ଆନାଙ୍କ ହାତ

ଡାହାଣ ହାତର ଫଟୋ । ଆନାଙ୍କର ।ଫଟୋରେ ଦେଖାଯାଉଛି ଗୋଟିଏ ଆଙ୍ଗୁଳିରେ ରହିଛି ଗୋଟିଏ ମୁଦି । ସେଇ ମୁଦିଟି ତାଙ୍କର ଏନଗେଜମେଣ୍ଟ ସମୟ ର ମୁଦି ।

ଆନା ଙ୍କର ପୂରାନାଆଁ ଆନା ବର୍ଥା ରୋଣ୍ଟଜେନ୍। ବିଖ୍ୟାତ ପଦାର୍ଥବିଜ୍ଞାନୀ ଡଃ ଉଇଲହେମ ରୋଣ୍ଟଜେନ୍ ଙ୍କର ପତ୍ନୀ ସେ। ଆନା ତାଙ୍କର ଏମିତି ଏଇ ଡାହାଣ ହାତର ଏମିତି ଗୋଟିଏ ଫଟୋ ନିମନ୍ତେ ପୃଥିବୀ ବିଖ୍ୟାତ ମାତ୍ର ତାଙ୍କର ସ୍ୱାମୀ ଡଃ ରୋଣ୍ଟଜେନ ଚର୍ଚ୍ଚିତ ଏଇଥିପାଇଁ ଯେ ସେ ହେଉଛନ୍ତି ପୃଥିବୀର ପ୍ରଥମ ବିଜ୍ଞାନୀ ଯିଏ ପଦାର୍ଥ ବିଜ୍ଞାନରେ ସର୍ବ ପ୍ରଥମେ ପ୍ରସିଦ୍ଧ ନୋବେଲ ପୂରସ୍କାର ର ପ୍ରାପକ । ଏହା ୧୯୦୧ ସାଲର କଥା ।

ବିଶ୍ୱ ଫଟୋଗ୍ରାଫି ଦିବସକୁ ନେଇ ଚର୍ଚ୍ଚା କଲାବେଳେ ଏଇ ଗୁରୁତ୍ୱପୂର୍ଣ୍ଣ ଫଟୋଟି ଆମର ସ୍ମରଣରେ ରହିବା ନିହାତି ଆବଶ୍ୟକ । ଏହାଠୁ ଅଧିକ ନିବିଡ ଆଉ ନିହାତି ଗଭୀର ଫଟୋ ଆଉ ଦ୍ୱିତୀୟ ଗୋଟିଏ ହେବା ସେତେ ସହଜ ନୁହଁ । କହିବାକୁ ଗଲେ ଫଟୋଗ୍ରାଫି ମାଧ୍ୟମରେ ଯେଉଁ ଯେଉଁ ସତ୍ୟକୁ ପୃଥିବୀର ଚିନ୍ତାଚେତନାରେ ଚିରକାଳ ଏକ ମୋଡ ପରିବର୍ତ୍ତନକାରୀ ଚିତ୍ରରୂପରେ ବାସ୍ତବାୟିତ ତଥା ନଥିଭୂକ୍ତ କରି ସମସ୍ତଙ୍କର ସଜ୍ଞାନ ଗୋଚର ଅର୍ଥାତ୍ ” କଗନିଟିଭ୍ ନଲେଜ” ରେ ରଖିବା ନିମନ୍ତେ ପ୍ରୟାସ କରାଯାଇଛି ସେମିତି ଯେଉଁ ଶହେଗୋଟି ଫଟୋଗ୍ରାଫର ତାଲିକା ଅଛି ତାହାରି ମଧ୍ୟରେ ଏଇ ” ଆନାଙ୍କ ହାତ” ଫଟୋଗ୍ରାଫ ଟି ଅନ୍ୟତମ ।

ଆମକୁ ବସ୍ତୁତଃ ଜଣା ନାହିଁ ଆନା ବେର୍ଥା ରୋଣ୍ଟଜେନ୍ ଙ୍କର କେତେ କେତେ ଫଟୋ ଉଠାଯାଇଥିଲା,ସେ ସମସ୍ତ ଇତିହାସ ପୃଷ୍ଠାରୁ ଅନ୍ତର୍ହିତ ହୋଇଯାଇଛି,କେବଳ ଏଇ ଗୋଟିକ ଅର୍ଥାତ୍ “ଆନାଙ୍କ ହାତ ” ଫଟୋଗ୍ରାଫ୍ ଟିକୁ ସେଥିରୁ ବାଦ ଦେବାକୁ ହେବ।

ଫଟୋ କହିଲେ ଆମେ ମୁହଁ କୁ ବୁଝୁ,ସୁନ୍ଦରପଣକୁ ସାବ୍ୟସ୍ତ କରିବାକୁ ବୁଝୁ। ଫଟୋ ମାଧ୍ୟମରେ ଆମର ଯେଉଁ ଆତ୍ମମୁଗ୍ଧତା ରହିଥାଏ ,ଯାହାକୁ ଆମେ ଆମର “ନାର୍ସିସସ୍ ପ୍ରବୃତ୍ତି” ବୋଲି କହିବା ,ତାହାକୁ ଆମେ କାଳର ମହାଫେଜଖାନାରେ ସବୁବେଳେ ସାଉତି ରଖିଦେବା ପାଇଁ ଚାହୁଁ। ଆମର ସୁନ୍ଦରପଣ ଯାହାକୁ ନେଇ ଆମେ କସ୍ତୁରୀମୃଗ ସମ ଜୀବନଧାରାରେ ଅଭ୍ୟସ୍ତ ତାହାହିଁ ଆମର ଏକମାତ୍ର ଉପଲବ୍ଧି ।

ମୁଁ ସୁନ୍ଦର,ତାହାହିଁ ମୋର ଏକମାତ୍ର ଅର୍ଜନ।

ମୁହଁ କୌଣସି ପ୍ରତିଦ୍ୱନ୍ଦୀକୁ ସ୍ୱୀକାର କରେ ନାହିଁ । ଏକାଙ୍ଗ ଚକ୍ରବର୍ତ୍ତି ସେ । ତାହାର କେବଳ ନିଜ ସୁନ୍ଦରପଣ ତଥା ଆତ୍ମମୁଗ୍ଧତା ର ସମର୍ଥକ ଦରକାର । ସେଇଥିପାଇଁ ପୂଥିବୀର ମାଳମାଳ ସୁନ୍ଦରପଣର ଚାହାଁଣୀରେ ରହିଥାଏ ସମର୍ଥନର କେବେ ସମାହିତ ହେଉନଥିବା କ୍ଷୁଧା।

କିନ୍ତୁ ଫଟୋରେ ଯେ ଖାଲି ମୁହଁ ରହିଥାଏ ,ଏକଥା ନୁହଁ । ଫଟୋରେ କେହି କେହି ମୁହଁ କୁ ରଖନ୍ତି ନାହିଁ,ନିଜଭାବକୁ ରଖିବାର ପ୍ରୟାସ କରନ୍ତି ,ବିଚାର ରଖନ୍ତି। ଆନାଙ୍କର ମୁହଁ ଏଇଠି ନାହିଁ,ଚିରକାଳ ପାଇଁ ତାଙ୍କର କେବଳ ଡାହାଣ ହାତର ଛବିଟିଏ ରହିଯାଇଛି ଇତିହାସରେ ,ଏକ ନୈର୍ବ୍ୟୟକ୍ତିକତାକୁ ପରିଭାଷିତ କରି ରଖିବା ପାଇଁ । ଆନାଙ୍କର କ୍ୟାମେରା ପ୍ରତି ଏକ ବିଦ୍ୱେଷ କ୍ରମଶଃ ତାଙ୍କର ବିବାହୋତ୍ତର ଜୀବନରେ ଦେଖାଯାଇଥିଲା। ନିଜର ଫଟୋ ଉଠାଇବା ପାଇଁ ସେ ଆଦୌ ଆଗ୍ରହୀ ନଥିଲେ।

ଏହାପରେ ଏଇ ଆଲେଖକୁ ଆଗକୁ ବଢେଇନେବା ପାଇଁ ଗୋଟିଏ ଧାଡିର ବିଶେଷ ପ୍ରୟୋଜନ ପଡିବ। ସେଇ ଧାଡିଟି ହୁଏତ ଅଧିକ ପୁରୁଷାଳି ଶୁଭିପାରେ ,ମାତ୍ର ତାହାକୁ ଏଇଠି ଆଦୌ ବାଦ ଦିଆ ଯାଇ ପାରିବ ନାହିଁ ।

ଏଇ ଆଲେଖକୁ ଆଗକୁ ନେବା ପାଇଁ ଯେଉଁ ଧାଡିଟିର ପ୍ରୟୋଜନ ଅଛି ତାହା ହେଊଛି : ଜଣେ ସ୍ୱାମୀର ଏକାନ୍ତ ବିଶ୍ୱସ୍ତ ଆଉ ବସ୍ତୁନିଷ୍ଠ ପରୀକ୍ଷାଗାର ହେଉଛି ତାହାର ଧର୍ମପତ୍ନୀ।

ଜଣେ ପଦାର୍ଥବିଜ୍ଞାନୀ ଭାବରେ ଡଃ ଉଇଲହେମ୍ ରୋଣ୍ଟଜେନ୍ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରି କହିଥିଲେ :

ମୁଁ କିଛି ଭାବେ ନାହିଁ। କେବଳ ତଦନ୍ତ କରେ।

ସ୍ୱାମୀ ଜଣକ ଯେତେବେଳେ କୌଣସି ସାମାଜିକ ତଥା ସଂପର୍କର ପରିସରକୁ ନିଜର ଭାବନାର ପରିସରକୁ ଆଣୁନଥିବ ଆଉ କେବଳ ତଦନ୍ତକାରୀ ହିସାବରେ ଭୌତିକ ଜଗତ ତଥା ଫିଜିକାଲ୍ ୱାର୍ଲଡ ର ସୂତ୍ରାବଳୀ କୁ ଟିକିନିଖି କରି ଦେଖୁଥିବ , ସେତେବେଳେ ସ୍ତ୍ରୀ ନାମକ ଏଇ ଜୀବନ୍ତ ପରୀକ୍ଷାଗାରର ଅବସ୍ଥା କେଉଁଭଳି ହେବ ତାହା ଆମମାନଙ୍କର ଅନୁମାନ ସାପେକ୍ଷ।

ଡଃ ଉଇଲହେମ୍ ବିଭିନ୍ନ ପ୍ରକାରର ରଶ୍ମୀକୁ ନେଇ ଗବେଷଣା କରୁଥିଲେ । ବୈଜ୍ଞାନିକ ଭାଷାରେ ଯାହାକୁ କାଥୋଡ୍ ରେ କହନ୍ତି ସେଥିରୁ ଯେଉଁ ଇଲେକ୍ଟ୍ରୋମାଗନେଟିକ ଏନର୍ଜି ଆସେ ତାହାକୁ ଭିନ୍ନ ଭିନ୍ନ ବସ୍ତୁ ଉପରେ ପକାଇ ସେ ଏକପ୍ରକାର ଫଟୋ ଉତ୍ତୋଳନ କରୁଥିଲେ । ପ୍ରାଥମିକ ଭାବରେ ସେ ବିଭିନ୍ନ ନିର୍ଜୀବ ପଦାର୍ଥମାନଙ୍କର ସେଇ ପ୍ରକାର ଫଟୋ ଉଠାଇଥିଲେ । ତାହାପରେ ତାଙ୍କର ଗବେଷଣାର ପରବର୍ତ୍ତି ପର୍ଯ୍ୟାୟ ଥିଲା ଜୀବନ୍ତ ପଦାର୍ଥ ର ଫଟୋ ଉଠାଇବା। ଆଉ ସେତେବେଳେ ଡଃ ଉଇଲହେମ୍ ଙ୍କ ନିକଟରେ ପତ୍ନୀ ଆନା ଙ୍କ ହାତ ବ୍ୟତୀତ ଅଧିକ ଜୀବନ୍ତ ପଦାର୍ଥ କିଛି ନଥିଲା ।

Wilhelm Conrad Röntgen (27 March 1845 – 10 February 1923)

ଆନା ସ୍ୱାମୀଙ୍କ କଥାରେ ରାଜି ହୋଇଗଲେ ।ତାଙ୍କର ଡାହାଣ ହାତର ଫଟୋଟି ଉଠିଲା। ଏବଂ ଏହା ଇତିହାସ ହୋଇଗଲା। ଫଟୋରେ ତାଙ୍କର ହାତର ସୁକୁମାରପଣ ନୁହଁ ତାଙ୍କର ହାତର ଅଭ୍ୟନ୍ତରରେ ଥିବା ହାଡଗୁଡିକ ଏଥିରେ ଥିଲା।

ଡଃ ଉଇଲହେମ ରୋଣ୍ଟଜେନ୍ ବିଭିନ୍ନ “କାଥୋଡ୍ ରେ” କୁ ନେଇ ଯେଉଁ ଗବେଷଣା କରୁଥିଲେ ତାହାକୁ “ଚିକିତ୍ସା ଶାସ୍ତ୍ର ର ଏକ୍ସ-ରେ” ବୋଲି କୁହାଗଲା । ଆଉ ସେଇ ସଫଳ ଉଦ୍ଭାବନ ନିମନ୍ତେ ତାଙ୍କୁ ପଦାର୍ଥବିଜ୍ଞାନରେ ପୃଥିବୀର ସର୍ବପ୍ରଥମ ନୋବେଲ୍ ପୂରସ୍କାର ପ୍ରଦାନ କରାଯାଇଥିଲା।

ଆନାଙ୍କର ହାତ ହେଉଛି ପୃଥିବୀର ସର୍ବପ୍ରଥମ ଏକ୍ସ-ରେ ଛବି ।

ତାହାପରଠାରୁ ଏଇ ଏକ୍ସ-ରେ ମାଧ୍ୟମରେ ଚିକିତ୍ସା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଘଟିଲା । ସାଧାରଣ ଆଖିକୁ ଦେଖାଯାଉନଥିବା ଶରୀର ର ଗୋପନ କ୍ଷୟକ୍ଷତି ଆଉ ଅସୁଖକୁ ଏହାଦ୍ୱାରା ସଠିକ ଭାବରେ ଚିହ୍ନିତ କରାଯାଇପାରିଲା ଆଉ ତାହାର ଉପଯୁକ୍ତ ଉପଶମବିଧି କାର୍ଯ୍ୟକ୍ଷମ ହେଲ।

ମଣିଷକୁ ଜୀବନ ପ୍ରଦାନ କରୁଥିବା ଏଇ ଏକ୍ସ–ରେ ଛବି ସଂପର୍କରେ କିନ୍ତୁ ଆନା ବେର୍ଥା ଉଇଲହେମ ରୋଣ୍ଟଜେନ୍ ଙ୍କର ମନ୍ତବ୍ୟ ଭିନ୍ନ ଥିଲା। ସେ ନିଜର ଏଇ ଛବି ବା ଅନ୍ୟ କୌଣସି ଛବି ପ୍ରତି ନିଷ୍ପୃହ ରହୁଥିଲେ। ସେ ପ୍ରାୟତଃ କହୁଥିଲେ,”ଛବିରେ ମୁଁ କେବଳ ମୋର ମରଣ ଦେଖୁଛି।”

ଛବିରେ ହିଁ ମରଣ ଦିଶେ । ଏକଥା ବୁଝିବା ପାଇଁ ଯେଉଁ ଅତଳକୁ ଯିବାକୁ ପଡେ ସେଇଠିକୁ ଯିବା ଭଳି ଅସଂଲଗ୍ନତା ଜୀବନରେ ଏତେ ସହଜ ନୁହଁ । କାରଣ ଯେତେ ଗହୀରକୁ ଗଲେ ବି ହାଡମାଳ ଭିତରେ ସଂସାରର ମୁଦିଟିଏ ବଡ କଳାଛାଇ ପରି ଲାଗିରହିଥାଏ,ବରଟିଏ କୁ ଓସ୍ତଟିଏ ଭଳି,ସୁଆଦିଆ ହୋଇ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →