କବିତାର କଳ୍ପନା ଓ ଆଲୋଚନା


ଆସନ୍ତୁ ଭେଟିବା ମହାନ କାଳ୍ପନିକ ଦୃଶ୍ୟକୁ।

ଏଇ ଦେଖନ୍ତୁ କାନ୍ଥ। କାନ୍ଥରେ ଝୁଲିଛି ଗୋଟେ କ୍ୟାଲେଣ୍ଡର।କ୍ୟାଲେଣ୍ଡରରେ ଦିଶିଲା କି ଚିତ୍ର! ମନେ ପକାନ୍ତୁ କେତେ କେତେ ବର୍ଷ କୋଉଠି କୋଉଠି ଦେଖିଛନ୍ତି ଏ ଚିତ୍ର !

ଅନନ୍ତ ଶୟନରେ ବିଷ୍ଣୁ। ବୀଣା ବାଦନ ମୁଦ୍ରାରେ ସରସ୍ଵତୀ। ମଗ୍ନା। ଲକ୍ଷ୍ମୀ ବେଶ୍ ସ୍ଥିରା। ଶେଷନାଗଙ୍କ ଛାତ ଚଳେ, ଟାଣ କୋମଳ ଗଦିରେ, ସମୁଦ୍ରର ଶୀତଳ ପବନରେ, ସହାସ୍ୟ ବଦନରେ ଶୋଇଛନ୍ତି ବିଷ୍ଣୁ ଓ ନାଭିରୁ ଅଙ୍କୁରିତ ପଦ୍ମନାଡ଼, ଉଠିଛି ଉର୍ଦ୍ଧ୍ବକୁ, ଫୁଟିଛି କମଳ ଓ ତା’ ଉପରେ ବସିଛନ୍ତି ବ୍ରହ୍ମା ଅର୍ଥାତ୍ ପ୍ରଜାପତି ! ସୃଷ୍ଟି କର୍ତ୍ତା? ସୃଷ୍ଟି କର୍ତ୍ତାଙ୍କ ସୃଷ୍ଟି କର୍ତ୍ତା: (ଜେଜେ?) ଶୋଇଛନ୍ତି !
ଏଇ ସୁଦୃଶ୍ୟ ଚିତ୍ରଟିକୁ କବିତାର ମାର୍ଗରେ ଦେଖିବା।

ସରସ୍ବତୀ, ଯିଏ ବୀଣାଧାରୀ, ବଜଉଛନ୍ତି ବୀଣା- ସିଏ, ସ୍ବୟଂ ଶବ୍ଦ !ଲକ୍ଷ୍ମୀ, ବିତ୍ତେଶ୍ବରୀ, ଯିଏ ଶାନ୍ତ ହେଇ ବସିଛନ୍ତି -ସିଏ, ସ୍ବୟଂ ଅର୍ଥ ଅର୍ଥାତ୍, କବିତାର ଦୁଇ ତୁଳସୀ ପତ୍ର: ଶବ୍ଦ ଓ ଅର୍ଥକୁ ପାଖରେ ରଖିଛନ୍ତି ସ୍ବୟଂ କବି, ବିଷ୍ଣୁ !

ସାଧାରଣତଃ, କୁହାଯାଏ ଯେ ଲକ୍ଷ୍ମୀ ଚଂଚଳା। ଅର୍ଥ (ଟଙ୍କା ହିସାବରେ) କା’ ପାଖରେ ସ୍ଥିର ନୁହନ୍ତି। କିନ୍ତୁ, ସରସ୍ଵତୀ କୋଉ ଭଦ୍ରା ? ସିଏ ବି ଚଂଚଳା। ସିଏ ବି କୋଉ ଜଣକ ପାଖରେ ସ୍ଥିର ହେଇ ରହନ୍ତି ଯେ ! ଦୁଇ ଚଂଚଳାଙ୍କୁ ଧରି ସଂସାର ଓ ସର୍ଜନା ଉଭୟ କାର୍ଯ୍ୟଟି ସୁଚାରୁ ରୂପେ ଚଳେଇଛନ୍ତି ବାବୁ ବିଷ୍ଣୁ ! ନୁହେଁ? ସ୍ଥିରଠୁ ସ୍ଥିର ! ଅସ୍ଥିର ହେଲେଘର ଯିବ ଓ ସର୍ଜନା ବି ଅସମ୍ଭବ। ଏଇ ସ୍ଥିରତା, ଧେର୍ଯ୍ଯ, ସଂଭାଳପଣକୁ କୁହାଯାଇପାରେ କବିର ମହାଯୋଗ; ଯା’ ବିଷ୍ଣୁଙ୍କର ଯୋଗ ନିଦ୍ରା ସ’ ସମାନ।

ଅନୁମାନ କରାଯାଉ, ସମୟ ଆସି ଉପସ୍ଥିତ ବା ଆସନ୍ନ ସର୍ଜନାର। ଆଉ,ଏ ମଗ୍ନ କାଳରେ, ଏ ମହାଯୋଗ ସମୟରେ ଦିଶୁଛି ବିଷ୍ଣୁ ଓରଫ କବିଙ୍କ ଓଠରେ କ୍ଷୀଣ ବିଜୁଳି ଧାରେ ! ଇଏ କଣ ସୃଜନ ଆନନ୍ଦର ପୂର୍ବାଭାଷ? ନା, ଗର୍ଭସ୍ଥ ଶିଶୁର ପଦାଘାତ?? ନା, ଶବ୍ଦଙ୍କର କ୍ଷୀଣ ଧ୍ବନି, ଶବ୍ଦ-ମହୁମାଛିଙ୍କର ଗୁଣୁଗୁଣୁ ଉଚ୍ଚାରଣ??

ପ୍ରେରଣାର, ଆଧାରର, ଉତ୍ସର ନାଡ଼ଟିଏର ହେଉଛି ଅଙ୍କୁରଣ !କବିତ୍ୱର କମଳିନୀ ପ୍ରସ୍ଫୁଟିତ ଓ କବିତା ଧାରଣ କରୁଛି ଶରୀର, ରୂପ ନେଉଛି ପ୍ରଜାପତିଙ୍କର ! ବାସ୍, କବିତାର ଏମିତି ହୁଏତ ହେଉଛି ଜନ୍ମ !

କବିତା ଏବେ କ୍ୟାଲେଣ୍ଡର୍ ନା କ୍ୟାଲେଣ୍ଡର ଏବେ କବିତା ?କହନ୍ତୁ ଆପଣ। ଦୁଇଟି ଚଂଚଳ ପଣକୁ ଧରି କବି ଚାଂଚଲ୍ଯ ସୃଷ୍ଟି କରିପାରେ; ଏଇଟା ତାର ଉଦାହରଣ ମାତ୍ର !
ଅଥଚ,କବିକୁ ଚଂଚଳତା ଶୋଭାପାଏନା। ଦେଖିଲେ ତ ଅର୍ଥ ଆଉ ଶବ୍ଦ ଉଭୟ ଚଂଚଳା। କୋଉଠି, କା’ ପାଖେ ବି ସ୍ଥିର ନୁହନ୍ତି। ଡଗଡଗ ହେଇ କୁଆଡ଼େ ଗୋଟେ ପକେଇବାର ଇଛା ସେମାନଙ୍କର।ଜଗିବା ତେଣୁ ଜରୁରୀ। ନଚେତ୍, ସେମାନେ ଦଉଡ଼ି ସ’ ମାଲିକକୁ ଝିଙ୍କି ନେଇ ପକେଇବେ କିଆ ଗୋହିରୀରେ। ଜଗିବା ଆଗରୁ ଦମ୍ ନିଅନ୍ତୁ, କିଛି ସମୟ। ଟିକେ ଦମ୍ ନେବା ଆପଣଙ୍କ ପାଇଁ ମୋ ପାଇଁ କବିତା ପାଇଁ ଏକାନ୍ତ ଜରୁରୀ। ଦେହ ସୁସ୍ଥ ରଖିବା ଆବଶ୍ୟକ। ବିଶେଷ କରି, କବିତାର ଦେହ ପ୍ରତି ଯତ୍ନ ନେବା ନିହାତି ଆବଶ୍ୟକ। ଯେତେ ଧୀରସ୍ଥିର ହେଇ ଶବ୍ଦମାନଙ୍କୁ ସାଉଁଳେଇ ସାକୁଲେଇ ଡାକିବେ,ସେତେ ଭଲ; ନ ହେଲେ ସେମାନେ ଆସିବା ଭୁଲିଯାଅ,ଶୁଣିବେ ଇ ନାଇଁ। ପିଲା ଯେମିତି ସାବାଳକ ହେଇଗଲେ କଥା ଶୁଣନ୍ତିନି, ଠେଲିହେଇ ପଦାକୁ ପଳାନ୍ତି; ସେମିତି ସେମାନେ ଶୁଣି ନ ଶୁଣିଲା ପରି ଚାଲିଯିବେ। ଆଉ, ଆପଣ ତ ଜାଣନ୍ତି, ଶବ୍ଦମାନେ ଜନ୍ମରୁ ସାବାଳକ ! ଗୋଟାଏ ଶବ୍ଦ ଯଦି ଗାଲୁ ମାରିଦିଏ ବା ତେଢା କି ଛୋଟ ପଡ଼ିଯାଏ; ତେବେ କବିତାର ଅଙ୍ଗ ହାନୀ ହୁଏ। ସେଥିପାଇଁ କବିକୁ ବାରମ୍ବାର କବିତାଟିକୁ ପଢ଼ିବାକୁ ପଡ଼େ, ବାରମ୍ବାର ତନଖିବାକୁ ପଡ଼େ।

ଗୋଟିଏ ବିନ୍ଦୁ ବା ମାତ୍ରା ବି ନଷ୍ଟ କରିଦେଇପାରେ ସମଗ୍ର ସତ୍ତା! ଭାବନା କଳ୍ପନା ଉଦ୍ଦୀପନା,ଆବେଗ,ପ୍ରବେଗ ସବୁ ଏତେ ସୂକ୍ଷ୍ମ ଓ ଭଙ୍ଗୁର ଯେ ଏମାନଙ୍କୁ ବଣିଆ ବା ଘଣ୍ଟା ମରାମତି କାରୀଗର ପରି ସ୍ଥିର ଏବଂ ତୀକ୍ଷ୍ଣ ଆଖି ହିଁ ଧରିପାରେ ; ଠିକ୍ ଜିନିଷକୁ ଠିକ ଜାଗାରେ ଲଗେଇଲେ ହିଁ ଅଳଙ୍କାର ସୁନ୍ଦର ହୁଏ ଓ ଘଣ୍ଟା ସମୟ ଦେଖାଏ। ଶବ୍ଦ ବି ସେମିତି କମାଲ୍ ଦେଖାଏ। କଳ୍ପନାର ତାରକସୀ ସେଥିପାଇଁ କବିତାକୁ ସୌନ୍ଦର୍ଯ୍ୟମୟୀ କରାଏ। ଆଉ, କଳ୍ପନାକୁ କଳ୍ପନାରେ କଳ୍ପନା କରିବା ହେଲା ମହାନ ପାଠକ ଓ ଶ୍ରେଷ୍ଠ କବିଙ୍କ ଲକ୍ଷଣ ! ଯଦିଓ, କବିର କାରିଗରପଣିଆ ହିଁ ତାକୁ ସମୟାନ୍ତର କରାଏ। ତାର ସମର୍ପଣ ତାକୁ ଶାଶ୍ବତ ଯାଏଁ ନେଇଯାଏ। (ତା’ ହେଉ ଶବ୍ଦ କି ରଙ୍ଗ କି ଅଙ୍କନ;ଯା’ ହେଉ ଅସ୍ତ୍ର: କଲମ, ତୂଳୀ କି ନିହଣ ବାର୍ସି !

ମନେ ପକାନ୍ତୁ, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ବପ୍ନ। ବାଙ୍କି ମୁହାଣରେ ଲାଗିଛି କାଠଖଂଡମାନ; ଯେଉଁଥିରୁ ତିଆରିବେ ଦାରୁ ପୁରୁଷଙ୍କ କଳେବର। ସତ ସାବ୍ୟସ୍ତ ହେଇଛି ସ୍ବପ୍ନ। କିନ୍ତୁ କାରିଗର ? ଗୋଟେ କାଠ ଗରକୁ କାଟି, ତାକୁ ଦିବ୍ୟରୂପ ଦେବା ପାଇଁ ରାଜାଙ୍କ ଆଦେଶ ହେଲେ ବି ମିଳିଲେ ନାହିଁ କେହି କାରିଗର। ଶେଷରେ ଆସିଲେ ଜଣେ ଅଚିହ୍ନା କାରିଗର, ଯିଏ ସର୍ତ୍ତ ରଖି କଲେ ଏକାନ୍ତବାସ ! କେହି ଯିବେ ନାହିଁ, କେହି ଆସିବେ ନାହିଁ ସେ କର୍ମଗୃହକୁ ! ପାଳନ ହେଲା ବିଧି। ଦେବତାଙ୍କ ରୂପ(କବିତା?) ହେବ ଚୁପଚାପ୍। ଠକଠକ ଶୁଣାଯିବା ଛଡ଼ା କା’କୁ କିଛି ଶୁଣା ଯାଇ ନାହିଁ। ଦିନଦିନାନ୍ତେ, ତା ବି ଶୁଣାଗଲା ନାଇଁ ! ବ୍ୟସ୍ତ ହେଇ, ଖୋଲିଦେଲେ ଦ୍ବାର। ଆଶ୍ଚର୍ଯ୍ୟ ! ରାଜା ଦେଖିଲେ,ସେ ଘରଟିରେ ନାହାନ୍ତି କାରିଗର (ଇଏ କଣ “ଦ ଡେଥ୍ ଅଫ୍ ଦ ଅଥର୍‍”ର ପ୍ରଥମ ରୂପ ?); ତିନୋଟି ଅର୍ଦ୍ଧ ନିର୍ମିତ ମୂର୍ତ୍ତି ରହିଛି କେବଳ। ସେଇ ଅଧାଗଢ଼ା ମୂର୍ତ୍ତି ଦିଅଁ ହେଇ ବଡ଼ଦେଉଳରେ ପୂଜା ପାଉଛନ୍ତି।

ତେବେ, ପୂଜା ପାଇବାକୁ କାରିଗର ଗଢ଼ୁ ନ ଥିଲେ ମୂର୍ତ୍ତି। ଗଢ଼ିବାର ସାମର୍ଥ୍ୟ ଥିଲା ବୋଲି ଗଢ଼ିବାକୁ ଆଗେଇ ଆସିଥିଲେ। ଏହା ହିଁ କବି-ଶକ୍ତି ! ନିଭୃତ ମଗ୍ନମନ ନେଇ କାମ କରିବାର ନିଷ୍ଠା ଓ ନିଷ୍ପତ୍ତି ହିଁ କବିର ଆଧାର। ଆଉ, ଏ ନିଷ୍ପତ୍ତି ପଛରେ ଯଦି ସାହସ ଓ ଭୋକ ଶୋଷ ନିଦ୍ରାହୀନ ସମର୍ପଣ ମିଶିଯାଏ;ତେବେ କାଠ ହେଇଯାଏ କବିତା, ଦାରୁ ହେଇଯାଏ ଜଗନ୍ନାଥ !

ହେ ଦୂରଯାତ୍ରୀ ପକ୍ଷିମାନେ ! ହେ ରାତ୍ରୀର ସାରସମାନେ ନିଜର ଡେଣା ଅଛି ଓ ଅନ୍ୟଙ୍କର ନାହିଁ ଭାବି ହସନା; ଡେଣା ଅଛି ବୋଲି ଆକାଶରେ ଉଡ଼ିପାରୁଛ ବୋଲି ମୁହଁ ଉପରକୁ କରନା; ତମେମାନେ ଜାଣନା ଗୋଡ଼ହାତ କି ଡେଣା ନ ଥାଇ ତମଠୁ ଆଉରି ଉଚ୍ଚରେ ଉଡ଼ୁଛନ୍ତି କେତେ ! ସେମାନେ କିଏ, ମୋତେ ପଚାରନା, କା’କୁ ବି ପଚାରନା। ଖୋଜ। ଯଦି ତମର କିଛି ଗଢ଼ିବାର ଅଛି, ଯଦି ତମର ସୁଉଚ୍ଚକୁ ନିର୍ବିଘ୍ନ ଉଡ଼ିବାର ଅଛି….!