ମୂଳ ବଙ୍ଗଳା : ରବୀନ୍ଦ୍ରନାଥ ଠାକୁର | | ଓଡ଼ିଆ ଅନୁବାଦ: ମୃଣାଳ
ରଥଯାତ୍ରା ଦିନ ପାଖେଇ ଆସିଲା ।
ରାଣୀ ରାଜାଙ୍କୁ କହିଲେ, ଚାଲ ରଥ ଦେଖିବାକୁ ଯିବା ।
ରାଜା କହିଲେ, ହେଉ ।
ଘୋଡାଶାଳରୁ ଘୋଡ଼ା ବାହାରିଲା । ହାତୀଶାଳରୁ ହାତୀ ।
ମୟୁରପଂଖି ରଥ ଧାଡ଼ି ଧାଡ଼ି । ବଲ୍ଲମ ହାତରେ ସୈନ୍ୟ ଧାଡ଼ି ଧାଡ଼ି । ଦଳ ଦଳ ଦାସଦାସୀ ପଛେ ପଛେ ଚାଲିଲେ । ବାକି ରହିଲା କେବଳ ଜଣେ । ରାଜା ଘରେ ଝାଡ଼ୁର କାଠି ଗୋଟେଇ ଆଣିବା ତାର କାମ ।
ସର୍ଦାର ଆସି ତାକୁ ଦୟା କରି ଡାକିଲା, ଆରେ ତୁ ଯିବୁ ଯଦି ଚାଲ ।
ସେ ହାତ ଯୋଡ଼ି କହିଲା ମୋର ଯିବା ହେବନି।
ରାଜାଙ୍କ କାନକୁ କଥା ଗଲା , ସମସ୍ତେ ଯାଉଛନ୍ତି, କେବଳ ସେଇ ଦୁଃଖୀଟା ଯାଉନି ।
ରାଜା ଦୟା କରି ମନ୍ତ୍ରୀଙ୍କୁ କହିଲେ, ତାକୁ ବି ଡାକି ନିଅ ।
ରାସ୍ତା କଡ଼େ ତା ଘର । ହାତୀ ଯେତେବେଳେ ସେଠି ପହଞ୍ଚିଲା, ମନ୍ତ୍ରୀ ତାକୁ ଡାକି କହିଲେ, ଆରେ ଦୁଃଖୀ, ଠାକୁର ଦେଖିବୁ ଚାଲ ।
ସେ ହାତ ଯୋଡ଼ି କହିଲା, କେତେ ଚାଲିବି ? ଠାକୁରଙ୍କ ଦୁଆରକୁ ପହଞ୍ଚିବି – ସେ ସାଧ୍ୟ କଣ ମୋର ଅଛି !
ମନ୍ତ୍ରୀ କହିଲେ, ତୋର କଣ ଭୟ ? ରାଜାଙ୍କ ସହିତ ଚାଲିବୁ ।
ସେ କହିଲା, ସର୍ବନାଶ । ରାଜାଙ୍କ ପଥ କଣ ମୋର ପଥ ?
ମନ୍ତ୍ରୀ କହିଲେ, ତେବେ ତୋର କଣ ଉପାୟ ? ତୋ ଭାଗ୍ୟରେ କଣ ରଥଯାତ୍ରା ଦେଖା ହେବ ନାହିଁ ?
ସେ କହିଲା, ନିଶ୍ଚୟ ଦେଖା ହେବ । ଠାକୁର ରଥରେ ବସି ମୋ ଦୁଆରକୁ ଆସନ୍ତି ।
ମନ୍ତ୍ରୀ ହସିଲେ । କହିଲେ, ତୋ ଦୁଆରରେ ରଥର ଚିହ୍ନ କାହିଁ ?
ଦୁଃଖୀ କହିଲା, ତାଙ୍କ ରଥର ଚିହ୍ନ ପଡ଼େ ନାହିଁ । ମନ୍ତ୍ରୀ କହିଲେ, କାହିଁକି ?
ଦୁଃଖୀ କହିଲା, ଠାକୁର ପୁଷ୍ପକ ରଥରେ ଆସନ୍ତି ।
ମନ୍ତ୍ରୀ କହିଲେ, କାହିଁ ସେ ରଥ?
ଦୁଃଖୀ ଦେଖେଇ ଦେଲା, ତା ଦୁଆରର ଦୁଇ ପାଖରେ ଦୁଇଟି ସୂର୍ଯ୍ୟମୁଖୀ ଫୁଟି ରହିଛି ।
++
(ଲିପିକା, 1922 ଗ୍ରନ୍ଥରୁ)

