“ମୁଁ ପାନପାତ୍ର ସହ ଏକାକୀ
ବଂଧୁହୀନ ଜଣେ
ପାନପାତ୍ର ଉଠାଏ,
ସାମ୍ନାରେ ଚଂଦ୍ର
ଓ ମୋର ଚିରାଚରିତ ଛାଇ।
ଆମେ ଏବେ ତିନିଜଣ ଏଇଠି ଅଛୁ।
ଚନ୍ଦ୍ର ପାନ କରେ ନାହିଁ
ଏବଂ ମୋର ଛାଇ ମୋତେ ଅନୁକରଣ କରେ।”
ଏଇ କବିତାଂଶଟି ଚାଇନାର କବି ଲି ପୋ ବା ଲି ବାଇ (୭୦୧-୭୬୨ ଖ୍ରୀଅ)ଙ୍କର ଯିଏ ଚିରାୟତ୍ତ ଚୀନା-କବିତାକୁ ଏକ ଗୌରବାଜ୍ଜଳ ମାତ୍ରା ପ୍ରଦାନ କରିଯାଇଛନ୍ତି।
୨୫ ଜୁନ୍ ୭୬୨ ଖ୍ରୀଅ ରେ ରାତିରେ ଏହି ଘଟଣାଟି ଘଟିଥିଲା ଚାଇନା ରେ, ଏକ ନୌକାବିହାରରେ।
ଏସିଆର ବୃହତ୍ତମ ନଦୀ ୟାଙ୍ଗଜେ । ସେହି ନଦୀରେ ନୌକାବିହାର କରୁଥିଲେ ଆମର ଏହି କବି ଲି ପୋ,ସେଦିନ ରାତିରେ। ପୂର୍ଣ୍ଣିମାର ଉଜ୍ଜଳ ଜହ୍ନରେ ଚାରିଆଡ ମାୟାଚ୍ଛନ୍ନ। ନୌକାରେ ଥିଲେ କବି ଓ ନୌକାବାହକ।
ନୌକାବାହକ ଅନେକ ଚେଷ୍ଟା କରି ବିଫଳ ହେଲା।
କୂଳରେ ଡଙ୍ଗାଟିକୁ ବାହିନେଇ ସବୁକଥା ଲୋକଙ୍କୁ ଟିକିନିଖି କରି କହୁଥିଲା ସେ।ମଝିରେ ମଝିରେ ସେହି ନୌକାବାହକ ର କଂଠରୁଦ୍ଧ ହୋଇଯାଉଥିଲା।କବିଙ୍କର କହିବାକୁଗଲେ ଏଇ ନୌକାଚାଳକ ସହ ସଂପର୍କ ଢେର୍ ଦିନର ଓ ଯଥେଷ୍ଠ ଅନ୍ତରଂଗ ।ଅନେକ ଅନେକ ଜ୍ୟୋତ୍ସ୍ନାପ୍ଳୁତ ରଜନୀରେ କବିଙ୍କର ନୌକାବିହାର ଏକମାତ୍ର ସଂଗୀ ଥାଏ ସେ।
ସେହି ଚଂଦ୍ରବିଧୌତ ରଜନୀମାନଙ୍କରେ ୟାଙ୍ଗଜେ ନଦୀବକ୍ଷରେ ସେହି ବିଖ୍ୟାତ ନୌକା ବିହାରମାନଙ୍କରେ ଆଉ କ’ଣ କିଛି ଘଟେ ତାହାର ସବିଶେଷ ସୂଚନା ମିଳିବା କଷ୍ଟକର,ମାତ୍ର ସମସ୍ତେ ଏତିକି ଜାଣନ୍ତି ଯେ କବିର ସାନ୍ନିଧ୍ୟରେ ସେହି ନୌକାବାହକ ଜଣକ କବିତାର ଏବେ ଜଣେ ଅତ୍ୟନ୍ତ ସମଝଦାର୍ ଶ୍ରୋତା।
ଲି ପୋ ଙ୍କ କବିତା ନୌକାବାହକର ମୁଖସ୍ଥ।ନୌକାବାହକକୁ ଅବସର ସମୟରେ ଲୋକେ ଲି ପୋ ଙ୍କ କବିତା ଶୁଣାଇବା ପାଇଁ ଡାକୁଥିଲେ।ସେତେବେଳେ ପୋଷାକ ଠାରୁ ଆରଂଭ କରି ଅଂଗଭଂଗି ଓ ଉଚ୍ଚାରଣ ସବୁଥିରେ ଲି ପୋ ଙ୍କୁ ଏକନିଷ୍ଠ ଭାବରେ ଅନୁକରଣ କରୁଥାଏ ଏହି ନୌକାବାହକ।ଲୋକେ ବେଶ୍ ଆମୋଦିତ ହୁଅନ୍ତି।ତେଣୁ ତାହାର ଆୟ ବେଶ୍ ଭଲ।
ପ୍ରସିଦ୍ଧ କବି ଲି ପୋ ଙ୍କ ସାକ୍ଷାତ ଆଉ ତାଙ୍କ ମୁହଁରୁ ପ୍ରତ୍ୟକ୍ଷ କବିତା ଶୁଣିବାର ଭାଗ୍ୟ ତ ସେତେ ସହଜ ନଥିଲା ସମସ୍ତଙ୍କ ପକ୍ଷରେ।ତେଣୁ ଦରିଦ୍ର ଲୋକଙ୍କର ଲି ପୋ ସାଜି ଏଇ ନୌକାବାହକ ଅନେକ ମଂଚ ଆରୋହଣ କରେ ।ଘରେ ସେ କିନ୍ତୁ ନିଜେ ପାଲଟିଯାଏ ଯେମିତି ସାକ୍ଷାତ୍ ଜଣେ ଲି ପୋ।ନିଜ ଘର ଅଗଣାରେ ସେ ରଖିଛି ଏକ ବିରାଟ ଦର୍ପଣ।ଦର୍ପଣରେ ଜହ୍ନର ପ୍ରତିଫଳନକୁ ନିଜ ପାଖରେ ଦେଖି ସେ ନୈଶ୍ୟଭୋଜନ କରେ।ସେ ଜାଣିଛି ପାଖରେ ଜହ୍ନ ନଥିଲେ ଲି ପୋ କଦାପି ନୈଶ୍ୟାହାର କରନ୍ତି ନାହିଁ।
ଲି ପୋ ଙ୍କ ଜୀବନ ନିହାତି ଏକ ଜହ୍ନମୟ ଜୀବନ।
ଜହ୍ନ ଆଲୁଅରେ ଲି ପୋ ବେଳେବେଳେ ଏକାନ୍ତ ଭାବରେ କାମନା କରନ୍ତି ଜଣେ ଜଣେ ରୂପସୀ ତରୁଣୀକୁ।ସେ ନୌବିହାର ନଦୀର ନୁହଁ,ଧରିତ୍ରୀର।ସ୍ୱଳ୍ପ ବେଶଭୂଷାରେ ରୂପସୀ ଚିତ୍ ହୋଇ ଶୁଏ।ତାହାର ସାମ୍ନାରେ ଆକାଶ ଆଉ ଆକାଶରେ ପୂର୍ଣ୍ଣ ଜହ୍ନ।ଲି ପୋ ଙ୍କ ଶବ୍ଦପ୍ରବୀଣ ଆଙ୍ଗୁଳୀ ସ୍ପର୍ଶ କରେ ରୂପସୀର ମୁହଁ,ମୁଦ୍ରିତ ଆଖି।ରୂପସୀର ମୁହଁରେ ଜହ୍ନର ପ୍ରତିଫଳନକୁ ସ୍ପର୍ଶ କରନ୍ତି କବି।
ଅନେକ ସମୟରେ ସିଧା ସଳଖ ଜହ୍ନ ଏମିତି ପ୍ରତିଫଳନରେ ସୁପାଚ୍ୟ ଖାଦ୍ୟ ସାଜେ ଏହି ପ୍ରଖ୍ୟାତ କବିଙ୍କର।
ଜହ୍ନଭକ୍ଷଣର ଦୁର୍ନାମ ପ୍ରଖ୍ୟାତ କବିଙ୍କୁ ସ୍ପର୍ଶ କରିବ ନାହିଁ।ମାତ୍ର ନୌକାବାହକର ସଂସାର ଛିନଛତ୍ର ହୋଇଯାଏ।ଗୋଟିଏ ଶରୀର ପାତ୍ରରେ ଜହ୍ନକୁ ରୋଚକ ଖାଦ୍ୟ ହିସାବରେ ସଜାଇବାପାଇଁ ପ୍ରୟୋଜନୀୟ ରୂପସୀ ପାଇଁ ଢେର୍ ଅର୍ଥ ବ୍ୟୟ କରିବାକୁ ପଡୁଥାଏ ଆମର ଏହି ନୌକା ବାହକକୁ।
ବିଷାଦର ଏକ ବିବରଣୀକୁ କେହି କେବେ ପରିସ୍କାର ଆଉ ସ୍ପଷ୍ଠ ଭାବରେ ଘୋଷିଗଲା ଭଳି କହିପାରିବ ନାହିଁ ଏଇ ଜଗତରେ ।
ସେଦିନ ଏକେଲା ନୌକାକୁ କୂଳରେ ଲଗାଇବା ପରେ ନୌକାବାହକ ଜଣକ କହିଥିଲା କାଂଦି କାଂଦି ସମସ୍ତଙ୍କୁ।
“କବି କବିତା ପାଠକରୁଥିଲେ।ହାତରେ ଥିଲା ତାଙ୍କର ପାନ ପାତ୍ର।ନଦୀର ନିସ୍ତରଂଗ ଜଳରେ ଜହ୍ନର ରହିଛି ଉନ୍ମତ୍ତ ପ୍ରତିଫଳନ। ହଠାତ୍ ମୋତେ ନିର୍ଦ୍ଦେଶ ଦେଲେ ନୌକାକୁ ସ୍ଥିର ରଖିବା ପାଇଁ।ଜହ୍ନ କୁ ଆଲିଙ୍ଗନ କରିବା ପାଇଁ ଉଦ୍ୟତ ହେଲେ କବି।ପ୍ରଥମଥର କବି ସ୍ପର୍ଶ କରିବାକୁ ଚେଷ୍ଠା କଲେ ଜହ୍ନକୁ।ସଫଳ ହେଲେ ନାହିଁ। ମୁଁ ବାରଣ କଲି।କହିଲି,ମହାତ୍ମାନ୍,ଏହା ୟାଙ୍ଗଜେ ନଦୀ ଖୁବ୍ ଅପ୍ରକୃତିସ୍ଥ ,କୌଣସି ରୂପସୀ ଭଳି ସ୍ଥିର ନୁହଁ,ଚାଲନ୍ତୁ ଆମେ କୂଳକୁ ଫେରିବା,ସେଠାରେ କେତେ କେତେ ରୂପସୀ ଜହ୍ନଧାରଣ ପାଇଁ ପ୍ରସ୍ତୁତ ରହିଛନ୍ତି,ଯିବା ? କବି ତିରସ୍କାର କରି କହିଲେ,ତୁ ସାମାନ୍ୟ ଛାଇ,ଛାଇ କେବେ ନିର୍ଦ୍ଦେଶ ଦେଇପାରେ ଜଣେ କବିକୁ ?,ନୌକା ସ୍ଥିର ରଖ।ତାହାପରେ କବି ୟାଙ୍ଗଜେ ର ଅତଳ ଜଳ ଶଯ୍ୟାରେ ଜହ୍ନକୁ ଆଲିଙ୍ଗନ ପାଇଁ ଝୁପ୍ କରି ଗଳି ପଡିଲେ ତଳକୁ।ପ୍ରିୟତମା ଜହ୍ନତମା ଆସ ମୋର ବାହୁବଂଧନକୁ, ଥିଲା ତାଙ୍କର ଶେଷ କଥା ।ଚେଷ୍ଟା କଲି।ପାରିଲି ନାହିଁ ।ଏଇଟି ଦେଖନ୍ତୁ କବିଙ୍କ ପାନପାତ୍ର,ଏଇଟି କବିତା ର ଖେଦା କବିଙ୍କର।ମୋତେ କ୍ଷମା କରନ୍ତୁ ମୁଁ କବିଙ୍କୁ ରକ୍ଷା କରି ପାରିଲି ନାହିଁ।”
ତାହା ପରଦିନ ୟାଙ୍ଗଜେ ନଦୀ ଫେରାଇ ଦେଇଥିଲା ନିଷ୍ପ୍ରାଣ କବିଙ୍କୁ କୂଳକୁ।କବିଙ୍କ ହାତ ଆଲିଙ୍ଗନ ର ମୁଦ୍ରାରେ ଥାଏ।କବିଙ୍କର ସେହି ଦୃଢ ଆଲିଙ୍ଗନ ଭିତରେ ଲୋକେ ଦେଖିବାକୁ ଚେଷ୍ଟା କରୁଥିଲେ ଜହ୍ନର କୌଣସି ଅଂଶବିଶେଷ ବା ଜହ୍ନର କୌଣସି ପ୍ରତୀକ।ସମସ୍ତେ କହୁଥିଲେ କବିଙ୍କ ଆଲିଙ୍ଗନରେ ଯେଉଁ ଜହ୍ନ ରହିଛି ତାହା କ’ଣ କୌଣସି ଚର୍ମଚକ୍ଷୁକୁ ଗୋଚର ହେବ ?ଏତେ ଚକ୍ଷୁଷ୍ମାନ କିଏ କ’ଣ ଏହି ପୃଥ୍ବୀରେ ରହିଛି ?
ଅଦୃଶ୍ୟ ଜହ୍ନ ସହ ଆଲିଙ୍ଗନମୁଦ୍ରାରେ ଲି ପୋ ଭୂଗର୍ଭାରୋହଣ କଲେ।
ଏହି ଜହ୍ନମୟ କାହାଣୀର ଏଇଠି ପରିସମାପ୍ତି ନୁହଁ।
ବେଳେ ବେଳେ ନୌକାରୁ ୟାଙ୍ଗଜେ ଜଳରାଶିରେ ଫୁଟିଥିବା ଜହ୍ନତମାକୁ ଥରେ ଥରେ ସେ ଆଲିଙ୍ଗନ କରିବାକୁ ଉଦ୍ୟମ କରେ ପୂର୍ଣ୍ଣମୀ ତିଥିରେ।ସେ କିନ୍ତୁ ଫେରିଆସିପାରେ ନୌକାକୁ ତୃପ୍ତ ହୋଇ।ତାହାର ଆଲିଙ୍ଗନରେ ରହିଥାଏ ଜହ୍ନତମା।
ସେ କବିର ଛାଇ।
ସେ ଆମର ପରିଚିତ ନୌକା ବାହକ।
ତାହାକୁ ନଇଁ ପହଁରା ଜଣା।
ନଇ ପହଁରା ସହ ଜହ୍ନର ଜଟିଳ ସଂପର୍କର କଥା କବିଙ୍କୁ ଜଣା ନଥିଲା। ଆହା !

