ଆପଣ ବୁଲୁଛନ୍ତି, ଧରନ୍ତୁ ସେଇଟା କାର୍ତ୍ତିକର ଏକ ସୌମ୍ୟ ସକାଳ। ସକାଳକୁ ଆହୁରି ସୌନ୍ଦର୍ଯ୍ଯମୟ ଓ କମନୀୟ କରୁଛି ମାଈ କିରଣ। ଠାଏଠାଏ ଲାଗୁଛି ପାଣି, ଠାଏଠାଏ ଦିଶୁଛି କାକର, ଠାଏଠାଏ ପ୍ରତେ ହେଉଛି ଝାଳ, ଠାଏଠାଏ ଲାଗୁଛି ପାଣିଚିଆ ରକ୍ତ ! ଅନୁଭବ ସ୍ତବ୍ଧ ! କେଇଟି ପକ୍ଷୀ ଡେଣା ଝାଡ଼ି ଆସି ବସୁଛନ୍ତି ଏଠିସେଠି ! ଚଲାବୁଲା କରି ପୁଣି ଉଡ଼ି ଯାଉଛନ୍ତି ଆକାଶକୁ; ଅବଶ୍ୟ ତାଙ୍କ ଚଞ୍ଚୁରେ ଗୋଟିଏଗୋଟିଏ ଅଳଙ୍କାର ! କିଏ ଧରିଛି ଚନ୍ଦ୍ରହାର, କିଏ ଧରିଛି ଚୁଡ଼ି, କିଏ ଧରିଛି କାନଫୁଲ, କିଏ ଧରିଛି ପାଉଁଜି !! କାହାର ଇଏ ! କିଏ ଫିଙ୍ଗି ଦେଇଛି ନା ଖସିପଡ଼ିଛି ଏ ଭୂଷଣ? ଆଖିରେ ଭରିଯାଉଛି ବିସ୍ମୟ କିଛି ଓ କିଛି ପ୍ରଶ୍ନର ଅଙ୍କୁର ମୁଣ୍ଡ ଟେକି ଉଠୁଛି ! ଆପଣଙ୍କୁ କିଛି ଲାଗୁଛି ଅଥଚ ଠିକ୍ ଜାଣି ପାରୁନାହାନ୍ତି କ’ଣ -ଯେତେବେଳେ ; ସେତିକିବେଳେ ଦିଶନ୍ତି କବିତା, ଧ୍ୟାନମଗ୍ନା ! ଯେମିତି ଅଖଣ୍ଡ ତପସ୍ୟାରେ ନିମଗ୍ନା ପାର୍ବତୀ ସେ ଅଳଙ୍କାର ଯୋଉଠି ଯିଏ ପାଇଲେ ସେମାନେ ହେଇଗଲେଜଣେଜଣେ କବି, ଶାୟର୍, ଗୀତିକାର। ଅଳଙ୍କାରରେ ଆଭୂଷିତ ଗଜଲ୍, କବାଲି, ଶେର୍ , ଗୀତି- ସମସ୍ତେ ହେଇଗଲେ ସମଝଦାର୍ ଓ ପେସାଦାର!
କୋଉଠି ତାର ନାଆଁ କୁହାଗଲା ପୋଈ କୋଇଲି,ଓଗାଳ ; କୋଉଠି ସେ ହେଲା ବାଲାଡ୍, ଏଲିଜି, ସନେଟ୍, ଲିମେରିକ୍। ଅଥଚ କବିତା? କ’ଣ ପାଇଲା ସେ ତପସ୍ୟାରୁ, ଅମୃତଠୁ କ’ଣ ତାଙ୍କୁ ଅଧିକ ଆକର୍ଷିତ କଲା ? ପ୍ରେମ ନା ବିବାହ ନା ସଂଯୋଜନ ନା କବିତ୍ବ? ପାର୍ବତୀଙ୍କ ପରି କବିତା କ’ଣ ଚାହିଲେ ଯେ ଜଣେ ଭୌତିକ ଜଗତରେ ବନ୍ଧା ନ ପଡ଼ିଥିବା ଓ ଅଭୀଷ୍ଟ ପ୍ରତି ନିରବଚ୍ଛିନ୍ନ ନିରନ୍ତର ନିଷ୍ଠାପର ସମର୍ପିତ ସତ୍ତା, ଶିବ ସମ ମଣିଷଟିଏ ତାଙ୍କୁ ମିଳୁ !! କାରଣ, ଶିବ ହେଉଛନ୍ତି ଏକମାତ୍ର ନିଖୁଣ ଗାୟକ, ନର୍ତ୍ତକ ଓ କବି । ହୁଏତ। ପରିଣତି କିନ୍ତୁ ସମାନ ନୁହେଁ।ହେବ ବା କେମିତି! ଜଣେ କାହିଁ କୋଉ ଶିଖରେ, ସ୍ବର୍ଗରେ; ଆନଟି ତଳେ, ପାର୍ଥିବ ଭୂମିରେ !
ଏହା ହିଁ କବିତାର ଓ କବିର ବନ୍ଧନ !
କବିତା କେବଳ ପର୍ବତ ଶିଖରରେ ଶିଖା ତୋଳିଲେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହେଇ ସ୍ବର୍ଗସୁଖ ଲାଭ କରିପାରେ କବି; କିନ୍ତୁ ଜନପଦ,ଜଳପଥ, ଜଙ୍ଗଲପଦରରେ ପାଦ ନ ଥାପିଲେ ଅଗ୍ନିକୁଣ୍ତରେ ଝାସଦେଲେ ବି ମୁକ୍ତି ନ ମିଳିପାରେ ! କବି,ରମ୍ୟ ଭବନରୁ ବାହାରି କଣ୍ଟକିତ ପଥରେ ଗଲେ ଦିନେ ସୀତା ଅବଶ୍ୟ ମିଳିବେ, ସତୀ ଅବଶ୍ୟ ନୂଆ ରୂପରେ ଦେଖାଦେବେ ! ଆନନ୍ଦେ ଏକବାରେ ହରିବୋଲ୍ ଯାହା,
ଆନନ୍ଦ ଭିତରେ ନିଜେ ପ୍ରଶାନ୍ତି ପାଇବା ଏକାକଥା ନୁହେଁ। ଏହା ନିଶ୍ଚୟ ବ୍ୟକ୍ତିଗତ ବ୍ୟାପାର।
କବି ଓ କବିତାର ସମ୍ବନ୍ଧ ହେଉଛି ନିଃଶ୍ୱାସ ପ୍ରଶ୍ବାସର ଅତୁଟ ଅଲିଖିତ ଅବୈବାହିକ ସମ୍ପର୍କ ! ପାହାଡ଼ ଉପରୁ ତଳକୁ ଚାହିଁଲେ ସବୁ ଯେମିତି ଛୋଟ ଦିଶେ; ସେମିତି ତଳୁ ଚାହିଁଲେ ପାହାଡ଼ ଉପର ବସ୍ତୁ ବି ଛୋଟ ଦିଶେ। ଏହା ପ୍ରକୃତରେ ଏକ ଦ୍ୱିପାକ୍ଷିକ ଅଥଚ ଆପେକ୍ଷିକ ସମ୍ପର୍କ।
କବିତା ହେଉଛି ସମୟର ସ୍ବର , ସମୟର ଧ୍ବନି ଓ ଧୁନ୍। ନା ଇଏ ପ୍ରତିଫଳନ ନା ଇଏ ପ୍ରତିରୋଧ ନା ଇଏ ପ୍ରତିବାଦ। ପ୍ରତିକ୍ରିୟା ସବୁ କବିତାରେ ରହେ, ରହିବାକୁ ବାଟ ଖୋଜେ। କାରଣ, କବି ଜଣେ ଏକାଧାରରେ ସାମାଜିକ, ଗଣମାଧ୍ୟମିକ, ଆର୍ଥନୀତିକ, ରାଜନୈତିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରାଣୀ। ସେ ତେଣୁ ଅଳ୍ପବହୁତେ ସ୍ପର୍ଶକାତର।
ସ୍ପର୍ଶକାତରତା ଏକ ସାମୟିକ ଉଦ୍ଦିପନା ବା ଉତ୍ତେଜନା।ଏଇଟା ବ୍ଯକ୍ତିର ସହଜାତ ପ୍ରବୃତ୍ତିକୁ ଜାଗ୍ରତ କରେ, ଚିଆଁଏ। କେତେକଙ୍କ ଉପରେ ଏହାର ପ୍ରଭାବ ଉଦବେଗ ସୃଷ୍ଟି କରେ, କେତେକଙ୍କର ଆବେଗ। ଏହି ଆବେଗ ବା ଉଦବେଗ ବଳବତ୍ତର ରହିଲେ ମାନସିକ ସ୍ତରକୁ ସଙ୍କ୍ରମିତ କଲେ ଭାବାନ୍ତର ଘଟେ ଯାହାକି ଅନୁଭବ ବା ଅନୁଭୂତିରେ ପ୍ରତିଷ୍ଠା ପାଏ। ଅନେକ ଭାବ ଓ ଭାବାନ୍ତର ଘରର ଚାରିକାନ୍ଥ ଭିତରେ ରହିଯାଏ। ସମାଜ ବା ସମକାଳର କୌଣସି ପଦାର୍ଥ କୌଣସି ଘଟଣା କୌଣସି ପରିବେଶ ଓ ପ୍ରସଙ୍ଗ ତାଙ୍କୁ ଛୁଏଁ ନାଇଁ। ବାସ୍ତବରେ ସେମାନେ ନିଜ ଓ ନିଜ ଘର ଭିତରେ ସବୁ ପାଇଥାନ୍ତି ଓ ସେହି ଅନୁସାରେ ନିଜର ଭାବ ପନ୍ଥାକୁ ନିୟନ୍ତ୍ରଣ କରିପାରନ୍ତି। କେହି ମଲେଗଲେ ସ୍ଥିତପ୍ରଜ୍ଞ ଭଳି ବ୍ଯବହାର କରି ତାକୁ ସମ୍ଭାଳି ନିଅନ୍ତି। ବହୁ ପ୍ରକାରର ବ୍ଯକ୍ତି ଅଛନ୍ତି ଓ ସମାଜରେ ରହି ବି ସାମାଜିକ ହେଇନାହାନ୍ତି। ହେବାପାଇଁ ଚେଷ୍ଟା ନ କରିବାରେ ହୁଏତ କିଛି ଅସହାୟତା ସେମାନଙ୍କର ଥାଇପାରେ। ସମ୍ପର୍କ ହିଁ ସାହିତ୍ୟ।
ସମ୍ପର୍କ ହିଁ କବିତାର ପ୍ରେରଣା, ଉତ୍ସ।
ମାଟିର ବାସ୍ନା, ସମୁଦ୍ରର ଶୋଷ, ଆକାଶର ସ୍ୱପ୍ନ ଓ ପାତାଳର ସମ୍ମୋହନ ହେଉଛି କବିର ଚରାଭୂଇଁ ! ବିନା ଭିସା ବିନା ପାସପୋର୍ଟ୍ ବିନା ପଟ୍ଟାପାଉତି ବିନା ଆଧାର ପରିଚୟ ପତ୍ରରେ ସେ ଆରାମ ଓ ନିର୍ଭୟରେ ଏ ଇଲାକାରେ ବୁଲିପାରେ !
ଏ ଇଲାକାରେ ଅବାଧ ଓ ଅବାରିତ ଭ୍ରମଣ ପାଇଁ ଦୁଇଜଣଙ୍କୁ ଛାଡ୍ : ଜଣେ କବି ଓ ଅନ୍ୟ ହେଲେ କବିତା।
ଈଶ୍ୱରଙ୍କ ପାଇଁ ବି ପାସ୍ ନାଇଁ !

