ଗତବର୍ଷ ଠିକ୍ ଏଇ ମାର୍ଚ୍ଚ-ଏପ୍ରିଲ ମାସ ହେବ, ଜଣେ ବନ୍ଧୁ ସକାଳୁ ସକାଳୁ ଗୋଟିଏ ଫଟୋ ପଠାଇଲେ। ଫଟୋଟି ଦେଖି ମୁଁ କିଛି ସମୟ ଆନନ୍ଦ ଆଉ ସନ୍ତୋଷରେ ପ୍ରଥମେ କୌଣସି ପ୍ରତିକ୍ରିୟା ଦେଇ ପାରିଲି ନାହିଁ। ସବୁଜ କ୍ଷେତ ଦେଇ ଗଡି ଯାଇଛି ଗୋଟିଏ କଳା ମଚମଚ୍ ପିଚୁ ରାସ୍ତା। ପିଚୁ ରାସ୍ତାରେ ଅରାଏ ସ୍ଥାନ ଉପରେ ମେଞ୍ଚାଏ କୃଷ୍ଣଚୁଡା ଫୁଲର ପାଖୁଡା ବିଛାଡି ହୋଇ ପଡି ନାଲିଆ ମଖମଲି କାର୍ପେଟ୍ ପରି ଦିଶୁଥାଏ। ବନ୍ଧୁ ଜଣକ ଠିକ୍ ରାସ୍ତା ଉପରକୁ, ଭୂମିଠୁ ଅଳ୍ପ ଉଚ୍ଚରୁ, ମୋବାଇଲକୁ ଏମିତି ଆଙ୍ଗେଲରୁ ରଖି ଫଟୋ ଟି ନେଇଥା’ନ୍ତି ଯେ ଝଡି ପଡିଥିବା କୃଷ୍ଣଚୁଡା ପାଖୁଡା ଗୁଡିକ ଏକଦମ୍ ଝଟକି ଦେଖା ଯାଉଥାନ୍ତି, ଆଉ ଆଖ ପାଖର ସବୁଜ କ୍ଷେତ ଝାପସା ଦିଶୁଥାଏ, କୃଷ୍ଣଚୁଡା ଗଛଟି ମଧ୍ୟ ଦିଶୁ ନଥାଏ। ଯେମିତି vanishing point ପଦ୍ଧତିରେ ଫଟୋ ଉଠା ଯାଏ, ଠିକ୍ ସେଇ ପଦ୍ଧତିରେ, ପିଚୁ ରାସ୍ତାର ଦୁଇ ଧାର ମଧ୍ୟ ଦିଗବଳୟ ପାଖରେ ଯାଇ ମିଶି ଯାଉଥାନ୍ତି। ମାର୍ଚ୍ଚ-ଏପ୍ରିଲ୍ ମାସରେ ଅନେକ ସହରରେ ରାସ୍ତାର ଦୁଇ ଧାରରେ ଏକଦମ୍ ଲାଲ୍ ଟହଟହ କୃଷ୍ଣଚୁଡା ଭର୍ତ୍ତି ଗଛର ଦୃଶ୍ୟ ପ୍ରାୟ ସମସ୍ତେ ଦେଖିଥିବେ। ଛୋଟବେଳେ ଫୁଲ ଓ କଢ଼ର ମଝିରେ ଥିବା ଷ୍ଟାମେନ୍ ରୁ ଦୁଇଟି ଛିଣ୍ଡାଇ ସାଙ୍ଗସାଥୀଙ୍କ ସହ ଶୁଣ୍ଢ-ଲଢେ଼ଇ ମଧ୍ୟ କରିଥିବେ। ହେଲେ କେବେ ଭାବିଛନ୍ତି କେମିତି ସୃଷ୍ଟି ହେଲା ଏ କୃଷ୍ଣଚୁଡା ଗଛ ଆଉ କାହିଁକି ତା’ ନାଁ ‘କୃଷ୍ଣଚୁଡା’?
ଦ୍ବାପର ଯୁଗର କଥା। କୃଷ୍ଣ ଗୋପରେ ବଢୁଥା’ନ୍ତି। ସେତେବେଳକୁ ତାଙ୍କର ମଥୁରାକୁ ପ୍ରସ୍ଥାନ କରିବା ସମୟ ପାଖେଇ ଆସିଲାଣି। ଗୋପରେ ସମସ୍ତେ ନିଶ୍ଚିତ ହୋଇ ଗଲେଣି ଯେ କ°ସର ଅତ୍ୟାଚାରରୁ ମୁକ୍ତି ଏବଂ ନିଜର କର୍ତ୍ତବ୍ୟ ପୂରଣ ପାଇଁ ଏଥର କୃଷ୍ଣଙ୍କୁ ମଥୁରା ଯିବା ପାଇଁ ହିଁ ପଡିବ। କୃଷ୍ଣଙ୍କ ବିଚ୍ଛେଦ ଠାରୁ କୃଷ୍ଣଙ୍କ ବିଚ୍ଛେଦର ଆଶଙ୍କାରେ ବେଶି ବ୍ୟତିଥ ଥିବା, ସେମିତିକା ଗୋଟିଏ ସନ୍ଧ୍ୟାରେ ଯମୁନା କୂଳରେ ବସିଥା’ନ୍ତି ରାଧାକୃଷ୍ଣ ଏବଂ ଅନ୍ୟାନ୍ୟ ଗୋପୀ। ନଦୀକୂଳିଆ ସନ୍ଧ୍ୟାର ଶୀତଳ ପବନଠାରୁ ଆହୁରି ଅଧିକ ଆହ୍ଲାଦିତ କରୁଥାଏ କୃଷ୍ଣଙ୍କ ବ°ଶୀର ସ୍ବର। ଗାଈ-ବାଛୁରୀଠୁ ଆରମ୍ଭ କରି କେକୀକୂଳ ପର୍ଯ୍ୟନ୍ତ ସମସ୍ତେ କୃଷ୍ଣଙ୍କୁ ବେଢି ରହିଥାନ୍ତି। କେହି କେହି ଗୋପୀ ମୃଦଙ୍ଗ ଏବଂ ଝାଞ୍ଜରେ ତାଳ ଦେଉଥାନ୍ତି ତ ଆଉ କେହି ମଜି ଯାଇଥାନ୍ତି ନୃତ୍ୟରେ। ହେଲେ ଏମିତି ବିଭୋର ହେବା ବେଳାରେ ବି ବିବ୍ରତ ହୋଇ ପଡୁଥାନ୍ତି ରାଧା। ବ°ଶୀଧ୍ବନିର ପ୍ରତିଟି ଉତ୍ଥାନ ଆଉ ପତ୍ତନରେ ବିଚଳିତ ହୋଇଯାଉଥାଏ ତାଙ୍କ ମନ। ଖୁବ୍ ଶୀଘ୍ର କୃଷ୍ଣ ଯେ ବୃନ୍ଦାବନ ଛାଡି ମଥୁରା ଅଭିମୁଖେ ଯାତ୍ରା ଆରମ୍ଭ କରିବେ, ଅଥୟ କରି ପକାଉଥାଏ ରାଧାଙ୍କ ମନକୁ। ଶତ ଚେଷ୍ଟା ସତ୍ତ୍ୱେ ନିଜକୁ ରୋକି ନପାରି, ଛଳଛଳ ଆଖିରେ ନିଜ ମନର ସବୁ ଆଶଙ୍କା ବଖାଣି ଗଲେ ରାଧା, କୃଷ୍ଣଙ୍କ ପାଖରେ। ରାଧାଙ୍କ କପାଳରେ ନିଜ ହାତ ଦଉଡାଇ ନେଇ, ନିଜ ଦୁଇ ପାପୁଲି ଭିତରେ ରାଧାଙ୍କ ମୁହଁକୁ ଭରି, ଆଖିରେ ଆଖି ମିଶାଇ କୃଷ୍ଣ ବୁଝାଇ ଚାଲିଥିଲେ ରାଧାଙ୍କୁ, ଯେ ପୃଥିବୀ ପୃଷ୍ଠର କୌଣସି ମଧ୍ୟ ଦୂରତା ତାଙ୍କ ପ୍ରେମକୁ କମ୍ କରି ପାରିବ ନାହିଁ। ବ୍ରହ୍ମାଣ୍ଡରେ ଯେଉଁଠି ବି ରହିଲେ, ରାଧଙ୍କ ପାଇଁ ତାଙ୍କ ପ୍ରେମ ସବୁବେଳେ ଏମିତି ରହିବ। ଦୂରତା କେବଳ ଶରୀରକୁ ଦୂର କରିପାରେ, ତାଙ୍କ ମନ କିନ୍ତୁ ସବୁବେଳେ ରାଧାଙ୍କ ପାଖରେ ରହିବ। ଯେତେ ଯାହା ବୁଝାଇଲେ ମଧ୍ୟ ରାଧା ନିଜର ଅଶ୍ରୁ ରୋକି ପାରି ନଥିଲେ। ରାଧାଙ୍କ ଆଖିରୁ ଲୁହ ଗଡିଆସି ମାଟିରେ ଯେଉଁଠି ପଡିଲା, ସେଇଠି କଅଁଳି ଉଠିଲା ଗଛଟିଏ। ଡାଳ ତା’ର ଭର୍ତ୍ତି ହୋଇଗଲେ ପେନ୍ଥା ପେନ୍ଥା ଲାଲ୍ ଟହଟହ ଫୁଲରେ। ସେଇ ପେନ୍ଥାରୁ ଗୋଟିଏ ଆଣି କୃଷ୍ଣ ଖୋସିଦେଲେ ନିଜ ମୁକୁଟରେ, ଠିକ୍ ମୟୂରଚନ୍ଦ୍ରିକା ପାଖରେ। କୃଷ୍ଣ ନିଜ ମୁକୁଟ ଅର୍ଥାତ ଚୁଡାରେ ଫୁଲଟିକୁ ସ୍ଥାନ ଦେଇଥିବାରୁ ତା’ ନାଁ ହେଲା କୃଷ୍ଣଚୁଡା।
ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ମଧ୍ୟରେ କେତେକ ସ୍ଥାନରେ ବିଶ୍ୱାସ ଅଛି ଯେ, ପ୍ରଭୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରାଯିବା ସମୟରେ ତାଙ୍କ ଶରୀରରୁ ରକ୍ତ ବୁନ୍ଦା ଗଡିଆସି, ସେଠି ଥିବା ଗୋଟିଏ ଛୋଟ ଗଛ ଉପରେ ପଡିଲା। ଗଛଟି ବଡ ହୋଇ ଫୁଲ ଫୁଟିଲା ବେଳକୁ ପେନ୍ଥା ପେନ୍ଥା ଲାଲ୍ ରଙ୍ଗର ଫୁଲରେ ଭର୍ତ୍ତି ହୋଇଗଲା। ବିଶ୍ୱାସ କରାଯାଏ ଯେ ଯୀଶୁଙ୍କ ଶରୀରରୁ ପଡିଥିବା ରକ୍ତ କାରଣରୁ କୃଷ୍ଣଚୁଡା ଫୁଲର ରଙ୍ଗ ଲାଲ୍।
କୃଷ୍ଣଚୁଡାକୁ ଗୁଲମୋହର ମଧ୍ୟ କୁହାଯାଏ। ଇଂରାଜୀରେ ଏହାକୁ ଫ୍ଲେମ୍ ଟ୍ରି ଏବଂ ରୟାଲ୍ ପଏନ୍-ସିଏନା ମଧ୍ୟ କୁହାଯାଏ। ଏହାର ଉତ୍ପତ୍ତି ମାଡାଗାସ୍କର ଅଞ୍ଚଳରୁ। ଅନୁମାନ କରାଯାଏ ଯେ, ପାଖାପାଖି ୧୮୪୦ ବେଳକୁ ଏହା ପ୍ରଥମେ ମରିସସ୍ ରୁ ଭାରତର ମୁମ୍ବାଇ ସହରକୁ ଆସିଥିଲା। ଯଦିଓ ଆଜି ଗୁଲମୋହର ବୃକ୍ଷ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଦେଖାଯାଏ କିନ୍ତୁ ନିଜ ଜନ୍ମସ୍ଥଳୀ ମାଡାଗାସ୍କରରୁ ଏହା ବିଲୁପ୍ତ ପ୍ରାୟ। କେବଳ ରାସ୍ତା ବା ସହରର ସୌନ୍ଦର୍ଯ୍ୟୀକରଣ ପାଇଁ ନୁହେଁ ଅନେକ ଅଞ୍ଚଳରେ କୃଷ୍ଣଚୁଡାର ଫୁଲ ଏବଂ କଞ୍ଚା ଫଳକୁ ଖାଆନ୍ତି ମଧ୍ୟ। ଭାରତ ଏବଂ ଶ୍ରୀଲଙ୍କାର କିଛି ଆଦିବାସୀ ସମ୍ପ୍ରଦାୟରେ କୃଷ୍ଣଚୁଡା ଫୁଲକୁ ଖିଆଯାଏ, ସେହିପରି ଥାଇଲାଣ୍ଡ୍ ଏବଂ ମ୍ୟାନମାର୍ ରେ କଅଁଳ ପତ୍ର ଓ କଅଁଳ ଫଳର ମଞ୍ଜିରୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ମାଡାଗାସ୍କର ଏବଂ ଆଫ୍ରିକାର କିଛି ଅଞ୍ଚଳ କଅଁଳ ଫଳର ମଞ୍ଜିକୁ ଖାଦ୍ୟ ହିସାବରେ ଗ୍ରହଣ କରିବା ସହ କୃଷ୍ଣଚୁଡା ବୃକ୍ଷର ବିଭିନ୍ନ ଅ°ଶକୁ ଔଷଧ ପ୍ରସ୍ତୁତି ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହା ପାଚନକ୍ରିୟା ଠିକ୍ କରିଥାଏ ବୋଲି ଆଫ୍ରିକୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ବିଶ୍ୱାସ କରାଯାଏ।
ଯେହେତୁ କୃଷ୍ଣଚୁଡା ଫୁଲକୁ କୃଷ୍ଣ ତାଙ୍କ ମୁକୁଟରେ ସ୍ଥାନ ଦେଇଥିଲେ ତେଣୁ ଏହାକୁ ପବିତ୍ର ଏବଂ ସ୍ବର୍ଗୀୟ ମାନ୍ୟତା ଦିଆ ଯାଇଛି। କୃଷ୍ଣଚୁଡାକୁ ରାଧାଙ୍କର କୃଷ୍ଣଙ୍କ ପ୍ରତି ପ୍ରେମ ଓ ସମର୍ପଣର ପ୍ରତୀକ ଭାବରେ ମଧ୍ୟ ଗ୍ରହଣ କରାଯାଏ। ବୌଦ୍ଧ ଧର୍ମରେ ଏହି ଲାଲ୍ ଟହଟହ ଫୁଲକୁ ଜ୍ଞାନର ଶିଖା ଭାବରେ ଗ୍ରହଣ କରାଯାଏ। ଅନ୍ୟ ଅନେକ ଛାଇ ଏବଂ ଆଶ୍ରୟ ଦେଉଥିବା ବୃକ୍ଷ ପରି, କୃଷ୍ଣଚୁଡା ଗଛର ଛାଇରେ ଧ୍ୟାନ କରିବାକୁ ମଧ୍ୟ ପବିତ୍ର ଆଖ୍ୟା ଦିଆଯାଏ। ଚାଇନିଜ୍ ଫେଙ୍ଗସୁଇରେ ଏହା ପରମ ସୌଭାଗ୍ୟ, ଐଶ୍ୱର୍ଯ୍ୟ ଏବଂ ସମୃଦ୍ଧି ଆଣିପାରୁଥିବା ବୃକ୍ଷ ବୋଲି ମାନ୍ୟତା ରହିଛି। ମାଡାଗାସ୍କର ଏବଂ ଆଫ୍ରିକୀୟ ପରମ୍ପରାରେ ଏହା ଜୀବନ ଓ ସଙ୍କଳ୍ପବଦ୍ଧତାର ପ୍ରତୀକ।

ଫ୍ଲାଓ୍ବାର ସିମ୍ବଲିଜମ୍ ଅନୁସାରେ, କୃଷ୍ଣଚୁଡା ଫୁଲର ଗାଢ ନାଲି ଏବଂ ନାରଙ୍ଗୀ ରଙ୍ଗ ଗଭୀର ପ୍ରେମ, ଉତ୍ସାହ ତଥା ପ୍ରତିବଦ୍ଧତାର ପ୍ରତୀକ ହୋଇଥାଏ। ଉଦୁଉଦିଆ ଖରା ଦିନରେ ମଧ୍ୟ ଏହା କଠିନ ପରିସ୍ଥିତିର ସାମ୍ନା କରି ଫୁଟେ ଓ ଅନ୍ୟକୁ ଆନନ୍ଦ ଦିଏ, ତେଣୁ ଏହାକୁ ଦୃଢ ଇଚ୍ଛା ଶକ୍ତି ଏବଂ ସହନଶୀଳତାର ମଧ୍ୟ ପ୍ରତୀକ କୁହାଯାଏ। ଏହାର ପେନ୍ଥା ପେନ୍ଥା ଉଜ୍ଜ୍ୱଳ ଫୁଲ ଜୀବନରେ ସୌହାର୍ଦ୍ଦ୍ୟ, ଆନନ୍ଦ ଓ ଉତ୍ସବର ଚିହ୍ନ ହୋଇଥାଏ। ଗ୍ରୀଷ୍ମ ଋତୁରେ ଫୁଟୁଥିବା ହେତୁ ଏହା ନୂତନ ଆଶା ଓ ସକାରାତ୍ମକ ଉର୍ଜାର ପ୍ରତୀକ ବୋଲି ବିଚାର କରାଯାଏ।
ହୁଏତ ବାସ୍ନା ନଥାଏ ବୋଲି କୃଷ୍ଣଚୁଡାକୁ ସାଧାରଣତଃ କେହି ଉପହାର ଦେବା ପାଇଁ ବାଛନ୍ତି ନାହିଁ। କିନ୍ତୁ ଆପଣଙ୍କ ବନ୍ଧୁ କିମ୍ବା ଆତ୍ମୀୟ କଳା ଓ ସାହିତ୍ୟପ୍ରେମୀ ହୋଇଥିଲେ ନିଶ୍ଚୟ ଏହାକୁ ଖୁବ୍ ପସନ୍ଦ କରିବେ। ସକାରାତ୍ମକ ଉର୍ଜା, ଆନନ୍ଦ, ଗଭୀର ପ୍ରେମ ଏବଂ ଉତ୍ସାହର ପ୍ରତୀକ ହୋଇଥିବା କାରଣରୁ ଅନ୍ତରଙ୍ଗ ବନ୍ଧୁଙ୍କ ପାଇଁ ଏହା ଉପଯୁକ୍ତ ଉପହାର ହୋଇଥାଏ। ସହନଶୀଳତା ଏବଂ ଦୃଢ ଇଚ୍ଛାଶକ୍ତିର ପ୍ରତୀକ ହୋଇଥିବା କାରଣରୁ, କୌଣସି ବ୍ୟକ୍ତି ନୂତନ ପାଠ୍ଯକ୍ରମ, ଚାକିରୀ କିମ୍ବା ବ୍ୟବସାୟ ଆରମ୍ଭ କରୁଥିବା ସମୟରେ, କୃଷ୍ଣଚୁଡା ଉପଯୁକ୍ତ ଉପହାର ଅଟେ।
ଯଦି ସମ୍ଭବ ହୁଏ ତେବେ ନିଜ ବନ୍ଧୁ କିମ୍ବା ଆତ୍ମୀୟଙ୍କୁ କୌଣସି ଗଛରୁ ଛିଣ୍ଡାଇ କୃଷ୍ଣଚୁଡା ଫୁଲ ଉପହାର ଦେବା ଅପେକ୍ଷା ତାଙ୍କୁ ଗଛଟିଏ ଉପହାର ଦିଅନ୍ତୁ। ନିଜେ ମଧ୍ୟ ନିଜ ଆଖପାଖ ଅଞ୍ଚଳରେ କୃଷ୍ଣଚୁଡା ଗଛ ଲଗାନ୍ତୁ। କେବଳ ଯେ ମାର୍ଚ୍ଚ ଏପ୍ରିଲ ମାସରେ ଫୁଲ ଫୁଟି ସୁନ୍ଦର ଦେଖାଯିବ ତା’ ନୁହେଁ, ବର୍ଷ ତମାମ ଛାଇ ମଧ୍ୟ ମିଳିବ। ଯଦି କୌଣସି ନର୍ସରୀରୁ ଗଛ ଯୋଗାଡ କରି ପାରୁ ନାହାନ୍ତି ତେବେ ଏପ୍ରିଲ ଶେଷ କିମ୍ବା ମେ’ ମାସରେ କୃଷ୍ଣଚୁଡା ଗଛ ମୂଳକୁ ଗଲେ ତଳେ ପଡିଥିବା ପାଚିଲା ଫଳ ମିଳିଯାଏ, ସେଥିରୁ ମଞ୍ଜି ସ°ଗ୍ରହ କରିହେବ। ସୁ୍ସ୍ଥ ସବଳ ମଞ୍ଜି ବାଛି ପ୍ରଥମେ ୨୪ ଘଣ୍ଟା ପାଣିରେ ଭିଜାଇ ରଖନ୍ତୁ। ତା’ପରେ ଚାରା ପାଇଁ ରୋପଣ କରନ୍ତୁ। ଜୁନ ମାସରେ ହାଲକା ବର୍ଷା, ଗରମ ଏବଂ ଅଧିକ ଆପେକ୍ଷିକ ଆର୍ଦ୍ରତା କୃଷ୍ଣଚୁଡା ମଞ୍ଜିରୁ ଗଜା ହେବା ପାଇଁ ଉପଯୁକ୍ତ ସମୟ।