କୌଣସି ଏକ ଅଶ୍ୱସ୍ତ ଛାଇତଳେ ଜୀବନାନୁଚିନ୍ତା 

ଏକ ଶୀତୁଆ ଅପରାହ୍ନ! ଅଳସ ଖରାର କଅଁଳିଆ ପରଶ ଉପଭୋଗ କରି ଅଶ୍ୱସ୍ତମୂଳକୁ ଘେରି ଭଉତରା ଉପରେ ଅନେକ ସମୟଧରି ପୂର୍ବ ଓ ଉତ୍ତର ଦିଗକୁ ଅନେଇ  ବସିଥିଲାବେଳେ ଏକ ତନ୍ଦ୍ରାଚ୍ଛନ୍ନ ଶାନ୍ତ ଚେତନା ମତେ କୋଳାଗ୍ରତ କରିନେଇଥିଲା। ମୋ ମାନସପଟ୍ଟରେ ଯେଉଁ ଦୃଶ୍ୟ ତାହା ହୁଏତ ଶହେ ବର୍ଷ ପୂର୍ବେ ଏହି ଅଂଚଳର ସ୍ଥିତି……

ପୂର୍ବପଟୁ ଅନତି ଦୂରରୁ ଗଡିଆସିଥିବା ପର୍ବତର ପାଦଭୂଇଁରେ ଛିଡା ଏହି ଦୁର୍ବାର ଅଶ୍ୱସ୍ତର ଦୃଷ୍ଟିରେ ପଶ୍ଚିମପଟେ ତପ୍ତପାଣି ଘାଟି ଏଵଂ ଘାଟି ସେପାରି ପଶ୍ଚିମ ଓ ଉତ୍ତରରେ ଅନେକ ପାହାଡ ପର୍ବତ ଡେଇଁ ଅମାପିତ ଭୂଇଁ, ପୂର୍ବପଟେ ତା ଆଖି ଆଗରେ କୁଳୁ କୁଳୁ ବହୁଥିବା ଛେଦନଈ ଡେଇଁ ଧାଡି ଧାଡି ଆକାଶ ଛୁଆଁ ପର୍ବତ ଙ୍କ ଶିଖର ପାରକରି ଓ ଦକ୍ଷିଣରେ ରାମନଦୀ ସେପାରି ବିସ୍ତୃତ ସମତଳ ଭୂଇଁ ଶାଳ ପିଆଶାଳ ଆମ୍ବ ପଣସ ଶିଶୁ ସାରଶ ସାଥେ ସାଥେ କଣ୍ଟା ଓ ସାଳିମ୍ବ ବାଉଁଶ ବୁଦା ମଧ୍ୟରେ ସ୍ୱଇଚ୍ଛାରେ ଛିଡା ବଟ ଓ ଅଶ୍ୱସ୍ତ ଦିନରେ କଁଅଳା ଛୁଆ ସହ ମା’ହାତୀକୁ ତ କେଵେ ରାତିରେ ମହାବଳ ତା ଛୁଆଙ୍କ ସହ ଖେଳିବାକୁ ଡାକୁଥିଲେ। ବର୍ଷା ଆସିଗଲେ ପ୍ରତିବର୍ଷ ଘାସ ଓ ଲତାମାନଙ୍କର ଜାତି ଓ ବର୍ଣ୍ଣଙ୍କ ବିଭବତା କିଏ ମନେ ରଖିପାରେ? ସେତେବେଳେ ଦିନ ହେଉ ବା ରାତି ଚାରିପାଖେ ସବୁଠି ସବୁ ମୁହୂର୍ତରେ ନାନା ବିଧ ସାନ ବଡ ଜନ୍ତୁ ଅଗଣିତ ଭଳି କି ଭଳି ପକ୍ଷୀକଂ ଆଳାପ ଆଲୋଚନା ଝଗଡା ଝାଟି ଗୀତ ନାଚ ସାଙ୍ଗକୁ ପଶ୍ଚାତପଟ ରେ ଅହରହ ଅଗଣିତ ଅଦୃଶ୍ୟ ପତଙ୍ଗ ଓ କୀଟଙ୍କ ଅର୍କେଷ୍ଟ୍ରା ଏଵଂ  ମଝିରେମଝିରେ  ସାପ ମୁହଁରେ ବେଙ୍ଗ ବା ବାଘ ମୁହଁରେ ବିଚରା ହରିଣର ବିକଳ କାନ୍ଦ…..

****

ବୃକ୍ଷ-ଲତା! ବୃକ୍ଷ ଓ ଲତା ଆକାଶର ଆଲୋକକୁ ଆହରଣକରି ବଢୁଥିବାବେଳେ ବୃକ୍ଷ ତା ଚତୁର୍ପାଶ୍ୱ ଲତାଙ୍କୁ ନିଜଶରୀର ଆଶ୍ରା ଦେଇଦେଇଥାଏ ଯେହେତୁ ବର୍ଷା ଆରମ୍ଭରୁ ଶୀତ ଶେଷ ଯାଏଁ ତା ଦେହରେ ଭଳିକି ଭଳି ଫୁଲଙ୍କ ରଙ୍ଗ ଓ ମହକର ପ୍ରେମରେ ମସଗୁଲ ରହିବା ସୌଭାଗ୍ୟ ତା ନିଜର। ସେତେବେଳକୁ  ନୁଆଁ ନୂଆଁ ପକ୍ଷୀମାନେ ବି ତା ଡାଳରେ ବସା ବାନ୍ଧି ନିଜର କରି ସାରିଥାନ୍ତି। ବର୍ଷା ଦିନ ଗଭୀର ହେଲେ ଅଗଣିତ କୀଟ ଓ ପତଙ୍ଗ, ଶୀତ ଆସିବ ଆସିବ ହେଲେ ହଳ ହଳ ପ୍ରଜାପତିଙ୍କ ରଙ୍ଗଙ୍କ ବିଭବ ଓ ନୃତ୍ୟର ଅପୂର୍ବ ଗତି-ପ୍ରଗତି। ତାପରେ ଛେଦନଈ ପଟୁ ସକାଳ ଖରାରେ ପହଁରି ପହଁରି ସାରାଦିନ ଶହ ଶହ କଙ୍କି ବୁଲୁଥିଲାବେଳେ ଅଶ୍ୱସ୍ତର ପତ୍ରରେ ପତ୍ରରେ କ୍ଷଣିକ ଲାଗି ଆଶ୍ୱସ୍ତ ହେଉଥାନ୍ତି। ଅଶ୍ୱସ୍ତ କିନ୍ତୁ ଗ୍ରୀଷ୍ମରୁ ଗ୍ରୀଷ୍ମ ମନେରଖିଥାଏ ଉତ୍ତରର କାହିଁ କେଉଁ ଦୁରତାରୁ ସବୁ ଅପରାହ୍ନ ଉଡି ଉଡି ତା’ର ସର୍ବୋଚ ଡାଳରେ ଅନେକ ସମୟ ଧରି ନିରବରେ ବସି ରହୁଥିବା ଏକେଲା ଏକେଲା କରାଖାଇ। ମନେ ରଖିଥାଏ ମଧ୍ୟ ତା ମୂଳରେ ଡେଇଁ ଡେଇଁ ଅଶ୍ୱସ୍ତ ଫଳ ଖାଉଥିବା ଠେକୁଆ ଛୁଆ ଓ ସଞ୍ଜ ଗଡ଼ିଗଲାପରେ ବିଲୁଆ ଛୁଆଙ୍କୁ।

********

କେଡେ ସରଳ ଓ ସାବଲୀଳ ଗଛ-ଲତାଙ୍କ ଭଲପାଇବା। ସେଥିରେ  କୌଣସି ପ୍ରଶ୍ନର ଆଭାସ ହିଁ ନଥାଇପାରେ। ସମୟ ଅସମୟର ବିଚାର ନଥାଏ। ଅଝଟ ବର୍ଷାର ଅନ୍ଧାର ରାତି, ଗ୍ରୀଷ୍ମ ଅପରାହ୍ନ ର ଅସହ୍ୟ ଝାଂଜି, ଶୀତ ସକାଳର ବିଳମ୍ବିତ ଆଳାପ, ପୂର୍ବାହ୍ନର ନୀରବତା ଅବା ଅପରାହ୍ନର ବତାସି ସଂଗୀତ ବୃକ୍ଷ ଭଲପାଇବା ବ୍ୟତିରେକ ଅନ୍ୟ କିଛି ବୁଝି ହିଁ ନପାରେ।

ଆକାଶର ଆଲୋକ ଓ ବାୟୁର ସ୍ପର୍ଷକୁ ଆପଣାର କରିବାରେ ଯଦିଚ ବା ପୃଥିବୀ ପୃଷ୍ଟରେ କାହାଲାଗି କୌଣସି ହଦ ବା ଆକଟ ନଥାଏ ବୃକ୍ଷଲତା କିନ୍ତୁ ତାହା ପ୍ରତିବଦଳରେ ପୃଥିବୀ ଓ ପୃଥିବୀ ର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଉଚ୍ଛର୍ଗ ମାନ ବାଢି ଦେବା ଲାଗି ସଦା ତତ୍ପର।  

ବୋଧହୁଏ ବ୍ରହ୍ମାଣ୍ଡ ସର୍ଜନାରେ ଈଶ୍ବରଙ୍କ ମୌଳିକ ଆତ୍ମ-ଉଚ୍ଛର୍ଗ ବିଷୟରେ ପ୍ରାଥମିକ ଜ୍ଞାନକୁ ସବୁ ପ୍ରାଣୀ ଊଣାଅଧିକେ ଭୂଲି ଯାଇଥିବା ବେଳେ ବୃକ୍ଷଳତାଙ୍କ ଲାଗି ସେଭଳି ଆତ୍ମଘାତି ବିଭ୍ରାନ୍ତି ନିମିଷକେ ଲାଗି ବି ଆସି ନାହିଁ କେବେ।

ବୀଜମଧ୍ୟରେ ସୁଷୁପ୍ତିରେ ଉପସ୍ଥିତ ଆତ୍ମଦାନର ଜ୍ଞାନ। ବୀଜ ସବୁବେଳେ ସଜଥାଏ ନିକ୍ଷିପ୍ତ ହେବାଲାଗି ମାଟି-ଅନ୍ଧାରକୁ। ତା ମୃତ୍ୟୁରେ ହିଁ ଯେ ସମ୍ଭବ ହୁଏ ବିଜୋଦଗମ, ଏହି ଚେତନା ତା ନୀରବତାରେ ଜୀବିତ ଥାଏ। ବିଜୋଦଗମରୁ କ୍ଷୁଦ୍ର ସଫେଦ କାଣିଚାଏ ଚେତନା ମାଟିଅନ୍ଧାର ଭେଦକରି କ୍ଷୁଦ୍ର ଓ କ୍ଷୀଣ ଦୁଇଟି ପାଣିଚିଆ ପତ୍ର ହୋଇ ସୂର୍ଯ୍ୟଙ୍କୁ ଅନେଇବା ଆରମ୍ଭକରେ ଓ ପୃଥିବୀପୃଷ୍ଟରେ ଆରମ୍ଭ ହୁଏ ଗୋଟିଏ ଜୀବନ।

ସୂର୍ଯ୍ୟଙ୍କ ଉଦୟ ଓ ଅସ୍ତର ଦୈନନ୍ଦିନ ଚକ୍ରରେ ସେହି କ୍ଷୁଦ୍ର କ୍ଷୀଣ ଅତୀବ କୋମଳ ସ୍ଥିତି ଧୀରେ ଧୀରେ ତା ପୂର୍ବଜଙ୍କ ସ୍ଥିତି ଉପସ୍ଥିତିର ଅବଲମ୍ବନରେ ଶକ୍ତି ଓ ଦୃଢ଼ତା ସଂଗ୍ରହ କରି ତା ନିଜସ୍ୱ ପରିଚୟ ଗଢି ଗଢି ଚାଲିଥିବା ବେଳେ ତା ଜୀବନାନୁଭୂତିର ପ୍ରତ୍ୟେକଟି ଅନ୍ଧାରି ଓ ଆଲୋକିତ କ୍ଷଣ ତା ଶରୀରର ଅଦୃଶ୍ୟ ଅଭ୍ୟନ୍ତରରେ ଲିପିବଦ୍ଧ ହୋଇ ଚାଲିଥାଏ।

ପ୍ରତ୍ୟେକ ଟି ବୃକ୍ଷର ଜୀବନ କାହାଣୀ ଲିପିବଦ୍ଧ ଥାଏ ତାହାର ଶରୀର ବା ଗଣ୍ଡିରେ। କୌଣସି ମଣିଷ ଯେବେ ଯେକୌଣସି ବୃକ୍ଷର ଶରୀର ଭୁ-ସମାନ୍ତରରେ ଦୁଇଗଡା କରି ହାଣିଦେଇ ଥାଏ ମାତିଭିତରେ ତାର ମୂଳ ଓ ଚେରମାନେ ପୂର୍ବ ଭଳି ଅତୁଟ ରହିଥିବାବେଳେ ମାଟି ଉପରେ ତା ଗଣ୍ଡିର ଅବଶିଷ୍ଟ ସୂର୍ଯ୍ୟଙ୍କ ଦିଗରେ ବୁହାଇ ଚାଲିଥାଏ ତାର ଲୁହ ଓ ରକ୍ତ, ତାର ନିରବ ମୃତ୍ୟୁ-ବାର୍ତା। ସେତବେଳେ ଆମେ ଦେଖିପାରୁ ତା ଗଣ୍ଡିରା ବାହ୍ୟ ବକଳରୁ ଅଭ୍ୟନ୍ତର ମଞ୍ଜ ପର୍ଯ୍ୟନ୍ତ ଆଙ୍କି ହୋଇ ରହିଥିବା ମୋଟା ଓ  ସରୁଆ ଅନେକ ବୃତ୍ତ। ପ୍ରତ୍ୟେକ ବୃତ୍ତରେ ଲିପିବଦ୍ଧ ତା ଜୀବନକାଳରେ ସେ ଭୋଗିଥିବା ପ୍ରତ୍ୟେକଟି ସୁଖ ଦୁଃଖ, ba-ବତାସ, ବଢ଼ି ଓ ମରୁଡି, ପ୍ରତ୍ୟେକଟି କ୍ଷତ ଓ ଦ୍ଵିଧାହୀନ ପ୍ରସ୍ପୁଟିତ ବସନ୍ତ।

ଯେକୌଣସି ବୃକ୍ଷର ମୃତ୍ୟୁ-ବାର୍ତା ମାଟି ଭିତରେ ଚେରଙ୍କର ସମ୍ପର୍କର ଅତୁଟ ଜାଲ ମାଧ୍ୟମରେ ଅବିଳମ୍ବେ ପହଂଚି ଯାଏ ଚତୁଃର୍ଦିଗ। ମାଇଲ ମାଇଲ ଦୁରତା ଡେଇଁ, ପାହାଡ ପର୍ବତ ପାରକରି ପରିବାର ଓ ବଂଶ ସଦସ୍ୟଙ୍କ ପାଖେ ପହଂଚି ଯାଏ ଦୁଃଖ ଖବର ଯେହେତୁ ବୃକ୍ଷମାନେ ସବୁବେଳେ ପରିବାର ଓ ବଂଶକୁ ନେଇ ହିଁ ବଞ୍ଚିଥାନ୍ତି। 

ଅଶ୍ୱସ୍ତ ଓ ବଟ ଭଳି ମହାବୃକ୍ଷ ଯଦିଚ ବା ଏକା ଏକା ବଢ଼ିଥାନ୍ତି ବଞ୍ଚିଥାନ୍ତି କିନ୍ତୁ ତାହା ସେମାନଙ୍କ ପୃଥିବୀ ଓ ପରିପ୍ରେକ୍ଷୀ ପ୍ରତି ମହାନୁଭତାର ପରାକାଷ୍ଠା। ଅଶ୍ୱସ୍ତର ଉଚ୍ଚତ୍ତମ ଡାଳକୁ ମହାକାଶର ଅସୀମତା ଅହରହ ଛୁଇଁ ଛୁଇଁ ଯାଉଥିବା ବେଳେ ଆବଶ୍ୟ ସେ ଅହରହ ଆଶୀର୍ବାଦମୟ ସଭିଙ୍କ ପ୍ରତି ଏଵଂ ସେ ଆଶୀର୍ବାଦରେ ଏକ ଅୟିଶ୍ବରୀୟ ସାମ୍ୟତାର ଶୀତଳ ପରସ ସଦାସର୍ବଦା, ଯେପରି ନିବୁଜ ନିଦାଘରେ ସବୁ ଯେତେବେଳେ ନିଶ୍ୱାସପ୍ରଶ୍ୱାସ ବିହୀନତୁଲ୍ୟ ନିସ୍ତବ୍ଧ, ଅଶ୍ୱସ୍ତର ପ୍ରତ୍ୟେକଟି ପତ୍ର କିନ୍ତୁ ଆଶ୍ବସ୍ତିର ଧୀର ସଂଗୀତରେ ଥର ଥର ଥର ପ୍ରକମ୍ପିତ। 

ସନ୍ଧ୍ୟା ନଇଁ ଅନେକ ସମୟ। ରତ ରତ ଅନ୍ଧାରରେ ମୁଣ୍ଡ ଉପର ଡାଳମାନଙ୍କରେ ପକ୍ଷୀ ମାନେ ଏବେ ପ୍ରାୟତଃ ନିରବ। ଅର୍ଦ୍ଧ-ଶତାବ୍ଦୀରୁ ଉର୍ଦ୍ଧ କାଳ ଡେଇଁ ମୋ ପିଲାବେଳର କଥା ଆପଣାଛାଏଁ ମୋ ଦୃଷ୍ଟି ସମ୍ମୁଖରେ ପହଁରିବାକୁ ଲାଗେ – ଗାଁର ନୂଆଁ-ସାହି ମୁଣ୍ଡରେ ବର ଗଛ ଛାଇର ପ୍ରକାଣ୍ଡ ବୃତ୍ତକୁ ଲାଗି ଭାଗବତ ଟୁଙ୍ଗି। ସଞ୍ଜ ବଢିଲେ ଦୀପ ଆଲୁଅକୁ ଘେରି ଜଣ ଜଣ କରି ଅନେକ ରୁଣ୍ଡ ହେବାସହ ଆରମ୍ଭ ହୁଏ ଭାଗବତ ପାରାୟଣ – ଧନ୍ୟ ଜୀବନ ଏ ଜଗତେ 

  ଯେ ପ୍ରାଣୀ ଧରେ ପ୍ରାଣୀହିତେ 

  ଧନ୍ୟ ଜୀବନ ଧନ୍ୟ ତାର 

  ଦୁର୍ଲଭ କର୍ମ ଏ ବେଭାର 

ଏହା ମୁଁ ବୃକ୍ଷଙ୍କର ସ୍ଥାନେ 

  ଶିଖିଲି ପର୍ବତ ଗହନେ।

ଆପେ ଆପେ ମୋ ମୁଣ୍ଡ ନଇଁଯାଏ ଅଶ୍ୱସ୍ତମୂଳ ମାଟି ଛୁଇଁ ଏଵଂ ସେଇ ମୁହୁର୍ତ୍ତରେ ମନେ ପଡିଯାଏ ଭଗବତ ଗୀତାରେ ଅର୍ଜୁନଙ୍କୁ ସ୍ୱରୂପ ବର୍ଣନା କରି ଭଗବାନ ଶ୍ରୀ କୃଷ୍ଣ କହିଥିବା – “ବୃକ୍ଷଙ୍କ ମଧ୍ୟରେ ମୁଁ ଅଶ୍ୱସ୍ତ”……। ଅତଏବ ଅଶ୍ୱସ୍ତର ସମ୍ମାନ ଶ୍ରୀ କୃଷ୍ଣଙ୍କ ସମ୍ମାନ!

କିନ୍ତୁ ଏଇ କିଛି ଦିନ ପୂର୍ବେ ଏଇ ପାଖ ଦେଇ ବ୍ରହ୍ମପୁରରୁ କୋରାପୁଟ ରାସ୍ତାର ପ୍ରଶସ୍ତକରଣ ଲାଗି ରାସ୍ତା ଦୁଇ ପାଖର  ଅଗଣିତ ବଟ ଓ ଅଶ୍ୱସ୍ତଙ୍କୁ ଯେଭଳି ହାଣି ଭୂଇଁରେ ଗଡ଼ାଇ ବଜାର  ମୂଲ୍ୟ ନଥିବାରୁ ସେମାନଙ୍କୁ ନିଆଁ ଲଗାଇ ଦିନ ଦିନ ଧରି ତିଳ ତିଳ କରି ପୋଡିଜାଳି ପାଉଁଶ କରାଗଲା…. ତାହାର ଅର୍ଥ କଣ ହୋଇପାରେ? ସେ କର୍ମର ଭବିଷ୍ୟତ……? 

ଏକ ଅଜଣା ଅନ୍ଧାର ଓ ଆତଙ୍କରେ ମୁଁ ଅନ୍ଧ ହୋଇଯାଏ…..