍ନାକୁ?
ଶେଷ ଚାନ୍ସ ପାଇଁ କୋଚିଂ ନେଉଥିବା ଆଶାକୁ?
ହାତଗଣ୍ଠି ପକେଇବାକୁ ଆସୁଥିବା ପ୍ରତିଶ୍ରୁତିକୁ?
ଝିଅ ପାଇଁ ନାଁ ଖୋଜୁଥିବା ମନକୁ?
ଗଣି ସାରିଲଣି?
ମୁଣ୍ଡ-ହାତ-ଗୋଡ ନଥିବା ଶରୀର ମାନଙ୍କୁ?
ବୋହି ଯାଇଥିବା ରକ୍ତ ଧାରକୁ?
ଠପ୍ ହୋଇ ଯାଇଥିବା ନିଶ୍ବାସମାନଙ୍କୁ?
ଚୁପ୍ ପଡି ଯାଇଥବା ହୃଦୟ ଆଉ ପାଟିମାନଙ୍କୁ?
ଜାରି କଲଣି?
ମୃତକଙ୍କ ତାଜା ଲିଷ୍ଟ?
ଆହତଙ୍କ ସ°ଖ୍ୟା?
କ୍ଷତି ହୋଇଥିବା ପରିମାଣ?
କ୍ଷତିପୂରଣର ରାଶି?
ଦୋଷୀକୁ ଦଣ୍ଡିତ କରିବା ପ୍ରତିଶ୍ରୁତି?
ଚାଲ ତା' ହେଲେ,
ଏଥର ଫେରିବା -
ନିଜର ବକ୍ତବ୍ୟ ଆଉ
ଉଠେଇଥିବା ଫଟୋ ଅପଲୋଡ଼ କରିବା;
ସବୁ ଉଙ୍କି ମାରୁଥିବା ପ୍ରଶ୍ନମାନଙ୍କୁ-
ନିଦ ବଟିକା ସହ ଢୋକି ଦେବା;
ସବୁ ଅଭିଶାପକୁ ଆଶୀର୍ବାଦ କରି-
ଘୋଡେଇ ହୋଇ,
କର ଲେଉଟାଇବା;
ହେଲେ ସେ ୨୭୫ଟି-
ଫେରିନଥିବା ସ୍ବପ୍ନମାନେ
ଶୋଇବାକୁ ଦେବେ ତ?

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →