ତୁତ୍ ପୋକଟେ ସଁବାଳୁଆଟେ
ତୋ ଭିତରେ
ରେଶମ-ପିନ୍ଧା ପ୍ରଜାପତି ହୋଇ ତୁ ଉଡ଼ି ପଳାଇବୁ।
-କବି ରାଜେନ୍ଦ୍ର କିଶୋର
ସାର୍ ଆପଣଙ୍କ କାନ୍ଥରେ ଏଇ ମନ୍ତବ୍ୟଟି ଲେଖିବାର ଇଚ୍ଛା ଥିଲା।ସ୍ୱତନ୍ତ୍ର ଭାବରେ ଏଇଠି ଲେଖୁଥିବାର ଦୁଃଖିତ।କାରଣ ଲେଖାଟି ଟିକିଏ ବଡ ହୋଇଯାଇପାରେ,ତେଣୁ ଏଇଠି।ଆପଣଙ୍କ କବିତିକାର ପ୍ରଭାବରେ ଏଇ ଲେଖାର ଧାରଣାଟି ମୋ ମନକୁ ହଠାତ୍ ଆସିଲା ଆଉ ଲେଖୁଛି ଯାହା ଯେମିତି ମନକୁ ଆସିଲା ସେହିଭଳି।
ସାର୍ ଖଲିଲ୍ ଜିବ୍ରାନ ଙ୍କର ଅନୁରୂପ କଥା ଟିଏ ଉଲ୍ଲେଖ କରିବା ମୋର ପ୍ରାଥମିକ ଉଦ୍ଦେଶ୍ୟ ନୁହଁ ଯେଉଁଠି ସେ କହିଛନ୍ତି,ଯେତେବେଳେ ସଂବାଳୁଆଟିଏ କହେ ଏହା ମୋର ପ୍ରାନ୍ତକାଳ,ବିଧାତା କହିଥାନ୍ତି,ପ୍ରଜାପତି।
ଏହି କଥାଟିରେ ରୂପାନ୍ତର କୁ ଅଧିକ ସୌନ୍ଦର୍ଯ୍ୟାବହ ଓ ଆକର୍ଷଣୀୟ କରାଯିବା ସହ ଆମକୁ ଏକ ଉଚ୍ଚତର ଦିଶା ନିର୍ଦ୍ଦେଶ କରିଯାଇଛି।ଆଉ ଆପଣଙ୍କ କବିତିକାର ପୃଷ୍ଟଭୂମୀଟି ମଧ୍ୟ ଉଣାଅଧିକେ ସେଇୟା।କିନ୍ତୁ ଆପଣଙ୍କ କଂଠରେ ପ୍ରଜାପତି ପ୍ରତି ଅନୁରାଗ ଓ ତାହା ଅକସ୍ମାତ ଅପହୃତ ହୋଇଯିବାର ବିଷାଦର ସ୍ୱରଟି ପରିଷ୍କାର ଶୁଭୁଛି।
ସାର୍ ପ୍ରଥମେ ଯେଉଁ ରୂପାନ୍ତର କଥାଟି ମନକୁ ଆସିଲା ତାହା ଫ୍ରାଞ୍ଜ କାଫକାଙ୍କ “ରୂପାନ୍ତର” ର ଗ୍ରେଗର ସାମସା।ଏଇ ପୁସ୍ତକର ଅନୁସୃଜନ ପ୍ରଖ୍ୟାତ କଥାକାର କମଳାକାନ୍ତ ମହାପାତ୍ର କରିଛନ୍ତି।ବଂଧୁ ମାନଙ୍କ ପାଇଁ ମୁଁ ସେହି ବହିର ପ୍ରଥମ ଅନୁଚ୍ଛେଦଟିକୁ କିଛି ନିଜେ ଅନୁସୃଜିତ କରି ଉଦ୍ଧାର କରୁଛି:
“ନାନା ପ୍ରକାରର ଇଆଡୁ ସିଆଡୁ ସ୍ୱପ୍ନ ଦେଖିବା ପରେ ଦିନେ ସକାଳୁ ନିଦଭାଙ୍ଗିଲା ପରେ ଉଠିବା କ୍ଷଣି ଗ୍ରେଗର ସାମସା ଦେଖିଲା ସେ ଗୋଟିଏ ବିରାଟ ପତଙ୍ଗରେ ବଦଳିଯାଇ ତାହାର ଶେଜରେ ଶୋଇଛି।ଚିତ୍ ହୋଇ ଶୋଇଛି ସେ ତାହାର ପିଠି ଉପରେ,ପିଠିଟି ଯେମିତି ଗୋଟେ ମୋଟା ଚମଡା ଆଉ ମୁଣ୍ଡକୁ ଟିକିଏ ଉଚ୍ଚା କରନ୍ତେ ତାହାର ଆଖିରେ ପଡିଗଲା ତାହାର ବାଦାମୀ ରଂଗର ପେଟଟା, ଯେମିତି ଗୋଟିଏ ଗମ୍ବୁଜ,ବେଶ୍ ଶକ୍ତ ବଂକେଇ ଯାଇ ଗୁଡାଏ ଭାଗରେ ବିଭକ୍ତ,ତାହା ଉପରେ ରେଜେଇଟିକୁ ଘୋଡେଇ ରଖିବା ଭାରି କଷ୍ଟ ହେଉଛି,ତଳକୁ ଖସି ପଡୁଛି।ଏତେ ଗୁଡିଏ ପାଦ କୁଆଡୁ,ତାହାର ଦେହକୁ ଦେଖିଲେ ବାଧିଲା ଭଳି ସରୁ ଆଉ ସେହି ପାଦଗୁଡିକ ତାହାର ଆଖିର ଆଗରେ ସିଧା ହଲୁଛି ଭାରି ଅସହାୟ ଭାବରେ।

ସେ ଭାବିଲା ମନରେ,କ’ଣ ହେଇଛି ମୋର ?ଏଇଟାତ ସ୍ୱପ୍ନ ନୁହଁ।ଅତି ଜଣା ଚାରିକାନ୍ଥ ଭିତରେ ଏଇଟିତ ତାହାର ଘର ଆଉ ତାହାଭିତରେ ସେ ଅଚଳ ହୋଇ ପଡିରହିଛି,ଏଇମିତି ଘରେ ତ ମଣିଷମାନେ ଶୁଅନ୍ତି,ଏଇଟି ଯାହା ଟିକିଏ ଛୋଟ।ଟେବୁଲ୍ ଉପରେ କପଡାର ନମୁନା ଯାହା ସେ ସଂଗ୍ରହ କରିଛି ତାହା ଖୋଲା ପଡିଛି,ସେଥିରୁ କିଛି ତ ଶେଜରେ-ସାମସା ଜଣେ ବୁଲାବେପାରୀ,ବୁଲି ବୁଲି ସମସ୍ତଙ୍କୁ କପଡାର ନମୁନା ଦେଖାଏ-ଠିକ୍ ତାହାର ମୁଣ୍ଡ ଉପରେ ଗୋଟିଏ ଛବି ଝୁଲୁଛି।କିଛିଦିନ ତଳେ ଗୋଟିଏ ସଚିତ୍ର ପତ୍ରିକାରୁ କାଟି ସୁନ୍ଦର ଗିଲ୍ଟିକରା ଫ୍ରେମ୍ ରେ ବାନ୍ଧି ସେଇଠି ସେ ତାହାକୁ ଟାଙ୍ଗି ଦେଇଛି।ମହିଳାର ଛବିଟିଏ,ମଥାରେ ଫର୍ ର ଟୋପି,ଦେହରେ ଫର୍ ର କୋଟ୍,ବସିରହି ସେ ଦର୍ଶକ ମାନଙ୍କ ଆଡକୁ ବେଶ୍ ବଡ ଆକାରର ଦସ୍ତାନାଟିଏ ବଢାଇ ଦେଉଛନ୍ତି ,ଯାହା ଭିତରେ ଦେଖିବ ପୁରା ବାହାଟି ପଶିଯାଇଛି ତାଙ୍କର।
ଏହା ପରେ ଗ୍ରେଗର୍ ର ଆଖି ପଡିଲା ଝରକା ଉପରେ ଆଉ ଝରକା ଦେଇ ମେଘ ଢାଙ୍କି ରଖିଥିବା ଆକାଶଉପରେ।ଝରକା ପାଖ ନର୍ଦ୍ଦମାରେ ବର୍ଷା ଟୋପାର ଶବ୍ଦ ଶୁଣାଯାଉଥାଏ।ଗ୍ରେଗରର ମନ ପୂରା ବିଷର୍ଣ୍ଣ ହୋଇ ଉଠିଲା।ସେ ଭାବିଲା,ଏଇ ଆଜେବାଜେ କଥାକୁ ଭୁଲିଯାଇ ଆଉ କିଛି ସମୟ ଶୋଇ ରହିଲେ କେମିତି ହୁଅନ୍ତା,କିନ୍ତୁ ସେଇଟା ଆଉ ହେଲାନାହିଁ,କାରଣ ସେ ଡାହାଣ କଡ ମାଡି ଶୋଇବାରେ ଅଭ୍ୟସ୍ତ,କିନ୍ତୁ ବର୍ତ୍ତମାନ ଅବସ୍ଥାରେ ସେ କଡ ଓଲଟାଇ ପାରୁନାହିଁ।ଯେତେ ଜୋର୍ ଲଗାଇ ସେ ଡାହାଣ କଡ ମୋଡିବାକୁ ଚେଷ୍ଟା କରୁଛି ,ପ୍ରତିଥର ସେ ଗଡିପଡୁଛି ଚିତ୍ ହୋଇ।ଅନ୍ତତଃ ଗଣିଲେ ସେ ଶହେ ଥର ଏମିତି ଚେଷ୍ଟା କରି ସାରିଲାଣି,ନିଜର ଅସ୍ଥିର ଚଞ୍ଚଳ ପାଦଗୁଡିକୁ ଯେମିତି ଆଉ ଦେଖିବାକୁ ନପଡେ ସେଇଥିପାଇଁ ସେ ନିଜ ଆଖିହଳକୁ ଜୋର୍ ରେ ବନ୍ଦ କରି ସେ ତାହାର ପ୍ରୟାସ ଜାରି ରଖିଥିଲା।ଏବଂ ଏମିତି କେବେ ତାହାର ଅନୁଭବରେ ନାହିଁ,ନିଜ ଡାହାଣକଡରେ ଗୋଟିଏ ଥୁଣ୍ଟା ବେଦନା ଅନୁଭବ କଲା ପରେ ଯାଇ ସେ ନିଜର ପ୍ରୟାସରୁ କ୍ଷାନ୍ତ ରହିଥିଲା।”
ଅନୁସୃଜନର ମୋହ,ଏଠାରେ ଉପଲବ୍ଧ କାନ୍ଥ ଆଉ ଆପଣମାନଙ୍କ ଉଦାରତା ଯୋଗୁ ଏହି ଅନୁସୃଜନ ଚାଲିରହିଥାନ୍ତା। ଆଗରୁ ଏହି କାହାଣୀଟି ଅନୁସୃଜିତ ହୋଇଥିବା କାରଣରୁ ଆଉ ଅଧିକ ନୁହଁ।ଗ୍ରେଗର ସାମସା ଭଳି କ୍ଷାନ୍ତ ରହୁଛି ଏବେ।
ବିଶ୍ୱ ସାହିତ୍ୟର ଏହି ଅବିଶ୍ୱାସକାରୀ ବିସ୍ମୟ କାହାଣୀ ମେଟାମରଫୋସିସ୍ ବା ରୂପାନ୍ତର କୁ ଆଲୋଚକ ମାନେ ଏକ ବାସ୍ତବତା ବିରୋଧୀ ଗପ ବୋଲି କହିଥାନ୍ତି।ଗ୍ରେଗର ସାମସା ଏକ ମଧ୍ୟବିତ୍ତ ଭ୍ରାମ୍ୟମାଣ ସେଲସମ୍ୟାନ୍।ତାହାର ଯନ୍ତ୍ରଣାବୋଧର କାଫକୀୟ ଉପସ୍ଥାପନ ଏହା।ଏହି କାହାଣୀଟି ବାସ୍ତବତା ବିରୋଧୀ ଏଇଥି ପାଇଁ ଯେ ବାସ୍ତବରେ କେହିଜଣେ ଏହିଭଳି ଏକ ଦାନବାକୃତି ପୋକରେ ରୂପାନ୍ତରିତ ହୋଇ ପାରିବ ନାହିଁ।କିନ୍ତୁ ଏଇଠି ପ୍ରଶ୍ନ ଉଠି ପାରେ ଯେ ଆମେ ଆମର ବାସ୍ତବତାକୁ ଅତିକ୍ରମ କରି ଆଉ କୌଣସି ଭିନ୍ନ ଧରଣର ବାସ୍ତବତାକୁ ଭୋଗୀ ପାରିବା କ’ଣ ସମ୍ଭବ ନୁହଁ ?ଯଦି ସେମିତି ସମ୍ଭବ ତେବେ ଫ୍ରାଞ୍ଜ କାଫକା ଆଭ ପାଇଁ ଏଇ କାହାଣୀରେ ଆମପାଇଁ ଯେଉଁ ବାସ୍ତବତାକୁ ନିର୍ମାଣ କଲେ ତାହା ଏକାଧାରରେ ବିଚିତ୍ର ଓ ଭୟଙ୍କର।ଏଇ ବାସ୍ତବତାଟି କହିବାକୁ ଗଲେ ପାରସ୍ପରିକ ସଂପର୍କହୀନ ଏକ ନୈରାଜ୍ୟର (ଆଜିର ତରୁଣ ମାନେ ନୈରାଜ୍ୟ ଅଧିବାସୀ ବୋଲି ଆମର ବିଜ୍ଞଜନ ମାନେ କହୁଛନ୍ତି,ତରୁଣ ନହୋଇ ମୁଁ ସେଇ ନୈରାଜ୍ୟର ସ୍ଥାୟୀ ବାସିନ୍ଦା),ନିଃସଙ୍ଗତାର ଓ ଚରମ ଶୂନ୍ୟତାର।
କାଫକାକୃତ ବାସ୍ତବତାର ଏଇ ଉଦ୍ଭଟତାକୁ ଆମେ କେମିତି ଭୋଗିବା?କେମିତି ଭୋଗିବା ଆମେ ସଂବାଳୁଆକୁ,ପ୍ରଜାପତିକୁ ଆଉ ତାହାର ପଳାୟନକୁ ?ଏହି ପ୍ରକ୍ରିୟାର କାରକ କି ଧାରକ ଆମେ ନୁହଁ ?ଶବ୍ଦ ଆଉ ସୌନ୍ଦର୍ଯ୍ୟ ଆମକୁ ଏଇ ବାସ୍ତବତାକୁ ଭୋଗୀବାରେ କେତେ ସହାୟ ହେବ ?
ହୁଏତ,କିଏ ଜାଣେ ?
ସାର୍ କିଛିଦିନ ତଳେ ନାଇଜେରିଆର ପ୍ରଖ୍ୟାତ କଥାକାର ଚିନୁଆ ଆଚିବିଙ୍କ ଏକ ଗପର ଅନୁସୃଜନ କଲାବେଳେ ତାଙ୍କର ଜୀବନୀ ଉପରେ ଦୃଷ୍ଟି ପକାଉଥିଲି।ସେତେବେଳେ ଚିନୁଆ ଆଚିବିଙ୍କ ର ସଂପର୍କରେ ଗୋଟିଏ ତଥ୍ୟ ମୋତେ ଚମତ୍କୃତ କରିଥିଲା।ସେହି କଥାଟି କହୁଛି।
ଚିନୁଆ ଆଚିବି ନାଇଜରେରିଆର ଇଗବୁ ବୋଲି ଏକ ଗୋଷ୍ଠୀର ଲୋକକଥାକୁ ବ୍ୟବହାର କରିଛନ୍ତି।ସେଇ ଲୋକକଥାରୁ ଗୋଟିଏ ତାଙ୍କର ଲେଖାଦର୍ଶ ବୋଲି କୁହାଯାଇଛି।ସେହି ଲୋକକଥାଟି ହେଲା,ସୃଷ୍ଠିର ଆଦ୍ୟକାଳରେ ମଣିଷମାନଙ୍କର ଭାରି ଲୋଭ ହେଲା ଅମରତ୍ୱରେ କାରଣ ପୃଥିବୀର ସୌନ୍ଦର୍ଯ୍ୟକୁ ସେମାନେ କଦାପି ଏଡାଇ ଯାଇପାରିବେ ନାହିଁ ବୋଲି ସେମାନଙ୍କର ହୃଦବୋଧ।ଯଦି ସେମାନଙ୍କୁ ସ୍ୱର୍ଗକୁ ଯିବାକୁ ନିହାତି ପଡିବ ତେବେ ପୁଣି ସେଇ ସଶରୀରରେ ପୃଥିବୀକୁ ଫେରିବା ତାଙ୍କର ଲୋଡା।ସେଇକଥାକୁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି କହିବା ପାଇଁ ମଣିଷମାନେ ସେମାନଙ୍କର ପରମ ମିତ୍ର କୁକୁରକୁ ସ୍ୱର୍ଗ ରାଜ୍ୟକୁ ପଠାଇଲେ।ମଣିଷ ମାନଙ୍କର ଏହି ବିଚାର ଆଉ ସେଇଥିପାଇଁ ସ୍ୱର୍ଗରାଜ୍ୟକୁ କୁକୁର ଯାଉଥିବା କଥାଟି ଶୁଣି ପାରିଥିଲା ଏକ ବେଙ୍ଗ।ସେ କୂଟ ପ୍ରକୃତିର ହୋଇଥିବା କାରଣରୁ ଏଇ କଥାକୁ ସହି ପାରିଲା ନାହିଁ।ସେ କୁକୁର ପହଁଚିବା ଆଗରୁ ସ୍ୱର୍ଗରାଜ୍ୟରେ ପହଂଚିଗଲା ଓ ଭଗବାନଙ୍କୁ ପ୍ରାର୍ଥନା କରି କହିଲା,ଭଗବାନ ମଣିଷ ମାନେ ସ୍ୱର୍ଗରାଜ୍ୟରେ ଆନନ୍ଦରେ ଚିରକାଳ ରହିବା ପାଇଁ ଚାହୁଁଛନ୍ତି।ଭଗବାନ କହିଲେ,ତଥାସ୍ତୁ।ତାହାପରେ ଯେତେବେଳେ କୁକୁର ଯାଇ ଭଗବାନଙ୍କୁ ମଣିଷପାଇଁ ଅମରତ୍ୱ ମାଗିଲା ସେତେବେଳେ ଭଗବାନ ବି କହିଲେ ତଥାସ୍ତୁ।ସେ ନିଜର ବରକୁ ବ୍ୟାଖ୍ୟା କରି କହିଥିଲେ ଯେ ମଣିଷ ଅମରତ୍ୱ ପାଇବ କିନ୍ତୁ ମରଣୋପରାନ୍ତ ଅମରତ୍ୱରେ ତାହା ପାଖରେ ନିଜର ପୂର୍ବ ଶରୀର ଆଉ ରହିବ ନାହିଁ ।ଭିନ୍ନ ଭିନ୍ନ ଶରୀରରେ ରୂପାନ୍ତରରେ ମଣିଷ ଅମରତ୍ୱ ଭୋଗିବ।ଚିନୁଆ ଆଚିବିଙ୍କ କାହାଣୀ ମଣିଷର ଭିନ୍ନ ଭିନ୍ନ ରୂପାନ୍ତରର ସାଂସାରିକ ଜନଜାତି କାହାଣୀ ବୋଲି ମତ ପ୍ରକାଶ କରାଯାଏ।
ସାର୍ ଯେଉଁ କଥାଟି କହିବା ପାଇଁ ଏଇ ଲେଖାଟି ତାହା ହେଉଛି ମରଣ ପରେ ଅଶରୀରୀ ହେଲେ ଆମେ ସବୁ ରୂପାନ୍ତରକୁ ଭୋଗୀ ପାରିବା ନିଶ୍ଚେ।ସେଇଥିପାଇଁ ସବୁ ସଂପର୍କହୀନ ଉଦ୍ଭଟତାକୁ କୁ ସ୍ପଷ୍ଟ କରିବା ପାଇଁ କାହାଣୀ ଶେଷରେ ଗ୍ରେଗର ସାମସାର ମୃତ୍ୟୁରଚନା କରିଛନ୍ତି ଫ୍ରାଞ୍ଜ କାଫକା।
କିନ୍ତୁ ମୋର ଏଇ ଶେଷ ମନ୍ତବ୍ୟ ପ୍ରତି ମୋର ଗଭୀର ଅସହମତି ରହିଛି।ମୁଁ ଆମ ଗୋପୀବାବୁଙ୍କୁ ଉଦ୍ଧାର କରି କହୁଥିବି:
ଜୀବନରେ ସୁଆଦ ଅଛି।

