ମରୁଭୂମିର ଗୋଲାପ: ଆଡେନିୟମ୍ ଓବେଜମ୍

ଦିଗନ୍ତ-ଦିଗନ୍ତ ବ୍ୟାପି ବାଲି! ପାଦ ପାଖରୁ ଦିଗବଳୟ ଯାଏଁ ଅସରନ୍ତି ବାଲୁକା ଶଯ୍ୟା। କାହିଁ କେଉଁ ଦିନୁ ବର୍ଷାର ଠୋପାଏ ବି ପଡିନି ଏ ଉତ୍ତପ୍ତ, ଶୁଷ୍କ ବାଲୁକା ରାଶି ଉପରେ। ଆଖି ପାଇବା ଯାଏଁ କୋଉଠି ବି ଧାପିଏ ପାଣି କି ଖଣ୍ଡେ ଘାଷର ଚିହ୍ନବର୍ଣ୍ଣ ଦିଶେନି। ହେଲେ ସେଇ ଠା-ଠା ମରୁଭୂମିରେ ଫୁଟିଥାଏ ନିଆଁ ପରି ଦାଉଦାଉ ଲାଲ୍ ଫାୟାର କ୍ରିଷ୍ଟାଲ୍ ଫୁଲ। ବର୍ଷା ନଥାଏ, ପାଣି ନଥାଏ, ବାଲୁକା ରାଶି ବଢି ଚାଲିଥାଏ ଆଉ ତା’ ସହ ବଢିଚାଲେ ସେଇ ଲାଲ୍ ନିଆଁ ସୁଲଭ ଫୁଲ। ମରୁଭୂମି ଯେତେ ଶୁଷ୍କ ହୁଏ, ବାଲିର ମାତ୍ରା ଯେତେ ବଢେ, ସେଇ ଫୁଲ ଗଛର ଚେର (rhizome) ମଧ୍ୟ ବାଲିର ସମାନ୍ତରାଳରେ ଦୁଇ ଦିଗରେ ବଢୁଥାଏ। ଦୁଇ ଦିଗକୁ ବଢୁଥିବା ଏହି ସମାନ୍ତରାଳ ଚେର ବଢି ବଢି ଶେଷରେ ତା’ର ଦୁଇ ଦିଗ ପରସ୍ପର ସହ ମିଶିଯାଇ ଗୋଟିଏ ମୋଟା, ପାଣି ସ°ଗ୍ରହକାରୀ ପାତ୍ର ସଦୃଶ ବନି ଯା’ନ୍ତି। ଯାବତୀୟ ଉତ୍ତାପ ଆଉ ବିନା ପାଣିରେ ବି ସେଇ ନିଆଁ ପରି ଲାଲ୍ ଟହଟହ ଫୁଲ କଷ୍ଟ ସହି ମରୁଭୂମି ବାଲି ସହ ବଞ୍ଚେ, ଫୁଟେ କିନ୍ତୁ ବାଲିର ସାଙ୍ଗ ଛାଡେନି କି ତାକୁ ଏକା କରି ଦିଏନି! ମରୁଭୂମିର ସେ ସଙ୍ଗିନୀ ଆଉ କେହି ନୁହେଁ, ମରୁଭୂମିର ଗୋଲାପ ବା ଡେଜର୍ଟ ରୋଜ ଭାବେ ପରିଚିତ ଆଡେନିୟମ୍ ଓବେଜମ୍। ମରୁଭୂମିର ବାଲି ଏବଂ ଡେଜର୍ଟ ରୋଜର ସମ୍ପର୍କକୁ ଦୁଇ ଜଣ ସଚ୍ଚା ପ୍ରେମୀଙ୍କ  ନିବିଡ ପ୍ରେମର ପ୍ରତୀକ ବୋଲି ଧରାଯାଏ। ଏ ହେଉଛି ସାହାରା ମରୁଭୂମି ଅଞ୍ଚଳରୁ ଉତ୍ପତ୍ତି ପାଇଥିବା ଫୁଲ ଆଡେନିୟମ୍ ଓବେଜମର କାହାଣୀ।

Photo Credit: Dr. Ipsita Pradhan

ଆଡେନିୟମ୍ କଢରୁ ଫୁଲ ଫୁଟିଲା ବେଳେ, ପାଖୁଡା ଗୁଡିକ ଗୋଲାପ ଫୁଲ ସଦୃଶ ଖୋଲନ୍ତି, ଏବଂ ବାସ୍ନା ଧିମା ହେଲେ ମଧ୍ୟ ଖୁବ ମଧୁର, ସେଇଥିପାଇଁ ଏହାକୁ ଡେଜର୍ଟ ରୋଜ୍ କୁହାଯାଏ। ରିପୋର୍ଟ ଅନୁସାରେ ଏହାର ଆବିଷ୍କାର ବିଷୟରେ ଦୁଇଟି ତଥ୍ୟ ମିଳେ। କେଉଁଠି ବର୍ଣ୍ଣନା ହୋଇଛି ଯେ ଏହାକୁ ପ୍ରଥମ ଥର ପାଇଁ ୧୭୫୨ ମସିହାରେ କେନିଆରୁ ଆବିଷ୍କାର ହୋଇଥିଲା ତ ଆଉ କେଉଁଠି ଲେଖା ହୋଇଛି ଯେ ୧୭୬୨ ମସିହାରେ ଫେର୍ ଫୋର୍ସାକାଲ୍ ନାମକ ଜଣେ ଜର୍ମାନ ବୈଜ୍ଞାନିକ ଏହାକୁ ପ୍ରଥମ ଥର ପାଇଁ ୟେମନରେ ଆବିଷ୍କାର କରିଥିଲେ। ଏହାଛଡା ସେ କେନିଆ, ତାଞ୍ଜାନିଆ ଏବଂ ଅନ୍ୟ ଅନେକ ଆଫ୍ରିକୀୟ ଦେଶରେ ମଧ୍ୟ ଡେଜର୍ଟ ରୋଜକୁ ଦେଖିଥିଲେ। ଡେଜର୍ଟ ରୋଜର ନା’ର ପ୍ରଥମ ଅ°ଶ ଆଡେନିୟମର ସୃଷ୍ଟି ଫୁଲ ପାଇଁ ଉଦ୍ଦିଷ୍ଟ ଆରବିକ୍ ଶବ୍ଦର ଲାଟିନ୍ ଫର୍ମ ଓଡ୍ଡିଆଏଞ୍ଜରୁ। କିଛି ଭାଷାବିତଙ୍କ ମତରେ ଯେହେତୁ ଏହି ଫୁଲକୁ ପ୍ରଥମେ ୟେମନରେ ଦେଖା ଯାଇଥିଲା, ତେଣୁ ଆଡେନିୟମର ସୃଷ୍ଟି ଆଡିନ ଶବ୍ଦରୁ, ଯାହା ୟେମନର ପୁରୁଣା ନା’। ସେହିପରି ଡେଜର୍ଟ ରୋଜ ଗଛର ଗଣ୍ଡି ମୋଟାସୋଟା, ଗୋଲମୋଟଲ ହୋଇଥାଏ ବୋଲି ତା’ ନା’ର ଦ୍ବିତୀୟ ଭାଗ ଓବେଜମ୍ ଶବ୍ଦଟି ଓବସ୍ (ମୋଟା)ରୁ ଆସିଛି ବୋଲି ବିଚାର କରାଯାଏ।  ଆଫ୍ରିକା, ମଧ୍ୟ-ପ୍ରାଚ୍ୟ ଏବଂ ମାଡାଗାସ୍କରରୁ ଆସିଥିବା ଏହି ଡେଜର୍ଟ ରୋଜର କେବଳ ତା’ର ସୁନ୍ଦର ଫୁଲ ପାଇଁ ନୁହେଁ ତା’ର ମାଟିରୁ ଫୁଟିକି ବାହାରିଥିବା ମୋଟା, ଲାଉକୃତି ମୂଳ କାଣ୍ଡ (swollen basal caudex) ପାଇଁ ମଧ୍ୟ ପ୍ରସିଦ୍ଧ। ଯଦିଓ ବର୍ତ୍ତମାନ ପୃଥିବୀରେ ପ୍ରାୟ ପ୍ରତ୍ୟେକ ସ୍ଥାନରେ ଡେଜର୍ଟ ରୋଜକୁ ଅର୍ନାମେଣ୍ଟାଲ୍ ପ୍ଲାଣ୍ଟ ବା ସାଜସଜ୍ଜା ପାଇଁ ବ୍ୟବହାର କରାଯାଉଛି କିନ୍ତୁ ଆଫ୍ରିକୀୟ, ସାହାରା ମରୁଭୂମି ଅଞ୍ଚଳରେ ଏହାକୁ ଔଷଧୀୟ ବୃକ୍ଷ ଭାବରେ ମଧ୍ୟ ବ୍ୟବହାର କରାଯାଏ। ଓମାନରେ ଆଣ୍ଠୁଗଣ୍ଠି ବାତ, ମୁଣ୍ଡବିନ୍ଧା ପାଇଁ; ନାଇଜେରିଆରେ ମ୍ୟାଲେରିଆ ପରି କେତେକ ପାରାସାଇଟକ ଜ୍ବର ପାଇଁ; ସୋମାଲିରେ ଶର୍ଦି-ଛିଙ୍କରେ ନାକରେ ପକାଇବା ପାଇଁ ନାଜାଲ୍-ଡ୍ରପ ବନାଇବା ପାଇଁ; ଆଫ୍ରିକୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଖଣ୍ଡିଆଖାବରା, ଦାନ୍ତ ପୋକଲାଗିବା, ଚର୍ମରୋଗ ଏବଂ ଉକୁଣୀ ଦୂର କରିବା ପାଇଁ ବ୍ୟବହାର ହୁଏ। କେନୀଆରେ ଓଟ ତଥା ଅନ୍ୟାନ୍ୟ ଗୃହପାଳିତ ପଶୁଙ୍କ ଦେହରେ ଲାଗିଥିବା ଟିଙ୍କ ଆଦିକୁ ଦୂର କରିବା ପାଇଁ ମଧ୍ୟ ଏହା ବ୍ୟବହାର କରାଯାଏ। ଏଥିରୁ ପ୍ରସ୍ତୁତ ବିଷକୁ ଆଫ୍ରିକୀୟ ମାନେ ପଶୁ ଶିକାର ପାଇଁ ଧନୁଶରରେ ବ୍ୟବହାର କରନ୍ତି।

ଆଡେନିୟମର ମୋଟା, ବଡ କାଣ୍ଡ ପାଇଁ ଚୀନରେ ଏହାକୁ ପ୍ରାଚୁର୍ଯ୍ୟ ଏବଂ ଧନର ପ୍ରତୀକ କୁହାଯାଏ। ୟାର ଚାଇନିଜ୍ ନା’ ଫୁଗ୍ବିହୁଆର ଅର୍ଥ ହିଁ ଧନର ଗଛ ବା wealth plant। ଚାଇନିଜ୍ ସ୍ପ୍ରିଙ୍ଗ୍ ଫେଷ୍ଟିଭାଲରେ ଏହାକୁ “ସୌଭାଗ୍ୟର ଗଛ” ହିସାବରେ ଗଣା ଯାଏ। ଫେଙ୍ଗ୍-ସୁଇ ଅନୁସାରେ ଘର ପାଇଁ ଡେଜର୍ଟ ରୋଜ୍ ସୁଖ, ସମୃଦ୍ଧି ଏବଂ ଧନ ଆଣିଥାଏ। ଥାଇଲ୍ୟାଣ୍ଡରେ ବିଶ୍ୱାସ ଅଛି ଯେ ଏହି ଗଛକୁ ବୁଧବାର ଦିନ ଏବଂ ଘର/ ବଗିଚାର ଦକ୍ଷିଣପୂର୍ବ ଦିଗରେ ଲଗାଇବା କଥା। ଥାଇଲ୍ୟାଣ୍ଡର ବୁଦ୍ଧିଷ୍ଟ ବିଶ୍ୱାସ ଅନୁସାରେ ଏହା ସ୍ବଚ୍ଛତା, ପବିତ୍ରତାର ପ୍ରତୀକ ହୋଇଥିବା ବେଳେ, କେତେକ ଆଫ୍ରିକୀୟ ପରମ୍ପରା ଅନୁସାରେ ଏହା ଭୌତିକ ଲୋକର ପ୍ରତୀକ ଅଟେ।

ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ମରୁଭୂମିରେ ନିଜର ବିଶାଳ, ମୋଟା କାଣ୍ଡ ଏବଂ ସୁନ୍ଦର ଲାଲ୍-ଗୋଲାପୀ ଫୁଲ ସହ ନିଜର ଉପସ୍ଥିତ ଜାହିର କରୁଥିବାରୁ, ଆଡେନିୟମକୁ ଦୃଢ ଇଚ୍ଛାଶକ୍ତି, ପ୍ରତିବଦ୍ଧତା, ସ୍ଥିତପ୍ରଜ୍ଞ, ସ୍ଥିରତାର ପ୍ରତୀକ ଅଟେ। ଏହା ମାନସିକ ଦୁଃଶ୍ଚିନ୍ତା ଏବଂ ଅସ୍ଥିରତାକୁ ଦୂର କରି ମନରେ ଶାନ୍ତି ଏବଂ ଚିନ୍ତନ ଶକ୍ତିରେ ସ୍ବଚ୍ଛତା ଆଣେ ବୋଲି ବିଶ୍ବାସ କରାଯାଏ। ସାଧାରଣତଃ ଲାଲ୍, ଗୋଲାପୀ ଏବଂ ଧଳା ରଙ୍ଗରେ ଆଡେନିୟମ୍ ଫୁଟିଥାଏ ଏବଂ ଫ୍ଲାଓ୍ବାର ସିମ୍ବଲିଜିମ୍ ଅନୁସାରେ ପ୍ରତ୍ୟେକ ରଙ୍ଗର ନିଜର ଅର୍ଥ ରହିଛି। ଲାଲ୍ ଆଡେନିୟମ୍ ଧନ/ ଅର୍ଥ, ପ୍ରାଚୁର୍ଯ୍ୟ ଏବଂ ସୌଭାଗ୍ୟର ପ୍ରତୀକ। ଗୋଲାପୀ ଆଡେନିୟମ୍ ସୁଖ, ଶାନ୍ତି, ସମୃଦ୍ଧି ଏବଂ ନୂତନତ୍ତ୍ବର ପ୍ରତୀକ। ସମ୍ପୂର୍ଣ୍ଣ ଧଳା ଆଡେନିୟମ୍ ଖୁବ କମ ଦେଖିବାକୁ ମିଳିଥାଏ। ଗୁଡ୍-ଲକ୍ ବା ସୌଭାଗ୍ୟ, ସମୃଦ୍ଧି, ପ୍ରାଚୁର୍ଯ୍ୟ, ଦୃଢ ଇଚ୍ଛାଶକ୍ତିର ପ୍ରତୀକ ହୋଇଥିବାରୁ ପରୀକ୍ଷା କିମ୍ବା ସାକ୍ଷାତକାର ପ୍ରାର୍ଥୀ ତଥା ନୂଆ ଚାକିରୀ, ନୂତନ ଜୀବନ ଏବଂ ନୂଆ ଘରକୁ ସିଫ୍ଟ ହୋଇଥିବା ଲୋକଙ୍କ ପାଇଁ ଡେଜର୍ଟ ରୋଜ୍ ଗଛ ସବୁଠାରୁ ସୁନ୍ଦର ଉପହାର।

Photo Credit: Dr. Ipsita Pradhan

ଆଫ୍ରିକୀୟ ସାହାରା ମରୁଭୂମିରୁ ଆସିଥିବା ଡେଜର୍ଟ ରୋଜ୍ ଗତ କିଛି ବର୍ଷ ମଧ୍ୟରେ ଭାରତରେ ମଧ୍ୟ ବେଶ ଲୋକପ୍ରିୟ ହୋଇଛି। ବର୍ଷକୁ ୧୦ -୧୨ ଇଞ୍ଚ ପର୍ଯ୍ୟନ୍ତ ବଢୁଥିବା ଆଡେନିୟମ୍ ଅଳ୍ପ ମାତ୍ରାରେ ପାଣି ଏବଂ ଉଚ୍ଚ ତାପମାତ୍ରାରେ ବଞ୍ଚି ପାରୁଥିବାରୁ ଏହାର ଚାହିଦା ଖୁବ୍ ଅଧିକ। ଗଛ ଲଗାଇଲା ବେଳେ ଅଧିକ ଡିପ୍ ବା ଖାଲୁଆ ପାତ୍ରରେ ନଲଗାଇ ଟିକେ ଚଉଡାଳିଆ ପାତ୍ରରେ ଲଗାଇବେ। ବର୍ଷରେ ଥରେ ମାଟି ବଦଳାଇବା ଯଥେଷ୍ଟ। ମାଟିର ଉପର ସ୍ଥର ଶୁଖିଲା ଦେଖାଗଲେ ପାଣି ଦେବା ଉଚିତ। ସବୁଦିନ ଏବଂ ଅଧିକ ପାଣି ଆଡେନିୟମ୍ ପାଇଁ ପ୍ରାଣଘାତକ। ଆଡେନିୟମ୍  ପ୍ରଜାପତି, ମହୁମାଛି ଏବଂ ହମି°ବାର୍ଡକୁ ଆକର୍ଷିତ କରିଥାଏ।

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →