କବିତାର ପରକୀୟା ଓ ପରକାୟା ପ୍ରୀତି

କବିତାର ପରକୀୟା କଥାଟା ଶୁଣି ଯିଏ ସିଏ ଭାବି ( ନ ଭାବି ବି) ପାରେ: ଏମିତି କଣ କରିପାରେ କବିତା ଯା’ ସାମାଜିକ ଶୃଙ୍ଖଳା ଓ ସୀମା ବାହାରେ ? ଇସ୍ ! (ଟଲଷ୍ଟୟ ଥିଲେ କରିଥାନ୍ତେ ଦେଖ, ଇଏ ସିନା ଧରାପଡ଼ିଲା; ଆମେ ଅନ୍ତତଃ ଏମିତି ନୋହୁ!)
ଦୟାକରି,ଆଖି ଖୋଲନ୍ତୁ; ମନ ମେଲାନ୍ତୁ। ଦେଖନ୍ତୁ, କବିତା ଠିଆ ହେଇଛି ଆପଣଙ୍କ କତିରେ। କୋଉ ନା କୋଉ ବେଶରେ। ଯଦି ସେ ଆପଣଙ୍କୁ ଲାଗୁନାହିଁ; ସେ ରହିବ ନାହିଁ। ଯୋଉଠି, ଯା ‘କୁ ସେ ଲାଗିବ; ଯିଏ ତାକୁ ଆଦର କରିବ; ସିଏ ହିଁ ଜାଣିବ କେମିତି ତା ଚୁମ୍ବନ, କେମିତି ତା ଆଲିଙ୍ଗନ; କେମିତି ବାହାରେ ତାକୁ ଧରିବାରେ ଶିହରଣ, କେମିତି ଖେଳେ ଲେଲିହାନ୍ ନିଆଁ ସ’ ଚନ୍ଦନ ଅଗରୁ କସ୍ତୁରୀର ବାସ୍ନା ଓ ଚନ୍ଦ୍ରକିରଣ ! କେମିତି ହୁଏ ଉତ୍ତାପର ଉତ୍ତାଳ ଲହଡ଼ି ଓ ରକ୍ତର ପ୍ରତି ବିନ୍ଦୁରେ ସ୍ପନ୍ଦନର ଅଙ୍କୁରଣ ! ନିଭୃତ ନିକାଞ୍ଚନ ହୃଦୟରେ ଶୁଭେ ମହୁମାଛିଙ୍କ ଗୁଞ୍ଜରଣ ଓ ଦିଶେ ଖୋଜୁଥିବା ପାଦର ଆଖିର ପାପୁଲିର ସ୍ପର୍ଶ ଚିହ୍ନ ! ଏଇ ହିଁ ସେ ସ୍ବପ୍ନ ପରି ସ୍ବପ୍ନ ଓ ଏଇ ହିଁ ନ ଜିଣି ପାରୁଥିବା ବେଳେ ଜୀବନ !

ପାଇଲେ ତମର, ନ ପାଇଲେ ସିଏ ଆଉ କା’ର ।

କବିତାର ଏଇ ପରସ୍ପର୍ଶ ନୀତି ତାକୁ ନଷ୍ଟ ଚରିତ୍ର ଭାବେ ଚିତ୍ରଣ କରିବା ପରିବର୍ତ୍ତେ ସେ ସତୀ ବୋଲି ଘୋଷଣା ହୁଏ। ଅଷ୍ଟ ସତୀ। କାରଣ,କବିତା ଚିର ସ୍ନାତା ! (ଏହାକୁ କୋଉ ମୁନି ଋଷି ନୁହେଁ; ସ୍ବୟଂ ବାବା ଅଜୟାନନ୍ଦଙ୍କ ଘୋଷଣା।) କବିତାର ଜନ୍ମ ରହସ୍ୟଠୁ ତା’ ପରପ୍ରେମ ବଡ଼ ବିଚିତ୍ର ! କବି ପାଇଁ ବୋଧେ ସେ ଏମିତି ପର ଲୋକଙ୍କୁ ସାକୁଲାଏ। କବି ବୋଧହୁଏ ଦୁଃଖୀ ଓ ଦରିଦ୍ର ବୋଲି କବିତା ତା’ କବିର ଭଲମନ୍ଦ ବୁଝିବାକୁ, ତା କବିର ଓଠରେ ହସ ଟିକେ ଦେଖିବାକୁ ପର ଆଗରେ ସଲସଲ ହୁଏ ! ଆଉ ତା କବି ତାକୁ ଯଦି ସମ୍ମାନ ଟିକିଏ ଦେବନି, ଯଦି ତା’ ଦେହ ହାତକୁ ଟିକେ ତେଳହଳଦୀ ଲଗେଇ ସଫାସୁତର କରିବନି, ଯଦି ତା’ର କୋଉଠି କଣ ଦେହରେ ମୁଣ୍ଡରେ ହେଇଛି ଯତ୍ନ ନ ନେବ; ତେବେ ସେ କୋଉ କବିରେ ଗଣା, କହନ୍ତୁ ତ !

କବି ପାଇଁ ପରପେକ୍ଟ କାନ୍‍ଭାସିଂ କବିତା ଛଡ଼ା କିଏ ଆଉ କରିପାରେ କି ?

କବି ପାଇଁ କବିତା ସେଇଥିପାଇଁ କେବେ ମା’ ପରି,କେବେ ସ୍ତ୍ରୀ ପରି, କେବେ ପ୍ରେମିକା ପରି, କେବେ ଭଉଣୀ ପରି, କେବେ ବନ୍ଧୁ ପରି, କେବେ ପଡ଼ୋଶୀ ପରି, କେବେ ଝିଅ ପରି, କେବେ କୁଟୁମ୍ବ ପରି, କୌଣସି ସମ୍ପର୍କ ପରି….. ଅନେକ ରୂପ ତାର !
କବିର ବଜାର ଦର, ପାଠକୀୟତା, ମାନ୍ଯତା ଇତ୍ୟାଦି ବଢ଼େଇବା ପାଇଁ କବିତା ବଜାରୀ ହୁଏ। ତା ମହାନତାକୁ କବି ଅଣଦେଖା କଲେ ତାକୁ କଷ୍ଟ ହେବ ନା ନାଇଁ ? ତେଣୁ କବିକୁଳକୁ ଅନୁରୋଧ ଯା’ କଲେଣି କଲେଣି; ଏଣିକି ଟିକେ କବିତାର ଦେହ ପ୍ରତି ଦୃଷ୍ଟି ଦିଅନ୍ତୁ।
କବିତାକୁ ଭଲ ପାଇବା, ପ୍ରେମ କରିବା କବିର ପ୍ରଥମ ଓ ଶେଷ ସମ୍ମାନ ! ଅସମ୍ମାନ କଲେ ଫଳ କଣ କହିବା ଆଉ ଦରକାର ନାଇଁ। ବେଳେବେଳେ କବିତା (ଶବ୍ଦ ଆଉ ଅର୍ଥର କୁହୁକିନୀ କାୟା)କୁ କବି ବୁଝି ନ ପାରି ଅସ୍ତବ୍ୟସ୍ତ ହେଇଯାଏ। ହେଇଯାଏ ଯେତିକି, କରେ ସେତିକି। ସେଥିପାଇଁ କବିତା ରୁଷିଯାଏ,ଜାଣିଶୁଣି ଫେରେନା, ଧରା ଦିଏନା ! ବୁଝାମଣା ଠିକ ନ ରହିଲେ ଏମିତି ମୁହଁ ଇଆଡ଼େ ସିଆଡେ ହେଇଯାଏ। ତ, କବି ବିଷ୍ଣୁ-ପଦ ଛାଡ଼ି, ଭୂମିଲଗ୍ନା ହୁଏ।

କବି ନିଜ ଭିତରେ ଓ ଭିତରୁ, ରହିବା ଓ ବାହାରିବା କବିର ବଡ଼ପଣ। ନିଜ ଭିତରେ ଯେତେ ସୁନ୍ଦର ଦେଖିଲେ ବି ଶେଷରେ ସେ ଦେଖିବ ତା ରୂପ ନାରଖାର : “ଚିରିଭିତର ଦେଖ କି ନାରଖାର !” ଏହା ଅନିବାର୍ଯ୍ଯ ! ସହିବା ବଳିପଡ଼ିବ ସାହାସଠୁ। ସେଥିପାଇଁ, କବି କବିତାଠୁ ଅନ୍ତତଃ ଏତିକି ହୃଦୟଙ୍ଗମ କରିବା ଉଚିତ ଯେ ପରକାୟା ପ୍ରୀତିରେ ହିଁ ସେ (କବି)ଚିର ଉଜ୍ଜୀବିତ ରହିପାରିବ ଓ ନିଜକୁ ‘ଅନ୍ୟ’ରେ ପରିଣତ କରି ସେହି ଅନ୍ୟର ସୁଖଦୁଃଖକୁ ଜଣେଇବା ରେ ତାର ପରମ ଓ ଚରମ ଉପଲବ୍ଧି ବି ପାଇ ପାରିବ।‌ ସବୁ ଯଦି ନିଜଠି ସରୁଥାନ୍ତା, ତେବେ ନିଜନିଜର ଦର୍ପଣ ଦେଖି ଖୁସି ହୁଅନ୍ତା ମଣିଷ; ଏତେ ଲୁହ ରୁଟି ପ୍ରେମ ପାଇଁ ହନ୍ତସନ୍ତ କି ହାତ ପାଇଁ କାନ୍ଧ ପାଇଁ ସିଏ ହାତଟିଏ ଖୋଜନ୍ତା ନାଇଁ। ଯଦି ଜଣେ ନିଜ କଥା ଶୁଣେଇବା ପାଇଁ ବ୍ୟାକୁଳ; ତେବେ, ଅନ୍ୟ ଜଣେ ଶୁଣିବ କିଆଁ? ଅନ୍ୟ ଜଣେ ବି ସମରୂପରେ, ସମଭାବରେ ତାଙ୍କ ନିଜ କଥା କହିବାକୁ, ଶୁଣେଇବାକୁ ଚାହେ। ଅତଏବ, କବି ନିଜ କଥା ଶୁଣେଇବା ଯୁଗ ଗଲାଣି ଆଉ ଏଣିକି ଅନ୍ଯର କଥାବ୍ୟଥା ନ ଶୁଣିଲେ ଓ ନ କହିଲେ, କେବଳ ନିଜ ଗାଥା ଦିନରାତି ବୋବେଇଲେ “ନିଜ କଥା ଘରେ ରଖ” ଶୁଣିବାକୁ ପଡ଼ିପାରେ। ଆଉ, ଆପଣ ଜାଣନ୍ତି, ସାଧୁଙ୍କୁ କେବେ କୁହାଯିବା ଭଲ ନୁହେଁ: ସାବଧାନ !

କବିତା ଏକକ ଓ ଅନନ୍ୟ ହେଲେ ବାଜିମାତ୍ ଆଉ କବି ଏକକ ଓ ଅନନ୍ୟ ହେଲେ ଶନି ସାଡ଼େ ସାତ୍ ! ବିଶେଷ ଭାବରେ କବିଟି ବିଶ୍ଵାମିତ୍ରଙ୍କ ପରି ହେଲେ ସାଡ଼େ ସାତି ସଙ୍କଟ ଓ ସଙ୍ଘର୍ଷ ଭିତରେ ଅସମ୍ଭବ ସର୍ଜନା ଓ ସଫଳତାର ସୁଯୋଗ ମିଳେ। ଅସମ୍ଭବକୁ ସମ୍ଭବ କରିବା ମହାନ କବିଙ୍କ କାମ; ଯେମିତି କରିଥିଲେ ମହର୍ଷି ବିଶ୍ଵାମିତ୍ର, ଅଯୋଧ୍ୟା କୁଳପତି ଶ୍ରୀରାମଚନ୍ଦ୍ରଙ୍କ ଦିଗଦର୍ଶକ ଓ ଦୃଷ୍ଟିକୋଣବର୍ଦ୍ଧକ ! ମଧ୍ୟସ୍ବର୍ଗର ନିର୍ମାତା କହନ୍ତୁ କି ସୃଜକ କହନ୍ତୁ କି ରଚନାକାରୀ କହନ୍ତୁ; ବିଶ୍ଵାମିତ୍ର ହିଁ ଏକମାତ୍ର ଯୋଦ୍ଧା କବି, ଶ୍ରେଷ୍ଠ କବିଙ୍କ ମଧ୍ୟରୁ ଜଣେ ଯିଏ ଭୋଗ (ସଙ୍ଘର୍ଷ ଜନିତ ଯେତିକି, ସମ୍ଭୋଗ ଜନିତ ସେତିକି); ଯୋଗ, ଜୁଯୁତ୍ସା ଓ ଜିଜ୍ଞାସା ଭିତରେ ଜିଇବା ଓ ଜଗତକୁ ତାର ମୂଲ୍ୟ ଜଣେଇବା ଋଷି। ନା,ଆଉ ଜଣେ ବି ତାଙ୍କ ସମ ନାହାନ୍ତି। ଖଣ୍ଡାଠୁ ଯୁଦ୍ଧ, ପରାଭବରୁ ରମ୍ୟ ଉପଭୋଗ, ସିଦ୍ଧାନ୍ତରୁ ସିଦ୍ଧି ସବୁଠି ବିଶ୍ଵାମିତ୍ର ଏକକ, ବିଶ୍ଵାମିତ୍ର ଅନନ୍ୟ ! କବି ପାଇଁ ତେଣୁ ମଧ୍ୟସ୍ବର୍ଗଟି ଅନ୍ୟ କିଛି ନୁହେଁ, ଭୂମି ବ୍ୟତୀତ। ବିଶ୍ଵାମିତ୍ରଙ୍କ ଲକ୍ଷ୍ୟ ଉର୍ଦ୍ଧ୍ବ ସ୍ବର୍ଗ କିନ୍ତୁ କବିର ଲକ୍ଷ୍ୟ ସ୍ୱର୍ଗ ଓ ପାତାଳ। ଭୂମି ତାର ମଧ୍ୟସ୍ବର୍ଗ, ମହାମଞ୍ଚ ! ବିଶ୍ଵାମିତ୍ରଙ୍କ ପରି କବି ଏକକ ଓ ଅନନ୍ୟ ହେଲେ ସେ ଏ ଦୁଆରୁ ସେ ଦୁଆର, ଏ ଘରୁ ସେ ଘର , ଏ ଗାଆଁରୁ ସେ ଗାଆଁ, ଏ ସହରରୁ ସେ ସହର, ଏ ବଣ ଏ ରାସ୍ତା ଏ କ୍ଷେତରୁ ସେ କ୍ଷେତ ସେ ରାସ୍ତା ସେ ବଣ ବୁଲିବୁଲି ସମୟ ବିତେଇବ ! ଏହା ହିଁ ସାଧନା। କଷ୍ଟ ଉପଲବ୍ଧି କରିବା, ସଙ୍ଘର୍ଷ କରିବା, ଦୁଃଖକୁ ବିପଦକୁ ସାମ୍ନା କରିବା ସ’ ପାର୍ ହେବାକୁ ଏଇ ଭୂମି ହିଁ ଶିଖାଏ !

ଅତଏବ,କବିର ଏଇ ବ୍ୟଞ୍ଜନ ଧର୍ମ ବା ସ୍ବାପର ଧର୍ମ ( ସ୍ବ ଓ ପର) ହିଁ ତାର ବ୍ରତ। ଏହା ହିଁ କବିର ଓ କବିତାର ଗତି, ଅସ୍ମିତା ହିଁ ଏଇ ଧର୍ମର ମତି, ଚାଲିବାର ଶକ୍ତି ଓ ଅଭିଜ୍ଞତା ହାସଲ କରିବା ହିଁ ଜୀବନର ରୀତି ! କବିର, ତେଣୁ, ବ୍ୟଞ୍ଜନ ସ୍ବର ହେତୁ, ଏକାଧିକ ଅବତାର !
ସେ ତେଣୁ କାୟା ଖୋଜିବା ଓ ରୂପ ଖୋଜିବା ଜରୁରୀ। ଏଥିପାଇଁ ନିଜକୁ ନିଶ୍ଚଳ ଶୁଦ୍ଧ ସଂଶୋଧନ ସମର୍ପଣ ମୁଦ୍ରାରେ ରଖିବା ବି ଏକାନ୍ତ ଆବଶ୍ୟକ। ନିଜକୁ ଶୂନ ଯାଏଁ ଆଣିବା ହିଁ ସାଧନା। କାରଣ, କଥାଟି ରହିଛି କବିର କାୟା ସାଧନ ଓ କାୟା ଶୋଧନରେ। କବିର କାୟା ସାଧନା ଅର୍ଥାତ୍ କାୟା ପରିବର୍ତ୍ତନକୁ କାୟା ପ୍ରବେଶ ଓ କାୟା ଅନୁପ୍ରବେଶ, ଏମିତି ଦୁଇ ଭାଗରେ ବିଭକ୍ତ କରାଯାଇ ପାରେ। ଧରନ୍ତୁ ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ବାଜି ରାଉତ’ ବା ରମାକାନ୍ତ ରଥଙ୍କ ‘ଶ୍ରୀରାଧା’; ଏଥିରେ କବିର କାୟା ପ୍ରବେଶ ଘଟିଥିଲା ବେଳେ, ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ମୁଁ ତ ଭ୍ରଥ ନାହାକ ଝୁଅ’ ବା ସୌଭାଗ୍ୟ କୁମାର ମିଶ୍ରଙ୍କ ‘ସର୍କସ’ କବିତାର ଅର୍ଦ୍ଧାଂଶ ଓ ଅଜୟ ପ୍ରଧାନଙ୍କ ତୀର୍ଥଯାତ୍ରା’ରେ କବିର କାୟା ଅନୁପ୍ରବେଶ ସାଧିତ ହେଇଛି। କାୟା ପ୍ରବେଶରେ କବି ସ୍ବ- ଭାଷା ଓ ଅନୁପ୍ରବେଶରେ ଚରିତ୍ରର ଭାଷା ବ୍ୟବହାର ହିଁ ଉଭୟଙ୍କ ଭିନ୍ନତା ଦର୍ଶାଏ। ଏହି ଚରିତ୍ରମୁଖୀ ଭାଷା ବସ୍ତୁତଃ ବିରଳ ଏବଂ ଏଥିପାଇଁ କବିକୁ ହାଡ଼ଭଙ୍ଗା ପରିଶ୍ରମ ଲୋଡ଼ା ପଡ଼େ। କବିତା କ୍ଷେତ୍ରରେ ଏହା ଦ୍ବିତୀୟ ପକ୍ଷ (Second party)ଭାଷା !

ଅତଏବ, ଚରିତ୍ର ଶିଳ୍ପାୟନ ଓ ତାର ଭାଷାୟନ କଲାବେଳେ କବିର କଳ୍ପନା, ଭାବନା, ଜୀବନାଦର୍ଶ ଇତ୍ୟାଦି କେତେ, କିପରି ଓ କେମିତି ରସାୟନ ହେଇପାରିଛି (ଆନୁପାତିକ ଭାବେ) ତା’ ଦେଖିବା ପାଠକ ଓ ସମାଲୋଚକଙ୍କର ମୁଖ୍ୟ କଥା। ଶବ୍ଦ ସାଲସା ତ ସବୁ; ହେଲେ, ଭୂମି ଓ ତା ପରିସର; ଗତି ଓ ଦ୍ଯୁତି; କାଳ ଓ କଳା ଚାତୁରୀ; ଭାବ ସଂସ୍ଥାପନ, ସମ୍ମୋହନ ଓ ସଂଚାରଣ; ପୌରୁଷ ଓ ଅସ୍ମିତାର ବିକିରଣ ଇତ୍ୟାଦିଇତ୍ୟାଦି ଗୋଟେ କବିତାକୁ ସାଧାରଣରୁ କ୍ଲାସିକ୍ ପର୍ଯ୍ଯାୟକୁ ନେଇଥାଏ। ତେଣୁ, କବିତାକୁ ମାର୍କ୍ ଦେଲାବେଳେ ସମ୍ପୂର୍ଣ୍ଣ ସତର୍କ ହେବା ଜରୁରୀ। ସୂଚନାଯୋଗ୍ୟ ଯେ ସମାଲୋଚକ ଏକ ତାଲିକା ପ୍ରସ୍ତୁତକାରୀ ସଂସ୍ଥା ନୁହେଁ; ଜଣେ ସତର୍କ ଅନୁଶାସକ ଓ ଦିଗଦର୍ଶକ।
ଆପଣ, ଜଣେ କାବ୍ୟ ବୁଭୁକ୍ଷୁ ଭାବରେ,କଣ ଭାବୁଛନ୍ତି ସେଇଟା ସର୍ବ ସମ୍ମୁଖରେ କହନ୍ତୁ ନା ! ସୌଖିନ ମନ୍ତବ୍ୟ ନ ଦେଇ କିଛି ଲେଖନ୍ତୁ ନା !

One Comment on “କବିତାର ପରକୀୟା ଓ ପରକାୟା ପ୍ରୀତି”

Comments are closed.