ପ୍ରକୃତିର ନିଜସ୍ୱ ଅଧିକାର

ପ୍ରକୃତିର କିଛି ନିଜସ୍ୱ ଅଧିକାର ଅଛି କି ?ଅର୍ଥାତ୍ ଆମେ ମାନେ ଯଦି କୌଣସି କାରଣବଶତଃ ଚାପଗ୍ରସ୍ତ ହେଉ ଆଉ ସେହିପରି ଚାପଗ୍ରସ୍ତ ହେବା ଯଦି ଆମର ଅକ୍ତିଆର୍ ର ବାହାରର କଥା ହୋଇଥାଏ ତେବେ ଆମେ ଆମର ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଛି ବୋଲି କହୁ।ଆମ ଧାରଣାରେ ଆମର କିଛି ମୌଳିକ ନିଜସ୍ୱ ଅଧିକାର ରହିଛି ଯାହା ଆମର ଅନ୍ତର୍ନିହିତ ଏକାନ୍ତ।ଏହା ସବୁବେଳେ ନିଜର ସ୍ଥିତାବସ୍ଥା କୁ ବଜାୟ ରଖି ଆମ ସହିତ ରହିବା ବିଧେୟ।ଠିକ୍ ସମାନ ଭାବରେ ପ୍ରକୃତିର ସେମିତି ନିଜର ମୌଳିକ ଅଧିକାର ବୋଲି କିଛି ରହିଛି କି ନାହିଁ ,ନା ଆମେ ମଣିଷ ମାନେ ପ୍ରକୃତିକୁ ଯେମିତି ଦେଖୁ ଆଉ ପ୍ରକୃତି କହିଲେ ଯେଉଁ ଧାରଣାଟି ଆମ ଭିତରେ ଆଗ ଆପେ ଉକୁଟି ଉଠୁଥାଏ ସେଇଟି ତାହାର ମାନେ ପ୍ରକୃତିର ଅସଲ ରୂପ ବା ମୌଳିକ ଅଧିକାର,ଏଇ ପ୍ରସଂଗକୁ ଟିକିଏ ଗଭୀର ଭାବରେ ବୁଝିବାର ଆବଶ୍ୟକତା ରହିଛି।

ପ୍ରାଥମିକ ଭାବରେ ଆମେ ମଣିଷମାନେ ପ୍ରକୃତି କହିଲେ ଏକ ସ୍ୱତଃସ୍ଫୃର୍ତ ସ୍ୱାଭାବିକତାକୁ ବୁଝିଥାଉ।ଗୋଟିଏ ନିରପେକ୍ଷ ତଥା ଅସଂଲଗ୍ନ ପରିବେଶରେ ମଣିଷ ଯେଉଁଭଳି ବ୍ୟବହାର ପ୍ରଦର୍ଶନ କରିବ ଠିକ୍ ସେହି ଭଳି ଏକ ସ୍ୱାଭାବିକତା ହିଁ ଆମର ପ୍ରକୃତିର ମୂଳଭୂତ ରୂପ।ମଣିଷ ନିଜର ସ୍ୱାଭାବିକତାରେ ନିଜର ଉଗ୍ରପଣ ଅନୁଭବ କରିଥିବା କାରଣରୁ ପ୍ରକୃତିର ସ୍ୱାଭାବିକତାରେ ସମାନ ଉଗ୍ରପଣ ଦେଖିବାକୁ ଅନିଛୁକ ହୋଇଥାଏ।ତେଣୁ ମଣିଷ ବିଚାରରେ ପ୍ରକୃତିର ସ୍ୱରୂପ ସ୍ୱାଭାବିକ ଓ ଶାନ୍ତ ହେବା ଆବଶ୍ୟକ।ଶାନ୍ତ ସୁକୋମଳ ପ୍ରକୃତି କୁ ନେଇ ମଣିଷର ଅନେକ ପ୍ରଶଂସାମୂଳକ ବାଣୀ ସବୁବେଳେ ଉପଲବ୍ଧ ହୋଇ ରହିଥାଏ।ଏହି ଶାନ୍ତ ସୁକୋମଳ ପ୍ରକୃତି ସହିତ ମଣିଷ ଧାତ୍ରୀପଣଟିଏ ବି ସଂଯୋଜିତ କରି ରଖିଦେଇଥାଏ।ଧାତ୍ରୀପଣଟି ସଂଯୋଜିତ ହେଲାପରେ ପ୍ରକୃତି ଆମ ପାଇଁ ଏକ ନାରୀ ପାଲଟିଯାଏ ,ଯେଉଁ ନାରୀ କେବଳ ନିଜର ମାତୃପଣ ସହ ଆମ ପାଖରେ ସବୁବେଳେ ଉପସ୍ଥିତ।ମାଆ ଭଳି ଶାନ୍ତ ଆଉ କୋମଳ ଏବଂ ସର୍ବସଂହା ଉଦାରତାରେ ଆମେ ପ୍ରକୃତିକୁ ବିଭୂଷିତ କରିଥାଉ ଆଉ ସେହି ଭଳି ପ୍ରକୃତିର କୋଳରେ ଚିରକାଳ ପ୍ରାକୃତିକ ହୋଇ ରହିବା ଆମର ସବୁସମୟର ସୁନ୍ଦର ସ୍ୱପ୍ନ।ଆମେ ଏହାକୁ ଆଦିମ ସ୍ୱପ୍ନ ବୋଲି ବିଚାରିଥାଉ।ଆଉ ଆମେ ଯେତେବେଳେ ସଭ୍ୟ ହେବାକୁ ଆରମ୍ଭ କରୁ,ଜ୍ଞାନୀ ହେବାକୁ ଆରମ୍ଭ କରୁ ତାହାକୁ ଆମର “ଦ୍ୱିତୀୟ ପତନ ବା ସେକେଣ୍ଡ ଫଲ୍”ବୋଲି କୁହାଯାଏ।ଏହି “ଦ୍ୱିତୀୟ ପତନ”ଟି ହେଉଛି ମଣିଷର ପ୍ରକୃତି କୁ ଉପେକ୍ଷା କରିବାର ସମୟ।ଏହି ପ୍ରସଂଗରେ “ପ୍ରଥମ ପତନ ବା ଫାର୍ଷ୍ଟ ଫଲ୍ “କଥା କୁହାଯାଇପାରେ।ମଣିଷର “ପ୍ରଥମ ପତନ”ହେଉଛି ଈଶ୍ୱରକୃତ ଇଡେନ୍ ବଗିଚାରୁ ଆଦି ନରନାରୀଙ୍କ ବହିଷ୍କାର।

ସେ ଯାହା ହେଉ ପ୍ରକୃତି କୁ ଶାନ୍ତ,ସରଳ,ସର୍ବସଂହା ମାଆ କରି ରଖିବା ପଛରେ ମଣିଷର ଏକ ଚତୁର ନିୟନ୍ତ୍ରଣ ମେକାନିଜମ୍ କାମ କରିଥାଏ।ପ୍ରକୃତିର ଉଗ୍ରରୂପ ରହିଛି ଯାହା ଅବଶ୍ୟମ୍ଭାବୀ।ଏହା ସମସ୍ତେ ଜାଣନ୍ତି। ପ୍ରକୃତିର ଏହି ଭଳି ଦାନବ ସୁଲଭ ଦମନଲୀଳା ମଣିଷର ଆଦୌ କାମ୍ୟ ନୁହଁ।ତେଣୁ ଏହାକୁ ସର୍ବସଂହା ମାଆ ସ୍ୱରୂପା ପ୍ରକୃତିର ଏକ କ୍ଷଣିକ ଅବିଚାର ବୋଲି ବିଚାର ପ୍ରକୃତିମାଆ ଭିତରେ ଦୋଷୀଭାବଟିଏ ଭର୍ତ୍ତି କରି ନିଜେ ମଣିଷ ସେହି ଦୋଷକୁ ମାଫ୍ କରିପାରୁଥିବାର ଉଦାରତା ପ୍ରଦର୍ଶନ କରିଥାଏ।ଏହା ଗୋଟିଏ ପ୍ରକାର ପ୍ରକୃତିର କରାଳ ରୂପ ସାମ୍ନାରେ ନିଜର ଅସହାୟତା କୁ ଢାଙ୍କି ନିଜକୁ ଏକ ନିପୁଣ ବିଚାରବନ୍ତ ବୋଲି ପ୍ରତିଷ୍ଠା କରିବାର ଲକ୍ଷ୍ୟ ସାଧନ।

ଆଜି ଅର୍ଥାତ ଜୁନ୍ ମାସର ପାଞ୍ଚ ତାରିଖ ହେଉଛି ବିଶ୍ୱ ପରିବେଶ ଦିବସ।

ଆଜି ଦିନରେ ୨୦୦୮ ମସିହାରେ ଇକ୍ୱେଡରରେ ଏକ ନୂତନ ସଂବିଧାନ ପ୍ରଣୟନ କରାଯାଇଥିଲା।ଏହି ସଂବିଧାନ ଅନୁସାରେ ପୃଥିବୀର ଇତିହାସରେ ପ୍ରଥମଥର ପ୍ରକୃତିକୁ ମଣିଷ ଭଳି ସ୍ୱାଭାବିକ ଅଧିକାର ବା ନେଚୁରାଲ୍ ରାଇଟ୍ ପ୍ରଦାନ କରାଯାଇଥିଲା।ତାହାପରଠାରୁ ଇକ୍ୱେଡର୍ ରେ ପ୍ରକୃତି ର ସମସ୍ତ ଅଧିକାର ଆଇନଗତ ଭାବରେ ବିଚାର୍ଯ୍ୟ।ପ୍ରକୃତିର ଜୈବ ବିବିବିଧତାକୁ କେହି କ୍ଷୁର୍ଣ୍ଣ କରିବାକୁ ପ୍ରଚେଷ୍ଟା କଲେ ନିଜର ଅଧିକାର ହନନ ପାଇଁ ଯେମିତି ମଣିଷ ବିଚାରାଳୟର ଦ୍ୱାରସ୍ଥ ହୋଇପାରିବ ଠିକ୍ ସେହିଭଳି ପ୍ରକୃତି ମଧ୍ୟ ସମାନୁରୂପ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।

ଏହି ଆଇନଗତ ସୁରକ୍ଷା କବଚ ପ୍ରକୃତିକୁ ଦୋଷୀ ଭାବରୁ ଅନେକ ପରିମାଣରେ ମୁକ୍ତ କରିଛି।

ଶେଷରେ ଏହିଭଳି ପ୍ରକୃତିର ମଣିଷ ସଦୃଶ ଆଇନଗତ ଅଧିକାର କଥାଟି ସମସ୍ତଙ୍କୁ ଆଚମ୍ବିତ ଲାଗିପାରେ।ମାତ୍ର ୧୮୮୬ ମସିହାରେ ଆମେରିକାର ସୁପ୍ରିମ୍ କୋର୍ଟ ଗୋଟିଏ ଯୁଗାନ୍ତକାରୀ ନିଷ୍ପତ୍ତି ଶୁଣାଇଥିଲା।ସେହି ନିଷ୍ପତ୍ତି ଅନୁସାରେ ବଡ ବଡ କଂପାନୀ ମାନଙ୍କର ମଣିଷ ଭଳି ନିଜକୁ ଆଇନଗତ ସୁରକ୍ଷା ଦେଇପାରିବେ।ତାହା ଏଯାଏଁ ଅବ୍ୟାହତ ରହିଛି।

ଆମର ପ୍ରକୃତି ନିଜକୁ ଆଇନଗତ ଭାବରେ ଅଧିକରୁ ଅଧିକ ସୁରକ୍ଷିତ କରି ରଖୁ,ତାହା ଆଜି ଦିବସର କାମନା।

°°°°°

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *