ରବୀନ୍ଦ୍ରନାଥଙ୍କ ମହାପ୍ରୟାଣ

ର ବି କ ଥା – ୧୬

ବେଳେ ବେଳେ ମନେହୁଏ, ଶବ୍ଦ, ସ୍ବର, ରଙ୍ଗ ଓ ଅନୁଭବ- ଏଇ ଚତୁଷ୍କୋଣର ସୀମାରେଖା ଡେଇଁ କୌଣସି ଜଣେ ମହାନଶିଳ୍ପୀର ହାତରେ ଆତ୍ମ ସମର୍ପଣ କରେ ସମଗ୍ର ବିଶ୍ବ। ସମୟ ସେତେବେଳେ ନିରବି ଯାଏ, ତାଙ୍କର ପାଦତଳେ ମଥା ନୁଆଏ। ଆଉ ଅନନ୍ତର ଦିଗନ୍ତରେ ଠିଆହୋଇ ସେଇ ଶିଳ୍ପୀ ନିଜେ ସମୟର  ରୂପକାର ପାଲଟିଯାଏ। କାଳ ତାକୁ କବଳିତ କରିପାରେ ନାହିଁ, ବରଂ ସେ କାଳକୁ କବଳିତ କରିଦିଏ। ତାଙ୍କୁ କୁହାଯାଏ କବି, କୁହାଯାଏ ଦାର୍ଶନିକ, କୁହାଯାଏ ୠଷି, କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଏକ ଅଭିଧାରେ ତାଙ୍କୁ ଡକାଯାଏନା। ସେ ଜଣେ ଆଲୋକଧାରା, ଯିଏ କାଳର ସ୍ରୋତରେ ନିଜକୁ ବିସର୍ଜନ ଦେଇ ଗଢ଼ି ତୋଳିଛନ୍ତି ଚିରସ୍ଥାୟୀ କଳାରୂପ। ସେ ହେଲେ ବିଶ୍ବକବି ରବୀନ୍ଦ୍ରନାଥ ଠାକୁର, ଭାରତବର୍ଷର ଏକମାତ୍ର ନୋବେଲ ପୁରସ୍କାର ପ୍ରାପ୍ତ ସାହିତ୍ୟିକ।

ଆଜି ୨୨ଶ୍ରାବଣ, ରବୀନ୍ଦ୍ରନାଥଙ୍କ ମହାପ୍ରୟାଣ।

ବଙ୍ଗାବ୍ଦ ୨୨ ଶ୍ରାବଣ ରବୀନ୍ଦ୍ରନାଥଙ୍କ ୮୪ତମ ମହାପ୍ରୟାଣ ଦିବସ।ଆଜିର ତିଥିରେ (ସେଦିନ ୬ଅଗଷ୍ଟ ୧୯୪୧) କଲିକତାର ଯୋଡାଶଙ୍ଖ ଠାକୁରବାଡିରେ ପାର୍ଥିବ ଜଗତର ସବୁ ମାୟା ମୋହ ବନ୍ଧନକୁ ତ୍ୟାଗ କରି ସେ ଚାଲିଯାଇଥିଲେ ଅନନ୍ତ ଲୋକକୁ। ତେଣୁ ଆଜିର ଦିନଟି ରବୀନ୍ଦ୍ରପ୍ରେମୀଙ୍କ ପାଇଁ ଏକାଧାରରେ ଶୋକ ଓ ସ୍ମରଣର ଦିନ, କବିଗୁରୁଙ୍କ ସୃଷ୍ଟିକୁ ନୂଆଁ କରି ଉପଲବ୍ଧି କରିବାର ଦିନ।

୬ ଅଗଷ୍ଟ ୧୯୪୧ ଦିନ ୧୨.୧୦ମିନିଟରେ ଘଟିଥିଲା କବିଙ୍କ ମହାପ୍ରୟାଣ। ବିଶ୍ବବ୍ୟାପୀ ରବୀନ୍ଦ୍ରପ୍ରେମୀମାନେ ହୋଇଥିଲେ ଶୋକରେ ମୁହ୍ୟମାନ। ଦୀର୍ଘ ଅସୁସ୍ଥତାର ପରେ ତାଙ୍କର ଏଇ ବିଦାୟ ଥିବା ଆଲୋକବର୍ତ୍ତିକାଟିଏ ନିଭି ଯିବା ସମାନ। ତାଙ୍କର ବିୟୋଗରେ ସମଗ୍ର ବିଶ୍ବ ସାହିତ୍ୟ ହରାଇଥିଲା ଜଣେ ଅନ୍ୟତମ ଶ୍ରେଷ୍ଠ ଦିଗପାଳ। କଳାକୁ କବଳ କଲା କାଳ।

ସୃଷ୍ଟି ଭିତରେ ସେ ଚିରଞ୍ଜିବୀ:

ରବୀନ୍ଦ୍ରନାଥଙ୍କ ଦୈହିକ ପ୍ରସ୍ଥାନ ଘଟିଥିଲେ ମଧ୍ୟ ସେ ଅମର ହୋଇଯାଇଛନ୍ତି ତାଙ୍କର ସୃଷ୍ଟି ମଧ୍ୟରେ। କବିତା, ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ, ସମାଲୋଚନା, ଚିତ୍ରକଳା ଠାରୁ ଆରମ୍ଭ କରି ଶିକ୍ଷାଦର୍ଶନ-ପ୍ରତିଟି ସେ ଛାଡି ଯାଇଛନ୍ତି ତାଙ୍କର କାଳଜୟୀ ପ୍ରତିଭାର ଅମୃତ ସ୍ବାକ୍ଷର। ତାଙ୍କର ଲେଖା “ଗୀତାଞ୍ଜଳି” ପାଇଁ ୧୯୧୩ ମସିହାରେ ପ୍ରଥମ ଏସୀୟ ହିସାବରେ ସେ ଲାଭ କରିଥିଲେ ନୋବେଲ ପୁରସ୍କାର। ତାଙ୍କର ଗୀତ, ଯାହା “ରବୀନ୍ଦ୍ର ସଂଗୀତ” ଭାବେ ପରିଚିତ ମଣିଷର ସୁଖ-ଦୁଃଖ, ଆନନ୍ଦ-ନିରାନନ୍ଦ, ପ୍ରେମ ଓ ପ୍ରାର୍ଥନାର ଏକ ଅବିଚ୍ଛେଦ୍ୟ ଅଂଶ।ତାଙ୍କ ଦ୍ବାରା ପ୍ରତିଷ୍ଠିତ ଶାନ୍ତି ନିକେତନ ସଂପ୍ରତି ଶିକ୍ଷାଭାବନାର ଏକ ମୂର୍ତ୍ତ ପ୍ରତୀକ, ଯାହା ଗତାକୁଗତିକ ଶିକ୍ଷା ବ୍ୟବସ୍ଥା ବାହାରେ ଏକ ନୂତନ ପଥର ମାର୍ଗ ନିର୍ଦ୍ଦେଶ କରେ। ଏସବୁ ଥିଲା ରବୀନ୍ଦ୍ରନାଥଙ୍କ କାଳକୁ କବଳ କରିବାର କଳା।

ଶ୍ରଦ୍ଧା ଓ ସ୍ମରଣରେ ସମଗ୍ର ବିଶ୍ବ:

ପ୍ରତିବର୍ଷ ଭଳି ଆଜି ମଧ୍ୟ ପଶ୍ଚିମବଙ୍ଗ, ବାଂଲାଦେଶ ସହ ବିଶ୍ବର ବିଭିନ୍ନ ପ୍ରାନ୍ତରେ ରବୀନ୍ଦ୍ରପ୍ରେମୀମାନେ ଏହିଦିନକୁ ପାଳନ କରନ୍ତି। ଶାନ୍ତି ନିକେତନ, ଯୋଡାଶଙ୍ଖର ଠାକୁରବାଡି, ବାଂଲାଦେଶର ଶିଆଲଦାହ ଓ ଶାହଜାଦପୁରର କୁଠିବାଡିରେ ଆୟୋଜିତ ହେଉଛି ବିଶେଷ ସ୍ମରଣ ସଭା। ଦିନସାରା ଚାଲିଛି କବିଙ୍କ କବିତା ପାଠ, ରବୀନ୍ଦ୍ର ସଂଗୀତ, ନୃତ୍ୟନାଟ୍ୟ ପରିବେଷଣ ଓ ତାଙ୍କ ଜୀବନ ଦର୍ଶନ ନେଇ ଆଲୋଚନା ସଭା। ବିଭିନ୍ନ ଦୂରଦର୍ଶନ ଚ୍ୟାନେଲ୍ ଓ ବେତାରକେନ୍ଦ୍ରରେ ପ୍ରସାରିତ ହୁଏ ରବୀନ୍ଦ୍ରନାଥ ସମ୍ପର୍କିତ କାର୍ଯ୍ୟକ୍ରମ। ହୁଏ ମହା ସମାଗମ।

ଶେଷକଥା:

ରବୀନ୍ଦ୍ରନାଥ କେବଳ ଜଣେ କବି ନଥିଲେ, ସେ ଥିଲେ ଭାରତୀୟ ମାନଙ୍କ ଅସ୍ତିତ୍ବ ଓ ଅସ୍ମିତାର ସନ୍ଧାନୀପୁରୁଷ। ସେ ଦେଖାଇଥିବା ପଥ , ମାନବିକତାର ବାଣୀ ଓ ସୌନ୍ଦର୍ଯ୍ୟବୋଧ ଆଜି ମଧ୍ୟ ଆମର ପଥଚଲାରେ ପାଥେୟ। ଆଜି ଦିନ, କେବଳ ଶୋକର ଦିନ ନୁହେଁ, ତାଙ୍କର ସୃଷ୍ଟି ଓ ଦର୍ଶନର ଆଲୋକରେ ନିଜକୁ ନୂଆ ଭାବେ ଚିହ୍ନିବାର ଦିନ।ମହାକାଳର ସ୍ରୋତରେ ତାଙ୍କର ଶାରୀରିକ ଅନୁପସ୍ଥିତି ଘଟିଥିଲେ ମଧ୍ୟ ଭାରତୀୟଙ୍କ ମନରେ ଓ ପ୍ରଣରେ ସେ ଚିର ଅମଳୀନ। ମନେ ପଡିଯାଉଛି, କବିସୂର୍ଯ୍ୟଙ୍କ ପ୍ରତି ରାଧାନାଥଙ୍କ ଉକ୍ତି:

ମାଟି ଦେହ ସିନା ଗ୍ରାସିଛି ଶ୍ମଶାନ

ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ।

ହେ ରବୀନ୍ଦ୍ର!!

ଭଞ୍ଜ-କବିସୂର୍ଯ୍ୟମାଟିରୁ ତମ ମାଟିରେ ଠିଆହେଇ ତମକୁ ଅୟୁତ ପ୍ରଣାମ।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →