ପ୍ରାଚୀନବୋଧ ଏବଂ ଏକ ସ୍ନାନଚିତ୍ର

ଭାରତର ଉପନିବେଶ କାଳର ବିକଶିତ ଚିତ୍ରକଳା ଯାହାକୁ “କମ୍ପାନୀ ସ୍କୁଲ” ବୋଲି କୁହାଯାଇଥାଏ ତାହାର ଗୋଟିଏ ବିଶେଷ ଚିତ୍ରକୁ ଆଧାର କରି ଏକ ସଂକ୍ଷିପ୍ତ ଆଲେଖ ଏଇଠି।

ସେହି ଚିତ୍ର ବିଶେଷର ସମୟ କାଳ ୧୮୦୯ ଖ୍ରୀଅ ଏବଂ ଏହାର ଚିତ୍ରକର ହେଉଛନ୍ତି ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ର ଜଣେ କର୍ମଚାରୀ।ତାଙ୍କର ନାଆଁ ଜନ୍ ଚାପମାନ୍। ଚିତ୍ରର ବିଷୟବସ୍ତୁ ହିସାବରେ ଚିତ୍ରର ତଳେ ଇଂରେଜୀରେ ଲେଖାଯାଇଛି, “Ceremonial washing of Goddess Kali and the idol Jagan-Nath” ଅର୍ଥାତ୍ “ଦେବୀ କାଳୀ ଏବଂ ପ୍ରତିମା ଜଗନ-ନାଥ” ଙ୍କ ପବିତ୍ର ଧୌତ କର୍ମ”।

ସେଇ ଚିତ୍ରରେ ମାଆ କାଳୀଙ୍କର ଏକ ବିରାଟ ମୂର୍ତ୍ତି ସହ ଆଉ ଗୋଟିଏ ଛୋଟ ମୂର୍ତ୍ତୀ ଯାହାକୁ ଆସନ ଦେଇ ଉଚ୍ଚା କରି ରଖାଯାଇଛି ସେଇଟି ଜଗନ୍ନାଥଙ୍କର ବୋଲି କୁହାଯାଇଥିଲେ ବି ମୂର୍ତ୍ତି ର ଆଖି, ଗଠନ ଆଉ ରଂଗ ଦୃଷ୍ଟିରୁ ତାହା ମାଆ ସୁଭଦ୍ରାଙ୍କର ମୂର୍ତ୍ତି ପରି ଦିଶୁଛି। ଚିତ୍ରଟିରେ ସେଇ ଉଭୟ ମୂର୍ତ୍ତୀ ଆଉ ଗୋଟିଏ ବିମାନ , ଘଣ୍ଟ ଚାମର ସହ କିଛି ଲୋକ ଗୋଟିଏ ଡଙ୍ଗାରେ ଯାଉଛନ୍ତି “ପବିତ୍ର ଧୌତ କର୍ମ “ଉଦ୍ଦେଶ୍ୟରେ। ସେମାନଙ୍କର ଏଇ ଯାତ୍ରାଟି ପୁଣି କୌଣସି ନଈ କି ପୋଖରୀ ସେଇଠିକୁ ନୁହଁ। ଛବିରେ ଥିବା ଯାତ୍ରାପଥ ହେଉଛି ସମୁଦ୍ର।

ଆମେ ଜାଣିଛୁ ଯେ ମାଆ କାଳୀଙ୍କର “ପବିତ୍ର ଧୌତକର୍ମ” ବୋଲି ସେଭଳି କିଛି ଆୟୋଜନ ମୂଳକ ଅନୁଷ୍ଠାନ ନଥାଏ।ଧୌତ କର୍ମ ବୋଲି ଅନୁଷ୍ଠାନ ମାଆ କାଳୀଙ୍କର କ୍ଷେତ୍ରରେ କହିଲେ ତାହା କେବଳ ମାଆଙ୍କର ମୃଣ୍ମୟୀ ମୂର୍ତ୍ତି ର ଆରାଧନା ପରେ ଆଡମ୍ବର ପୂର୍ବକ ସେଇ ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ କୁ ଆମେ ବୁଝି ଥାଉ।ଅନ୍ୟ ପକ୍ଷରେ ଶ୍ରୀଜଗନ୍ନାଥଙ୍କର ସେହିଭଳି କୌଣସି ବିସର୍ଜନ ନଥାଏ ( ଅବଶ୍ୟ ଶ୍ରୀଜୀଉଙ୍କର ନବକଳେବରର ପ୍ରାକ୍-କାଳରେ କୋଇଲିବୈକୁଣ୍ଠରେ ପ୍ରଭୂଙ୍କ ଦେହାନ୍ତରୀକରଣର ଅବଶେଷକୁ ସମାହିତ କରାଯିବା କାର୍ଯ୍ୟକୁ କେହି ତାତ୍ପର୍ଯ୍ୟାର୍ଥରେ ବିସର୍ଜନ ବୋଲି କହିପାରନ୍ତି) ମାତ୍ର ସ୍ନାନ ଯାତ୍ରା ଭଳି ପବିତ୍ର ଧୌତକର୍ମ ରହିଅଛି।ତାହାହେଲେ କ’ଣ ଆମକୁ ଧରି ନେବାକୁ ହେବ ଯେ କଂପାନୀର ଏଇ କର୍ମଚାରୀ ଜଣକ ମାଆ କାଳୀ ଆଉ ଶ୍ରୀ ଜଗନ୍ନାଥଙ୍କ ର ବିସର୍ଜନ ଆଉ ସ୍ନାନଯାତ୍ରାକୁ ଏକାଠି ମିଶାଇ ଦେଇ ଏମିତି ଏକ ଛବି କଳ୍ପନାରେ ଆଙ୍କିଛନ୍ତି ?

ଭାରତରେ ଇଂରେଜ ଉପନିବେଶ କାଳରେ ବିକଶିତ ଚିତ୍ରକଳା ଅର୍ଥାତ୍ “କଂପାନୀ ସ୍କୁଲ” ର ଚିତ୍ରକଳା ପଛରେ ଇଂରେଜମାନଙ୍କର ଅନ୍ୟସମସ୍ତ ନାନ୍ଦନିକ ତଥା ସାମାଜିକ ଦୃଷ୍ଟିଭଂଗିକୁ ବାଦ୍ ଦେଲେ ଯେଉଁ ଆଭିମୁଖ୍ୟଟି ପ୍ରମୁଖ ଭାବରେ ରହିଥିଲା ତାହା ଥିଲା ଊପନିବେଶ ଅଂଚଳର ପ୍ରମୁଖ ଘଟଣା ତଥା ଦୃଶ୍ୟ ଗୁଡିକର ଦସ୍ତାବେଜୀକରଣ ଆଉ ଏହି ଦୃଶ୍ୟଭିତ୍ତିକ ଡକ୍ୟୁମେଣ୍ଟେସନ୍ ଗୁଡିକ ଊପନିବେଶୀୟ ଶାସନର ମୂଖ୍ୟ ଧାରକ ତଥା ଏଠିକାର ଇଂରେଜ ଆଉ ସେଠିକାର ଇଂରେଜମାନଙ୍କୁ ଊପନିବେଶବାଦର ଦେଶକୁ ଶାସନ କରିବାରେ ତଥା ବୁଝିବାରେ ବସ୍ତୁତଃ ସହାୟକ ହୋଇପାରିବ। ତେଣୁ ଭାରତରେ ଇଂରେଜ ଶାସନକୁ ବୁଝିବାକୁ ଗଲାବେଳେ ସେମାନଙ୍କର ଏଇ କଂପାନୀ ସ୍କୁଲ୍ ର ଚିତ୍ରକଳାକୁ ଇତିହାସ ଦୃଷ୍ଟିରୁ ଏକ ଅନ୍ୟତମ ପ୍ରମୁଖ ଉପାଦାନ ହିସାବରେ ଗ୍ରହଣ କରାଯାଇଥାଏ। କଂପାନୀ ଚିତ୍ରକଳା ସମୟରେ ଇଂରେଜ ମାନେ ବେଳେବେଳେ ନିଜେ, ବେଳେବେଳେ ଅନ୍ୟାନ୍ୟ ଇଉରୋପୀୟ ଚିତ୍ରକରମାନଙ୍କ ସହାୟତା ଏବଂ ମୁଖ୍ୟତଃ ଭାରତୀୟ ଚିତ୍ରକରମାନଙ୍କୁ ନିୟୋଜିତ କରି ଚିତ୍ରର ଅଂକନ କରିଛନ୍ତି।

ଦସ୍ତାବେଜୀକରଣ ଦୃଷ୍ଟିରୁ ଜନ୍ ଚାପମାନଙ୍କର ସେହି ବିଶେଷ ଛବିଟିକୁ ଅଧ୍ୟୟନ କରିବାକୁ ଗଲାବେଳେ ଉପସ୍ଥିତ ଲେଖକ ସେଥିରୁ ଗୋଟିଏ ଇଂଗିତ ସଂପର୍କରେ ଆପଣମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି।

ମାଆ କାଳୀଙ୍କ ସହ ଠାଆକୁ ଠାଆ ଯୋଡି ସମାନ ଉଚ୍ଚା କରି କେବଳ ଶ୍ରୀଜଗନ୍ନ୍ନାଥ (ଶ୍ରୀଜୀଉଙ୍କ ଭଳି ଅବିକଳ ଦେଖାନଗଲେ ବି)ଏକାଠି ଏମିତି ସମୁଦ୍ର ଯାତ୍ରାରେ ନେବାର ଉଦ୍ଦେଶ୍ୟ କ’ଣ ?ଉପସ୍ଥିତ ଲେଖକର ନିକଟରେ ଏଇ ପ୍ରଶ୍ନଟି ସବୁବେଳେ ରହିଅଛି ।ଉପସ୍ଥିତ ଲେଖକ ୧୯୩୮ ମସିହା ର ଗୋଟିଏ ପ୍ରିଣ୍ଟ ଛବିର ପ୍ରତିଛବି ଦେଖିଛି ଯେଉଁଠି କଲିକତାର କାଳୀ ମନ୍ଦିର ର ପ୍ରବେଶ ଦ୍ୱାରରେ ଆମର ତ୍ରିମୂର୍ତ୍ତି ଅର୍ଥାତ୍ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରା ରହିଛନ୍ତି।ଏବେ ଆଉ କିନ୍ତୁ ସେଇ ମୂର୍ତ୍ତିମାନେ ସେଇଠି ନାହାଁନ୍ତି।ଉପସ୍ଥିତ ଲେଖକ ର ଜିଜ୍ଞାଷା ରହିଛି ଯେ କଲିକତାର ସେହି କାଳିମନ୍ଦିରଟି ଜମିଦାର ସାବର୍ଣ୍ଣ ରାୟ ଚୌଧୁରୀଙ୍କ ପରିବାର ଦ୍ୱାରା ୧୮୮୭ ଖ୍ରୀଅ ରେ ସ୍ଥାପିତ ହୋଇଥିଲା ଆଉ ଆମର ତ୍ରିମୂର୍ତ୍ତୀ କ’ଣ ସେତିକି ବେଳୁ ସେଇଠେ ଥିଲେ ? ଆଉ ସେହି ପ୍ରଶ୍ନ ସହିତ ଜନ୍ ଚାପମାନ୍ ଙ୍କର ଏଇ ଚିତ୍ର ଟି ଯୋଡି ହୋଇଗଲା,ମାଆ କାଳୀଙ୍କ ସହ ଶ୍ରୀ ଜଗନ୍ନାଥ କାହିଁକି ?

ଏଇଠୁ ଗୋଟିଏ କଥା ମନକୁ ଆସୁଛି ଯେ କଲିକତାର କାଳୀଙ୍କ ସହିତ ଆମର ଶ୍ରୀଜଗନ୍ନାଥଙ୍କର ଏକ ସଂପର୍କ କେଉଁଠି ନା କେଉଁଠି ରହିଛି ।ଏହାର ସଠିକ ସ୍ୱରୂପ ଉପସ୍ଥିତ ଲେଖକ କୁ ଜଣାନାହିଁ।

କଲିକତାରେ ଯେମିତି ମାଆ କାଳୀ ,ଆମର ଏଠାରେ ସେମିତି ଶ୍ରୀଜଗନ୍ନାଥ।କ୍ଷେତ୍ର ଚିହ୍ନିତ ଦେବ ଦେବୀ ସେମାନେ। ଏଇଠି ତେଣୁ କେବଳ କିଛି ଅନୁମାନ। ଇତିହାସ ଚର୍ଚ୍ଚାରେ ଅନୁମାନ ଗୋଟିଏ ବଡ କଥା। ଅନୁମାନ କୁ ଭିନ୍ନ ଭିନ୍ନ ତଥ୍ୟ ଅନୁସାରେ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରାଯାଇ ନିଷ୍କର୍ଷ ନିର୍ଣ୍ଣୟ କରାଯାଇ ପାରେ,ଯାହା ଆମକୁ ସତ ବୋଲି ଦିଶୁଛି ବା ମନେ ହେଉଛି ତାହା ଅସଲରେ ସତ ନା ସତ ନୁହଁ। ସେମିତି ଗୋଟିଏ ଅନୁମାନ ରଖୁଛି।କାହାର ବିଶ୍ୱାସ ତଥା ଭାବବସ୍ତୁକୁ ସାମାନ୍ୟତମ ଆହତ କରିବାର ଅଭିପ୍ରାୟ ଉପସ୍ଥିତ ଲେଖକର ଆଦୌ ନାହିଁ। ଏହା ଏକ ପ୍ରସଂଗଭିତ୍ତିକ ବସ୍ତୁପରକ ଚର୍ଚ୍ଚା କେବଳ।

ଶ୍ରୀଜଗନ୍ନାଥ ଆଦ୍ୟକାଳରେ ଏଠାରେ ଏଇ କ୍ଷେତ୍ର ବିଶେଷର ଜଣେ ଅନାର୍ଯ୍ୟ ଦେବତା ଥିଲେ ଯାହାକୁ ଆର୍ଯ୍ୟମାନେ ଅଧିକାର କରିବାପରେ ନିଜର ଦେବତା ବୋଲି ପ୍ରମାଣିତ କରିବା ପାଇଁ ଘଡିକୁ ଘଡି ତାଙ୍କୁ ବେଶଭୂଷାରେ ସଜାଇ ନିଜର ଦେବତା ବୋଲି ଉପସ୍ଥାପନ କରିଛନ୍ତି। ଠିକ୍ ସେଇ ଭଳି କଲିକତା ର କାଳୀ ଆଦ୍ୟ ନାରୀରୂପା, ପ୍ରିମିଟିଭିଟି ର ପ୍ରତୀକ।

ହୁଏତ ସେହି ପ୍ରିମିଟିଭିଟି ଅର୍ଥାତ୍ ପ୍ରାଚୀନ ବୋଧ ର କାରଣରୁ ଉଭୟଙ୍କୁ ଏକାଠି କରାଯାଇଛି।

ଇଂରେଜ ମାନେ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିଲେ ଆଉ ସେମାନଙ୍କର ଶାସନର ପ୍ରମୁଖ କେନ୍ଦ୍ରଟି କଲିକତା ରେ ଥିଲା। ତେଣୁ ଜଗନ୍ନାଥ ଧାରଣାକୁ କଲିକତାକୁ ନେବା ପଛରେ ତାଙ୍କର ଭୂମିକା ନିଶ୍ଚୟ ରହିଥିବ।ଆଉ ଯାହାହେଉନା କାହିଁକି ଇଂରେଜମାନେ ଭାରତର ପ୍ରାଚୀନବୋଧ ବା ପ୍ରିମିଟିଭିଟିକୁ ବିଚାର ଦୃଷ୍ଟିରୁ ସବୁବେଳେ ଆକ୍ରମଣ କରୁଥିଲେ।କାରଣ ସେମାନେ ଭାରତକୁ ଶାସନକରିବା ପଛରେ ଏକମାତ୍ର ଯୁକ୍ତି ଉପସ୍ଥାପନ କରୁଥିଲେ ଯେ, ଭାରତ ଏକ ବର୍ବର ମାନଙ୍କ ଦେଶ ଆଉ ସେମାନେ ଏହାକୁ ସଭ୍ୟକରଣ କରିବାର ମହତ୍ ଉଦ୍ଦେଶ୍ୟରେ ଆସିଛନ୍ତି।

ସମସ୍ତ ପ୍ରକାର ଧାର୍ମିକ ଆଭିମୁଖ୍ୟରେ ଭାରତରେ ପ୍ରଚଳିତ ସ୍ଥିତାବସ୍ଥାକୁ ବଜାୟ ରଖିବା ଭଳି ରାଜନୈତିକ ଆଭିମୂଖ୍ୟ ରଖିଥିଲେ ବି ମାଆ କାଳୀ ଆଉ ଶ୍ରୀଜଗନ୍ନାଥଙ୍କ ପ୍ରତି ଇଂରେଜ ମାନେ ବିଚାରଗତ ଦୃଷ୍ଟିରୁ ଉଦାର ନଥିଲେ। ଉନବିଂଶ ଶତାବ୍ଦୀର ମଧ୍ୟକାଳରୁ ବଂଗଳାର ନବଜାଗରଣ ଆକାରରେ ଯେଉଁ “ବିଶ୍ୱାସ ଆଉ ବିଚାର” ର ବସ୍ତୁନିଷ୍ଠ ବୈଚାରିକ ସଂଘର୍ଷ ଦେଖାଦେଇଥିଲା ସେଥିରେ ଇଂରେଜ ତଥା ଭାରତୀୟ ପ୍ରାଚ୍ୟବିଦ୍ ମାନେ ବିଚାର ର ପକ୍ଷରେ ଦୃଢ ଭାବରେ ରହିଥିଲେ। ଏବଂ ଏକଥା କହିବା ଅପ୍ରାସଂଗିକ ହେବନାହିଁ ଯେ ଭାରତୀୟ ଇତିହାସ ବଳୟରେ ଯେଉଁ ଜାତୀୟବାଦୀ ଇତିହାସ ଗୋଷ୍ଠୀ ରହିଛି ତାହା ବସ୍ତୁତଃ ଏଇ ସମୟରେ ସେଇ ଭାରତୀୟ ବିଶ୍ୱାସକୁ ଏକ ସ୍ଥାନୀୟତାର ବିଚାରରେ ରଖି ସମୃଦ୍ଧ ହେବାକୁ ଆରମ୍ଭ କରିଥିଲା।

ଉପସ୍ଥିତ ଲେଖକର କହିବାକଥା ହେଉଛି ବଙ୍ଗଳାର ନବଜାଗରଣ କାଳରେ ଊପନିବେଶୀୟ ଶାସନର ବିଚାରପକ୍ଷଟି ପ୍ରାଚୀନବୋଧର ବିପକ୍ଷରେ ରହିଥିଲା।

ଜଗର୍ଣ୍ଣଟ ଭଳି ଭୟାବହ ଶବ୍ଦ ସେମାନଙ୍କର ମସ୍ତିଷ୍କର ଉପଜ।

ତେଣୁ କାଳୀ ଆଉ ଜଗନ୍ନାଥ ଏକାଠି ଦିଶିଲେ। ଧୁଆଧୋଇ ହୋଇ ପରିଷ୍କାର ହେବାପାଇଁ ସମୁଦ୍ର ଯାତ୍ରାରେ ବାହାରି ପଡିଛନ୍ତି । ପରିଚ୍ଛନ୍ନତା ବା ସାନିଟାଇଜେସନ୍ ଆଧୁନିକତା ର ଏକ ପ୍ରାଥମିକ ଉପାଦାନ ବୋଲି ବିଚାର କରାଯାଏ।

ଆଉ ଥରେ କହୁଛି କାହାକୁ ଭାବଗତ ଦୃଷ୍ଟିରୁ ଆହତ କରିବାର ଅଭିପ୍ରାୟ ଏଇ ଅକିଞ୍ଚନର ରହିନାହିଁ ।

ପ୍ରାଚୀନବୋଧର କଥା ଆସୁଛି ଯେତେବେଳେ ସର୍ବପ୍ରଥମେ ଉପସ୍ଥିତ ଲେଖକର ମନକୁ ଆସୁଛି ଆମର ସେଇ ପରିଚିତ କାହାଣୀ,ତିନିଖଣ୍ଡ ଦାରୁ ସମୁଦ୍ରରେ ଭାସି ଆସିଥିଲା ଆଉ ତାହାକୁ ଏକ ନିବୁଜ ଘରଭିତରେ ବିଗ୍ରହର ରୂପ ଦେଇଥିଲେ ସ୍ୱୟଂ ବିଶ୍ୱକର୍ମା । ଉଦବିଗ୍ନ ଥିବା ରାଣୀ ଗୁଣ୍ଡିଚାଙ୍କ ବ୍ୟଗ୍ରତା କାରଣରୁ ଆଗରୁ ସେଇ ନିର୍ମାଣ ବେଦୀର ଦ୍ୱାର ଖୋଲି ଦିଆଯାଇଥିଲା,ଆଉ ଦେଖାଯାଇଥିଲା ଯେ ଆମର ଶ୍ରୀଜୀଉମାନେ ଅଧାଗଢା ରହିଛନ୍ତି ଆଉ ଏଣେ ଆମର ପୁରାଣରୁ ମହାନିର୍ମାଣକାର ବିଶ୍ୱକର୍ମା ସେଇ ନିର୍ମାଣସ୍ଥଳରୁ ଉଭାନ୍।

ସେଇ ଦିନଠୁ ଶ୍ରୀଜୀଉ ମାନେ ଅଧାଗଢା ଆକାରରେ ପୂଜିତ ହୋଇ ଆସୁଛନ୍ତି।

ରାଣୀ ଗୁଣ୍ଡିଚାଙ୍କ ଅନୁରୋଧକୁ ଉପେକ୍ଷା କରି ନପାରି ନିର୍ମାଣବେଦୀର ଦ୍ୱାରକୁ ଆଗରୁ ଖୋଲାଯାଇଥିବା ପରେ ପ୍ରଚଳିତ କାହାଣୀରୁ ଆମକୁ ଯେଉଁ ଶ୍ରୀଜୀଉମାନେ ଦେଖାଯାଇଥିଲେ ସେମାନେ କ’ଣ ସତରେ ଅଧାଗଢା ଥିଲେ ? ତାହାହେଲେ ସେଇ ଦେବ ବିଗ୍ରହରେ ରଂଗର ଲେପନ ବା ବର୍ତ୍ତମାନ ଭାଷାରେ “ବନକଲାଗି” କରିଥିଲା କିଏ ? ବିଶ୍ୱକର୍ମା ଯଦି ରଂଗର ଲେପନ କରିଥିଲେ ତାହେଲେ ତ ସେ ସେହି ବିଗ୍ରହମାନଙ୍କୁ ସେତେବେଳେ ଏକ ଚୂଡାନ୍ତରୂପ ପ୍ରଦାନ କରି ଯାଇଛନ୍ତି କାରଣ ରଂଗ ଦେବା କାମଟି ହିଁ କୌଣସି ନିର୍ମାଣର ଶେଷତମ କାର୍ଯ୍ୟ।

ଆମର ପରିଚିତ କାହାଣୀରେ ପ୍ରଭୂ ବିଶ୍ୱକର୍ମା ନିର୍ମାଣବେଦୀକୁ ପ୍ରବେଶ କରିବା ସମୟରେ ତାଙ୍କର ହାତରେ ଧରିଥିଲେ ନିହାଣ ଆଉ ବାରିସୀ।ସାଥିରେ କିଛି ରଂଗ ଧରି ଭିତରକୁ ତାଙ୍କର ପ୍ରବେଶ କରିବା ଭଳି କଥା କେହି କହିନାହିଁ ।

କଳ୍ପନା କରନ୍ତୁ ଯଦି ଆମେ ଶ୍ରୀଜୀଉ ତିନିବିଗ୍ରହଙ୍କୁ ବିନା ରଙ୍ଗରେ ପ୍ରତ୍ୟକ୍ଷ କରିବା ଭଳି ଅନୁମାନ କରିବା ତାହାହେଲେ ଆମର ସମସ୍ତ ଚିହ୍ନାଜ୍ଞାନର ଅବବୋଧ ଘଡିକରେ ବଦଳିଯିବ।

ଏମିତିରେ ଶ୍ରୀବିଶ୍ୱକର୍ମା ସେଇଠି ନଥିଲେ ଆମକୁ କହିଯିବା ପାଇଁ ଯେ ଅମୁକ ହେଉଛନ୍ତି ଶ୍ରୀଜଗନ୍ନାଥ,ଅମୁକ ଶ୍ରୀବଳଭଦ୍ର ଆଉ ଅମୁକ ମାଆ ସୁଭଦ୍ରା ? ତାହେଲେ ଏଇ ବିଗ୍ରହମାନଙ୍କର ପ୍ରାକ୍ -ରଙ୍ଗକାଳୀନ ଅବସ୍ଥାରେ ଆମେ ତାଙ୍କୁ ଏମିତି ଗୋଟିଏ ଗୋଟିଏ ନାଆଁରେ ଜାଣିଲୁ କେମିତି ? ଡାକିଲୁ କେମିତି ?

ନିଶ୍ଚିତ ଭାବରେ ଜଣେ କେହି କାଳକ୍ରମରେ ସେଇ ଅଧାଗଢା ମୂର୍ତ୍ତିରେ ରଂଗ ଲେପନ କରିଛି ଆଉ ସେମାନଙ୍କର ଏପରି ନାମକରଣ କରିଛି । ଏମିତିରେ ଜଗନ୍ନାଥ ନାଆଁ ହିସାବରେ ଗୋଟିଏ ନିହାତି ଉଚ୍ଚବର୍ଗର ସଂସ୍କୃତ ପ୍ରତିକୀ ଶବ୍ଦ(ଜଗତ ଯୁକ୍ତ ନାଥ )। ଆରମ୍ଭରୁ ସାଧାରଣ ପାଟିରେ ଏହା ପଉଟିବା ଭଳି ଗୋଟିଏ ସରଳ ଶବ୍ଦ ନୁହଁ ।

ଆମର ପ୍ରଖ୍ୟାତ ସମରକବି ବ୍ରଜନାଥ ବଡଜେନାଙ୍କର ହିନ୍ଦୁସ୍ଥାନୀ ଭାଷାରେ ଗୋଟିଏ କାବ୍ୟ ରହିଛି, ତାହାର ନାଆଁ “ଗୁଣ୍ଡିଚା ବିଜେ”। ସେଥିରେ ଗୋଟିଏ ନବବିବାହିତ ହିନ୍ଦୁସ୍ଥାନୀ ଦମ୍ପତ୍ତି ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଖିବାକୁ ଆସିଛନ୍ତି । ପତ୍ନୀଟି ତାହାର ସ୍ୱାମୀକୁ ପଚାରୁଛି :

“କାନ୍ତକୋ ପୁଚ୍ଛତି ସୁନ୍ଦରୀ ଶୁନୋ ମେରି ପ୍ରାଣକି ବନ୍ଧୁ
ହଳଧର କୌନ ହେ, ଦେବୀ କୌନ ହେ କୌନ ହେ କରୁଣା ସିନ୍ଧୁ?”

ପ୍ରଶ୍ନଟି ଆମର ଚେତନାକୁ ନିଶ୍ଚୟ ଆସିବ । ଏଇ ଦେବ ବିଗ୍ରହମାନଙ୍କର ନାଆଁ କ’ଣ ? ଆମର ଏଇ ଦେବ ବିଗ୍ରହ ମାନେ ସାଧାରଣ ମଣିଷର ଆକୃତି ଗ୍ରହଣ କରିଥିଲେ ହୁଏତ ଏଇ ଚିହ୍ନା ଜଣାର କଥା ସେମିତି ଉଠନ୍ତା ନାହିଁ । ଆଜି ବି ଶ୍ରୀଜୀଉମାନେ ଅନବସରରେ ଥିବା ସମୟରେ ସେମାନଙ୍କର ବିକଳ୍ପ ଭାବରେ ଯେଉଁ ପଟିଦିଅଁ ମାନଙ୍କୁ ପୂଜା କରାଯାଉଛି ସେମାନଙ୍କର ହାତଗୋଡ ସବୁ ସଂପୂର୍ଣ୍ଣ ଭାବରେ ଅଂକାଯାଇଛି କାହିଁକି ?

ଉପସ୍ଥିତ ଲେଖକ ବିଚାର କରେ ଯେ, ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହିଁ ହେଉଛି ନିଜର ଉତ୍ସ କୁ ଯାତ୍ରା କରିବା ଭଳି ଏକ ପ୍ରତିକୀର ଆରମ୍ଭ ପର୍ବ, ଯେଉଁଠି ତ୍ରିବିଗ୍ରହର ଦେହରୁ ସମସ୍ତ ରଂଗକୁ ଅପସାରଣ କରାଯାଇ ଏକ ମହାଏକତ୍ୱରେ ଅବସ୍ଥାପିତ କରାଯିବା ପରେ ସେମାନଙ୍କୁ ଜାଗତିକ ଭିନ୍ନତାର ନିର୍ମାଣରୂପ ପ୍ରଦାନ କରାଯାଉଛି , ରଂଗର ସୁନିର୍ଦ୍ଦିଷ୍ଟ ପ୍ରୟୋଗରେ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →