ଅଧୀନର କିଛି ଦେବୋତ୍ତର ସଂପତ୍ତି

ଏଇ ଶୀର୍ଷକଟି ଏକ ଚୌର୍ଯ୍ୟବୃତ୍ତି।

“ଅଧୀନର କିଛି ଦେବୋତ୍ତର ସଂପତ୍ତି “
ଏହି ଭଳି ଗୋଟିଏ ଶୀର୍ଷକଟିର ମୂଳ ବଙ୍ଗଳା ଭାଷାରେ ରଚୟିତା ହେଉଛନ୍ତି ବିଶିଷ୍ଟ ଅଜ୍ଞାତ ଭାରତୀୟ ଶ୍ରୀଯୁକ୍ତ ନିରଦ ସି ଚୌଧୁରୀ । ତାଙ୍କର ଶୀର୍ଷକକୁ ଉପସ୍ଥିତ ଚରିତ୍ରଟି ଏଇଠେ ବ୍ୟବହାର କରିବାର କାରଣ ହିସାବରେ ଯାହା ଉପସ୍ଥାପନ କରିବ ତାହା ଅନେକ ପରିମାଣରେ ହାସ୍ୟକର ଶୁଭିପାରେ । ଚରିତ୍ରଟି ର କହିବା ଅନୁସାରେ ତାହାର ଜୀବନର ଯେଉଁ ସାମଗ୍ରିକ ରୂପଟି ଦେଖାଯାଏ ଚଳଣି ହେଉ କି ଚିନ୍ତା ହେଉ ତାହା ସବୁ କାହାରି ନା କାହାରି ଠାରୁ ଚୋରୀମାଲ୍ । ତେଣୁ ଚରିତ୍ରଟି ଏମିତିରେ ଦେଖିବାକୁ ଗଲେ ଚୋରାମାଲର ଏକ ଭବ୍ୟ ଚାଇନା ମାର୍କେଟ୍।

ଚରିତ୍ର ଟି ଭାରି ଯୁକ୍ତିଖୋର୍ । ଚୋରୀ କରିବା ସପକ୍ଷରେ ସେ ଲହୁଣୀ ଚୋରୀଠୁ ଆରମ୍ଭ କରି ନଟୁଚୋରୀ ପର୍ଯ୍ୟନ୍ତ ଶିଶୁକାଳରୁ ପ୍ରାପ୍ତ ବୟସ ଯାଏଁ ନାନାବିଧ ଖେଳରେ ଚୋରି କ୍ରୀୟାର ଧାର୍ମିକ ଉଦାହାରଣ ଦେଇପାରିବ । ପୁଣି ନଜିର ଆକାରରେ ତିନୋଟି ଉଦ୍ଧୃତି ପେଶ୍ କରିବ । ଟି.ଏସ୍.ଇଲିଅଟ୍ କହିଛନ୍ତି,”ଅପରିଣତ କବି ମାନେ ଅନୁକରଣ କରନ୍ତି,ପରିଣତ କବିମାନେ ଚୋରି କରିଥାନ୍ତି ।” ଇଗର୍ ଷ୍ଟ୍ରାଭିନସ୍କି କହିଛନ୍ତି, “ଅଖ୍ୟାତ କଳାକାର ମାନେ ଋଣ ନିଅନ୍ତି କିନ୍ତୁ ବିଖ୍ୟାତ ମାନେ ଚୋରି କରିଥାନ୍ତି।” ସେହି କଥାକୁ ସମାନ ଭାବରେ କହିଛନ୍ତି ମହାନ କଳାକାର ପାବଲୋ ପିକାସୋ, ” ଭଲ କଳାକାର ଅନୁକରଣ କରେ। ବିଖ୍ୟାତ କଳାକାର ଚୋରି କରେ।” ପିକାସୋଙ୍କ ଏଇ ଉଦ୍ଧୃତିଟିକୁ ପ୍ରସିଦ୍ଧ କରିଥିବା କାରଣରୁ ବିଶ୍ୱ ପ୍ରସିଦ୍ଧ ଷ୍ଟିଭ୍ ଜୋଭସ୍ ଚୋରିବିଦ୍ୟାର ଦୃଢ ସମର୍ଥକ ବୋଲି କହିଲେ ଭୁଲ ହେବ ନାହିଁ।

ତେଣୁ “ନେଇ ଆଣି ଥୋଇ ଜାଣିଲେ ଚୋରିବିଦ୍ୟା ଭଲ” ବୋଲି ପ୍ରବାଦ ସହିତ ଏକ ଜେନ୍ ଗୁରୁର ପ୍ରହେଳିକା-କଥା ତଥା “କୋଆଁ” ଟିଏ ଏହିପରି ଅଛି ,”ରାସ୍ତାରେ ତମେ ଯଦି କେଉଁ ସାଧୁକୁ ଦେଖିଲ ତେବେ ତାହାଙ୍କୁ ହତ୍ୟାକର;ଯଦି ବୁଦ୍ଧଙ୍କୁ ଦେଖିଲ ତେବେ ଟିକିଏ ବୋଲି ଡେରିନକରି ଅବିଳମ୍ବେ ହତ୍ୟାକର” କୁ ତାତ୍ତ୍ୱିକ ଭାବରେ ଏକାଠି କରି ଉପସ୍ଥିତ ଚରିତ୍ରଟି ସମସ୍ତ ଚୌର୍ଯ୍ୟବୃତ୍ତିର ଜୟଗାନ ପୂର୍ବକ ଚୌର୍ଯ୍ୟଦେବ କାର୍ତ୍ତିକେୟଙ୍କୁ ସୁମରଣା କରୁଅଛି।

କୁମାର କାର୍ତ୍ତିକେୟ ହେଉଛିନ୍ତି ଦେବତା ମାନଙ୍କ ଭିତରେ ସବୁଠୁ ସୁନ୍ଦର ଆଉ ସେ ତାହା ସହିତ ହେଉଛନ୍ତି ଚୌର୍ଯ୍ୟକର୍ମ ର ଦେବତା । ସେହି କାରଣରୁ ଆମେ ଚୌର୍ଯ୍ୟବୃତ୍ତିକୁ ସୁନ୍ଦରତା ସହ ସଂପର୍କୀକୃତ କରି ଆମର ଚୌର୍ଯ୍ୟକର୍ମଜନୀତ ଅନୁତାପବୋଧରୁ ନିଜକୁ ଦୂରେଇ ରଖିପାରିବା।

ଯାବତୀୟ ଚୋରିମାଲର ଚାଇନା ବଜାର ସ୍ୱରୂପ ଗୋଟିଏ ସାଧାରଣ ଚରିତ୍ରର ଜନ୍ମଦିନ ଗଲା ଡିସେମ୍ବର ପନ୍ଦର ତାରିଖ ଦିନ ପଡିଥିଲା । ଦୃଶ୍ୟ ଅଦୃଶ୍ୟ ବଂଧୁମାନେ ସେହି ସାଧାରଣ ଜନ୍ମଦିନଟିକୁ ଏମିତି ଅସାଧାରଣ ଭାବରେ ସଜାଇଦେଲେ ଯେ ସେଇ ସାଧାରଣ ଚରିତ୍ରଟି ଏକ ପ୍ରକାର ବାକରୁଦ୍ଧ ହୋଇଗଲା। ତାକୁ ଲାଗିଲା ସମସ୍ତଙ୍କୁ ଧନ୍ୟବାଦ ଲେଖିବା କାମଟି ଯେମିତି ଏକ ପ୍ରକାର ଯାନ୍ତ୍ରୀକତାରେ ପରିଣତ ହୋଇଯାଉଛି। କେମିତି ଏହି ଉଦାରତାର ପ୍ରତ୍ୟୁତ୍ତର ଦେଇହେବ ? ଦେଇହେଲା ନାହିଁ।ସାଧାରଣଚରିତ୍ରଟି ଅକ୍ଷମ। ତାହାର ଅକ୍ଷମତାକୁ ସମସ୍ତ ଉଦାର ବଂଧୁମାନେ ବେଶ୍ ଚିହ୍ନିଛନ୍ତି ।

ସମସ୍ତଙ୍କର ଆତ୍ମୀୟତାର ପୃଥିବୀକୁ ନିହାତି ସ୍ୱାର୍ଥପର ଭାବରେ ଭୋଗିବାର ଆନନ୍ଦ, ଏକ ନିରୋଳା ଓ ଭିନ୍ନ ଆନନ୍ଦ । ସେଇ ଆନନ୍ଦର ସୁଯୋଗଟିକକକୁ ବାରଂବାର ପାଇବା ପାଇଁ ଉପସ୍ଥିତ ଚରିତ୍ରର କାମନା ରହିଛି । ତେଣୁ ଏଇ ସ୍ୱାର୍ଥପର ତଥା ଚୋରିମାଲ ଭରା ଭଣ୍ଡାରର ପାଳଭୂତ ଚରିତ୍ରଟି ନିଜର ଜନ୍ମଦିନଟି ସହଭାଗ କରୁଛି ଜଣେ ବିଶ୍ୱବିଖ୍ୟାତ ସ୍ୱାର୍ଥପର ନିର୍ମମ ନରପତି ଙ୍କ ସହ ଯାହାଙ୍କୁ ଆପଣମାନେ ସବୁବେଳେ ଅଶ୍ରଦ୍ଧାର ସହ ସ୍ମରଣ କରନ୍ତି । ସେ ହେଉଛନ୍ତି ରୋମୀୟ ସମ୍ରାଟ “ନିରୋ” ।

ଆପଣମାନଙ୍କର ସହୃଦୟତାର ପୃଥିବୀକୁ ନିରଙ୍କୁଶ ଭୋଗିବାର ସ୍ୱାର୍ଥପରତା କୁ ଚରିତ୍ରର ମହାର୍ଘ ଦେବୋତ୍ତର ସଂପତ୍ତି ବୋଲି ଚୋରିକରା ଭାଷାରେ କହିଲେ ସେତେ ଭୁଲ୍ ହେବ ନାହିଁ ।

ଏବେ ଆଉ ଗୋଟିଏ ଦେବୋତ୍ତର ସଂପତ୍ତିର କଥା। ଆଜି।

ଚରିତ୍ରଟି ଅନେକ ବର୍ଷ ତଳେ ଅର୍ଥାତ୍ ୧୯୯୭ ମସିହାରେ ଜୀବନର ଯେଉଁ ସର୍ବପ୍ରଥମ ଆନୁଷ୍ଠାନୀକ ସ୍ୱୀକୃତି ଟି ନିଜର ସାରସ୍ୱତ କର୍ମ ପାଇଁ ଗ୍ରହଣ କରିବାର ସୁଯୋଗ ପାଇଥିଲା ତାହା ହେଉଛି “ଅଖିଳମୋହନ ସ୍ମୃତି ସମ୍ମାନ” । ଓଡିଆ କଥାସାହିତ୍ୟର ବିଚିତ୍ର ବିନ୍ଧାଣୀ ଅଖିଳମୋହନଙ୍କ ସ୍ମୃତି ସହିତ ଜଡିତ ଏଇ ସମ୍ମାନଟିକୁ ଉପସ୍ଥିତ ଚରିତ୍ର ତାହାର ମହାର୍ଘ ସଂପଦ ବୋଲି ସବୁବେଳେ ବିଚାର କରିଆସିଛି।

ସେଦିନ କଥାକାର ଅଖିଳମୋହନଙ୍କ ସତୁରି ତମ ଜନ୍ମଦିବସରେ ଏଇ ସମ୍ମାନର ମୁକୁଟଟିରେ ଅଭିଷିକ୍ତ ହେବା ସମୟରେ ଏଇ ସାଧାରଣ ଚରିତ୍ର ଯାହା ଉପସ୍ଥିତ ସୁଧୀବୃନ୍ଦଙ୍କ ସାମ୍ନାରେ କହିଥିଲା ତାହା ଆପଣମାନଙ୍କ ସାମ୍ନାରେ ରଖୁଛି।

” ସୁଧୀବୃନ୍ଦ

ଆଜି ସଂଧ୍ୟାଟି ବିଶିଷ୍ଟ ଓଡିଆ କଥାଶିଳ୍ପୀ ଅଖିଳମୋହନଙ୍କ ସ୍ମରଣ ପାଇଁ ଉଦ୍ଦିଷ୍ଟ। ଏଥିରେ ମୁଁ ସାମାନ୍ୟ ଏକ ଉପଲକ୍ଷ ମାତ୍ର।ସଚରାଚର ସମସାମୟିକ କଥାକାରଗଣ ଗୋଟିଏ ଦୃଷ୍ଟିରୁ ଦେଖିଲେ ସେମାନଙ୍କର ପୂର୍ବଜ କଥାକାରମାନଙ୍କର ଉପଲକ୍ଷ ହିଁ ହୋଇଥାନ୍ତି ।ଏବଂ ଏହାଦ୍ୱାରା କଥା ସାହିତ୍ୟର ପ୍ରବହମାନତା ହିଁ ନିରୂପଣ କରାଯାଇଥାଏ।ଓଡିଆ କଥା ସାହିତ୍ୟର ଜଣେ ବିଶିଷ୍ଟ ସ୍ଥପତି ଅଖିଳମୋହନଙ୍କର ସ୍ମରଣ ପର୍ବରେ ମୁଁ ସାମାନ୍ୟ ଏକ ଉପଲକ୍ଷର ଭୂମୀକା ଆଜି ନିର୍ବାହ କଲାବେଳେ ଅତ୍ୟନ୍ତ ଆନନ୍ଦିତ।ମୋତେ ଯେଉଁମାନେ ଏଇଭଳି ଏକ ଭୂମୀକା ପାଇଁ ଚୟନ କରିଛନ୍ତି ମୁଁ ସେମାନଙ୍କୁ ମୋର କୃତଜ୍ଞତା ଜଣାଉଛି।

କଥାଟିଏ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମିଛ।କଥାକାର ଗୋଟିଏ ଚରିତ୍ରକୁ ଯେତେବେଳେ ନାମକରଣ କରିଦେଲା ସେତେବେଳେ ଆପଣମାନେ ତା’କୁ ରକ୍ତମାଂସର ବାସ୍ତବ ଚରିତ୍ର ବୋଲି ଭାବିଲେବି ଆପଣଙ୍କର ପୃଥିବୀରେ ତାହାର ସ୍ଥିତି ସଂପର୍କରେ ପ୍ରଥମରୁ କିଛି ପରିମାଣରେ ସଂଦିହାନ ହେଲେ।ସେହି ଚରିତ୍ରଟି ଯେମିତି ଆଉ କେଉଠୁ ଆପଣ ମାନଙ୍କ ପାଖକୁ ବୁଲିବାକୁ ଆସିଛି।ତେଣୁ ସେହି ଚରିତ୍ରର ସ୍ଥିତି ଅନ୍ୟତ୍ର ରହିଛି।ଆଉ ତାହାପରେ କଥାକାର ସେହି ମିଛ ଚରିତ୍ରକୁ ନେଇ ମିଛ ସଂପର୍କ ଯୋଡିଲା।ମିଛ ପରିବେଶ ନିର୍ମାଣ କଲା।ମିଛ ଘଟଣା ଘଟାଇଲା।ଏବଂ କିଛି ପୃଷ୍ଟା ପରେ ପରିଣତି ବୋଲି ଯେଉଁ ସ୍ଥାନରେ ସେଇ ମିଛ ଚରିତ୍ରକୁ ଛାଡିଦେଲା ତାହାବି ଏକ ମିଛ।(ପୃଥିବୀଟି କାହାଣୀମୟ ବୋଲି ହୁଏତ ଆମେ କହୁ ମିଛ ମାୟା ସଂସାର !)ଜଣେ କଥାକାର ସହ ଆପଣଙ୍କର ବିଚିତ୍ର ଭ୍ରମଣ ଗୋଟିଏ ମିଛ ସୁଡଙ୍ଗ ରେ କିଛିସମୟ ଘଟିଥାଏ।ମିଛସୁଡଙ୍ଗର ଶେଷରେ ଜଣେ ବିଫଳ କଥାକାର ର କ୍ଷେତ୍ରରେ ଆପଣଙ୍କର ସ୍ୱତଃସ୍ଫୃର୍ତ୍ତ ମନ୍ତବ୍ଯ ହୋଇଥାଏ,ହଁ ମ,କ’ଣ ଅଛି ଏଥିରେ ?କିନ୍ତୁ ଜଣେ ସଫଳ କଥାକାରର କ୍ଷେତ୍ରରେ ସେହି ମିଛ ସୁଡଙ୍ଗକୁ ଅତିକ୍ରମ କରିବାର ପଶ୍ଚାତ ଓ ଆପଣମାନଙ୍କର ନିଜ ପୃଥିବୀକୁ ପ୍ରବେଶ କରିବାର ଠିକ୍ ପ୍ରାକ୍ କାଳରେ ଆପଣ ଅନୁଭବ କରନ୍ତି ଯେ ଏହାଠାରୁ ଅଧିକ ନିରାଟ ସତକଥା ଆଉ କିଛି ଘଟିନାହିଁ କିଛି ସମୟ ଆଗରୁ ଆପଣଙ୍କର ନିଜର ବିଶ୍ୱସ୍ତ ଜାଗତିକ ପୃଥିବୀରେ।ସେହି ଆବେଶ ଟିକକରୁ ଆପଣଙ୍କର ନାନାବିଧ ପାର୍ଥିବ ସଂପର୍କ ଆହୁରି ଗଭୀର ହୁଏ।ଆରଂଭରୁ ଶେଷ ଯାଏଁ ଗୋଟିଏ କଥାର ଏମିତି ମିଛକୁ ଆଧାର କରି ତିଷ୍ଠି ରହିବା ହିଁ ତାହାର ସବୁଠୁ ବଡ ଆଶ୍ଚର୍ଯ୍ୟଜନକ ସଫଳତା।ଏହି ପ୍ରସଂଗରେ ଫକୀରମୋହନଙ୍କ ଏକ ଅଳ୍ପଖ୍ୟାତ ଗଳ୍ପ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛି।ଗଳ୍ପଟିର ଶୀର୍ଷକ “ଅଜା-ନାତି”। ଗପରେ “ଅଜା” ଚରିତ୍ରଟି ଏକ ସାହିତ୍ୟ ପତ୍ରିକାକୁ ଭାବିନେଇଛି ଏକ ଗେଜେଟ୍ ବୋଲି ଏବଂ ସେଥିରେ ବାହାରୁଥିବା ସବୁ ଘଟଣା ସତ ବୋଲି ତାହାର ବଦ୍ଧମୂଳ ଧାରଣା ରହିଅଛି।”ନାତି”ବୋଲି ଚରିତ୍ରଟି କିନ୍ତୁ ତାହାକୁ ବୁଝାଉଛି ଯେ ସେଇଟି ହେଉଛି ଗୋଟିଏ ସାହିତ୍ୟ ପତ୍ରିକା ଆଉ ସେଥିରେ ଯାହା ବାହାରେ ତାହା ଗପ ଓ ମିଛ।ଫକୀରମୋହନଙ୍କ ଏଇ କାହାଣୀଟି କେବଳ ନାତିଟି ଅଜାକୁ ସତ-ମିଛ କ’ଣ ତାହା ବୁଝାଇବାର ଏକ ପରୀକ୍ଷାଧର୍ମୀ ପ୍ରତି-ଗଳ୍ପ।ନାତି ଯେତେବେଳେ ସାହିତ୍ୟ ପତ୍ରିକାରେ ମିଛ ଗପ ବାହାରିଛି ବୋଲି କହିଛି ,ଅଜା ଚରମ ପ୍ରଶ୍ନ ଟିଏ କରିଛି।ଏହି ଭଳି ମିଛ ପଢି ଲାଭ କ’ଣ?ବରଂ ଶାହାସ୍ତ୍ର ପଢିଲେ ଲାଭ ଅଛି।ନାତି ଉତ୍ତରରେ କହିଛି,ଶାହାସ୍ତ୍ରରେ ଯାହା ଲେଖାଅଛି ତାହାବି ମିଛ।ମୋକ୍ଷମ ଉଦାହାରଣ ଟିଏ ଥୋଇଛି ସେ।କହିଛି,କଂସରାଜା ମରିଗଲା ପରେ ଯଦି ତାହାର ଶବ ଚଉଦଯୋଜନ ବ୍ୟାପୀ ଜାଗାରେ ପଡିରହିଥିଲା ବୋଲି ଶାହାସ୍ତ୍ର ଲେଖିଛି ତେବେ ମଥୁରା କଟକ ଭଳି ଛୋଟ ରାଜ୍ୟର ପ୍ରଜାକୂଳ ବଂଚି ରହିଲେ କେମିତି?ଅଜା ଏହାପରେ ଆନ୍ଦୋଳିତ ହୋଇଛି।ଚିନ୍ତିତ ଦେଖାଯାଉଛି।ନାତି ଉପସଂହାରରେ କହିଛି,କଥାରେ ହେଉ କି ଶାହାସ୍ତ୍ରରେ ହେଉ ଏମିତି ସବୁବେଳେ ମିଛ କୁହାଯାଏ ଏବଂ ମିଛ କହିକହି ସତକୁ ଆବିଷ୍କାର କରାଯାଇଥାଏ।

କଥାର ସ୍ଥାପତ୍ଯ ଏହିଭଳି ମିଛ।ଅତ୍ୟନ୍ତ ନିଷ୍ଠାର ସହ ଜଣେ କଥାକାର ତାହାର ଜାଗତିକ ପରିବେଶରୁ ଯାହାକିଛି ଆହରଣ କରେ ତାହାକୁ ମିଛକରି ଥୋଇଦିଏ ତାହାର କଥାରେ।କୌଣସି କଥାକାରର ଚିନ୍ତାଚେତନା ବା ତାହାର ବାସ୍ତବ ଜୀବନର ସଂଳାପ ସବୁ ସୁସ୍ଥ ସୁନ୍ଦର ବାକ୍ୟ ଅନୁଯାୟୀ ନିୟମମାଫିକ୍ ତର୍କ ଅନୁସାରେ ହୋଇନଥାଏ ।ସେଇ ସବୁ କେବେହେଲେ ସଜଡା ହୋଇ ଆସିନଥାଏ ଯାହା ଆମେ କଥାରେ ଦେଖୁ ବା ଚରିତ୍ରର ମୁହଁରୁ ଶୁଣୁ।ଶବ୍ଦ ପରେ ଶବ୍ଦ।ବାକ୍ୟ ପରେ ବାକ୍ୟ।ସୁସଜ୍ଜିତ।କିନ୍ତୁ ସେହି କଥାକାରର ଚିନ୍ତାଚେତନା ସବୁ ମିଛ ରୂପ ନିଏ କଲମକାଗଜର ପୃଷ୍ଠାରେ ସେଇଥିପାଇଁ ଏବଂ ପଠନଯୋଗ୍ୟ ଓ ସୁସଜ୍ଜିତ ହୋଇଥାଏ ପାଠକ ନିକଟରେ।ଏହିଭଳି କଥାର ଯେଉଁ ମିଛ ସ୍ଥାପତ୍ୟ ସେଥିରେ ପ୍ରକୃତ ଆରଂଭ ବା ପ୍ରକୃତ ଶେଷ ବୋଲି କିଛି ନାହିଁ।ଜଣେ କଥାକାର ଗୋଟିଏ ଚରିତ୍ରର ଜନ୍ମଠାରୁ ମୃତ୍ୟୁର ବିବରଣୀ ପ୍ରଦାନ କରିଥାଏ ତାହାର ଲିଖିତ ଗୋଟିଏ କଥାର ପରିସରରେ।କିନ୍ତୁ ସାମଗ୍ରିକ ଉପଲବ୍ଧିର ପରିପ୍ରେକ୍ଷୀରେ ତାହା କୌଣସି ବିଧିବଦ୍ଧ ଆରଂଭ ବା ବିଧିବଦ୍ଧ ଶେଷ ନୁହଁ।କେବଳ ମଧ୍ୟବର୍ତ୍ତୀ ଅଂଶ।ସମଗ୍ର କଥା ବୋଇଲେ ଯାହା ପାଠ କରାଯାଏ ତାହା କେବଳ ଗୋଟିଏ ମିଛ ଆରଂଭ ଓ ମିଛ ଶେଷ।ଏଥିରେ ସତ କଥାଟି ହେଉଛି ଯେ କଥାକାରର ଲିଖିତ କଥାଟି ହେଉଛି କୌଣସି ଘଟଣାର ମଝିରୁ ଆରମ୍ଭ ହୋଇ ଶେଷ ହୋଇଥାଏ ମଝିରେ।ସବୁ କଥାକାର ଦେଖିବାକୁ ଖଲେ ଏମିତି ଗୋଟିଏ ମଧ୍ୟବର୍ତ୍ତୀ ଅଂଶରେ ବାସ କରନ୍ତି।

ଆଜି ସଂଧ୍ୟାରେ କଥାକାର ଅଖିଳମୋହନଙ୍କୁ ସ୍ମରଣ କଲାବେଳେ ମୋର ମନେହେଉଛି ଯେ ସେହି ବିଶିଷ୍ଟ ସ୍ଥପତି ଯେଉଁ ମଧ୍ୟବର୍ତ୍ତୀ ଅଂଶରେ ବାସ କରୁଥିଲେ ତାହା ଓଡିଆ କଥା ସାହିତ୍ୟର ଏକ ସଂଧୀକ୍ଷଣର ସମୟ।ଅଖିଳମୋହନଙ୍କ ଚରିତ୍ର ସବୁ ସାମାଜିକ ନିୟନ୍ତ୍ରଣରୁ ନିଜକୁ ମୁକ୍ତ କରି ନିଜର ବ୍ୟକ୍ତିସତ୍ତାକୁ ଜାହିର୍ କରିବା ପାଇଁ ଚେଷ୍ଟିତ ଥିଲେ।ତାଙ୍କର ପୂର୍ବ କଥାକାରଗଣ ମଣିଷକୁ ପୂର୍ଣ୍ଣ ମାତ୍ରାରେ ସାମାଜିକ ରୂପରେ ଚିତ୍ରଣ କରୁଥିଲେ ତାହାର ନୈତିକ ଏବଂ ଅନ୍ତର୍ଜୀବନର ଭିତ୍ତିଭୂମୀରେ।କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠିତ ହେଲା।ମଣିଷର ବ୍ୟକ୍ତିଗତ ଜୀବନ ଏବଂ ବସ୍ତୁଗତ ଚେତନାର ବିଶ୍ଳେଷଣ କରାଗଲା ପରବର୍ତ୍ତୀ ପର୍ଯ୍ୟାୟରେ ।ଅଖିଳମୋହନଙ୍କ କଥାସାହିତ୍ୟରେ ଦୃଢ ବ୍ୟକ୍ତି ସତ୍ତାର ଯେଉଁ ପ୍ରତିଫଳନ ଘଟିଥିଲା ତାହା ପରବର୍ତ୍ତୀ କାଳରେ ବିଶେଷ ସ୍ୱତନ୍ତ୍ର ରୂପ ନେଇଛି।ବର୍ତ୍ତମାନର କଥାକାହାଣୀରେ ଚରିତ୍ର ନିଜର ସାମଗ୍ରିକ ଅନୁଭବକୁ ସଠିକ ଭାବରେ ବ୍ୟକ୍ତ କରିପାରୁନାହିଁ।କଥାକାରର ସେଇଭଳି ଏକ ନିପାରିଲା ପଣରେ ଆଜିର କଥାସାହିତ୍ୟ ରୂପବନ୍ତ।

ଆମେମାନେ ସାଧାରଣତଃ କଥାଟିଏର ମୁଦ୍ରିତ ରୂପ ପାଠ କରିଥାଉ।କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ କଥାର ସେହି ସ୍ୱରୂପଟି କ’ଣ ? ସ୍ୱରୂପ କହିଲେ ଏଇଠି କହିବାକୁ ଚାହୁଁଛି ଯେ ଏହା ମାନେ କଥାଟି ଗୋଟିଏ ଚରିତ୍ର ସଂପର୍କରେ ଏକ ଅନୁସଂଧାନାତ୍ମକ ବିବରଣୀ ?ନା,କିଛି ଘଟଣାର କୌଣସି ଏକ ଫୁଟବଲ୍ ଖେଳ ପରି ଏକ ଧାରାବିବରଣୀ ?ଏହା ଜଣକର ଆତ୍ମଜୀବନୀର କିଛି ଅଂଶ ,ନା ଜଣକର ଅନ୍ୟମାନଙ୍କୁ କହୁଥିବା କିଛି ସଂଳାପ ? ଏମିତିବି ହୋଇପାରେ ଲିଖିତ କଥାଟି ଠିକ୍ ଯେପରି ଜଣକର ଚେତନା ସହ ଆମର ଅର୍ଥାତ୍ ପାଠକର କାନ ସହିତ ସଂଯୁକ୍ତ ହୋଇଛି ୱାକମ୍ୟାନ୍ ର ଦୁଇଟି ତାର ପରି କିଛି ତାରରେ।ଆଭେ ଯେମିତି ଜଣକର ଚେତନାକୁ ଶୁଣୁଛୁ ସିଧାସଳଖ ତାହାର କଥାରେ। ଲିଖିତ କଥାର ଏହିଭଳି ବିଭିନ୍ନ ରୂପ ଭିତରୁ ଆମର କଥାସାହିତ୍ୟରେ ବିବରଣୀମୂଳକ ରଚନା ହିଁ ବିଶେଷ ପ୍ରାଧାନ୍ୟ ପାଉଛି।ତାହା ଫଳରେ ଆଉ ଯାହା ହେଉନା କାହିଁକି ପାଠକମାନେ ପାଠକ ମାନେ ନିଷ୍କ୍ରିୟ ହେବାକୁ ବସିଛନ୍ତି।କଥାକାର ତାହାର ବିବରଣୀମୂଳକ ଲିଖିତ କଥାରେ ସବୁ ଜିନିଷକୁ ବୁଝାଇ ଦେବାକୁ ବସିଛି, ଯେମିତି ଏକ ପ୍ରବଂଧରେ ଯାହା କରିବାର କଥା, ସେଇଭଳି ।ତେଣୁ ପାଠକକୁ କିଛି କରିବାକୁ ପଡୁନାହିଁ ।ଦୁଇଆଖିରେ ଖାଲି ଗୋଗ୍ରାସରେ ଗିଳିଯିବା କଥା ଯାହା ସାମ୍ନାରେ ରହିଛି।ପରେ ତାହାକୁ ପାକୁଳି କରାଯାଉଛି କି ନାହିଁ ତାହା ମୂଖ୍ୟ ପ୍ରସଂଗ।କୌଣସି କଥାସାହିତ୍ୟର ସମୃଦ୍ଧି ପାଇଁ କିଛି ସକ୍ରୀୟ ପାଠକ ଅର୍ଥାତ୍ ପରେ ପାକୁଳୀ କରିବା ଭଳି ପାଠକ ସୃଷ୍ଟି ହେବାର ଆବଶ୍ୟକତା ରହିଛି।ବିଶେଷତଃ ଆନ୍ତର୍ଜାତିକ କଥାସାହିତ୍ୟରେ ଯେତେବେଳେ spatial form ର ପ୍ରାଧାନ୍ୟ। spatial form କହିଲେ ଅନେକ ଅନ୍ତଃସଂଲଗ୍ନ ଚିତ୍ରରୂପ ବା ମୋଟିଫ୍ ଦ୍ୱାରା ରଚନାକୁ ଏକ ନୀରବ ଐକ୍ୟ ପ୍ରଦାନ କରିବା ।ସେହି ନୀରବ ଐକ୍ୟ ଗୋଟିଏ ରଚନାକୁ ବାରଂବାର ପଢିବା ଦ୍ୱାରା ସଂଭବପର ହୋଇଥାଏ।ଏଥିରେ ପାଠକ ହଠାତ୍ କିଛି ଆବିଷ୍କାର କରିପାରିବାର ଉତ୍ତେଜନାରେ ଆବିଷ୍ଟ ହୋଇଥାଏ।କିନ୍ତୁ ବିବରଣୀମୂଳକ ସ୍ଥାପତ୍ୟରେ ପାଠକ ସେହି ଉତ୍ତେଜନା ଟିକକରୁ ବଂଚିତ ହେଉଛି।ଏବଂ ପାଠକ କଥା ପାଠ କଲା ପରେ ପଠିତ କଥାକୁ ଭୁଲି ଯାଉଛି ଆଉ ଭୁଲି ଯାଉଛି କଥାକାରକୁ।

ଆଗରୁ କହିଛି କଥାର ସ୍ଥାପତ୍ୟ ମିଛ।ମିଛର ନିର୍ମାଣ ।ମିଛର ନିର୍ମାଣ ଯଦି ଅତି ସହଜରେ ହୋଇଗଲା ତାହାହେଲେ ସେହି ମିଛଟି ଅଳ୍ପସ୍ଥାୟୀ ହୁଏ।ତେଣୁ ଆମର କଥାସାହିତ୍ୟରେ ଦୀର୍ଘକାଳ ବଂଚିରହିବାର ମିଛ ନିର୍ମାଣ ହେବା ଆବଶ୍ୟକ।ଶେଷରେ ଏତିକି ସତ କଥା କହିବାର ଧୃଷ୍ଟତା ରଖୁଛି।

ନମସ୍କାର। “

ଉପସ୍ଥିତ ଚରିତ୍ର ର ଆଉ ଏକ ଦେବୋତ୍ତର ସଂପତ୍ତିର କଥା ଏଇଠି ସରିଲା । ସରିଲା ପରେ ଫୁଲଗଛକୁ ଆଉ ଆଜି କିଏ ମାରିବାକୁ ଦେବ ଯେ?

ଅନେକ ବର୍ଷ ତଳର ଏଇ ଲେଖାଟି ସେଦିନ ଗୋଟିଏ ମୁଦ୍ରିତ ରୂପରେ ସଭାସ୍ଥଳରେ ବିତରିତ ହୋଇଥିଲା । ସେଇ ମୁଦ୍ରିତ ରୂପଟି ଆଜି ଚରିତ୍ର ପାଖରେ ନାହିଁ । ତାହାର ପ୍ରାଥମିକ ହାତ ଲେଖାଟି ଯେ ଯତ୍ନର ସହ ସଂରକ୍ଷିତ ହୋଇରହିଥିଲା ତାହାବି ନୁହଁ । ଏଇ ଲେଖକଟି ସ୍ୱାର୍ଥପର ଆଉ ମିଥ୍ୟାବାଦୀ ହେବା ସହ ଆଉ ଗୋଟିଏ ଦୁର୍ଗୁଣରେ ବି ବିଭୂଷିତ । ତାହା ହେଉଛି ଅହଂକାର । ତାହାର ଅହଂକାର ଟି ଏତେ ପ୍ରବଳ ଯେ ସେ ଭାବେ ତାହାର ଲେଖାମାନେ ଅତ୍ୟନ୍ତ ମୂଲ୍ୟବାନ ହୋଇଥିବାରୁ ଅନ୍ୟମାନେ ତାହାକୁ ସୁରକ୍ଷିତ କରି ରଖିଥିବା ଭଳି କାରଣ ରୁ ସେ ନିଜେ ତାହାର କୌଣସି ଯତ୍ନ ନେବା ବାଂଛନୀୟ ନୁହଁ ।

ଏଇ ଲେଖାଟି ଅନ୍ୟ କାହାର ଯତ୍ନର ସୌଜନ୍ୟରୁ ମିଳିନାହିଁ । ସରକାରୀକର୍ମରୁ ସେବାନିଃବୃତ୍ତ ଏଇ ଚରିତ୍ର ର ଏହି ଲେଖାଟି ହଠାତ୍ ଇୟୁରେକା କ୍ଷଣ ଭଳି ପ୍ରକଟ ହୋଇଥିଲା ତାହାର ଏକ ଡୁପ୍ଲିକେଟ୍ ସର୍ଭିସ୍ ବୁକ୍ ଭିତରୁ । ସେହି ଡୁପ୍ଲିକେଟ୍ ସର୍ଭିସ୍ ବୁକ୍ କହିବାକୁ ଗଲେ ନାମକୁ ମାତ୍ର ଡୁପ୍ଲିକେଟ୍ ସର୍ଭିସ୍ ବୁକ୍ । ସେଥିରେ ଲେଖାହୋଇଛି ମାତ୍ର ଦୁଇଟି ପୃଷ୍ଠା । ଯଦି ହଜାରେ ବର୍ଷପରେ ଉପସ୍ଥିତ ଚରିତ୍ରଟି ଏକ ଐତିହାସିକ ଚରିତ୍ର ହୋଇଯାଏ ତେବେ ତାହାକୁ ନେଇ ଗୋଟିଏ ବିବାଦ ଥୟ । ଏଇ ଡୁପ୍ଲିକେଟ୍ ସର୍ଭିସ୍ ବୁକ୍ ଆଧାରରେ କେହି ବିଦ୍ୱାନ ଗବେଷକ ସେତେବେଳେ କହିପାରନ୍ତି ଯେ ଶ୍ରୀ ଅମୁକ ପୂରା ସରକାରୀ କାମ କରି ଅବସର ନେବା କଥାଟି ମିଛ । ସେ ମାତ୍ର ଛଅ ବର୍ଷ ର ସରକାରୀ ଚାକିରୀ କରି କୁଆଡେ ଉଭାନ୍ ହୋଇଗଲେ ତେଣୁ ଶ୍ରୀ ଅମୁକ ପ୍ରକୃତରେ ଜଣେ ବ୍ୟକ୍ତି ହୋଇ ନପାରନ୍ତି। ତେଣୁ ଏହି ନାମଧାରୀ କୌଣସି ଦ୍ୱିତୀୟ ବ୍ୟକ୍ତିଙ୍କର ଯଥାଯଥ ଅନୁସନ୍ଧାନ କରାଯିବା ବିଧେୟ।

ହଜାର ବର୍ଷ ଆଗର ସଂଭାବିତ ଗବେଷଣାରୁ ଏବେ ସ୍ୱସ୍ଥାନକୁ ପ୍ରତ୍ୟାଗମନ କରିବା।

୧୯୯୭ ସାଲର ଏଇ ଗଳ୍ପଭାବନା ଉପସ୍ଥିତ ଚରିତ୍ର ର ସହିତ ଏବେବି ମହଜୁଦ । ତେଣୁ ସେ ଏହାକୁ ଅବିକଳ ସେମିତି ସହଭାଗ କରିବାକୁ ଇଛା ପ୍ରକଟ କରୁଛି।

ଶେଷରେ କହିବାକୁ ଗଲେ ଆମର ପ୍ରିୟ ପୃଥିବୀ ସବୁଦିନ ଏମିତି ଉତ୍ସବ ମୁଖର ନୁହଁ । ଏବଂ ଆମେ ଏହି ଭଳି ଗୋଟିଏ ସୁନ୍ଦର ପୃଥିବୀରେ ସର୍ବଦା କିଛିକିଛି ଅସୁନ୍ଦରତାକୁ ଦାନ୍ତକାମୁଡି ପଡିରହିଥାଉ। ଉପସ୍ଥିତ ସ୍ୱାର୍ଥପର,ମିଥ୍ୟାବାଦୀ ଆଉ ଅହଂକାରୀ ଚରିତ୍ର ଟି ସମେତ ଅନ୍ୟ ସମସ୍ତଙ୍କର ତେଣୁ ସମାନଭାବରେ ଭଲ କଥା କିଛି କହିପାରିବାର ସାମର୍ଥ୍ଯକୁ ଅସ୍ୱୀକାର କରାଯାଇପାରିବ ନାହିଁ । ତେଣୁ ଏହିଭଳି ଏକ କାହାଣୀର ସବାଶେଷରେ ଯେଉଁ ଫୁଲଗଛଟି ଆପଣଙ୍କୁ ଯଦି କେଉଁ ଅଧାଫାଙ୍କ ଝର୍କା ଭିତରୁ ଉଙ୍କି ଦେଉଥିବାର ଦେଖାଯାଏ ତାହାକୁ ବଂଚେଇରଖିବାର ଦାୟିତ୍ୱ ଆପଣମାନଙ୍କର ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →